ପୃଷ୍ଠା:Typical selections from Oriya literature.pdf/୨୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୮
ଓଡ଼ିଆ ସାହିତ୍ୟ-ପରିଚୟ

ଭେଦ କରନ୍ତି ବେଦପ‌ଥେ । ପାଷଣ୍ତଗୁରୁ-ବାକ୍ୟମତେ ।
ନିନ୍ଦନ୍ତି ବେଦବାକ୍ୟ ନିତ୍ୟେ । ପାଷଣ୍ତ-ବାଦ ଅନୁମତେ ।
ଉଭୟ ଲୋକ ତାର ନାହିଁ । ନିରାଶେ ଥାନ୍ତି ଦୁଃଖ ସ‌ହି ।
ବିକର୍ମ ମତ ଏ ବିଚାର । ଏବେ ହୋ ଶୁଣ ନୃପବର ।
ଯେ କର୍ମ କ‌ହେ ବେଦମତେ । ଆନନ୍ଦେ ତାହା ଧରି ଚିତ୍ତେ ।
କର୍ମେ ସମ୍ପାଦି କର୍ମ୍ମଫଳ । ଯେ ଭାବେ ହୃଦୟ ନିର୍ମ୍ମଳ ।
ସେ ଫଳ କୃଷ୍ଣପାଦେ ଦେଇ । ଚିତ୍ତେ ଯେ ଭକ୍ତିଭାବ ବ‌ହି ।
ତାହାଙ୍କୁ ବୋଳି ମହାମତି । ଦୁର୍ଲ୍ଲଭ ମୁକ୍ତି ସେ ଲଭନ୍ତି ।
ଏମନ୍ତ ଇଶ୍ୱରର ବାଣୀ । ବ୍ରହ୍ମ‌ବଚନେ ପରମାଣି ।
ବେଦ ଧରନ୍ତି ଶ୍ରୁତିଫଳ । ଏ ଆଦି ଧର୍ମ ବୃକ୍ଷମୂଳ ।
ଏଣୁ ଏ ବେଦମାର୍ଗେ ତରି । ଏକାନ୍ତେ ବିଷ୍ଣୁ ଆଶ୍ରେ କରି ।
ଗୁରୁବଚନ ପରମାଣେ । ବିଷ୍ଣୁ-ଭକ‌ତି -ତୀକ୍ଷ୍ଣବାଣେ ।
ଏଣୁ ଏ ମାୟାଜାଲ ଛେଦି । ଚିତ୍ତୁଁ ସଂଶୟ-ଗ୍ରନ୍ଥ ଭେଦି ।
ନିର୍ଭୟେ ସଂସାରେ ଭ୍ରମନ୍ତି । ସେବିଷ୍ଣୁ ମାୟାରୁ ତରନ୍ତି ।
ଏବେ ହୋ ଶୁଣ ନରନାଥ । ଭକ୍ତିଲକ୍ଷଣ ପରମାର୍ଥ ।
ଗୁରୁବଚନ ଧରି ଶିରେ । ଈଶ୍ୱରରୂପ ଅନୁସାରେ ।
ପ୍ରତିମା କରି ନାନାମତେ । ଯେ ବିଧିବିଧାନ-ଉକ‌ତେ ।
ଦାରୁ ପାଷାଣ ଧାତୁମୟେ । ଲେଖ ଲେପନ ଯେତେ ହୁଏ ।
ଏ ଆଦି ଯେତେ ଅନୁମାନେ । ଆଗମ-ନିଗମ-ବଚନେ ।
ଯେ ରୂପ ଦେଖି ରହେ ମନ । ଭାବେ ଭଜନ୍ତି ସାଧୁଜନ ।
ଏମନ୍ତେ ପ୍ରତିମା କରାଇ । ଉତ୍ତମ ଶୁଭରାଜ୍ୟେ ଥୋଇ ।
ନିର୍ମଳ ଜଳ-ନ‌ଦୀକୂଳେ । ନିରୁପଦ୍ରବ ଭୂମିସ୍ଥଳେ ।
ନିର୍ମିତ କଳ୍ପିତ ଆସନେ । ବସି ସ୍ଥାପିବ ଶୁଦ୍ଧମନେ ।
ଏ ଆଦି ନିଗମ ବଚନେ । ଯେ ବା ମିଳିବ ବର୍ତ୍ତମାନେ ।
କୁଶ ଚର୍ମାଦି ଆସନରେ । ବସିଣ ନିଶ୍ଚଳ ମନରେ ।
ପ୍ରଥମେ ପବନ ନିରୋଧି । ଯେ ବିଧିମତେ ଭୂତଶୁଦ୍ଧି ।
ପଞ୍ଚାଶବର୍ଣ୍ଣେ ଦେହ ନ୍ୟାସ । ଶ୍ରୀ ଗୁରୁ-ବଚନ-ପ୍ରକାଶ ।
ବାମ ପାରୁଶେ ଗୁରୁ ଥୋଇ । ଦକ୍ଷିଣେ ଆଚାର୍ଯ୍ୟ ବସାଇ ।
ଏ ବେନି କରି ନମସ୍କାର । ଗଙ୍ଗା ଯମୁନା ଗଣେଶ୍ୱର ।
ଏହାଙ୍କୁ ନମସ୍କାର ଅର୍ଥେ । ମନ୍ତ୍ରେ ଅକ୍ଷତ ଦେଇ ହସ୍ତେ ।
କରିବ ଦଶଦିଗ ରକ୍ଷା । ଯେ ଦିଗବନ୍ଦୀ ମନ୍ତ୍ରଦୀକ୍ଷା ।
ପୂଜାର ଉପ‌ହାର ଭାବେ । ଯେବା ମିଳିବ ଯଥାଲାଭେ ।
ପ୍ରଥମେ ଜଳ ଅର୍ଘ୍ୟକରି । ଶଙ୍ଖେ ଅକ୍ଷତ ପୁଷ୍ପ ଭରି ।
ଅଙ୍ଗ ମେଦିନୀ ଦ୍ରବ୍ୟମାନ । ସେ ଜଳେ କରିବ ପ୍ରୋକ୍ଷଣ ।