ସଖି ମନରେ ବିରସ ନୁହ । ଦଣ୍ତେ ମାତ୍ର ଦୁଃଖ ସହି ରହ ।
ତୁମ୍ଭେତ ଜଗତ-ଜନଙ୍କର ମାତ, କିପାଁ ମନରେ କରୁଛ କୋହ ଗୋ । ସୁନ୍ଦରି ।
ଶେଷେ ସହଦେବ ମନ୍ତ୍ରୀବାଣୀ । ବାମା ଏରୂପେ ନିଷ୍ଠୁର ଶୁଣି ।
ଅନାଥା ତରୂଣୀ, ପ୍ରାୟ ହୋଇ ପୁଣି, ବେନି ନୟନୁ ବୁହାଇ ପାଣି ସେ । ସୁନ୍ଦରି ।
ସତୀ ଚିନ୍ତାସାଗରେ ବୁଡ଼ିଲା । ଶରୀରରୁ ଜ୍ଞାନ ହାରିଗଲା ।
ଚନ୍ଦ୍ରମା ବଦନ, ହୋଇଲା ମଳିନ, ଭୀମା ଦୀନ ଏ ରସେ ଭଣିଲା ହେ ସୁଜନେ ।
ରାଗ-କାଳୀ
ମୁନି କହନ୍ତି ଶୁଣ ନୃପତି କହିବା ଦିବ୍ୟରସ ।
ହେଠବଦନ ପବନାନନ ବସିଛି ଭ୍ରାତ ପାଶ ।
ମନେ ବିରସ ଖରନିଶ୍ୱାସ ନଖେ ଚିରଇ ଗାର ।
ବେନି ନୟନୁ ଲୋତନ ଖସି ପଡ଼ୁଛି ଝର ଝର ।
କପୋଳେ କର ଦେଇଣ ବୀର ହୃଦରେ ଗରୁଚିନ୍ତା ।
ସନ୍ତାପଜଳେ ବୁଡିଲା ଢାଳେ ଦେଖି ଦ୍ରୌପଦୀ-ବ୍ୟଥା ।
ଦ୍ରୌପଦୀ ବୋଲେ ଭୀମକୁ ଚାହିଁ ପବନ ସୁତ ଦେଖ ।
ତୋପରା ବୀର ଥାଉଁ ମୋହର ହେଉଛି ଏଡ଼େ ଦୁଃଖ ।
ଏ ଦୁଃଶାସନ ପାମର ହୀନ ଧଇଲା ମୋର କେଶ ।
ତୁ ନେତ୍ର ଘେନି ଦେଖୁ ପାବନି ନ ପାଉ ମନେ ରୋଷ ।
ବାଉନ ଭାର ଗଦା ତୋହର ନାହୁଁକି କରେ ଘେନି ।
ସିଂହ ଘରଣୀ ଶୃଗାଳ ଆଣି କରୁଛି ହୀନମାନୀ ।
ଭୀମ ବୋଲଇ ଶୁଣ ରେ ସହି ମୋହର କେଉଁ ଦୋଷ ।
ମୋ ବୀରପଣ ପ୍ରତିଜ୍ଞା ଟାଣ ଯୁଧିଷ୍ଠି କଲେ ନାଶ ।
ବାରେ ଅନାଇ ଯେବେ ସେ ଠାରି ଦିଅନ୍ତେ ମୋତେ ଚକ୍ଷୁ ।
ହସ୍ତିନାପୁର କରନ୍ତି ଜୂର ତୋହର ଦେଖୁଁ ଦେଖୁଁ ।
କଦଳିବନ ଯେହ୍ନେ ପବନ-ଘାତେ ପଡ଼ଇ ଲୋଟି ।
ରଥୀ ସାରଥି ଗଜ ପଦାତି କ୍ଷଣକେ ଦ୍ୟନ୍ତି ପିଟି ।
ଏ ସତ ଭାର ଗଦା ମୋହର ବୁଲାଇ ବେନିକର ।
ଏ ଦୁର୍ଯ୍ୟୋଧନ ସହିତେ ସୈନ୍ୟ ପେଷନ୍ତି ଯମପୁର ।
ଦ୍ରୌପଦୀ ବୋଲେ ଆହେ ପାବନି ଧିକ ତୁମ୍ଭର ପ୍ରାଣ ।
ନିର୍ଲ୍ଲଜ ହୋଇ ଜୀଅ କିପାଁଇ ପାଣ୍ତବ ପାଞ୍ଚଜଣ ।
ଲଜ୍ଜା ତୁମ୍ଭର ନାହିଁ ମୁଖର ଜଣେ ରଖିଲ ନାହିଁ ।
ତୁମ୍ଭଙ୍କୁ ଆଶ୍ରେ କରିଣ ମୁହିଁ ଅନାଥ ହୋଇଲଇଁ ।