ବୈଦେହୀଶ ବିଳାସ/ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ସପ୍ତମ ଛାନ୍ଦ: ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ

ସପ୍ତମ ଛାନ୍ଦ: ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ

(ରାଗ-ପଟ୍ଟମହଞ୍ଜରୀ)
ବିଡୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ।
ବେନିଭ୍ରାତା ମୁନି ସଙ୍ଗେ ଦେଖେ ସିଦ୍ଧବନ।୧।
ବୃକ୍ଷତତି ତପିପନ୍ତି ତହିଁ ଏକାକୃତି।
ବଳ୍କଳ ପିଧାନ କରି ଜଟା ଧରିଛନ୍ତି।୨।
ବେଦି ସାର ମୂଳ ସଦା ସୁମନା ଫଳଦ।
ବାସ ବୃତ ପୂର୍ଣ୍ଣଚୟ ଅତି ସ୍ଥିର ହୃଦ୍ୟ।୩।
ବନାଧାର ପ୍ରାୟେ ଲତାତଳ ମନୋହର।
ବିଶ୍ରମିଛନ୍ତି କମଳ ହଂସ ତାପ ଦୂର।୪।
ବିଘଟିତ ଘନ ପୁଷ୍ପ ଭ୍ରମରେ ସହିତ।
ବିନୋଦି ଜନମାନଙ୍କୁ ହରୁଅଛି ଚିତ୍ତ।୫।
ବନର କେଉଁ ପ୍ରଦେଶ ଅଦିତି ପ୍ରକାର।
ବତ୍ସକ ଅନୁଭାବରେ ଶିଖା ଶୋଭାକର।୬।
ବରୁଣ ଦେବବଲ୍ଲଭ ଉଦୟ କରିଛି।
ବହୁ ସୁମନା ସନ୍ତୋଷକର ହୋଇଅଛି।୭।
ବନର କେଉଁ ପ୍ରଦେଶ ଦିତି ଛବି ଧରି।
ବିଜନିତ ଦୈତ୍ୟ ଗଣ-ରୂପ ଅଛି ଧରି।୮।
ବିସ୍ତାରିଛି ପବନଲୀଳାକୁ ନିରନ୍ତର।
ବିଶେଷତ ମୁନି ନଗରେ ସେ ମନୋହର।୯।
ବନର କେଉଁ ପ୍ରଦେଶ ରଞ୍ଜନେ ରଞ୍ଜନ।
ବିନତା ପ୍ରାୟେ ଅରୁଣ ସୁପର୍ଣ୍ଣ ସୁମନ।୧୦।
ବନର କେଉଁ ପ୍ରଦେଶ କଦ୍ରୁ ଛବି ବହି।
ବିହୃଷ୍ଟହର ହୋଇଅଛି ନାଗଈଶ୍ୱରହିଁଁ।୧୧।
ବନ କେଉଁ ପ୍ରଦେଶ ସଙ୍ଗୀତର ଶାଳା।
ବ୍ୟୋମଲାସିକା ନର୍ତ୍ତନେ ହୋଇଅଛି ମେଳା।୧୨।
ବିରଳ ଗନ୍ଧର୍ବଗାନେ ଖ୍ୟାତ ସାତସ୍ୱର।
ବିତାଳ ହୋଇଣ ରାଗ ଜାତ ମନୋହର।୧୩।
ବସନ୍ତ ବାସ କରିଛି କେଦାରହିଁ ମେଳ।
ବିଚଳିତ ଯହିଁରେ ସଦା ସୁମରଦଳ।୧୪।
ବର୍ଣ୍ଣୁଥିଲେ ସରିବାର ନୁହେଁ ଏ ଚରିତ।
ବିଶ୍ରାମ କଲେ କୌଶିକମଠେ ରଘୁ ସୁତ।୧୫।
ବାନପ୍ରସ୍ଥ ଗୃହିମାନେ ତ୍ୱରିତେ ମିଳିଲେ।
ବ୍ରହ୍ମଚାରୀ ଦଣ୍ଡୀ ଆସି ଆଶିଷ ବିହିଲେ।୧୬।
ବୋଧି ବିବିଧ ଅଶନେ ମନ ତାହାଙ୍କର।
ବସିଲେ ରାତ୍ରରେ ଚନ୍ଦ୍ରକରେ ଅଙ୍ଗଣର।୧୭।
ବିଗତ ଭୟ ହୋଇଣ ରାକ୍ଷସଙ୍କ ହେତୁ।
ବୋଇଲେ ରଘୁନନ୍ଦନ ଆରମ୍ଭ ହେ କ୍ରତୁ।୧୮।
ବଚ ପ୍ରକାଶରୁ ଋଷି ଆନନ୍ଦ ହୋଇଲେ।
ବିବିଧ ବିଧି ସମିଧେ ଯଜ୍ଞ ଆରମ୍ଭିଲେ।୧୯।
ବୀତିହୋତ୍ର ପ୍ରିୟା ନାଦ ଶ୍ରବଣେ ଅସ୍ରପେ।
ବ୍ୟଗ୍ରବନ୍ତେ ପରବେଶ ହୋଇଲେ ସମୀପେ।୨୦।
ବରାୟୁଧ ଧୃତ କ୍ରୋଧେ ପ୍ରଜ୍ଜ୍ୱଳିତ ମୂର୍ତ୍ତି।
ବିଶ୍ୱକେତୁ ନାମ ପୁନଃ ପୁନଃ ବୋଲୁଛନ୍ତି।୨୧।
ବ୍ୟାଘ୍ରଗନ୍ଧ ଆଘ୍ରାଣେ ଗୋ ପରି ପଳାଇତ।
ବୋଲି ବେନିଅର୍ଥେ ରକ୍ଷ ରକ୍ଷ ଋଷିପ୍ରାତ।୨୨।
ବାଣ ଧନୁ ଦୃଢେ ଧରି ଶ୍ରୀରାମ ଲକ୍ଷ୍ମଣ।
ବୀରୁଁ ଅନ୍ତରୁ ବାହାର ଏ ରବ ଶ୍ରବଣ।୨୩।
ବୋଲି ଏକାନ୍ତ ସ୍ଥଳର ନାମ ପୁନଃ ପୁନଃ।
ବାହିନୀ ଦୁହିଁଙ୍କି ଘେନି ତୃଣର ସମାନ।୨୪।
ବାତାସ୍ତ୍ରେ ମାରୀଚ ଲକ୍ଷେ ଯୋଜନେ ପକାଇ।
ବିଭାବସୁ ଅସ୍ତ୍ରେ ଦେଲେ ସୁବାହୁ ଜଳାଇ।୨୫।
ବିଚ୍ଛେଦିଲେ ଲକ୍ଷ୍ମଣ ସମସ୍ତ ସୈନ୍ୟ-କରୀ।
ବଂଶଭାବୁଁ ତାକୁ ସେ କୁଠାରପାଣି ପରି।୨୬।
ବହୁତକାଳୁଁ ଅପୂଜା ପୃଥ୍ୱୀଦେବୀ ଥିଲେ।
ବିହି ରଙ୍ଗ ଶୋଣିତେ କି ମନ୍ଦାର ପୂଜିଲେ।୨୭।
ବାଷ୍ପ ଖଷା ଖସାଇଲା ନେତ୍ରୁଁ ଚିନ୍ତାକୁଳେ।
ବିଷ୍ଟି ହେଲା ଆଜୁଁ ମୋ ପୁତ୍ରଙ୍କ ଅନୁକୂଳେ।୨୮।
ବସାଇଲେ ଅଧଃସ୍ୱର୍ଗେ ହଟରେ ତ୍ରିଶଙ୍କୁ।
ବାହୁଡି ସେ ଆରମ୍ଭିଲେ ଯଜ୍ଞକୁ ନିଃଶଙ୍କୁ।୨୯।
ବାସବାଦି ଦେବେ ହବି ଭୁଞ୍ଜି ତୋଷ ହେଲେ।
ବାହୁଡୁଁ ପୁରକୁ ରାମଭଦ୍ର ପଚାରିଲେ।୩୦।
ବିପୁଳ କାମ୍ୟକ ବନେ ଥରେ ଭ୍ରମିଯିବା।
ବୋଲି ବାହାରିଲେ ମୁନି ଘେନି ବେନି ଯୁବା।୩୧।
ବାଟେ ସେ ବନରେ ପଡିଥିଲା ଦିବ୍ୟଶିଳା।
ବିଶୋଉଁ ରାମଚରଣ ଲାଗି ସେ ଅବଳା।୩୨।
ବିସ୍ମୟ ହୋଇ ଅନାଇଁ ଭାବି ରଘୁପତି।
ବନୀତାର ବନିତାର ପ୍ରଭା ଏକାକୃତି।୩୩।
ବନପ୍ରିୟ ତୋଷଦାନୀ ରମଣୀ ଏ ଲୋକେ।
ବନପ୍ରିୟ ତୋଷଦାନୀ ରମଣୀଏ ଲୋକେ।୩୪।
ବିରାଜି ବର-କନକ-କଦମ୍ବ ରୁଚିରେ।
ବି-ରାଜିବର କନକ କଦମ୍ବ ରୁଚିରେ।୩୫।
ବାସରେ ଆଚ୍ଛନ୍ନ ଶୋଭା ତୁଙ୍ଗ ପୟୋଧରେ।
ବାସରେ ଆଚ୍ଛନ୍ନ ଶୋଭା ତୁଙ୍ଗ ପୟୋଧରେ।୩୬।
ବେଣୀ କେଶରେ ରଞ୍ଜନ ସିନ୍ଦୂର ଚିତାରେ।
ବେଣୀ କେଶରେ ରଞ୍ଜନ ସିନ୍ଦୂର ଚିତାରେ।୩୭।
ବଳା, ମଲ୍ଲିକଢି, ଫୁଲ ମଣ୍ଡନ ଅତୁଲ।
ବଳା, ମଲ୍ଲିକଢି, ଫୁଲ ମଣ୍ଡନ ଅତୁଲ।୩୮।
ବିଲୋକି ବିଲୋକି ପୁଚ୍ଛା କଲେ ଦାଶରଥି।
ବରାଙ୍ଗନା ହେଲା ଶିଳା କି ବିଷୟ ଏଥି?୩୯।
ବିଶ୍ୱାମିତ୍ର ବୋଲେ ଆହେ ମିତ୍ରବଂଶୀ ଶୁଣ।
ବିଧାତା ଭଗ୍ନ ଉର୍ବଶୀ ସୁନ୍ଦରିମା ଟାଣ।୪୦।
ବିଧାତା ସର୍ବଲାବଣ୍ୟଧାମ କରି କରୁଁ।
ବୃତ୍ରାରି ଭାନୁ ମାଗିଲେ ଦେଖି ଏହା ଚାରୁଁ।୪୧।
ବୁଲି ଧରଣୀ ଯେ ଆଗେ ଆସିବ ଚପଳେ।
ବାମଲୋଚନା ତାହାକୁ ପ୍ରାପତି ବୋଇଲେ।୪୨।
ବଚ ସ୍ଫୁରୁଁ ଭ୍ରମିଗଲେ ଦୁଇ ଦେବୋତ୍ତମ।
ବ୍ୟଜନ ଚାଳନ କରୁଥିଲେ ଗଉତମ।୪୩।
ବୋଇଲେ ତୁମ୍ଭେ ନ ଗଲ କିମ୍ପା ଏ ନିମିତ୍ତେ।
ବ୍ରହ୍ମ ପ୍ରଦକ୍ଷିଣ କରି ସେ କର ଯୋଡନ୍ତେ।୪୪।
ବିଭା କରୁଛନ୍ତି ତାଙ୍କୁ ହୋଇ ପୁରୋହିତ।
ବଡ ଅଭିମାନ ପାଇ ରବି ପୁରୁହୂତ।୪୫
ବ୍ରାହ୍ମଣ ଜାୟା ହେବାରୁ ତପନ ନିବର୍ତ୍ତି।
ବିରହି ସେହି ବିଷୟେ ମହେନ୍ଦ୍ର ପ୍ରବର୍ତ୍ତି।୪୬।
ବଶୀକରଣ ମନ୍ତ୍ରକୁ ସେଦିନୁ ଜପିଲେ।
ବାଞ୍ଛାବଟ ତଳେ ରାମା ସଙ୍ଗ ମନାସିଲେ।୪୭।
ବସନ୍ତ, କୋକିଳ, ଅନଙ୍ଗକୁ ଉଚ୍ଚାଟନେ।
ବରଗିଲେ ଅତି ଯତ୍ନ କରି ଏହି ବନେ।୪୮।
ବାଡବେୟଠାରୁ ପାଲଟାଇ ମନୋହର।
ବକ୍ତ୍ରବିକାରକୁ ମାତ୍ର କରିଣ ଅନ୍ତର।୪୯।
ବିନତି ଏକାନ୍ତେ ଦେଖି ଯେତେ ଭାବେ ହେଲେ।
ବିସମ୍ମତି ସମ୍ମତିକି କିଛି ନ ଜାଣିଲେ।୫୦।
ବରବେଶ ବହି ରସେ ମାନସ ଉଲ୍ଲାସୁଁ।
ବୃଷଦଂଶ ରୂପେ ପଳାୟତ ଋଷି ଆସୁଁ।୫୧।
ବଳପର ବିନୟୀ ଗୌତମ ପଚାରନ୍ତେ।
ବିଗ୍ରହେ ସହସ୍ରଭଗ ବହ ଲିଙ୍ଗ ହତେ।୫୨।
ବୋଲି ରସାଣ ହେମାଙ୍ଗୀ ପାଷାଣ କରାଇ।
ବିଶ୍ୱମ୍ଭରା-ଧର-ରାହେ ବାସ କଲେ ଯାଇ।୫୩।
ବାଜି ତବ ପଦ-ଗତି ଲଭିଲା ସୁଗତି।
ବନ୍ଦିଲା ଶ୍ରୀରାମେ ଶୁଣି ସେ ମୁନି ଭାରତୀ।୫୪।
ବନ୍ଦିତ ପତିରେ ହୋଇ ଉଦିତ ସେନେହୀ।
ବିଶ୍ୱାମିତ୍ର ପୁଣି ହସ ହସ ହୋଇ କହି।୫୫।
ବିଶ୍ୱମୋହୀ-କନ୍ୟା ଏ ଦେଖିଲେ ଯେଡେ ରମ୍ୟ।
ବିଦେହ ଦେଶେ ଧରାରୁ ସୁନ୍ଦରୀଏ ଜନ୍ମ।୫୬।
ବିଜ୍ଞ ବିହି ଥିଲା ଶିଳା ଏହାକୁ କରାଇ।
ବିତର୍କି ଏ ସୀତାର ଚରଣଘଷା ଏହି।୫୭।
ବର ସମେ ସୁଷମେ ଜଗତେ ନାହିଁ ଯେଣୁ।
ବ୍ୟୋମକେଶ ଧନୁଭଗ୍ନ ସ୍ୱୟମ୍ବର ତେଣୁ।୫୮।
ବୀରଧୂ ପ୍ରକାଶ ତବ ହେଉ ଅତିଶୟ।
ବଲ୍ଲଭ ହୁଅ ତା ରକ୍ଷା ଫଳୋଦୟେ।୫୯।
ବିଭାକରବଂଶୀ ବୋଲେ ଅଛି ପରମ୍ପରା।
ବ୍ରହ୍ମାଣ୍ଡ ସାର-ସୁନ୍ଦରୀ ରମ୍ଭା ଅପସରା।୬୦।
ବିଭାତି ଜ୍ୟୋତିରିଙ୍ଗଣ ରାତ୍ରରେ ଦେଖାଇ।
ବିଲୁପ୍ତ ପ୍ରଭାତ ପ୍ରଭା ଯେମନ୍ତ କରଇ।୬୧।
ବୈଦେହୀ ଜାତରୁ ରମ୍ଭା ତଥା କହେ ଋଷି।
ବାଷଠି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭାଷି।୬୨।