ହୋଇ ଆମ୍ଭମାନଙ୍କର ଜଡ଼ତା ଭାଙ୍ଗି ଦେଇ ଅଛୁ ଓ ପ୍ରାଚୀନ ପୁସ୍ତକ ସଂଗ୍ରହ ଓ ପ୍ରକାଶ ନିମନ୍ତେ ଆମ୍ଭମାନଙ୍କୁ ଉତ୍ତେଜିତ କରିଅଛି । ଉକ୍ତ ସାହିତ୍ୟସମାଜର ସେବକରୂପେ ମୁଁ ବହୁଯତ୍ନରେ ସାମନ୍ତ ସିଂହାରଙ୍କର କେତେକ କାବ୍ୟ ସଂଗ୍ରହ କରିଅଛି ଓ ତାହା କ୍ରମଶଃ ପ୍ରକାଶ କରିବାର ଆଶା ମଧ୍ୟ ହୃଦୟରେ ପୋଷଣ କରେଁ । ବର୍ତ୍ତମାନ କବିଙ୍କର "ସୁଲକ୍ଷଣା" ନାମକ କ୍ଷୁଦ୍ରତମ କାବ୍ୟ ପ୍ରକାଶ କଲି ।
‘ସୁଲକ୍ଷଣା’ ବାସ୍ତବିକ ସୁ-ଲକ୍ଷଣା କି ନା ତାହା ପାଠକମାନେ ବିଚାର କରିବେ । ମୋ ମତରେ ସେ ପୁସ୍ତିକା ଖଣ୍ତି ‘ସୁଅଳଙ୍କୃତା’ । ପ୍ରାଚୀନ ଉତ୍କଳ ସାହିତ୍ୟରେ ଭାବର ମାଧୁର୍ଯ୍ୟ ଥାଉ ଅବା ନ ଥାଉ, ଭାଷାର ଲାଳିତ୍ୟ ଥାଉ ବା ନ ଥାଉ, ଅଳଙ୍କାର ବାହୁଲ୍ୟରେ [ସଂସ୍କୃତ ବ୍ୟତୀତ] ଅନ୍ୟ କୌଣସି ଭାଷା ତାହା ସହିତ ପ୍ରତିଯୋଗିତା କରି ପାରିବ ନାହିଁ । ବୈଦେହୀଶବିଳାସ ଯେପରି ‘ବ’ ଆଦ୍ୟ ନିୟମରେ ଲିଖିତ, ରସକଲ୍ଲୋଳ ଯେପରି ‘ସ’ ଆଦ୍ୟ ନିୟମରେ ଲଖିତ, ସୁଲକ୍ଷଣା ସେହିପର ‘ସ’ ଆଦ୍ୟ ନିୟମରେ ଲିଖିତ । ଏଥିରେ ପ୍ରତ୍ୟେକେ ୧୬ ପଦ ବିଶିଷ୍ଟ ୧୨ ଗୋଟି ଛନ୍ଦ ୧୬ ପ୍ରକାର ଛନ୍ଦରେ ସନ୍ନିବେଶିତ ହୋଇଅଛି । ଯମକାଦି ନାନା ପ୍ରକାର ଅଳଙ୍କାରରେ ମଧ୍ୟ ଏହା ଅଳଙ୍କୃତ । ଗୋଠିଏ ପୌରାଣିକ ଘଟଣା ଅବଲମ୍ବନରେ ଏହା ରଚିତ । ଦୁର୍ଯ୍ୟୋଧନଙ୍କର ଦୁହିତା ସହିତ କୃଷ୍ଣତନୟ ଶାମ୍ବଙ୍କର ଗୁପ୍ତ ପ୍ରଣୟ ଓ ପରିଶେଷରେ ବିବାହ ଏହି କାବ୍ୟର ବିଷୟ । ଉତ୍କଳର ‘ନେମି -ବୃତ୍ତ’ କବିମାନେ ଯେ ପ୍ରଣାଳୀରେ; କାବ୍ୟାଦି ରଚନା କରିଅଛନ୍ତି ଏହା ଠିକ ସେହି ଛାଞ୍ଚରେ ତଳା ।
କଳ୍ପନା ବୈଚିତ୍ର୍ୟ ଉତ୍କଳର ପ୍ରାଚୀନ କାବ୍ୟରେ ବହୁଳ ପରିମାଶରେ ପରଲକ୍ଷିତ ହୁଏ ନାହିଁ । ନାୟକ ନାୟିକାଙ୍କର ରୂପ ଗୁଣ ବର୍ଣ୍ଣନା କୌଣସି ପ୍ରକାରରେ ପରିଚୟ, ମିଳନ, ବିରହ ଓ ଷଡ଼ଋତୁ ଶୂନ୍ୟ, ଏହା ପ୍ରାଚୀନ କୌଳିକ ପ୍ରଥା ।