ପୃଷ୍ଠା:Typical selections from Oriya literature.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅନେକ ସ୍ତୁତି ଯେ କଲେ ତାଙ୍କୁ ଶୂଳପାଣି ।
ମୋତେତ ସୁଦୟା କଲ ପିତାମହ ଜାଣି ॥
ଯେଉଁ ଉପଦେଶ ଦେଲ ଶ୍ରୀରାମର ବାଣୀ ।
ଆତ୍ମା ମୋର ପରିବୋଧ ହେଲା ତାହା ଶୁଣି ॥
ଆଜହୁଁ ଶ୍ରୀରାମ-ନାମ ହୋଇଲା ମୋ ବ୍ରତ ।
ତୋହର ପ୍ରସନ୍ନେ ମନ୍ତ୍ର ହେଉ ପରାପତ ॥
ଏଥୁଅନନ୍ତରେ ସ୍ବର୍ଗେ ଗଲେ କୁଶପାଣି ।
ସର୍ବଦା ଘୋଷନ୍ତି ସଦାଶିବ ରାମବାଣୀ ॥
ପ୍ରଭାତରୁ ନିତ୍ୟକର୍ମ ସାରନ୍ତି ଶଙ୍କର ।
ଜପନ୍ତି ସେ ରାମନାମ ଏ ବେନି ଅକ୍ଷର ॥
ଦିନକୁ ଦିନ ହୋଇଲା ଦେହ ବଡ଼ ସୁସ୍ଥ ।
ମନରେ ବଡ଼ ଆନନ୍ଦ ହେଲେ ଶୂଳହସ୍ତ ॥
କ୍ଷଣେହେଁ ସେ ନ ଛାଡ଼ନ୍ତି ଶ୍ରୀରାମର ନାମ ।
ଦୃଢ଼ କରି ଜପନ୍ତି ସେ ହୃଦେ ଅନୁପମ ॥
ଏମନ୍ତେ କେତେହେଁ ଦିନ ତହିଁ ବହିଗଲା ।
ଦିନୁ ଦିନୁ ଦେହ ଅତି ସୁନ୍ଦର ଦିଶିଲା ॥
ରୂପକୁ ଦେଖି ପାର୍ବତୀ ହର୍ଷ କଲେ ମତି ।
ଯୁବା ପ୍ରାୟେ ଦିଶନ୍ତିତ ଏବେ ପଶୁପତି ॥
ଦିନେ ସଦାଶିବ ମନ୍ତ୍ର ଜପିବାର ବେଳେ ।
ପାର୍ବତୀ ମିଳିଲେ ଯାଇଁ ଶିବ-ପାଦତଳେ ॥
ଭୋ ଦେବ ଇଶ୍ବର ! କହି କେଉଁ ମନ୍ତ୍ର ଜପୁ ।
ମୋତେ କିପାଁ ମାୟା ତୁମ୍ଭେ କଲ ସିଦ୍ଧବପୁ ॥
ମୁଁ ତୁମ୍ଭ ଚରଣେ ସଦା ଶରଣ ଯେ ଦାସୀ ।
କର ଅନୁଗ୍ରହ ମୋତେ କପିଳାସବାସୀ ॥
ଏମନ୍ତ କହି ନମନ୍ତି ଦେବୀ ପୁଣି ପୁଣି ।
ହସିଣ କହନ୍ତି ସଦାଶିବ ପ୍ରିୟବାଣୀ ॥
ଉଠ ଉଠ ସଖି ଆରେ ମୋର ପ୍ରାଣ ସରି ।
ଆପଣେ ଶ୍ରୀଭୁଜେ ତୋଳି ବସାଇଲେ ଧରି ॥
ଜାନୁରେ ବସାଇ ପୁଣି କହନ୍ତି କପାଳି ।
ତାରକମନ୍ତ୍ରରାଜ ଏ ଅଟେ ମହାବଳୀ ॥
ଶୁଣ ଶଶିମୁଖି ! ଆଗୋ କହଇ ମୁଁ ତୋତେ ।
ପିତାମହ ଉପଦେଶ ଦେଇଗଲେ ମୋତେ ॥
ବିଷ୍ଣୁର ସହସ୍ର ନାମ ମଧ୍ୟରେ ଯେ ସାର ।
ଏହୁ ମନ୍ତ୍ର ଯେଉଁ ନର କରନ୍ତି ଉଚାର ॥