ପୃଷ୍ଠା:Typical selections from Oriya literature.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬
ଓଡ଼ିଆ ସାହିତ୍ୟ-ପରିଚୟ

କଟିରେ ପୀତବସନ ପିନ୍ଧିଛନ୍ତି ଟାଣି ।
ତଥିର ଉପରେ ଶୋଭା ରତ୍ନଓଡ଼ିଆଣୀ ॥
ରିପୁବଳ ଅଜାଗେ ଦିଅନ୍ତି ବୋବି ଧାଡି ।
ସେ ଛଳେ ଧଇଲେ ପ୍ରଭୁ ଚକ୍ର-ଗଦା-ବାଡି ॥
ଚଉକତି ବହଇ ଚାତୁରୀ ଚାରିନଦୀ ।
ଆରତଜନଙ୍କ ନାଥ ତତ୍ତ୍ବଜ୍ଞାନ-ନିଧି ॥
କୁସୁମ ଚନ୍ଦନ ବାସ ସୁଗନ୍ଧ ଜାଣିଲେ ।
ବାସୁଦେବ ବାସନା ଏ ପ୍ରକୃତି ମଣିଲେ ॥
ଦେବଙ୍କୁ ଦୁଲ୍ଲଭ ଯେ ମନୁଷ୍ୟେ ଅପ୍ରକାଶ ।
ଜୟ ଜୟ ମାଧବ ତୁ ପରମପୁରୁଷ ॥
ଅନନ୍ତ ପୁରୁଷୋତ୍ତମ ସହସ୍ର ମୂରତି ।
ସହସ୍ର ପୟର ତୋ ସହସ୍ର ନାମ ଖ୍ୟାତି ॥
କଳ୍ପାନ୍ତରେ ପ୍ରଭୁ ତୁହି ହେଉ ଯେ ପ୍ରକାଶ ।
ଦ୍ବାଦଶ ଅଙ୍ଗୁଳି ତୁ ଯେ ବେଦାନ୍ତପୁରୁଷ ॥
ସତ୍ୟ ମୂର୍ତ୍ତି ସାତ୍ବିକ ଯେ ଅଟୁ ତୁ ଗୋସାଇଁ ।
ସର୍ବ ଜୀବମଧ୍ୟେ ତୁ ତୋ ତହୁଁ ଅନ୍ୟ ନାହିଁ ॥
ଅପାର ମହିମା ତୋର ବିଚିତ୍ର ଯେ କେଳି ।
ସୁରଗଣ-ସଖା ତୁ ଅସୁର-କୁଳ-କାଳୀ ॥
ନମୋ ନମୋ ନାରାୟଣ ମଦନଗୋପାଳ ।
ନମୋ ନମୋ ନାରାୟଣ ଅରିକୁଳକାଳ ॥
ନମୋ ନମୋ ନାରାୟଣ ଶ୍ରୀଧର ଶ୍ରୀହରି ।
ନମୋ ନମୋ ବିଷ୍ଣୁନାଥ ଶ୍ରୀରଙ୍ଗ ମୁରାରି ॥
ନମୋ ନମୋ ଭଗବାନ ଜଗତ-ସର୍ଜନ ।
ଅନୁକ୍ଷଣେ ଦାତବ୍ୟ ତୁ ପାପ ପୁଣ୍ୟ ଜ୍ଞାନ ॥
ଭାଇ ଭାରିଯା ତୋହର ଭଗିନୀ ସହିତେ ।
ନିଳଗିରିରେ ବିଜୟ ସର୍ବଜନ-ହିତେ ॥
ବିବିଧ ବିନୋଦେ ତୁହି କରୁ ନାନାରସ ।
ନାନାବିଧିରେ ଭିଆଇ ଯାତ୍ରା ବାରମାସ ॥
ଯେ ତୋହର ଚରଣେ ଶରଣ ପଶେ ଆସି ।
ଉଭୟ ଲୋକରେ ତାର ଶୁଭଫଳ ଦିଶି ॥
ଇହଲୋକେ ଉପଗତ ମଲେ ସ୍ୱର୍ଗବାସୀ ।
ଦେବଙ୍କର ସଭାରେ ସେ ଯୁଗେ ଯୁଗେ ବସି ॥
ତୁ ସେ ନାରାୟଣ ପ୍ରଭୁ ଜଗତର ପତି ।
ଜଗତର ଉଦ୍ଧାରଣ ତୁ ସେ ଦାଶରଥି ॥