ପୃଷ୍ଠା:Typical selections from Oriya literature.pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୧
ଓଡ଼ିଆ ସାହିତ୍ୟ-ପରିଚୟ

ଦେଖିଣ ତା ଭ୍ରତବୀର ହୋଇଲା ହରଷ ।
ବଇକୁଣ୍ଠ ପୁର କି ଦେବତାଙ୍କର ବାସ ।
ଏତେକ ବୋଲି ଯାଇଁ ସେ ଜଗତିରେ ଉଠି ।
ଦେଖିଲାକ ନବରତ୍ନ ମଣ୍ତପ ଯେ ଗୋଟି ।
ଗଜଦନ୍ତ ଖଟୁଲୀ ହୋଇଛି ତ‌ହିଁ ଦୋଳା ।
ତଳେ ପାରି ଅଛନ୍ତି ଯେ ଚଉଦନ୍ତ ନୀଳା ।
ଉପରେ ଶେଯାଇ ଅଛଇ ଯେ ଦିବ୍ୟ ଶେଯ ।
ଦେଖିଣ ଭରତ ବୀର ହୋଇଲେ ଆଶ୍ଚର୍ଯ୍ୟ ।
ଚାନ୍ଦୁଆ କିରିଣ ଚନ୍ଦ୍ରାତପ ପଟାନ୍ତର ।
ଚଉପାଶେ ମଣ୍ତନ ଯେ ଶ୍ୱେତର ଚାମର ।
ଭରତ ବୋଇଲା ଏ ଦେବତାଙ୍କ ଆସନ ।
ଶ୍ରୀରାମ ଯେ ବସିବାକୁ ଏଥିରେ ଭାଜନ ।
ନମସ୍କାର କରି ଭ୍ରତ ବାହୁଡ଼ିଣ ଗଲା ।
ଆନ ପଲଙ୍କରେ ସୁଖେ ଶୟନ ଯେ କଲା ।
ଶତ୍ରୁଘନ‌କୁଇଁ ଯେ ନ‌ବର ଚାରି ଘର ।
ତ‌ହିଁରେ ରହିଲେ ଯାଇଁ ସୁମିତ୍ରା-କୁମର ।
ମାୟାଲୋକେ ଆସିଣ ବଶିଷ୍ଠଙ୍କୁ ନିଅନ୍ତି ।
ଜାବାଳି କାଶ୍ୟପ ବାମଦେବଙ୍କୁ ରଖାନ୍ତି ।
ସୁମନ୍ତ୍ର ସ‌ହିତେ ମନ୍ତ୍ରୀଗଣ ତ‌ହୁଁ ଗଲେ ।
ଯେ ଯାହାର ଅନୁରୂପେ ଥାଟେ ଠାବ ଦେଲେ ।
ତଇଳର ନ‌ଦୀ ଏକ ବ‌ହିଲାକ ତ‌ହିଁ ।
ଘୃତ ନ‌ଦୀ ଏକ ତାର ଥଳ କୂଳ ନାହିଁ ।
ଥୋକାଏକ ଦୂରରେ ବ‌ହଇ ନ‌ଦୀ ସୁରା ।
ପର୍ବତ ସମାନେ ମାଂସ ବଖରା ବଖରା ।
ଅଏଁଳା ହଳଦୀ ଗଦା ପର୍ବତ ସମାନ ।
ସୁଗନ୍ଧ ଯେ ଚତୁଃସମ ଅତି ଅନୁପମ ।
ପୁଷ୍ପମାଳ କୁଢ଼ କୁଢ଼ ତାମ୍ବୂଳ ଭଙ୍ଗାଇ ।
ମାୟାଲୋକମାନେ ଯାଚି ଦିଅନ୍ତି ଯେ ନେଇ ।
ଜଣକୁ ଏଗାର ଜଣ ଲେଖାଏଁ ଯେ ନାରୀ ।
ତଇଳ ଲଗାଇ ଦିଏ କେ ମର୍ଦ୍ଦନ କରି ।
କାହାକୁ ବା ପାଞ୍ଚସ୍ତିରୀ କରନ୍ତି ଢମାଳି ।
କାହାକୁ ସ୍ନାନ କରାନ୍ତି ମିଳି ଷଡ଼ ବାଳୀ ।
ଦିବ୍ୟ ବସନ ପିନ୍ଧାନ୍ତି କେହି ମନ ମୋହି ।
ଚତୁଃସମ ଲେପି କେହି ଗଭା ଯେ ସଜାଇ ।