ସୂଚନା ।
ଯେଉଁ ସୁକବିମାନେ ନିଃସ୍ଵାର୍ଥ ସାହିତ୍ୟ ସେବାରେ ଜୀବନ ଯାପନ କରି ଉତ୍କଳ ସାହିତ୍ୟ ଭଣ୍ଡାରରେ ଅମୂଲ କାବ୍ୟ, ରତ୍ନମାନ ସଞ୍ଚୟ କରି ଅଛନ୍ତି, କବି ଅଭିମନ୍ୟୁ ସେମାନଙ୍କର ଅନ୍ୟତମ ।
ଅଭିମନ୍ୟୁ ପ୍ରାଚୀନ ଉତ୍କଳ ସାହିତ୍ୟର ଶେଷ କୃତି କବି । ତାଙ୍କର ଭାବଗାମ୍ଭୀର୍ଯ୍ୟ, ଶବ୍ଦଚାତୁରୀ ଓ ଭାଷାର ପରିପାଟୀ, ଏହି ବିଂଶ ଶତାବ୍ଦିର ପାଶ୍ଚାତ୍ୟଭାଷାଭିଜ୍ଞ ସମାଲୋଚକ-ମାନଙ୍କଠାରେ ମଧ୍ୟ ତାହାଙ୍କୁ ଆଦୃତ କରାଉଛି । ଆଜି ତାହାଙ୍କର ବିଦଗ୍ଧଚିନ୍ତାମଣି ‘ରାଜ ପ୍ରାସାଦରେ ଓ କୃଷକ କୁଟରେ’ ଆଦରର ସହିତ ଗୀତ ହୁଏ । କବିବର ଉପେନ୍ଦ୍ର ଓ ଦୀନକୃଷ୍ଣଙ୍କ ବ୍ୟତୀତ ଅନ୍ୟ କୌଣସି କବି କାବ୍ୟ ରଚନା କରି ଉତ୍କଳ-ଖଣ୍ଡରେ ଏପରି "ଗ୍ରାହକ"ଙ୍କର ଚିତ୍ତ ଆକର୍ଷଣ କରି ପାରିଛନ୍ତି କି ନା ସନ୍ଦେହ ।
କିନ୍ତୁ ଦୁଃଖର ବିଷୟ ଯେ କବିଙ୍କର 'ଅନେକ ପୁସ୍ତକ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ । ସେହି କାବ୍ୟକୁସୁମମାନଙ୍କରୁ ପାଠକର ନୟନଭୃଙ୍ଗ ମଧୁପାନ କରୁନାହିଁ, କେବଳ ସେମାନେ କୀଟମାନଙ୍କର ଲୀଲା-ଭୂମିରୂପେ "ପୋଥିଲବ୍ଧ" ସାହିତ୍ୟ ସଞ୍ଚୟୀମାନଙ୍କର ‘ଗାଦି’ରେ ଶୋଭା ପାଉଅଛନ୍ତି ।
ସେମାନଙ୍କ ସନ୍ଧାନ ଓ ସଂଗ୍ରହ ପ୍ରତି ଅମ୍ଭେମାନେ ସମ୍ପୂର୍ଣ୍ଣ ଉଦାସ । ସେସମୟରେ ଅମ୍ଭମାନଙ୍କର ‘ଉତ୍କଳ ସାହିତ୍ୟ ସମାଜ’ ପ୍ରତିଷ୍ଠିତ