ଅନ୍ନ-ଭୋଜନେ ପ୍ରତିଗ୍ରାସ । କ୍ଷୁଧା ପିପାସା ହୁଏ ନାଶ ।
ସନ୍ତୋଷେ ତୁଷ୍ଟି ପୁଷ୍ଟି ଲଭେ । ନିଦ୍ରା ଆନନ୍ଦ ସୁଖ ଲଭେ ।
କୃଷ୍ଣ ଭଜନ ଏହିମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ।
ଜନ୍ମଇ ବିଷୟବୈରାଗ୍ୟ । ମାୟାଜଡ଼ିତ ସୁଖ ତ୍ୟାଗ ।
ଅଜ୍ଞାନ ହରେ ଦିବ୍ୟଜ୍ଞାନେ । ଏ ଅନୁଭବ ଅଭ୍ୟାସନେ ।
ଆନନ୍ଦ-ରସ ପାଇ ନିତି । ଚିତ୍ତେ ପ୍ରବେଶ ହୁଏ ଶାନ୍ତି ।
ଶାନ୍ତି ଭଜଇ ସୁଖଭରେ । ତୃତୀୟତାପରୁ ନିସ୍ତରେ ।
ଏମନ୍ତ କବିର ବଚନ । ଶୁଣି ବିଦେହ ତୋଷମନ ।
ସୁଖ ସଂକଳ୍ପେ କୃତକୃତ୍ୟ । କହଇ ବିପ୍ର ଜଗନ୍ନାଥ ।
(10)
Sk. XI, Ch. III. (Same subject continued)
ରାଜୋବାଚ
ଏମନ୍ତେ ବିଦେହ-ରାଜନ । ମନେ ବିଚାରି ତତ୍ତ୍ୱଜ୍ଞାନ ।
ଆନନ୍ଦେ ଶିରେ କର ଦେଇ । ବୋଲନ୍ତି ନିସ୍ତରିଲି ମୁହିଁ ।
ତୁମ୍ଭେ ନିର୍ମଳ ମୁନିଗଣ । କହ ହେ ଭକତଲକ୍ଷଣ ।
କିରୂପେ ଭ୍ରମନ୍ତି ଜଗତେ । କୃଷ୍ଣଭଜନ ଅନୁମତେ ।
କିବା କହନ୍ତି ବାକ୍ୟସାର । କି ଧର୍ମ କରନ୍ତି ଆଚାର।
ତାହାଙ୍କୁ ଜାଣିମା କେମନ୍ତେ । କହ ସୁଦୟା ଯେବେ ମୋତେ ।
ହବି ବୋଲନ୍ତି ତାହା ଶୁଣି । ଶୁଣ ବିଦେହ-ନୃପମଣି ।
କୃଷ୍ଣ-ଭଜନ ଏ ସଂସାରେ । ପ୍ରଚରେ ତ୍ରିବିଧି ପ୍ରକାରେ ।
ଉତ୍ତମ ମଧ୍ୟମ ପ୍ରାକୃତ । ଯାହାର ଲକ୍ଷଣ ଯେମନ୍ତ ।
ତାହା କହିବା ଶୁଣ ଏବେ । ରାଜନ ପଚାରିଲୁ ଯେବେ ।
ସକଳ ଦେହେ ନାରାୟଣ । ବସନ୍ତି ଅନାଦି-କାରଣ ।
ସେ ନାରାୟଣ ଦେହେ ଯେତେ । ବସନ୍ତି ଭାବ ଅନୁମତେ ।
ଏ ଭାବେ ଦୃଢ଼ ଯାର ମନ । ସେ ପ୍ରାଣୀ ଭକତ ଉତ୍ତମ ।
ଜନ୍ମ-ମରଣେ ଯାର ମନ । ନ ମଣେ କ୍ରିୟା-ଅଭିମାନ ।
ସ୍ୱଜାତି, କୁଳ, ଧର୍ମ, ବର୍ଣ୍ଣ । ଏ ଅହଙ୍କାରେ ନୋହେ ଛନ୍ନ ।
ଉତ୍ତମ ଲକ୍ଷଣ ତା ଜାଣି । ଭକତମଧ୍ୟେ ପରିମାଣି ।
ଯାହାର ସୁତ, ବିତ୍ତ; ଦେହେ । ପରମ ଆତ୍ମ୍ୟ ବୁଦ୍ଧି ହୁଏ ।