ପୃଷ୍ଠା:Typical selections from Oriya literature.pdf/୧୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୫
ଓଡ଼ିଆ ସାହିତ୍ୟ-ପରିଚୟ

ଦୂରକୁ ଗ‌ହଗ‌ହ ଶୁଭଇ ମହାଗୋଳ ।
ଫରହର ଉଡ଼ନ୍ତି ଯେ ନେତର ଚିରାଳ ।
ଅପ୍ରମିତ ଥାଟ ପୁଣି ତ‌ହିଁଛନ୍ତି ପୂରି ।
ରଥଗଜ ପଦାତିଙ୍କି କେହୁ ଗଣିପାରି ।
ବାଟେ ଯାଉଣ ଦେଖନ୍ତି ନାନା ଖେଳରସ ।
ମିଶାମିଶି ହୁଅନ୍ତି ଯେ ରାକ୍ଷସ ମନୁଷ୍ୟ ।
ବାଲମୀକ ମୁନିଙ୍କି ଯେ ବଶିଷ୍ଠେ ଭେଟିଲେ ।
ଋଷିଙ୍କ ପାଇଁ ଯେ ଘର ତ‌ହିଁ ରୁହାଇଲେ ।
ବସା ଜାଣି ଲବକୁଶ ତ‌ହୁଁ ଯେ ବାହୁଡ଼ି ।
ରାଜାଙ୍କ ସିଂହଦ୍ୱାରେ ବସିଣ ପାଠପଢ଼ି ।
ବାଲ୍ମୀକ ପ୍ରବେଶ ହୋଇଗଲେ ସିଂହଦ୍ୱାରେ ।
ଯାଇଣ ମିଳିଲେ ଶ୍ରୀରାମଙ୍କ ସନ୍ନିଧିରେ ।
ଦେଖିଣ ରଘୁନାଥ ଯେ ନମସ୍କାର କଲେ ।
କୁଶଳ ପୁଚ୍ଛିଣ ବସିବାକୁ ଠାବ ଦେଲେ ।
ଏଥୁଅନନ୍ତରେ ସେ ଯେ ଲବକୁଶ ବେନି ।
ସିଂହଦ୍ୱାରେ ବସିଲେ ସେ ପୋଥି ଗୋଟି ଘେନି ।
ଗୁଜ୍ଜରୀ ରାଗେଣ ସେ ଯେ ଉଙ୍କାରିଲେ ଗୀତ ।
ତ‌ତ‌କ୍ଷଣେ ମୋହିଲେ ସେ ସବୁଙ୍କରି ଚିତ୍ତ ।
ଏକ‌କୁ ଆରେକର ଲାବଣ୍ୟ କଣ୍ଠସ୍ୱର ।
କୁମାର ବୟସ ଯୋଗୁଁ ଗାବନ୍ତି ମଧୂର ।
ଶାରଦା ଦେବୀ ଯାହାର ଅଟଇ ଜନନୀ ।
ସେ କି ନ ଜାଣଇ ଗୀତର ରାଗ ରାଗିଣୀ ।
କୋମଳକରି ଗାବନ୍ତି ଗୀତ ନାନାରସେ ।
ବେଢ଼ି ଲୋକମାନେ ତାହା ଶୁଣନ୍ତି ହରଷେ ।
ଶ୍ରୀରାମର ମହିମା ଯେ ଜାନ‌କୀର ବିଭା ।
ପରଶୁରାମ ଜିଣିବା ବନ‌ବାସ ଯିବା ।
ଜାନ‌କୀ ହରାଇ ବନେ ବାଳି-ପ୍ରାଣ-ବଧ ।
ସମୁଦ୍ରେ ବନ୍ଧ ବାନ୍ଧି ଛେଦିଲେ ଦଶକନ୍ଧ ।
ଶେଷ ବାଲମୀକମୁନି ଯୋଡ଼ିଲା କ‌ହ‌ନ୍ତି ।
ପଦେ ପଦେ ଶ୍ରୀରାମ-ଚରିତ ବଖାଣନ୍ତି ।
ଶୁଣିଣ ଲୋକମାନେ ଯେ ହୋଇଲେ ଉସ‌ତ ।
ବୋଇଲେ ଅପୂର୍ବ ଅଟଇ ଏ ନୂଆ ଗୀତ ।
ଜନ୍ମ ହୋଇ ରଘୁନାଥ ଯିସ ଯିସ କଲେ ।
ଭବିଷ୍ୟତ ଗ୍ରନ୍ଥ ଏହା ବାଲମୀକି ରଚିଲେ ।