ପୃଷ୍ଠା:Typical selections from Oriya literature.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୭
ଓଡ଼ିଆ ସାହିତ୍ୟ-ପରିଚୟ

ମନେ ଗୋଚର କରୁ ଯେତେ । ସ‌ତ୍ୟ ନୁହ‌ନ୍ତି ଏ ସମସ୍ତେ ।
ସେ ନାରାୟଣ ପଦ୍ମ‌ପାଦ । ହରଇ ବିଷୟ-ବିଷାଦ ।
ସେ ପାଦ ଯାକୁ ଦୟା କରେ । ଭକ୍ତି ଜନ୍ମଇ ତା ହୃଦରେ ।
ଘୋର କଳୁଷ ଦେହୁ ନାଶେ । ନିର୍ମଳ ହୃଦୟ ପ୍ରକାଶେ ।
ଦର୍ପଣେ ପ୍ରତିବିମ୍ବ ଯେହ୍ନେ । ବ୍ରହ୍ମ ପ୍ରକାଶେ ତାର ମନେ ।
ଏମନ୍ତରୂପ ଭଗବାନ । ତୁ ଏବେ ଶୁଦ୍ଧମନେ ଶୁଣ ।
ଏ କ‌ଥା ସାଧୁ ମୁଖୁ ଶୁଣି । ରାଜା ଯେ ମନେ ପରିମାଣି ।
ନିମି ଯେ ଶୋକ ଗଦଗଦେ । ଆନନ୍ଦେ ନମି ମୁନିପାଦେ ।

ନିମିରୁବାଚ

ବୋଲଇ ଶିରେ ଦେଇ କର । କୋମଳ ବଚନ ଗଭୀର ।
ଭୋ ମୁନି କ‌ହ କର୍ମ୍ମ‌ଯୋଗ । ଯେଣେ ଖଣ୍ତଇ ଭବରୋଗ ।
ଯେ କର୍ମେ ସର୍ବକର୍ମ ନାଶେ । ପରମ‌ବ୍ରହ୍ମ ପରକାଶେ ।
ଜୀବ ନିସ୍ତରେ ଯାହା କରି । ଅନ୍ତେ ଲଭଇ ନରହରି ।
ସେ ଯୋଗ କ‌ହ ମୁନିଗଣେ । ନମଇଁ ତୁମ୍ଭର ଚରଣେ ।
ଏ କ‌ଥା ପିତାଙ୍କୁ ମୁଁ ପୂର୍ବେ । ସ୍ନେହେ ପୁଛିଲି ପୁତ୍ରଭାବେ ।
ସେ ମୋତେ ନ ଦେଲେ ଉତ୍ତର । ଏବେ ସୁଦୟା ତୁମ୍ଭେ କର ।
ଆବିରହୋତ୍ର ତାହା ଶୁଣି । ବୋଲଇ ଶୁଣ ନୃପମଣି ।

ଆବିର୍ହୋତ୍ର ଉବାଚ

ଯେ କର୍ମ ଅକର୍ମ ବିକର୍ମ । ଏ ତିନି କ‌ହ‌ନ୍ତି ନିଗମ ।
ଈଶ୍ୱର-ବାକ୍ୟେ ଚାରି ବେଦ । ବ୍ରହ୍ମା ଶଙ୍କରେ ନୁହେ ଭେଦ ।
ଏଣେ ମୋହିତ ସର୍ବଜନ । ନ ବୁଝି ବେଦର ବଚନ ।
ମରମମୁଖେ ଧର୍ମ କ‌ହେ । ଯେହ୍ନେ ପୁତ୍ରକୁ ବାପ ମାଏ ।
ଔଷଧ କଟୁ ତିକ୍ତ ଆଣି । କ‌ହ‌ନ୍ତି ନାନା ଚାଟୁବାଣୀ ।
ମଧୁର ବସ୍ତୁ ଥୋଇ ତଳେ । ଲୋଭେ ଭୁଞ୍ଜାନ୍ତି ତାକୁ ବଳେ ।
ତେଣୁ ହରଇ ତାର ରୋଗ । ଆନନ୍ଦେ କରେ ସୁଖଭୋଗ ।
ବେଦବଚନ ଏହି ମତେ । ଯାହା କ‌ହ‌ନ୍ତି ଏ ଜଗତେ ।
କ‌ହ‌ନ୍ତି ନାନା ମତେ ବାଣୀ । କର୍ମ୍ମର ଫଳ ପରିମାଣି ।
ଯେ ଫଳ‌ଲୋଭେ କରେ କର୍ମ । କର୍ମେ ତା ହୁଏ ମତିଭ୍ରମ ।
ଏହାକୁ କର୍ମ ବୋଲି ଜାଣ । ଏ ଧର୍ମ ନିଗମ-ପ୍ରମାଣ ।
ଯେ ନ କରଇ ବେଦବାଣୀ । ନାନାପ୍ରକାରେ ଧର୍ମ ଶୁଣି ।
କରନ୍ତି ମୂର୍ଖବାକ୍ୟେ ରତି । ସେ ନର ନରକେ ପଡ଼ନ୍ତି ।
ଏହା ଅକର୍ମ ବୋଲି ଜାଣି । ବିକର୍ମ ଶୁଣ ନୃପମଣି ।