ପୃଷ୍ଠା:Typical selections from Oriya literature.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯେତେକ ଫଳ ଏଥିରେ ହୁଏ ସୁମରନ୍ତେ ।
ଏହାହୁଁ ଅଧିକ ରାମନାମ ସୁମରନ୍ତେ ॥
ଏ ଯେ ମନ୍ତ୍ରରାଜ ସର୍ବମନ୍ତ୍ର ମଧ୍ୟେ ସାର ।
ନିତ୍ୟରେ ସ୍ମରଣ କଲେ ଖଣ୍ଡେ ପାପଭାର ॥
ଏହି ରାମନାମକୁଟି ସୁମରନ୍ତି ମୁନି ।
ଏହା ସ୍ମରଣ କରି ବୋଲାନ୍ତି ବ୍ରହ୍ମଜ୍ଞାନୀ ॥
ରାମନାମ ସୁମରିଣ ଜଗତର ପିତା ।
ରାମନାମ ଧରିଣ ସେ ଜଗତକରତା ॥
ରାମନାମ ସୁମରଣା କରି ଦେବୀ ଶ୍ରିୟା ।
ନାରାୟଣ ଦେବତାର ହୋଇଛନ୍ତି ପ୍ରିୟ ॥
ତାରକ ବ୍ରହ୍ମଜ୍ଞାନୀ ଯେ ଯାହା ସେହି ଭଣି ।
ସେ ମହାମନ୍ତ୍ରକୁ ତୁମ୍ଭେ ଶୁଣ ରୂପମଣି ॥
ମୁହିଁ ତାହା ଜପଇ ଯେ ପରଂଜ୍ଞାନ ତତ୍ତୁ ।
ତେଣୁ ଶରୀରକୁ ନ ବାଧଇ ଅପମୃତ୍ୟୁ ॥
ପାର୍ବତୀ କହିଲେ ତୁମ୍ଭେ କହିଲ ହେ ଯାହା ।
ନାରାୟଣ ସ୍ବାମୀ ଯେ ସକଳ ଦେବସାହା ॥
କେବଣ ଅବତାରେ ସେ ରାମନାମ ବହି ।
କିସ ଅର୍ଥେ ଅବତାର ମର୍ତ୍ତେ ଆସି ହୋଇ ॥
ଅରୂପ ଅବର୍ଣ୍ଣ ସେ ଅପୂର୍ବ ନାମ ଯାର ।
ମର୍ତ୍ତ୍ୟଲୋକେ କିପାଇଁ ସେ ହେଲେ ଅବତାର ॥
ଏ କଥା ବିସ୍ତାରି ମୋତେ କହ ପ୍ରାଣନାଥ ! ।
ଶୁଣିବି ଶ୍ରୀରାମ-କୀର୍ତ୍ତି ହୋଇବି ମୁକତ ॥
ବୋଇଲେ ପାର୍ବତୀ ବିଶ୍ବନାଥ ମୁଖ ଚାହିଁ ।
ଶ୍ରୀରାମର ପୁରାଣ ତୁ ଶୁଣ ପ୍ରାଣସହି ॥
ବ୍ରହ୍ମାଙ୍କ ପଞ୍ଚମ ବେଦୁଁ ପୁରୁଷେକ ଜାତ ।
ନାମ ତାହାଙ୍କର ଧାତା ଦେଲା ଯେ କଳତ ॥
ତାହାଙ୍କ ବୀର୍ଯ୍ୟୁଁ ଜାତ ବିଶ୍ରବା ନାମେ ରୁଷି ।
ଦଶାନନ ନାମେଣ ଯେ ତାହାଙ୍କର ଶିଷି ॥
ସୁମାଳୀର ଝିଅ ନଇକେଷୀ ତହୁଁ ଜାତ ।
ମାତାଗୁଣ ଘେନି ସେହୁ ହୋଇଲା ଦଇତ ॥
ବ୍ରହ୍ମାଙ୍କର ତପବଳେ ସାଧିଲା ତ୍ରିଲୋକ ।
ସୁରମୁନିମାନଙ୍କୁ ସେ ଦେଲା ବଡ଼ଦୁଃଖ ॥
ଜ୍ୟେଷ୍ଠଭାଇ ବଇମାତ୍ର ଅଟଇ କୁବେର ।
ତାହାଙ୍କୁ ସେ ଲଙ୍କାପୁରୁ କଲାକ ବାହାର ॥