ପୃଷ୍ଠା:Typical selections from Oriya literature.pdf/୨୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୧
ଓଡ଼ିଆ ସାହିତ୍ୟ-ପରିଚୟ

ଆବର ଗୁଣ ଅଛି ଯେତେ । ଉଦ୍ଧବ ଶୁଣ ଶୁଦ୍ଧଚିତ୍ତେ ।
ଶ୍ରବଣ ସ୍ମରଣ କୀର୍ତ୍ତନ । ଯେ ମୋର ଧର୍ମ-ଆଚରଣ ।
ତାହା ସମର୍ପି ମୋର ପାଦେ । ସଂସାରୁ ତର ଅପ୍ରମାଦେ ।
ଏରୂପ ଉପାସନା କର । ନିଶ୍ଚେଁ ଲଭିବୁ ମୋ ଶରୀର ।
ସାଧୁଙ୍କ ସଙ୍ଗ କର ନିତି । ଲଭିବୁ ନିର୍ମ୍ମଳ ଭକ‌ତି ।
ଭ‌କ‌ତି କରି ଶୁଦ୍ଧ ଚିତ୍ତେ । ଜ୍ଞାନ ଲ‌ଭିବୁ ତୁ ସାକ୍ଷାତେ ।

(17)
ଭକ୍ତି-ସାଧନା (Sk. XI, Ch. XV)
ଉଦ୍ଧବ ଉବାଚ

ଭକ୍ତି-ଲକ୍ଷଣ ଶୁଣି କର୍ଣ୍ଣେ । ଉଦ୍ଧବ କ‌ହେ ତୋଷମନେ ।
ଭୋ ନାଥ କମଳ‌ଲୋଚନ । ଶୁଣି ମୁଁ ତୋହର ବଚନ ।
ସଂଶୟ କରି ହୃଦଗତେ । ଏବେ ମୁଁ ପଚାରଇ ତୋତେ ।
ଭକ୍ତିଲକ୍ଷଣ ଧର୍ମ ଯେତେ । ତୁମ୍ଭେ କ‌ହିଲ ସର୍ବ ମୋତେ ।
କେତେ ପ୍ରକାରେ ତାକୁ ସାଧି । ଭକ୍ତି-ଲକ୍ଷଣ ନାନାବିଧି ।
ଜଗତେ ବିପ୍ରେ ଛନ୍ତି ଯେତେ । ମୋକ୍ଷ-ଲକ୍ଷଣ ବେଦମତେ ।
ନାନାପ୍ରକାରେ ସେ କ‌ହ‌ନ୍ତି । ଏଣୁ ଲାଗଇ ମୋତେ ଭ୍ରାନ୍ତି ।
ମୋକ୍ଷ-ଲକ୍ଷଣ ଧର୍ମ ଏକ । କି ଅବା ଅଛଇ ଅନେକ ।
କି ଅବା ସକଳ ପ୍ରମାଣ । ସଂଶୟ ଛେଦ ନାରାୟଣ ।
ଏ ସର୍ବ ତୁମ୍ଭର ଗୋଚର । ଭକ‌ତ ବିନୁ ନାହିଁ ସାର ।
ତୁମ୍ଭେ ଯେ ସର୍ବ କ‌ହ ମୋତେ । ଚିତ୍ତେ ମୁଁ ଧରିବି କେମନ୍ତେ ।
ବୋଇଲ ସର୍ବ ଧର୍ମ ତେଜ । ନିରତେ ମୋର ପାଦ ଭଜ ।
ଏହିଟି ସର୍ବ ମୁଖ୍ୟ ଧର୍ମ । ଏଣେ ଭ୍ରମଇ ଭବଭ୍ରମ ।
ତୁମ୍ଭର ବଚନେ ଅଧିକେ । ଲୋକେ କ‌ହ‌ନ୍ତି ଏକେ ଏକେ ।
ନାନାପ୍ରକାରେ ସେ କ‌ହ‌ନ୍ତି । ବେଦ ପୁରାଣ ଭାବେ ଚିନ୍ତି ।
ଏକାନ୍ତ ଭକ‌ତଲକ୍ଷଣ । ସ‌ତ୍ୟ ବା ସକଳ ପ୍ରମାଣ ।
ଏଣୁ ସଂଶୟ ମୋର ଚିତ୍ତେ । ନିଶ୍ଚୟ କ‌ହ ନାଥ ମୋତେ ।

ଶ୍ରୀ ଭଗବାନୁବାଚ

ଏମନ୍ତ ଭକ୍ତ-ବାକ୍ୟ ଶୁଣି । ହସି କ‌ହ‌ନ୍ତି ଚକ୍ରପାଣି ।
ଉଦ୍ଧବ ଏକମନେ ଶୁଣ । ଯେ ଆଦି ପରମ କାରଣ ।
ବେଦ-ବଚନ ସୃଷ୍ଟି-ଅନ୍ତେ । ପ୍ରଳୟେ ନାଶିଲା ଜଗତେ ।
ପୁଣି ସଂସାର ଆଦି କାଳେ । ମୁହିଁ ବ୍ରହ୍ମାଙ୍କୁ ଯୋଗବ‌ଳେ ।