ଭଜନ ମାଳା/ଆହେ ନୀଳ ଶଇଳ

ଉଇକିପାଠାଗାର ରୁ
Jump to navigation Jump to search
ଭଜନ ମାଳା ଲେଖକ/କବି: ସାଲବେଗ
ଆହେ ନୀଳ ଶଇଳ


ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।
ମୋ ଆରତ ନଳିନୀବନକୁ କର ଦଳନ ।୧।

ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ।
ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ।୨।

ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ ।
କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ।୩।

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ ।
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।୪।

ରାବଣର ଭାଇ ବିଭୀଷଣ ଗଲା ଶରଣ ।
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।୫।

ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ।
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।୬।

କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।୭।