ପୁଣି ଏ ବମଭୂମି ଦେଶ । ଆଦିତ୍ୟ ନ କରଇ ଗ୍ରାସ ।
ସ୍ୱଭାବେ କୁସୁମିତ ବନେ । ଚିତ୍ର ମୟୂର ପକ୍ଷୀ-ସ୍ୱନେ ।
କୋକିଳ ସାରସ ନିକର । ଭ୍ରମରଧ୍ୱନି ମନୋହର ।
(7)
ଯଦୁକୁଳପ୍ରତି ବ୍ରହ୍ମ-ଶାପ (Sk. XI, Ch. II)
ନମଇଁ ନୃସିଂହ-ଚରଣ । ଅନାଦି ପରମ-କାରଣ ।
ଲୀଳାବିଧୃତ କଳେବର । ଦେବ ମାନବେ ଅଗୋଚର ।
ମାୟା ସଂସାରେ ଯାର ଲୀଳା । ଯା ନାମ ଭବଜଳେ ଭେଳା ।
କରୁଣାକଟାକ୍ଷ ପ୍ରକାଶେ । ଭକତଜନ-ଦୁଃଖ ନାଶେ ।
ସେ ହରିଚରିତ ପ୍ରକାଶେ । ଶ୍ରୀଭାଗବତ ଏକାଦଶେ ।
ଏ ଭାଗବତ ଧର୍ମକଥା । ହେଳେ ଖଣ୍ତଇ ଭବବ୍ୟଥା ।
ନାରଦ ବସୁଦେବ ବାଣୀ । ନିମିରାଜନ ନବ ମୁନି ।
ଉଦ୍ଧବ-ନିସ୍ତାରଣ ବାଣୀ । ଯାହା କହିଲେ ଚକ୍ରପାଣି ।
ସେ କଥା ପ୍ରାକୃତେ ପ୍ରକାଶ । ଆରମ୍ଭେ ଜଗନ୍ନାଥ ଦାସ ।
ବ୍ୟାସନନ୍ଦନ-ମୁଖୁଁ ଶୁଣି । ନିର୍ମଳ ଭାଗବତ-ବାଣୀ ।
ସାଧୁସଙ୍ଗମେ ଗଙ୍ଗାତୀରେ । ଶୁକଚରଣ ଧରି କରେ ।
ଆନନ୍ଦେ କରି ଅଶ୍ରୁପାତ । ବୋଇଲେ ଅଭିମନ୍ୟୁସୁତ ।
ଭୋ ମୁନି ନମେ ତୋ ପୟରେ । ମୋତେ ଉଦ୍ଧର ଏ ସଂସାରେ ।
କହ ଶ୍ରୀକୃଷ୍ଣ-ଗୁଣମାନ । ପୁଣ କି କଲେ ଭଗବାନ ।
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ।
ଦେବଙ୍କ ବ୍ୟାକୁଳେ ମୁରାରି । ଅଂଶେ ମନୁଷ୍ୟଦେହ ଧରି ।
ଦୁର୍ଜନ ଦୁଷ୍ଟଗଣ ମାରି । ଅବନୀଭାରା ହେଳେ ଧରି ।
ଲାବଣ୍ୟରୂପେ ଜନମୋହି । ପ୍ରାଣିନୟନେ ସୁଖ ଦେଇ ।
ସେ ରୂପ କରି ଅନ୍ତର୍ଦ୍ଧାନ । ହରିଲେ ପ୍ରାଣୀଙ୍କର ମନ ।
କୃଷ୍ଣ କୋମଳ ମୃଦୁବାଣୀ । ଯେ ଅବା କର୍ଣ୍ଣେ ଥିଲେ ଶୁଣି ।
ତେଣେ ତାହାଙ୍କ ଚିତ୍ତ ହରି । ଅନ୍ତର ହୋଇଲେ ମୁରାରି ।
କୃଷ୍ଣର ପାଦପଦ୍ମ ଚିହ୍ନ । ସୁନ୍ଦର ମନ୍ଥର ଗମନ ।
ଯେ ଅବା ଦେଖିଥିଲେ ଜନ । ସେ ପାଦପଦ୍ମେ ଦେଇ ମନ ।
ସେ ରୂପେ ତାଙ୍କ ମନ ହରି । ନିଜଭୁବନେ ବିଜେ କରି ।
କୁରୁ-ପାଣ୍ତବ ମଧ୍ୟେ ହରି । ମାୟା କନ୍ଦଳେ ଭେଦ କରି ।
କପଟପାଶା ବନବାସ । ଆକର୍ଷି ଦୌପଦୀର କେଶ ।