ପୃଷ୍ଠା:Typical selections from Oriya literature.pdf/୨୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୨୯
ଓଡ଼ିଆ ସାହିତ୍ୟ-ପରିଚୟ

ଜୀବର ବଦ୍ଧ ମୋକ୍ଷ ବେନି । ବିଚାର ଯେତେ ଶାସ୍ତ୍ର ଘେନି ।
କେବେହେଁ ନ ପାଇ ତା ଅନ୍ତ । ଏଣୁ ସେ ବୋଲାଇ ଅନନ୍ତ ।
ବସ୍ତୁବିଚାରେ ବଦ୍ଧ ମୋକ୍ଷ । ଜୀବ‌କୁ ନ ଲାଗେ ପ୍ରତ୍ୟକ୍ଷ ।
ଜନ୍ମ ମରଣ ଶୋକ ମୋହ । ସୁଖ ଦୁଃଖ ଆଦି ସଂଶୟ ।
କେବଳ ମାୟା ଭ୍ରମ ଏହି । ଏଣେ ଜୀବର ଭେଦ ନାହିଁ ।
ସ୍ୱପ୍ନେ ଦେଖଇ ପ୍ରାଣୀ ଯାହା । ନିଦ୍ରାବୋଧନେ ସର୍ବ ମାୟା ।
ବିଦ୍ୟା ଅବିଦ୍ୟା ମୋର ଦେହ । ବଦ୍ଧ ମୋକ୍ଷହିଁ ମାୟାମୟ ।
ଏ ଚାରି ମଧ୍ୟେ ମୋର ଅଂଶ । ଜୀବନ ସ୍ୱରୂପେ ପ୍ରକାଶ ।
ଅବିଦ୍ୟାବଳେ ବନ୍ଦୀ ହୋଇ । ହୀନ କୁମତିଭାବେ ଗୃହୀ ।
ତେଣୁ ଭ୍ରମଇ ମାୟାଭ୍ରମେ । କର୍ମେ ଅର୍ଜିତ ପ‌ଥଶ୍ରମେ ।
ଜନ୍ମଇ ମାୟା ଅ‌ହଂକାରେ । ନିଜ ମହିମା ନ ସୁମରେ ।
ସ୍ୱଭାବେ ନିତ୍ୟ ତାର ମୁକ୍ତ । ଯଦ୍ୟପି ଜୀବ ବିଦ୍ୟାଯୁକ୍ତ ।
ନିଜ ସ୍ୱଭାବେ ରହେ ଧୀରେ । ପରମ ଆନନ୍ଦେ ବିହ‌ରେ ।
ଏଣୁ ଏ ବେନି ଅଂଶ ହୁଏ । ବଦ୍ଧ ବିମୁକ୍ତ ଭାବ ବ‌ହେ ।
ଏକଇ ବୃକ୍ଷେ ହଂସ ଦୁଇ । ବସନ୍ତି ପ୍ରିୟଭାବ ବ‌ହି ।
ସ୍ୱଭାବେ ବେନି ଶାଖେ ଥାନ୍ତି । ଏକ ଆରେକ ନ ଦେଖନ୍ତି ।
ସମାନ ଶକ୍ତି ସେ ବହ‌ନ୍ତି । ବଦ୍ଧ ବିମୁକ୍ତ ବେନି ଗତି ।
ସେ ବୃକ୍ଷେ ଯେତେ ଫଳ ଫଳେ । ଏକ ଭୁଞ୍ଜଇ ତାହା ବଳେ ।
ଏକ ବଞ୍ଚଇ ଉପବାସେ । ନିର୍ଲେପ-ନିରଞ୍ଜନ-ଆଶେ ।
ନିତ୍ୟ ଆନନ୍ଦେ ପରିପୂର୍ଣ୍ଣେ । ସକଳ ଦେଖଇ ନୟନେ ।
ନ ଜାଣେ ପୁଣି ନିଜ ପର । ଏଣୁ ନିର୍ମଳ ଜ୍ଞାନ ତାର ।
ଯେ ହଂସ ବୃକ୍ଷଫଳ ଖାଇ । ଲୋଭେ ବନ୍ଧନ ତାର ଦେହୀ ।
ଅଜ୍ଞାନେ ନ ଜାଣଇ କିଛି । ଏମନ୍ତେ ବେନି ଆତ୍ମା ଲକ୍ଷି ।
ଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ । ବିଦ୍ୟା-ଉଦୟେ ଜ୍ଞାନ ବୁଦ୍ଧି ।
ଦେହେ ବସଇ ଯେ ପ୍ରତ୍ୟକ୍ଷେ । ନିତ୍ୟେ ନ ଥିଲା ପ୍ରାୟେ ଇଛେ ।
ସେ ଭାବେ ଥାନ୍ତି ଯେତେପ୍ରାଣୀ । ପଣ୍ତିତେ ବୋଲି ତାଙ୍କୁ ଜାଣି ।
ଦେହ ନ ଥିଲା ଥିଲାପ୍ରାୟେ । ଯେ ମଣେ ସେ ବଞ୍ଚିତକାୟେ ।
ସ୍ୱପ୍ନ-ଜାଗିଲେ ଯେହ୍ନେ ମିଛ । କୁମ‌ତି ମଣେ ତା ପ୍ରତ୍ୟକ୍ଷ ।
ଏଣେ ବିଷୟ ଇନ୍ଦ୍ରିଗଣେ । ଭୁଞ୍ଜନ୍ତି ବିଧି-ବିଚାରଣେ ।
ଜୀବ ସେ ଉଦାସୀନ ରୂପେ । ବସଇ ଏହାଙ୍କ ସମୀପେ ।
ଏଣୁ ପରମ ନାମ ତାର । ନିର୍ଗୁଣ ନିତ୍ୟ ନିରାକାର ।
ଯେ ଭାବେ ଅହଂକାରେ ମିଶେ । ଇନ୍ଦ୍ରି ବିଷୟରସେ ରସେ ।
କୁମତି ଅଦୃଷ୍ଟ-ଅଧୀନ । କର୍ମର ଫଳେ ସେ ବନ୍ଧନ ।
ଏଣୁ ଏ ଗୁଣ କର୍ମମୟେ । ପ୍ରକାଶେ ଦାତ୍ତା ଭୋକ୍ତାପ୍ରାୟେ ।