ମହିମା

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମହିମା
ଲେଖକ/କବି: ଗଙ୍ଗାଧର ମେହେର

[ ମହିମା ]

ପର ଉପକାର ପୁଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ,
ଉର୍ବୀ, ଦିବାକର ପର ଉପକାରେ
ଦିଅନ୍ତି ଶସ୍ୟ, କିରଣ |

ପର ତାପ ଲଭି ମହତ କରନ୍ତି
ପରକୁ ଆହ୍ଲାଦ ଦାନ,
ସୁଶୀତଳ ଜଳ ଦାନ କରେ ରବି-
ରଶ୍ମୀ ଲଭି ହିମବାନ |

ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି
ସତତ ମହତ ଜନ,
ରବି, ଶଶୀ, ତାରା କେଡେ ଊର୍ଦ୍ଧ୍ବେସ୍ଥିତ
ସମସ୍ତେ ନତବଦନ |

ପରେ ଅପକୃତ ହେଲେହେଁ ମହତ
କରୁଥାନ୍ତି ଉପକାର,
ଘନ ଗ୍ରାସେ ରବି, ରବି-କରାକୃଷ୍ଟ
ବାଷ୍ପରେ ଘନ ସଞ୍ଚାର |

ବିପଦ-ସାଗରେ ବୁଡନ୍ତି ମହତ
ବିପନ୍ନ ସାହାଯ୍ୟ ପାଇଁ,
ତୃଷାତୁର ପାନ୍ଥ ତୃଷା ନାଶେ ପାନ୍ଥ-
ତରୁ ମରୁଭୁମେ ଥାଇ |

ଅନ୍ୟର ଉନ୍ନତି ଦର୍ଶନେ ମହତ
ହୃଦ ସ୍ବତଃ ପ୍ରଫୁଲ୍ଲିତ,
ଦିନ ବୃଦ୍ଧି ଦେଖି ଦିନକର-ପ୍ରିୟା
କମଳିନୀ ବିକଶିତ |

ଉପକରକର ପ୍ରତି-ଉପକାର
ସାଧନେ ମହତ ବ୍ୟସ୍ତ,
ଘନଜଳେ ପୂର୍ଣ୍ଣ ଜଳାଶୟ, ବାଷ୍ପ
ପ୍ରତିଦାନେ ଚିରାଭ୍ୟସ୍ତ |

ଜଗତର ହିତ- କାର୍ଯ୍ୟରେ ମହତ
ଦେଇପାରନ୍ତି ଜୀବନ,
ଅବନୀ ଉଜ୍ଜ୍ବଳ କରେ ଚନ୍ଦ୍ରଦୀପ
ଦହି ନିଜ ଅପଘନ |

ମହତ ନିକଟେ ମହାଦ୍ରବ୍ୟ ଥାଏ
ଇତରେ ଦ୍ରବ୍ୟ ଇତର,
ହିମାଚଳେ ମିଳେ ଶ୍ବେତ ଗଜରାଜ
ବାରପାହାଡେ ଶୂକର |

ମହତ ଆଶ୍ରୟେ ମହତ ରହିଲେ
ନ ହୁଏ ମହତ୍ତ୍ବ ହାନି,
ମହାରଣ୍ୟ ବିନା ଆଶ୍ରୟ ନ ନିଏ
ମୃଗରାଜ ତାହା ଜାଣି |

ମହତ ପ୍ରସାଦେ କ୍ଷୁଦ୍ର ହୁଏ ବଡ
ପ୍ରକୃତିସିଦ୍ଧ ବିଧାନ,
ବିଭାବସୁ-କରେ ଅଭ୍ରଖଣ୍ଡ ଦେଖ
ଦିଶେ କେଡେ ତେଜୀୟାନ |

ମହତ ପ୍ରତାପ ଲଭି ନୀଚ ହୁଏ
ମହତୁଁ ପ୍ରତାପଶାଳୀ,
ସୂର୍ଯ୍ୟ-କରୁଁ ବଳି କେତେ ତାପ ଦିଏ
ସୂର୍ଯ୍ୟକର-ତପ୍ତ ବାଲି |

ମହତ ଜନ୍ମଇ ହୀନଗର୍ଭେ ଏହା
ଭବେ ନୁହେ ଅସମ୍ଭବ,
ପଙ୍କରୁ କମଳ ଶୁକ୍ତିରୁ ମୌକ୍ତିକ
ହୁଅଇ ସଦା ସମ୍ଭବ |

ବିପଦ ସମୟେ ମହତ ଜନର
ଧଇର୍ଯ୍ୟ ନ ହୁଏ ଭଙ୍ଗ,
ଦାହେ ପ୍ରହାରଣେ ଶୁଦ୍ଧ ଜମ୍ବୁନଦ
ଯେ ରଙ୍ଗକୁ ସେହି ରଙ୍ଗ |

ଆନନ୍ଦେ ବିଷାଦେ ସମଭାବେ ଥାନ୍ତି
ମହତ ସ୍ବଭାବ ଧରି,
ପୂର୍ଣ୍ଣିମାରେ ଯଥା ନାଚଇ ସାଗର
ଅମାବାସ୍ୟାରେ ସେପରି |

ନ ପାରଇ କରି କୁସଙ୍ଗ ମହତ
ସ୍ବଭାବ ପରିବର୍ତ୍ତନ,
ଥିଲେହେଁ କଣ୍ଟକ- କାନନେ ସୁପୁଷ୍ପ
କରେ ବାସ ବିତରଣ |

କୁସ୍ଥାନ ବାସରେ ମହତ ଜନର
ସଦ୍ଗୁଣ ନ ହୁଏ ନାଶ,
ଶ୍ମଶାନଭୂମିରେ ଜନ୍ମିଲେ ତୁଳସୀ
ହୁଅଇ କି ହୀନବାସ?

ଉଚ୍ଚକୁଳେ ଜାତ ହେଲେହେଁ ଉଚ୍ଚରେ
ରହି ନ ପାରେ କୁଜନ,
କାଦମ୍ବିନୀ-ଗର୍ଭେ ଜନମି କୁଳିଶ
ନୀଚକୁ କରେ ଗମନ |

ବିଚଳିତ କରି ନ ପାରେ ମହତ
ମନ, ଦୁଷ୍ଟ କୁବଚନ,
ବ୍ୟାଧ ବିଷମୁଖ ଶରେ କିସ ହୋଇ-
ପାରେ ଶୈଳ ଅପଘନ |

ମୂଢ ଜନମାନେ ବୁଝି ନ ପାରନ୍ତି
ମହତ ବଚନ ମୁଲ୍ୟ,
ସୂର୍ଯ୍ୟ ସମ ତାରା- ଗଣଙ୍କୁ ମଣନ୍ତି
ସାଧାରଣ ଦୀପତୁଲ୍ୟ |

ମହତ ଚରିତ୍ରେ ମିଥ୍ୟା ଦୋଷାରୋପ
ନୀଚତାର ପରିଚୟ,
ତହିଁ କିଛି ହୋଇ ନ ପାରେ ମହତ
ମହିମାର ଅପଚୟ |

ଅକ୍ଷୟ ଚନ୍ଦ୍ରଙ୍କୁ କ୍ଷୟ ଜ୍ଞାନ କଲେ
କ୍ଷତି କିସ ଚନ୍ଦ୍ରଙ୍କର,
ଦୋଷ ସିନା ତାହା ନିଜର ଅଜ୍ଞାନ-
ତମସାନ୍ଧ ନୟନର |

ଲୋକନେତ୍ରେ ଅସ୍ତ ଦିଶନ୍ତି ମହତ
ଅସ୍ତ କାହିଁ ତାହାଙ୍କର?
ଆମେରିକା ଖଣ୍ଡେ ନବୋଦିତ ଆମ୍ଭ
ଅସ୍ତଗତ ଦିନକର |

ମହତ ଯଶରେ ଈର୍ଷାକଲେ ନିଜ
ହୃଦଦାହ ମାତ୍ର ସାର,
ରବିଙ୍କି ଯେ ଦେଖେ କଠୋର ଦୃଷ୍ଟିରେ
ଚକ୍ଷୁତେଜ ନାଶେ ତାର |

ଆନନ୍ଦ ମନରେ ବୁଲଇ ସୁଜନ
ମହତ ସୁଯଶ ଗାଇ,
ଚନ୍ଦନ ସୌରଭ ବାଣ୍ଟଇ ମଳୟ-
ସମୀରଣ ଧୀରବାହୀ |

ମହତ ଆହ୍ଲାଦ ଦିଅନ୍ତି ତହିଁରେ
ଦୁର୍ଜନ କରଇ କଳି,
ତପତ ତଇଳ କଟାହେ ସଲିଳ
ଦେଲେ ଯଥା ଉଠେ ଜଳି |

ମହତର ମୁଖ ମଧୁପୂର୍ଣ୍ଣ, ମୁଖେ
କଟୁ ଥୋଇ ନୀଚ ସୁଖୀ,
ମଧୁପୂର୍ଣ୍ଣ ମଧୁ- ଚକ୍ର ଅହୋ ! ବୁଲେ
ଅଗ୍ନି ମୁଖେ ଉଲ୍କାମୁଖୀ,

ପରଦୁଃଖ ଦେଖି ମହତ ହୃଦୟ
ଅଧିକେ ହୁଏ ଦୁଃଖିତ,
ମେଘନାଦେ ଯଥା ମହାଶୈଳଖୋଲ
ଅଧିକେ ପ୍ରତିଧ୍ବନିତ |

ମହାସଙ୍କଟକୁ ମନେ ନ ଗଣନ୍ତି
ମହତ ଆଶ୍ରିତ ଜନ,
ମହୋଦଧି-ଗର୍ଭେ ବିଚରଇ ପୋତ
ଆଶ୍ରୟ କରି ପବନ |

ପର-ଉପକାର- ସାଧନମୂଳକ
ମହତ ଆଶ୍ରୟ ସାର,
ବାତାଶ୍ରିତ ପୋତ କେତେ ଜନ ଦ୍ରବ୍ୟ
ସାଗର କରଇ ପାର |

ଜଗତ ହୁଅଇ ମହତ କର୍ମର
ଶୁଭମୟ ଫଳଭାଗୀ,
ମହତ କୌଶଳେ ଦାସୀ କାର୍ଯ୍ୟକରେ
ବିଦ୍ୟୁତ ଜଗତ ଲାଗି |

ବ୍ୟୋମ ସଞ୍ଚରଣ- ଶୀଳ ଜଳକଣ
ସାରଥୀ ଧରଣୀତଳେ,
ଅଶ୍ଵ ବିନା ରଥ ବାହେ ବାୟୁବେଗେ
ମହତ କର୍ମ କୌଶଳେ |

ବିନୟ ସୂଚଇ ମହତ, ପ୍ରଭାତ
ସୂଚେ ସୂର୍ଯ୍ୟ ଆଗମନ,
ବସନ୍ତ ସମୟ- ସୂଚକ କୋମଳ
ମଧୁର କୋକିଳ ସ୍ଵନ |

ନୀଚ ପ୍ରଶଂସାରୁ ମହତ ଭର୍ତ୍ସନା
ଶତଗୁଣେ ଶ୍ରେୟସ୍କର,
କୁକ୍କୁଟ ମୁକୁଟେ କି କାର୍ଯ୍ୟ, ମୟୁର-
ପୁଚ୍ଛରେ ସିନା ଆଦର |

ଇହକାଳୁଁ ପର କାଳରେ ଅଧିକ
ଯଶଃ ଖ୍ୟାତି ମହତର,
ନଷ୍ଟ କୁସୁମର ବାସ ହୋଇଥାଏ
ଅତରେ ଅଧିକତର |

ସାହସ କଳପ- ତରୁ ଜାତକରେ
ମହତ ହୃଦୟ ସ୍ଵର୍ଗ,
ସେ ପାଦପେ ଫଳେ ସୁଧାମୟ ଫଳ
ଭୁଞ୍ଜନ୍ତି ମାନବବର୍ଗ |

ଧନ୍ୟ ସାହସକୁ ମରଣ ଭୟକୁ
ସାହସ କରିଛି ଜୟ,
ଏକା ସାହସର ଭୃତ୍ୟଭାବେ ଥାନ୍ତି
ରାଜଶ୍ରୀ ସମ୍ପଦଚୟ |

ଅସାଧ୍ୟ ସାଧଇ ଅଲଭ୍ୟ ଲଭଇ
ମାନବ କରି ସାହସ,
ସାହସ ପ୍ରସାଦେ ଆବିଷ୍କାର କଲେ
ଆମେରିକା କଲମ୍ବସ |

ଅନନ୍ତ ମାର୍ଗରେ ବିଚରଇ ନର
ସାହସର କର ଧରି,
ଦୁଃଖ-ରତ୍ନାକରୁ ସୁଖ-ମହାରତ୍ନ
ସାହସ ପାରେ ଉଦ୍ଧରି |

ଭାରତ ତ୍ରିଦିବ ହିମାଦ୍ରି ଶିଖରେ
ହୋଇଛି ମାନବ ବାସ,
ଅସୁର ନଗରେ ନର ନରପତି
ସାହସେ କରି ବିଶ୍ଵାସ |

ଯଶରେ ଆଦର ନାହିଁ ମହତର
ଯଶ ଆପେ ଲୋଡିଯାଏ,
ଲୋଡା ବିନା ଦେଖ ଗଜରାଜ ଶିରେ
ମୁକ୍ତା ସ୍ଵତଃ ହୋଇଥାଏ |

ମହତ ପ୍ରତିଭା- କ୍ଷେତ୍ରଜାତ ଯଶ
ନିଜେ ହୁଏ ପ୍ରକାଶିତ,
ଘନେ ଘନଲତା ସଙ୍ଗେ ଘନଘୋଷ
ହୁଏ ଯଥା ବିଘୋଷିତ |

ମହତ ମନ୍ଦିରେ ପଦ୍ମାଳୟା ଆସି
ବିଳସନ୍ତି ବିନାଦରେ,
କିଏ ଡାକିଥାଏ ବାସବ-ଧନୁକୁ
ଖେଳିବାକୁ ପ୍ରପାତରେ?

ବସନ ଭୂଷଣ ଆଡମ୍ବର ଘେନି
ମହତ ନ ହୁଏ ଜନ,
ବିବିଧ ରଙ୍ଗରେ ରଞ୍ଜିତ କାଚ କି
ହୁଏ ହୀରକ-ଭାଜନ?

ମହତ ଏକା ସେ ଯେ ନରପୁଙ୍ଗବ
ପ୍ରକୃତି ଧର୍ମେ ପଣ୍ଡିତ;
ଈଶ୍ଵ୍ର-ପୀରତି- ସାଧକ ପବିତ୍ର
ଧରମ-ରତ୍ନେ ମଣ୍ଡିତ |

ଧର୍ମ ମହାତରୁ ପକ୍ଷରେ ମାନବ
ହୃଦୟ-କ୍ଷେତ୍ର ଉର୍ବର,
ସୁଶିକ୍ଷା-ଲାଙ୍ଗଳେ ଚଷି ଧର୍ମ-ବୀଜ
ତହିଁରେ ରୋପଣ କର |

ଆବଶ୍ୟକ ତହିଁ ସଦାଚାର ଜଳ
ସତସଙ୍ଗ ଆଳ-ବାଳ;
ବାହାରଇ ଶାଖା ବିନୟ କରୁଣା
ସୌଜନ ସତ୍କର୍ମ ଡାଳ |

ଈଶ୍ଵର ଭକତି, ପର ଉପକାର
ପଲ୍ଲବେ ହୁଏ ସୁନ୍ଦର,
ଫୁଟଇ ପବିତ୍ର ଶୁଭ୍ର ଦିବ୍ୟ ଫୁଲ
ତା ବାସ ଅବିନଶ୍ଵର |

ସୌରଭ ଲୋଭରେ ଜଗତ ଈଶ୍ଵର
ଚୁମ୍ବନ୍ତି ହୋଇ ଭ୍ରମର,
ଫଳଇ ଅମୃତ- ପୂର୍ଣ୍ଣ ଯଶଫଳ
ଭକ୍ଷଣେ ନର ଅମର |

ମହତକୁ ଏକା ମହତ ଚିହ୍ନଇ
ଇତର ତହିଁକି ଅନ୍ଧ;
ସୂର୍ଯ୍ୟୋଦୟ ଦେଖି ପ୍ରକୃତି ହସଇ
ଉଲୁକର ଦୃଷ୍ଟିବଦ୍ଧ |