ପୃଷ୍ଠା:Typical selections from Oriya literature.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏକକୁ ଆରେକ ସେ ଯେ ପୁଛନ୍ତି କୁଶଳ ।
ସୃଷ୍ଟିକରତା ଯେ ଧାତା ଅଟେ ଆଦିମୂଳ ॥
ଇଶ୍ବର ବୋଇଲେ ତୁମ୍ଭେ ଶୁଣ ପିତାମହ ।
ବଳହୀନ ଦୁର୍ବଳ ହୋଇଲା ମୋର ଦେହ ॥
ପାର୍ବତୀ ବିକଳ ଯେ ହୁଅନ୍ତି ତାହା ଦେଖି ।
କେବଣ କାରଣରୁ ଏ କହି ଅଷ୍ଟଆକ୍ଷି !॥
ବ୍ରହ୍ମା ବୋଇଲେ ହର ଏ କଥା ତୋର ଜାଣି ।
ତୋହର ହିତରେ ମୁଁ ଅଇଲି ଶୂଳପାଣି ! ॥
ଧର୍ମକୁ ନଜାଣି ତୁ ଅଧର୍ମ ମାର୍ଗେ ଗଲୁ ।
ଦକ୍ଷ ମହାଯଜ୍ଞ ଅନିମିତ୍ତେ ତୁ ଭାଞ୍ଜିଲୁ ॥
ଜାଣୁ ଜାଣୁ କଲୁ ତୋର ଶରୀର ଅସୁସ୍ଥ ।
ଧର୍ମ ଆଚରଣ କେଭେ ନ ବିଚାରୁ ଚିତ୍ତ ॥
ଦେବେ ହବିର୍ଭାଗ ଯେ ପାଆନ୍ତି ସ୍ବର୍ଗେଥାଇ ।
ତୁ ଯେ ପାପ ପୁଣ୍ୟକୁ ନ ଚିହ୍ନୁ ଉମାସାଇଁ ! ॥
ମହାପାପ ଅର୍ଜିଲୁ ତାମସ-ଭାବ ବହି ।
ତେଣୁକରି ଦୁର୍ବଳ ତୋ ଦେହେଁ ତେଜନାହିଁ ॥
ଜପଯଜ୍ଞ ତୀର୍ଥବାସ ଅଟେ ପୁଣ୍ୟ କର୍ମ ।
ଏହା ଝିଙ୍ଗାସିଲେ ପାପ ଅଟଇ ଅଧର୍ମ ॥
ଅହନ୍ତା ବିଚାରି ଧର୍ମକୁ ଯେ ନ ଚାହିଁଲୁ ।
ତେଡ଼େବଡ଼ ମହାଯଜ୍ଞ ହେଳେ ନାଶ କଲୁ ॥
ପଡ଼ିଲା ତୋତେ ସେ ମହା ପାପର ଯେ ଭୋଗ ।
ଶରୀର ଅସୁସ୍ଥ ସାଧି ନ ପାରିବୁ ଯୋଗ ॥
ଏବେ ସଦାଶିବ ତୁ ମୋହର ବୋଲ କର ।
ତାରକବ୍ରହ୍ମନାମ ତୁ ଜପି ପାପ ହର ॥
ରାମ ନାମ ଜପିଲେ ଯେ ଛାଡିଯିବ ପାପ ।
ବିଶ୍ବାମିତ୍ରମୁନି-ରୁଷି-ଛନ୍ଦ-ଅନୁଷ୍ଟୁପ ॥
ସାଧନା କର ହେ ଶିବ ରାମନାମ ପଦ ।
ଦୁର୍ବଳତା ନାଶ ଯିବ ସୁବଳ ଆନନ୍ଦ ॥
ହୋଇବ ପ୍ରାପତ ତୋତେ ସକଳ ପଦାର୍ଥ ।
ସର୍ବ କ୍ଲେଶ ନାଶ ଯିବ ହୋଇବ ସାମର୍ଥ୍ୟ ॥
ଏତେ ବୋଲି ବ୍ରହ୍ମା ମୁଖେ ସାମବେଦ ଘୋଷି ।
ରୁଦ୍ରଙ୍କୁହିଁ ରାମପଦ କହିଲେ ବିଶେଷି ॥
କୃତାଞ୍ଜଳି ହୋଇ ରହିଲେ ସେ ସଦାଶିବ ।
ବ୍ରହ୍ମାଙ୍କର କଲ୍ୟାଣରେ ଦେହ ସୁସ୍ଥ ହେବ ॥