ପୃଷ୍ଠା:Typical selections from Oriya literature.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୮
ଓଡ଼ିଆ ସାହିତ୍ୟ-ପରିଚୟ

ବିଭାଣ୍ତକ ନ ଥିବାର ବେଳ ଜାଣି ଯିବା ।
ମୁନି ଅଭିଶାପ ଦେଲେ ଅଳପେ ମରିବା ।
ଏଥୁ ଅନନ୍ତରେ ତ‌ହିଁ ଗଲା ଦିନ ଚାରି ।
ବିଭାଣ୍ତକ ନ ଥିବାର ଜାଣିଲେ ଚତୁରୀ ।
କାମମୋହିନୀକ ପୁଣି ରାଇଣ ଜରତା ।
ସଙ୍ଗତରେ ଘେନିଗଲା ସେ ବାରବନିତା ।
ଅନେକ ତିଆରିଣ ସେ କନ୍ୟାଙ୍କୁ କ‌ହଇ ।
ଯେ ଯାହାର ବେଶ ତୁମ୍ଭେ ପିନ୍ଧଲୋ ବୋଲଇ ।
ତପସ୍ୟାକୁ ଯାଇଛନ୍ତି ବିଭାଣ୍ତକ ମୁନି ।
ସନ୍ଧ୍ୟାସମୟରେ ପୁଣି ଆସିବେ ସୁଜ୍ଞାନୀ ।
ଏତେକ ବିଚାରି କାମମୋହିନୀ ସୁନ୍ଦରୀ ।
ଝିନ ବସ୍ତ୍ର ପିନ୍ଧାଇଣ ଅଳଙ୍କାର ଭରି ।
ଅଳତା ପୟରେ ଯେ ନୂପୁର ରତ୍ନମୟେ ।
ଅଙ୍ଗୁଷ୍ଠିରେ ମୁଦ୍ରିକା ଅତିହିଁ ଶୋଭା ପାଏ ।
ପାଟେକ ପିନ୍ଧିଲେ ତ‌ହିଁ ନେତ ଆଭରଣ ।
ପାଦରେ ନୂପୁର ଯେ ବାଜଇ ରୁଣଝୁଣ ।
ନୟନେ କଜ୍ୱଳ ଯେ କପୋଳେ ଚାରୁଚିତା ।
ତାମ୍ବୁଳ ଭୁଞ୍ଜିଣ ସେ ଅଧର କଲା ଲତା ।
ବିବିଧ ବେଶରେ ସଜ ହୋଇଲା ଯୁବତୀ ।
ବାରବନିତା ସର୍ବେ ଅପୂର୍ବ ରୂପକାନ୍ତି ।
ସ୍ୱଭାବେ ସେ ବେଶ୍ୟାନାରୀ ରାଜାର ପୌରଷ ।
ତାହାଙ୍କୁହିଁ ପଟାନ୍ତର ଦେବା ଆଉ କିସ ।
ପୂର୍ବରେ ସେ ଜରତ୍କୁଶା ସ୍ୱର୍ଗର ଅପ୍ସରୀ ।
ବ୍ରହ୍ମାର ଉପାୟେ ସେ ମଞ୍ଚରେ ଅବତରି ।
ନାନା ଅଳଙ୍କାରମାନ ପିନ୍ଧିଲେ ଯୁବତୀ ।
ତାଳ ବଇଁଶୀ ମୃଦଙ୍ଗ କଂସାଳ ବଜାନ୍ତି ।
ନୃତ୍ୟ ଗୀତ ରସ ବିଦ୍ୟା ସଙ୍ଗୀତ ଅଭ୍ୟାସ ।
ସୁସ୍ୱର ବଇଁଶୀଧ୍ୱନି ବେଣୁ ବୀଣା ଘୋଷ ।

(3)
ଋଷ୍ୟଶୃଙ୍ଗ ଓ ଦଶରଥଙ୍କ ଭେଟ


ଯତୀ ପଚାରନ୍ତି ତୁମ୍ଭେ ପରା ଦଶରଥ ।
ପ୍ରଜାମାନ ପାଳ ଟିକି ପୁତ୍ରର ସଙ୍ଗତ ।