ଭଜନ ମାଳା/କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଦେଖଣା
< ଭଜନ ମାଳା
କେଣେ ଘେନି ଯାଉଛ
*********************
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ (ଘୋଷା) ।।୦।।
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ
ବିଜୟ କର ପ୍ରଭୁ ଚାପକୁ ।।୧।।
କୁଳବଧୂଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ ।।୨।।
ବଡ଼ ଦେଉଳୁ ବାହାରି ଶଗଡ଼େ ବିଜେ ହେଇ
ରେଣୁ ଯେ ପଡୁଥିବ ଶ୍ରୀ ମୁଖକୁ ।।୩।।
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ ଜୀବନକୁ ।।୪।।
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ (ଘୋଷା)
ରଚନା : ଭକ୍ତ ସାଲବେଗ