ଭାରତୀୟ ସମ୍ବିଧାନ/ଭାଗ ୨
←ଭାଗ ୧ | ଭାରତୀୟ ସମ୍ବିଧାନ ଭାଗ ୨ ନାଗରିକତା |
ଭାଗ ୩→ |
ଧାରା ୫ {ସମ୍ବିଧାନ ପ୍ରଣୟନ ସମୟରେ ନାଗରିକତା}
[ସମ୍ପାଦନା]ଏହି ସମ୍ବିଧାନର ପ୍ରଣୟନ ସମୟରେ, ଏପରି ପ୍ରତ୍ୟେକ ବ୍ଯକ୍ତି, ଯାହାଙ୍କର ଭାରତର ରାଜ୍ଯକ୍ଷେତ୍ରରେ ଅଧିବାସ ଅଛି, ଏବଂ—
- ଯେ ଭାରତର ରାଜ୍ଯକ୍ଷେତ୍ରରେ ଜାତ ହୋଇଥିଲେ ; ଅଥବା
- ଯାହାର ପିତାମାତାଙ୍କ ମଧ୍ଯରୁ କେହି ଭାରତର ରାଜ୍ଯକ୍ଷେତ୍ରରେ ଜାତ ହୋଇଥିଲେ ; ଅଥବା
- ଏହି ପ୍ରଣୟନର ଅବ୍ୟବହିତ ପୂର୍ବରୁ ଯେ ଅନ୍ୟୁନ ପାଞ୍ଚ ବର୍ଷ ଧରି ଭାରତର ରାଜ୍ଯକ୍ଷେତ୍ରରେ ସାଧାରଣତଃ ନିବାସୀ ହୋଇଅଛନ୍ତି,
ସେମାନେ ଭାରତର ନାଗରିକ ହେବେ ।
ଧାରା ୬ {ପାକିସ୍ତାନରୁ ଭାରତକୁ ପ୍ରବ୍ରଜନ କରିଥିବା କେତେକ ବ୍ଯକ୍ତିଙ୍କର ନାଗରିକତାର ଅଧିକାର}
[ସମ୍ପାଦନା]ଧାରା ୫ରେ ଯାହାକିଛି ଥିବା ସତ୍ତ୍ବେ, ପାକିସ୍ତାନରେ ବର୍ତ୍ତମାନ ଅନ୍ତର୍ଗତ ରାଜ୍ଯକ୍ଷେତ୍ରରୁ ଭାରତର ରାଜ୍ଯକ୍ଷେତ୍ରକୁ ପ୍ରବ୍ରଜନ କରିଥିବା କୌଣସି ବ୍ୟକ୍ତି ଏହି ସମ୍ବିଧାନର ପ୍ରବର୍ତ୍ତନ କାଳରେ ଭାରତର ନାଗରିକ ବୋଲି ବିବେଚିତ ହେବେ,—
- ଯଦି ସେ କିମ୍ବା ତାଙ୍କ ପିତାମାତାଙ୍କ ମଧ୍ଯରୁ କେହି ବା ପିତାମହ ଓ ପିତାମହୀଙ୍କ ମଧ୍ଯରୁ କେହି, ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫ (ଯଥା ମୂଳତଃ ଅଧିନିୟମିତ)ରେ ଯଥା ସଙ୍କାକୃତ ଭାରତରେ ଜାତ ହୋଇଥିଲେ ; ଏବଂ
- ଯେବେ ସେପରି ବ୍ଯକ୍ତି ୧୯୪୮ ମସିହା ଜୁଲାଇ ମାସ ଊନବିଂଶ ଦିବସ ପୂର୍ବରୁ ପ୍ରବ୍ରଜନ କରିଥାଆନ୍ତି ତେବେ, ଯଦି ତାଙ୍କର ସେପରି ପ୍ରବ୍ରଜନ କରିବା ତାରିଖଠାରୁ ସେ ସାଧାରଣତଃ ଭାରତର ରାଜ୍ଯକ୍ଷେତ୍ରରେ ନିବାସୀ ହୋଇଥାଆନ୍ତି ; ଅଥବା
- ଯେବେ ସେପରି ବ୍ଯକ୍ତି ୧୯୪୮ ମସିହା ଜୁଲାଇ ମାସ ଊନବିଂଶ ଦିବସରେ ବା ତାହାପରେ ସେପରି ପ୍ରବ୍ରଜନ କରିଥାଆନ୍ତି ତେବେ ଯଦି ସେ ଭାରତୀୟ ଅଧିରାଜ୍ୟର ସରକାରଙ୍କ ଦ୍ବାରା ସେହି ନିମିତ୍ତ ନିଯୁକ୍ତ ଅଧିକାରୀଙ୍କୁ ସରକାରଙ୍କ ଦ୍ବାରା ବିହିତ ପ୍ରପତ୍ରରେ ଏବଂ ରୀତିରେ ନାଗରିକତା ପ୍ରାପ୍ତି ନିମିତ୍ତ ଆବେଦନ ପତ୍ର ଦେଇ ସେହି ଅଧିକାରୀଙ୍କ ଦ୍ବାରା ଭାରତର ନାଗରିକ ଭାବେ ପଞ୍ଜୀକୃତ ହୋଇଥାନ୍ତି :
ପରନ୍ତୁ କୌଣସି ବ୍ୟକ୍ତି ତାଙ୍କର ଆବେଦନ ତାରିଖର ଅବ୍ୟବହିତ ପୂର୍ବରୁ ଅନ୍ୟୁନ ଛଅମାସ ଧରି ଭାରତର ରାଜ୍ଯକ୍ଷେତ୍ରରେ ନିବାସୀ ହୋଇ ନ ଥିଲେ ତାହାଙ୍କୁ ଏପରି ପଞ୍ଜୀକୃତ କରାଯିବ ନାହିଁ ।
ଧାରା ୭ {ପାକିସ୍ତାନକୁ ପ୍ରବ୍ରଜନ କରିଥିବା କେତେକ ବ୍ଯକ୍ତିଙ୍କର ନାଗରିକତାର ଅଧିକାର}
[ସମ୍ପାଦନା]ଧାରା ୫ ଓ ୬ ରେ ଯାହା କିଛି ଥିବା ସତ୍ତ୍ବେ, ଯେଉଁ ବ୍ଯକ୍ତି ୧୯୪୭ ମସିହା ମାର୍ଚ୍ଚ ମାସ ପ୍ରଥମ ଦିବସ ପରେ ଭାରତର ରାଜ୍ଯକ୍ଷେତ୍ରରୁ ପାକିସ୍ତାନରେ ବର୍ତ୍ତମାନ ଅନ୍ତର୍ଭୁକ୍ତ ରାଜ୍ଯକ୍ଷେତ୍ରକୁ ପ୍ରବ୍ରଜନ କରିଥାଆନ୍ତି, ସେହି ବ୍ଯକ୍ତି ଭାରତର ନାଗରିକ ବୋଲି ବିବେଚିତ ହେବେ ନାହିଁ :
ପରନ୍ତୁ, ଯେଉଁ ବ୍ଯକ୍ତି ପାକିସ୍ତାନରେ ବର୍ତ୍ତମାନ ଅନ୍ତର୍ଭୁକ୍ତ ରାଜ୍ଯକ୍ଷେତ୍ରକୁ ସେପରି ପ୍ରବ୍ରଜନ କରିବା ପରେ କୌଣସି ବିଧିର ପ୍ରାଧିକାର ଦ୍ବାରା ବା ପ୍ରାଧିକାର ବଳରେ ପୁନର୍ବସତି ବା ସ୍ଥାୟୀ ପ୍ରତ୍ୟାଗମନ ନିମିତ୍ତ ଅନୁଜ୍ଞା ଅଧିନରେ ଭାରତର ରାଜ୍ଯକ୍ଷେତ୍ରକୁ ପ୍ରତ୍ୟାଗମନ କରିଥାଆନ୍ତି, ସେହି ବ୍ଯକ୍ତିଙ୍କ ପ୍ରତି, ଏହି ଧାରାର କୌଣସି ବିଷୟ ଲାଗୁହେବ ନାହିଁ, ଏବଂ ଏପରି ପ୍ରତ୍ୟେକ ବ୍ଯକ୍ତି ଧାରା ୬ ର ଖଣ୍ଡ ୨ର ପ୍ରୟୋଜନ ନିମିତ୍ତ, ୧୯୪୮ ମସିହା ଜୁଲାଇ ମାସ ଊନବିଂଶ ଦିବସ ପରେ ଭାରତର ରାଜ୍ଯକ୍ଷେତ୍ରକୁ ପ୍ରବ୍ରଜନ କରିଛନ୍ତି ବୋଲି ବିବେଚିତ ହେବେ ।
ଧାରା ୮ {ଭାରତ ବାହାରେ ବାସ କରୁଥିବା ଭାରତୀୟ ଉଦ୍ଭବ କେତେକ ବ୍ଯକ୍ତିଙ୍କର ନାଗରିକତାର ଅଧିକାର}
[ସମ୍ପାଦନା]ଧାରା ୫ରେ ଯାହାକିଛି ଥିବା ସତ୍ତ୍ବେ, ଯଦି କୌଣସି ବ୍ଯକ୍ତି ନିଜ ବା ତାଙ୍କ ପିତାମାତାଙ୍କ ମଧ୍ଯରୁ କେହି ବା ତାଙ୍କ ପିତାମହ ପିତାମହୀଙ୍କ ମଧ୍ଯରୁ କେହି (ଯଥା ମୂଳତଃ ଅଧିନିୟମିତ) ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫, ରେ ଯଥା ସଙ୍କାକୃତ ଭାରତରେ ଜନ୍ମ ଗ୍ରହଣ କରିଥିଲେ ତଥା ସେ ଏହି ପ୍ରକାରପେ ସଙ୍କାକୃତ ଭାରତ ବାହାରେ କୌଣସି ଦେଶରେ ସାଧାରଣତଃ ବାସ କରୁଥାନ୍ତି ଏବଂ ତତ୍ସମୟ ବାସକରୁଥିବା ଦେଶରେ ଭାରତର ରାଜନୈୟିକ ବା ବାଣିଜ୍ଯିକ ପ୍ରତିନିଧି ନିକଟରେ ଭାରତୀୟ ଅଧିରାଜ୍ୟ ସରକାର ବା ଭାରତ ସରକାରଙ୍କ ଦ୍ବାରା ବିହିତ ପ୍ରପତ୍ରରେ ଓ ରୀତିରେ ଏହି ସମ୍ବିଧାନର ପ୍ରାରମ୍ଭର ପୂର୍ବରୁ ବା ପରେ ନାଗରିକତା ପ୍ରାପ୍ତି ନିମିତ୍ତ ଆବେଦନ କରିଥାନ୍ତି ଓ ସେପରି ରାଜନୈୟିକ ବା ବାଣିଜ୍ଯିକ ପ୍ରତିନିଧି ଦ୍ବାରା ଭାରତର ନାଗରିକ ରୂପେ ପଞ୍ଜୀକୃତ ହୋଇଥାନ୍ତି, ସେହି ବ୍ଯକ୍ତି ଭାରତର ନାଗରିକ ରୂପେ ବିବେଚିତ ହେବେ ।
ଧାରା ୯ {ବିଦେଶୀ ନାଗରିକତାର ସ୍ୱେଚ୍ଛାକୃତ ଅର୍ଜନରେ ଭାରତୀୟ ନାଗରିକତାର ଅନ୍ତ}
[ସମ୍ପାଦନା]ଯଦି କୌଣସି ବ୍ୟକ୍ତି ସ୍ୱେଚ୍ଛାରେ କୌଣସି ବିଦେଶୀ ରାଜ୍ଯର ନାଗରିକତା ଅର୍ଜନ କରିଥାନ୍ତି, ତେବେ ସେ ଧାରା ୫ ବଳରେ ଭାରତର ନାଗରିକ ହେବେ ନାହିଁ, କିମ୍ବା ଧାରା ୬ ବା ୮ ବଳରେ ଭାରତର ନାଗରିକ ବୋଲି ବିବେଚିତ ହେବେ ନାହିଁ ।
ଧାରା ୧୦ {ନାଗରିକତାର ଅଧିକାର ଚାଲୁରହିବା}
[ସମ୍ପାଦନା]ଏହି ଭାଗରେ ପୂର୍ବବର୍ତ୍ତୀ ଉପବନ୍ଧମାନଙ୍କ ମଧ୍ଯରୁ କୌଣସିଟିର ଅଧିନରେ ଭାରତର ନାଗରିକ ଥିବା ବା ନାଗରିକ ବୋଲି ବିବେଚିତ ହେଉଥିବା ପ୍ରତ୍ୟେକ ବ୍ଯକ୍ତି ସଂସଦ ଦ୍ବାରା ଯେଉଁ ବିଧି ପ୍ରଣୟନ କରାଯିବ ତହିଁର ଉପବନ୍ଧମାନଙ୍କର ବଶବର୍ତ୍ତୀ ରହି ସେହିପରି ନାଗରିକ ହୋଇପାରିବ ।
ଧାରା ୧୧ {ସଂସଦ ବିଧି ଦ୍ବାରା ନାଗରିକତାର ଅଧିକାରକୁ ବିନିୟମିତ କରିବା}
[ସମ୍ପାଦନା]ଏହି ଭାଗରେ ପୂର୍ବବର୍ତ୍ତୀ ଉପବନ୍ଧମାନଙ୍କରେ ଥିବା କୌଣସି ବିଷୟ ନାଗରିକତାର ଅର୍ଜନ ଓ ପର୍ଯ୍ୟବସାନ ଏବଂ ନାଗରିକତା ସମ୍ବନ୍ଧୀୟ ଅନ୍ୟ ସମସ୍ତ ବିଷୟ ସମ୍ବନ୍ଧରେ ଉପବନ୍ଧ ପ୍ରଣୟନ କରିବା ନିମିତ୍ତ ସଂସଦର କ୍ଷମତାର ଅଳ୍ପୀକରଣ କରିବ ନାହିଁ ।