ମାତୃଭୂମି

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ମାତୃଭୂମି (ଗଙ୍ଗାଧର ମେହେର) ଆଉ ମାତୃଭୂମି ଦେଖନ୍ତୁ ।
ମାତୃଭୂମି
ଲେଖକ/କବି: ଗଙ୍ଗାଧର ମେହେର

ଯେ କାଳେ ବାଳକ ବୁଲି ଯାଇପାରେ
ପଡ଼ୋଶିମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା’ ସଙ୍ଗୀ ବାଳକଙ୍କର ।

ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ ।

ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମ ଅଟେ ତାହାର ।

ଆପଣା ଗ୍ରାମର ନଦୀ ପୁଷ୍କରଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ; ପୁଣି ସେହି-
ସବୁକୁ ମଣଇ ଭଲ ।

ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚ଼ରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠପଣ ।

ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକାର ତାହାରି
ରାଜ୍ୟଟି ଅଟେ କେବଳ ।

ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ବର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର ।

ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ-ସମାଜ ପ୍ରତି ।

ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ବପତିଙ୍କର ବିଶ୍ବଗୃହେ ଅଟେ
ସେ ତେତେ ଯୋଗ୍ୟେ କୁମାର ।

ଏହିରୂପେ ଗ୍ରାମ- କଥା, ରାଜ୍ୟକଥା,
ଦେଶକଥା, ବିଶ୍ବକଥା
ମାନବ-ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା ।

ମାତୃଭୂମି ମାତୃ- ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି- ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?