ମଥୁରା ମଙ୍ଗଳ/କୃଷ୍ଣ ଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ

ଉଇକିପାଠାଗାର‌ରୁ
ମଥୁରା ମଙ୍ଗଳ ଲେଖକ/କବି: ଭକ୍ତ ଚରଣ ଦାସ
କୃଷ୍ଣ ଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ


ଦ୍ଵିତୀୟ ଛାନ୍ଦ
ରାଗ –କାଳୀ



କୃଷ୍ଣଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ ।
ସାଜିଲା ରଥ ଯୋଚିଲା ଅଶ୍ଵ ହେଜିଲା ଯିବା ପଥ । ୧ ‌।
ବାଗ ଦଉଡ଼ି ଧରିଣ ଚଢ଼ି ଯା ବୋଲି ଦେଲା ଚାଳି ।
ଚକ୍ଷୁ ମଟକେ ଅତି ଛଟକେ ମଥୁରା ସୀମା ବଳି । ୨ ।
କରେ ଗମନ ଅତି ଶୋଭନ ଦିଶଇ ରହୁବର ।
ଯହିଁରେ ବିଜେ ଦେବଙ୍କ ରାଜେ କରିବେ ମଧୁପୁର । ୩ ।
କଂସ ଡଗର କରେ ବିଚାର ଧନ୍ୟ ହୋଇଲି ଆଜ ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖିବି ଦେବରାଜ । ୪ ।
ଧନ୍ୟରେ ନେତ୍ର ହେବ ପବିତ୍ର ଚାହିଁ ଜଳଦତନୁ ।
ଗୋପାଳ ମେଳେ ନନ୍ଦର କୋଳେ ବସି ସେ ଥିବେ କାହ୍ନୁ । ୫ ।
ଦୂରୁ ଅନାଇ ଡାକିବେ ଦୁଇ ଭାଇ ଅକ୍ରୂର ଆସ ।
ସେ ବାଣୀ ଶୁଣି ଶ୍ରବଣ ବେନି ତେଜିବେ ସର୍ବ ଦୋଷ । ୬ ।
ଶରୀର ଗନ୍ଧ ପାଇ ଆନନ୍ଦ ହୋଇବ ନାସାଦ୍ଵାର ।
କରନ୍ତେ କୋଳ ଅଙ୍ଗ ନିର୍ମଳ ହୋଇବ ଆଜ ମୋର । ୭ ।
ବିଶ୍ଵାସମାନ ପଚାରି ରାମକୃଷ୍ଣ କରିବେ ପୂଜା ।
ସଦୟ ଚିତ୍ତେ ପେଷିଲା ମୋତେ ଧନ୍ୟ ସେ କଂସରାଜା । ୮ ।
ପାଇବି ଗତି ଦେଖି ଶ୍ରୀପତି ଛେଦିବି ଭବବନ୍ଧ ।
ସ୍ନେହରେ କରି ବ୍ରଜବିହାରୀ କର ଦେବେ ମୋ କନ୍ଧ । ୯ ।
ଏମନ୍ତ ଭାଳି ଆସନ୍ତେ ଚଳି ଦେଖିଲା ବାଲିକୁଦ ।
ଧ୍ଵଜ ଅଙ୍କୁଶ ଚକ୍ରାଦି ଚିହ୍ନ ସହିତେ ପଦ୍ମପାଦ । ୧୦ ।
ଆନନ୍ଦ ହୋଇ ରଥରୁ ଡେଇଁ ଶିରେ ନିଉଡେ ବାଲି ।
ହା କୃଷ୍ଣ ବୋଲି ନ ପାରେ ଚାଲି, ନୟନ-ଅଶ୍ରୁ ଗଳି । ୧୧ ।
କହି ହୁଡ଼ଇ, ଉଠି ପଡ଼ଇ, ଗଡ଼ଇ ପାଦ ପରେ ।
ଶୂନ୍ୟକୁ କୋଳ କରି ଆକୁଳ, କମ୍ପଇ ପ୍ରେମଭରେ । ୧୨ ।
ଚକ୍ଷୁ ବୁଜଇ ମନେ ହେଜଇ, ଗୋବିନ୍ଦ ଲୀଳାମାନ ।
ଉଚ୍ଚେ ଗର୍ଜଇ ବାତୁଳ ହୋଇ କ୍ଷଣକେ ଅଚେତନ । ୧୩ ।
ଅଳପ ଚାହିଁ ନୟନ ଦୁଇ ପୁଣି ବୁଜଇ ଭାବେ ।
ଗୋପୀମୋହନ ହେ ଶ୍ୟାମଘନ ବୋଲି ଆରତେ ଭବେ । ୧୪ ।
ମୁଁ ହୀନ ମୂଢ଼ ପାପିଷ୍ଠ ରାଢ଼ ନାହିଁ ମୋହର ଭାଗ୍ୟ ।
ସତେ କି ଥରେ ନେତ୍ରପଥରେ ଦେଖିବି ଗୋପମାର୍ଗ । ୧୫ ।
ନମିବି ପାଦେ ଅତି ଆନନ୍ଦେ ତୋଳି ଧରିବେ ହରି ।
ରାମ ସହିତେ ଦର୍ହାସେ ମୋତେ ପ୍ରେମାଲିଙ୍ଗନ କରି । ୧୬ ।
କହି ଏସନ ବସିଲା ଯାନ ବାହଇ ଧୀରେ ଧୀରେ ।
ତୁରିତେ ଯାଇ ପ୍ରବେଶ ହେଲା ଗୋପର ସୀମାନ୍ତରେ । ୧୭ ।
ଦେଖିଲା ଗୋଷ୍ଠେ ଗୋପାଳ ମେଣ୍ଟେ ଗାବ ଦୁ଼ହନ୍ତି ହରି ।
ନୀଳଜୀମୂତ-ବରନ ପୀତ-ବସନ ବିଦୁ ପରି । ୧୮ ।
ଶିରେ ତ୍ରିମୁଣ୍ଡୀ କି ଅବା ମଣ୍ଡି ଥୋଇଛି ଇନ୍ଦ୍ରଧନୁ ।
ଭ୍ରମରଶ୍ରେଣୀ ଚୁମ୍ଵନ୍ତି ଜାଣି ସୁଗନ୍ଧ ଗନ୍ଧ ଯେଣୁ । ୧୯ ।
ଅଳକାପନ୍ତି ଝଳି ଦିଶନ୍ତି ଭ୍ରୂଲତା ପୁଷ୍ପଚାପ ।
ନୟନ ବାଣ ଅଞ୍ଜନ ଗୁଣ କର୍ଣ୍ଣ ପର୍ଯନ୍ତେ ଧାପ । ୨୦ ।
ତିଳକୁସୁମ ନାସା ସୁଷମ ଅଧର ପାରିଜାତ ‌।
କର୍ଣ୍ଣକୁଣ୍ଡଳ ରବିମଣ୍ଡଳ ନିନ୍ଦଇ ଶତପତ୍ର । ୨୧ ।
ଡାଳିମ୍ଵ ବୀଜ ବଦନ ତେଜି ରୁଚି ନିନ୍ଦଇ ଇନ୍ଦୁ ।
ଦ୍ରହାସ କାଳେ ଚାହିଁଲେ ଡୋଳେ ଭୁଲିବେ କୁଳବଧୂ । ୨୨ ।
କଣ୍ଠରେ ଦାମ ଗଞ୍ଜଇ କାମ ନାନା ରତନମାନ ।
ବାହେ ଭୂଷଣ ମଣିକଙ୍କଣ ଦୋହନ କାଳେ ସ୍ଵନ । ୨୩ ।
ପରିଧାପନ ପୀତବସନ ଘନେ ଅଙ୍ଗିର ପରା ।
ପାଦେ ନୂପୁର-ନାଦ ମଧୁର ଶୁଣି କେ ହେବ ଧୀରା । ୨୪ ।
ପୁଣି ଚାହିଁଲା ରୋହିଣୀବଳା ଶିରେ ସପତ ଫେଣୀ ।
ମଣିମୁକୁଟ ଲଲାଟପଟ ଅଳକା ଭୃଙ୍ଗଶ୍ରେଣୀ । ୨୫ ।
ଗୋକ୍ଷୀର ବର୍ଣ୍ଣ, ନୟନ ଘୃମ ଅଳସ ପ୍ରାୟେ ଚାହେଁ ।
କର୍ଣ୍ଣେ କୁଣ୍ଡଳ କି ମାରତଣ୍ଡ ଚନ୍ଦ୍ରମା ପାଶେ ରହେ । ୨୬ ।
ଅଧର ରଙ୍ଗ ଦିଶଇ, ସଙ୍ଗ ହେଲା କି କଞ୍ଜ ଜବା ।
ନାସାରେ ହେମ ବସଣୀ ସମ ଲକ୍ଷ୍ୟ କାହାକୁ ଦେବା । ୨୭ ।
ବାହେ ବାହୁଟି ଦିବ୍ୟଭୂଷଣ, କଟୀରେ ନୀଳପଟ ।
ଚରଣେ ନାନା କମ ମଞ୍ଜୀର ଶବଦ ପରକଟ । ୨୮ ।
ଦୁହନ୍ତି ଗାଈ ସୋଦର ଦୁଇ ସଙ୍ଗେ ବହୁତ ବାଳ ।
ବାଛୁରୀମାନେ ଅଙ୍ଗ ଲିହନ୍ତେ ଲାଗି ରହିଛି ଲାଳ । ୨୯ ।
ଦୁହନ୍ତି ଚାଣ୍ଡେ, ଭରନ୍ତି ଭାଣ୍ଡେ, ହୁଅନ୍ତି ଡକାଡକି ।
ଗୋପନନ୍ଦନେ ବାଦବଚନେ ଏକ ଆରେକ ବକି । ୩୦ ।
ସମ ବସନ ସମ ଗମନ ସମ ଚାହିଁବା ଠାଣି ।
ଚିହ୍ନି ନ ପାରି କେ ରାମହରି ଭ୍ରମଇ ମନ୍ତ୍ରୀମଣି । ୩୧ ।
ନନ୍ଦନନ୍ଦନ ଜାଣି ତା ମନ ସଦୟ ଚିତ୍ତେ ଭାଳି ।
ଏ ସେ ଅକ୍ରୂର କଂହ ଡଗର ମୋହର ପ୍ରାଣ ସରି । ୩୨ ।
ମୋର ଭଗତ ସଫଳାସୁତ ଦ୍ଵିତୀୟେ ତାତଭ୍ରାତ ।
ଏହାକୁ ମାୟା କଲେ ନ ପୁଣ ଡରଇ ହୋଇ ତ୍ରସ୍ତ । ୩୩ ।
ଏତେ ବିଚାରି ମାୟା ସଂହରି ଅକ୍ରୂର ଦେଲା ଚାହି ।
କାତରତରେ କମ୍ପେ ଅଥିରେ, ପାଦେ ପଡ଼ିଲା ଶୋଇ । ୩୪ ।
ବାହୁ ପ୍ରସାରି ତୋଳିଲେ ହରି ଝାଡ଼ି ଅଙ୍ଗରୁ ଧୂଳି ।
ରାମ ସହିତେ ଆନନ୍ଦଚିତ୍ତେ ଅକ୍ରୂରେ କୋଳାକୋଳି ‌। ୩୫ ।
ନୟନୁ ଧାର ବହିଣ ଉର ତିନ୍ତିଲା ଚାହୁଁ ଚାହୁଁ ।
ଜଳେ ଲବଣ ପ୍ରାୟ ପ୍ରେମେଣ ମଜିଲା କହୁଁ କହୁଁ । ୩୬ ।
ଦାସ-ଜୀବନ ଜାଣି ତା ମନ ପୁଣି ଭିଡନ୍ତି ଭାବେ ।
କନ୍ଧରେ କର ପକାଇ ଧୀର ଗମନ୍ତି ତ୍ରିଯାଦବେ । ୩୭ ।
ମନ୍ଦିରେ ନେଇ ଆସନ ଦେଇ ଜଳେ ହୋଇଲେ ହାତ ‌।
ବିବିଧ ପୁରପିଷ୍ଟକ ସର ଲବଣୀ ଆଦି ଖାଦ୍ଯ । ୩୮ ।
ସୁଖେ ଭୁଞ୍ଜାଇ ପାନ ଭଙ୍ଗାଇ କର୍ପୂର ସଙ୍ଗେ ଦେଇ ।
ବାସଚନ୍ଦନ ଅଙ୍ଗେ ଲେପନ କରନ୍ତି ବେନି ଭାଇ । ୩୯ ।
ଆସିବା ବେଳେ ହୃଦମଣ୍ଡଳେ ବିଚାରିଥିଲା ଯାହା ।
ଦାସବତ୍ସଳ ଯଶୋଦାବାଳ ଜାଣି କରନ୍ତି ତାହା । ୪୦ ।
ରତ୍ନପଲଙ୍କେ ଝୀନବସନ ଶେଯାଇ ପୁଷ୍ପ ବିଞ୍ଚି ।
ଶିରକୁ ସୀମସ୍ଥାନ ଯୋଗାଇ କର୍ପୂରଧୂଳି ସିଞ୍ଚି । ୪୧ ।
ଅକ୍ରୂରବୀର ତହିଁ ଉପର ଶୋଇଲା ଶାନ୍ତ ହୋଇ ।
ରାମ ଗୋବିନ୍ଦ ବେନି ସୋଦର ଚାପେ ଚରଣ ଦୁଇ । ୪୨ ।
ମଥୁରା କଥା ପଚାରି ବାରି ନୟନୁ ଝର ଝର ।
ମାତା ପିତାଙ୍କ କୁଶଳ ଟିକି କହ ହେ ମନ୍ତ୍ରୀବର । ୪୩ ।
କଂସ ଅସୁର ମାଇଲା ମୋର ଯେତେ ସୋଦର ଜାତ ।
ସେ କଥା ଜାଣି ଜନକ ଆଣି ମୋତେ ଥୋଇଲା ଏଥ । ୪୪ ।
ଦୁସ୍ତର ଦୁଃଖ ଦିଅଇ, ସୁଖ ତିଳ-ପ୍ରମାଣେ ନାହିଁ ।
ଯାଦବକୁଳ କାଳ-ଅନଳ ହୋଇଲା ଭୋଜସାଇଁ । ୪୫ ।
ଦୃମିଳଚାଟ ଅଜ୍ଞାନ ନଷ୍ଟ ସେ ଥିବ ଯେତେ ଦିନ ।
କାହାର ଧନ ଜୀବନ ଚିର ନୋହି ହୋଇବ ହୀନ । ୪୬ ।
ଭୋ ତାତ, ସତ କହ, କି କାର୍ଯ୍ୟେ ଅଇଲ ଗୋପଦେଶ ।
ଶୁଣି ଅକ୍ରୂର ବୋଲଇ, ତୁ କି ନ ଜାଣୁ ପୀତବାସ । ୪୭ ।
ପାରିଲେ ରଖ, ହେଲି ନିରେଖ କଂସର ଦର୍ପ ହରି ।
ଏହି ବିଷୟେ ଆସିଛି ମୁହିଁ, ପଚାରୁ ଭଙ୍ଗୀ କରି । ୪୮ ।
ପେଷିଛି ନୃପ ତୋ ଠାରେ କୋପ କରି ବହୁତ ବାଗେ ।
ଧରାଇ ନେଇ ମାରିବା ପାଇଁ ପତ୍ର ଲେଖିଛି ରାଗେ । ୪୯ ।
ଏ ବାଣୀ ଶୁଣି ଶାରଙ୍ଗପାଣି ବୋଲନ୍ତି ଦରହାସେ ।
ଲେଖିଛି କିସ ନୃପତି କଂସ ଦିଅ ପିତାଙ୍କ ପାଶେ । ୫୦ ।
କିସ ବୋଲନ୍ତି ବରଜପତି ତାହା ଶୁଣିମା ଦେଖି ।
ସେ ଯେବେ 'ଯାଅ' ବୋଲିବେ ତେବେ ଯାଦବେ ହେବେ ସୁଖୀ ‌। ୫୧ ।
ନ ଯିବେ ସୁତ ବୋଇଲେ ତାତ କେମନ୍ତେ ଯିବୁ ଆଉ ।
ଏ ବାଣୀ ଶୁଣି ସେ ମନ୍ତ୍ରୀମଣି ହୃଦେ ପଶିଲା ଦାଉ । ୫୨ ।
କଂସର ଚାର କରେ ବିଚାର କିସ କରିବି ମୁହିଁ ।
କୃଷ୍ଣ ନ ନେଲେ ମୋତେ କି ଭଲେ ରଖିବ ଭୋଜସାଇଁ । ୫୩ ।
ବ୍ରହ୍ମାଣ୍ଡମାଳେ ଯା ରୋମମୂଳେ ନିବାସ କରିଛନ୍ତି ।
ପାଦ ପାତାଳ, ଶିର ଅମ୍ଵର, ଯାକୁ ନ ଜାଣେ ଶ୍ରୁତି । ୫୪
ରୂପ ଅରୂପ କ୍ଷଣ କ୍ଷଣକେ ହୁଅଇ ଇଚ୍ଛା ସୁଖେ ।
ଏହା ନ ଗଲେ କେ ନେଇପାରେ, ବୋଲି ଭାଳଇ ଦୁଃଖେ । ୫୫ ।
ଅକ୍ରୂର ମନ ଜାଣିଲେ ଶ୍ୟାମ; ବୋଲନ୍ତି ଶୁଣ ମନ୍ତ୍ରୀ ।
ମଥୁରା ଯିବି, କଂସ ମାରିବି, ମନେ ନ କର ଭ୍ରାନ୍ତି । ୫୬ ।
ଚିଟାଉ ତା'ର ନନ୍ଦ ଆଗର ଦିଅ ସଫଳାସୁତ ।
ଶୁଣି ଅକ୍ରୂର ନନ୍ଦ ଆଗର କହଇ କୋପଚିତ୍ତ । ୫୭ ।
ନିଦ୍ରାରେ ମୋହ ହୋଇଣ ଥିଲା, ଉଠିଲା ଚେତା ପାଇ ।
କଂସର ପତ୍ର ବୋଲିଣ ଗାତ୍ର କମ୍ପାଇ ଉଭା ହୋଇ । ୫୮ ।
ବୋଲେ ଅକ୍ରୂର ହେ ଗୋପବୀର ରାଜାର ଆଜ୍ଞା ଘେନ ।
ଉଛୁର ହେଲେ ନ ବର୍ତ୍ତୁ ଭଲେ, ଲେଖିଛି ଯଉଁମାନ । ୫୯ ।
ଶୁଣି କାତର ହୋଇ ପତର ଶିରେ ଲଗାଇ ପଢ଼େ ‌।
କହେ ଭଗତ ଚରଣ ଦାସ ଅକ୍ରୂର କୋପ ଗାଢେ । ୬୦ ।