ପୃଷ୍ଠା:Typical selections from Oriya literature.pdf/୨୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୯
ଓଡ଼ିଆ ସାହିତ୍ୟ-ପରିଚୟ

ଆଧାର ଆଦିଶକ୍ତି ଧ୍ୟାନେ । ପୂଜିବ ନିଶ୍ଚଳ ଆସନେ ।
ହୃଦୟ-ପଦ୍ମ-ଅଧିଷ୍ଠାନେ । ପୁଷ୍ପେ ପୂଜିବ ମନ୍ତ୍ରଧ୍ୟାନେ ।
ଧର୍ମାଦି ଚତୁର ଚରଣେ । ପାର୍ଶ୍ୱେ ଆଚାର୍ଯ୍ୟ ପରମାଣେ ।
ମଧ୍ୟେ କମଳଦଳ ଯେତେ । କର୍ଣ୍ଣିକା କେଶର ସ‌ହିତେ ।
ସ୍ୱମନ୍ତ୍ରେ ରବି ସୋମାନଳ । ପୂଜିବ ତୃତୀୟ ମଣ୍ତଳ ।
ସ‌ତ୍ୟାଦି ଗୁଣେ ନ୍ୟାସ କରି । ମଧ୍ୟେ ପୂଜିବ ଆତ୍ମାଚାରୀ ।
ଚତୁର ତ‌ତ୍ତ୍ୱ ଶକ୍ତି ନ‌ବ । ପୂର୍ବାଦି ଧ୍ୟାନେ ତା ପୂଜିବ ।
କେଶର-ମୂଳେ ମନ୍ତ୍ର ସ୍ମରି । ଧ୍ୟାନେ ପୂଜିବ ମୁଦ୍ରା ଧରି ।
ପ୍ରତିମା ଦେହେ ନିଜଅଙ୍ଗେ । ନ୍ୟାସ କରିବ ମନ୍ତ୍ରଭାଗେ ।
ହୃଦରେ ମନ୍ତ୍ରନ୍ୟାସ କରି । ଧ୍ୟାନେ ପୂଜିବ ନରହରି ।
ଅର୍ଘ୍ୟ-ଚନ୍ଦନ-ପୁଷ୍ପଶୁଦ୍ଧି । ଆସନ-ଆଗମନ-ବିଧି ।
ଧୂପ-ଦୀପାଦି-ବିଧିମାନ । ଭୋଜନ ଦ୍ରବ୍ୟ ସମର୍ପଣ ।
ଅଙ୍ଗ ଉପାଙ୍ଗ ଆଦି ଯେତେ । ପୂଜିବ ପାରିଷଦ ମତେ ।
ବସ୍ତ୍ର ଭୁଷଣ ଆଦି ଯେତେ । ମନ୍ତ୍ରେ ପୂଜିବ ଶୁଦ୍ଧଚିତ୍ତେ ।
ଏମନ୍ତେ ପୂଜି ନରହରି । ପ୍ରଣାମ ଦଣ୍ତବତ କରି ।
କୃଷ୍ଣଙ୍କୁ ନମି ପୁଣ ପଛେ । ଈଶ୍ୱର ନ‌ମିବ ପ୍ରତ୍ୟକ୍ଷେ ।
ଧ୍ୟାନେ କୃଷ୍ଣଙ୍କୁ ଶିରେ ଧରି । ମନ୍ତ୍ର ହୃଦୟପଦ୍ମେ ଭରି ।
ଏମନ୍ତେ ନିତ୍ୟ ପୂଜାକରି । ଦୃଢ଼େ ଭକ‌ତି ହୃଦେ ଧରି ।
ପ୍ରତିମା ନ ପାଇବ ଯେବେ । ଶୁଣ କ‌ହିବା ପୂଜାଭାବେ ।
ସୂର୍ଯ୍ୟେ ଅନଳେ କିବା ଜଳେ । ଅଥବା ହୃଦୟ-କମଳେ ।
ଯେବେ ନ ପାରେ ଏତେ ମତ । ଗୃହେ ଯେ ଅତିଥି ଆଗତ ।
ତାହାଙ୍କୁ ବିଷ୍ଣୁଭାବେ ମଣି । ପୂଜିବ ଦେଇ ଅନ୍ନପାଣି ।
ଏମନ୍ତେ ବିଷ୍ଣୁ-ପୂଜା କରି । ଏ ଭବଜଳୁଁ ଯାନ୍ତି ତରି ।
ସୁଖ ପ୍ରସନ୍ନ ନିରବଧି । ହେଳେ ଲଭନ୍ତି ସର୍ବ ସିଦ୍ଧି ।
ଏ ଭାବେ ଈଶ୍ୱରର ବାଣୀ । ଏହା ଯେ ଏକାଦଶେ ଶୁଣି ।
କୃଷ୍ଣେ କ‌ରନ୍ତି ଦୃଢ଼ ଚିତ୍ତ । ନୁହ‌ନ୍ତି ମାୟାପାଶେ ଗ୍ରସ୍ତ ।
ଖଣ୍ତଇ ଭବଭୟ ତ୍ରାସ । କ‌ହଇ ଜଗନ୍ନାଥ ଦାସ ।
ନିର୍ମ୍ମଳ ଭାଗବତ-ବାଣୀ । ଶୁଣି ତରିବେ ଭବୁଁ ପ୍ରାଣୀ ।

ଇତି ଶ୍ରୀମଦ୍ଭାଗବତେ ମହାପୂରାଣେ ଏକାଦଶସ୍କନ୍ଧେ କର୍ମ୍ମ‌ଯୋଗକ‌ଥନେ ପୂଜାବିଧିବର୍ଣ୍ଣନଂ ନାମ ଚତିର୍ଥୋଧ୍ୟାୟଃ ।