ବ୍ୟବହାରକାରୀ:MKar/ବିଚିତ୍ର ରାମାୟଣ

ଉଇକିପାଠାଗାର‌ରୁ
ବିଚିତ୍ର ରାମାୟଣ
ଲେଖକ/କବି: ବିଶ୍ଵନାଥ ଖୁଣ୍ଟିଆ

ବିଚିତ୍ର ରାମାୟଣ କବି ବିଶ୍ଵନାଥ ଖୁଣ୍ଟିଆଙ୍କ ବିରଚିତ ରାମାୟଣ ଆଧାରିତ ଛାନ୍ଦକାବ୍ୟ । ଓଡ଼ିଶାର ରାମଳୀଳା ଗୁଡ଼ିକରେ ଏହାର ଛାନ୍ଦଗୁଡ଼ିକ ବିଶେଷ ଭାବରେ ବ୍ୟବହୃତ । ପ୍ରଥମ ଥର ପାଇଁ ଗୋଟିଏ ଛନ୍ଦରେ ସମ୍ପୂର୍ଣ୍ଣ କାବ୍ୟ ନ ଲେଖି ଏକାଧିକ ଛନ୍ଦରେ କଥାବସ୍ତୁ ପରିବେଷିତ ହୋଇଥିବାରୁ ଏହାକୁ "ବିଚିତ୍ର ରାମାୟଣ" ଭାବେ ନାମିତ କରାଯାଇଛି । କବିଙ୍କ ନାମ ଅନୁସାରେ ଏହା ବିଶି ରାମାୟଣ ଭାବେ ମଧ୍ୟ ସୁପରିଚିତ ।

ପ୍ରେମରେ ଭୟ ମିଶେ ଯହିଁ । ଭୟ ଉହାଡ଼େ ମୁଁ ରହଇ ।
ଏ ପ୍ରେମେ ମୋତେ ନ ଲଭଇ । ଦର୍ପଣ ପିଠି ପ୍ରାୟେ ହୋଇ ।
ଛାଡ଼ ହେ କୃପଣ ପଣ । ପ୍ରେମ-ପୀୟୁଷ ଦିଅ ଦାନ ।
ଏମନ୍ତ କ‌ହୁଁ କ‌ହୁଁ ଭୋଳେ । ସେ ଦିବ୍ୟଜ୍ଞାନ ପାସୋରିଲେ ।
ଏକାନ୍ତ ପ୍ରେମେ ଦେଇ ମନ । ଅଧୈର୍ଯ୍ୱ ଦେବ କନ୍ୟାଗଣ ।
କାନ୍ଦନ୍ତି ସକତ ବଦନେ । ହା କୃଷ୍ଣ ଛାଡ଼ି ଗଲୁ କେଣେ ।
ଦେଖାଅ ପ୍ରସନ୍ନ ବଦନ । ପରମ ଆନନ୍ଦ ସଦନ ।
ଏରୂପେ ନାନା ବାକ୍ୟଭଣି । ଖୋଜିଲେ ନିଗମ-ନନ୍ଦିନୀ ।

 



ବିଚିତ୍ର ରାମାୟଣ
ବିଶ୍ୱନାଥ ଖୁଣ୍ଟିଆ
ଆଦ୍ୟ କାଣ୍ତ
ପ୍ରଥମ ଛାନ୍ଦ
ଗୁଣସାଗର ବାଣୀ
ଶ୍ରୀ ନୀଳଗିରିଶିଖରେ ବିଜେ ହରି ଦ୍ୱାଦଶ ଯାତ୍ରା ବିନୋଦେ ।
ସ୍ନାନ ଶ୍ରୀଗୁଣ୍ତିଚା ଅୟନ ଶ‌ୟନ ପାରଶ୍ୱ ପାଲଟ ମୋଦେ ।
ଦେବଉଥିପନ ଓଢ଼ଣ ମକର ଦୋଳ ଦମନ‌କ ଚୋରୀ ।
ଚନ୍ଦନ ଚମ୍ପକ ଉତ୍ସବ ସ‌ହିତେ ଏ ବିଧି ଲୀଳା ଆଚରି ।
ଦ୍ୱାଦଶ ଯାତ୍ରାରୁ ତିନିଯାତ୍ରା ସାର ଦୋଳ ସ୍ନାନ ଶ୍ରୀଗୁଣ୍ତିଚା ।
ସକଳ ଜୀବର ଅବଲୋକନରେ ପାତକସମୂହ ମୁଞ୍ଚା ।
ଶ୍ରୀ ଜଗନ୍ନାଥ ଚଢ଼ିଣ ନନ୍ଦିଘୋଷ ଗୁଣ୍ତିଚାଘରେ ବିଜୟ ।
ଦେଖି ନାଗ ନର ଗନ୍ଧର୍ବ କିନ୍ନର କରୁଥାନ୍ତି ଜୟ ଜୟ ।
ରତ୍ନ‌କୁଣ୍ତଳ ମୁକୁଟ ବ୍ୟାଘ୍ର‌ନ‌ଖ ବୀରଚୂଳ କଣ୍ଠମାଳ ।
ହୃଦୟ ପୂରି ପଦକ ଘଞ୍ଚାଘଞ୍ଚି ପଦ୍ମମାଳ ପାଦତଳେ ।
ହେମ ଶ୍ରୀପୟରେ ହେମ ଯେ ଭୁଜରେ ଶୋହେ ହେମ ଧନୁର୍ବାଣ ।
ଯେବଣ ଦକ୍ଷିଣମୂର୍ତ୍ତି ଦର୍ଶ‌ନ‌କୁ ଟାକିଥାନ୍ତି ବିଭୀଷଣ ।
ସିଂହଦ୍ୱାରେ ହରି ରଥରୁ ବିଜୟ କରନ୍ତେ କମଳା ଭେଟ ।
ସେହି ସମୟରେ ଜନସମୂହରେ ଫିଟିଲା ମୁଦକବାଟ ।
ଠାକୁର ଠାକୁରାଣୀ ଚନ୍ଦ୍ର ଆଳତୀ ଦୁର୍ବାକ୍ଷତ ବନ୍ଦାପନା ।
ଜୟଧ୍ୱନି ଜଗତରେ ଯେ କରନ୍ତି ହୋଇଣ ଆନନ୍ଦମନା ।

ଜୟ ବିଜୟ ଦ୍ୱାରେ ହରି ବିଜୟ କବାଟ ପଡ଼ିବା ଲୀଳା ।
ଅନେକମତେ ପ୍ରବୋଧିଣ ପ୍ରିୟାଙ୍କୁ କ‌ହିଲେ କମଳଡୋଳା ।
ତଦନ୍ତରେ ହରି ପ୍ରିୟାଭେଟ ସାରି ରତ୍ନସିଂହାସନେ ବିଜେ ।
ଶ୍ରୀ ଦିବ୍ୟସିଂହ ଗଜପତି ଶ୍ରୀ ଜଗନ୍ନାଥ ଶ୍ରୀ ଚରଣେ ଭଜେ ।
ଶୁଣ ହେ ସୁଜନେ ଶ୍ରୀରାମ ଚରିତ୍ର ଶତକୋଟି ଗ୍ରନ୍ଥ ସାର ।
ସୁଧାସାଗରୁ କୁଶଅଗ୍ରେ ଆଣନ୍ତେ ଅଇଲା ସେତେକ ନୀର ।
ବାଲମୀକିମୁନି ରାମାୟଣ କରି କଲେକ ତାହା ରଚନା ।
ଚବିଶସ‌ହସ୍ର ଗ୍ରନ୍ଥ କଲେ ମୁନି ହୋଇଣ ଆନନ୍ଦମନା ।
ସେ ରାମାୟଣ ଶତଭାଗ କରିଣ ଭାଗେ ତ‌ହିଁରୁ ଆଣିଲେ ।
ବିବିଧ ରାଗରେ ଉତ୍କଳଭାଷାରେ ଗୀତ କରିଣ ଗାଇଲେ ।
ହେ ବୁଧଜନେ! ନ ଘେନ ମୋର ଦୋଷ ଶ୍ରୀରାମ ଭ‌କ‌ତି ଘେନ ।
କବିର ଦୋଷକୁ ବିଚାର ନ କର ନମାମି ହେ କବିଜନ ।
ରାମନାମ ମହା ପାତକନାଶନ ଜନ୍ମ ମୃତ୍ୟୁ ବିନାଶନ ।
ତେଣୁ ଏହି ନାମ ଗାୟନ କରନ୍ତି ଚତୁର୍ଦ୍ଦଶ ଲୋକମାନ ।
ଚତୁରଆନନ ଶିବ ସ‌ନ‌କାଦି ଜପୁଛନ୍ତି ଏହି ନାମ ।
ନାମ ଆଶ୍ରେ କଲା ଜ‌ନ‌କୁ ଦେଖିଣ ଦୁରୁଁ ଅପସରେ ଯମ ।
ଏକା ରାମନାମ ବିଷ୍ଣୁ ସସ୍ରନାମ ଫଳ ଅଟଇ ସମାନ ।
ଏଣୁକରି ରାମଚରିତ ବଖାଣ କରିବାକୁ ହେଲା ମନ ।
ଶ୍ରୀରାମଚରଣେ ତରୁଣ ଅରୁଣ କମଳରେ ନିରନ୍ତର ।
ଦୁର୍ବୁଦ୍ଧି ମକରନ୍ଦ ପାନ କରଇ ବିଶିମତି ମଧୁକର ।

ଦ୍ୱିତୀୟ ଛାନ୍ଦ
ରାଗ - ଚକ୍ରକେଳି
ଏକଦିନେ ନାରଦ ମହ‌ଋଷି । ବାଲମୀକି ଆଶ୍ରମେ ହେଲେ ଆସି ।
ତାଙ୍କୁ ଦେଖିଣ ବ‌ହୁ ପୂଜାକଲେ । ମନ ସଂଶୟ ତାଙ୍କୁ ପଚାରିଲେ ।
କେଉଁ ପୁରୁଷ‌‌ଠାରେ ସର୍ବ ଗୁଣ । ଅଛି କାହାଠାରେ ସର୍ବ ଲକ୍ଷଣ ।
ରବି ପ୍ରାୟ ହୋଇବ ତେଜୋବନ୍ତ । ପବନ ପ୍ରାୟ ହେବ ବଳବନ୍ତ ।
ସ‌ତ୍ୟ, ଶାନ୍ତି, ଦୟା, କ୍ଷମାସାଗର । କୃତାନ୍ତକ ପ୍ରାୟ ହୃଦ ନିଷ୍ଠୁର ।
ମହୀ ପ୍ରାୟକ ହୋଇବ ସ‌ହଣି । ଧନବନ୍ତରେ କୁବେରକୁ ଜିଣି ।
ଶତ୍ରୁ ଅଧିକ ହେବ ଧନୁର୍ଦ୍ଧର । ବିଦ୍ୟାରେ ହେବ ବୃହସ୍ପତିବର ।
କ୍ରୋଧେ ହୋଇବ ଅନଳୁଁ ପ୍ରଖର । ଶାନ୍ତିଗୁଣେ ଶରଦଶୀତକର ।
ଧାତା ପ୍ରାୟେକ ହୋଇବ କରତା । ତମୋଗୁଣେ ଶିବଙ୍କୁ ଅଧିକତା ।
ମନମଥ ଜିଣି ହେବ ସୁନ୍ଦର । ସର୍ବଗୁଣରେ ହୋଇବ ଉଦାର ।

କିଛି ନଥିବ ତାର ଅବିଗୁଣ । କେଉଁ ପୁରୁଷ ଅଛି ଏଡ଼େ ଜଣ ।
ଶୁଣି ନାରଦ ବୋଲନ୍ତି ବଚନ । ରାମଚନ୍ଦ୍ର ଦଶରଥ ନନ୍ଦନ ।
ତାଙ୍କଠାରେ ଅଛନ୍ତି ସର୍ବଗୁଣ । ଅବତରିବେ ସ୍ୱୟଂ ନାରାୟଣ ।
ତାଙ୍କ ଚରିତ ଅପାରୁଁ ଅପାର । ତାଙ୍କୁ ଉପାସନା କରି ନିସ୍ତର ।
ସର୍ବ କ‌ହି ନାରଦମୁନି ଗଲେ । ବାଲମୀକି ରାମଙ୍କୁ ଲୟ କଲେ ।
ତାଙ୍କୁ ପ୍ରସନ୍ନ ହେଲେ ଜଗନ୍ନାଥ । ବୋଲେ ବିଶି ପୂରିଲା ମ‌ନୋରଥ ।

ତୃତୀୟ ଛାନ୍ଦ
ସଙ୍ଗମତିଆରି ବାଣୀ
ତମସାନ‌ଦୀ ତଟରେ ଗମନ୍ତେ ମୁନି ।
ସଙ୍ଗତେ ଗୋଡ଼ାଇଅଛନ୍ତି ଶିଷ୍ୟ ବେନି ।
ନିତ୍ୟକର୍ମ ସମସ୍ତେ ନ‌ଦୀରେ ସାରିଲେ ।
ଆଶ୍ରମକୁ ଯିବାକୁ ବାହାର ହୋଇଲେ ।
କ୍ରୌଞ୍ଚ କ୍ରୌଞ୍ଚୀ ବୋଲି ତ‌ହିଁରେ ପକ୍ଷୀବେନି ।
ବ୍ୟାଧ ସେ କ୍ରୌଞ୍ଚପକ୍ଷୀକି ଗଲାକ ଘେନି ।
କ୍ରୌଞ୍ଚୀକାନ୍ତ ଗୁଣ ଗୁଣି ରୋଦନ କଲା ।
ବାଲମୀକି ମୁନି ଶ୍ରବଣକୁ ଶୁଭିଲା ।
ବ୍ୟାଧକୁ ଶାପ ଦିଅନ୍ତେ ହେଲା ଶୋଳକ ।
ଦିଶିଲା ତାହାଙ୍କୁ ପଦ୍ୟ ପାଦ ଅନେକ ।
ମନେ ମନେ ଭାଳି ମୁନି ମଠକୁ ଗଲେ ।
ଆସନ କରିଣ ଧ୍ୟାନ କରି ବସିଲେ ।
ମରାଳ ଚଢ଼ିଣ ପିତାମହ ପ୍ରବେଶ ।
ଦେଖି ବାଲମୀକି ପୂଜା କଲେ ବିଶେଷ ।
ଧାତା ବୋଲନ୍ତେ ସୁନ୍ଦର ରାମଚରିତ ।
ଶ୍ଳୋକ ବନ୍ଧରେ ସ୍ଫୁରିଲା ମୁନିଙ୍କ ଚିତ୍ତ ।
ଏହା ଶୁଣି ଦୀନ ବିଶୀ ବିଚାର କଲେ ।
ଗୀତିବନ୍ଧ କରି ରାମାୟଣ ରଚିଲେ ।

ଚତୁର୍ଥ ଛାନ୍ଦ
ରାଗ - ଗୋପକେଳି
ଶିରୀ ବାଲମୀକ ମହର୍ଷି କ୍ଷଣକ ମଧ୍ୟରେ ରାମ ଚରିତ୍ର ।
ଭବିଷ୍ୟତ କଥା ପବିତ୍ରର ପ୍ରଥା କ‌ହ‌ନ୍ତି ଅତି ପବିତ୍ର ।

ସର‌ଯୁର ନୀର ଅତି ସେ ମଧୁର ପାତଳ ଶୀତଳକର ।
ସୁବାସ ନିର୍ମଳ ଅତ୍ୟନ୍ତ ଗମ୍ଭୀର ବେନିତଟ ମନୋହର ।
କାଦମ୍ବେ କଦମ୍ବକଦମ୍ବେ ମଣ୍ତିତ ଖଣ୍ତିତ ପାତକ ଓଘ ।
କମଳ କୁମଦ ଇନ୍ଦୀବର କୋକନ‌ଦ ଜଳପ୍ରଭା ବେଗ ।
ତ‌ହିଁର ତଟର ଅଯୋଧ୍ୟାନ‌ଗର ଦିଶଇ ଅତି ସୁନ୍ଦର ।
ଉପମା ଦେବାକୁ ତିନିପୁରେ ନାହିଁ କି ଅବା ସ୍ୱର୍ଗସୋଦର ।
ସୁମେଢ଼ ମଣ୍ତପ‌ପୁର ଦିବ୍ୟରୂପ ବିଚିତ୍ର ଅଟ୍ଟାଳୀମାନେ ।
ପ୍ରାଚୀର ପ୍ରାସାଦ ପ୍ରାକାରେ ବିସ୍ତାର କାଙ୍ଗଲାରେ ଦିବ୍ୟଯାନେ ।
କି ଧବଳମୟ ଚନ୍ଦ୍ରମା ଉଦୟ ପ୍ରାୟକ ଦିଶଇ ଶୋଭା ।
ମୁଖ ରାବ ଧ୍ୱନି ଉଛୁଳି ପଡ଼ୁଛି ସିନ୍ଧୁମନ୍ଥନ କି ଅବା ।
ତ‌ହିଁରେ ନିବାସ ଯେ ସ୍ତିରୀ ପୁରୁଷ କାମଦେବ ରତି ପ୍ରାୟ ।
ହରଷ ବଦ‌ଦ ସଦାନନ୍ଦ ମନ ଦେବ ବ୍ରାହ୍ମଣେ ବିନୟ ।
ଦ୍ୱିତୀୟ କୁବେର ପ୍ରାୟ ଧନେଶ୍ୱର ବୀରେଶ୍ୱର ବଇଷ୍ଣବ ।
ଯୁବତୀ ଯେମାନେ ନ ଭଜିଣ ଆନେ ସେବନ୍ତି ଯେ ଯାହା ଧବ ।
ଅଷ୍ଟମୁନିବର ସୁବୁଦ୍ଧିସାଗର ଜଣେ ଜଣେ ବୃହସ୍ପତି ।
ପାରନ୍ତି ସେ ଜିତି ଜାଣନ୍ତି ସେ ନୀତି ଭୁଷିତ ହୋଇଛି କ୍ଷିତି ।
ତ‌ହିଁରେ ରାଜନ ଦ୍ୱିତୀୟ ତପନ କୁଳରେ ଅଟଇ ଜାତ ।
ନୃପତିମାନଙ୍କ ଚୂଡ଼ାମଣି ଏକ ଦଶରଥ ନାମେ ଖ୍ୟାତ ।
ସକଳ ଗୁଣରେ ପୂର୍ଣ୍ଣ ସେ ନିପୁଣ ରଣେ ବୀର ଧ୍ରୁବଜୟୀ ।
ସମରେ ଶମନଭ୍ରାତାକୁ ଜିଣିଣ ତେଣୁଟି ଅତି ନିର୍ଭୟୀ ।
ଅସଂଖ୍ୟ ବଳ ମେଦିନୀ ଟଳ ଟଳ ଜିଣନ୍ତା ନାହିଁ ତାହାଙ୍କୁ ।
ଅନେକ ଅଶ୍ୱ ରଥ ଗଜ ପଦାତି ଜିଣି ସେ ନାହିଁ କାହାକୁ ।
ହରିଙ୍କି ରାଜନ କରନ୍ତି ପୂଜନ ପୁତ୍ର ପ୍ରାପତ ନିମନ୍ତେ ।
ନୃପବର ନବସ‌ହସ୍ର ବରଷ ପୂଜା କଲେ ଏହି ମତେ ।
ପୁତ୍ର ନୋହିଲା ବୋଲିଣ ଏକଦିନେ ରାଜା କଲେ ବ‌ହୁ ଶୋକ ।
ପ୍ରବୋଧ କରିଣ କ‌ହିଲେ ତାହାଙ୍କୁ ସୁମନ୍ତ୍ରମନ୍ତ୍ରୀ ଅନେକ ।
ବୋଲନ୍ତି ସୁମନ୍ତ୍ର ଶୁଣ ନୃପବର ସନତକୁମାର ବାଣୀ ।
ବିଭାଣ୍ତକସୁତଇଷ୍ଟ‌ଯଜ୍ଞ କଲେ ପୁତ୍ର ହେବ ଅଛି ଶୁଣି ।
ଅନେକ କାଳ‌ଯାଏ ଅଙ୍ଗ ଦେଶରେ ଅନାବୃଷ୍ଟି ହୋଇଥିଲା ।
ଲୋମ‌ପାଦେ ରାଜ୍ୟେ ବିଭାଣ୍ତକ ସୁତ ଆସନ୍ତେ ବୃଷ୍ଟି ହୋଇଲା ।
ତେଣୁକରି ତାଙ୍କୁ ଶାୟନ୍ତା କନ୍ୟାକୁ ବିଭା କରାଇଲେ ରାଜା ।
ବୋଲେ ବିଶି ଋଷ୍ୟଶୃନଫ ଏବେ ତାଙ୍କ ପୁରେ ପାଉଛନ୍ତି ପୂଜା ।

ପଞ୍ଚମ ଛାନ୍ଦ
ରାଗ - ମଙ୍ଗଳଗୁଜ୍ଜରୀ
ବୋଲନ୍ତି ରାଜନ ଶୁଣିଥିଲ ଅବା କାହିଁ ।
କେମନ୍ତ ପ୍ରକାରେ ବିଜେ କରାଇଲେ ନେଇ ।
ଶୁଣିଣ ସୁମନ୍ତ୍ର ମନ୍ତ୍ରୀ କ‌ହେ କର ଯୋଡ଼ି ।
ବିଭାଣ୍ତକପୁରେ ଥିଲେ ବେଦ ଶାସ୍ତ୍ର ପଢ଼ି ।
ଲୋମ‌‌ପାଦ ନୃପ ବେଶ୍ୟାମାନଙ୍କୁ ପେଶିଲେ ।
ସେମାନେ ଯାଇଣ ତାଙ୍କ ବନେ ପ୍ରବେଶିଲେ ।
ମଠ ଯଗାଇ ତପକୁ ଗଲେ ବିଭାଣ୍ତକ ।
ତାହା ଜାଣି ବାରନାରୀ ମିଳିଲେ ଅନେକ ।
ଋଷି ପ୍ରାୟ ଜାଣି ଋଷ୍ୟଶୃଙ୍ଗ ପୂଜା କଲେ ।
ତାଙ୍କ ରୂପ ଶୋଭା ଦେଖି ଋଷି ହୃଷ୍ଟ ହେଲେ ।
ପଚାରନ୍ତି କେବଣ ବନରେ ତୁମ୍ଭ ମଠ ।
କରିଅଛ କେବଣ ଶାସ୍ତ୍ରକୁ ତୁମ୍ଭେ ପାଠ ।
ଧନ୍ୟ ଅଟେ ତୁମ୍ଭ ବନ ଧନ୍ୟ ତୁମ୍ଭ ପୁଣ୍ୟ ।
କେବଣ ବୃକ୍ଷର କ୍ଷୀର କରିଛ ଲେପନ ।
କେବଣ ତ‌ରୁକୁସୁମ ହୋଇଛ ଭୂଷଣ ।
କେବଣ ବନୁଁ ଆଣିଛ ଏ ବକଳ ପୁଣ ।
ସେମାନେ ବୋଲନ୍ତି ଆମ୍ଭ ବନରେ ଏମାନ ।
ନାନା ପକ୍ୱଫଳ ଆମ୍ଭେ କରୁଁ ଯେ ଅଶନ ।
ଆମ୍ଭେମାନେ ରତିଶାସ୍ତ୍ର ପଢ଼ିଣ ପଣ୍ତିତ ।
ଅନବରତରେ କରୁଥାଉଁ ନୃତ୍ୟ ଗୀତ ।
ଏତେ ବୋଲି ଭଣ୍ତିଣ ଆଣିଲେ ତପୋଧନ ।
ନଉକା ଉପରେ ବୃକ୍ଷମାନ ସେ ରୋପିଲେ ।
ତ‌ହିଁରେ ବସାଇ ତାଙ୍କୁ ଘେନିଣ ଅଇଲେ ।
ତୁମ୍ଭର ମଇତ୍ର ଲୋମ‌ପାଦ ନୃପବର ।
ତାହାଙ୍କ ଦେଶକୁ ଏବେ ଅନୁକୂଳ କର ।
ଶୁଣି ଆନନ୍ଦ ହୋଇଲେ ଅଯୋଧ୍ୟା ଭୁପାଳ ।
ସାଜିଲେ ସେ ସମଦଣ୍ତ ଚତୁରଙ୍ଗ ବଳ ।
ଅଙ୍ଗଦେଶ କଟକରେ ହୋଇଲେ ପ୍ରବେଶ ।
ପାଛୋଟି ଅଇଲେ ଅଙ୍ଗଦେଶର ନରେଶ ।

ବ‌ହୁ ହୃଷ୍ଟ ହୋଇ ବେନି ମିତ୍ର ଆଲିଙ୍ଗନ ।
ଘେନିଣ ତାହାଙ୍କୁ ଗଲେ ଆପଣା ଭୁବନ ।
ଋଷ୍ୟଶୃଙ୍ଗ ଦେଖି ରାଜା ନମସ୍କାର କଲେ ।
କୁମାରୀକି ଦେଖି ରାଜା ବ‌ହୁହୃଷ୍ଟ ହେଲେ ।
ମିତ୍ରଙ୍କୁ କ‌ହିଲେ ସେ ମନ ବେଦନାମାନ ।
ପୁତ୍ରକାମ ଯଜ୍ଞ ସେ କରିବେ ତପୋଧନ ।
କୁମାରୀ ସ‌ହିତେ ଆମ୍ଭେ ଯିବୁଁ ବେନି ଘେନି ।
ଶୁଣି ରାଜା ସମର୍ପିଲେ ସନ୍ତୋଷରେ ବେନି ।
ଲୋମ‌ପାଦ ଅନେକ ଅନେକ ଦ୍ରବ୍ୟ ଦେଲେ ।
ବ‌ହୁ ଉପ‌ହାର ଦେଇ ମନ ତୋଷ କଲେ ।
କୁମାରୀସ‌ହିତେ ମୁନି ଘେନିଣ ଅଇଲେ ।
ବୋଲେ ବିଶି ପୁତ୍ରକାମ ଯଜ୍ଞ ଆରମ୍ଭିଲେ ।

ଷଷ୍ଠ ଛାନ୍ଦ
ମୁନିବର ବାଣୀ
ଋଷ୍ୟଶୃଙ୍ଗ ଯାଗ କଲେ । ଦେବତା ସନ୍ତୋଷ ହେଲେ ।
ପୂର୍ଣ୍ଣ ଆହୁତିର ଶେଷେ । ଜାତପୁରୁଷେ ।
ଦାହସୁବର୍ଣ୍ଣ ଶରୀର । ପାଉଁଶ ଘେନିଛି କର ।
ମୁନି ଦେଲେ ରାଜାକର । ଘେନିଣ ସେ ନୃପବର ।
କୌଶଲ୍ୟା କୈକେୟୀ ରାଣୀ । ଦେଲେ ସେ ଆଣି ।
ବେନିରାଣୀ ବେନିଭାଗ । ସୁମିତ୍ରାଙ୍କୁ ଅନୁରାଗ ।
କରିଣ ତାହାଙ୍କୁ ଦେଲେ । ଚରୁ ଖାଇଲେ ।
ଉଦେ ନୋହୁଁ ରବିପ୍ରଭା । ଯେହ୍ନେ ପ୍ରାଚୀ ଦିଶେ ଶୋଭା ।
ସେହିରୂପେ ସେ ସୁନ୍ଦର । ରହି ଗର୍ଭର ।
ଗଲା ବେନି ପାଞ୍ଚମାସ । ହେଲା ପ୍ରସବ ଦିବସ ।
ଚଇତ୍ର ଶୁକ୍ଳନବମୀ । ପୁତ୍ର ଜନମି ।
ଯେତେ ସେ ଲକ୍ଷଣମାନ । କ‌ହିଥିଲେ ତପୋଧନ ।
ତ‌ହିଁ କି କୋଟିଏ ଗୁଣେ । ଜାତ ଲକ୍ଷଣୈ ।
ତନୁ ମରକତଶ୍ରେଣୀ । ସକଳ ଦେବ ଅଗ୍ରଣୀ ।
କୌଶଲ୍ୟା ଉଦରୁଁ ଜାତ । ଅଖିଳତାତ ।
କୈକେୟୀ ଉଦରୁଁ ପୁତ୍ର । ଦୁର୍ବାଦଳ ପ୍ରାୟ ଗାତ୍ର ।
ଅବତରିଲେ ନନ୍ଦନ । ତାହାଙ୍କ ସାନ ।

ସୁମିତ୍ରା ଗର୍ଭରୁ ଜାତ । ହୋଇଲେ ସେ ବେନିସୁତ ।
ଶୁଦ୍ଧସୁବର୍ଣ୍ଣ ଶରୀର । ଅତି ମଧୁର ।
ଦେଖି ଦଶରଥ ତୋଷ । ରାଇଲେ ଦ୍ୱିଜ ବିଶେଷ ।
ଅଶ୍ୱ ଗଜ ଗାବ ଦାନ । ଦେଲେ ହିରଣ୍ୟ ।
ହେଲା ହାଟ ତୁଠ ଜୂର । ନେଲେ ସେ ଇତର ନର ।
ଦେବତାମାନଙ୍କୁ ତୋଷ । କରି ସନ୍ତୋଷ ।
କରାଇଲେ ନୃତ୍ୟ ଗୀତ । ଉତ୍ସବ ହେଲା ବ‌ହୁତ ।
ଦୁନ୍ଦୁଭୀ ବାଜେ ସ୍ୱର୍ଗରେ । ହୃଷ୍ଟ ଅମରେ ।
କଲେକ ନାଭି ଛେଦନ । ସୁଗନ୍ଧ କଲେ ଲେପନ ।
ଉଷ୍ଣଜଳରେ ଯେ ସ୍ନାନ । କଲେ ବ‌ହ‌ନ ।
ଶ୍ରୀଅଙ୍ଗ ପୋଛି ବସନ । କରାଇଲେ କ୍ଷୀରପାନ ।
ରତ୍ନ‌ଦୋଳି ପରେ ତୋଳି । ଶୁଆନ୍ତି ବାଳୀ ।
ଯେବଣ ରାମଚରଣ । ସକଳ ଲୋକ ଶରଣ ।
ସେ ପ୍ରଭୁ ଜନମ ଆସି । ଭଣିଲେ ବିଶି ।

ସପ୍ତମ ଛାନ୍ଦ
ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା । ଏକବିଂଶ ଦିବସ ପ୍ରବେଶ ହୋଇଲା ।
ବଶିଷ୍ଠ ଆଦି ସକଳ ବ୍ରାହ୍ମଣ‌ଗଣ । ଦଶରଥ କରାଇଲେ ନାମ କରଣ ।
ରାମନାମ ଜ୍ୟେଷ୍ଠର ଭରତ କନିଷ୍ଠ । ବିଚାରିଣ ନାମ ଦେଲେ ମୁନି ବଶିଷ୍ଠ ।
ସୁଲକ୍ଷଣ ଦେଖି ଲକ୍ଷ୍ମଣ ନାମ ଦେଲେ । ଶତ୍ରୁଘନ ତାଙ୍କ ସାନୁଜକୁ ବୋଇଲେ ।
ଦିନୁ ଦିନୁ ବଢ଼ିଲେ ସେ ଚାରିନନ୍ଦନ । ଦେଖି ଦଶରଥ ରାଜା ଆନନ୍ଦ ମନ ।
ପାଳନ୍ତି ଦୋଳୀରେ ସୁତ ଗାଇଣ ଗୀତ । ବଜାନ୍ତି ଯୁବତୀ ବୀଣା ବାଦ୍ୟ ନିରତ ।
ଗୁଲୁଗୁଚାରେ ଅଧରୁ ବ‌ହଇ ନାଳ । ଝାଳବିନ୍ଦୁ ଗଳିତ ଶ୍ରୀମୁଖମଣ୍ତଳ ।
କମଳଦଳ ଲୋଚନୁ ବ‌ହେ କଲ୍ଲଳ । ଝୁଲିବାରେ ଧ୍ୱନି କରେ ମେଖଳାମାଳ ।
କୁଟିଳ କୁନ୍ତଳମାଳ ମୁକୁତା ଫଳ । ବାଜିଣୀ ନୂପୁର ବାଜେ ଚରଣ ତଳ ।
କଚଟୀ ବାହୁଟୀ ହେମସୂତ୍ରେ ଛନ୍ଦଣୀ । କଟିତଟେ ପୀତାମ୍ବର ସୁମଣିଶ୍ରେଣୀ ।
ଆଣ୍ଠୁଆଇ ଭରା ଦେଇ ପୁଣ ଉଠନ୍ତି । କେତେବେଳେ କାନ୍ଦି ଧରଣୀରେ ପଡ଼ନ୍ତି ।
ଯୁବତୀ ବେଢ଼ି ନ‌ଚାନ୍ତି ବଜାଇ ତାଳି । କରି ଶାବକ ମଣ୍ତି କି କରନ୍ତି କେଳି ।
ଚାରିକୁମରେ ଯେ ଧୂଳି ଖେଳେ ତ‌ତ୍ପର । ଲୀଳାଭାବେ ଆବୋରନ୍ତି ବାଲି ନଅର ।
ପାଞ୍ଚବରଷ ପୂରନ୍ତେ ହୁଏ କୁମର । ଆରୋହଣ କଲେ ଅଶ୍ୱ ଗଜ ନିକର ।
ସୁବେଶେ ବଳିଲା ଚିତ୍ତ ହୋଇଲା ଧୀର । ସମସ୍ତଗୁଣେ ନିପୁଣ ବିରଙ୍କବର ।
ଶୁକ୍ଳପକ୍ଷ ଚନ୍ଦ୍ର ପ୍ରାୟ ବଢ଼ନ୍ତି ରାମ । ଚୂଡ଼ାଦି ବେନି ପାଞ୍ଚ କଲେ ବ୍ରତକର୍ମ ।
ପଢ଼ିଲେ ବେଦ ପୁରାଣ ଶାସ୍ତ୍ରାଆଗମ । ଦଣ୍ତା ଖଣ୍ତା ଧନୁର୍ବିଦ୍ୟା କ୍ଷତ୍ରିୟ ଧର୍ମ ।
ବଶିଷ୍ଠଙ୍କଠାରୁ ଶିକ୍ଷା କଲେ ସକଳ । ତପ୍ତ‌ଋତୁ ରବି ପ୍ରାୟ ତେଜ ପ୍ରବଳ ।

ମୃଗୟା କରିଣ ମୃଗମାନ ମାରନ୍ତି । ଶରଧା କରିଣ ମୃଗପତ୍ନୀ ଧରନ୍ତି ।
ହରନ୍ତି କରିଯୂଥରୁ କରିଶାବକ । ମାରନ୍ତି ଶାର୍ଦ୍ଦୂଳ ଗଣ୍ତା ଜୀବ ଅନେକ ।
ଛୁଆସିଂହ ପ୍ରାୟେ ଗତି ଦିଶେ ଲାବଣ୍ୟ । ସପ୍ତମ ବରଷ ଆସି ହୁଏ ସମ୍ପୂର୍ଣ୍ଣ ।
ନବତନ କିଶୋର ବୟସ ଶ୍ରୀରାମ । ଛବି ଦେଖି ମୂରୁଛିତ ହୁଅଇ କାମ ।
କାମଶାସ୍ତ୍ର ପଠନରେ ବଳିଲା ମନ । ସୁବେଶ ଯୁଗତୀରେ ନିଶ୍ଚଳ ନୟନ ।
ସଙ୍ଗୀତେ ଶରଧାଚିତ୍ତ ଶୁଣନ୍ତି ଗୀତ । ବୋଲେ ବିଶି ମନସିଜ ମନରୁ ଜାତ ।

ସପ୍ତଦଶ ଛାନ୍ଦ
ରାଗ - ଆନନ୍ଦଭୈରବ
ଧନୁ ଧରି ରାମ ହୋଇଲେ ଉଭା । ଲକ୍ଷେ ନୃପତିରେ ଦିଶନ୍ତି ଶୋଭା ।
ବାମଦେବ କୋଦଣ୍ତ । ହୋଇଲା ବେନିଖଣ୍ତ ।
ଧ୍ୱନି କଲା ପ୍ରଚଣ୍ତ । ମୋହେ ସକଳ ପିଣ୍ତ ।
ଲକ୍ଷ୍ମଣ କରେ ଦେଇ ଧନୁଶର । ରାଜସଭାକୁ ବୋଲନ୍ତି ଉତ୍ତର ।
ପାରିଲେ ସକଳେ ଧନୁକୁ ଧର । ଧନୁ ଭାଙ୍ଗ ଯଶ ରଖ ମହୀର ।
ଶୁଣି ରାଜାମାନେ ରାମ ଉତ୍ତର । ଭୂମିକି ଚାହିଁ ନମ୍ର କଲେ ଶିର ।
ବାମକରେ ଧନୁ ଧରିଣ ରାମ । ଚଢ଼ାଇ ଟଙ୍କାରିଲେ ଗୁଣଦାମ ।
ଯେତେ ଲଉଁଥାଇ ଶର ଆସନ । ତେତେ ଲଉଁଥାଇ ମୁକୁଟମାନ ।
ଯେତେବେଳେ ରାମ ଟାଣିଲେ ଗୁଣ । ଟାଣିଲେ କି ନୃପତି ପ୍ରାଣ ।
କର୍ଣ୍ଣସରିକି ଆଣିଲେ ଓଟାରି । ହସ୍ତିକି ଯେହ୍ନେ ଧଇଲା କେଶରୀ ।
ଯେତେବେଳେ ଭଗ୍ନ କଲେ କୋଦଣ୍ତ । ହସ୍ତୀ ଭାଙ୍ଗିଲାକି ଏ ଇକ୍ଷୁଦଣ୍ତ ।
ନୃପତିଙ୍କର ଯେତେ ଆଶା ଥିଲା । ଧନୁ ସଙ୍ଗତେ ସେ ଭଗ୍ନ ହୋଇଲା ।
ଧନୁ ଭାଙ୍ଗି ରାମ ବିଜେ ଆସ୍ଥାନେ । ଦେଖିଣ ବିରଷ ନୃପତିମାନେ ।
କନ୍ୟାକୁ ଆଣି ମୁଦୁସୁଲୀ ଗଲେ । ବୋଲେ ବିଶି ଜନ‌କ ଆଜ୍ଞା ଦେଲେ ।

ସତବିଂଶ ଛାନ୍ଦ
ରାଗ - ମୁଖାରୀ ପ‌ହପଟ
ପର୍ଶୁରାମ-ଧନୁ ରାମ ଧରିବାର ଦେଖି ।
ମ‌ନୋଦୁଃଖେ ମାନଭର ହେଲେ ଚନ୍ଦ୍ରମୁଖୀ ।
ଟେକ ସଖି ଟେକ ଏବେ ଶଶିଜିତ-ମୁଖ ।
ଜିଣିବାକୁ ଆସିଥିଲେ ପର୍ଶୁଧର ଦେଖ ।
ବିମ୍ବାଧରୀ ତୋ-ବିମୁଖ ମୋତେ ବହୁ ଦୁଃଖ ।
ସୁଖ ଦାୟିନି ତୋ ବିନୁଁ ଅଛି କାହିଁ ସୁଖ ।
ପ୍ରଦୀପ ଛୁଆଇଁ କରାଇଛୁ ଯେଉଁ ସତ୍ୟ ।
କରିଥାଅ ସଖି ସେହି କଥା ତୁହି ତ‌ଥ୍ୟ ।

ଶୁଣି ରାମ ରମ୍ୟବାଣୀ ରମଣୀରତନ ।
ଆନନ୍ଦ ହୋଇ ଟେକିଲେ ଚନ୍ଦ୍ରମାବଦନ ।
ହାସ ରସ ପରିହାସେ କଲେ ବ‌ହୁ ଲୀଳା ।
ରସସିନ୍ଧୁରେ ବୁଡିଲେ ରସିକିନୀଶୀଳା ।
ଅଯୋଧ୍ୟା ପ୍ରବେଶ ଦଶରଥ ମହୀପତି ।
ବୋଲେ ବିଶି ରାମକୀର୍ତ୍ତି ଶୁଭ୍ର କଲା କ୍ଷିତି ।

ଅଷ୍ଟବିଂଶ ଛାନ୍ଦ
ବିଚିତ୍ରକାମୋଦୀ
ଜାନ‌କୀ ସଙ୍ଗତେ ବ‌ହୁ ବିନୋଦ । କମଳ ଚୁମ୍ବଇ କି ଷ‌ଟପଦ ।
ରତ୍ନଭୂଷଣ ଅଙ୍ଗେ । ମୃଗୟା କରେ ରଙ୍ଗେ । ଘେନି ଜାନ‌କୀ ସଙ୍ଗେ ।
ଶ୍ରୀରାମ ପ୍ରତିଜ୍ଞା ଶୁଣି ଶ୍ରବଣେ । ଭୟେ କମ୍ପନ୍ତି ବୀର ନୃପଗଣେ ।
ତାଙ୍କ ତେଜ-ତପନ । ଦ‌ହଇ ରିପୁ-ବନ । ଶତଚନ୍ଦ୍ର ସମାନ ।
ରାମଙ୍କ ବିକ୍ରମ ଶୁଣି ରାଜନ । ଆନନ୍ଦ ହେଉଥାନ୍ତି ପ୍ରତିଦିନ ।
ବିଚାର କରେ ନିତି । ରାମ ହେବେ ନୃପତି । ସୁଖେ ପାଳିବେ କ୍ଷିତି ।
ଏମନ୍ତ ବିଚାର ନୃପତିର । ରାମ ଅଭିଷେକ ତ‌ତପର ।
ରାମ-ଚରିତରସ । ବିଶି କଲା ପୀୟୂଷ । ପ୍ରଥମକାଣ୍ତ ଶେଷ ।

ଅଥ ଅଯୋଧ୍ୟାକାଣ୍ତ
ପ୍ରଥମ ଛାନ୍ଦ
ରାଗ - କନଡ଼ା
ଗୁରୁ ଗଉରବ ଜ୍ଞାତି ଯେ ଅମାତ୍ୟ ମନ୍ତ୍ରିମାନଙ୍କୁ ପଚାରିଲେ ।
ରାମ ରାଜ୍ୟକୁ ଯୋଗ୍ୟ କି ହୋଇବେ ।
ଯୁଗେ ଯୁଗେ ରାମ ଯୁବରାଜ ହୋନ୍ତୁ ବୋଲି ସମସ୍ତେ ବୋଇଲେ ହେ ।
ସୁଜନେ, ରାମ ସକ‌ଳ ଗୁଣରେ ନିପୁଣ । ସୂର୍ଯ୍ୟବଂଶ କଞ୍ଜବନ-ଅରୁଣ ।
ରିପୁନୃପ-କରି ନିବାରିବାପାଇଁ ଜାତ ମୃଗେନ୍ଦ୍ର ତରୁଣ ହେ । ଭୋଦେବ ।
ଏମନ୍ତ ଶୁଣି ନୃପତିଚୂଡ଼ାମଣି ମନ୍ତ୍ରିଙ୍କି ଚାହିଁ ଆଜ୍ଞା ଦେଲେ ।
ନ‌ଗ୍ରେ ଉତ୍ସବ କରାଅ ବୋଇଲେ ।
ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ଯୁବରାଜ ହେବାକୁ ଯୋଗ୍ୟ ହୋଇଲେ ହେ ।
ସୁମନ୍ତ୍ର, ଏବେ ଅଭିଷେକ ବିଧି ଭିଆଅ । ଆମ୍ଭ କଟକେ ଘୋଷଣା ଦିଆଅ ।
ନକ୍ଷତ୍ର, ବାର, ଚନ୍ଦ୍ର ଯୋଗ ହୋଇଛି ଶ୍ରୀରାମଚନ୍ଦ୍ରେ ଅଣାଅ ହେ । ସୁମନ୍ତ୍ର ।
ଆଜ୍ଞା ପ୍ରମାଣରେ ନ‌ଗ୍ରରେ ସୁମନ୍ତ୍ର ଉତ୍ସବ ମଣ୍ତଣୀକି କଲେ ।
ଅଭିଷେକର ବିଧି ଭିଆଇଲେ ।

ରାତ୍ର ପାହିଲେ ରାମରାଜା ହୋଇବେ ଏ ଘୋଷଣା ଦିଆଇଲେ ସେ । ସୁମନ୍ତ୍ର ।
ରାମଚନ୍ଦ୍ରଙ୍କୁ ରଥରେ ବସାଇ । ଘେନି ଅଇଲେ ରାଜା ଆଜ୍ଞା ପାଇ ।
ରାମ ନୃପତିଙ୍କି ଦର୍ଶନ କରିଣ ବସିଲେ ଶିରଲମ୍ବାଇ ସେ । ସୁମନ୍ତ୍ର ।
ରାମଙ୍କୁ ଚାହିଁ ଆନନ୍ଦ ହୋଇ ରାଜା ବୋଲନ୍ତି ଆହେ ରାମ ଶୁଣ ।
ତୁମ୍ଭେ ସକଳ ଗୁଣରେ ନିପୁଣ ।
ବିଶେଷେ ଜ୍ୟେଷ୍ଠ ରାଣୀଙ୍କ ଜ୍ୟେଷ୍ଠପୁତ୍ର କୁଳକୁ ଅଟେ କାରଣ ହେ । ଶ୍ରୀରାମ ।
କାଲି ହୋଇବ ତୁମ୍ଭେ ଯୁବରାଜା । ଆଜ ଅଧିବାସରେ ପାଅ ପୂଜା ।
ପୁଷ୍ୟାନକ୍ଷତ୍ରରେ କ‌କଡ଼ାଚନ୍ଦ୍ରମା କ‌ହିଲେ ବଶିଷ୍ଠ ଦ୍ୱିଜା ହେ । ଶ୍ରୀରାମ ।
ଏମନ୍ତ ବାଣୀ ଅନ୍ତଃପୁରେ ଶୁଭିଲା ଶୁଳି ଆଇଲା ଯେ ମନ୍ଥଡ଼ୀ ।
କୈକେୟୀଙ୍କି କ‌ହିଲା କର‌ଯୋଡ଼ି ।
ଶୁଣିଣ ସେ ତାକୁ ଆପଣା କଣ୍ଠରୁ ରତ୍ନମାଳା ଦେଲା କାଢ଼ି ସେ । ସୁନ୍ଦରୀ ।
ଦେଖି ଚକିତ ହୋଇଲା ମନ୍ଥଡ଼ା । ମାଳା ପକାଇ ବୋଲେ ନାହିଁ ଲୋଡ଼ା ।
ନୃପତି ସଉଭାଗୀ ରାଣୀ ବୋଲାଅ ଶୁଣି ନ ପାଅ କି ବ୍ରୀଡ଼ା ଗୋ
ପୁଣିହିଁ ମନ୍ଥଡ଼ୀ ବୋଇଲା ତାହାଙ୍କୁ ବଧାଇ ଦିଅ କାହିଁ ପାଇଁ ।
ତୁମ୍ଭ ପୁତ୍ରତ ରାଜା ହେଲେ ନାହିଁ ।
କଉଶଲ୍ୟା ରାଜ-ମାତା ବୋଲାଇବେ ତୁମ୍ଭର ହର୍ଷ କିପାଁଇ ଗୋ । ସୁନ୍ଦରୀ ।
ଏବେ ଶୟନ କର କ୍ରୋଧପୁର । ରାଜା ଅଇଲେ ମାଗ ବେନିବର ।
ରାମ ବନେ ଯିବେ ଭ୍ରତ ରାଜା ହେବେ ପୂର୍ବକଥା ମନେ କର ଗୋ । ସୁନ୍ଦରୀ ।
ମନ୍ଥଡ଼ି ବାଣୀ କୈକେୟୀରାଣୀ ଶୁଣି କ୍ରୋଧମନ୍ଦିରେ ପ‌ହୁଡ଼ିଲେ ।
ଦୃଢ଼ କରିଣ କବାଟ ପାଡ଼ିଲେ ।
ଗୁରୁକ୍ରୋଧ ବ‌ହି ଧରଣୀରେ ଶୋଇ ଆଭରଣ ଦୂର କଲେ ସେ । ସୁନ୍ଦରୀ ।
ରାଜା ରାମଙ୍କୁ ଦେଇଣ ମେଲାଣି । ନିଜ ସଦନେ ପ୍ରବେଶ ରଜନୀ ।
ମଦନବଶେ କୈକେୟୀରାଣୀ ପାଶେ କ‌ହେ ନାନାଚାତୁବାଣୀ ସେ । ରାଜନ ।
ଉଠ ଉଠ ଆରେ ନରେନ୍ଦ୍ର ନନ୍ଦିକୀ କିପାଁଇ କରୁ ଏଡ଼େ ମାନ ।
କ‌ହ କ‌ହ ମୋତେ ପ୍ରିୟ ବଚନ ।
ଯାହା ମାଗିବୁ ତାହା ଯେବେ ନ ଦେବି ନାଶିବି ସୁକୃତମାନ ଗୋ । ସୁନ୍ଦରୀ ।
ଶୁଣି ପୂର୍ବ ବର ମାଗେ ତରୁଣୀ । ସତ୍ୟ କରାଇ କ‌ହେ ପୁଣପୁଣି ।
ଭ୍ରତରାଜା ହେବେ ରାମ ବନେ ଯିବେ ଏହା ଦେବ ନୃପମଣି ହେ । ଭୋଦେବ ।
ଶୁଣି ତା ନୃପତି ଶିରରେ କୁଳିଶ ପଡ଼ିଲା ପ୍ରାୟକ ହୋଇଲା ।
ଆଉ ଦେହରେ ଜ୍ଞାନ ନ ରହିଲା ।
କେତେବେଳେ ପୁଣି ସ୍ୱପ୍ନପ୍ରାୟ ମଣି କଇକେୟୀକି କ‌ହିଲା ସେ । ରାଜନ ।
ଏହା ମୋତେ ନ ବୋଲ ରେ ତରୁଣି । ପ୍ରାଣ ମାଗିଲେ ଦେବି ଏହିକ୍ଷଣି ।
ବୋଲେ ବିଶି ରାଜାଙ୍କର କ୍ରୋଧଭରେ ବେନିନେତ୍ରୁ ବ‌ହେ ପାଣି ହେ । ସୁଜନେ ।

ଦ୍ୱିତୀୟ ଛାନ୍ଦ
ରାଗ - ଆନନ୍ଦଭୈରବ
କଉଶଲ୍ୟା ଆଦି ଯେତେକ ନାରୀ । ନ ଚାହାନ୍ତି ତୋର କୋପକୁ ଡ଼ରି ।
ଶ୍ରୀରାମକୁ ଯେବେ ପେଶିବୁ ବନେ । କି ବୋଲିବେ ମୋତେ ସକଳ ଜନେ ।
ଆରେ କୋପନାବର । ଏବେ କୋପ ସଂହର ।
ଘେନ ବିନୟ ମୋର । ଧରୁଅଛି ତୋ କର ।
ରାମକୁ ନ ଦେଖି ଛାଡ଼ିବି ପ୍ରାଣ । ଏ କଥା ମୋହର ସ‌ତ୍ୟ ପ୍ରମାଣ ।
କରିଥିଲି ତୋତେ ଗଳାର ମଣି । କାଳେ ହୋଇଲୁ ତୁ କାଳସର୍ପିଣୀ ।
କି ଦୋଷ କଲେ ତୋତେ ମୋର ରାମ । କିପାଁଇ ତାହାଙ୍କୁ ହୋଇଛୁ ବାମ ।
କାଳେହେଁ ନ ଥିଲା ତୋର ଏ ରୀତି । ଶିଖାଇଲା ତୋତେ କେଉଁ ଯୁବ‌ତୀ ।
ଚାଟୁ କ‌ହୁଁ ହେଲା ରଜନୀ ଶେଷ । ଶଙ୍ଗଶବଦ ଶୁଭିଲା ବିଶେଷ ।
କେବେହେଁ ତା ମାନ ନୋହିଲା ତୋଷ । ବୋଲେ ବିଶି କଲା ରିଷ୍ଟ ଅଶେଷ ।

ତୃତୀୟ ଛାନ୍ଦ
ରାଗ - ସିନ୍ଧୁଡ଼ା
ରାଜାଙ୍କ ବିନୟ ଦେଖିଣ କୈକେୟୀ ବୋଲନ୍ତି ଶୁଣ ନୃପତି ।
ଶୁଣିଛତ ସ‌ତ୍ୟ ପାଇଁ ପୂର୍ବେ ରାଜାମାନେ କଲେ ଯେତେ ରୀତି ।
ଆହେ ସ‌ତ୍ୟବକତା । ସତ୍ୟ ତେଜିଲେ ମୋହର ହତ୍ୟା ।
ଶୁଭିବ ସତ୍ୟହୀନ ବାରତା । କିପାଜ୍ଞ ହେଉଛ ଏଡ଼େ ଦୀନତା ହେ ।
ପିତା ଆଜ୍ଞା ଦେଲେ ସାନୁଜ ସ‌ହିତେ ଅଇଲେ କୋଦଣ୍ତଧର ।
ନୃପତିଙ୍କି ଚାହିଁ ନମସ୍କାର କଲେ ଛୁଇଁଣ ବେନି ପୟର ।
ଦେଖି ପିତା ବିକଳ । ନୟନରୁ ବହେ ଅଶ୍ରୁଜଳ ।
'ରାମ' ବୋଲି ହୋଇଲେ ବିକଳ । ଢଳିପଡ଼ିଲେ ଅବନୀତଳ ।
ଓଳଗି ହୋଇ କୈକେୟୀକି ପୁଚ୍ଛନ୍ତି ଏଥିର ଚରିତ କ‌ହ ।
କେଉଁ କାରଣେ ପିତାଙ୍କ ଶୋକ ଏଡ଼େ ଲାଗିଲା ମୋତେ ସନ୍ଦେହ ।
କିବା ମୋ ଅଭିଷେକ । ସୀଉକାରକୁ କରନ୍ତି ଶୋକ ।
ନାଶଗଲେ କିବା ଜ୍ଞାତି ଲୋକ । ତୁମ୍ଭଯୋଗୁଁ କି ହୁଏ ଏତେକ ।
କୈକେୟୀ କ‌ହ‌ନ୍ତି ଶୁଣ ରାମଚନ୍ଦ୍ର ଯହିଁପାଇଁ ଏ ମୂର୍ଚ୍ଛିତ ।
ସେତ ନ କ‌ହିବେ ମୁଁ ତାହା କ‌ହିବି କଲେ ତୁମ୍ଭେ ସନମତ ।
ଶୁଣି ଜାନ‌କୀକାନ୍ତ । କ‌ହୁଛି ଏହା କରି ସୁକୃତ ।
ପ୍ରାଣ ମାଗିଲେ ଦେବି ତ୍ୱରିତ । ଅଗ୍ନି ଜାଳିଣ ହୋଇବି ହତ ।
ସନ୍ତୋଷ ହୋଇଣ ବୋଲନ୍ତି ଜନନୀ ପୂର୍ବେ ଦେଇଛନ୍ତି ବର ।
ତାହା ମାଗିବାକୁ ନିସତ ହୋଇଣ ଶୋକ କରନ୍ତି ପିଅର ।

ତୁମ୍ଭେ ବନ‌କୁ ଯିବ । ଅଭିଷେକ ଭରତ ହୋଇବ ।
ଆଉ କ୍ଷଣେ ବିଳମ୍ବ ନୋହିବ । ତେବେ ପିତାଙ୍କ ସ‌ତ୍ୟ ରହିବ
ଚଉଦବରଷ‌ଯାଏ ତୁମ୍ଭେ ଆହେ ଧରିଥିବ ଯତିବେଶ ।
ଫଳ ମୂଳ ଖାଇ ଗ୍ରାମେ ନ ପଶିବ ବକଳ କରିବ ବାସ ।
ତାର ନିଷ୍ଠୁର ବାଣୀ । ରାମ ସନମତ କଲେ ଶୁଣି ।
ସେହିକ୍ଷଣି ହୋଇଲେ ମେଲାଣି । ଦୀନ ବିଶି ଶୋକ ଭରେ ଭଣି ।

ଚତୁର୍ଥ ଛାନ୍ଦ
ରାଗ - କୁମ୍ଭକାମୋଦୀ
ମାତାଙ୍କୁ ଦର୍ଶନ କରି ରାମଚନ୍ଦ୍ର କ‌ହ‌ନ୍ତି ବଚନ ।
ଭ୍ରତ ରାଜା ହେବ ଆମ୍ଭଙ୍କୁ ବନ‌କୁ ପେଶିଲେ ରାଜନ ।
ଶୁଣି କଉଶଲ୍ୟା ମୂର୍ଚ୍ଛିତ । ହୋଇଣ ପଡ଼ିଲେ ମହୀର ।
ଯେସନ ମୂଳ ଛେଦନ କଲେ ପଡ଼େ ଶୁଷ୍କ ତ‌ରୁବର ।
ରାମଚନ୍ଦ୍ର ତାଙ୍କୁ ସଚେତ କରାନ୍ତେ କରନ୍ତି ରୋଦନ ।
ତୁମ୍ଭଙ୍କୁ କେମନ୍ତେ ମୂରଛି ରହିବି ଧିକ ମୋ ଜୀବନ ।
ବିଚାରୁଥାଇଁ ମୋ ରାମ ରାଜା ହେଲେ ଯିବ ମୋ ସନ୍ତାପ ।
ବିହି ଏବେ ତାହା ଦେଖାଇ ହରିଲା କଲି ମୁଁ କି ପାପ ।
ଏହା ଶୁଣି ରାମ ଫାଟିତ ନ ଗଲା ମୋହର ଶରୀର ।
ବେଦନା ସ‌ହିବାକୁ ଏବେ ହୋଇଲା କୂଳିଶୁଁ ନିଷ୍ଠୁର ।
ଚାଲ ରାମ ତୁମ୍ଭ ସଙ୍ଗତରେ ମୁହିଁ ଯିବଇଁ ବନ‌କୁ ।
କେ ନିନ୍ଦା କରିବ ବତ୍ସା ପଛେ ଗୋଡ଼ାଇଲେ ଯେ ଧେନୁକୁ ।
କୈକେୟୀ ଭୟରେ ଦର୍ଶନ କରିଣ ନ ଯାଇ ନାହାକୁ ।
ଏବେ ସେହି ମୋତେ ଉପ‌ହାସ କଲେ କ‌ହିବି କାହାକୁ ।
ଶୁଣି ରାମଚନ୍ଦ୍ର କ‌ହ‌ନ୍ତି ଜନନି କ‌ହ‌ତ ଅନୀତି ।
ଯୁବତୀମାନଙ୍କର ସକଳଧର୍ମ ପତିଙ୍କ ଭକ‌ତି ।
ବନବାସ ସାରି ତ୍ୱରିତେ ଆସିବି କର ସୁକଲ୍ୟାଣ ।
ଶୁଣି ତାହା ସୁକଲ୍ୟାଣ କଲେ ମାତା ତେଜିଣ କାରୁଣ୍ୟ ।
ଲକ୍ଷ୍ମଣ ବ‌ହୁତ ପ୍ରତିଜ୍ଞା କରିଣ ବୋଲନ୍ତି ରାମକୁ ।
ତୁମ୍ଭେ ରାଜା ହୁଅ ଭ୍ରତ ସ‌ହିତେ ମୁଁ ମାରିବି ରାଜାଙ୍କୁ ।
ବନ ଗଲେ ତୁମ୍ଭ ସଙ୍ଗତରେ ଯିବି ହୋଇଣ ସେବକ ।
ଫଳ ମୂଳ ଖୋଳି ଦେଉଥିବି ଆଣି ହେ ରଘୁନାୟକ ।
ହେଉ ସଜ ହୋଇ ଆସ ବୋଲି ଗଲେ ଜାନ‌କୀଙ୍କ ପାଶ ।
ବୋଲେ ବିଶି ସୀତା ଦେଖିଲେ ଶ୍ରୀରାମ ଶ୍ରୀମୁଖ ବିରସ ।

ପଞ୍ଚମ ଛାନ୍ଦ
ରାଗ - ସିନ୍ଧୁକାମୋଦୀ
କାନ୍ତର ବିମନ ଜାଣି, ପଚାରନ୍ତି ଠାକୁରାଣୀ,
ଦିଶୁଛିତ ଶ୍ରୀମୁଖ ବିରସ ।
ଆଜ ହେବ ଅଭିଷେକ, ନେତ୍ରେ ପୂରିଛି ଲୋତକ,
ମୁଁ ଅବା କଲି କେବଣ ଦୋଷ । ହେ ପ୍ରାଣନାଥ ।
ପୂର୍ବେ କୈକେୟୀଙ୍କି ବର, ଦେଇଣ ଥିଲେ ପିଅର,
ରଖିଥିଲେ ଗୁପତେ ସେ ମନେ ।
ଆମ୍ଭଅଭିଷେକ ଶୁଣି, ମାଗିଲେ ସେ ସ‌ତ୍ୟ ବାଣୀ,
ଭ୍ରତ ରାଜା ରାମ ଯିବେ ବନେ । ଗୋ ଚନ୍ଦ୍ରମୁଖି ।
ନ ଧର ମନେ ବିରସ, ନୋହିବ ଦିବ୍ୟ ସୁବେଶ,
ସେବି ଥିବ ମାତାଙ୍କର ପାଶ ।
ଘରୁ ନୋହିବ ବାହାର, ସଙ୍ଗ ନୋହିବ କାହାର,
ଯେମନ୍ତେ ଭ୍ରତ ନ କରେ ରୋଷ । ଗୋ ଚନ୍ଦ୍ରମୁଖି ।
ଶ୍ରୀରାମ ଶ୍ରୀମୁଖୁଁ ବାଣୀ, ଶୁଣି ସୀତା ଠାକୁରାଣୀ,
ବୋଲନ୍ତି ଜାଣିଲି ତୁମ୍ଭ ମନ ।
ତୁମ୍ଭେ ଯେବେ ଯିବ ବନେ, ମୁଁ କିପାଁ ଥିବି ସଦନେ,
ତୁମ୍ଭ ସଙ୍ଗେ କରିବି ଗମନ । ହେ ପ୍ରାଣନାଥ ।
ଯେବେ ନ ନେବ ସଙ୍ଗରେ, ନ ଥିବ ପ୍ରାଣ ଅଙ୍ଗରେ,
ତୁମ୍ଭେ ମୋ ପରାଣ ପଞ୍ଚଭୂତ ।
କରୁଥିବି ବନେ ସେବା, ଶତ ବରଷ ହେଉ ବା,
ତେବେ ମୋର ତୋଷ ହେବ ଚିତ୍ତ । ହେ ପ୍ରାଣନାଥ ।
ଶୁଣି ରାମାରମ୍ୟବାଣୀ, ବୋଲନ୍ତି କୋଦଣ୍ତପାଣି,
ତୁମ୍ଭେ ମୋର ପିଣ୍ତର ଜୀବନ,
ଜାଣିବାକୁ ତୁମ୍ଭ ମନ, ବୋଇଲି ସଖି ଏସନ,
ଜଳବିନୁ ନ ବର୍ତ୍ତନ୍ତି ମୀନ । ଗୋ ଚନ୍ଦ୍ରମୁଖି ।
ଏହି ସମୟେ ଲକ୍ଷଣ, ସଜ ହୋଇ ସେହିକ୍ଷଣ,
ଶ୍ରୀରାମ ଛାମୁରେ ପରବେଶ ।
ଲକ୍ଷ୍ମଣଙ୍କୁ ଚାହିଁ ତୋଷ, ହେଲେ ବନବାସୀ ବେଶ,
ବୋଲେ ବିଶି ସବୁରି ବିରସ । ହେ ସୁଜ୍ଞଜନେ ।

ଦ୍ୱାଦଶ ଛାନ୍ଦ
ରାଗ - କଲ୍ୟାଣ
ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ । ଦେଖିଲେ ସବୁରି ମୁଖ ବିରସ ।
ଅନ୍ତଃପୁରେ ମାତା ଚରଣେ ପଡ଼ି । ପଚାରୁଛନ୍ତି ବେନି କର‌ଯୋଡ଼ି ।
ଗୋ ଜନନୀ, ଆମ୍ଭ ପିଅର କାହିଁ । ଜ୍ୟେଷ୍ଠ କନିଷ୍ଠକୁ ଦେଖୁତ ନାହିଁ ।
ଅଯୋଧ୍ୟାପୁର ଦିଶେ ନାରଖାର । ମଙ୍ଗଳ ଦିଶୁନାହିଁ ଆମ୍ଭପୁର ।
ପଥେ ଦେଖିଲି ଅଶଙ୍କୁନମାନ । କି ଅବା ନାଶଗଲା ଆମ୍ଭ-ପୁଣ୍ୟ ।
ଗୋ ଜନନୀ ଇତ୍ୟାଦି ।
ଶୁଣି ଜନନୀ କ‌ହ‌ନ୍ତି ବଚନ । ରାମଙ୍କୁ ରାଜା କରାନ୍ତେ ରାଜନ ।
ନୃପତିଙ୍କି ମୁଁ ସ‌ତ୍ୟ କରାଇଲି । ରାମ ଲକ୍ଷ୍ମଣ ବନ‌‌କୁ ପେଶିଲି ।
ରେ କୁମର, ଏବେ ହୁଅ ନୃପ‌ତି । ତୁ ମୋର ଭୋଗ କର ଏ ବିଭୂତି ।
ରାମଙ୍କୁ ନ ଦେଖି ତୁମ୍ଭ ପିଅର । ଦେହ ଛାଡ଼ିଣ ଗଲେ ସ୍ୱର୍ଗପୁର ।
ମୃତ୍ୟୁ ଶବ ଏବେ ଅଛନ୍ତି ରଖି । ଦ‌ହ‌ନ ନ କଲେ ତୋତେ ନ ଦେଖି ।
ରେ କୁମର ଇତ୍ୟାଦି ।
ଶୁଣିଣ ମୂର୍ଚ୍ଛା ଗଲେ ଭ୍ରୃତବୀର । ମାତାଙ୍କୁ କଲେ ବ‌ହୁତ ଧିକ୍କାର ।
ମନ୍ଥରା କେଶ ଶତ୍ରୁଘନ ଧରି । ବନ୍ଧନ କଲେ ଅବଧ୍ୟ ବିଚାରି ।
ଛାଡ଼ିଣ ଦେଲେ ରାମ‌ଙ୍କ ଡ଼ରିଣ । କୈକେୟୀରେ ସେ ପଶିଲା ଶରଣ ।
ଶବ ଦ‌ହିଣ କଲେ ପ୍ରେତ କର୍ମ । ବୋଲେ ବିଶି ରାଜାଙ୍କର ଯେ ଧର୍ମ ।

ଚତୁଃର୍ଦ୍ଦଶ ଛାନ୍ଦ
ରାଗ - କୌଶିକ ପଡ଼ିତାଳ
ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା ହେ ମୋର ଜନନୀ ଏହା ଅର୍ଜିଲେ ।
ତୁମ୍ଭଙ୍କୁ ନ ଦେଖି ପିଅର ହେ ରାମ ବୋଲିଣ ପ୍ରାଣ ତେଜିଲେ ।
ଦୁଷ୍ଟ ପାମରୀ ମନ୍ଦଭାଗୀ ହେ କ୍ଷମାଶୀଳ ଦୋଷ କର କ୍ଷମା ।
ଅଯୋଧ୍ୟାପୁରେ ଅଭିଷେକ ହୁଅ ହେ ଘେନିଣ ଜନ‌କଜେମା ।
ଭରତ ଶତ୍ରୁଘ୍ନ ଏମନ୍ତ ଯେ କ‌ହି ଚରଣ ତଳ ପଡ଼ିଲେ ।
ଉଠ ଉଠ ବୋଲି ଶ୍ରୀକରେ ଯେ ବେନି ଭାଇଙ୍କି ତୋଳି ଧଇଲେ ।
ପିତାମୃତ୍ୟୁ ରାମ ଲକ୍ଷ୍ମଣ ସୀତା ଯେ ଶୁଣିଣ ବିଳାପ କଲେ ।
ମଦାଗ୍ନୀ ଜଳେ ସ୍ନାନ କରି ସେ ଇଙ୍ଗୁଦୀଫଳ ପିଣ୍ତାନ୍ନ ଦେଲେ ।
ବଶିଷ୍ଠ ଆଦି ସକଳଙ୍କର ବଚନରେ ନୋହିଲେ ପ୍ରସନ୍ନ ।
ଯେ ଯେତେରୂପେ ମଣାଇଲେ ହେଁ ରାମ ନୋହିଲେ ସଦୟ ମନ ।
ଭରତଙ୍କୁ ରାଜନୀତି କ‌ହି ସେ ପାଦୁକା ଦେଇ କଲେକ ତୋଷ ।
ବୋଲେ ବିଶିଭ୍ରତ ନନ୍ଦିଗ୍ରାମେ ଯେ ସୈନ୍ୟ ଘେନି ହେଲେ ପ୍ରବେଶ ।

ଅଥ ଆରଣ୍ୟକ‌କାଣ୍ତ
ପ୍ରଥମ ଛାନ୍ଦ
ରାଗ - ବଙ୍ଗଳାଶ୍ରୀ
ଏଥୁ ଅନନ୍ତରେ ମହାବନାନ୍ତରେ ପ୍ରବେଶ ହୋଇଲେ ଶ୍ରୀରାମ ।
ଦଣ୍ରକ ଅରଣ୍ୟେ ସୀତାଙ୍କୁ ଦେଖାନ୍ତି ଦେଇଣ କନ୍ଧେ ଭୁଜ ବାମ ।
ଗୋ ସଜନୀ । ତରୁମାନେ ଯେ ଅଭିରାମ ।
ଫଳ ପୁଷ୍ପେ ଲତା ଅତି ଅପ୍ରମିତା କି ଅବା ଶତ୍ରର ଆରାମ ।
ଶୁକ ସାରୀ ସଙ୍ଗେ ଅଛନ୍ତି ବିହ‌ଙ୍ଗେ ଫଳ ଲୋଭରେ ନ ଛାଡ଼ନ୍ତି ।
ବିହ‌ଙ୍ଗ ସଙ୍ଗରେ କ୍ରୀଡ଼ା କରିବାରେ ବିବିଧ ଧ୍ୱନିକି ଭାଷନ୍ତି ।
ଗୋ ସଜନୀ । ଦେଖାଇ ଶ୍ରୀଋଅମ ସନ୍ତୋଷ ।
ତମାଳରମାଳ ତଳରେ କସ୍ତୂରୀ ଜୀବ ଚରନ୍ତି ଯେ ବିଶେଷ ।
ସିଂହ, ଶାର୍ଦ୍ଦୂଳ, ଗଣ୍ତା, ଗଜ ଗୟଳ, ମର୍କଟ, ଭାଲୁଙ୍କର କୁଳ ।
ମୃଗ, ଶୂକର, ଶଅମ୍ବର ହରିଣୀ, କୃଷ୍ଣାଜିନର ସଙ୍ଗେ ମେଳ ।
ସେ ଜାନ‌କୀ । ସ‌ହିତେ ରାମ ଯେ ସନ୍ତୋଷ ।
ଏହି ସମୟରେ ପ୍ରବେଶ ହୋଇଲା ବିରାଧ ନାମରେ ରାକ୍ଷସ ।
ମହାଗିରି ପ୍ରାୟ ଦିଶଇ ତା କାୟ ଧରିଛି କରେ ଦିବ୍ୟ ଶୂଳ ।
ରୁଧିରେ ଶରୀର କର୍ଦ୍ଦନ ହୋଇଛି ମୁଖ ଦିଶଇ ବିକରାଳ ।
ହେ ସୁଜନେ । ସୀତାଙ୍କୁ ଘେନିଣ ସେ ଗଲା ।
ରାମ ଲକ୍ଷ୍ମଣ ଶର ବୃଷ୍ଟି କରନ୍ତେ ଭୟ ତ‌ହିଁକି ଯେ ନ କଲା ।
ଛାଡ଼ିଣ ସୀତାଙ୍କୁ ରାମ ଲକ୍ଷ୍ମଣଙ୍କୁ ନେଉଥିଲା ସେ କାନ୍ଧ କରି ।
ସୀତାଙ୍କ ରୋଦନ ଦେଖି ବେନି ଭାଇ ବାହୁକୁ ଭଗ୍ନ ତାର କରି ।
ହେ ସୁଜନେ । ଦଳି ଦ‌ହିଲେ ତାର ପିଣ୍ତ ।
ପ୍ରାଣ ତେଜି ଦୈତ୍ୟ ଗନ୍ଧର୍ବ ହୋଇଲା ପାଇଣ ରାମ‌ଭୁଜଦଣ୍ତ ।
ବିରାଧ ବିନାଶି ବନେ ବନେ ପଶି ଦେଖନ୍ତି ମୁନିଙ୍କ ଆଶ୍ରମ ।
ସମସ୍ତ ଋଷିମାନଙ୍କ ମଠ ଦେଖି ପ୍ରଶଂସା କରନ୍ତି ଯେ ରାମ ।
ହେ ସୁଜ‌ନେ । ଶରଭଙ୍ଗ‌ଋଷିଙ୍କ ପାଶେ ।
ଶରୀପତି ତାଙ୍କୁ ବିନୟ କରନ୍ତି ବ୍ରହ୍ମଲୋକ‌କୁ ଯିବା ଆଶେ ।
ଶ୍ରୀରାମଙ୍କୁ ଦେଖି ଅନ୍ତର୍ଦ୍ଧାନ ହୋଇ ଗଲେ ଯେ ଦେବ ସୁନାଶୀର ।
ସୀତାଙ୍କ ସ‌ହିତେ ଶ୍ରୀରାମ ଲକ୍ଷ୍ମଣ ପଡ଼ିଲେ ମୁନିଙ୍କ ପୟର ।
ହେ ସୁଜନେ । ରାମଙ୍କୁ କରିଣ ସେ ପୂଜା ।
ଅଗ୍ନିରେ ପଶିଣ ଶରୀଋ ଧ୍ୱଂସିଣ ବ୍ରହ୍ମଲୋକ‌କୁ ଗଲେ ଦ୍ୱିଜା ।
ଋଷି ବ୍ରହ୍ମଲୋକ ଯିବା ଶୁଣି ଋଷିମାନେ ଯେ ହେଲେ ତ‌ହିଁ ରୁଣ୍ତ ।
ଦେଖିଲେ ଅଗ୍ନିରେ ଭସ୍ମ ହୋଇ ଗଲା ଋଷିଙ୍କ ପବିତର ପିଣ୍ତ ।
ହେ ସୁଜନେ । ରାମ‌ଙ୍କୁ ସେହିଠାରେ ଦେଖି ।
ବୋଲଇ ବିଶି ସମସ୍ତ ଋଷିମାନେ ହୋଇଲେ ଯେ ପରମ ସୁଖୀ ।

ଦଶମ ଛାନ୍ଦ
ରାଗ - ଭାଟିଆରୀ ପଡିତାଳ
ମାରୀଚ ମୁଖରୁ ଶୁଣି ବିଂଶପାଣି କ୍ରୋଧେ କ‌ହଇ ବଚନ ।
କ‌ହ ମୁଁ କାହାକୁ ରଣେ ଜିଣି ନାହିଁ ଏ ତ୍ରୟୋଦଶ ଭୁବନ ।
ଏବେ କର ତୁ ମୋହର ବୁଦ୍ଧି । ରତ୍ନମୃଗ ହୋଇବୁ ଅବଧି ।
ରାମ ଆଶ୍ରମନିକଟେ ଚରୁଥିବୁ ଦେଖି ଲୋଭାଇବେ ବଧି ।
ରାମ ତୋତେ ଲୋଭ କରି ଗୋଡ଼ାଇଲେ ବ‌ହୁ ଦୂର ଘେନି ଯିବୁ ।
ଲକ୍ଷ୍ମଣ ତ୍ରାହି ଜାନ‌କୀ ବୋଲି ଉଚ୍ଚ ସୁସ୍ୱରେ ଡ଼ାକ ଡ଼ାକିବୁ ।
ତ‌ହିଁ ଅବା ସିନା ତୁ ମରିବୁ । ମୋର ଆଜ୍ଞା ଯେବେ ନ କରିବୁ ।
ଖଡ଼ଗ ଘେନି ହାଣିବ ତୋର ଶିର ଏହିକ୍ଷଣି କି କରିବୁ ।
ମନେ ବିଚାରିଲା ମାରୀଚ ଅସୁର ନିଶ୍ଚୟ ହେବ ମରଣ ।
ଏହା ହାତୁ ତାହା ହାତେ ପ୍ରାଣ ଗଲେ ହୋଇବ ସିନା କାରଣ ।
ବୋଲେ ମାରୀଚ ଶୁଣ ରାବଣ । ତୋର ନିକଟେ ହେବ ମରଣ ।
ତୁମ୍ଭେ ଆସୁଥାଅ ମୁଁ ଏବେ ଯାଉଛି ହୋଇବି ହେମ ହରିଣ ।
ଶୁଣି ରାବଣ ଆଲିଙ୍ଗନ କରିଣ ରହୁବରେ ବସାଇଲା ।
ଆକାଶମାର୍ଗରେ ଘେନି ଆସି ତାକୁ ପଞ୍ଚବଟୀରେ ଛାଡ଼ିଲା ।
ଦେଖ ମାରୀଚ ରାମଆଶ୍ରମ । ଶୋଭା ଦିଶୁଛି ରମ୍ୟ ଉଦ୍ୟାନ ।
କଦମ୍ବ କର୍ଣିକାର ବେଢ଼ି ସୁନ୍ଦର ଦିଶଇ ତା ଅନୁପମ ହେ ।
ଏମନ୍ତ କ‌ହି ତାକୁ ଦେଖାଇ ଦେଇ ଲୁଚିଲା ବନ‌ଭିତର ।
ମାରୀଚ ଦିବ୍ୟ ହେମମୃଗ ହୋଇଲା ରାବଣେଶ୍ୱର ହିତର ।
ଶୃଙ୍ଗ ମଣି ଖୁରା ବଇଡ଼ୁର୍ଯ୍ୟ । ମୁଖ ମାଣିକ୍ୟେ ହୋଇଛି ଉଜ ।
ନୟନ ନୀଳମଣି ପେଟ ରଜତ ମରକତ ପ୍ରାୟ ଲାଞ୍ଜ ।
କାନ୍ତି ପ୍ରବାଳ ଦିବ୍ୟହେମ ସର୍ବାଙ୍ଗ ବନ‌କୁ କରେ ଉଦିତ ।
ପେଣ୍ତି ପେଣ୍ତି ହୋଇ ତନୁଯାକ ତାର ମୁକୁତାଚୟ ବିଦିତ ।
ପୁଣ କ୍ଷେପଇ ପୁଣ ଚରଇ । ପୁଣ ସେ ଅବୟବ ଦେଖାଇ ।
ନାନା ରୀତିରେ ନାନା ଗ‌ତି କରନ୍ତେ କେ-ଅବା ନୋହିବ ମୋହି ।
ରାମଆଶ୍ରମର ନିକଟେ ଚରନ୍ତେ ପଡ଼ିଲା ଜାନ‌କୀ ଦୃଷ୍ଟି ।
କୁସୁମ‌ବନରୁ କୁସୁମକୁ ତୋଳୁଥିଲେ ଯେ ପକ୍ୱବିମ୍ବୋଷ୍ଠୀ ।
ହରିଲା ମୃଗ ତାଙ୍କର ମତି । କରୁଅଛି ସେ ବିବିଧଗ‌ତି ।
ଆହେ ଆର୍ଯ୍ୟପୁତ୍ର ଆସ ଆସ ଦେଖ ଏ କନ‌କମୃଗ ଗତି ।
ଶୁଣିଣ ରାମ ଲକ୍ଷ୍ମଣ ଧନୁ ଶର ଘେନିଣ ହେଲେ ବାହାର ।
ଦେଖିଲେ ବିଚିତ୍ରମୃଗ ଚରୁଅଛି କୁସୁମ‌ବନଭିତର ।
ଦେଖି ଲକ୍ଷ୍ମଣ ରାମ‌ଙ୍କୁ କ‌ହେ । ଦେବ ମାରୀଚ ଏମନ୍ତ ହୋଏ ।
ନ ଜାଣି ଅସୁରମାନଙ୍କ କପଟ ଲାଗିଲାତ ବଡ଼ ଭୟେ ଯେ ।

ଶୁଣି ଜାନ‌କୀ ବୋଲନ୍ତି ହେ ଲକ୍ଷ୍ମଣ ଏହା ବିଚାର ନ କର ।
ଧରି ଆଣିଲେ ସେ ଭରତଙ୍କୁ ଦେବା ଧରି ନ ପାରିଲେ ମାର ।
ରାମ ଶୁଣି ସୀଉକାର କଲେ । କୋଦଣ୍ତରେ ଗୁଣ ବସାଇଲେ ।
ବୋଲେ ବିଶି ସୀତା ଲକ୍ଷ୍ମଣ ଯଗାଇ ରାମ ତାକୁ ଗୋଡ଼ାଇଲେ ।

ଏକାଦଶ ଛାନ୍ଦ
ରାଗ - ମୁଖାରୀ ପଡିତାଳ
ହେମହରିଣୀ । ଧୀରେ ଧାମନ୍ତେ ସୁନ୍ଦର ଧରଣୀ ।
ଧରୁ ଧରୁ କରୁ ମୃଗ ପଳାଉଛି ଗୋଡ଼ାଇଛନ୍ତି ରଘୁମଣି ।
କେତେବେଳୈ ଦୂରେ କେତେବେଳେ ପାଶେ ରାମଙ୍କୁ ହେଲା ଅଗୋଚର ।
ରାମଙ୍କୁ ବ‌ହୁତ ଦୂର ଘେନିଯାଇଁ ଗଲା ଅଦୃଶ୍ୟ ହୋଇ କାହିଁ ।
ଫୁଟିଣ ରାମ ତରୁତଳେ ବସନ୍ତେ ପୁଣି ଛାମୁରେ ହେଲା ଯାଇଁ ।
ମାରିବା ବୋଲି ମନରେ ବିଚାରିଣ କୋଦଣ୍ତରେ କାଣ୍ତ ସନ୍ଧିଲେ ।
ବଜ୍ଜ୍ରଘାତ ପ୍ରାୟ ଶ‌ବଦ ଶୁଭିଲା ଯେତେବେଳେ ଶର ବିନ୍ଧିଲେ ।
ଲକ୍ଷ୍ମଣ ତ୍ରାହି ସୀତା ତ୍ରାହି ବୋଲିଣ ରାମସ୍ୱରେ ଉଚ୍ଚେ ଡାକିଲା ।
ମୃଗଦେହ ଛାଡ଼ି ନିଜତନୁ ଧରି ପ୍ରାଣ ହାରି ତଳେ ପଡ଼ିଲା ।
ଦେଖି ରାମଚନ୍ଦ୍ର ଚକିତ ହୋଇଣ ବୋଲନ୍ତି ହେଲା ପରମାଦ ।
ମୃଗଦେହ ଛାଡ଼ି ଅସୁରଦେହରେ କିରୀଟ କୁଣ୍ତଳ ଅଙ୍ଗଦ ।
ଏ ବାଣୀ ଶୁଣୀ ଆମ୍ଭର ପ୍ରାୟ ମଣି ଆସଇ ନ ପୁଣ ଲକ୍ଷ୍ମଣ ।
ଛାଡ଼ି ଅଇଲେ ସୀତାଙ୍କୁ ନ ପାଇବି କି ବୋଇଲା ଦୁଷ୍ଟ ଦାରୁଣ ।
ଏହା ବିଚାରନ୍ତେ ବାମ ଭୁଜ ବାମ ନୟନ ତାଙ୍କର ସ୍ଫୁରିଲା ।
ବୋଲେ ବିଶି ରାମ ପଛରେ ଗୋଡ଼ାଇ ଶୃଗାଳ ଘୋରଧ୍ୱନି କଲା ।

ଦ୍ୱାଦଶ ଛାନ୍ଦ
ରାଗ - ମଧୁକେରୀ ପଡିତାଳ
ଲକ୍ଷ୍ମଣ ତ୍ରାହି ଜାନ‌କୀ ତ୍ରାହି ବାଣୀ ଶୁଣିଣ ତରୁଣୀ ।
ଚକିତ ହୋଇ ଠାକୁରାଣୀ ବୋଲନ୍ତି ତୁମ୍ଭ ଭ୍ରାତାଙ୍କର ବାଣୀ ହେ ।
ଲକ୍ଷ୍ମଣ । ବିପତ୍ତି ପଡ଼ିଲା ହେ ।
ଏହା ଶୁଣି ମୋର ସର୍ବ ଅବୟବୁଁ ଜୀବନ ଛାଡ଼ିଲା ହେ ।
ଶୀଘ୍ର ହୋଇ ଚଳ ଧନୁଶର ଧର ବିଳମ୍ବ ନ କର ।
ଭ୍ରାତାଙ୍କୁ ତୁମ୍ଭର ସାହା ହୋଇ ଏବେ କର ଯାଇଁ ପ୍ରତିକାର ହେ ।

ଲକ୍ଷ୍ମଣ । ଶୁଣିଲ ନାହିଁ କି ।
କେଉଁ କ୍ରୋଧ କରି ମନେ କି ବିଚାରି ନ ଗଲ କାହିଁକି ହେ ।
ସାବତଜନ‌ନୀ ସୁତ ସିନା ତୁମ୍ଭେ ଆସିଛ କପଟେ ।
ଭ୍ରାତାଠାରେ ଯେତେ ସେନେହ ସବୁ ସେ ପଡ଼ିଗଲାଣିତ ବାଟେ ହେ ।
ଲକ୍ଷ୍ମଣ । ଭାବୁଥିଲ ଯାହା ।
ମାନସ ପୂରିଲା ଦଇବବଶରୁ ହୋଇଗଲା ତାହା ।
ସଉମିତ୍ରୀ ଭଣି ଶୁଣ ଠାକୁରାଣୀ ନୁହସି ବିକଳ ।
ରାମଙ୍କୁ ବିପତ୍ତି ଦେବାକୁ ନାହାନ୍ତି ବୀର କେହି ରବିତଳ ଗୋ ।
ସୁମୁଖି । ନ କର ସେ ଚିନ୍ତା ।
ମୃଗ ଘେନିଣ ଏହିକ୍ଷଣି ଆସିବେ ବୀର ବଳବନ୍ତା ।
ସ‌ତୀ ଶୁଣି ପୁଣି ବୋଲେ କଟୁବାଣୀ ଏମନ୍ତ ଜାଣୁ କି ।
ଅନ୍ତରେ ମୁହିଁ ତୋତେ ଭଜିବି ଏମନ୍ତ ମନେ ମଣୁ କି ରେ ।
ଲକ୍ଷ୍ମଣ । ନ ଯାଉ ମୋ ପାଶୁଁ ।
ରାମ ଅନ୍ତେ ମୋତେ ଭାରିଜା କରିବୁ ଏମନ୍ତ ବିଳସୁରେ ।
କିବା ମୋତେ ନେଇ ଭରତଙ୍କୁ ଦେଇ ଭୁଞ୍ଜିବୁ ବିଭୂତି ।
ମୁଁ ପୁଣି ଜୀବନ ଧରି ଧରଣୀରେ କରିବି କି ଅନ୍ୟ ପ‌ତି ରେ ।
ଲକ୍ଷ୍ମଣ । ଛୁଇଁ ଭୂମି ଶ୍ରୁତି ।
ଧନୁଶର ଧରି ବାହାର ହୋଇଲେ ହୋଇ କୋପମୂର୍ତ୍ତି ।
ରାମ ମୋର ପିତା ତୁମ୍ଭେ ମୋର ମାତା କ‌ହିଲ ଅନୀତି ।
ଦଇବ ପ୍ରତିକୂଳର ସମୟରେ ହୁଅଇତ ଏହ୍ନେ ଏ ରୀତି ।
ପ୍ରଭୁଙ୍କ । ଆ‌‌ଜ୍ଞା ପାଳିଥିଲି ।
ଯାଉଅଛି ମୁହିଁ ମୋର ଦୋଷ ନାହିଁ ଥାଅ ମଇଥିଳି ।
ଏମନ୍ତ ବୋଲି ବନ‌ଦେବୀମାନଙ୍କୁ କରାଇଲେ ସାକ୍ଷୀ ।
ଆମ୍ଭ ବାହୁଡ଼ିବା ଯାଏ ନିଶ୍ଚଁ ତୁମ୍ଭେମାନେ ୟାଙ୍କୁଥିବ ରଖି ।
ଯେ ଦିଗେ । ଶ୍ରୀରାମଙ୍କ ସ୍ୱର ।

ତ୍ରୟୋଦଶ ଚାନ୍ଦ
ରାଗ - ରାମଦାସଙ୍କ କୋଇଲି ବୃତ୍ତ
କଇତବ ବେଶେ ଦଶଶିର । ଛତା କମଣ୍ତଳୁଁ ବେନି କର ।
କଷା ବସନ ଶିଖା ପଇତା । ଅଙ୍ଗରେ ମଣ୍ତିଛି ଦ୍ୱାଦଶ ଚିତା ।
ରାବଣେଶ୍ୱର ହୋଇ ତ୍ରିଦଣ୍ତୀ । ଏହି ବେଶେ ନେବ ସୀତାଙ୍କୁ ଭଣ୍ତି ।
ପର୍ଣ୍ଣଶାଳା ଦ୍ୱାରେ ପରବେଶ । ମଇଥିଳୀଙ୍କି ଦେଖି ହରଷ ।

ପଚାରଇ ତୁମ୍ଭର କେ ବର । ଏମନ୍ତ ବନେ କିପାଁ କଲ ଘର ।
ତୁମ୍ଭର ପ୍ରାୟ ସୁନ୍ଦରୀ ନାରୀ । ଘେନି କିପାଁଇ ହେଲେ ବନ‌ଚାରୀ ।
ଶୁଣି ଜାନ‌କୀ ସନ୍ତୋଷ ମନ । ଭିକ୍ଷୁକ ଦେଖି ଦେଲେ ଆସନ ।
ଜଳ ଫଳ ମୂଳ ଆଣିଦେଲେ । ସମସ୍ତ ବୃତାନ୍ତ ତାଙ୍କୁ କ‌ହିଲେ ।
ବୋଲନ୍ତି ଆସନ୍ତୁ ମୋର ପ‌ତି । ପ୍ରତିଦିନ ପୂଜା କରିବେ ଯତି ।
ଶୁଣି ବୋଲଇ ଦୁଷ୍ଟ ରାବଣ । ଜାଣିଲି ତୁମ୍ଭ ପତିର ଗୁଣ ।
ଯେଉଁ ଯୁବତୀ ଜଗତେ ଶୋଭା । ଯାହା ଦେଖିଲେ ମୁନି ହେବେ ଲୋଭା ।
ତାହାକୁ ରଖିଅଛି ବନରେ । ତିଳେହେଁ ଭୀତି ନାହିଁ ତା ମନରେ ।
ଆଗୋ ଆସ ଆସ ବରାଙ୍ଗନେ । କଷ୍ଟ ନ ପାଅ ତୁମ୍ଭେ ଏ ବଚନ ।
ପାପ ଦଶାରୁ ଥିଲା ଏ ଯୋଗ । ସୁବର୍ଣ୍ଣପୁରୀ ତୁ କରିବୁ ଭୋଗ ।
ମୋହର ହୋଇବୁ ତୁ ବନିତା । ରାବଣ ମୁହିଁ ବିଶ୍ରବା ମୋ ପିତା ।
ତାର ଏ ବଚନ ଶୁଣି ସ‌ତୀ । ମନେ ପାଇଲେ ସେ ବଡ଼ ଭୀତି ।
ଦମ୍ଭ ହୋଇ ବୋଲନ୍ତି ବଚନ । ଶ୍ୱାନ ଭକ୍ଷିପାରେ ସିଂହ ଅଶନ ।
ଅଇଲେ ରାମ ପ୍ରାଣେ ମାରିବେ । ଯତିକି ଉପରୋଧ ନ କରିବେ ।
ଶୁଣି ଅସୁର କୋପିତ ହୋଇ । ନିଜରୂପ ସୀତାଙ୍କୁ ଦେଖାଇ ।
ଭୟ କରାଇ ପୁଣ କ‌ହିଲା । ରାମଙ୍କୁ ଚାହାଁନ୍ତେ ବଳେ ଧଇଲା ।
ନେଇଣ ରଥରେ ସେ ବସାଇ । କାନ୍ଦୁଛନ୍ତି ସ‌ତୀ ବିକଳ ହୋଇ ।
ରାମ ରାମ ଲକ୍ଷ୍ମଣ ଲକ୍ଷ୍ମଣ । ରାମା ଉଚ୍ଚେ କ‌ରନ୍ତି କାରୁଣ ।
ଖସି ପଡ଼ିଲା କୁସୁମମାଳା । ସୁବର୍ଣ୍ଣମାଳା ଥିଲା ସ‌ତୀ ଗଳା ।
ଛିଡ଼ିଣ ବିଞ୍ଚି ହୋଇ ସେ ଗଲା । ଚନ୍ଦ୍ର କରୁ ଅବା ସୁଧା ପଡ଼ିଲା ।
ପଥେ ଭେଟି ବୋଲଇ ଜଟାୟୁ । ରାମ‌ବନିତା କିପାଁ ତୁ ନେଉ ।
ଅଧର୍ମକୁ ନାହିଁ ତୋର ଡର । ଚୋରାଇ କିପାଁ ନେଉ ଦଶଶିର ।
ଆଜି ମୁଁ ପଥ ଛାଡ଼ି ନ ଦେବି । ସୀତା ନ ଛାଡ଼ିଲେ ରଣ କରିବି ।
ଏହା ବୋଲିଣ ସଂଗ୍ରାମ କଲା । ରାବଣହିଁ ଅନେକ ଯୁଝିଲା ।
ରଥ ଭାଙ୍ଗିଣ ଅଶ୍ୱ ସାରଥୀ । ମାରିଣ ସେହ୍ନା କାଟିଲା ବିକର୍ତ୍ତି ।
ଛଡ଼ାଇ ନେଇ ଭାଙ୍ଗିଲା ଧନୁ । କ୍ରୋଧରେ କମ୍ପିଲା ରାବଣ ତନୁ ।
ଖଣ୍ତା ଘେନି କାଟିଲା ଚରଣ । ଡେଣା କାଟି କଲା ରଣଭଣ ।
ରଣ କରନ୍ତେ ସୀତା ଖସିଲେ । ଲତା ଭିତରେ ଯାଇଣ ଲୁଚିଲେ ।
ଜାଣିଣ ତ‌ହୁଁ ଆଣିଲା ଧରି । ମୃଗଣୀ ଅବା ଧଇଲା କେଶରୀ ।
ସୀତାଙ୍କୁ କୋଳରେ ସେ ଧଇଲା । ଆକାଶରେ କ୍ଷେପିଣ ସେ ଗଲା ।
ଗଳା ମୋତିହାର ପଡ଼େ ଛିଡ଼ି । କେତେଦୂରେ ପୁଣି ନୁପୁର ପଡ଼ି ।
ବାମାର ସର୍ବ ଭୂଷଣ ଗଣ । ଉତ୍ତରୀରେ ବାନ୍ଧିଲେ ସେହିକ୍ଷଣ ।
ଗିରିଶିଖେ କପିରାଜ ଚାହିଁ । ତାଙ୍କ ଆଗକୁ ଦେଲେ ପକାଇ ।
କିସ ବୋଲି ଫିଟାଇ ରଖିଲେ । ଯତନ କରି ତା ରଖାଇ ଦେଲେ ।

ରାବଣ ନେଉଛି କାହା ନାରୀ । ଏମନ୍ତ ବୋଲାବୋଲି ହେଲେ ହରି ।
ସିନ୍ଧୁ ଡେଇଣ ରାବଣ ଗଲା । ଲଙ୍କାଗଡରେ ପ୍ରବେଶ ହେଲା ।
ସୀତାଙ୍କୁ ରଖି ସେ ନିଜ ପୁରୀ । ଡାକିଲା ସର୍ବ ବିରୂପ ଅସୁରୀ ।
ସୀତାଙ୍କ ମନେ କରାଇ ଭୀତି । ବୋଲଇ ବିଶି ଦେଖାଅ ବିଭୂତି ।

ଅଥ କିସ୍କିନ୍ଧ୍ୟାକାଣ୍ତ
ପ୍ରଥମ ଛାନ୍ଦ
ରାଗ-ମଙ୍ଗଳଗୁଜ୍ଜରୀ
ପ୍ରବେଶ ରାମ ଲକ୍ଷ୍ମଣ ପମ୍ପାସରତୀର ।
ଦେଖନ୍ତି ନିର୍ମଳ ଜଳ ଅତି ମନୋହର ।
କମଳ କୁମୁଦ କୋକନ‌ଦ ନୀଳୋତ୍ପଳ ।
ମଧୁପାନେ ମତ୍ତ ହୋଇ ଚୁମ୍ବନ୍ତି ଭ୍ରସଳ ।
ଚଉପାଶେ ବେଡ଼ିଛନ୍ତି ପୁଷ୍ପତରୁଚୟ ।
ବିରହୀଜଙ୍କୁ ସେ କରାଉଛନ୍ତି ଭୟ ।
ଦେଖ ଦେଖ ଲକ୍ଷ୍ମଣ ଏ ସରୋବର ଶୋଭା ।
ଏହା ଦେଖି କେବଣ ଦେବ ନୋହିବ ଲୋଭା
ବିବିଧ ହଂସମାନଙ୍କେ ଦିଶଇ ସୁନ୍ଦର ।
ଡାହୁକ ତିତ୍ତିରି କାକ ବକେ ଶୋଭାକର ।
ବିକାଶନ୍ତି ନବ ନବ ଚୂତାଙ୍କୁର ମାନେ ।
ପ୍ରକଟି ବାସନ୍ତି ବାସ ସର୍ବସନ୍ନିଧାନେ ।
କାମତୂଣି-ଶରପ୍ରାୟ ଦିଶନ୍ତି ଅଶୋକ ।
ସୀତାଙ୍କ ବିଚ୍ଛେଦ କରାଉଛି ବ‌ହୁ ଶୋକ ।
ପାଟଳୀପଟଳ କାମାନଳ ପ୍ରାୟ ଦିଶେ ।
କେତକୀକଳିକା ମନସିଜ-କୁନ୍ତ କି ସେ ।
ମଲ୍ଲିକା ସଉରଭେ ମଧୁକର ନିକର ।
ଧ୍ୱନି କରି ଖୋଜୁଛନ୍ତି ସର୍ବଦିଗନ୍ତର ।
ମଦଗନ୍ଧ ସୁଶୀତଳ ପ୍ରସରେ ମରୁତ ।
କୋକିଳ ଧ୍ୱନି କରନ୍ତି ହୋଇ ମହ ମତ୍ତ ।
ଲକ୍ଷ୍ମଣ ବୋଲନ୍ତି ଦେବ ଏ ଶିଶିରଅନ୍ତ ।
ପ୍ରବେଶ ହୋଇଛି ଋତୁରାଜନ ବସନ୍ତ ।
ଦେଖନ୍ତି ସେ ପମ୍ପାସରୋବରକୁ ବୁଲିଣ ।
ସୀତାଙ୍କ ବିରହେ ପୁଣ କରନ୍ତି କାରୁଣ ।

ଲକ୍ଷ୍ମଣ ରାମଚନ୍ଦ୍ରଙ୍କୁ କରନ୍ତି ପ୍ରବୋଧି ।
ବୋଲେ ବିଶି ଶୁଣି ରାମ ଦୁଇଗୁଣ କ୍ରୋଧ ।

ପଞ୍ଚମ ଛାନ୍ଦ
ରାମ - ରାଜବିଜେ ଧନାଶ୍ରୀ

ସରୋବର ତଟୁଁ ବିଜେ ରାମ । ବୋଲନ୍ତି କ‌ହି ଏ ଗିରି ନାମ ।
ଲକ୍ଷ୍ମଣ ଜଣାନ୍ତି ଋଷ୍ୟମୂକଗିରି ସୁଗ୍ରୀବରର ଏ ଆଶ୍ରମ । ହେ ଦେବ ।
ଏହି ଗିରି ତଳେ ଆମ୍ଭେ ଥିବା । ତାର ବିଷୟମାନ ବୁଝିବା ।
ବିଶ୍ୱାସ ଆମ୍ଭଙ୍କୁ କଲେ ସିନା ଆମ୍ଭେ ତା ସଙ୍ଗେ ମଇତ୍ର ହେବା ।
ଏହା ବିଚାରନ୍ତେ ସୁଗ୍ରୀବର । ଦେଖୁଥିଲା ସେ ଗିରିଶିଖର ।
ରାମ ଲକ୍ଷ୍ମଣଙ୍କ ରୂପକୁ ଅନାଇ ଦୂରାନ୍ତ ସେ ସୁଗ୍ରୀବର । ହେ ଦେବ ।
ଆରୋହିଲା ଆନ ଗିରିଶିର । ମନ୍ତ୍ରୀମାନେ ମିଳିଲେ କତିର ।
ହ‌ନୁ ବୋଲଇ କାହାକୁ ଭୟ କରି ପଳାଇଲ ଏତେ ଦୂର ।
ଶୁଣି ବୋଲନ୍ତି ବାନରରାଜ । ବାଳୀ ଦୂତ ହୁଅଇଟି ବୁଝ ।
ହରି ହର ପ୍ରାୟ ଶୋଭାପାଉଛନ୍ତି ଧନୁଶର ଧରି ସଜ । ହେ ହ‌ନୁ ।
ଶୁଣି ହ‌ନୁ ହେଲେ ଭିକ୍ଷୁସଜ । ଦେଖି ରାଜ ଲକ୍ଷ୍ମଣଙ୍କ ତେଜ ।
ଚରଣତଳେ ପଡ଼ିଣ ପଚାରଇ ତୁମ୍ଭେ କେଉଁ ଦେବରାଜ ।
ସବୁ ଲକ୍ଷ୍ମଣ ତାଙ୍କୁ କ‌ହିଲେ । ରାମଚନ୍ଦ୍ରଟି ଏହୁ ବୋଇଲେ ।
ସୁଗ୍ରୀବର ସଙ୍ଗେ ମଇତ୍ର ହୋଇବେ ତାଙ୍କର ଦୟା ହୋଇଲେ । ହେ ଭିକ୍ଷୁ ।
ସେହୁ ବୋଲନ୍ତି ମୁଁ ବୀର ହ‌ନୁ । ମୁହିଁ ଅଟଇ ପବନ-ସୂନୁ ।
ମୋର କନ୍ଧେ ବସ ସୁଗ୍ରୀ ଭେଟାଇବି ବୋଲି ବିସ୍ତାରିଲା ତନୁ ।
ହ‌ନୁ ଚିହ୍ନିଲା ନିଜ ଗୋସାଇଁ । ବେନି ଭାଇଙ୍କି କନ୍ଧେ ବସାଇ ।
ଋଷ୍ୟମୂକଗିରି ଶିଖରେ ମିଳିଣ ଗଲା ତାହାଙ୍କୁ ବସାଇଁ । ସେ ହ‌ନୁ ।
ଯାଇଁ କ‌ହିଲା ସୁଗ୍ରୀବ ପାଶ । ଆଜ ଭୟ ଗଲା ତୋର ନାଶ ।
ବୋଲେ ବିଶି ତୁମ୍ଭ ପାପ ନାଶ ଯିବ ଦର୍ଶନ କରିବ ଆସ ।

ଦଶମ ଛାନ୍ଦ୍ର
ରାମ - ରାଜବିଜେ ଧନାଶ୍ରୀ
ହୃଦରେ ବାଜିଣ ଶର, ପଡ଼ିଲା ସେ କପିବର,
ଦେଖିଲା ରାମ ଲକ୍ଷ୍ମଣ ରୂପ ।
ତ୍ରିଭୁବନ ନାଥ ହୋଇ, ଅନୀତି କଲ କିପାଇଁ,
ମୋତେ ବିନା ଦୋଷେ କଲ ଏଡ଼େ କୋପ ହେ ।

ରଘୁନାୟକ । ଲୁଚି ବିନ୍ଧିଲ କିପାଇଁ ଏଡ଼େ ସାୟକ ।
ମୁଁ ଯେ ଶୁଣିଥିଲି ତୁମ୍ଭେ ବଡ଼ ବିବେକ ।
ଇକ୍ଷାକୁକୁଳେ ଲଗାଇଲ କଳଙ୍କ ।
ଗଜକୁ ବିନ୍ଧିଲେ ଦନ୍ତ, ଗଜମୋ‌ତୀ ପାଇଥାନ୍ତ,
ସିଂହକୁ ବିନ୍ଧି ଦିଶନ୍ତା ବଳ ।
ମୃଗକୁ ବିନ୍ଧିଲେ ମୃଗମାଂସ ହୋଇଥାନ୍ତା ଭୋଗ ।
ମୃଗକପି ବିନ୍ଧି କି ଲଭିଲ ଫଳ ହେ ।
ତେଡ଼େ କୂଳେ ଜାତ ହୋଇ, ଏଡ଼େ ଅନୀତି କିପାଇଁ,
କ୍ଷତ୍ରିଙ୍କର ଚିକି ଏ ବ୍ୟଭାର ।
ମୋର ଭ୍ରାତ । ସଙ୍ଗେ ମୁହିଁ ସମର କରୁଥିଲଇଁ,
ତୁମ୍ଭେ କିପାଇଁ ମୋତେ କଲ ପ୍ରହାର ହେ ।
ଆସିବା ବେଳରେ ତାରା, ଲେଉଟାଇ ନେଉଥିଲା,
ଜାଣି ତୁମ୍ଭ ଅବିବେକ ପଣ ।
ମୁଁ ବୋଇଲି ରାମଚନ୍ଦ୍ର ଧର୍ମକୁଳେ ଜାତ ହୋଇ,
ମୋତେ ଅଧର୍ମ କରିବେ କି କାରଣ ହେ ।
ଶ୍ରୀରାମ ବୋଲନ୍ତି ତାଙ୍କୁ, ନୃପ ପେଷିଲେ ଆମ୍ଭଙ୍କୁ,
ଅଧର୍ମିକି ଦଣ୍ତ ଦେବାପାଇଁ ।
ଜ୍ୟେଷ୍ଠଭାଇ ହୋଇ କନିଷ୍ଠଭାଇ ଭାରିଯା ହର,
ଏ ପାପ ମନେ ବିଚାର କର ନାହିଁ ହେ ।
କପିରାଜନ ।
ଏହି ଦଣ୍ତକୁ ଅଟ ତୁମ୍ଭେ ଭାଜନ ।
ଆଉ ଦଣ୍ତ ତୁମ୍ଭଙ୍କୁ ନ ଦେବ ଶମନ ।
ବୋଲେ ବିଶି ହୋଇଲା ସେ ମଉନ ହେ ।

ଦ୍ୱାଦଶ ଛାନ୍ଦ
ରାଗ-କାମୋଦୀ

ତାରା କ‌ହଇ ବାଣୀ, ଶୁଣ ହେ ରଘୁମଣି, ଏଡ଼େ ଅଧର୍ମ କିପାଁ କଲ ।
ବନବାସକୁ ଆସି, ମୋର ପ‌ତିଙ୍କି ନାଶି, ଏଥିରେ କି ଯଶ ପାଇଲ ହେ ।
ରଘୁନାଥ । ଆଜ ମୁଁ ହୋଇଲି ଅନାଥ ।
ଧିକ ଧିକ ହେ ପଣ, ଦେଖି ହେ ରଘୁରାଣ, ଦଶରଥହିଁ ତଡ଼ି ଦେଲେ ।
କୈକେୟୀସୁତ ଭ୍ରତ, ଅଯୋଧ୍ୟାରେ ରାଜତ୍ୱ, ରାଜେନ୍ଦ୍ର ପଣ ତାଙ୍କୁ ଦେଲେ ହେ ।
ତୁମ୍ଭ ଉପର ବଂଶ, ଭଗୀରଥ ନରେଶ, ଗଙ୍ଗାକୁ ଶୂନ୍ୟରୁ ଆଣିଲେ ।
କପିଳ କୋପାନଳେ, ଦଗ୍ଧ ହୁଅନ୍ତେ ବାଳେ, ଢାଳି ଶୀତଳ ତାଙ୍କୁ କଲେ ହେ ।

ପୂର୍ବେ ମୁଁ ଶୁଣିଥିଲି, ବଡ଼ ଧାର୍ମିକ ବୋଲି, ଏବେ ଦେଖିଲି ବଡ଼ମନ୍ଦ ।
ଏଡ଼େ ପ୍ରାକର୍ମ ଯେବେ, ବହିଛ ଭୁଜଦଣ୍ତେ, କିପାଁ ହାରିଲା ଦଶକନ୍ଧ ।
ରାମ ବୋଲନ୍ତି ସ‌ତୀ, ମୋର ଦୋଷ ନାହିଁଟି, ତାଙ୍କ ଅଧର୍ମେ ସେହି ମଲେ ।
ଜ୍ୟେଷ୍ଠଭାଇ ହୋଇଣ କନିଷ୍ଠ ଭାରିଯାକୁ, ବଳତକାରରେ ହରିଲେ ଗୋ ।
ମହାସ‌ତୀ । ଆଜ ମୁଁ ଫେଡ଼ିବି ଦୁର୍ଗତି ।
ଅଉଷଧି ଦେଇଣ, ରଖିବି ତାର ପ୍ରାଣ, ଜିଆଇ ଦେବି ତୁମ୍ଭ ପ‌ତି ।
ତାରା ରାମର ବାଣୀ, ଶୁଣି ସେ କପିମଣି, ସଚେତ ହୋଇ ଉଠି ବସି ।
ରାମ ମୁଖକୁ ଚାହିଁ, କ‌ହିଇ ବିକଳାଇ, ଶୁଣ ଧାର୍ମିକ ରଘୁବଂଶି ହେ ।
ରଘୁନାଥ । ଆଜ ମୁଁ ହୋଇଲି କୃତାର୍ଥ ।
ଧିକ ଧିକ ହେ ପଣ, ଧିକ ହେ ରଘୁରାଣ, ଧିକ ଏ କୋଦଣ୍ତ ଭାରତ ।
ଏତେ ବୋଲିଣ ବାଳୀ, ପଡ଼ିଲା ମହୀସ୍ଥଳୀ, ଅନ୍ତରୀକ୍ଷରେ ପ୍ରାଣ ଗଲା ।
ବୋଲଇ ବିଶି ଶୁଣ, ଦେଖ ବାଳି ମରଣ, ବୈକୁଣ୍ଠ ପୁରରେ ମିଳିଲା ।
ରଘୁନାଥ । ଆଜ ମୁଁ ହୋଇଲି କୃତାର୍ଥ ।
ଧିକ ଧିକ ଇତ୍ୟାଦି

ପଞ୍ଚବିଂଶ ଛାନ୍ଦ
ରାଗ-ଗଡ଼ମାଳିଆ ବୃତ୍ତ

ଉଭା ଯୂଥପ‌ତି ଗଣ । ନାମ ଧରି ଧରି ଚିହ୍ନାଇ ଦ୍ୟନ୍ତି ଯେ ।
ରାମଙ୍କୁ ତାରାରମଣ । ଦେଖ ଦେବ ହେ ।
ଅଙ୍ଗଦ ହ‌ନୁ ସୁଷେଣ । ଗଜ ଜାମ୍ବବନ୍ତ କେଶରୀ ବୀର ହେ ।
ଭୀମ‌ଯାନିର ରମଣ । ଦେଖ ଦେବ ହେ ।
ପଞ୍ଚବିଂଶ ସେନା ଏହି । ଏହାଙ୍କ ସଙ୍ଗେ କୋଟି କୋଟି କପି ହେ ।
କଳନା ହେବାକୁ ନାହିଁ । ଦେଖ ଦେବ ହେ ।
ବିନୋଦ ସେନାକୁ ରାଇ । ଆଜ୍ଞା ଦେଲେ କପିକୁଳର ସାଇଁ ଯେ ।
ପୂର୍ବଦିଗେ ଖୋଜ ଯାଇଁ । କି ମୋ ବନ୍ଧୁ ହେ ।
ଜନ‌କରାଜା ଦୁଲଣୀ । ବାରତା ମାସକେ ନ ଦେଲେ ଆଣି ଯେ ।
ପକାଇବି ଶିର ହାଣି । କି ମୋ ବନ୍ଧୁ ହେ ।
ଗବୟ, ଗବାକ୍ଷ, ଗଜ । ଦୁର୍ବିନ୍ଦ, ତାର, ନଳ, ନୀଳ, ସୁଷେଣ ଯେ ।
ହ‌ନୂମତ ଯୁବରାଜ । କି ମୋ ବନ୍ଧୁ ହେ ।
ଜାମ୍ବବ ଗନ୍ଧମାଦନ । ବୋଲେ କପିରାଜ ତୁମ୍ଭେ ସେ ବେଗେ ହେ ।
ଦକ୍ଷିଣେ ଯାଅ ବ‌ହ‌ନ । କି ମୋ ବନ୍ଧୁ ହେ ।

ମାସେ ନ ପୂରୁଁ ଆସିବ । ଦକ୍ଷିଣସିନ୍ଧୁ ମଧ୍ୟେ ଯେତେ ଗିରି ହେ ।
ସବୁ ବୁଲିଣ ଖୋଜିବ । କି ମୋ ବନ୍ଧୁ ହେ ।
କେଶରୀ ବୀରକୁ ଚାହିଁ । କ‌ହ‌ନ୍ତି ତାହାକୁ ପାଶକୁ ରାଇ ଯେ ।
ଖୋଜିବ ପଶ୍ଚିମେ ଯାଇଁ । କି ମୋ ବନ୍ଧୁ ହେ ।
ଶ୍ରୀରାମଚନ୍ଦ୍ର ଘରଣୀ । ବାରତା ମାସକେ ନ ଦେଲେ ଆଣି ଯେ ।
ଦଣ୍ତ ଦେବି ସ‌‌ତ୍ୟବାଣୀ । କି ମୋ ବନ୍ଧୁ ହେ ।
ଶତବଳ ସେନାପ‌ତି । ତାହାଙ୍କୁ ରାଇଣ କ‌ହ‌ନ୍ତି କତି ଯେ ।
ଉତ୍ତରେ ଯାଅ ତଡ଼ତି । କି ମୋ ବ‌ନ୍ଧୁ ହେ ।
ପୃଥିବୀରେ ସ୍ଥାନ ଯେତେ । ସୁଗ୍ରୀବ ତାହାଙ୍କୁ କ‌ହିଲେ କେତେ ଯେ ।
ବିଶି କି କ‌ହିବି ଗୀତେ । କି ମୋ ବ‌ନ୍ଧୁ ହେ ।

ଅଥ ସୁନ୍ଦରାକାଣ୍ତ
ଚତୁର୍ଥ ଛାନ୍ଦ
ରାଗ - ସିନ୍ଧୁଡ଼ା

ରାବଣର ବାଣୀ ଶୁଣି ଠାକୁରାଣୀ ବୋଲନ୍ତି ଆରେ ପାମର ।
ରାମ ଜାଣିଥିଲେ ଜୀବନେ ନ ଥାନ୍ତୁ ନ ଥାନ୍ତ । ଏ ଲଙ୍କାପୁର ରେ ।
ନାଶ ଯିବ ସମ୍ପଦ । ରାମ ସଙ୍ଗେ ଯେ କଲୁ ବିବାଦ ରେ ।
ଶୁଣି ନାହୁଁ ଧନୁର୍ଗୁଣ ନାଦ ରେ । ନିକଟରେ ଅଛି ତୋ ବିପଦ ରେ ।
ତୁ ଛାର ପାପିଷ୍ଠ ଦୁରାଚାର ନଷ୍ଟ ଛୁଇଁବୁ ମୋର ଶରୀଋ ।
ନିଶ୍ଚେ ଜାଣିଥାଅ ତୋତେ ମାରି ମୋତେ ନେବେ ଏଥୁଁ ରଘୁବୀର ରେ ।
ପୋଡ଼ି ଯିବ ଏ ଲଙ୍କା । ପର ଯୁବତୀକି ନାହିଁ ଶଙ୍କା ରେ ।
ମରିବାକୁ ନାହିଁ ତୋର ଦକା ରେ । ରାମ ପାଇନାହାନ୍ତି ଆଶଙ୍କା ଯେ ।
ଯାହା ତୁ କ‌ହୁଛୁ ଅପ୍ରାଧ ପାଉଛୁ ଛିଡ଼ି ନ ପଡ଼େ ରସନା ।
ଛିଡ଼ିବ ଏକାବେଳକେ ଦଶଶିର ରାମ ହେଲେ କୋପମନା ସେ ।
ରଘୁକୁଳକର‌ତା । ପାଇ ନାହାନ୍ତି ମୋର ବାରତା ସେ ।
ଖୋଜୁଥିବେ ବନ‌ଗିରି ଲତା ସେ । ଝୁରୁ ଥିବେ ପାଇଣ କୃଶତା ସେ ।
ଜାନ‌କୀ ବଚନ ଶୁଣି ଦଶାନନ କୋପେ ବୋଲଇ ବଚନ ।
ବେନିମାସେ ମୋତେ ରାମ ଦେଖାଇବୁ ନୋହିଲେ ହେବୁ ବ୍ୟଞ୍ଜନ ଯେ ।
ଏହି ସମୟ ଜାଣି । ମିଳିଗଲା ମନ୍ଦୋଦରୀ ରାଣୀ ଯେ ।
କ‌ହେ ତ୍ରିଜଟା ହୋଇଣ ବଶ ଯେ । ଦେବ ମନ ନ କର ବିରସ ସେ ।
ରକ୍ଷା-ଅସୁରୀଙ୍କି ଶିଖାଇ ରାବଣ ମନ୍ଦିରକୁ ବାହୁଡ଼ିଲା ।
ମନ୍ଦୋଦରୀକି ଘେନି ପୁଣି ପୁଷ୍ପକ‌ଯାନପରେ ପ‌ହୁଡ଼ିଲା ଯେ ।

ବେଢ଼ି ରକ୍ଷାଦ‌ନୁକୀ । ଭୟ କରାନ୍ତି ବ‌ହୁ ଗରଜି ଯେ ।

କି କାରଣେ ରାବଣେ ନ ଭଜି ଗୋ । ତୋର ମାଂସକୁ ଖାଇରୁ ଗୁଳ ସେ । ସମସ୍ତ ବ୍ୟକ୍ଷସୀ ଢୋହର ମାଂସକୁ ବାଣ୍ଟି ଖାଇରୁ ଗେ) ସୌଜେ । କର୍ମୀ ଗୁଣର ଭୟା ଭୁ ବୋହୂ ବସ୍ତୁର ଭୂଞ୍ଜନ୍ତୁ କେତେ ଯେ ! ଶୁଣି ଦେବୀ କାଘର । ନନରୁ ବହେ ମରଧର । ମଟନ ଚନ୍ତା କଲେ ରଘୁର ଯେ ! ବଣି ଭର୍ ସୀତା ପର ଯେ । ସପ୍ତମ ଛନ୍ଦ ସ୍ୱାଗ—ଭୋଗୀ ଏକଭାଲୀ ଶିଶୁଧବୃକ୍ଷର ତାଲେ, ହନୁ ମନେ ମନେ ଭୁଲେ, ନଷ୍ଟ ଜନଙ୍କ ଜନକନନ୍ଦମୀ ଦେଖିଲଇଁ ବେନଡୋଳେ । କ ଗ୍ରାକଲେ । ମୁଁ ଖିରୁ ଚନ୍ଦ୍ରବଦନ, ନରରେ ନରସେଚନ, ତେବେହେଁ ଶୋଭାକୁ ଉପମା ଦେବାକୁ ନାହିଁ ନ ଏସ୍ଟି ଭୁବନ । ନାରଜନ । ବହୁ କ ନ କରେ ପୁଣି, ଶ୍ରୀସ୍ମଚନ୍ଦ୍ର ଘରଣୀ, 'ଅସୁରକ୍ଷୁରେ 'ଅସୁର ଜଗିଛନ୍ଧ୍ର ଜଗତର ଠାକୁର । ରମଣୀମଣି । କହନ୍ତେ ବଣାହୁଗୁଣ, ଶୁଭ ସଙ୍ଗେ ଶ୍ରବଣ, ଭରୁକୁ ସ୍ଫୁଲେ ମଧ୍ୟ ଗୋଟିଏ କହେ ଗ୍ରଙ୍କର ଗୁଣ । ସେ ପୁଣ୍ଣ ପୁଣ । କପି ରୁ କାହୁଁ ଅଇଲ୍ ଶ୍ରୀକ୍ରମ ନାମ ଧରଲ୍, ହୃଦୟ ମୋହର ଦହନକାଳରେ ଚନ୍ଦନ ଲେପନ କଲୁ । ଯାହା କୋଇଲୁ । ହନୁ ବୋଲଈ ଗେ। ମାଜ, ଶ୍ରୀରମଚନ୍ଦ୍ର ଙ୍କ ଦୂଢ, ଏମନ୍ତ କହିଣ ଚରଣ ଭଲରେ ପଡ଼ିଲ ଯାଇଁ ଭୂରଜ । ସେ ଗ୍ରାମ ଦୂତ । ଶ୍ରୀଗ୍ରାମ-ମୁଦ୍ର ଦେଲେ, ସଙ୍କେଜମାନ କହିଲେ, ଭୁଙ୍କ_ ପୃଯାକ ଖୋଳୁ ଅର୍ନ୍ତ ଅଞ୍ଜନ ସୁଭ କହିଲେ । ପ୍ରଶିଦ୍ଧ ଗଲେ । ଗ୍ରାମ କଲେ ବାଲୀ ହଜ, ସୁଗ୍ରୀସଙ୍ଗେ ହେଲେ ମିତ, କୋଟି କୋ କପି ମୋହର ସମନେ ହୋଇଗୁଁ ପ୍ରଭୁଙ୍କ ନୃତ୍ୟ ।

କହଲ ସଭ୍ୟ ।

ସମୁଦ୍ର ଡ଼େଇଁ ଅଇଲି, ଲଙ୍କାଗଡ଼ରେ ପଶିଲି,
ତୁମ୍ଭ ଶ୍ରୀଚରଣ ଦର୍ଶନ ନ ପାଇ ପ୍ରାଣ ମୁଁ ହରାଉଥିଲି ।
ଭଲା ଦେଖିଲି ।
ରାମ ମାଲ୍ୱବନ୍ତ ଗିରି, ଶିଖେ ଛନ୍ତି ବିଜେ କରି,
ସୁଗ୍ରୀବ ସ‌ହିତେ ଅନେକ ମର୍କଟ ବନ ଗିରି ଛନ୍ତି ପୂରି ।
ସେ ଋକ୍ଷ ହରି ।
ଆସ କନ୍ଧେ ମୋର ବସ, ଘେନି ଯିବି ରାମ‌ପାଶ,
ରାବଣ ସ‌ହିତେ ମାରନ୍ତି ପ୍ରଭୁଙ୍କ ପ୍ରତିଜ୍ଞା ହୋଇବ ନାଶ ।
ଦେଖ ସାହସ ।
ଶୁଣିଣ ଦେବୀ ହରଷ, ହ‌ନୂକୁ ବସାଇ ପାଶ,
ବୋଲଇ ବିଶି ବିଶ୍ୱାସ କଥା ଶୁଣି ସଂଶୟ ହେଲା ବିନାଶ ।
ଏ ରାମରସ ।

ନବମ ଛାନ୍ଦ[ସମ୍ପାଦନା]

'ରାଗ-ଅହାରୀ-ଅଦ୍ୟମାଗୁଶୀର ବାଣୀ[ସମ୍ପାଦନା]

କ‌ହ ହ‌ନୂ ମୋର କାନ୍ତର କୁଶଳ ଲକ୍ଷ୍ମଣର ସର୍ବ କୁଶଳ ।
ମରକତ ହେମ ବେନି କଳେବର ହୋଇ ନାହାନ୍ତି ନା ଦୁର୍ବଳ ।
ହ‌ନୂ ହେ, ବେନି ଭାଇଙ୍କର କୁଶଳ ।
କୁଶଳ କରି ଲକ୍ଷ୍ମଣ ସେବା କରିଥାନ୍ତିଟିକି ପାଦକମଳ ।
ମୋର ବିଚ୍ଛେଦ ହୋଇଲା ଦିନୁ ତନୁ ଦୁର୍ବଳ ହୋଇଥିବ ପରା ।
ଅଧୈଯ୍ୟ ହୋଇଲେ ଲକ୍ଷ୍ମଣ ତାହାଙ୍କୁ କରାଉଥାନ୍ତିଟିକି ଧୀରା ।
ହ‌ନୂ ହେ, ମୋତେ ଏ‌ଥୁଁ ନିଶ୍ଚେଁ ନେବେ କି ।
ବାନରବଳ ଘେନି ସିନ୍ଧୁ ପାରି କି ହୋଇ ଏଥକୁ ଆସିବେ କି ।
ବୋଲଇ ଯେ ହ‌ନୂ କନ୍ଧରେ ବସାଇଁ ଶ୍ରୀରାମ ପାଶେ ଘେନିଯିବି
ସ୍ୱଇଚ୍ଛାରେ ମୁହିଁ କେମନ୍ତ ପ୍ରକାରେ ପୁରୁଷ ଅଙ୍ଗକୁ ଛୁଇଁବି ।
ହ‌ନୂ ହେ, ଚୋରାଇ ରାବଣ ଆଣିଲା ।
ତୁମ୍ଭେ ଚୋରାଇ ଘେନିଗଲେ ପ୍ରଭୁଙ୍କ ଯଶ ଆଉ କାହିଁ ରହିଲା ।
ବିଶ୍ରବାନନ୍ଦନ ଆସିଣ ଏଠାକୁ କଣ୍ଟ ଯେ ବେନିମାସ କଲା ।
ବେନିମାସେ ମୋତେ ରାମ ଲକ୍ଷ୍ମଣ ଦେଖାଇବୁ ବୋଲି ବୋଇଲା ।
ହ‌ନୂ ହେ, ଏକମାସ ଥିବ ପ୍ରାଣ ହେ ।
ପ୍ରାଣ ଥାଉଁ ଥାଉଁ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ରକରି ତୁମ୍ଭେ ଆଣ ହେ ।
କିପାଁ ହ‌ନୂ ମୋରପାଇଁ ରାମ ଦେଲେ କଉପଲ୍ଲବରୁ ମୁଦ୍ରିକା ।
ଶୂନ୍ୟ ଯେ ଦିଶୁଥିବ ମୋ ପ୍ରଭୁଙ୍କର କରକମଳ ଅନାମିକା ।

ହ‌ନୂ ହେ, ଏ ମୁଦ୍ରିକା ନୋହେ ଅନ୍ତର ।
ପ୍ରଭୁଙ୍କ କରେ ଥାଇଣ ମୋର ତନୁ ଭ୍ରମୁ ଯେ ଥାଇ ନିରନ୍ତର ।
ମୁଦ୍ରିକା ମସ୍ତକେ ଲଗାଇ ଆପଣା-ପଣ‌ନ୍ତରେ ବାନ୍ଧି ରଖିଲେ ।
ମସ୍ତକୁଁ ମଣି ବାହାର କରି ପୁଣି ହ‌ନୂ କରରେ ସମର୍ପିଲେ ।
ହ‌ନୂ ହେ, ମୋଠାରେ କରୁଣା କରିବେ ।
ଦୀନ‌ଜନଠାରେ କରୁଣା କଲେଟି କରୁଣାସିନ୍ଧୁ ବୋଲାଇବେ ।
କ‌ହିବ ହ୍ନୁ ହେ ଏତେକ ମାତ୍ରକ ମୋହର ବିନୟ ଉଦନ୍ତ ।
କେବଳ ମୋହର କଲା ଅପରାଧ କ୍ଷମା କରିବେ ମୋର କାନ୍ତ ।
ହ‌ନୂ ଯେ, ପ୍ରବୋଧ କରିଣ କ‌ହଇ ।
ବୋଲେ ବିଶି ରାମ ଛାମୁରେ ଜଣାଇ ନିକଟେ ଆଣିବି ବୋଲଇ ।

ଊନବିଂଶ ଛାନ୍ଦ[ସମ୍ପାଦନା]

ରାଗ-ଆହାରୀ[ସମ୍ପାଦନା]

ଜାନ‌କୀ‌କାନ୍ତ, ହ‌ନୂ ସଙ୍ଗେ ଏକାନ୍ତ । ଆଲିଙ୍ଗନ କରିଣ ପୁଚ୍ଛନ୍ତି ଉଦନ୍ତ ।
କିସ ବାରତା, ଦେଇଅଛି ବନିତା । କ‌ହ କ‌ହ ହ‌ନୂ ପ୍ରତେ ଯିବଇଁ ମୁଁ ତା ।
ଶ୍ରୀରାମ ବାଣୀ, ମରୁତସୁତ ଶୁଣି । ବସନ ଫେଡ଼ିଣ ଦେଲେ ମସ୍ତକ ମଣି ।
ଦେଖିଣ ରାମ, ହୋଇଲେ ପୂର୍ଣ୍ଣକାମ । ଗଳାରେ ତାହା ଗୁନ୍ଥିଣ କଲେକ ଦାମ ।
ଆହା ସେ ରାମା, ମୋ-ନୟନପ୍ରତିମା । ବିମ୍ବାଧରୀ ଗଉରୀ ସର୍ବସୁଖଧାମା ।
ଅସୁରୀଚୟ, ତାଙ୍କୁ କରାନ୍ତି ଭୟ । ଭୟାଳୁ ସେ ମୋତେ ମନେ ରଖି ନିର୍ଭୟ ।
ଜ‌ନ‌କଜେମା, ସେ ମୋର ପ୍ରିୟତମା । ହୋଇଛି କୃଷ୍ଣପକ୍ଷ ଚତୁର୍ଥୀ ଚନ୍ଦ୍ରମା ।
ଯେତେ ଅସୁର, ଥିବେ ସେ ଲଙ୍କାପୁର । ମାରିଣ ଆଣିବି ନିଶ୍ଚେଁ ଜାନ‌କୀ ମୋର ।
ଶ୍ରୀରାମରାଜ, ହ‌ନୂ କନ୍ଧେ ଶ୍ରୀଭୁଜ । ଦେଇଣ ହକରାଇଲେ ସେ କପିରାଜ ।
ସୁଖେ ସୁଗ୍ରୀବ, ଆମ୍ଭ କାର୍ଯ୍ୟ କରିବ । ଲଙ୍କା ବିଜୟ କରିବା ସୈନ୍ୟ ସାଜିବ ।
ଶୁଣିଣ ମିତ, ସୈନ୍ୟ ସାଜେ ତ୍ୱରିତ । ବୋଲେ ବିଶି ସୁନ୍ଦରାକାଣ୍ତ ସମାପତ ।

ଲଙ୍କାକାଣ୍ତ[ସମ୍ପାଦନା]

ପଞ୍ଚମ ଛାନ୍ଦ[ସମ୍ପାଦନା]

ରାଗ-ସରସବସନ୍ତ[ସମ୍ପାଦନା]

ରାବଣ ଛାମୁରେ ଜଣାଇଲାକ ଡ଼ଗର ।
ଭୋ ଦେବ ତ୍ରିଭୁବନ ବିଜୟୀ ଲଙ୍କେଶ୍ୱର ।
ଶ୍ରୀରାମ ଲକ୍ଷ୍ମଣ କପିରାଜ ସଙ୍ଗେ ଘେନି ।
ବିଜୟ କଲେ ମହୀନ୍ଦ୍ରଗିରିର ମୂର୍ଦ୍ଧନି ।

ଲଙ୍କାପୋଡ଼ି କପି ଦେବ ବାରତା କ‌ହିଲା
ସେହିଦିନୁ କପି ସୈନ୍ୟ ଘେନିଣ ଅଇଲା
ଗଜସମ କୋଟି କୋଟି ଅଛନ୍ତି ମର୍କଟ ।
ବିବିଧ ବର୍ଣ୍ଣରେ ହୋଇଛନ୍ତି ସେ ପ୍ରକଟ ।
ବଳ କଳିବାକୁ ନ ଦିଶିଲାକ ଉପାୟେ ।
କିସ୍କିନ୍ଧ୍ୟାରୁ ଲାଗିଛନ୍ତି ସିନ୍ଧୁକୂଳ‌ଯାଏ ।
ଶୁଣି ଚାର ମୁଖରୁ ବାରତା ଲଙ୍କେଶ୍ୱର ।
ବୋଲେ ବିଶି ଶୁଖାଇଲା ତା ଦଶ ଅଧର ।

ଅଷ୍ଟାଦଶ ଛାନ୍ଦ[ସମ୍ପାଦନା]

ରାଗ-ସିନ୍ଧୁକାମୋଦୀ ନନ୍ଦାବାଈ ଚଉତିଶା ବାଣୀ[ସମ୍ପାଦନା]

ରାବଣକୁ ଦର୍ଶନ କରିବ ବେନିଜନ ରାମଙ୍କ ବୃତାନ୍ତ କ‌ହିଲେ ।
ବିଭୀଷଣ ଆମ୍ଭଙ୍କୁ ଚିହ୍ନି ବନ୍ଧନ କରି ରାମ ଛାମୁରେ ଉଭା କଲେ ସେ ।
ଆହେ ଦେବ । ସେ ଆମ୍ଭଙ୍କୁ ବନ୍ଧନୁ ଫେଇ ।
ଛାଡ଼ି ଦେଲେ । ସକଳ ସୈନ୍ୟନ୍ତ ଦେଖାଇ ।
ଭାଗ୍ୟବଳରେ ଆମ୍ଭେ ଜୀବନରେ ଅଇଲୁଁ ଚିହ୍ନିଲୁଁ ଯୁଥପତି ତ‌ହିଁ ଯେ ।
ଶୁଣି ତାଙ୍କ ବଚନ ନୃପତି ଦଶାନନ ସେ ବେନି ସଙ୍ଗେ ଘେନିଗଲା ।
ଉଠନ୍ତେ ମହାଭୟ କେବଳ ହେମମୟ ଉଚ୍ଚ ଜଗତୀ ଆରୋହିଲା ସେ ।
ଲଙ୍କପାଳ । ଦେଖିଲେ ରାମ କପିବଳ ।
ପୂରିଛନ୍ତି । ମହୀ ଆବର ବନାଚଳ ।
ସିନ୍ଧୁ କି କୂଳ ଲଙ୍ଘି ଆସଇ ମହାଜଳ ଅନାଇ ହୋଇଲା ତରଳ ସେ ।
ସାରଣକୁ ପୁଚ୍ଛଇ କ‌ହ ମୋତେ ଚିହ୍ନାଇ ଏମାନେ କେଉଁ କେଉଁ କପି ।
ଆମ୍ଭ ଲଙ୍କାକୁ ଚାହିଁ ତନୁରୁହ ଫୁଲାଇ ହେଉଛନ୍ତିତ ମହାକୋପୀ ଯେ ।
ହେ ସାରଣ । କ‌ହ ଏମାନଙ୍କର ନାମ ।
କେମନ୍ତେ ସେ । ଦେଖା ମୋତେ ଲକ୍ଷ୍ମଣ ରାମ ।
ବିପୁଳ ଶାଖାମୃଗମାନେ ଦିଶୁଅଛନ୍ତି ଗୋଟି ଗୋଟିକେ ଗଜସମ ସେ ।
ଶୁଣି କ‌ହେ ସାରଣ ଶୁଣ ଦେବ ରାବଣ ଲଙ୍କାକୁ ଚାହିଁ ଯେ ଗର୍ଜ୍ଜଇ ।
ବାନର ସେନାପତି ପବନପ୍ରାୟ ଗତି ଏହା ନାମ ନୀଳ ଅଟଇ ଯେ ।
ଆହେ ଦେବ । ଶତସ‌ହସ୍ରକୋଟି କପି ।
ଏହା ସଙ୍ଗ । କ୍ଷଣେ ନ ଛାଡ଼ନ୍ତି ଅଦ୍ୟାପି ।
ଦେଖ ଏ ଶତବଳ ଏହାର ଅଙ୍ଗବଳ ବନ ଗିରି-ଅଛନ୍ତି ବ୍ୟାପି ଯେ ।
ବିଶ୍ୱକର୍ମାର ବାଳ ଉଭା ହୋଇଛି ନଳ ଏହି ସାଗରେ କଲା ସ୍ଥଳ ।
ଏହାର କର ଲାଗି ସେତୁ ହୋଇଲା ଦେବ ଅଇଲେ ଋକ୍ଷ କପିବଳ ଯେ ।

ଆହେ ଦେବ । ଏହା ବୁଦ୍ଧି ଅପରିମିତ ।
ଶତକୋଟି । ହରିବଳ ଛନ୍ତି ବ‌ହୁତ ।
ଏଟି ଦୁର୍ବିନ୍ଦ ସ୍ୱର୍ଗେ ଅମୃତ ପାନ କଲା ଜିଣିଣ ଦେବ ପୁରୁହୂତ ଯେ ।
ଏଟି ମହୀନ୍ଦ୍ର ଦେବ ପୁଚ୍ଛ ହଲାଉଅଛି ଏହାର କୋଟି କପିବଳ ।
ଏଟି ଗନ୍ଧମାଦନ ସ‌ହସ୍ରକୋଟି ସୈନ୍ୟ ସଂଗ୍ରାମେ ଏ ଦ୍ୱିତୀୟକାଳ ଯେ ।
ଆହେ ଦେବ । ମହା ବଳିଷ୍ଠ ଏ ସୁଷେଣ ।
ଶତଲକ୍ଷ । କୋଟି ଏହାର କପିଗଣ ।
ସୁଗ୍ରୀବର ଶ୍ୱଶୁର ବିଶ୍ୱାସ ଏ ରାମର ଅଛି ଏହାର ବୈଦ୍ୟ ପଣ ଯେ ।
ଦେଖ ଏ ହ‌ନୂମନ୍ତ ପବନ‌ଦେବସୁତ ଏହାର ସୈନ୍ୟ ଅପ୍ରମିତ ।
କେତେ ସ‌ହସ୍ର କୋଟି କପି ଏହା ସଙ୍ଗରେ ନ ଜାଣେ ଏଥିର ତଦନ୍ତ ଯେ ।
ଆହେ ଦେବ । ଋକ୍ଷଙ୍କ ପତି ଏ ଜାମ୍ବବ ।
ଏହା ସଙ୍ଗେ । ଭଲ୍ଲୂକ ବଳ ଅସମ୍ଭବ ।
ଲକ୍ଷ ଲକ୍ଷ ହୋଇଣ ଯାହା ଭଲ୍ଲୂକ ବଳ ତାହା କେ କଳନା କରିବ ଯେ ।
ଦେଖ ଉଭା ସୁଗ୍ରୀବ ହେମମାଳାଏ ଗ୍ରୀବ ଏଟି ବାନରକୁଳରାଜ ।
ଏହାର ପାରଶ୍ୱରେ ଦେବ ଅଙ୍ଗଦ ଉଭା ବାଳି ନୃପତିର ଆତ୍ମଜ ଯେ ।
ଆହେ ଦେବ । ପାରନ୍ତି ନାନାରୂପ ଧରି ।
କାମରୂପୀ । ଅଟନ୍ତି ଏ ସକଳ ହରି ।
ଏତେ କ‌ହି ସାରଣ ପଛ ଘୁଞ୍ଚା ଦେଇଣ ମନରେ ମହାଭୟ କରି ସେ ।
ଶୁକ ଦେଖାଇ କ‌ହେ ଦୁର୍ବାଦଳଶରୀର ପୁଣ୍ତରୀକନୟନ ରାମ ।
ଏଟି ଜାନ‌କୀବର କୋଦଣ୍ତ ଶର କର ଛବି ନିନ୍ଦା କରୁଛି କାମ ହେ ।
ଆହେ ଦେବ । ତାଙ୍କ ପାରଶ୍ୱରେ ଲକ୍ଷ୍ମଣ ।
ଲଙ୍କା ଚାହିଁ । ଟଙ୍କାର କରୁଛନ୍ତି ଗୁଣ ।
ତାଙ୍କ ପାରଶ୍ୱେ ଉଭା ହୋଇଛି ଦେବ ତୁମ୍ଭ ସୋଦର ଭ୍ରାତା ବିଭୀଷଣ ଯେ ।
ଶୁଣିଣ ଲଙ୍କପତି କୁପିତ ହୋଇ ମତି ବ‌ହୁ ଉର୍ତ୍ସନା ତାଙ୍କୁ କଲା ।
ମନ୍ତ୍ରୀ ହୋଇଣ ତୁମ୍ଭେ ରାଜନୀତି ନ ଜାଣ ଡ଼ରାଉଅଛ ରେ ବୋଇଲା ସେ ।
ଆହେ ମନ୍ତ୍ରି । ଛେଦନ୍ତି ତୁମ୍ଭ ବେନି ଶିର ।
ପୂର୍ବେ ମୋତେ । କରିଛ ବ‌ହୁ ଉପକାର ।
ଯାହାକୁ ତୋଷ କଲେ ବ‌ହୁ ବିଭୂତି ପାଇ ତାହା କୋପରେ ଯାଇ ଶିର ଯେ ।
ମନ୍ତ୍ରୀ ହୋଇଣ ତୁମ୍ଭେ ରାଜାଛାମୁରେ ଶତ୍ରୁ ସୈନ୍ୟ ପାତ୍ରସମାନ କ‌ହ ।
ଏଣୁ ନୀତି ନ ଜାଣ ନ ପଢ଼ିଣ ନ ଶୁଣ ଗର୍ବତେ ହୋଇଅଛ ମୋହ ଯେ ।
ଆହେ ମନ୍ତ୍ରି । କ୍ଷମା କଲି ମୁଁ ଆଜ ଦୋଷ ।
ଆଉ ବେଳେ । ଏହା ନ କ‌ହିବ ମୋ-ପାଶ ।
ପିବଇ ଦୀନ ବିଶି ସକଳ ଦିନ ନିଶି ଶ୍ରୀରାମ ଚରିତପୀୟୁଷ ହେ ।

===ଦ୍ୱାବିଂଶ ଛାନ୍ଦ===

ରାଗ - ଚିନ୍ତାଭୈରବ ଗୋପବିଳାପ ବୃତ୍ତ[ସମ୍ପାଦନା]

 ଆହା ଧନୁର୍ଦ୍ଧର ବୀରବର । ଧନୁଶର ନ ଥିଲା କି କର ।
ଯାହାର ବାବ ବ୍ରହ୍ମାଣ୍ତ ଦ‌ହିପାରେ, ତାଙ୍କୁ ମାଇଲା ପ୍ରଶସ୍ତ ଛାର ହେ ।
ଦଇବ।
ଆଣୁ ନ ଥିଲେ ମୋତେ ମୋ ପତି । ଜାଣନ୍ତି ସେ ପଡ଼ିବ ବିପତ୍ତି ।
ମୂର୍ଚ୍ଛି ନ ପାରି ମୁଁ ସଙ୍ଗତେ ଅଇଲି, ତେଣୁ ହୋଇଲା ଏମନ୍ତ ରୀତି ହେ ।
ଦଇବ ।
ଚିରଂଜୀବୀ ଅଟନ୍ତି ଶ୍ରୀରାମ । ମୁନିବଚନ ହେଲା କି ଭ୍ରମ ।
ମୋତେ ବୋଲନ୍ତି ବିଧବା ଯୋଗ ନାହିଁ, ଏବେ କିପାଁ ହେଲା ଏଡ଼େ କର୍ମ ହେ ।
ଦଇବ ।
ଯେଉଁ ଯୁବତୀ ପତି ଆଗରେ । ମରେ ପୁଣ୍ୟବ‌ତୀ ବୋଲି ତାରେ ।
ଯୁବତି ଆଗେ ପତି ଯେବେ ମରଇ, ତାକୁ ଦୂଷିତ ହୋଏ ସଂସାରେ ହେ ।
ଦଇବ ।
ଯେବେ ଲକ୍ଷ୍ମଣ ଗଲେ ପଳାଇ । ମୋର ଶାଶୁଙ୍କୁ କ‌ହିବେ ଯାଇଁ ।
ସୀତା ନେଇ ଦୈତ୍ୟ ରାମଙ୍କୁ ମାଇଲେ, ଏହା ଶୁଣିଲେ ଜୀଇବେ ନାହିଁ ହେ ।
ଦଇବ ।
ତୁମ୍ଭେ ଜାଣତ ସକଳ ରୀତି । କିପାଁ ଜାଗର୍ତ୍ତ ନୋହିଲେ ରାତି ।
ମୁହିଁ ତୁମ୍ଭଙ୍କୁ କାଳରାତ୍ରି ହୋଇଲି, ମୋର ଯୋଗୁଁ ବିନାଶ ମୋ ପତି ହେ ।
ଦଇବ ।
ପୁଣି ଧନୁ ତୂଣୀକି ଅନାଇଁ । ଚିହ୍ନି ବିଳପନ୍ତି ଗୁଣ ଗାଇ ।
ଏହି କାଳରେ ପ୍ରଶସ୍ତ ଦ୍ୱାରେ ରହି, ତାର ଛାମୁକୁ କ‌ହି ପଠାଇ ସେ ।
ପ୍ରଶସ୍ତ ।
ଦୂତ ଶ୍ରବଣେ ବେଗେ ଜଣାଇଁ । ଦେବ ପ୍ରଶସ୍ତ ଆସିଛି ଧାଇଁ ।
ଜଣାଇ ପଠିଆଇଛି କ‌ପିମାନେ, ଗଡ଼ ପାଚେରୀ ପଡ଼ିଲେ ଡ଼େଇଁ ହେ ।
ଭୋ ଦେବ ।
ଶୁଣି ସ‌ତ୍ୱରେ ତ‌ହୁଁ ଅଇଲା । ପ୍ରଶସ୍ତକୁ ସବୁ ପଚାରିଲା ।
ରାବଣ ଆସିବା ମାତ୍ରେ ଶର ଧନୁ, ସେହିକ୍ଷଣି ଅଦୃଶ୍ୟ ହୋଇଲା ହେ ।
ସୁଜନେ ।
ଦଶଶିର ବୋଲେ ମାର କପି । ଦୈତ୍ୟମାନଙ୍କୁ ପେଶିଲା କୋପୀ ।
ବୋଲେ ବିଶି ଚଉପାଶରେ ଜଗିଲେ, ରାଜା ଆଜ୍ଞା ପାଇ ଥାଟ ବ୍ୟାପୀ ସେ ।
ଅସୁରେ ।

ଚାଳିଶ ଛାନ୍ଦ
ରାଗ - ଋଣବିଜେ ବୋଟାଇ ଗୁଣ୍ତିଚାବସନ୍ତ ବାଣୀ
କୁମ୍ଭକର୍ଣ୍ଣ ବଧ ଶୁଣିଣ ରାବଣ ମୂର୍ଚ୍ଛା ଯାଇଣ ପଡ଼ିଲା ।
କେତେହେଁକ ବେଳେ ଚେତନା ପାଇଣ ବ‌ହୁତ ବିଳାପ କଲା ।
ହେ ବୀର । ଯେଉଁ ଉରେ ବଜ୍ର ହେଲା ଚୁର । ତୋର ମାନବ କାଟିଲା ଶିର ।
ଆଜ ହୃଷ୍ଟ ହେବ ସୁନାଶୀର । ମୋତେ କି ବୋଲିବେ ତ୍ରୟପୁର ହେ ।
ଏ ଲଙ୍କା ସମ୍ପଦେ ମୋର କାର୍ଯ୍ୟ ନାହିଁ ଛାଡ଼ିଲି ଜୀବନ ଆଶ ।
ଜା‌ନ‌କୀରେ ମୋର କେଉଁ କାର୍ଯ୍ୟ ଅଛି ଭ୍ରାତା ଯେବେ ଗଲା ନାଶ ।
ହେ ଭ୍ରାତ । ମୋର ଛିଡ଼ିଲା ଦକ୍ଷିଣ ହାତ । ତୋତେ ମୁଁ ମରାଇଲି ବିଅର୍ଥ ।
ତୋର ବିହୀନେ ହେଲି ଅନାଥ । ସକାମରେ ଅର୍ଜିଲି ଅନର୍ଥ ହେ ।
ଅନୁଜ ବିଭୀଷଣ ବୋଲ ନ କଲି ନ କଲି ପ୍ରହସ୍ତ ବୋଲ ।
ଭଲ ଭଲ ଲୋକେ ଯାହା କ‌ହୁଥିଲେ ମଣିଲି ତାହା ମୁଁ ଶଲ ।
ହେ ଯିବି । ରାମ ଲକ୍ଷ୍ମଣଙ୍କୁ ସଂହାରିବି । ଋକ୍ଷ ବାନରଙ୍କୁ ନ ରଖିବି ।
ତାଙ୍କୁ ନ ମାଇଲେ ନ ଆସିବି । ଋଣ ଯଜ୍ଞ ମୁଁ ଆଜ କରିବି ହେ ।
ରାବଣ ବିଳାପ ଶୁଣିଣ ତ୍ରିଶିର ମହାକାୟ ମହୋଦର ।
ମହାପାରଶ୍ୱ ସ‌ହିତେ ନରାନ୍ତକ ଦେବାନ୍ତକ ଷଡ଼ବୀର ।
ସେମାନେ । କ‌ହେ ପ୍ରବୋଧ କରି ବଚନେ । ଦେବ କିପାଁ କର ଶୋକ ମନେ ।
ଆଜ୍ଞା ଦେଲେ ଯିବୁଁ ଆମ୍ଭେମାନେ । ଶତ୍ରୁ ମାରିବୁଁ ଏ ଅବଧାନେ ।
ମହୋଦର ମହାପାରଶ୍ୱ ଅଟନ୍ତି ରାବଣ କନିଷ୍ଠଭ୍ରାତ ।
ତାହାଙ୍କୁ ବୋଇଲେ ତୁମ୍ଭେ ନ ଛାଡ଼ିବ ଚାରିପୁତ୍ରଙ୍କର ସାଥ ।
ହେ ବୀରେ । ହେଳା ନ କରିବଟି ସମରେ । ନ ମଣିବ ଏ ନର ବାନରେ ।
ତାଙ୍କୁ ସମାନ ନୁହ‌ନ୍ତି ସୁରେ । ମଲେ ଜୀଅନ୍ତି କି ଉପାୟରେ ।
ରାବଣ ଛାମୁରୁ ମେଲାଣି ହୋଇଣ ବାହାର ସେ ଷଡ଼ବୀରେ ।
ଅନେକ ରଥ ଗଜ ଅଶ୍ୱ ପାଦାତିମାନେ ଅଛନ୍ତି ସଙ୍ଗରେ ।
ସେ ବୀରେ । ଅତିକାୟ ଚଢ଼ି ରହୁବରେ । ମହାପାରଶ୍ୱ ହସ୍ତୀ ଉପରେ ।
ବସି ତ୍ରିଶିର ହୟପିଠରେ । ଶସ୍ତ୍ରମାନ ଧରିଛନ୍ତି କରେ ।
ନରାନ୍ତକ ଦେବାନ୍ତକ ବେନିଭାଇ ମହାପାରଶ୍ୱକୁ ଘେନି ।
ଗଜ ଅଶ୍ୱ ରଥ ଚଢ଼ିଣ ଆଗୁଆ ହୋଇଛନ୍ତି ଏହି ତିନି ।
ସେ ଶୁର । ଆଗେ ବାଜୁଅଛି ବୀରତୂର । ଦେଖେ ପୁରି ଅଛନ୍ତି ବାନର ।
ଧରିଛନ୍ତି ଶିଳ ତରୁବର । ଦେଖି ଭୟ ପାଇଲେ ଅମର ।
ଋକ୍ଷ ରାକ୍ଷସ ବେନିବୀର ମିଶିଣ କଲେ ବ‌ହୁତ ସମର ।
ତରୁ ଶିଳ ନାନା ଶସ୍ତ୍ରଙ୍କ ବୃଷ୍ଟିରେ ନ ଦିଶିଲେ ଦିବାକର ।

ସେ ରଣେ । ମଲେ ବାନର ରାକ୍ଷସଗଣେ । ନରାନ୍ତକ ଅଶ୍ୱ, ଆରୋହଣେ ।
ବର୍ଚ୍ଛିଘେନି ଭୂଷଇ ଆପଣେ । କପି ମାଇଲା ଲକ୍ଷ ପ୍ରମାଣେ ।
ବାନର ମାରିବା ଦେଖିଣ ସୁଗ୍ରୀବ ଅଙ୍ଗଦକୁ ବୋଲେ ମାର ।
ବାଳିର କୁମର ଶୂନ୍ୟହସ୍ତେ ଉଭା ହେଲେ ଅସୁର ଆଗର ।
ସେ ବୀର । ବର୍ଚ୍ଛି ମାରେ ଅଙ୍ଗଦ ଉପର । ବାଜି ବରଛି ଭାଙ୍ଗିଲା ତାର ।
ଚାପୋଡ଼େ ମାଇଲେ ଅଶ୍ୱପର । ଅଶ୍ୱ ମାରନ୍ତେ ଉଭା ଅସୁର ।
ମୁଥେ ମାରନ୍ତେ ଅଙ୍ଗଦ ନରାନ୍ତକ ରୁଧିର ଉଦ୍ଗାରି ମଲା ।
ମହୋଦର ଗଜ ଚଢ଼ିଣ ଅଙ୍ଗଦସଙ୍ଗତେ ସମର କଲା ।
ସେ ହ‌ନୂ । ଶ୍ରାନ୍ତ ଦେଖିଣ ବାଳିର ସୂନୁ । ଓଗାଳନ୍ତେ କମ୍ପେ ଦୈତ୍ୟତନୁ ।
ଦେଖି ଦୈତ୍ୟ ବିନ୍ଧେ ଧରି ଧନୁ । ତାର ଶର ମଣେ ଚିତ୍ରଭାନୁ ।
ହ‌ନୁ ଶରଘାତ ତାହାର ସ‌ହିଣ ଗଜଦନ୍ତ ଉପାଡ଼ିଲେ ।
ସେ ଗଜଦନ୍ତ ଉପାଡ଼ି ମହୋଦର ଅଙ୍ଗରେ ପ୍ରହାର କଲେ ।
ସେ ଶୂର । ଦନ୍ତ ଭାଜିଲା ବାଜିଲା ଶିର । ତ‌ହୁଁ ରୁଧିର ହେଲା ବାହାର ।
କ୍ରୋଧେ ବିନ୍ଧଇ ସେ ତୀକ୍ଷ୍ଣଶର । ଦେଖି ହ‌ନୂ ହୋଇଲେ କାତର ।
ହ‌ନୂକୁ ସାହା ହୋଇଣ ନୀଳବୀର ମହୋଦର ଆଗର ।
ମହାପର୍ବତ ଉପାଡ଼ିଣ ବୁଲାଇ ପକାଇଲା ଦୈତ୍ୟଶିର ।
ସେ ମଲା । ଗଜ ସ‌ହିତେ ଚୂର୍ଣ୍ଣ ହୋଇଲା । ତାହା ଦେଖି ତ୍ରିଶିର ଧାଇଁଲା ।
ହ‌ନୂ ସଙ୍ଗତରେ ରଣ କଲା । ଖଣ୍ତା ବୁଲାଇଣ ହାଣୁଥିଲା ।
ସେହି ଖଡ଼ଗ ତା କରୁଁ ଛଡ଼ାଇଣ ହ‌ନୂ ତା କରେ ଧଇଲେ ।
ଚକ୍ରଗତି କରି ବୁଲାଇ ତାହାର ଗ୍ରୀବାରେ ପ୍ରହାର କଲେ ।
ତା ମୁଣ୍ତ । ଛିଡ଼ି ହୋଇଲାକ ବେନିଖଣ୍ତ । କ୍ରୟମୁଣ୍ତ ଦିଶଇ ପ୍ରଚଣ୍ତ ।
ରତ୍ନ‌କୁଣ୍ତଳ ମଣ୍ତିତ ଗଣ୍ତ । ଋଣଭୂମିରେ ପଡ଼ିଲା ପିଣ୍ତ ।
ତ୍ରିଶିର ମରଣ ଦେଖି ଦେବାନ୍ତକ ଗଜ ଆରୋହି ଧାଇଁଲା ।
ବିବିଧ ଆୟୁଧ ଘେନି ହ‌ନୂ ସଙ୍ଗେ ବ‌ହୁତ ସମର କଲା ।
ସେ ହ‌ନୂ । ମୁଧେ ମାଇଲା ଗଜର ତନୁ । ଗଜ ମଲା ଭଗ୍ନ ହୋଇ ଜାନୁ ।
ମଲ୍ଲ‌ଯୁଦ୍ଧ କଲା ଭାଙ୍ଗିଧନୁ । ମୁଥେ ମଲା ରାବଣର ସୂନୁ ।
ଦେବାନ୍ତକ ମୃତ୍ୟୁ ଦେଖିଣ ଧାଇଁଲା ମହାପାରଶ୍ୱ ଅସୁର ।
ଅଶ୍ୱ ଚଢ଼ିଣ ସେ ହ‌ନୂକୁ ଗୋଡ଼ାନ୍ତେ ଋଷଭ ତାର ଆଗର ।
ସେ ବୀର । ଗଦା ମାଇଲା ଋଷଭ ପର । ଗଦା ଉଛୁଡ଼ି ଧଇଲା କର ।
ସେଇ ଗଦାରେ କଲା ପ୍ରହାର । ପ୍ରାଣ ଗଲା ଫାଟି ଦୈତ୍ୟଶିର ।
ଏହା ଦେଖି ମହାକାୟ ରଥ ଚଢ଼ି ବିବିଧ ଆୟୁଧ ଘେନି ।
ଶର ପ୍ରହାରନ୍ତେ ରାମଙ୍କ ଶରଣ ପଶିଲେ କପିସଇନୀ ।
ତା ଚାହିଁ । ପଚାରନ୍ତି ଜା‌ନ‌କୀଙ୍କ ସାଇଁ । ଏଡ଼େ ଦନୁଜ ଦେଖିବା ନାହିଁ ।
କୁମ୍ଭକର୍ଣ୍ଣ ଅଇଲା କି ଜୀଇ । ସେନାମାନେ ଆସନ୍ତି ପଳାଇ ।

ବିଭୀଷଣ ବୋଲେ ଶୁଣିମା ଭୋ ଦେବ ରାବଣର ଏ ନନ୍ଦନ ।
ବ‌ହୁତ ତପ କଲାରୁ ବର ଦେଇଅଛନ୍ତି କଞ୍ଜାଅସନ ।
ହେ ବୀର । ସାବଧାନ ହୋଇ ଯୁଦ୍ଧ କର । ଜିଣି ପାରଇ ଏ ତ୍ରୟପୁର ।
ମାରି ପକାଇବ ବନ‌ଚର । ଶୁଣି ରାମ ହେଲେ ଅଗ୍ରସର ।
ଶ୍ରୀରାମଙ୍କୁ ପଛ କରିଣ ଲକ୍ଷ୍ମଣ ଓଗାଳିଲେ ତାକୁ ଯାଇଁ ।
ଅସୁର ହସିଣ ବୋଇଲା କୁମର ଅଇଲୁ ମରିବାପାଇଁ ।
ରେ ବାଳ । ମୃତ୍ୟୁଦେବତାର ମୁହିଁ କାଳ । ମୋତେ ଡ଼ରନ୍ତି ଏ ଦିଗପାଳ ।
ତୋତେ ମାଇଲେ ନାହିଁଟି ଫଳ । ପଳା ଧନୁ ଶର ଥୋଇ ତଳ ।
ଲକ୍ଷ୍ମଣ ବୋଲନ୍ତି ଶରଦମେଘଟି ଗର୍ଜି ନ ବରଷେ ଜଳ ।
ତୋର ମୋର ଏହିଠାବରେ ଜାଣିବା କେ ବୃଦ୍ଧ ଯୁବା କେ ବାଳ ।
ରେ ବୀର । ଏତେ କ‌ହିଣ କଲେ ସମର । ଡ଼ରି କମ୍ପିଲେ ସକଳ ସୁର ।
କାଣ୍ତ ପ୍ରହାରିଲେ ଦୈତ୍ୟଶିର । ଦେଖି ପ୍ରଶଂସା କଲା ଅସୁର ।
ଦୁହେଁ ମହାକ୍ଷତ୍ରୀ କେହି କାହାକୁହିଁ ନୋହିଲେକ ବଡ଼ ସାନ ।
ଏହା ଦେଖିଣ ମାରୁତି ବିଚାରିଣ କ‌ହିଲେ ଲକ୍ଷ୍ମଣ କର୍ଣ୍ଣ
ସେ ବୀର । ବ୍ରହ୍ମଅସ୍ତ୍ର ବେଗେ ଧର କର । ଶୁଣି ବାହାର କଲେକ ଶର ।
ଯାହା ଦେଇଥିଲେ ସୁନାଶୀର । ଗୁଣେ ବସି କଲେ ପ୍ରହାର ।
ବ୍ରହ୍ମଅସ୍ତ୍ର ବାଜି ଅତିକାୟବୀର ଭୂମିରେ ପଡ଼ିଣ ମଲା ।
ତାହା ଦେଖିଣ ଲକ୍ଷ୍ମଣଙ୍କୁ ଆକାଶୁଁ କୁସୁମ‌ବୃଷ୍ଟି ହୋଇଲା ।
ସେ ମଲେ । ଷଡ଼ରଥୀ ଆସି କ୍ଷୟ ଗଲେ । ଦେଖି ଅସୁର ବଳ ଭାଜିଲେ ।
ପଳାଇଣ ରଣୁ ଯ‌ହୁ ଗଲେ । ବିଶି ବୋଲେ ରାବଣେ କ‌ହିଲେ ।

ସାତଚାଳିଶ ଛାନ୍ଦ[ସମ୍ପାଦନା]

ରାଗ- ରସକୋଇଲା ବାଣୀ[ସମ୍ପାଦନା]

ଲକ୍ଷ୍ମଣ ଇନ୍ଦ୍ରଜିତ ଗରୁରଣ । ମହାକ୍ଷେତ୍ରୀ ଅଟନ୍ତି ବେନିଜଣ ।
ଶର ଆତ୍ୟାତେ ନ ଦିଶେ ଭାନୁ । ମଣ୍ତଳାକାର ଦିଶେ ବେନିଧନୁ ସେ ।
ବିନ୍ଧିବା ଭୁଜ ନ ଦିଶେ ଯେ ।
ହ‌ନୁକନ୍ଧରେ ଆରୋହି ରାମାନୁଜ ଦ୍ୱିତୀଈନ୍ଦ୍ର ପ୍ରାୟ ଦିଶେ ଯେ ।
ଲକ୍ଷ୍ମଣ ପେଶିଲେ ବାବଲଶର । କାଟିଲେ ଅସୁରର ଧନୁଶର ।
ପୁଣି କୋପେ ବିନ୍ଧିଲେ ପାଞ୍ଚକାଣ୍ତ । କାଟିଲେ ଅଶ୍ୱ ସାରଥିର ମୁଣ୍ତ ସେ ।
ରଥ କଲେ ହ‌ନୂ ଭଙ୍ଗ ଯେ ।
ସେହିକ୍ଷଣି ଅନ୍ୟ ରଥେ ଆରୋହିଣ ଯୁଝିଲେ ଲକ୍ଷ୍ମଣ ସଙ୍ଗ ଯେ ।
ବିନ୍ଧନ୍ତେ ଶରେ ଶର ପରିତାଳ । ଜଳଇ ତ‌ହୁଁ ନିର୍ଧୂମ ଅନଳ ।
ଦେଖି ତ‌ରଳ ହୋଏ ବେନିବଳ । ଉତପାତ ଯାତ ବେଳକୁବେଳ ସେ ।

<poem>ଦନୁଜ ରଣେ ପ୍ରବଳ ଯେ ।

ତିନିକାଣ୍ତ ବାଛି ବିନ୍ଧିଲେ ବାଜିଲା ଲକ୍ଷ୍ମଣଙ୍କର କପୋଳ ଯେ । ଗଲୁଅଛି ତିନିଧାର ରୁଧିର । ଫୁଫୁକାର କରି ବିନ୍ଧନ୍ତି ଶର । ବିଷମ ବ୍ୟଥା ପାଇଣ ଲକ୍ଷ୍ମଣ । ବାଛି ବିନ୍ଧିଲେ ଶର ସେହିକ୍ଷଣ ସେ ଅଙ୍ଗ କବଚ କାଟିଲେ ଯେ । ଉର ଉପରେ ବସିଣ ବୀର ଶର ରୁଧିର ବାହାର କଲେ ଯେ । ସେନା ଉପରେ କାଣ୍ତମାନ ବସେ । ଝିଙ୍କପକ୍ଷୀ ପ୍ରାୟ ଶରୀର ଦିଶେ । କି ଅବା ଫୁଟିଲା ପଲାଶତରୁ । ତେସନ ରୁଧିର ବେନି ଅଙ୍ଗରୁ ସେ । ନିପଫୁଲ ପ୍ରାୟ ଶୋଭା ଯେ । ବେନି ବୀରେ ବେଳୁଁ ବେଳ ବଢ଼ାବନ୍ତି ନିଜ ଭୁଜବଳ ପ୍ରଭା ଯେ । ରାବଣ ତନୁଜାବୟମାନ । ବେଳକୁବଳ ହୋଇଲା ନିଊନ । ଫାଟିଲା ତନୁ ହୋଇ ଅଶକତ । ତେବେହେଁ ବିନ୍ଧଇ ଶର ବ‌ହୁତ । ତା ଜାଣି କ‌ହେ ବିଭୀଷଣ ଯେ । ଫୁଟିଲାଣି ଆଉ ଦଣ୍ତେ ଯୁଦ୍ଧ କର ମାରିବାଟି ଏହିକ୍ଷଣ ହେ । ତିନିରାତ୍ରି ତିନିଦିବସ ରଣ । ଗଲାଣି ଏହାର ନାହିଁ ପରାଣ । ଲଙ୍କାରେ ଏହି ମାତ୍ର ଅଛି ବୀର । ଫୁରୁଣା ହୋଇଣ କର ସମର । ମାରିଣ କରିବା ଜୟ ହେ । ରାବଣକୁ ଆଉ କିଛି ଭୟ ନାହିଁ ହୋଇବା ଆମ୍ଭେ ନିର୍ଭୟ ହେ । ବିଭୀଷଣଙ୍କ ଏମନ୍ତ ବଚନ । ଶୁଣି ଲକ୍ଷ୍ମଣ ହେଲେ ହୃଷ୍ଟମନ । ବେଳୁଁବେଳ ଶର କଲେ ସନ୍ଧାନ । ଦକ୍ଷିଣଭୁଜ ସ୍ଫୁରେ ଘନ‌ଘନ । ଜାଣି ବୋଲେ ହେବ ଜୟ ହେ । ଇନ୍ଦ୍ର ଦେବା ଶର ତୂଣିରୁ ବାହାର କରି ଦେଖି ଗଲା ଭୟ ଯେ । ଇନ୍ଦ୍ରଦତ୍ତ ଧନୁରେ ବସାଇଲେ । ଓଟାରିଣ ମନ୍ତ୍ର ପଢ଼ି ପେଷିଲେ । କାଟିଲା ଅସ୍ତ୍ର ଶତ୍ରଜିତ ଶିର । ମୁକୁଟ କୁଣ୍ତଳ ସ‌ହିତେ ତାର ସେ । ପଡ଼ିଲା ଯାଇଁ ଭୂମିର ଯେ । ଲକ୍ଷ୍ମଣ ଶିରେ ଦେବରାଜ କୁସୁମ‌ବୃଷ୍ଟି କଲେ ନିରନ୍ତର ଯେ । ଦୁନ୍ଦୁଭୀ ବଜାଇଲେ ସୁରପୁର । ବ‌ହୁ ଆନନ୍ଦ ହେଲେ ସୁନାଶିର । ଯୂଥପତିମାନେ ଆନନ୍ଦ ହେଲେ । ଲକ୍ଷ୍ମଣ ଅଙ୍ଗ ଆଲିଙ୍ଗନ କଲେ ସେ । କରିଣ ବ‌ହୁତ ସୃତି ଯେ । ଲକ୍ଷ୍ମଣଙ୍କୁ ବେଢ଼ି ପଟୁଆର ପଢ଼ି ରାମ ଛାମୁକୁ ଆଣନ୍ତି ଯେ । ରାମ ଆଜ୍ଞା ପାଇ ବୈଦ୍ୟ ସୁଷେଣ । ଔଷଧି ଆଣି ଦେଲା ସେହିକ୍ଷଣ । ବ୍ରଣ ଲିଭିଣ ହୋଇଲେ ସବର୍ଣ୍ଣ । ଗତରୁ ଅଧିକ ବଳ ସମ୍ପନ୍ନ ଯେ । ହେଲେ ସମସ୍ତେ ଆନନ୍ଦ ଯେ ।

ଦୀନ ବିଶିର ମତି ମତ୍ତମଧୂପ ଶ୍ରୀରାମ ପଦାରବିନ୍ଦ ଯେ ।
===ଏକାବନ ଛାନ୍ଦ===

ରାଗ-ବଙ୍ଗଳାଶ୍ରୀ[ସମ୍ପାଦନା]

ଘେନିଣ ଔଷଧି, କପିକୁଳନିଧି, ଗ‌ଗନ ମାର୍ଗରେ ଗମେ । ଦଶଦଣ୍ତ ଲାଗି, ରୁଜୁ ବାଟ ଭାଙ୍ଗି, ମିଳିଲା ଅଯୋଧ୍ୟା ଧାମେ । ନନ୍ଦୀଗ୍ରାମ‌ପୁର, ଗମଇ ପ୍ରଖର, ଗଳି ପଡ଼େ ଶ୍ରମଝାଳ । ରଜନୀ ଭ୍ରମଣି, କରି ରଘୁମଣି ସେ କାଳେ କୈକେୟୀ ବାଳ । ଶୁଣିଣ ଶବଦ, ହୋଇଣ ତବଦ ଭରତ ଅନ୍ତରେ ଭାଳୈ । ପକ୍ଷରେ ରହିତ ଯେଉଁ ପରବତ ଆକାଶରେ ସେହି ଚଳେ । ବିଚାରି ଏସନେ, ବାଣ ଶରାସନେ, ବସାଇ ବିନ୍ଧନ୍ତେ ବୀର । ଦେଖି ଶଙ୍କା ପାଇ, ଆକାଶରେ ଥାଇ, ବିଚାରେ ବାୟୁକୁମର । ନିଶ୍ଚେଁ ଏହି ରାମ, ବ‌ହି ମନେ ତମ, ମୋହର ବିଳମ୍ବ ଦେଖି । ଲାଗୁଅଛି ଘଟ, ଜଗିଛନ୍ତି ବାଟ କୋଦଣ୍ତରେ କାଣ୍ତ ଯୋଖି । କି ଅବା ଭରତ, ରାମ ସାନ ଭ୍ରାତ, ଦଶରଥ ରାଜା ବେଟା । ରାଘବ-ବିହୀନୁ, କୁଶ କରି ତନୁ, ମୁଣ୍ତେ ବ‌ହିଛନ୍ତି ଜଟା । ଏହାଙ୍କୁ ସମ୍ଭାଷି, ଯିବି ମୁହିଁ ଖସି, ନୋହୁ ମୋର ବିଘ୍ନ‌କର । ଏମନ୍ତ ବିଚାରି, ଗ‌ଗନୁ ଉତ୍ତରୀ, ମିଳିଲା ଭୂମିରେ ବୀର । ଦେଖିଣ ତ୍ୱରିତ, ଆପଣେ ଭରତ, ପଚାରନ୍ତି ତୁମ୍ଭେ କେହୁ । ଗ‌ଗନେ ବିକ୍ରମି, ଯାଉଅଛି ଭ୍ରମି, ପକ୍ଷ ବିନା ମହାବାହୁ । ଶୁଣି ହ‌ନୂମାନ, ବୋଲେ ହୋ ସୁମନ, ମୁହିଁ ପବନର ବାଳ । ସେବା କରେ ନିତି, ରାମ ରଘୁପତି, ଚରଣ କମଳ ଢଳ । ଲଙ୍କା ଅଧିକାରୀ, ସୀତା ନେଲା ହରି, ବାଳିକି ଶ୍ରୀରାମ ମାରି । ହୋଇ ସୁଗ୍ରୀ ମେଳ, ବାନ୍ଧି ସିନ୍ଧୁଜଳ, ପ୍ରବେଶ ସୁବଳ ଗିରି । ନାଗପାଶ ବ୍ରହ୍ମଶର, ଆଦି ଦିନୁ ଅନେକ କଲୁଁ ସମର । ରାବଣ ଅନୁଜ, ନାଶିଲେ ତନୁଜ, ଶ୍ରୀରାମ ଲକ୍ଷ୍ମଣ ବୀଋ । ଘେନି ପୁତ୍ର ଶୋକ, ଲଙ୍କାର ନାୟକ, ସକ‌ତି ମାଇଲା ସଞ୍ଚେ । ଦେଇ ପଞ୍ଚପ୍ରାଣ, ପଡ଼ିଛି ଲକ୍ଷ୍ମଣ, ନୀରକ୍ଷ ପରାୟେ ମଞ୍ଚେ । ଅଉଷଧି ପାଇଁ, ସେହି ଘେନି ମୁହିଁ ମିଳିଲି ଗନ୍ଧମାଦନ । ହୋଇ ବିଭାଷିତ, କ‌ହ କିନା ସତ, ଅଟ ତୁମ୍ଭେ କେଉଁ ଜନ । ଶୁଣି ତା ଭରତ, ବୋଇଲେ ଶୁଣତ, ମୁହିଁ ରାମଚନ୍ଦ୍ର ଭାଇ । ଦଶରଥସୁତ, ଜଗତେ ବିଦିତ, କୈକେୟୀ ମୋହର ଆଈ । ସଂସାରେ ଥାଇ କି, ଏ କଷ୍ଟ ଭାଇକି, ବିହିଲା ମୋର ଦଇବ । ଦେହେ ପଞ୍ଚପ୍ରାଣ, ଥିଲେ କେହି ପୁଣ, ଏ ଦୁଃଖ ସ‌ହି ରହିବ । କପିସୁଧାନିଧି, ନିଅ ଅଉଷଧି, ଜୀଉ ମୋହର ସାନୁଜ । ରାବଣକୁ ମାରି, ବେଗେ ଚାପଧାରୀ, ଆସିଣ କରନ୍ତୁ ରାଜ୍ୟ । ଶୁଣି ଏ ଉତ୍ତର, ମରୁତକୁମର, ଦକ୍ଷିଣ ମୂରତି ହୋଇ । ମହାରଣରଙ୍କା, ପ୍ରବେଶ ସେ ଲଙ୍କା, ପାଖରେ ନିଃଶଙ୍କା ହୋଇ । ଜାଣି ରଘୁଶିଷ, ହୋଇଣ ସନ୍ତୋଷ, ବୋଇଲେ ଅଇଲୁ ବାବୁ । ଯୂଥପ‌ତିବୃନ୍ଦ, ଲଭିଣ ଆନନ୍ଦ, ବୋଇଲେ କଲୁ ତୁ ସବୁ । ଶୁଣି ଭଣେ ହ‌ନୂ, ଏମନ୍ତ ବଚନ, ଦୋଷ କରିଛି ଏତେକ । ଔଷଧି ନ ଚିହ୍ନି, ଗିରିମୂରଧନୀ, ଆଣିଲି ମୋର ମସ୍ତକ । ଶୁଣି ସୁଖ ପାଇ, ପର୍ବତ ଓହ୍ଲାଇ, ରଖିଲେ ବାନରଗଣ । ଧନ୍ୱନ୍ତରିଙ୍କର, ଖୋଜିଲେ କୁମର, ଔଷଧି ତ‌ହିଁ ସୁଷେଣ । ଅଉଷଧି ଚିହ୍ନି, ପତ୍ର ତ‌ହୁଁ ଆଣି, ଶିଳାରେ ଛେଚିଲେ ନେଇ । ଆଣିଣ ଅନିଳ, କ୍ଷୀରସିନ୍ଧୁ ଜଳ, ଗୁଡ଼ାଏ ତ‌ହିଁ ମିଶାଇ । ଘେନିଣ ବଇଦ୍ୟ, ଲକ୍ଷ୍ମଣ ସନ୍ନିଧ, ବେନି ନାସାପୁଡ଼ା ତୋଳି । ଦେଲେ ଦିବ୍ୟ ନାସ, ଝଡ଼ିଲା ସେ ପ୍ରାସ, ମୁଦି ଦେଲା ହୃଦସ୍ଥଳୀ । ଭାଇ କୋଳୁଁ ଉଠି, କର ଦୁଇ ଗୋଟି, ଯୋଡ଼ି କଲେ ନମସ୍କାର । ଦେଖି ଜୟ ଜୟ, କରନ୍ତି କପିୟେ, ଆନନ୍ଦେ ଉଠିଲେ ବୀଋ । ଏ ଅନ୍ତେ ତକ୍ଷଣେ, ଆଜ୍ଞା ପରମାଣେ ହ‌ନୂମନ୍ତ ନେଲା ଗିରି । ଶୂନ୍ୟେ ଦୈତ୍ୟ ମାରି, ଗିରି ରଖିକରି ଆସି ହେଲା ଲଙ୍କାପୁରୀ । ଭଣେ ଦୀନବିଶି, ଏହି ରସେ ରସି, ଦିନ ରାତି ମୋର ଯାଉ । ରାବଣ ଅରାତି, ଚରଣେ ପୀରତି, ପ୍ରତିକ୍ଷଣେ ମୋର ଥାଉ ।

ଛପନ ଛାନ୍ଦ[ସମ୍ପାଦନା]

ରାଗ-ଭୈରବ ସରିମାନ[ସମ୍ପାଦନା]

ରାବଣ ସଂହାରି ବୀର ଦାଶରଥି ରଥୁଁ ଓହ୍ଲାଇ ଭୂମିରେ ଉଭା ହେଲେ । ମହା ତୁଷ୍ଟ ହୋଇ ସୁଗ୍ରୀବକୁ ରାଇ ବେନିଭୁଜେ ତାଙ୍କୁ ଆଲିଙ୍ଗନ କଲେ । କି ସଖେ ହେ, ପଡ଼ିଅଛି ଦଶଶିର । ତୁମ୍ଭ ସାହ ପାଇ ସିନ୍ଧୁ ପାର ହୋଇ ରାବଣ ମାଇଲୁଁ ଏ ଯଶ ତୁମ୍ଭର । ରାମ ସ୍ନେହ ଦେଖିଣ ଲକ୍ଷ୍ମଣ ବୀର ସୁଗ୍ରୀ ପାଦ ଛୁଇଁ ଶିରେ ଦେଲେ କର । ସୁଗ୍ରୀବ ସକଳ କପିସେନା ଘେନି ପୂଜା କଲେ ରାମ ବେନି ଶ୍ରୀପୟର । ରାବଣ ମରିବା ଯାଏ ଉତପାତମାନେ ଅବିଚ୍ଛନେ ଜାତ ହେଉଥିଲେ । ମଲା ବେଳରୁ ଯେ ଯାହା ସଦ‌ଭାବେ ରହି ଭୟ ତେଜି ନିଶ୍ଚିନ୍ତେ ରହିଲେ । ମାତଳୀକି ଆଜ୍ଞା ଦେଲେ ରଘୁବୀର ଶତ୍ର ସନ୍ନିଧିକୁ ନିଅ ରହୁବର । ଆମ୍ଭେ ତୁମ୍ଭଙ୍କୁ କି ଦେଇଣ ସୁଝିବୁଁ କଲ ବ‌ହୁତ ଆମ୍ଭଙ୍କୁ ଉପକାର । ଆଜ୍ଞା ପାଇଣ ମାତଳୀ ରହୁବର ଶୀଘ୍ର କରିଣ ଘେନି ଗଲା ସୁରପୁର । ବୋଲେ ବିଶି ରାମ ଥାଟ କପି ନାଟ ହୃଷ୍ଟ ହୋଇଣ କରନ୍ତି ବନ‌ଚର । ===ଏକଷ‌ଠି ଛାନ୍ଦ===

ରାଗ-ରାଜବିଜେ ମଙ୍ଗଳ-ଶୋକବରାଡ଼ୀ[ସମ୍ପାଦନା]

ସୀତାଙ୍କୁ ଦେଖି ରଘୁନନ୍ଦନ । ରାମ କ‌ହେ ନିଷ୍ଠୁର ବଚନ । ଆଗୋ ଜାନ‌କୀ ଏବେ ଯହିଁକି ଇଚ୍ଛା ତ‌ହିଁକି କର ଗମନ ଗୋ । ସୀତେ । ଜନ-ଅପବାଦରୁ ବଞ୍ଚିଲୁଁ । ଏହା ଆପଣା ମନେ ପାଞ୍ଚିଲୁଁ । ରାବଣ ସଂହାରି ତୁମ୍ଭଙ୍କୁ ଆଣିଲୁଁ ଯଶ ମହୀରେ ରଖିଲୁଁ ଗୋ । ସୀତେ । ଭରତ ଶତ୍ରୁଘ୍ନ ସୁଗ୍ରୀବର । ଆବରହିଁ ସୁମିତ୍ରାକୁମର । ଶରଧା ହୋଇଲେ ଏମାନଙ୍କୁ ତୁମ୍ଭେ ସ୍ୱଇଚ୍ଛାରେ ବର ବର ଗୋ । ସୀତେ । ରଘୁକୁଳେ ଆମ୍ଭେ ଯେଣୁ ଜାତ । ତେଣୁ ନିର୍ମଳ ହୋଏ ବିଖ୍ୟାତ । ତେଡ଼େକୂଳେ ତୁମ୍ଭ ନିମିତ୍ତ କଳଙ୍କ ଦେବାର ନୋହେ ଉଚିତ ଗୋ । ସୀତେ । କାନ୍ତ ମୁଖରୁ ଏମନ୍ତ ଶୁଣି । ସେ ଯେ ଜନ‌କରାଜ ଦୁଲଣୀ । ଜଣାଇଲେ ଅନ୍ୟ ଯୁବତୀ ପରାୟ ମଣିଛ କି ରଘୁମଣି ହେ । ଦେବ । ବାଳକାଳୁଁ, ଧରି ତୁମ୍ଭ ପାଣି । ଭୂମିସୁତା ମୁଁ ନିର୍ଦ୍ଧୋଷୀ ପ୍ରାଣୀ । ପ୍ରଭୁ ହୋଇ ଅନିମିତ୍ତେ କୋପ କଲେ କିପାଁଇ ଥିବି ଧରଣୀ ହେ । ଦେବ । ଯେବେ ଏମନ୍ତେ ବିଚାରିଥିଲି । ହ‌ନୁ ମୁଖେ ବାରତା ନ ଦେଲ । ସେତୁବନ୍ଧ ପୋତି ଅସୁର ନିପାତି କଷଣ ଏତେ ସ‌ହିଲ ହେ । ଦେବ । ମୋର କାୟିକ ବାଚିକ ମନ । ତୁମ୍ଭ ବିନା ଥିବ ଯେବେ ଆନ । ତେବେ ମୋର ଅଙ୍ଗ ଦ‌ହ‌ନ କରିବେ ନିଶ୍ଚୟ ହିବ୍ୟବାହ‌ନ ହେ । ଦେବ । ସଉମିତ୍ରି ମୁଖ ଦେବୀ ଚାହିଁ । ବାବୁ ଅନଳ ଦିଅ ଲଗାଇ । ବାହ‌ନ ମୋର ତନୁ ଦ‌ହିବି ବିଳମ୍ବ କର କିପାଁଇ ହେ । ବତ୍ସ । ମୋର ଆଜ୍ଞା ବାବୁ କର । ତୁମ୍ଭେ ମନରେ ଆନ ନ ଧର । ଅନଳ ମୋ ତନୁ ଦ‌ହନ ନ କଲେ ଅପବାଦୁଁ ହେବି ପାର ହେ । ବତ୍ସ । ରାମ ଇଙ୍ଗିତ ଲକ୍ଷ୍ମଣ ଜାଣି । ଅଗ୍ନି ଲଗାଇଲେ ସେହିକ୍ଷଣି । କୋଦଣ୍ତ ହୁଳେ ବେନିପାଣି ଦେଇ‌ଣ ଉଭାଛନ୍ତି ରଘୁମଣି ସେ । ରାମ । ଦେବୀ କାନ୍ତ ପ୍ରଦକ୍ଷିଣ ସାରି । ପୁଣି ଅଗ୍ନି ପ୍ରଦକ୍ଷିଣ କରି । ଅନଳ ଭିତରେ ଝସାଇଁ ପଶିଲେ ହା ହା କଲେ ତ୍ରୟପୁରୀ ସେ । କାଳେ । ଅଗ୍ନି ଭିତରେ ଦେବୀ ରହିଲେ । ଚାହୁଁ ଚାହୁଁ ଅଦୃଶ୍ୟ ହୋଇଲେ । ହିବ୍ୟବାହ‌ନ ଦିବ୍ୟାସନ ଦେଇଣ ବ‌ହୁ ପୂଜା ତାଙ୍କୁ କଲେ ସେ । ଜନେ । ରାମ ହୋଇଣ ଆତଙ୍କ ମନ । ନୀରପୂରିଲା ବେନି ନୟନ । ଚକିତ ହୋଇଣ ଦଶଦିଗ ଚାହିଁ ପୁଣ ହେଲେ ଛନ୍ନ ଛନ୍ନ ସେ । ରାମ । ଦେବ ଦାନବ ଋକ୍ଷ ମର୍କଟ । ହା ହା ସବୁରି ମୁଖେ ପ୍ରକଟ । ବୋଲନ୍ତି ଶ୍ରୀରାମ କି କଲେ କି କଲେ ବିନା ଦୋଷେ ଏଡ଼େ ରୁଷ୍ଟ ହେ । ରାମ । ସର୍ବେ ହୋଇଲେ ଆକୁଳ ମନ । କ‌ହିବାକୁ କେ ନାହିଁ ଭାଜନ । ବୋଲେ ବିଶି ରାମ ଅନୁକୂଳ ଚାହିଁ ନେତ୍ର କଲେ ଥନ ଥନ ସେ । ରାମ ।

ଉତ୍ତରାକାଣ୍ତ[ସମ୍ପାଦନା]

ଷୋଡ଼ଶ ଛାନ୍ଦ[ସମ୍ପାଦନା]

ରାଗ-ଆଷାଢଶୁକ୍ଳ ବାଣୀ[ସମ୍ପାଦନା]

ରାଘବଅଙ୍କେ ବସିଣ ସୁନ୍ଦରୀ । କାନ୍ତକୁ କ‌ହ‌ନ୍ତି ଯେ ସ୍ନେହ କରି । ତପୋବନ ଦେଖିବାକୁ ମୋ ମନ । ଋଷିପତ୍ନୀଙ୍କି କରିବି ଦର୍ଶନ । ଫଳ ମୂଳ ଦେବି । ବସନ ଭୂଷଣ ଦେଇ ଆସିବି । ଶୁଣି ରାଘବ ହୋଇ ହସ ହସ । ଆଜ୍ଞାଦେଲେ ଯିବ ତାଙ୍କର ପାଶ । ଋଷିମାନଙ୍କ ମଠ ଦେଖାଇବା । ତୁମ୍ଭର ମନୋରଥ ପୂରାଇବା । ତୋଷିବାକୁ ମନ । ବାହାର ମଣ୍ତପେ କଲେ ଆସ୍ଥାନ । ଦିବ୍ୟ ମଣ୍ତପ ରତ୍ନବେଦୀ ପର । ତ‌ହିଁ ବିଜୟ କଲେ ରଘୁବୀର । ଏହିକାଳରେ ବୟସିକମାନେ । ପ୍ରବେଶ ହେଲେ ରାମ ସନ୍ନିଧାନେ । ସେମାନଙ୍କୁ ଦେଖି । ତାଙ୍କୁ ରଖି ପରିଜନ ଉପେକ୍ଷି । ଶ୍ରୀରାମ ତାଙ୍କୁ ପରିହାସ କଲେ । ଶୁଣି ସେମାନେ ପ୍ର‌ତିଭାଷ ଦେଲେ । ଉପୁଜିଲା ତ‌ହୁଁ ବ‌ହୁତ ହାସ । ଜାଣନ୍ତି ସେମାନେ କଥାର ରସ । ସେମାନଙ୍କ ସଙ୍ଗେ । କଉତୁକ କଥା କ‌ହ‌ନ୍ତି ରଙ୍ଗେ । ରାମ ବୋଲନ୍ତି ଶୁଣ ଦ୍ୱିଜମାନେ । ଆମ୍ଭଙ୍କୁ କି ବୋଲନ୍ତି ପୁରଜନେ । ନିନ୍ଦା ସ୍ତୁତି ଆମ୍ଭ ଛାମୁରେ କ‌ହି । ଯଥାର୍ଥ କଥାରେ ଭୟ ନ ପାଅ । ଶୁଣିଲେ ଅକୀର୍ତ୍ତି । ଅକୀର୍ତ୍ତିରେ ନ ବଳାଇବା ମତି । ବୋଲନ୍ତି ହେ ଦେବ ତୁମ୍ଭ ଅକୀର୍ତ୍ତି । ଚନ୍ଦ୍ରକର ପ୍ରାୟେ ମଣ୍ତିଲା କ୍ଷିତି । ତ୍ରୟଭୁବନ ସନ୍ତାପ ଖଣ୍ତିଲ । ଜାଙ୍କୀ ଛଳେ ରାବଣ ଦଣ୍ତିଲ । ସିନ୍ଧୁ ବନ୍ଧାଇଲ । ଅଲୋକିତ କର୍ମମାନତ କଲ । ପର୍ଶୁରାମଙ୍କୁ ଦେବ କଲ ଜୟ । ସେଦିନୁ ଦୁଷ୍ଟ ହୋଇଲେ ସଭୟ । ଯେଉଁ ଲଙ୍କାଗଡ଼ ଦେବେ ଅଜୟ । ବାନରଙ୍କୁ ଘେନି କଲ ତା ଜୟ । କି ବୋଲିବେ ଜନେ । ପ୍ରଶଂସା କରନ୍ତି ତ୍ରୟଭୁବନେ । ପୁଣି ବୋଲନ୍ତି ଶ୍ରୀରାମ ରାଜନ । ତୁମ୍ଭେମାନେ ଭୟ ନ କର ମନ । ତ‌ଥାପି ଆମ୍ଭର କି ଅବିଗୁଣ । କାହା ମୁଖରୁ କାହିଁ ଅବା ଶୁଣ । ଶୁଣି ନିବର୍ତ୍ତିବା । ଧର୍ମକଥାରେ ସିନା ପ୍ରବର୍ତ୍ତିବା । ଭଦ୍ରମୁଖ ନାମେ ଏକ ବ୍ରାହ୍ମଣ । କର ଯୋଡ଼ିଣ ବୋଲେ ଦେବ ଶୁଣ । ସବୁରି ମୁଖରେ ତୁମ୍ଭର କୀର୍ତ୍ତି । ଏକା କଥାଏ ମାତ୍ର ଅପକୀର୍ତ୍ତି । ଶୁଣଇଁ ମୁଁ ଯାହା । ବଚନେ ଦେବ କ‌ହି ନୋହେ ତାହା । ରାମ ବୋଲନ୍ତି ହେ ଭୟ ନ କର । ନିର୍ଭୟ ହୋଇ ଜଣାଅ ଛାମୁର । ଏହା ଶୁଣି ଦ୍ୱିଜ କ‌ହେ ଉତ୍ତର । ଭୋ ଦେବ ତୁମ୍ଭର ‌ନ‌ଗର ନର । ଏମନ୍ତ ବୋଲନ୍ତି ଏଡ଼େ ଅନିତି କଲେ ରଘୁପତି । ରାବଣ ଯାହାକୁ ଚୋରାଇ ନେଲା । ବରଷେ ଯାଏ ଘରେ ରଖିଥିଲା । ତାହାକୁ ଆଣିକଲେ ପ୍ରୀୟବତୀ । ନ ମିଳନ୍ତା କିବା ଅନ୍ୟ ଯୁବତୀ । ଏମନ୍ତ ବଚନ । କ‌ହ‌ନ୍ତି ଦେବ ଅଯୋଧ୍ୟାର ଜନ । ଯେଉଁ ନୃପତି ଯେଉଁ ଧର୍ମ କରେ । ସେ ଦେଶଜନେ ତାର ଅନୁସାରେ । ଆମ୍ଭ ଭାରିଯା ଯେବେ ନେବ ଆନ । ତାହାଙ୍କୁ ତେବେ ଆଣିବା ସଦନ । ଯା କଲେ ନରେଶ । ଆମ୍ଭେମାନେ କଲେ ହେବ କି ଦୋଷ । ଏହା ଶୁଣି ଜଣାଇଲି ଛାମୁର । ମୋ ଦୋଷ ନ ଧର କୋଦଣ୍ତଧର । ଶୁଣି ଶ୍ରୀରାମ ଅରୁଣନୟନ । ଭୂମିକି ଯେ କଲେ ଅବଲୋକନ । ତେଜି ଖରଣ୍ୱାସ । ମହାକ୍ରୋଧ ମନେ ହେଲା ପ୍ରବେଶ । ବ୍ରାହ୍ମଣମାନଙ୍କୁ ଦେଲେ ମେଲାଣି । ସେମାନଙ୍କ କଥା ମନରେ ଗୁଣି । ଜନ ଅପବାଦ ହୋଇବା ଜାଣି । ବିସ୍ମୟ ହୋଇଲେ କୋଦଣ୍ତପାଣି । ଦୀନ ବିଶି ଭଣି । ରାମ‌ପାଦ ଭବ-ସିନ୍ଧୁ-ତରଣୀ ।

ସପ୍ତଦଶ ଛାନ୍ଦ[ସମ୍ପାଦନା]

ରାଗ-ମଙ୍ଗଳଗୁଜ୍ଜରୀ[ସମ୍ପାଦନା]

ଭଦ୍ରମୁଖୁଁ ଏସନ ଶୁଣି ରଘୁମଣି । ମହାକ୍ରୋଧ ଜାତ ହୋଇଲା ସେହିକ୍ଷଣି । ହୃଦୟଦେଶ ତାଙ୍କର ହେଲା ଆକୁଳ । ବେନିନୟନେ ପୂରିଲା ଲୋତକଜଳ । ଆଜ୍ଞା ଦେଲେ ଦ୍ୱାରିକି ଅଣାଅ ଲକ୍ଷ୍ମଣ । ଭରତ ଶତ୍ରୁଘନଙ୍କୁ ତ୍ୱରିତେ ଆଣ । ଆଜ୍ଞା ପାଇ ପ୍ରତିହାରୀ ତ୍ୱରିତେ ଗଲା । ଭରତ ଶତ୍ରୁଘ୍ନ ଲକ୍ଷ୍ମଣଙ୍କୁ ଆଣିଲା । ଦ୍ୱାରେ ତାଙ୍କୁ ରଖି ଜଣାଇଲା ଛାମୁରେ । ଭୋ ଦେବ ଆଣିଲି ଉଭା କରିଛି ଦ୍ୱାରେ । ଆଜ୍ଞା ଦେଲେ ବେଗେ ଆମ୍ଭ ଛାମୁକୁ ଆଣ । ଦ୍ୱାରେ କିପାଁ ରଖିଲ ସେ ଆମ୍ଭର ପ୍ରାଣ । ଆଜ୍ଞା ପାଇଣ ଛାମୁରେ କଲା ପ୍ରବେଶ । ଦର୍ଶନ କରିଣ ଉଭା ହୋଇଲେ ପାଶ । ଦେଖିଲେ ନୃପତି ମୁଖ ଦିଶେ ବିରସ । ଯେହ୍ନେ ପୂର୍ଣ୍ଣଚନ୍ଦ୍ର ଦିଶେ ରଜନୀଶେଷ । ଲକ୍ଷ୍ମଣଙ୍କୁ ଚାହିଁ ଆଜ୍ଞା ଦେଲେ ରାଜନ । ତୁମ୍ଭେ ସିନା ଜାଣ ଲଙ୍କା ବୃତାନ୍ତମାନ । ଯେଉଁରୂପେ ସୀତା ଅଗ୍ନି ପରିକ୍ଷା ଦେଲେ । ଯେଉଁରୂପେ ଆସି ପିତାମହ କ‌ହିଲେ । ଦେଖିଲତ ତାତ ଶତ୍ର ସଙ୍ଗତେ ଆସି । ବୋଇଲେ ଅଟନ୍ତି ବାବୁ ସୀତା ନିର୍ଦ୍ଦୋଷୀ । ତେଣୁକରି ଆମ୍ଭେ ତାଙ୍କୁ ଗ୍ରହଣ କଲୁଁ । ଏବେ ଜନମୁଖେ ଅପବାଦ ପାଇଲୁଁ । ଜନଅପବାଦ ନାଶ କରେ ସୁକୀର୍ତ୍ତି । ଏଣୁକରି ତ‌ହିଁକି ମୁଁ କରଇଁ ଭୀତି । ଜନ ଅକିର୍ତ୍ତିରେ ଅଧୋଗତି ଲଭନ୍ତି । ଜନ ପ୍ରଶଂସିଲେ ସ୍ୱର୍ଗପୁରେ ବସନ୍ତି । ଅପବାଦ ଶୁଣି ଅଣାଇଲୁଁ ତୁମ୍ଭଙ୍କୁ । ଏ କଥାରେ ବଳାଇବ ନାହିଁ ଆମ୍ଭଙ୍କୁ । ଆମ୍ଭର ଚରଣ ରାଣ ଆମ୍ଭ ଶପଥ । ଆମ୍ଭ ଆଜ୍ଞା ନ ଭାଙ୍ଗି କରିବ ତ୍ୱରିତ । ସୀତାଙ୍କୁ ନେଇଣ ତୁମ୍ଭେ ବନେ ନିବେଶ । ଗଙ୍ଗାତୀରେ ବାଲମୀକି ଆଶ୍ରମ ପାଶ । ଋଷୀକୁଟି ଦେଖିବାକୁ ତାଙ୍କର ମନ । କଇତବେ ନେଇ ଛାଡ଼ି ଆସ ବ‌ହ‌ନ । ଏମନ୍ତ ଶୁଣିଣ ଭାତାମାନେ ଆକୁଳ । ସବୁଙ୍କରି ନୟନରୁ ଗଳିଲା ଜଳ । ରାମ ଆଜ୍ଞା ଦେଲେ ଲକ୍ଷ୍ମଣଙ୍କୁ ଅନାଇଁ । ସୀତାଙ୍କୁ ଘେନିଣ ଯିବ ରଥେ ବସାଇ । ସୁମନ୍ତ୍ର ସାରଥି ହୋଇ ରଥବାହିବ । ନିଶି ଥାଉଁ ଥାଉଁ ତାଙ୍କୁ ଘେନିଣ ଯିବ । ଆଜ୍ଞା ପାଇ ଲକ୍ଷ୍ମଣ ସୀଉକାର କଲେ । ଓଳଗ କରି ମେଲାଣି ସମସ୍ତେ ହେଲେ । ଏଥୁ ଅନନ୍ତରେ ନିଶି ହୁଅନ୍ତେ ଶେଷ । ସୁମନ୍ତ୍ର ରଥ ଆଣିଲେ ଲକ୍ଷ୍ମଣ ପାଶ । ଅନ୍ତଃପୁରେ ଲକ୍ଷ୍ମଣ ହୋଇଲେ ପ୍ରବେଶ । ଦରଶନ କଲେ ଯାଇଁ ଜାନ‌କୀ ପାଶ । ଋଷୀପତ୍ନୀ ଦେଖିବାକୁ ଶ୍ରଦ୍ଧା ତୁମ୍ଭର । ଆଜ୍ଞା ମୋତେ ଦେଇଛନ୍ତି କୋଦଣ୍ତଧର । ଶୁଣିଣ ଜାନ‌କୀ ବ‌ହୁ ଆନନ୍ଦ ହେଲେ । ଦିବ୍ୟ ରତ୍ନଅଳଙ୍କାର ବସ୍ତ୍ର ଘେନିଲେ । ଚାଷିକାମିନୀମାନଙ୍କୁ ଦେବାର ପାଇଁ । ସେମାନ ଘେନି ବସିଲେ ରଥରେ ଯାଇଁ । ଲକ୍ଷ୍ମଣ ସ‌ହିତେ ବସିଲେ ମନ୍ତ୍ରିବର । ପ୍ରବେଶ ହୋଇଲେ ଯାଇଁ ନ‌ଦୀର ତୀର । ସୀତା ବୋଲନ୍ତି ଶୁଣ ହେ ଲକ୍ଷ୍ମଣ ବୀର । ଅମଙ୍ଗଳମାନତ ହେଉଛି ମୋହର । ଦକ୍ଷିଣବାହୁ ଦକ୍ଷିଣନେତ୍ର ସ୍ଫୁରଇ । ତନୁ କମ୍ପେ ହୃଦୟ ଆକୁଳ ହୁଅଇ । କ‌ହୁଁ କ‌ହୁଁ ଗଙ୍ଗାତୀରେ ପ୍ରବେଶ ହେଲେ । ସେଠାରୁ ଲକ୍ଷ୍ମଣ ମହାଶୋକୀ ହୋଇଲେ । ଜାନ‌କୀ ବୋଲନ୍ତି ଭ୍ରାତ ପଦକ‌ମଳ । ଦିନେ ନ ଦେଖି ହେଉଛ ଏଡ଼େ ବିକଳ । ପ୍ରାଣପତି ଅଟନ୍ତି ମୋ ପ୍ରାଣ ପୁରୁଷ । ମୋହରି ହେଉଛି ତୁମ୍ଭ ପ୍ରାୟ ବିରସ । ଜାହ୍ନବୀ ସନ୍ନିଧେ ନିତ୍ୟକର୍ମ ସାରିଲେ । ଜାନ‌କୀ ଘେନି ଲକ୍ଷ୍ମଣ ନାବେ ବସିଲେ । ସୁମନ୍ତ୍ର ରଥ ଘେନିଣ କୂଳେ ରହିଲେ । ଲକ୍ଷ୍ମଣ ଋଷିଆଶ୍ରମ ଦେଖାଇ ଦେଲେ । ନାବୁଁ ଓହ୍ଲାଇଣ ଗଙ୍ଗା ତଟରେ ବସି । ସାନୁଜ କାରୁଣ୍ୟକରୁଛନ୍ତି ବିଶେଷି । ବୋଲନ୍ତି ଏ କାର୍ଯ୍ୟକୁ ପେଶିଲେ ଭୁପାଳ । ଛେଦନ କିପାଁ ନ କଲେ ଏ ମୋର ବାଳ । ବୋଲନ୍ତି ଜାନ‌କୀ କିପାଁ କ‌ହ ଏମାନ । ବାହୁଡ଼ି ଯିବାକୁ ହେଉଅଛି ମୋ ମନ । କେବଳ ମାତ୍ର ରହିବା ଆଜର ଦିନ । ସମସ୍ତ ଋଷିମାନଙ୍କୁ କରି ଦର୍ଶନ । ଶୁଣିଣ ଲକ୍ଷ୍ମଣ ପାଦେ ପଡ଼ି ରହିଲେ । ମୋର ଅପରାଧ ନ ଘେନିବ ବୋଇଲେ । ଜନମୁଖେ ରାମ ତୁମ୍ଭ ଅକୀର୍ତ୍ତି ଶୁଣି । ତେଜିଲେ ଏବେ ତୁମ୍ଭଙ୍କୁ କୋଦଣ୍ତପାଣି । ଶୁଣିଣ ଜାନ‌କୀ ମୂର୍ଚ୍ଛା ଯାଇଁ ପଡ଼ିଲେ । କେତେହେଁକ ବେଳେ ତ‌ହିଁ ଜ୍ଞାନ ପାଇଲେ । ବୋଲନ୍ତି ମୋହର ଏଡ଼େ ମନ୍ଦ କରମ । ବିଧାତା ଦୁଃଖ ଦେବାକୁ କଲା ଜନମ । ପ୍ରାଣ ଛାଡ଼ନ୍ତି କୁଲକୁ କଳଙ୍କ ହେବ । ପ୍ରାଣପତିଙ୍କି ମୋହର ଦୋଷ ଲାଗିବ । ପଚାରିବେ ଯୁବତିମାନେ ଯେ ଆମ୍ଭଙ୍କୁ । ପ୍ରାଣନାଥ କି ଦୋଷେ ଛାଡ଼ିଲେ ତୁମ୍ଭଙ୍କୁ । କି ବୋଲିବି ମୋତେ ସେହି ନ ଦିଶେ ବୁଦ୍ଧି । ବିନା ଦୋଷେ ତ୍ୟାଗ କଲେ କରୁଣାନିଧି । ଏମନ୍ତ ବୋଲିଣ ଉଚ୍ଚେ କଲେ ରୋଦନ । ବୋଲେ ବିଶି ଚିନ୍ତା କରି ପଦ୍ମଲୋଚନ ।

ଏକତ୍ରିଂଶ ଛାନ୍ଦ[ସମ୍ପାଦନା]

ରାଗ-ବିଚିତ୍ର ଦେଶାକ୍ଷ[ସମ୍ପାଦନା]

ଲବ କୁଶଙ୍କର ଶୋଭା ଦେଖିଣ ରାମ । ଦିଶୁଛନ୍ତି ବେନି ସୁତେ ଦ୍ୱିତୀୟ କାମ । କକ୍ଷାବାସ ପରିହର କନ୍ଧେ ପଇତା । ଦୋଷଡ଼ା କୃଷ୍ଣ ଅଜିନ ଦ୍ୱାଦଶ ଚିତା । ମଣ୍ତି ଅଛନ୍ତି ଗଳାରେ ରୂଦ୍ରାକ୍ଷମାଳ । ନେତ୍ରବେନି ବାହା ଦୁଇ ଦିଶେ ବିଶାଳ । ରାମାୟଣ ଶୁଣି ରାମଚନ୍ଦ୍ର ହରଷ । ବିସ୍ତାରିଲେ ବେନିସୁତେ ପିତାଙ୍କ ଯଶ । ପାଶକୁ ଆଣି ତାହାଙ୍କୁ କୋଳେ ଧଇଲେ । ଅତି ସ୍ନେହରେ ମୂର୍ଦ୍ଧନୀ ଆଘ୍ରାଣ କଲେ । ହୃଦରେ ପ୍ରବେଶ ହେଲା ଶୋକ ବିବେକ । ଦେଖୁଅଛନ୍ତି ସଭାରେ ସକଳ ଲୋକ । ଆଜ୍ଞା ଦେଲେ ଏ ବେନି ଆମ୍ଭର କୁମର । ରହିଅଛନ୍ତି ଜନନୀ ଋଷିଙ୍କ ପୁର । ଶୁଣିଣ ଆନନ୍ଦ ହେଲେ ଭ୍ରତ ଲକ୍ଷ୍ମଣ । ମନ୍ତ୍ରିଗଣ ସ‌ହିତେ ସୁଗ୍ରୀ ବିଭୀଷଣ । କୁମରଙ୍କୁ ଚାହିଁ ବୋଲନ୍ତି ସର୍ବ ନୃପ । ଦେଖ ଏ ବେନି କୁମର ଶ୍ରୀରାମ ରୂପ । ଶ୍ରୀରାମର କୋଳୁଁ ନେଇ ଭ୍ରତ ଲକ୍ଷ୍ମଣ । ଆଲିଙ୍ଗନ କରି ଶିରେ ଦେଲେ ଆଘ୍ରାଣ । ସୁଗ୍ରୀ ବିଭୀଷଣ ଆଲିଙ୍ଗନତ କଲେ । ଆଉ ରାଜାମାନେ ଶିରେ କରକୁ ଦେଲେ । ଭତ ବିଭୀଷଣକୁ ଯେ ଠାରିଣ ଦେଲେ । ସେ ବେନି ନୃପତି ତାଙ୍କ ମନ ଜାଣିଲେ । ସୁଗ୍ରୀ ବିଭୀଷଣ ଯୋଡ଼ିଣ ବେନିକର । ଭୟ ତେଜି ଜଣାଇଲେ ରାମ ଛାମୁର । ଠାକୁରାଣୀଙ୍କର ଦେବ ଅଛି କି ଦୋଷ । କିପାଁ ତାଙ୍କୁ ଆଜ୍ଞା ହେଲା ବନେ ନିବାସ । ଲଙ୍କାରେତ ଦେଖିଅଛ ପରୀକ୍ଷା ଦେଲେ । ଏବେ ପ୍ରଭୁଙ୍କୁ କେବଣ ଅପ୍ରାଧ କଲେ । ଏବେ ସେହି ଅପରାଧ ଆମ୍ଭଙ୍କୁ ଦେବ । ଋଷିଙ୍କ ମଠରୁ ଘେନାଇଣ ଆସିବ । ଶୁଣିଣ ଶ୍ରୀରାମ ତାହାଙ୍କର ବଚନ । ବୋଲନ୍ତି ଯେ ନିନ୍ଦା କଲେ ଅଯୋଧ୍ୟାଜନ । ତୁମ୍ଭର ଜଣାଇବାରୁ ସୀତା ଆସିବେ । କେବଳ ସେ ଆଉ ଥରେ ପରୀକ୍ଷା ଦେବେ । ଏମନ୍ତ କ‌ହିଣ ଅଣାଇଲେ ଦୁଆରୀ । ଆଜ୍ଞାଦେଲେ ଶ୍ରୀମୁଖରେ କୋଦଣ୍ତଧାରୀ । ବାଲମୀକି ଆଶ୍ରମକୁ ତ୍ୱରିତେ ଯିବୁ । ଆମ୍ଭର ଆଜ୍ଞା ବୋଲିଣ ତାଙ୍କୁ କ‌ହିବୁ । ବୋଲିବୁ ଏମନ୍ତ ଆଜ୍ଞା ଦେଲେ ନୃପତି । ସୀତାଙ୍କୁ ଘେନିଣ ବିଜେ କରିବ ଯତି । ଆଜ୍ଞା ପାଇ ପଡ଼ିହାରୀ ତ୍ୱରିତେ ଗଲା । ବାଲମୀକି ଆଶ୍ରମରେ ପ୍ରବେଶ ହେଲା । ଜନ‌କ ସୁତାଙ୍କୁ ସେ ପ୍ରବୋଧ୍ୱ କ‌ହିଲେ । ରଘୁନାଥ ଆଜ୍ଞା ତୁମ୍ଭେ ଯିବ ବୋଇଲେ । ଆମ୍ଭର ସଙ୍ଗରେ ମାଏ ଯାଗକୁ ଯିବ । ଆଜ୍ଞାଦେଇଣ ଅଛନ୍ତି ତୁମ୍ଭରି ଧବ । ଦେଖିଣ ରାମ ତୁମ୍ଭଙ୍କୁ ହେବେ ହରଷ । ଦେଖିଣ ଦେବତାମାନେ ହୋଇବେ ତୋଷ । ଏତେ କ‌ହି ଜାନ‌କୀଙ୍କି ସଙ୍ଗତେ ଘେନି । ବୋଲିଏ ବିଶି ଅବିଳମ୍ବେ ବାହାର ମୁନି ।

ଦ୍ୱାତ୍ରିଂଶ ଛାନ୍ଦ[ସମ୍ପାଦନା]

ରାଗ - ଚକ୍ରକେଳି ବାଣୀ[ସମ୍ପାଦନା]

ସୀତାଙ୍କୁ ଘେନିଣ ମୁନି ପ୍ରବେଶ । ମହୀ ଘେନି ଅଇଲେ କି ପ୍ରଜେଶ ।
ଆସନ ଦେଇ ରାମ ପୂଜା କଲେ । ଖଣ୍ତେ ଦୂରେ ଜାନ‌କୀ ଉଭା ହେଲେ ।
କରିଛନ୍ତି ବେନିକର ଅଞ୍ଜଳି । ମହୀକି ନୁଆଇଁ ଛନ୍ତି ମଉଳି ।
କ୍ରୋଧେ କୋକନ‌ଦ ଦେବୀ ଲପନ । ଦିଶୁଅଛନ୍ତି ଦ‌ହିଲା ସୁବର୍ଣ୍ଣ ।
ବାଲମୀକି ବୋଲନ୍ତି ହେ ଶ୍ରୀରାମ । କାହା ମୁଖୁଁ ଶୁଣି କଲ ଏ କର୍ମ ।
ତୁମ୍ଭେତ ପଣ୍ତିତ ମହାଦୟାଳୁ । ଲୋକବାଦକୁ ହୋଇଲ ଭୟାଳୁ ।
ଆମ୍ଭେ ଜାଣୁଁ ତାଙ୍କର ନାହିଁ ଦୋଷ । କ‌ହିଛନ୍ତି ପୂର୍ବେ ଦିବଓକସ ।
ତୁମ୍ଭ ଅନ୍ତଃପୁର ଆମ୍ଭ ଆଶ୍ରମ । ପୂର୍ବୁ ଅଟଇ ଅଭିନ୍ନ ଭୋ ରାମ ।
ଏ ତୁମ୍ଭର ବେନିସୁତ ଯାମଳ । ବେଦବେଦାନ୍ତରେ ଏହି କୁଶଳ ।
ରାମାୟଣରେ ସମ୍ପୂର୍ଣ୍ଣ ଶୁଣିବ । ଭବିଷ୍ୟ ବୋଲିଣ ତୁମ୍ଭେ ଜାଣିବ ।
ରାମ ବୋଲନ୍ତି ଶୁଣିବାକ ଋଷି । ଆମ୍ଭେ ଜାଣୁ ସୀତା ନିର୍ଦ୍ଦୋଷୀ ।
ପ୍ରତ୍ୟକ୍ଷେ ଅଗ୍ନି ଭିତରୁ ଅଇଲେ । ନିର୍ଦ୍ଦୋଷୀ ବୋଲିଣ ତାତ ବୋଇଲେ ।
ଋକ୍ଷ ରାକ୍ଷସ ବାନର ଦେଖିଲେ । ନିର୍ଦ୍ଦୋଷୀରେ ପିତା ତାଙ୍କୁ ଲେଖିଲେ ।
ତେଣୁ ଆମ୍ଭେ କଲୁ ଯେ ଅଙ୍ଗୀକାର । ଅଯୋଧ୍ୟାଜନେ କଲେ ଅବିଚାର ।
ରାବଣପୁରୁଁ ସୀତାଙ୍କୁ ଆଣିଲେ । ଲୋଭେ ତାହାଙ୍କୁ ତେଜି ନ ପାରିଲେ ।
ଏବେ କଲୁଁ ଅଶ୍ୱମେଧ ସମ୍ପୂର୍ଣ୍ଣ । ଆସି ଅଛନ୍ତି ବ‌ହୁତ ରାଜନ ।
ସ୍ୱଦେଶୀ ବିଦେଶୀ ଯେତେ ମନୁଷ୍ୟ । ଆସିଅଛନ୍ତି ନାନାଜାତି ବିଶେଷ ।
ସେମାନେ ପରୀକ୍ଷା ଥରେ ଦେଖିବେ । ସୀତା ନିର୍ଦ୍ଦୋଷୀ ବୋଲି ପ୍ରତେଯିବେ ।
ତୁମ୍ଭେ ତାଙ୍କୁ ଏହିବାଟେ କ‌ହିବ । ଯେମନ୍ତେ ପ୍ରତୀତି ମନେ ହୋଇବ ।

ତାହା ଶୁଣି ବାଲମୀକି ଉଠିଲେ । ସୀତାଙ୍କ ଛାମୁରେ ଯାଇ କ‌ହିଲେ ।

ଶୁଣି ଦେବି କ୍ରୋଧରେ ପ୍ରଜ୍ୱଳିତ । ଶିର କମ୍ପାଇ କ‌ହ‌ନ୍ତି ଲଳିତ । ଭୂମିକି ଚାହିଁ ବୋଲନ୍ତି ଗୋ ମାତ । ରାମ ବିନୁ ଅନ୍ୟରେ ଯେବେ ଚିତ୍ତ । ତେବେ ମାତ ମୋତେ ଠାବ ନ ଦେବ । ନୋହିଲେ ମୋପାଇଁ ବିଳ ହୋଇବ ଆଜ୍ଞା ପାଇ ବସୁଧା ଫାଟିଗଲେ । ସିଂହାସନେ ସୀତାଙ୍କୁ ବସାଇଲେ । ଘେନାଇ ରସାତଳକୁ ଚଳିଲେ । ଦେଖି ରାମ ନେତ୍ରୁ ନୀର ତେଜିଲେ । ଚାହୁଁ ଚାହୁଁ ଭୂମି ହୋଏ ସମାନ । ଦେଖି ନ ଦେଖିଲା ପ୍ରାୟ ଲୋଚନ । ଯାନମାତ୍ର ଯିବା ଚାହିଁ ଦେଖିଲେ । ଅବଶ ହୋଇ ଚେତନା ହାରିଲେ । ବୋଲନ୍ତି କେଣେ ଗଲୁ ରେ ସୁମୁଖୀ । ଭଲ କରି ନ ପାରିଲି ମୁଁ ଦେଖି । ଅଯୋନିସମ୍ଭୁତା ମୋର ବନିତା । ବିଚ୍ଛେଦ କରାଇଲୁ ରେ ବିଧାତା । ଏତେ ବୋଲି ପୃଥିବିକି ଚାହିଁଲେ । ବୋଲେ ବିଶି କ୍ରୋଧମନ ହୋଇଲେ ।

ଅଷ୍ଟତ୍ରିଂଶ ଛାନ୍ଦ[ସମ୍ପାଦନା]

ରାଗ-ବରାଡ଼ୀ-ବିପ୍ରସିଂହା ବାଣୀ
ଆହେ ସଉମିତ୍ରି ଶୁଣ, ଅଯୋଧ୍ୟାରୁ ଏହିକ୍ଷଣ,
ବାହାର ହୋଇଣ ତୁମ୍ଭେ ଯାଅ ।
ଆମ୍ଭେ ତୁମ୍ଭଙ୍କୁ ତେଜିଲୁଁ, ସୁକୃତକୁ ଭୟ କଲୁଁ,
ପ୍ରାଣ ଘେନି ଯହିଁ ତ‌ହିଁ ଥାଅ ହେ ।
ସଉମିତ୍ରି । ବଧକୁ ନୁହ ତୁମ୍ଭେ ଭାଜନ ।
ବନେ ସେବା କଲ ଯେତେ, ତାହା ମୁଁ କ‌ହିବି କେତେ,
ମଲା ଗଲା ଦୁହେଁତ ସମାନ ହେ ।
ଆମ୍ଭେ ପ୍ରତିଜ୍ଞା କରିଛୁଁ, ମାରିବୁଁ ବୋଲି ବୋଲିଛୁଁ,
ତାହା ଆଜ ଯେବେ ନ କରିବା ।
ହୋଇବ ସୁକୃତ ଭଙ୍ଗ, ନରକେ ପଡ଼ିବ ଅଙ୍ଗ,
ଆଜ୍ଞାଭ୍ରଷ୍ଟନୃପ ବୋଲାଇବା ହେ ।
ସଉମିତ୍ରି । ତୁମ୍ଭେ ଜାଣ ସବୁ ବ୍ୟବ‌ହାର ।
ତୁମ୍ଭଙ୍କୁ ମୁଁ କି କ‌ହିବି, ତୁମ୍ଭ ମୁଖ ନ ଦେଖିବି,
ତୁମ୍ଭ ମଙ୍କୁ ତୁମ୍ଭେ ବିଚାର ହେ ।
ଶ୍ରୀମୁଖୁଁ ନିଷ୍ଠୁରବାଣୀ, ଲକ୍ଷ୍ମଣ ଶ୍ରବଣେ ଶୁଣି
ପଛଘୁଞ୍ଚା ଦେଇ ପଛ ହେଲେ,

ଶିରେ ଦେଲେ ବେନିପାଣି, ଛାମୁରୁ ହୋଇ ମେଲାଣି,

ଆଉ ତାଙ୍କ ପୁରକୁ ନ ଗଲେ ସେ । ସଉମିତ୍ରି । ସର‌ଯୂତଟ ନିକଟେ ହେଲେ । ଗମନ୍ତେ ନ‌ଦୀ ଭିତରେ, ଆକାଶେ ରହି ଅମରେ, କୁସୁମମାନତ ବୃଷ୍ଟି କଲେ ସେ । ସୁନାସୀର ବେଦବର, ବିମାନ ଘେନି ସଙ୍ଗର, ଲକ୍ଷ୍ମଣଙ୍କ ଛାମୁରେ ପ୍ରବେଶ । କର‌ଯୋଡ଼ି ସ୍ତବକଲେ, ବିମାନରେ ବସାଇଲେ, ବୋଇଲେ ସ୍ୱର୍ଗରେ କର ବାସ ହେ । ଏତେ କ‌ହି ଶୂନ୍ୟେ ନେଲେ, କେହି ତାଙ୍କୁ ନ ଦେଖିଲେ, ବୋଲେ ବିଶି ରଖ ସୀତାଧବ ହେ ।