ପୃଷ୍ଠା:Typical selections from Oriya literature.pdf/୧୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ମାଲ୍ୟବନ୍ତରେ ବର୍ଷାକାଳ

 
ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବି ଶୁଣ ।
ମାଲୀବନ୍ତ ପର୍ବତେ ରହିଲେ ରଘୁରାଣ ॥
ଶ୍ରୀରାମର ଚିତ୍ତ ହେଉଅଛି ଛନ ଛନ ।
ଜଳଧର ମେଘରେ ଯେ ଉତ୍ସବ ଗଗନ ॥
ଘଡ଼ଘଡ଼ି କରିଣ ଯେ ମାରଇ ବିଜୁଳି ।
ସନ୍ଧ୍ୟାକାଳେ ଆକାଶରେ ଉଦେ ଆର୍ଦାବଳି ॥
ହାତିଶୁଣ୍ଢ ଉଇଁକରି ମେଘ ଗରଜନ୍ତି ।
ନିର୍ଘାତ ଶବଦ କରି ଚଡ଼କ ମାରନ୍ତି ॥
ପୂର୍ବଦିଗ ମେଘେ ଯାଇ ପଶ୍ଚିମେ ପଶନ୍ତି ।
ଶୀତଳ ପବନ ଯେ ବହଇ ଚଉକତି ॥
ଦକ୍ଷିଣ ମେଦୁର ଯେ ସମୁଦ୍ର ପାଣି ତୋଳି ।
ଉତ୍ତରଦିଗକୁ ହିଂସେ ଜଳ ଘେନି ଚଳି ॥
ଇନ୍ଦ୍ର ଧନୁ ଉଇଁ ଅଛଇ ଯେ ଘନ ଘନ ।
ଅସ୍ତକାଳେ ଆଦିତ୍ୟ ଦିଶଇ ରଙ୍ଗବର୍ଣ୍ଣ ॥
ଦିବସେ ମଣ୍ଡଳାକାର ରାତ୍ରିରେ କୁହୁକ ।
ପ୍ରଚଣ୍ଡପବନ ଯେ ବହଇ ଝାଙ୍କ ଝାଙ୍କ ॥
କ୍ଷଣେ ଗୁଳୁଗୁଳି କ୍ଷଣେ ଶୀତଳ ଯେ କରେ ।
କ୍ଷଣେ କ୍ଷଣେ ଦିବାକାର ଦିଶେ ଆକାଶରେ ॥
ସିନ୍ଧୁ ଗରଜଇ ପୁଣ ଦିଗ ରଙ୍ଗ ଦିଶେ ।
ଜଳଧର ଧୂମ ପୁଣ ଗଗନରେ କି ସେ ॥
କୁସୁମ ବର୍ଣ୍ଣ ହୋଇଣ ଆଛାଦଇ ଖରା ।
ଜଳଜଳ ଦିଶଇ ଯେ ଗଗନର ତାରା ॥
ଚନ୍ଦ୍ରମା ମଣ୍ଡଳ ଯେ ଧୂସର ହୋଇ ଦିଶେ ।
ଭିତର ବାହାରେ ଯେ ନକ୍ଷତ୍ରଗଣ ମିଶେ ॥
ନିର୍ମଳ ଗଗନେ ଯେ କ୍ଷଣକେ ମେଘ ଉଈଁ ।
ପୁଣିହିଁ ଗର୍ଜିଣ ସେ ଶୂନ୍ୟରେ ଆଛାଦଇ ॥
ଦିବସେ ଗର୍ଜନ ଯେ କରଇ ଗମ ଗମ ।
ଭୂମିକମ୍ଫ କରିଣ କରଇ ଦମ ଦମ ॥
ଆଷାଢ଼ମାସ ପ୍ରବେଶ ହୋଇଲାକ ଯହୁଁ ।
ଝିମିଝିମି କରିଣ ସେ ବରଷଇ ତହୁଁ ॥
ବିଜୁଳି ଦେଖାଇଣ ମାରଇ ଘଡ଼ଘଡ଼ି ।
କିଜାଣୁ ପର୍ବତୁ ଶୃଙ୍ଗ ପଡ଼ିବକି ଝଡ଼ି ॥