ଭଜନ ମାଳା/ଆହେ ନୀଳଗିରି

ଉଇକିପାଠାଗାର‌ରୁ
Jump to navigation Jump to search
ଭଜନ ମାଳା ଲେଖକ/କବି: ସାଲବେଗ
ଆହେ ନୀଳଗିରି

ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।ଘୋଷା।

ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି, ଜପୁଛନ୍ତି ନାମ ସଂଖ୍ୟା କରି ।୧।

ବଡଦାଣ୍ଡ ଦେଖି ହେଲି ତୋଷ,
ରେଣୁମାତ୍ର ତେଣୁ କଲି ଗ୍ରାସ,
କ୍ଷୀରୀ ଖେଚଡ଼ିରେ ମନ ନ ବୋଧଇ ଟଙ୍କ ତୋରାଣିରେ ମନ ତୋଷ ।୨।

ସିଂହଦ୍ୱାରେ ପଡ଼େ ବେତବାଡ଼ି,
ବାଜନ୍ତେ ପାତକ ଯାଏ ଛାଡ଼ି,
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତେ ଏକକୁ ଆରେକ ହୁଡ଼ାହୁଡ଼ି ।୩।

ବାଇଶି ପାବଚ୍ଛ ଗଲି ସୁଖେ,
କୈବଲ୍ୟ ପସରା ବେନି ପାଖେ,
ଚାଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ।୪।

ରୋହିଣୀ ପାଦୁକା କୁଣ୍ଡରଜ,
ସିଂହ ମାଡ଼ି ବସିଅଛି ଗଜ,
ସତେ କି ଏ ଜନ୍ମ ସୁଫଳ ଲଭିବ କାକ ପଡ଼ି ହେଲା ଚତୁର୍ଭୁଜ ।୫।

ରହି ଗରୁଡ଼ ପଛରେ ଦେଖ
କି ଶୋଭା ପାଉଛି ପଦ୍ମମୁଖ,
ହୀରା ନୀଳା ମୋତି ମାଣିକ୍ୟ ଜଳୁଛି ହୃଦେ ଲମ୍ବିଅଛି ହୀରାନେକ ।୬।

ଶ୍ରୀଜଗନ୍ନାଥଙ୍କ ଠାକୁରାଣୀ
ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ଆଣି,
କଳପବଟକୁ ପ୍ରଦକ୍ଷିଣ କଲେ ସାଧୁସନ୍ଥ ଦେଲେ ହରିଧ୍ୱନି ।୭।

କହେ ସାଲବେଗ ହୀନ ଜାତି
ଶ୍ରୀରଙ୍ଗାଚରଣେ ରହୁ ମତି,
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି, ବାରେ ଦୟାକର ଲକ୍ଷ୍ମୀପତି ।୮।