ମାଣବସା ଲକ୍ଷ୍ମୀ ପୁରାଣ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଲକ୍ଷ୍ମୀ ପୁରାଣ
ଲେଖକ/କବି: ବଳରାମ ଦାସ
ପୁରୀ ବଡ଼ଦେଉଳ ସିଂହଦ୍ୱାରରେ ଓଡ଼ିଆଣୀ ସାଜରେ ତୋରଣ ଲକ୍ଷ୍ମୀ

ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ।
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣି ।୧।
ନମସ୍ତେ କମଳା ମାଗୋ ଅତି ଦୟାବତୀ ।
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨।
ତୋର ଦୟାବଳେ ମାଗୋ ଦରିଦ୍ର ଜନର ।
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ।
ଯେତେ ଅରଜିଲେ କେଭଁ ପେଟ ନ ପୁରଇ ।୪।
ତୋହର ଚରିତ ମନ ଦେଇ ଯେ ଶୁଣଇ ।
କିଅବା ଭକତି ଭାବେ ସର୍ବଦା ଗୁଣଇ ।୫।
ତାହାର ଦରିଦ୍ର ପଣ ଯାଏ ଦୂର ହୋଇ ।
ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ।୬।
ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ ।
କରୁଛି ପୁରାଅ ବାରେ ମୋର ମନସ୍କାମ ।୭।
ତୋ ଚରିତ କିଞ୍ଚିତେ ମୁଁ କରିବି ରଚନା ।
ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ।୮।
ଦିନକେ ନାରଦ ପରାଶର ମୁନି ଦୁଇ ।
ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ ।୯।
ସେହିଦିନ ମାର୍ଗଶୀର ମାସ ଗୁରୁବାର ।
ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ।୧୦।
ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ ।
ଲକ୍ଷ୍ମୀ ପାଦପଦ୍ମ ଚିତା ପ୍ଡ଼ିଥିଲା ତହିଁ ।୧୧।
ନାରୀମାନେ ସ୍ନାନ ସାରି ପିନ୍ଧା ଝୀନବାସ ।
ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ।୧୨।
ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପରିଯନ୍ତେ ।
ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତ ।୧୩।
ହୁଳ ହୁଳୀ ଶବଦରେ ପୁରିଛି ଗଗନ ।
ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ।୧୪।
ପଛରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
ବ୍ରହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ ।
କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ।୧୬।
କେଉଁ ବ୍ରତ କି ଉପାସ ଅଟେ ଏହା ନାମ ।
କାହାକୁ କରନ୍ତି ପୂଜା ତାର କି ନିୟମ ।୧୭।
ଏହା ଶୁଣି ପରାଶର ହୋଇ ହସ ହସ ।
କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ ।୧୮।
ଏ ଧାନ ମାଣିକା ଗୁରୁବାର ଯେ ଅଟଇ ।
ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ।୧୯।
ସବୁ ମାସ ମାନଙ୍କରେ ମାର୍ଗଶିର ସାର ।
ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ।୨୦।
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ ।
ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ।୨୧।
ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ।
ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର ।୨୨।
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ ।
ଏହା କହି ପରାଶର ହେଲେ ମୌନବ୍ରତ ।୨୩।
ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର ।
ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟେ କେଉଁ ନର ।୨୪।
ତହିଁରୁ ସେ କେଉଁ ଶୁଭଫଳ ଲଭିଅଛି ।
ଲକ୍ଷ୍ମୀ ଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ।୨୫।
ଏହା ସବୁ ମୋ ଆଗରେ କହତପୀ ସାଇଁ ।
ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ।୨୬।
ନାରଦ ବଚନ ଶୁଣି ପରାଶର ମୁନି ।
କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ ।୨୭।
ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର ।
ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ।୨୮।
କହୁଅଛି ପୁରାତନ କଥା ଅଛି ଯାହା ।
ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା ।୨୯।
ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ ।
କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ ।୩୦।
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ ।
ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ।୩୧।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁ ବୁଲିବ ।
ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ ।୩୨।
ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ ।
ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ ।୩୩।
ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ।
ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ ।୩୪।
କରରେ ବାହୁଟି ରମ୍ୟ ବଳୟ କଙ୍କଣ ।
ସୁନା ସୁତା ମାଣିକ୍ୟ ପଦକ ଆଭରଣ ।୩୫।
ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ ।
ଏପରି ନାନା ଭୂଷଣେ ସୁବେଶ ହୋଇଲେ ।୩୬।
ଯେବଣ ମାତାଙ୍କ ଅଧିକାର ତିନିପୁର ।
ଆଭରଣ କେତେ ମାତ୍ର ଦେବେ ପଟ୍ଟାନ୍ତର ।୩୭।
ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ ।
ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ।୩୮।
ପ୍ରବେଶ ହୋଇଲେ ଯାଇଁ ସାଧୁର ଦୁଆରେ ।
ସାଧବାଣୀ ଉଭା ହୋଇଥିଲା ସେହିଠାରେ ।୩୯।
ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ ।
ଶୁଣ ଶୁଣ ସାଧବାଣି ହୋଇ ସ୍ଥିରମନ ।୪୦।
ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର ।
ଲିପା ପୋଛା କରିନାହୁଁ କିମ୍ପା ଘରଦ୍ୱାର ।୪୧।
ସାଧବାଣୀ ଏହା ଶୁଣି ବେଲୋଇ ସେକ୍ଷଣି ।
କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି ।୪୨।
ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ ।
ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ ।୪୩।
ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ।
ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ।୪୪।
ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର ।
ସେଦିନ ଉଷାରୁ ଶେଯ ଛାଡ଼ି ତତ୍ ପର ।୪୫।
ଗୋମୟ ଜଳରେ ଘର ଦୁଆର ଲିପିବ ।
ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ।୪୬।
ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ।
ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ।୪୭।
ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର ।
ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ।୪୮।
ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ ।
ଚଡ଼କି ବା ଖଟୁଲିଏ ଆଣିବ ତ୍ୱରିତ ।୪୯।
ତାକୁ ଧୋଇ ତା ଉପରେ ଦେବେ ନୂଆଧାନ ।
ରଙ୍ଗକଳା ନୋହି ହୋଇଥିବ ଶୁକ୍ଳବର୍ଣ୍ଣ ।୫୦।
ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ ।
ଧାନମାଣ ଯେ ପୁରାଇ ରଖିବ ତାପରେ ।୫୧।
ସେ ଧାନ ମାଣ ଉପରେ ଗୁଆ ତିନିଗାଟି ।
ହଳଦୀ ପାଣିରେ ତାହା ଧୋଇ ଥୋଇବଟି ।୫୨।
ଶୁକଳ ଧାନର ଶିଖା ରଖି ବେଣ୍ଟି କରି ।
ମାଣ ଉପରେ ତାହାକୁ ଥୋଇବ ବିଚାରି ।୫୩।
ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ ।
ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ।୫୪।
ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ ।
ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ ।୫୫।
ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି ।
ଏପରି କରିବ ତିନି ଧୂପକୁ ସଜଡ଼ି ।୫୬।
ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି ।
ସୁଦଶା ବୋଲି ତା ନାମ ପ୍ରକଟିଛି ।୫୭।
ଶୁକଳଦଶମୀ ହେଲେ ଗୁରୁବାର ଦିନ ।
ହୁଅଇ ସୁଦଶାବ୍ରତ ଶୁଣ ଦେଇ ମନ ।୫୮।
ସେଦିନ ଉଷାରୁ ଉଠି ଲିପି ଘରଦ୍ୱାର ।
ଝୋଟି ଆଦି ଚିତା ଦେବ ପୂର୍ବ ପରକାର ।୫୯।
ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ ।
ତହିଁପରେ ଧୋଇ ଏକ ଖଟୁଲି ରଖିବ ।୬୦।
ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ ।
ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ ।୬୧।
ଦଶଖିଅ ସୂତାରେ ଯେ ବ୍ରତେକ କରିବ ।
ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ ।୬୨।
ଦଶକେରା ଦୂବରେ ସେ ବ୍ରତ ଗୁଡ଼ାଇବ ।
ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ ।୬୩।
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ ।
ବ୍ରତଡୋର ଆଣି ତହିଁ ଥୋଇବ ବହନ ।୬୪।
ପ୍ରଥମରେ ବାଳଧୂପ ନଇବେଦ୍ୟ କରି ।
ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ।୬୫।
ଅରୁଆ ଚାଉଳ ଏକମାଣ ତିନ୍ତାଇବ ।
ତାକୁ କୁଟି ଚୂନା କରି ଯତନେ ରଖିବ ।୬୬।
କଦଳୀ ନଡ଼ିଆ ଛେନା ଆଦି ଦଶପୁର ।
ଦେଇ ଦଶଗୋଟି ମଣ୍ଡା କରିବ ସତ୍ୱର ।୬୭।
ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ ।
ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥ ।୬୮।
ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ।
ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ।୬୯।
ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ ।
ଗୁରୁବାର ଦିନ ଯେଉଁ କଥା ନିବାରଣ ।୭୦।
ସେ କଥା କହୁଛି ଏବେ ସାଧବାଣୀ ଶୁଣ ।
କେବେ ନ ଭାଜିବ ଖଇ ଗୁରୁବାର ଦିନ ।୭୧।
ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ।
ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ।୭୨।
ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଇ ଯେ ତେଲ ।
ମହାଲକ୍ଷୀ ତାର ନିଶ୍ଚେ ଭାଙ୍ଗିଦ୍ୟନ୍ତି ଗେଲ ।୭୩।
ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ ।
ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ।୭୪।
ଖଟର ଛାୟାରେ ଯେହୁ କରଇ ଶୟନ ।
ରାତ୍ରକାଳେ ଦ‌ଧିଅନ୍ନ ଯେ କରେ ଭୋଜନ ।୭୫।
କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ ।
ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ।୭୬।
ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ିଣ ଦିଏ ।
ଏଡ଼େ କର୍ମ କରେ ଯିଏ ଲକ୍ଷ୍ମୀଙ୍କୁ ନ ପାଏ ।୭୭।
ଗୁରୁବାର ଦିନ ସକାଳରୁ ଗୋମୟରେ ।
ଦୁଆର ଯେ ନ ଲିପଇ ଅଳସ ପଣରେ ।୭୮।
ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ ।
ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ।୭୯।
ଧନ ଜନ ସବୁ ତାର ହରଣ କରନ୍ତି ।
ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ।୮୦।
ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା ।
ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭଗା ।୮୧।
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ ।
କିବା ପାକ‌ହାଣ୍ଡି ଧୋଇ କଳା ନ ଛାଡ଼ଇ ।୮୨।
ସନ୍ଧ୍ୟା ଗଡ଼ିଗଲେ ଯିଏ ଦିଏ ସନ୍ଧ୍ୟାବତୀ ।
ପୁତ୍ରଧନ ହାନୀ ହୁଏ ସଦା ବ‌ହୁ କ୍ଷତି ।୮୩।
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ ।
ଶୋଇବାରେ ଶ‌ଯ୍ୟ ବଙ୍କା କରିଣ ବିଛାଏ ।୮୪।
ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ ।
ଉଲଗ୍ନ ହୋଇ ଶ‌ଯନ କରେ ଯେଉଁ ପ୍ରାଣୀ ।୮୫।
ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ ।
ଏହି ଦିନମାନଙ୍କରେ ଘେନଇ ତଇଳ ।୮୬।
ସଭାମାନଙ୍କରେ ବସି ମିଛ ଯେ କ‌ହଇ ।
ଆଳସ୍ୟେ ପାଦ ନ ଧୋଇ ଯେ ଭୁଞ୍ଜଇ ।୮୭।
କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ ।
ଋତୁମତୀ ନାରୀକୁ ଯେ ରମଣ କରଇ ।୮୮।
କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରଇ ।
କଥା କ‌ହୁ କ‌ହୁ ସବୁବେଳେ ଯେ ହସଇ ।୮୯।
ଏମନ୍ତ ମନୁଷ୍ୟ ସଦା ବ‌ହୁ କଷ୍ଟ ପାଇ ।
ଆୟ ବୁଦ୍ଧି ନାଶ୍ୟାଏ ଅନ୍ନ ନ ମିଳଇ ।୯୦।
ଗୁରୁବାର ସଙ୍କରାନ୍ତି ଅମାବାସ୍ୟା ଦିନ ।
ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ ।୯୧।
କିବା ଏହି ତିନି ଦିନ ଯେଉଁ ନାରୀ ମୋହେ ।
ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ ।୯୨।
ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ ।
ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁଁ ନ ମିଳଇ ।୯୩।
ଏହି ତିନି ଦେନେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି ।
ଅନ୍ତଃ କାଳେ ଯମଦ୍ୱାରେ ବ‌ହୁ କଷ୍ଟ ପାନ୍ତି ।୯୪।
ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ ।
ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ।୯୫।
କରେ ଲକ୍ଷ୍ମୀବ୍ରତ ଲକ୍ଷ୍ମୀବାରେ ଉପବାସ ।
ବଢ଼ିବ ତାହା ଧନ ଜନ ଆୟୁ ଯଶ ।୯୬।
ସକାଳୁ ଶେଯରୁ ଉଠି ଯେ ମୁଖ ନ ଧୁଏ ।
ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ।୯୭।
ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ ।
ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବ‌ହ‌ନ ।୯୮।
ଆସନ ବିନା ଯେ ଭୂମିପରେ ବସି ଖାଏ ।
କିବା ଯେ କୁମାରୀ ସଙ୍ଗତରେ କାମମୋହେ ।୯୯।
ଦକ୍ଷିଣ ପଶ୍ଚିମ ମୁଖ ଯେ ଭୁଞ୍ଜି ବସଇ ।
ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ।୧୦୦।
ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ ।
କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ।୧୦୧।
ଭୋଜନ କରି ଯେ ମୁଖ ଶୋଧନ ନ କରେ ।
ଭୋଜନ କରଇ ଯେହୁ ଅନ୍ଧକାର ଘରେ ।୧୦୨।
ଯେଉଁ ନାରୀ ନିଜ ପତିଠାରେ ରୋଷ ବ‌ହେ ।
ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ।୧୦୩।
ପର ପୁରୁଷରେ ଯେହୁ ହୋଇଥାଏ ରତ ।
ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ ।୧୦୪।
ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି ।
କାଙ୍ଗାଳିନୀ ପରି ବାରଦ୍ୱାରେ ସେ ବୁଲାନ୍ତି ।୧୦୫।
କଳହୀ ଅଳସୀ ଅତି ଅପ୍ରିୟା ସାହସୀ ।
ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ ।୧୦୬।
ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ ।
ଲକ୍ଷ୍ମୀ ସେ ସ୍ଥାନ‌କୁ ସଦା କରନ୍ତି ବର୍ଜନ ।୧୦୭।
ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକି ନ ସେବେ ।
ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ।୧୦୮।
ଯେଉଁ ନାରୀ ସ୍ୱାମୀକୁ ଯେ ଦେବ ସମ ମଣି ।
ସେବାକରି ତୋଷୁଥାଏ ତାର ମତ ଚିହ୍ନି ।୧୦୯।
ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ।
ସାନ ବଡ଼ ସମସ୍ତଙ୍କୁ ସମ‌ଭାବେ ଚାହେଁ ।୧୧୦।
ପରଷିବା ବେଳେ ପକ୍ଷ‌ପାତ ଯେ ନ କରେ ।
ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟେ ସମାନରେ ।୧୧୧।
ପତିର ଆଜ୍ଞାକୁ କେବେ ନ ପକାଏ ତଳେ ।
ସ୍ୱାନ୐ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ।୧୧୨।
ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ।
ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ।୧୧୩।
ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ।
ପତି ପୁତ୍ର କନ୍ୟା ଅଇଶ୍ୱର୍ଯ୍ୟ ସୁଖ ପାଏ ।୧୦୪।
ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ।
ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ।୧୦୫।
ସଧବା ନାରୀର ପତି ବିନା ନାହିଁଁ ଗତି ।
ତପ ଜପ ଦେବ ପୂଜା ତାହାର ଅନୀତି ।୧୦୬।
ପତି ସେବ ଛାଡ଼ି ବୃଥା ବ୍ରତ ଯେ କରଇ ।
ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ।୧୦୭।
ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ।
ପୁଣ୍ୟବତୀ ବୋଲି ତାକୁ ପୁରାଣରେ କ‌ହି ।୧୦୮।
ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ।
ଆପଣାର କୁଳଧର୍ମ ନ ଛାଡ଼ନ୍ତି ଲେଶ ।୧୦୯।
ସଦାବେଳେ କରନ୍ତି ଉତ୍ତମ ଆଚରଣ ।
ଶ୍ରୀଲକ୍ଷ୍ମୀ ତାହାଙ୍କ ପାଦେ ମିଳନ୍ତି ତକ୍ଷଣ ।୧୧୦।
ପତି ସେବା ବିନା ନାହିଁଁ ନାରୀଙ୍କର ଗତି ।
ପତିପ୍ରାଣା ନାରୀ କରେ ଦେବଲୋକ ଗତି ।୧୧୧।
ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା ।
ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା ।୧୧୨।
ପତି ସେବା ବରଜି ଯେ ମାତ ଗରବରେ ।
ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ ।୧୧୩।
ତାହାର ନୁହଇ ଭଲ ଜନମେ ଜନମେ ।
ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ।୧୧୪।
ଏମନ୍ତ ତିଆରି ସାଧବାଣୀକି ବୋଇଲେ ।
ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ।୧୧୫।
ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ ।
ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ।୧୧୬।
ଶୁଣ ହେ ନାରଦ ଠାକୁରାଣୀ ଏହା କ‌ହି ।
ସେଠାବରୁ କେତେଦୂର ପଥ ଗଲେ ବାହି ।୧୧୭।
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ ।
କାହାରି ଦୁଆରେ ସେହି ଶୁଚି ନ ଦେଖିଲେ ।୧୧୮।
କେବଣ ଯୁବତୀ ନିଦେ ହୋଇ ଅଚେତନ ।
କାହର ଫିଟିଯାଇଚଛି ପିନ୍ଧିଲା ବସନ ।୧୧୯।
କାହାର ଶିରରେ କେଶ ମୁକୁଳିତ ହୋଇ ।
ଭୂମିପରେ ପଡ଼ିଅଛି କେରି କେରି ହୋଇ ।୧୨୦।
ଏହି ରୁପେ ମହାଲକ୍ଷ୍ମୀ ଦେଖିକରି ଗଲେ ।
ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ।୧୨୦
ଶ୍ରିୟା ଚଣ୍ଡାଳୁଣୀ ନ‌ଗ୍ର ବାହାରେ ତା ଘର ।
ତାହାର ମହିମା ଦେବଙ୍କୁ ଯେ ଅଗୋଚର ।୧୨୧।
ପ୍ରତିଦିନ ଖରକଇ ଗୁଣ୍ଡିଚା ନ‌ଗର ।
ବିଷ୍ଣୁ ଭକତିରେ ସେ ଯେ ଅତି ତ‌ତପର ।୧୨୨।
ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା ।
ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ।୧୨୩।
ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା ।
ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା ।
ଷୋଳକୋଠି କରି ଦିବ୍ୟ ପଦ୍ମେକ କାଟିଲା ।୧୨୫।
ଦଶମୁଖୀ ଦୀପାବଳୀ ମଣ୍ଡଳେ ଥୋଇଲା ।
ଦଶବର୍ଣ୍ଣ ଫଳମୂଳ ମଣ୍ଡଳେ ବାଢ଼ିଲା ।୧୨୬।
ସୂତା ଦଶଖିଅ ନେଇ ମଣ୍ଡଳେ ଥୋଇଲା ।
ମନର ଚଞ୍ଚଳେ ପୁଣି ବେଗେ ଚଳଗଲା ।୧୨୭।
ଅରୁଆ ଚାଉଳ ଆଉ ଦୁବ ଦଶକେରା ।
ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ।୧୨୮।
ଧୂପଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା ।
ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା ।୧୨୯।
ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ ।
ମୁହିଁଁ ଛାର ହୀନ‌ଜାତି ନ ଜାଣଇ ପୁଣି ।୧୩୦।
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ ।
କିଞ୍ଚିତେ ଭକତି ମୋର ଘେନ କମଳିନୀ ।୧୩୧।
ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ।
ସ‌ହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ ।୧୩୨।
ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା ।
ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା ।୧୩୩।
ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା ।
ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ।୧୩୪।
ବୋଇଲେକ ଚଣ୍ଡାଳୁଣୀ ମାଗି ଘେନ ବର ।
ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ।୧୩୫।
ଚଣ୍ଡାଳୁଣୀ କ‌ହୁଅଛି ଶିରେ କର ଦେଇ ।
କି ବର ମାଗିବି ମାଗୋ ମାଗି ନ ଜାଣଇ ।୧୩୬।
ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ ।
କୁବେର ସମାନ ଧନ ଦେବୁ ମାଗୋ ତୁହି ।୧୩୭।
କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି ।
ଚାରିଯୁଗେ ବସିବି ଅମର ବର ପାଇ ।୧୩୮।
ଲକ୍ଷ୍ମୀ ଶୁଣି ହୋଇଲେ ତୁ ହୋଇଛୁ କି ବାଇ ।
ଏ ସମସ୍ତ ବର ତୋତେ ଦେଇ ତ ପାରଇ ।୧୩୯।
ଅମର ବର ଦେବାକୁ ଶକ୍ତି ନାହିଁଁ ମୋର ।
ଏ ବର ମାଗିଲୁ ତୁ କେମନ୍ତ ପ୍ରକାର ।୧୪୦।
ଯେତେ ଦିନ ଯିଇଁଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ ।
ଅନ୍ତକାଳେ ଯାଇ ବଷ୍ଣୁ ପଞ୍ଜରେ ପଶିବୁ ।୧୪୧।
ମୋହର ଏ ବ୍ରତ କରୁଥିବୁ ସବୁଦିନ ।
ଲକ୍ଷ୍ମୀ-ନାରାୟଣ ପାଦେ ଥିବ ତୋର ମନ ।୧୪୨।
ଶୁଣ ହେ ନାରଦ ଏଣେ ହରି ବଳରାମ ।
ମୃଗୟା ବିନୋଦେ ଯାଇଥିଲେ ଘୋରବନ ।୧୪୩।
ଯୋଗବଳେ ବଳରାମ ଏ କଥା ଜାଣିଲେ ।
ଡାକିକରି ଶ୍ରୀହରିଙ୍କୁ ଏମନ୍ତ କ‌ହିଲେ ।୧୪୪।
ଦେଖ ଦେଖ କହ୍ନାଇ ତୋ ଭାରିଜା ଆଚାର ।
ଉଭା ହୋଇ ଅଛନ୍ତ ଯେ ଚଣ୍ଡାଳୁଣୀ ଘର ।୧୪୫।
ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ ।
ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।୧୪୬।
ଏହି ରୁପେ ସବୁଦେନ ଦେଉଳେ ପଶୁଛି ।
ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।୧୪୭।
ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବ‌ହି ।
ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସ‌ହି ।୧୪୮।
ସୁଦଶା ନାମକ ଏକ ବ୍ରତ ଯେ ତାହାର ।
ଏହି ବ୍ରତେ ଚଣ୍ଡାଳୁଣୀ ପୁଜଇ ପୟର ।୧୪୯।
ଭାରିଜାରେ କାର୍ଯ୍ୟ ଯେବେ ଅଛିରେ କ‌ହ୍ନାଇ ।
ଚଣ୍ଡାଳ ସାହିରେ ନ‌ଗ୍ର ତୋଳ ବେଗେ ଯାଇ ।୧୫୦।
ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ ।
ଏପରି ଘରଣି ଥିଲେ ଭଲ ଗତି ନାହିଁଁ ।୧୫୧।
ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା ।
ଲକ୍ଷ୍ମୀ ପରା ଭାରିଜାକୁ ଆଉ ନ ପାଇବା ।୧୫୨
ସେ ଦୋଷ କରିଛି ଯେବେ ଏମନ୍ତ କରିବା ।
ସ୍ୱର୍ଗ ପୁର ଲୋକଙ୍କୁ ଡକାଇ ଅଣାଇବା ।୧୫୩।
ପାଞ୍ଚ ଲକ୍ଷ ଟଙ୍କା ଦେଇ ଜାତି କରାଇବା ।
ଆଉ ବେଳେ ତାର ଯଦି ଅନୀତି ଦେଖିବା ।୧୫୪।
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ ।
ଏ କଥା ପ୍ରମାଣ ତମେ ଶୁଣ ଜ୍ୟୋଷ୍ଠ ଭାଇ ।୧୫୫।
ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜ‌ଜେମା ।
ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା ।୧୫୬।
ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ ।
ତୋର ଲକ୍ଷ୍ମୀ ଥିଲେ ମୁହିଁଁ ରହିବଇ ନାହିଁଁ ।୧୫୭।
ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ ।
ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ।୧୫୮।
ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କ‌ହ୍ନାଇ ।
ଚଣ୍ଡାଳ ସାହିରେ ତୁ ନବର ତୋଳ ଯାଇ ।୧୫୯।
ମୋର ବଡ଼ ଦେଉଳକୁ ଆଉ ନ ଆସିବୁ ।
ମାଇପକୁ ନେଇ ଦାଣ୍ଡ ବାହାରେ ରହିବୁ ।୧୬୦।
ଧିକ୍କାର ବଚନ ପ୍ରଭୁ ଶୁଣି ନ ପାରିଲେ ।
ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କ‌ହିଲେ ।୧୬୧।
ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ।
ଉର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଃଶ୍ୱାସ ଛାଡ଼ିଲେ ।୧୬୨।
ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ ।
ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି ।୧୬୩।
ତାହାର ପୂଜାରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ଯାଚିଣ ଅନେକ ବର ପ୍ରଦାନ କରିଲେ ।୧୬୪।
କୁଟୀର ଖଣ୍ଡିକ ଥିଲା ବଲୁରିର ଦାସ ।
ଲକ୍ଷ୍ମୀ ଦୟାକଲେ ତାକୁ ଚନ୍ଦନ ଉଆସ ।୧୬୫।
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର ।
ଲକ୍ଷ୍ମୀ ଦୟା କଲେ ତାର ହେଲା ପାଞ୍ଚ ସୁତ ।୧୬୬।
ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ ।
ବରଦେଇ ସେ ଠାବରୁ ବିଜେ କରିଗଲେ ।୧୬୭।
ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲେ ଭାଗ୍ୟବତୀ ।
ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ।୧୬୮।
ସିଂହଦ୍ୱାରେ ବିଜୟ ଲକ୍ଷ୍ମୀ ଯେ ମହାମାୟୀ ।
ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ ।୧୬୯।
ବୋଇଲେ ଲେ ବାଟ ଛାଡ଼ ଭିତରକୁ ଯିବି ।
ଦଶନୀ ଯୋଗାଡ଼ ମୁହିଁଁ ମଣିହୀ ରାନ୍ଧିବି ।୧୭୦।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ ।
ଚଣ୍ଡାଳ ସାହିକି ଯାଇଥିଲ କାହିଁଁ ପାଇଁ ।୧୭୧।
ଆମ୍ଭେ ନ ଦେଖୁଣି ଦେଖିଲେ ଯେ ବଡ଼ଭାଇ ।
ଆମ୍ଭେ ଦେଖୁଥିଲେ ସିନା ଦିଅନ୍ତୁ ଘୋଡ଼ାଇ ।୧୭୨।
ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁଁ ।
ଧିକ୍କାର ବ‌ହୁତ ମୋତେ କଲେ ବଡ଼ ଭାଇ ।୧୭୩।
ହାଡ଼ି ଘରେ ଥିବ ଲକ୍ଷୀ ଥିବ ପାଣ ଘରେ ।
ସ୍ନାନ ନ କରି ପଶୁଛି ଦେଉଳ ଭିତରେ ।୧୭୪।
ତାଠାରୁ ପାପିନୀ ନାହିଁଁ ସଂସାରରେ ନାହିଁଁ ।
ମୋହର ବଚନ ଏବେ ଶୁଣ ପ୍ରାଣସ‌ହୀ ।୧୭୫।
ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ ।
ବାଇ ପ୍ରାୟେ ବୁଲୁଥାଉ ହୋଇ ମୋ ଘରଣୀ ।୧୭୬।
ଏକ ଘର କରାଉ ସ‌ହସ୍ର ଘର ଭାଙ୍ଗି ।
ସ‌ହସ୍ର ଘର କରାଉ ଏକ ଘର ଭାଙ୍ଗି ।୧୬୮।
ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର ।
ଯାଅ ଲକ୍ଷ୍ମୀ ବାହାରି ଗୋ ନ ରହ ମୋ ପୁର ।୧୬୯।
ତୋହଠାରେ କୋପ କରିଛନ୍ତି ବଡ଼ ଭାଇ ।
ଲକ୍ଷ୍ମୀଦେବୀ କ‌ହୁଛନ୍ତି ଠାକୁରଙ୍କୁ ଚାହିଁଁ ।୧୭୦।
ଛାଡ଼ ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ ।
ଜଗନ୍ନାଥ କ‌ହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁଁ ।୧୭୧।
ଆମ ଜାତିରେ ତ ଛାଡ଼ ପତ୍ର ଚଳେ ନାହିଁଁ ।
ଛାଡ଼ିବା ଭାରିଜା ମୁଖ ଚାହିଁଁ ନ ଯୋଗାଇ ।୧୭୨।
ଲକ୍ଷ୍ମୀ ଦେବୀ କ‌ହୁଛନ୍ତି ଠାକୁରଙ୍କୁ ଚାହିଁଁ ।
ଯେତେବେଳେ ସାଗର ମନ୍ଥିଲେ ଦେବେ ଯାଇଁ ।୧୭୩।
ବେଦ ମନ୍ତ୍ରାଦି ସ‌ହ ମୋତେ ପାଇଥିଲ ।
ସେତେବେଳ କଥା ତୁମେ ପାଶୋରି ଯେ ଦେଲ ।୧୭୪।
ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ ।
କନ‌କ ବେଦୀରେ ନେଇ ବିଭା କରାଇଲେ ।୧୭୫।
ଝିଅ ଦେଇ ଶରଣ ପଶିଲେ ତୁମ୍ଭଠାଇଁ ।
ଦଶଦୋଷ ମୋର କ୍ଷମା କରିବାର ପାଇଁ ।୧୭୬।
ଦଶଗୋଟି ଦୋଷରୁ ଗୋଟିଏ ନ ସ‌ହିଲ ।
ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ।୧୭୭।
ବିଭା ବାସୀ ଦିନ ଜୁଆ ଖେଳିବାର ବେଳେ ।
ସାତକଡ଼ା କଉଡ଼ି ଯେ ପାତିଲଇଁ ତଳେ ।୧୭୮।
ତୁମ୍ଭେ ଢ଼ାଳିଦିଅ ନାଥ ମୋହରି ହସ୍ତରେ ।
ସୁବର୍ଣ୍ଣ କଉଡ଼ି ମୁହିଁଁ ଜାକିଲଇଁ କରେ ।୧୭୯।
ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର ।
ମୋତେ ବୋଇଲ ଯା' ଇଚ୍ଛା ମାଗି ଘେନ ବର ।୧୮୦।
ଯାହା ମନ ବାଞ୍ଛା ଗୋ କରିବୁ ବଇଦେହୀ ।
ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସ‌ହୀ ।୧୮୧।
କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର ।
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ।୧୮୨।
ଅଷ୍ଟଦିନେ ପଡ଼ିବ ମୋହର ଗୁରୁବାର ।
ପଡ଼ି ଚରଚିବି ମୁହିଁଁ ସଭିଙ୍କର ଘର ।୧୮୩।
ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ ।
ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ।୧୮୪।
ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ ।
ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ।୧୮୫।
ଜଗନ୍ନାଥ କ‌ହୁଛନ୍ତି କୋପଭର ହୋଇ ।
ବାପ ତୋ ଲୁଣିଅ ଯେ ଗରଜି ମରୁଥାଇ ।୧୮୬।
ଝିଅ ଟେରୀ ତୋ ଦୁର୍ଗୁଣ କ‌ହିଲେ ନ ସରେ ।
ବାପର ଗର୍ଜ୍ଜନ ଶବ୍ଦେ କିଏ ରହିପାରେ ।୧୮୭।
ଚାରିପାଖେ ମେଘନାଦ ପାଚେରୀ ତୋଳାଇ ।
ବଡ଼ ଦେଉଳରେ ରହିଅଛ ଦୁଇ ଭାଇ ।୧୮୮।
ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁଁ ।
ଅଛବର ଘରେ ଦଣ୍ଡେ ଥିଲେ ଉଭାହୋଇ ।୧୮୯।
ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ ।
ପୁଣି ଜାତି କୁଳ ଗୋତ୍ର କ‌ହିଲ ଗୋସାଇଁ ।୧୯୦।
ପ୍ରଭୁ ହେତୁ ଯାଉଛନ୍ତି ସବୁ ଗୋପ୍ୟ ହୋଇ ।
ତୁମ ଜାତି କୂଳର ତ ଠିକଣା ନ ଥାଇ ।୧୯୧।
ତୁମ୍ଭ ଜାତି କୂଳ ଯେ କ‌ହିଲେ ନ ସରଇ ।
ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ।୧୯୨।
ନିମା ନାମେ ସପୁଟି ଯେ ଜାତିରେ ଗୋଲକ ।
ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ।୧୯୩।
ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ ।
ବିଦୁର ଘରେ ଯେ ପୁଣି କରିଲ ଭୋଜନ ।୧୯୪।
ଜାରା ନାମେ ଶବର ଯେ ଅରଣ୍ୟରେ ଘର ।
ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶ ବାର ।୧୯୫।
ଅରଣ୍ୟର ଫଳମୂଳ ଖୋଜିଣ ଆଣଇ ।
ବସିଣ ପ୍ରଥମେ ଭଲମନ୍ଦ ସେ ଖାଅଇ ।୧୯୬।
ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ ।
ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜଇ ।୧୯୭।
ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଇ ।
ଏ କଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ ।୧୯୮।
ଆପଣେ ପାତକୀ କିମ୍ପା ପର ନିନ୍ଦା କର ।
ପାପ ପୂଣ୍ୟ ଦୁଇ କଥା ବିଚାର ନ କର ।୧୯୯।
ଭାରିଜା ଯେ ଦୋଷ କଲେ ପତି ତା ସ‌ହଇ ।
ଏକ ଅପରାଧେ ପ୍ରଭୁ ଭୃତ୍ୟେ କି ତେଜଇ ।୨୦୦।
କିମ୍ପା ନ କର ପ୍ରଭୁ ଏମନ୍ତ ବିଚାର ।
ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ।୨୦୧।
ଜଗନ୍ନାଥ କ‌ହୁଛନ୍ତି ଏମନ୍ତ କରିବା ।
ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବା ।୨୦୨।
ଭାଇକୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ ।
ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ।୨୦୩।
ଲକ୍ଷ୍ମୀଦେବୀ କ‌ହ‌ନ୍ତି ପଡ଼ିରେ କାର୍ଯ୍ୟ ନାହିଁଁ ।
ଅନାଥ ଅରକ୍ଷ ପ୍ରାୟେ ଯାଉଅଛି ମୁହିଁଁ ।୨୦୪।
ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁଁ ଯେ ନୁହଁଇ ।
ପିତାର ଘରକୁ ମୁଁ ଯେ ବାହାରି ଯିବଇ ।୨୦୫।
ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ିନିଅ ।
ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ।୨୦୬।
ଗୋନିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଈ ।
ଅଙ୍ଗ ଅଳଙ୍କାର ଆମ୍ଭେ ନେବୁ କାହିଁଁ ପାଇଁ ।୨୦୭।
ଭାରିଜା ଦେହରେ ଯେଉଁ ଅଳଙ୍କାର ଥାଏ ।
ସ୍ୱାମୀ ହୋଇ ତାହାଠାରୁ କାଢ଼ି କିଏ ନିଏ ।୨୦୮।
ଠାକୁରାଣୀ କ‌ହୁଛନ୍ତି ଶ୍ରୀମୁଖକୁ ଚାହିଁ ।
ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ୨୦୯।
ପଛରେ କ‌ହିବ ଲକ୍ଷ୍ମୀ ଆମ ଘରେ ଥିଲା ।
ସ‌ହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ।୨୧୦।
ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ ।
ତୁମ୍ଭ ଅଳଙ୍କାରମାନ ନିଅ ବାହୁଡ଼ାଇ ।୨୧୧।
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ।
ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କଞ୍ଚୁଲି ।୨୧୨।
ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣୀ ।
ନାସିକାରୁ କାଢ଼ିଲେ ଯେ ମୁକୁତା ବସଣୀ ।୨୧୩।
କର୍ଣ୍ଣଦ୍ୱୟରୁ କାଢ଼ଲେ ହୀରାର କୁଣ୍ଡଳ ।
ଗଳାରୁ କାଢ଼ିଲେ ଯେ ଦୋଷରୀ ଚିନାମାଳ ।୨୧୪।
ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୁପୂର ।
ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ତ୍ୱର ।୨୧୫।
ଅନ୍ୟ ଅଳଙ୍କାରମାନ କି କ‌ହିବି ଆଉ ।
ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ।୨୧୬।
ସବୁ ଅଳଙ୍କାରମାନ ଏକଠାବ କଲେ ।
ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ ।୨୧୭।
ଗୋବିନ୍ଦ କ‌ହ‌ନ୍ତି ଏହା କି କରିବୁ ନେଇ ।
ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁଁ ।୨୧୭।
ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ ।
ଛ' ମାସ ହାତ ଲୁଗା ଲେଖିଣ ଦିଅଇ ।୨୧୮।
ଏହି ଅଳଙ୍କାର ସବୁ ତୁମ୍ଭେ ଘେନିଯାଅ ।
ବିକି ଭାଙ୍ଗିକରି ଭାତ ଲୁଗା କରୁଥାଅ ।୨୧୯।
ଲକ୍ଷ୍ମୀଦେବୀ କ‌ହୁଛନ୍ତି ପ୍ରଭୁ ମୁଖ ଚାହିଁଁ ।
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ।୨୨୦।
ମୋର ତୁଲେ ଆଉ ଯେଉଁ ଭାରିଜା ଆଣିବ ।
ଏହିସବୁ ଅଳଙ୍କାର ତାହାଙ୍କୁ ଯେ ଦେବ ।୨୨୧।
ମୁହିଁଁ ଯାଉଅଛି ହୀନ ଅରକ୍ଷିତ ହୋଇ ।
ମୋଗ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।୨୨୨।
ସତେ ଯଦି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତ‌ଯାତ ।
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।୨୨୩।
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ।
ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ।୨୨୪।
ମୁହିଁଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ ।
ଭୋଜନ କରିବେ ତେବେ କାଳୀୟ ଗଞ୍ଜନ ।୨୨୫।
ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ ।
ଦେଉଳୁ ବାହାର ହୋଇ କେତେଦୂର ଗଲେ ।୨୨୬।
ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି ।
ଦାସୀଙ୍କୁ ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ।୨୨୭।
ମୁହିଁଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ ।
ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ ।୨୨୮।
ଏହି ପରି ହୋଇ ଯେବେ ପିତାଘର ଯିବି ।
ଚାରିଦିନ ମାତ୍ର ତ‌ହିଁଁ ରହି ନ ପାରିବି ।୨୨୯।
ଜଗନ୍ନାଥ ପ୍ରାୟ ବନ୍ଧୁ ପିତାଘର ଯିବେ ।
ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ ।୨୩୦।
ଶାପ ଦେବା ଫଳ ମୋର ହେବ ଅକାରଣ ।
ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ।୨୩୧।
ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତାକଲେ ।
ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ ।୨୩୨।
ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା ।
ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା ।୨୩୩।
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ ।
ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁଁ ।୨୩୪।
ଚଣ୍ଡାଳୁଣୀ କ‌ହି ପ୍ରଭୁ ଦେଲେ ଘଉଡ଼ାଇ ।
ପାରିବୁକି ଖଣ୍ଡିଏ କୁଡ଼ିଆ ତୋଳିଦେଇ ।୨୩୫।
ଆଜ୍ଞାମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ ।
ତିନି କୋଶ ପ୍ରମାଣେ ଉଆସ ତୋଳାଇଲେ ।୨୩୬।
ସୁବର୍ଣ୍ଣର କାନ୍ଥମାନ ସବୁଘରେ କଲେ ।
ହୀରେ ନୀଳା ମାଣିକ୍ୟାଦି ତ‌ହିଁଁ ଖଞ୍ଜାଇଲେ ।୨୩୭।
ଗଣ୍ଠିସ୍ଥଳେ ଅନେକ ମୁକୁତା ଲଗାଇଲେ ।
ପ୍ରବାଳର ସ୍ତମ୍ଭମାନ ତ‌ହିଁଁରେ ରଚିଲେ ।୨୩୮।
ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ ।
ବିଶ୍ୱକର୍ମାକୁ ବ‌ହୁତ ପ୍ରଶଂସା ଯେ କଲେ ।୨୩୯।
ବୈକୁଣ୍ଠ ପୁରକୁ ବିଶ୍ୱକର୍ମା ଚଳିଗଲେ ।
ଅଷ୍ଟ ବେତାଳକୁ ଡାକି ଦେବୀ ଆଜ୍ଞା ଦେଲେ ।୨୪୦।
ଅଷ୍ଟ ବେତାଳରେ ତୁମ୍ଭେ ଏମନ୍ତ କରିବ ।
ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ ।୨୪୧।
ଷାଠିଏ ପଉଟି ଭୋଗ ଭୁଞ୍ଜିବ ଯେ ତ‌ହିଁଁ ।
ତେର ପୌଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ ।୨୪୨।
ଶାଗମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ ।
ଆମ୍ବିଳ ଖାଇବ ଖଣ୍ଡ ଶାକର ମିଶାଇ ।୨୪୩।
ଅମୃତ ମଣୋହିମାନ ଭୋଜନ କରିବ ।
ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ ।୨୪୪।
ତ‌ହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ ।
ବାଉନ କୋଟି ଭଣ୍ଡାର ବୋହିଣ ଆଣିବ ।୨୪୫।
କାଣି କଉଡ଼ି କଡ଼ାକର ଦ୍ରବ୍ୟ ନ ରଖିବ ।
ସବୁ ବୋହି ଆଣି ମୋର ପାଶେ ସମର୍ପିବ ।୨୪୬।
ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁଁ ।
କେମନ୍ତ କରିଣ ତ‌ହୁଁ ଆଣିବୁ ବୁହାଇ ।୨୪୭।
ଜଗନ୍ନାଥ ମହାପ୍ରଭୁ ତ‌ହିଁଁ ଚାହିଁଁ ଥିବେ ।
ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ ।୨୪୮।
ଶୁଣି କମଳିନୀ ନିଦ୍ରାବତୀକି ରାଇଲେ ।
ବ‌ହ‌ନ ମୋ ବୋଲକର ବୋଲିଣ ବୋଇଲେ ।୨୪୯।
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ ।
କାଲି ବେଳ ଦୁଇ ଘଡ଼ିଯାଏ ନ ଛାଡ଼ିବୁ ।୨୫୦।
ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ ।
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ।୨୫୧।
ପାକଶାଳାରେ ବେତାଳ ପ୍ରବେଶ ହୋଇଲେ ।
ତ‌ହିଁଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ ।୨୫୨।
ହାଣ୍ଡିମାନ ସବୁ ଏକ ସ୍ଥାନେ କଚାଡ଼ିଲେ ।
ଭଣ୍ଡାର ଘରରେ ଅଷ୍ଟ ବେତାଳ ପଶିଲେ ।୨୫୩।
ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତ‌ହିଁଁ ।
ବାଉନ କୋଟି ଭଣ୍ଡାର ଆଣିଲେ ବୁହାଇ ।୨୫୪।
ରାତ୍ର ଷୋଳ ଘଡ଼ିଯାକ ବେତାଳ ଯେ ତ‌ହିଁଁ ।
କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି ।୨୫୫।
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ।୨୫୬।
ପ୍ରଶଂସା କରିଣ ମାଏ ବଚନ ଯେ କ‌ହି ।
ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ ନାହିଁଁ ।୨୫୭।
ପାଞ୍ଚ ଲକ୍ଷ ମୂଲ୍ୟ ସେହି ଖଟ ତ ଅଟଇ ।
ଯାଅରେ ବେତାଳ ସେହି ଖଟ ଆଣ ବୋହି ।୨୫୮।
ଯେତେବେଳେ ଜଗନ୍ନାଥ ଦରିଦ୍ର ହୋଇବେ ।
ରତ୍ନ ଖଟ ବିକିକରି ଦିନ ଚଳାଇବେ ।୨୫୮।
ଯେବେ ପ୍ରଭୁ ଜଗନ୍ନାଥ ମୋତେ ନ ଖୋଜିବେ ।
ନାରୀଙ୍କୁ ପରୁଷମାନେ ଆଉ ନ ଲୋଡ଼ିବେ ।୨୫୯।
ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର ।
କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ।୨୬୦।
ବେତାଳି ବୋଲୁଛନ୍ତି ରମା ମୁଖ ଚାହିଁଁ ।
ରତ୍ନ ଖଟେ ଶୋଇଛନ୍ତି ବେନି ଦୁଇ ଭାଇ ।୨୬୧।
କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ ।
ପୁଣି ତ‌ହିଁଁ ଶୋଇଛନ୍ତି କାଳୀୟ ଗଞ୍ଜନ ।୨୬୨।
ସାତଗୋଟି ପର୍ବତରୁ ଅଟଇ ଯେ ଗରୁ ।
ନାମ ବ‌ହି ଅଛନ୍ତି ଅଚଳ ମହାମେରୁ ।୨୬୩।
ମହାଲକ୍ଷ୍ମୀ ବୋଇଲେରେ ଏମନ୍ତ କରିବ ।
ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ ।୨୬୪।
ରମକୃଷ୍ଣ ଦୁହିଁଁଙ୍କୁ ଯେ ଗଡ଼ାଇଣ ଦେବ ।
ଶୋଇବାର ରତ୍ନ ଖଟ ବୋହିଣ ଆଣିବ ।୨୬୫।
ଏହା ଶୁଣି ବେତେଳ ଯେ ଶୀଘ୍ର ଚଳିଗଲେ ।
ରତ୍ନ‌ଖଟ ପାଶୈ ଦଉଡ଼ିଆ ଖଟ ଦେଲେ ।୨୬୬।
ବଳରାମଙ୍କୁ ପ୍ରଥମେ ଧଇଲେକ ଯାଇ ।
ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ ।୨୬୭।
ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ ।
ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ ।୨୬୮।
ଶୋଇବାର ରତ୍ନ‌ଖଟ ଆଣିଲେକ ବୋହି ।
ମହାଲକ୍ଷ୍ମୀ ଆଗେ ଦେଲେ ଆନ‌ନ୍ଦରେ ନେଇ ।୨୬୯।
ବଳରାମ ପିନ୍ଧିବାର ପାଟ ବୋହି ନେଲେ ।
ଜଗନ୍ନାଥ ପିନ୍ଧିବାର ନେତ ଘେନିଗଲେ ।୨୭୦।
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ଅଷ୍ଟ ବେତାଳକୁ ବର ଯାଚିଣ ଯେ ଦେଲେ ।୨୭୧।
ଆରେ ଅଷ୍ଟ ବେତାଳରେ ଏମନ୍ତ କରିବ ।
ବୈକୁଣ୍ଠ ପୁରରେ ଯାଇ ସୁଖରେ ରହିବ ।୨୭୨।
ଆଜ୍ଞା ପାଇଣ ବେତାଳଗଣ ବେଗେ ଗଲେ ।
ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ ।୨୭୩।
ମହାଲକ୍ଷ୍ମୀ ତ‌ହୁଁ ଏକ କଥା ବିଚାରିଲେ ।
ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସୁମରିଲେ ।୨୭୪।
ବୋଇଲେ ଗୋ ସରସ୍ୱତୀ ଏମନ୍ତ କରିବ ।
ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ ।୨୭୫।
ସର୍ବଦ୍ୱାରେ ଜଗନ୍ନାଥ ବୁଲିବେଟି ଯାଇଁ ।
ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି ।୨୭୬।
ଅନ୍ନ ପାଣି କେହି ତାଙ୍କୁ କିଛି ହିଁଁ ନ ଦେବେ ।
ଏତେ ଦୁଃଖ ପାଇଲେ ସେ ମୋତେ ସୁମରିବେ ।୨୭୮।
ଆରାମ ଦାୟିନୀ ରାତ୍ର ସୁଖରେ ପାହିଲା ।
ଦିନ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଙ୍ଗିଲା ।୨୭୯।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନାଇ ।
ଗ‌ହଳ ଚ‌ହଳ ଆଜି କିଛି ଶୁଭୁନାହିଁଁ ।୨୮୦।
ମୁଦିରଥ ପଣ୍ଡାର ତ ତୁଣ୍ଡ ଶୁଭୁନାହିଁଁ ।
ଦାସୀ ପରବାରୀ ଯେ ପରିଚା ଗଲେ କାହିଁଁ ।୨୮୧।
ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ ।
କି ବୁଦ୍ଧି କରିବା ଏବେ କ‌ହରେ କ‌ହ୍ନାଇ ।୨୮୨।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।
ଲକ୍ଷ୍ମୀ ଛାଡ଼ିଗଲାରୁ ଯେ ଏମନ୍ତ ହୁଅଇ ।୨୮୩।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନାଇ ।
ଭାର୍ଯ୍ୟା ଛାର ଏମନ୍ତକୁ କ‌ହୁଅଛୁ ତୁହି ।୨୮୪।
କାହାର ଭାରିଜା ଯେବେ ଋଷି ହଜିଯାଏ ।
ତାର ଗୃହସ୍ଥ ଇ ଭାତ ରାନ୍ଧିଣ ନ ଖାଏ ।୨୮୫।
ଭଣ୍ଡାର ଘରକୁ ବିଜେ କଲେ ଦୁଇଭାଇ ।
ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁଁ ।୨୮୬।
ବଳରାମ କ‌ହୁଛନ୍ତି କାହିଁଁ କିସ ହେଲା ।
ବାଉନ କୋଟି ଭଣ୍ଡାର କେ ଘେନିଣ ଗଲା ।୨୮୭।
ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ ।
କ୍ଷଣକ ଭିତରେ କିଏ ଘେନିଗଲା ବୋହି ।୨୮୮।
ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ ।
ସାତ ଗୋଟି ଗଣ୍ଠିଦେଇ କାନିରେ ବାନ୍ଧିଲେ ।୨୮୯।
ଜଗନ୍ନାଥ କ‌ହ‌ନ୍ତି ଯେ ପାଇଲକି ଭାଇ ।
ବଳରାମ କ‌ହୁଛନ୍ତି ଧନ ପାଇଲଇଁ ।୨୯୦।
ଜଗନ୍ନାଥ କ‌ହୁଛନ୍ତି ବଳରାମ ଭାଇ ।
ବେଙ୍ଗି ପିତ୍ତଳ ଖଣ୍ଡିକ ରଖ କାହିଁଁ ପାଇଁ ।୨୯୧।
ବଳରାମ କ‌ହୁଛନ୍ତି କି କଥା ଘଟିଲା ।
ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତ୍ତଳ ହୋଇଲା ।୨୯୨।
ଶୁଦ୍ଧ ସୁବର୍ଣ୍ଣରୁ ଯେଉଁ ଧନ ଧନ ହୋଇଥିଲା ।
କାଣି କଉଡ଼ି ଜଡ଼ାକୁ ସମାନ ନୋହିଲା ୨୯୩।
ସେଠାରୁ ବାହାରି ଗଲେ ଦୁଇଗୋଟି ଭାଇ ।
ପାକଶାଳ ଦୁଆରେ ଯେ ପ୍ରବେଶିଲେ ଯାଇ ।୨୯୪।
ବଳରାମ ଠିଆହେଲେ ଦୁଆର ମୁହଁକୁ ।
ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ ।୨୯୫।
ଦେହରେ ଲାଗିଲା କଳା ମୁହଁରେ ଲାଗିଲା ।
କଳା ଶ୍ରୀମୁଖ ଗୋଟକ ଝଟକି ଦିଶିଲା ।୨୯୬।
ବଳରାମ କ‌ହୁଛନ୍ତି ଶୁଣ ଜଗନ୍ନାଥ ।
ବଡ଼ ଖିଆ ବୋଲ ତୋତେ କ‌ହ‌ନ୍ତି ଜଗତ ।୨୯୭।
ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି ।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।୨୯୮।
ଅନ୍ନ କାହିଁଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁଁ ।
ନ ବୁଝି ଏପରି କିମ୍ପା କ‌ହୁଛ ଗୋସାଇଁ ।୨୯୦।
ଦେଖିଲେ ଅଗାଡ଼ି ତ‌ହିଁଁ ଗୋଟିଏ ଯେ ନାହିଁଁ ।
ତ‌ହୁଁ ଗଲେ ଦୁଇଭାଇ ନିରାଶ ଯେ ହୋଇ ।୨୯୧।
ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ ।
ଟୋପାଏ ଟୋପାଏ ପାଣି ତ‌ହିଁଁ ନ ଦେଖିଲେ ।୨୯୨।
ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ ।
ସେହିଦିନ ଉପବାସ କରିଣ ରହିଲେ ।୨୯୩।
ବେଳ ଦୁଇ ଘଡ଼ିଲରେ ନିଦ୍ରା ଯେ ଭାଙ୍ଗିଲା ।
ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା ।୨୯୪।
କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁଁ ।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନାଇ ।୨୯୫।
କାଲି ଉପବାସରେ ରହିଲେ ଦୁଇ ଭାଇ ।
ଆଉ ପାଦେ ଯିବାକୁ ତ ବଳ ପାଉନାହିଁଁ ।୨୯୬।
କେଉଁଠାରେ ଆଜି ଯଦି ନ ମିଳିବ ଅନ୍ନ ।
କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ ।୨୯୭।
ବଳରାମ କ‌ହୁଛନ୍ତି ଶୁଣ ଆରେ ବାବା ।
ନ‌ଗରରେ ଭିକ୍ଷା ମାଗି ଜୀବନ ପୋଷିବା ।୨୯୮।
କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା ।
ହସ୍ତରେ ଧଇଲେ ଦୁଇଭାଇ ଭଙ୍ଗାଛତା ।୨୯୯।
ଚିତା ଘେନିବାକୁ ଜଳ କାହିଁଁ ନ ପାଆନ୍ତି ।
ଯାହା ଘରଠାକୁ ପାଣି ମାଗିବାକୁ ଯା'ନ୍ତି ।୩୦୦।
ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦ୍ୟନ୍ତି ।
ସେ ଠାବରୁ ଦୁଇ ଭାଇ ଭୟେ ପଳାଅନ୍ତି ।୩୦୧।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।
ବଡ଼ପଣ୍ଡା ଘରକୁ ହେ ଚାଲ ଜ୍ୟେଷ୍ଠ ଭାଇ ।୩୦୨।
ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ ।
ବଡ଼ପଣ୍ଡା ଘରେ ଯାଇ ପ୍ରବେଶ ହୋଇଲେ ।୩୦୩।
ବଧୁ ତାର କ‌ହଇ ଯେ ଶାଶୁ ଆଗେ ଯାଇ ।
ବ୍ରହ୍ମଣ ଯେ ଦୁଇଗୋଟି ଆସିଛନ୍ତି ଧାଇଁ ।୩୦୪।
ଶାଶୁ ରାଣ୍ଡି ରାହାଙ୍କୁ ଯେ ଚିହ୍ନି ନ ପାରିଲା ।
ଧାଇଁ ଯାଇ ବେଗେ ତାଙ୍କୁ କବାଟ କିଳିଲା ।୩୦୫।
ଆସ ଆସ ବୋହୁଏ ଲୋ ଠେଙ୍ଗା ବାଡ଼ି ଧରି ।
ଚୋର କି ଖଣ୍ଟ ଏ ଦୁହେଁ ଦେବା ଆଡ଼କରି ।୩୦୫।
ଏହା ଶୁଣି ଦୁଇ ଭାଇ ତ‌ହୁଁ ପଳାଇଲେ ।
ସାମ‌ବେଦ ଯଜୁରବେଦ ଦୂରେ ଉଚ୍ଚାରିଲେ ।୩୦୬।
ଶୁଣି ଶଷ୍କ ତରୁଗଣ ପଲ୍ଲବୀ ଉଠିଲେ ।
ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ୩୦୭।
ଦୁଇ ଭାଇଙ୍କୁ ସେ ଡାକି ତ‌ହିଁଁ ବସାଇଲା ।
ଖୁଦ ମଳୁଖ ମିଶାଇ ସତ୍ୱର ରାନ୍ଧିଲା ।୩୦୮।
ଅଫିଟା କଦଳୀମଞ୍ଜ ଦୁଇଖଣ୍ଡ ଆଣି ।
ବେନି ଭାଇ ପକାଇଣ ସିଞ୍ଚିଲେକ ପାଣି ।୩୦୯।
କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା ।
ଆଉ କି ବାଢ଼ିବ ତାର ହାଣ୍ଡି ଉଭା ହେଲା ।୩୧୦।
ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲିଣ ଯାଣିଲା ।
ପାକଶାଳରୁ ଲେଉଟି ପାଶରେ ମିଳିଲା ।୩୧୧।
ଦୁଇଗୋଟି ଭାଇଙ୍କର ହସ୍ତକୁ ଧଇଲା ।
କଟୁ କଥା କ‌ହି ତାଙ୍କୁ ଦାଣ୍ଡରେ ଛାଡ଼ିଲା ।୩୧୨।
ତ‌ହୁଁ ଦୁଇଜଣ ଯେ ନିରାଶ ହୋଇଗଲେ ।
କବୀର ସାହିରେ ଯାଇ ପ୍ରବେଶ ହୋଇଲେ ।୩୧୩।
କ୍ଷୁଧାର୍ଥ ବ୍ରାହ୍ମଣ ବୋଲି କବୀର ଜାଣିଲେ ।
ଖଇ ଚାରି ପାଞ୍ଚ ମାଣ ଆଣି ବେଗେ ଦେଲେ ।୩୧୪।
ଅନ୍ତର୍ଗତେ ଜାଣିଲେ ଯା ଦେବୀ କମଳିନୀ ।
ପବନ‌କୁ ଡାକି ଆଜ୍ଞା ଦେଲେ ସେହିକ୍ଷଣି ।୩୧୫।
ଆରେ ପବନ ତୁହି ତ ବେଗେ ଚଳିଯିବୁ ।
ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ଦେବୁ ।୩୧୬।
ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା ।
ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା ।୩୧୭।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନାଇ ।
ପ୍ରାଣ ଗଲାବେଳେ ଜାତି କୂଳ ଲୋଡ଼ୁ କାହିଁଁ ।୩୧୮।
ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ ।
ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତ‌ହିଁଁ ।୩୧୯।
ଫଳ ପୁଷ୍ପ କରି ତ‌ହୁଁ ଗୁଡ଼ାଏ ଆଣିବା ।
ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା ।୩୨୦।
ଏମନ୍ତ ବିଚାର କରି ଦୁଇ ଭାଇ ଗଲେ ।
ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ ।୩୨୧।
ପଦ୍ମ ପୋଖରୀରେ ସାତ ତାଳ ପାଣି ଥିଲା ।
ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା ।୩୨୨।
ଜଗନ୍ନାଥ କ‌ହୁଛନ୍ତି କି ବୁଦ୍ଧି କରିବା ।
ଜଳ ନାହିଁଁ ଫଳ ଏଥି କାହୁଁ ବା ପାଇବା ।୩୨୩।
ଏହା କ‌ହି ଦୁଇଜଣ ତ‌ହୁଁ ଚଳିଗଲେ ।
ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ।୩୨୪।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଆହେ ନାଥ ।
ତୁମ୍ଭର ଥାଳରୁ ଯେ ଆମ୍ଭକୁ ଦିଅ ଭାତ ।୩୨୫।
ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁଁ ।
ଲକ୍ଷ୍ମୀ ଦ୍ରୋହି ହୋଇଅଛ ତୁମ୍ଭେ ଦୁଇ ଭାଇ ।୩୨୬।
ଦୁଧ ଅନ୍ନରେ ଯେ ମୋର ଥାଳ ପୁରିଥିଲା ।
ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା ।୩୨୭।
ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁଁ ।
ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ ।୩୨୮।
ମୁହିଁଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ ।
ଖାଇଲେ ବୋହିଲେ ସେହି ଅନ୍ନ ନ ସରଇ ।୩୨୯।
ଏହି ରୂପେ ସତ୍ୟାନନ୍ଦ ବାଟ କ‌ହିଦେଲେ ।
ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ ।୩୩୦।
ହଟି କମଳିନୀ ତ‌ହୁଁ ବାଟ ଭିଆଇଲେ ।
ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ ।୩୩୧।
ଅତିଶୀଘ୍ର ଟାଣ ଖରା କର ତୁମ୍ଭେ ଯାଇ ।
ବାଲି ମାଟି ତାତୁ ବେଗେ ଡ‌ହ ଡ‌ହ ହୋଇ ।୩୩୨।
ତାତିବ ଖରାରେ ଯେହ୍ନେ ଭାଜିବାର ବାଲି ।
ପାଦେ ମାତ୍ର କେହି ତ‌ହିଁଁ ନ ପାରିବେ ଚାଲି ।୩୩୩।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।
ଏଡ଼େ ବଡ଼ ଖରାରେ ମୁଁ ଚାଲି ନ ପାରଇ ।୩୩୪।
ବେଗ ବେଗ ହୋଇ ତୁମ୍ଭେ ଯାଉଅଛ ଧାଇଁ ।
ବୁଦ୍ଧି ଦିଶୁନାହିଁଁ ଏବେ କିସ କରିବଇଁ ।୩୩୫।
ଶୁଣି ନ ଶୁଣିଲା ପରି ବଳରାମ ଗଲେ ।
କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ ।୩୩୬।
ସିଂହଦ୍ୱାରେ ପ୍ରବେଶିଣ ଡାକିଲେକ ତ‌ହୁଁ ।
ଡାକ ଶୁଣି ଦାସୀମାନେ ଅଇଲେକ ତ‌ହୁଁ ।୩୩୭।
କେଉଁ ଦାସୀ କ‌ହୁଅଛି ଶୁଣ ଆଗୋ ସ‌ହି ।
ଏପରି କାଙ୍ଗାଳ ମୁଁ ଯେ କାହିଁଁ ଦେଖିନାହିଁଁ ।୩୩୮।
ଏହିପରି ମୋଟା ହୋଇ ଗୋଟାଏକ ଥିଲା ।
ଆମ୍ଭ ଠାକୁରାଣୀଙ୍କୁ ଯେ ଘରୁ ତଡ଼ିଦେଲା ।୩୩୯।
ଏହି ରୂପେ ଦାସୀମାନେ କୁହାକୁହି ହେଲେ ।
ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ ।୩୪୦।
ବଳରାମ ପ୍ରଭୁ ତ‌ହିଁଁ ଲେଉଟି ଅଇଲେ ।
ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ ।୩୪୧।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନାଇ ।
ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ ।୩୪୨।
ଜଗନ୍ନାଥ କ‌ହୁଛନ୍ତି କି ବୁଦ୍ଧି କରିବା ।
କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା ।୩୪୩।
ଆଉଥରେ ଚାଲ ବେନି ଭାଇ ଫେରିଯିବା ।
ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା ।୩୪୪।
ବଳରାମ କ‌ହୁଛନ୍ତି ପଛେ ଆମ୍ଭେ ଥିବୁ ।
ଆଗରେ ଥାଇଣ ଅନ୍ନ ତୁହି ଯେ ମାଗିବୁ ।୩୪୫।
ଏତେ କ‌ହି ସିଂହଦ୍ୱାରେ ପ୍ରଭୁ ବିଜେକଲେ ।
ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ ।୩୪୬।
ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ ।
ଓଁକାର ଶବଦ କରି ବେଦ‌ଧ୍ୱନି କଲେ ।୩୪୭।
ଋକ୍, ଶାମ, ଯଜୁଃ ଯେ ଅଥର୍ବ ଚାରି ବେଦ ।
ବ୍ରହ୍ମାଣ୍ଡ ପୁରିଉଠିଲା ଗ‌ହଗ‌ହ ନାଦ ।୩୪୮।
ପଲଙ୍କ ଉପରେ କମଳା ଯେ ଶୋଇଥିଲେ ।
ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ।୩୪୯।
କୋଟି କୋଟି ଜନ୍ମର ପାତକ ହେଲେ କ୍ଷୟ ।
ମୋର ଘରେ ବିଜେ କଲେ ପ୍ରଭୁ ଦେବରାୟ ।୩୫୦।
ପଚାର ପଚାର ଦାସୀ ପଚାର ଲୋ ଯାଇ ।
କିସ ମାଗୁଛନ୍ତି ଯେ ବ୍ରାହ୍ମଣ ବେନିଭାଇ ।୩୫୧।
ଚାଲିଯାଇ ମୁଦୁ୍ସୁଲି ତାଙ୍କୁ ପଚାରିଲେ ।
କି ମାଗୁଛ ପଣ୍ଡାମାନେ କ‌ହ ତୁମ୍ଭେ ଭଲେ ।୩୫୨।
ଜଗନ୍ନାଥ କ‌ହୁଛନ୍ତି ଦାସୀମୁଖ ଚାହିଁଁ ।
ଅନ୍ନ ଗଣ୍ଡାଏକ ତୁମ୍ଭେ ପାରିବକି ଦେଇ ।୩୫୩।
ଏମନ୍ତ ଶୁଣିଣ ଦାସୀମାନେ ଚଳିଗଲେ ।
ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ ।୩୫୪।
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି ।
ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ ।୩୫୫।
ଏ କଥା ଅରଜି ଅଛି ଚଣ୍ଡାଳୁଣୀ ମୁହିଁଁ ।
ଏବେ ଦାସୀମାନେ ଲୋ ପଚାର ବେଗେ ଯାଇ ।୩୫୬।
ବ୍ରାହ୍ମଣ ହୋଇ ମୋ ଘରେ କି ଖାଇବେ ।
ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ ।୩୫୭।
ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ ।
ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇଁ ।୩୫୮।
ଠାକୁରାଣୀ ସମୀପରୁ ଦାସୀମାନେ ଗଲେ ।
ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କ‌ହିଲେ ।୩୫୯।
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି ।
କ୍ଷୁଧାତୁର ହୋଇ କ‌ହ‌ନ୍ତି ହଳପାଣି ।୩୬୦।
ନୂଆ ହାଣ୍ଡି ନୂଆ ସଞ୍ଚା ଦେଇ କି ପାରିବୁ ।
ଏମନ୍ତ ବୋଇଲେ ଆମ୍ଭେମାନେ ଯେ ଖାଇବୁ ।୩୬୧।
ଦାସୀମାନେ କ‌ହ‌ନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ ।
ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ ।୩୬୨।
ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ ।
ଦାସୀଙ୍କ ହସ୍ତରେ ହାଣ୍ଡି ଦଶଗୋଟି ଦେଲେ ।୩୬୩।
ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ ।
ଲେଉଟିଆ ଶାଗ ନେଇ ଛାମୁରେ ରଖିଲେ ।୩୬୪।
ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ ।
ଦୁଧ ଦ‌ହି ଛେନା ଶର୍କରୀ ଯେ ଦେଲେ ପୁଣ ।୩୬୫।
ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ହୋଇ ବୋଇଲେ ।
ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ ।୩୬୬।
ରାନ୍ଧଣା ଭୁଞ୍ଜିବେ ଯଦି ହାତେ ଦୁଇ ଭାଇ ।
ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କିମ୍ପାଇଁ ।୩୬୭।
ଲକ୍ଷ୍ମୀଦେବୀ କାଷ୍ଠ ଖଣ୍ଡେ ହାତରେ ଧରିଲେ ।
ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠା କଲେ ।୩୬୮।
କଦାପି ଅଗ୍ନି ଦେବତା ତେଜ ନ ହୋଇବ ।
ହାଣ୍ଡି ନ ତାତିବା ଆଉ ପାଣି ନ ତାତିବ ।୩୬୯।
ଯେତେ କାଠ ଜଳୁଥିବା ଭଷ୍ମ ହୋଇଯିବ ।
କୁହୁଳି କରିଣ ତ‌ହୁଁ ଧୁଆଁ ହେଉଥିବ ।୩୭୦।
ଏମନ୍ତ ବୋଲିଣ କମଳା ଯେ ଆଜ୍ଞା ଦେଲେ ।
ସେହି ପ୍ରକାରେଣ ଅଗ୍ନି ଦେବତା ଯେ କଲେ ।୩୭୧।
ସବୁ କାଠ‌ଯାକ ତ‌ହିଁଁ ଅଙ୍ଗାର ଯେ ହେଲା ।
ତେବେ ସୁଦ୍ଧା କିଞ୍ଚିତେ ଯେ ପାଣି ନ ତାତିଲା ।୩୭୨।
ହଟି କମଳିନୀ ହଟ ଭିଆଇଲେ ଯେଣୁ ।
ହାଣ୍ଡିତଳେ କଳା ଟିକେ ନ ପଡ଼ିଲା ତେଣୁ ।୩୭୩।
ସୁଗନ୍ଧ ତଇଳ ଦେବୀ ଦେଲେ ପଠିଆଇ ।
ଦାସୀମାନେ କ‌ହୁଛନ୍ତି ବ୍ରାହ୍ମଣଙ୍କୁ ଯାଇ ।୩୭୪।
ପାକସିଦ୍ଧି ହେଲା କି ବ ହେଲା ହେ ଗୋସାଇଁ ।
ତଇଳ ଲଗାଇ ସ୍ନାନ କର ବେଗେ ଯାଇ ।୩୭୫।
ଜଗନ୍ନାଥ କ‌ହୁଛନ୍ତି ପାଣି ନ ତାତିଲା ।
କି ପାକ କରିବୁ ବେଳ ଉଛୁର ହୋଇଲା ।୩୭୬।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ‌୍ନାଇ ।
ଅନ୍ନ ହୋଇଲାକି ନାହିଁଁ କ‌ହ ବେଗେ ତୁହି ।୩୭୭।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଆହେ ଭାଇ ।
ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁଁ ।୩୭୮।
ବଳରାମ କ‌ହୁଛନ୍ତିରେ ଅଧୁଆ ମୁହାଁ ।
ରାନ୍ଧି ନ ଜାଣି ହୋଇଅଛୁ ରାନ୍ଧୁଣିଆ ।୩୭୯।
ତୁହି ଆଡ଼ ହୁଅ ମୁହିଁଁ ରାନ୍ଧୁଅଛି ଯାଇଁ ।
ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ ।୩୮୦।
ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ ।
କାଠ ଖଣ୍ଡେ ଘେନିଣ ଯେ ହାଣ୍ଡି ପିଟିଦେଲେ ।୩୮୧।
କ୍ଷୁଧାତୁର ଦୁଇଭାଇ ଆକୁଳ ହୋଇଲେ ।
କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ ।୩୮୨।
ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁନାହିଁଁ ।
କ୍ଷୁଧାରେ ଆତୁର ହେଉଅଛି ମୋର ଦେହୀ ।୩୮୩।
ବଳରାମ କ‌ହୁଛନ୍ତି ଶୁଣ ଜଗନ୍ନାଥ ।
ଜାତି ପଛେ ଯାଉ ତାର ଘରେ ଖାଉ ଭାତ ।୩୮୪।
ଯେବେ ଏହା ଘରୁ ଭାତ ଆମ୍ଭକୁ ନ ଦେବ ।
ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ।୩୮୫।
ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କ‌ହିଲେ ।
ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ ।୩୮୬।
ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ ।
କେତେ ଦୁଃଖ ଦୀନବନ୍ଧୁ ଦୁହେଁ ଯେ ପାଇଲେ ।୩୮୭।
ସୁନର୍ଣ୍ଣର ଚଟୁ ଗୋଟି ହାତରେ ଧଇଲେ ।
ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ ।୩୮୮।
ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ ।
ମୁଗ ମଧୁରୁଚି କ୍ଷୀର ନାନାଦି ବ୍ୟଞ୍ଜନ ।୩୮୯।
ଆମ୍ବିଳ ଶାକର କଲେ କଦଳୀର ଭଜା ।
ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା ।୩୯୦।
ଷାଠିଏ ପଉଟି ସେ ରନ୍ଧନ କଲେ ଯାଇ ।
ବଗଡ଼ା ଭାତ ମହିମା କଳନା ନ ଯାଇ ।୩୯୧।
ଦୁଧପୁଳି କଲେ ମାତ ଘୃତପୁଳି କଲେ ।
ଅତି ଯତନରେ ମାଏ ସରପୁଳି କଲେ ।୩୯୨।
ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କ ରୁଚି ।
ବଡ଼ିର ମହୁର କଲେ ପକାଇଣ ସାଚି ।୩୯୩।
ସ‌ହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ ।
ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ ।୩୯୪।
କର୍ପୂର ଛେନା ଶର୍କରା ମରିଚ ଗୋଳାଇ ।
ଷାଠିଏ ନଉତି ପଣା ରଖିଲେ ତ ତ‌ହିଁଁ ।୩୯୫।
ରଙ୍ଗବାଣ ପଇଡ଼ ସଙ୍ଗରେ ଛେନାପଣା ।
ଅଦା ମିଶା କରି ଯେ ନବାତ ଖଣ୍ଡଛେନା ।୩୯୬।
ଲକ୍ଷ୍ମୀଙ୍କର ପାକଗୁଣ କେ କ‌ହି ପାରିବ ।
କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ ।୩୯୭।
ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ ।
ଭୋଜନ ଶେଷକୁ ପୋଡ଼ପିଠାଏ ରଖିଲେ ।୩୯୮।
ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ ।
ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ।୩୯୯।
ବ୍ରାହ୍ମଣମାନଙ୍କ ମୁହିଁଁ ଅଟେ ନିଜ ଦାସୀ ।
ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ ।୪୦୦।
ଦାସୀମାନେ କ‌ହୁଛନ୍ତି ସୁବେଦୀ ଗୋସାଇଁ ।
ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ ।୪୦୧।
ତ‌ହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ ।
ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ ।୪୦୨।
ପିତାମ୍ବର ପାଟ ଆଣି ପିନ୍ଧିବାକୁ ଦେଲେ ।
ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ ।୪୦୩।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ‌୍ନାଇ ।
ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ ।୪୦୪।
ଏହା ଘରେ ପୁରୁଷ ତ ଜଣେ ଦିଶୁନାହିଁଁ ।
ଶୂଳି ଦେବା ପ୍ରାୟେ ଏହି ବିଚାର ଦିଶଇ ।୪୦୫।
ଚାଲ ଏବେ ପଳାଇଣ ଏହିଠାରୁ ଯିବା ।
କ୍ଷଣକ ମଧ୍ୟରେ ଆଉ ପ୍ରାଣ ବ ପାଇବା ।୪୦୬।
ଜଗନ୍ନାଥ କ‌ହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ ।
ଏ ଘରର କର୍ତ୍ତା ଆଜି ହୋଇବେ ଆପଣ ।୪୦୭।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ‌୍ନାଇ ।
ଏମନ୍ତ କ‌ହିବା ତୋର ଉଚିତ ନୁହଇଁ ।୪୦୮।
ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ ।
ଗନ୍ଧ ଚନ୍ଦନ ଯେ ମାଏ ଛଡ଼ା ପକାଇଲେ ।୪୦୯।
ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନାଝରି ।
ହାତଧୂଆ ପାଦ‌ଧୂଆ ସୁସଜ୍ଜିତ କରି ।୪୧୦।
ମଣୋହି କରିବା ବିଧି ଯେମନ୍ତ ଭିଆଣ ।
ସୁବର୍ଣ୍ଣର ପୀଠ ତ‌ହିଁଁ କଲେକ ନିର୍ମାଣ ।୪୧୧।
ମହାଲକ୍ଷ୍ମୀ କ‌ହୁଛନ୍ତି ଦାସୀ ମୁଖ ଚାହିଁଁ ।
ବେଗ ପ୍ରଭୁଙ୍କୁ ଲୋ ଘେନିଆସ ଯାଇ ।୪୧୨।
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ ।
ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ ।୪୧୩।
ବିନୟରେ କ‌ହୁଛନ୍ତି ବ୍ରାହ୍ମଣ ଗୋସାଇଁ ।
ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ ।୪୧୪।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନାଇ ।
ନାରୀଏ ଜଣେ ପୁରୁଷ କେହି ଏଥି ନାହିଁଁ ।୪୧୫।
ଭିତରକୁ ଯିବା ଆମ୍ଭ ଉଚିତ ନୁହଁଇ
ପତ୍ର ଦୁଇଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ ।୪୧୬।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଭାଇ ତୁମ୍ଭେ ।
ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ ।୪୧୭।
କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ ।
ଦାତା ଦେଉଅଛି ଆମ୍ଭେ ଛାଡ଼ିବା କମ୍ପାଇ ।୪୧୮।
ଭୟେ ବଳରାମ ସେ ଠାବରୁ ନ ଉଠନ୍ତି ।
ହସ୍ତ ଧରି ଘେନିଗଲେ କମଳାଙ୍କ ପତି ।୪୧୯।
ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି ।
ହସ୍ତ ଧରି ବସାଇଲେ ଦେବ ଶିରୀପତି ।୪୨୦।
କମଳିନୀ କ‌ହୁଛନ୍ତି ତୁଳସୀ ବ୍ରାହ୍ମଣୀ ।
ଦେଢ଼ଶୂର ଅଟନ୍ତି ଯେ ମୋର ହଳପାଣି ।୪୨୧।
ତାହାଙ୍କୁ କେମନ୍ତେ ଅନ୍ନ ମୁହିଁଁ ଦେବି ନେଇ ।
ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ ।୪୨୨।
ସାନ କିଏ ବୋଲି ଆଗ ପଚାରିବୁ ଯାଇ ।
ବଡ଼ଠାରେ ଆଗ ଅନ୍ନ ପରଶିବୁ ନେଇ ।୪୨୩।
ଅନ୍ନଥାଳି ନେଇ ଆଗ ବ୍ରାହ୍ମଣୀ ଅଇଲା ।
ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା ।୪୨୪।
ବଳରାମ ବୋଲୁଛନ୍ତି ହୋଇଲୁକି କାଣୀ ।
ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି ।୪୨୫।
ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କ‌ହି ।
ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ ।୪୨୬।
ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା ।
ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା ।୪୨୭।
ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ ।
ଚାରି ଗ୍ରାସରେ ବଳରାମ ଖାଇଲେ ତାହାକୁ ।୪୨୮।
ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା ।
ଏ ପଣ୍ଡାର ଅନ୍ନ‌ଯାକ କିଏ ଘେନିଗଲା ।୪୨୯।
ବଳରାମ ବୋଇଲେ କ୍ଷୁଧାର୍ତ୍ତ ହୋଇଥିଲୁ ।
ଆଗ କରି ଚାରି ଗ୍ରାସ ବେଗେ ଖାଇଦେଲୁ ।୪୩୦।
ହସିଲା ବ୍ରାହ୍ମଣୀ ଦୁଇଭାଇଙ୍କୁ ଅନାଇ ।
କୁଟୁମ୍ଭ ମାରିବା ପ୍ରାୟ ଦିଶୁଛ ଗୋସାଇଁ ।୪୩୧।
ପୁତ୍ର ଭାରିଜାକି ତୁମ୍ଭ ଦୁହିଙ୍କର ନାହିଁଁ ।
ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ ।୪୩୨।
ସ‌ହସ୍ର କାନ୍ଦି କଦଳୀ ରଖିଦେଲେ ନେଇ ।
ଷାଠିଏ ନଉତି ପଣା ରଖିଦେଲେ ଥୋଇଇ ।୪୩୩।
ଯେଉଁପରି ପ୍ରଭୁଙ୍କର ମନ‌କୁ ରୁଚଇ ।
ସେହିପରି କମଳିନୀ ଦିଅନ୍ତି ପଠାଇ ।୪୩୪।
ଭୋଜାନ ଶେଷକୁ ଯେ କ‌ହ‌ନ୍ତି ବଳରାମ ।
ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ ।୪୩୫।
ଜଗନ୍ନାଥ କ‌ହୁଛନ୍ତି ବଳରାମ ଭାଇ ।
ଲକ୍ଷ୍ମୀପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ ।୪୩୬।
ଲକ୍ଷ୍ମୀଙ୍କୁ ଭର୍ତ୍ସନା କରି ଦେଲେ ଘଉଡ଼ାଇ ।
ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ନାହିଁଁ ।୪୩୭।
ଏମନ୍ତ ସମୟେ ପୋଡ଼ପିଠା ଦେଲେ ନେଇ ।
ଜଗନ୍ନାଥ କ‌ହୁଛନ୍ତି ବଳରାମ ଭାଇ ।୪୩୮।
ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ ।
ଭୋଜନ ଶେଷକୁ ପୋଡ଼ପିଠାଏ ଦିଅଇ ।୪୩୯।
ଭୋଜନ ସାରିଣ ପ୍ରଭୁ ଆଚମନ କଲେ ।
କର୍ପୁର ତାମ୍‌ବୁଳ(ତାମ୍ୱୁଳ) ଦୁଇ ଭାଇ ଯେ ଭୁଞ୍ଜିଲେ ।୪୪୦।
ବାହାର ମେଲାରେ ଯାଇ ପ୍ରଭୁ ବିଜେକଲେ ଯାଇଁ ।
ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ।୪୪୧।
ପଚାର ପଚାର ଦାସୀ ପଚାରଲୋ ଯାଇ ।
ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ ।୪୪୨।
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ ।
ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ ।୪୪୩।
ପୁତ୍ର ଭାର୍ଯ୍ୟା ଅଛନ୍ତି କି କାହିଁଁ ତୁମ୍ଭ ଘର ।
କେଉଁ ରାଜ୍ୟେ ବାଡ଼ି ବୃତ୍ତି ଶାସନ ତୁମ୍ଭର ।୪୪୪।
ଜଗନ୍ନାଥ କ‌ହୁଛନ୍ତି ଶୁଣ ଦାସୀ ତୁହି ।
ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁଁ ।୪୪୫।
ଗୁଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁଁ ।
ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ ।୪୪୬।
କପାଳ ମନ୍ଦା ଆମ୍ଭର ଦୁଇ ଭାଇ ବୁଲୁ ।
ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ ।୪୪୭।
ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ ।
ନାରୀକି ଛାଡ଼ି ପୁରୁଷ ଦରିଦ୍ର କି ହୋଇ ।୪୪୮।
ଗୋବିନ୍ଦ ବୋଲନ୍ତି ଆମ୍ଭେ କ‌ହୁଅଛୁ ଶୁଣ ।
କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ ।୪୪୮।
କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ ।
କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ ।୪୪୯।
କେଉଁ ନାରୀ ଥିଲେ ସୁନା ବଳା ଯେ ମିଳଇ ।
କେଉଁ ନାରୀ ଅଲକ୍ଷଣୀ ଘରରେ ଭାଙ୍ଗଇ ।୪୫୦।
ତୁମ୍ଭ ସାଆନ୍ତାଣୀଙ୍କୁ ଯେ ପଚାର ବୋଲଇ ।
ଦାସୀ କ‌ହେ ବାତୁଳ କି ହୋଇଲ ଗୋସାଇଁ ।୪୫୧।
କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ ।
ଆମ୍ଭ ସାଆନ୍ତାଣିଙ୍କୁ ଯେ ପଚାର ବୋଇଲ ।୪୫୨।
ବଳରାମ ବୋଇଲେ ଏ ମୋର ପିଲା ଭାଇ ।
ତୁମ୍ଭ ସାଆନ୍ତାଣୀ ଆଗେ ଜଣାଇବ ନାହିଁଁ ।୪୫୩।
ଜଗନ୍ନାଥ କ‌ହୁଛନ୍ତି ଭୟ କାହିଁଁପାଇଁ ।
କିଛି ନ ବିଚାର ଆହେ ବଳରାମ ଭାଇ ।୪୫୪।
ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେ ଏହି ।
ଏଠାରେ ଆପଣ ଭୟ କର କିସ ପାଇଁ ।୪୫୫।
ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର ।
ତୁମ୍ଭେ ଯାଇଁ ହସ୍ତଧରି ମହାଲକ୍ଷ୍ମୀଙ୍କର ।୪୫୬।
ଆମ୍ଭ ଦୋଷ କଲୁ ବୋଲି କ‌ହ ତାଙ୍କୁ ଯାଇ ।
ଯହିଁଁ ଇଚ୍ଛା ତ‌ହିଁଁ ରହ ଆମ୍ଭ ମନା ନାହିଁଁ ।୪୫୭।
ଯେତେବେଳେ ବଳରାମ ଏମନ୍ତ କ‌ହିଲେ ।
ଭିତର ପୁରକୁ ପ୍ରଭୁ ନିଜେ ବିଜେ କଲେ ।୪୫୮।
ଧୀରେ ଧୀରେ ଭିତରକୁ ଗଲେ ପୀତବାସ ।
ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ ।୪୫୯।
ପାଣିଝରି ଘେନିକରି କମଳା ଅଇଲେ ।
ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଁଲେ ।୪୬୦।
ଅତି ଯତନରେ ଦେଲେ ପାଦପଦ୍ମ ଧୋଇ ।
ଥୋପାଏ ପାଦ ଉଦକ ମସ୍ତକେ ଲଗାଇ ।୪୬୧।
କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ ।
ପଞ୍ଚବର୍ଣ୍ଣ ପୁଷ୍ପେ ପାଦପଦ୍ମ ପୂଜାକଲେ ।୪୬୨।
ମହାଲକ୍ଷ୍ମୀ କ‌ହୁଛନ୍ତି ପ୍ରଭୁଙ୍କୁ ଅନାଇ ।
ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ ।୪୬୩।
ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ ।
ଚଣ୍ଡାଳ ବିଟାଳ ହେଲ ଦୁଇଗୋଟି ଭାଇ ।୪୬୪।
ଧିକ ତୁମ ବଡ଼ପଣ ଧିକ ତୁମ କଥା ।
ପୋଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା ।୪୬୫।
ମହାଲକ୍ଷ୍ମୀ ଏ ପ୍ରକାରେ ବ‌ହୁ ଧିକାରିଲା ।
କାଳୀୟ ଗଞ୍ଜନ ଶୁଣି କିଛି ନ କ‌ହିଲେ ।୪୬୬।
ମହାମୟୀ ବୋଇଲେ ହେ ଶୁଣ ମୋ ବଚନ ।
ମୋର କିସ କାର୍ଯ୍ୟ ତୁମ୍ଭେ କ‌ହ ହେ ବ‌ହ‌ନ ।୪୬୭।
କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ ।
ଏବେ ମନୁ ମାନ ତେଜ ଜଗତର ମାତ ।୪୬୮।
ଅକାରଣେ ଏତେ କଥା କ‌ହ ପ୍ରାଣସ‌ହି
ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବାପାଇଁ ।୪୬୯।
ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ ।
ରବି ତଳେ ସବୁ ଯୁଗେ ଯଶ ରଖିଗଲ ।୪୭୦।
ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବ‌ହୁତ ।
ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ ।୪୭୧।
ତୁମ୍ଭ ଯଶ କିର୍ତ୍ତୀ ଏବେ ଜଗତେ ରହିଲା ।
ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା ।୪୭୨।
ଗୁରୁବାର ଦିନ ଏ ପୁରାଣ ଯେ ଶୁଣିବ ।
ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ ।୪୭୩।
ଲକ୍ଷ୍ମୀପୂଜା ଦିନ ଏହା ଯେ ନାରୀ ଗାଇବ ।
ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ ।୪୭୪।
ଯଦ୍ୟପି ନାରୀକୁ କେହି ମୁଖେ ବୁଝାଇବ ।
ତାହାର ସୁକୃତ ଆଉ କେ କ‌ହି ପାରିବ ।୪୭୫।
ଏତେ କ‌ହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ ।
ଜଗତ ମାତ କ‌ହିଲେ କର ତୁମ୍ଭେ ସତ୍ୟ ।୪୭୬।
ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ ।
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।୪୭୭।
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ ।
ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।୪୭୮।
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ ।
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ।୪୭୯।
ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ ।
ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ ।୪୮୦।
ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ ।
ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ ।୪୮୧।
ଲକ୍ଷେ ଚନ୍ଦ୍ର ଉଦିଆଯେ ଛାମୁରେ ଜଳଇ ।
ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ ।୪୮୨।
ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା ।
ବ୍ରହ୍ମା ଡାକୁଛନ୍ତ ଦେବ ଗୁହାରି ଶୁଣିମା ।୪୮୩।
ବରୁଣ କୁବେର ଯେ ହସ୍ତରେ ବେତ ଧରି ।
ନୃତ୍ୟ କରୁଥିଲେ ଯହିଁ ସ୍ୱର୍ଗ ଅପଶରି ।୪୮୪।
ରମ୍ଭା ଯେ ମେନ‌କା ଆଦି ଆଉ ଚିତ୍ରଲେଖା ।
ତୁଳସୀ ମାଳତି ଆଉ ଅନ୍ୟାନ୍ୟ ରସିକା ।୪୮୫।
ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା ।
ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା ।୪୮୬।
ବଳରାମ କ‌ହୁଛନ୍ତି ଶୁଣରେ କ‌ହ୍ନା ଇ ।
ଘରକୁ ଘରଣୀ ସିନା ସୁନ୍ଦର ଦିଶଇ ।୪୮୭।
ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ ।
ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ ।୪୮୮।
ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ ।
ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ ।୪୮୯।
ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ ।
ଦୁଇ ଭାଇ ବିଜେ କଲେ ତାଙ୍କ ଦେଉଳକୁ ।୪୯୦।
ଦାସୀ ପରଚାରି ଆଦିକରି ଯେତେ ଥିଲେ ।
ଲକ୍ଷ୍ମୀ ଆସିଲାରୁ ସେ ସମସ୍ତ ଯେ ଅଇଲେ ।୪୯୧।
ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ ।
ସଂସାରରେ ସେହି ମତେ କଲେକ ଗୋବିନ୍ଦ ।୪୯୨।
ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା ।
ଯାହା ପ୍ରସନ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା ।୪୯୩।
ଛାର ଚଣ୍ଡାଳୁଣୀ ଅଇଶ୍ୱର୍ଯ୍ୟ ଭୋଗ କଲା ।
ଲକ୍ଷ୍ମୀଙ୍କର ସୁଦୟାରେ ଏମନ୍ତ ହୋଇଲା ।୪୯୪।
ଏ ପୁରାଣ ପଢ଼ିଲେ ଯେ ସର୍ବ ସିଦ୍ଧି ହୁଏ ।
ସୂର୍ଯ୍ୟୋଦୟ ସମ ତମ ପାପ କ୍ଷୟ ହୁଏ ।୪୯୫।
ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି ।
ଲକ୍ଷେ କୋଟି ଗୋଦାନର ଫଳ ଯେ ଲଭନ୍ତି ।୪୯୬।
ଏ ପୁରାଣ ଅଟଇ ଯେ ମୁକତିର ପଥ ।
ଏହା ଫଳ କଥନରେ କେ ହେବ ସମର୍ଥ ।୪୯୭।
ଲକ୍ଷ୍ମୀଙ୍କ ପୁରାଣ ଏହୁ ସମାପ୍ତ ହୋଇଲା ।
ଭାବେ ବଳରାମ ଦାସ ଗୀତରେ କ‌ହିଲା ।୪୯୮।

॥ ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମାପ୍ତ ॥