ପୃଷ୍ଠା:Typical selections from Oriya literature.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪
ଓଡ଼ିଆ ସାହିତ୍ୟ-ପରିଚୟ

କଂସନୃପତି ମଲା କି ଶୁଣିଲୁ ।
ଛତ୍ର ତୋହରି ଆଡ଼କୁ ଆଣିଲୁ ।
ପୁଅ ଗୋପପୁରେ ଷଣ୍ଢ ହୋଇଲା ।
ନାନା ଅନ୍ୟାୟମାନ ପାର କଲା ।
ଶଏବାରେ କହିଲେ ନ ତିଆରୁ ।
ଆଜି ଜାଣିବା କେହୁ ରକ୍ଷାକରୁ ।
ତୋର ପୁଅ ପଦହିଁ ସରିଯିବ ।
ଆମ୍ଭ ଘର ପଛେ ଗୋପେ ନୋହିବ ।
କେତେ ତନୟ ଗୋପପୁରେ ନାହିଁ ।
ଏଡ଼େ ଉଛୁଳି ପୁଅ ଅଛି କାହିଁ ।
ମୋର ପ୍ରଜଳି ଶୁଣି ନନ୍ଦରାଣୀ ।
ଘର ଭିତରୁ ବାହାର ସେକ୍ଷଣି ।
କୃଷ୍ଣ ଧରିଣଛନ୍ତି ବାମକର ।
କାମପାଳହିଁ ଅଛନ୍ତି ସଙ୍ଗର ।
ବେନି ଭାଇ ବେନିପାଶେ ଅଛନ୍ତି ।
ଘରଭିତରୁ ବାହାର ଯୁବତୀ ।
କିଲୋ କିତେଜ କାଢ଼ିଛୁ ଗୁଆଳୀ ।
ତୋତେ କିକଲା ମୋର ବନମାଳୀ ।
ମୋର ବାଳୁତପୁଅଲୋ କହ୍ନାଇ ।
ହସି ଖେଳି ଲୋ ସେତ ନ ଜାଣଇ ।
ଆଜି ଘରୁଲୋ ନୋହିଛି ବାହାର ।
କେଉଁବାଟେ ଲୋ ଗଲା ତୋରପୁର ।
ମୋର ସହିବା ସତପ୍ରାୟେ ମଣୁ ।
ଦୋଷ ଦିଅ ଲୋ କେଉଁ ବଡ଼ପଣୁ ।
ଦେଖି ତୁଣ୍ଡରୁ ନ ଆସେ ବଚନ ।
ମୋତେ ନନ୍ଦରାଣୀ ପଦ ତେସନ ।
ତହୁଁ ଲାଜେ ମୁଁ ବାହୁଡ଼ି ଅଇଲି ।
କୃଷ୍ଣ ବାନ୍ଧବା ଠାବରେ ହୋଇଲି ।
ମୋର ତନୟ ବନ୍ଧା ହୋଇଅଛି ।
ତାହା ଦେଖି ମୋ ନସ୍ଫୁରଇ କିଛି ।
ଫେଡ଼ିଦେଇ କାହାକୁ ନ କହିଲି ।
ଲାଜେ ମୋହ ସୁଖେ ତୁନି ହୋଇଲି ।
ସାନବେଳହୁଁ ମାୟା ଅଗୋଚର ।
ତେଣୁ ଅଟଇ ନାମ ମାୟାଧର ।