ମୃଗୁଣୀସ୍ତୁତି (ଜଗନ୍ନାଥ ଦାସ)
ମୃଗୁଣୀସ୍ତୁତି
BY JAGANNATH DAS
ଶ୍ଳୋକଃ
ଅଗ୍ରେ ବ୍ୟାଧଃ କରଧୃତଶରଃ ପୁଷ୍ଠତୋ ଜାଲମାଳା,
ପାର୍ଶ୍ୱେ ବହ୍ନିର୍ଦହତି ବିପିନଂ ସନ୍ନିଧୌ ଶ୍ୱାନମେଳା ।
ଏଣୀଗର୍ଭାଦଳସଗମନା ବାଳକଃ କ୍ରୋଡ଼ଲୀନା-
ଶ୍ଚିନ୍ତାଯୁକ୍ତା ବିଳପତି ମୃଗୀ କିଂ କରୋମି କ୍ୱ ଯାମି ।
ଦେଖ ଘଟନା ଦଇବ ଯୋଗର । ବ୍ୟାଧ ଶର ଧରି ଜଗେ ଆଗର ।
ପୁଷ୍ଠଭାଗେ ବନ ଦହେ ଅନଳ । ପାଖେ ମିଳି ଅଛଇ ଶ୍ୱାନମେଳ ।
ଏଣୀ ଗର୍ଭବତୀ । ତେଣୁ ବିସ୍ତାରେ ଅଳସରେ ଗତି ।
ସଙ୍ଗେ ଅଛନ୍ତି ମୃଗଶିଶୁପଂକ୍ତି । ଯହିଁ ସ୍ନେହ ବଢ଼ଇ ପ୍ରାଣୁ ଅତି ।
କିସକରିବି କେଉଁଦିଗେ ଯିବି । କେଉଁ ଉପାୟେ ଅପାୟୁଁ ତରିବି ।
ଏମନ୍ତ ବୋଲିଣ । ଚିନ୍ତାକୁଳ ହୋଇ କଲା ରୋଦନ ।
ଏଣୀଚିନ୍ତାତ୍ୟଭିଗତଭିୟା ଚେତସା ଶ୍ରୀନିବାସଂ
ଶ୍ରୁତ୍ୱା ପୂର୍ବଂ ଜଳଚରଗ୍ରାହାଭ୍ରାୟମାଣଂ ଗଜେନ୍ଦ୍ରଂ ।
ସ୍ତୋତ୍ରଂ କର୍ତ୍ତୁଂଜପବିଧିହୁତିଂ ଭାବନାଂ ନାସ୍ତି ଶକ୍ତିଃ,
ପାଦାମ୍ଭୋଜେ ଶରଣପତିତାଂ ରକ୍ଷ ବା ନୈବ ରକ୍ଷ ।
ଭୟ କାତର ମନରେ ମୃଗୁଣୀ । ଚିନ୍ତା କଲା ଗୋବିନ୍ଦ ଗୁଣ ଗୁଣି ।
ଆହେ ପ୍ରଭୁ ଜଗତଜନ-ବନ୍ଧୁ । ଦୀନ-ଉଦ୍ଧାରଣ କରୁଣାସିନ୍ଧୁ ।
ତୁମ୍ଭେ ଦୁଃଖ-ସିନ୍ଧୁ । କରୁଣା କଲେ କରିପାର ବିନ୍ଦୁ ।
ପୂର୍ବେ ନକ୍ର ଧଇଲା ଗଜେନ୍ଦ୍ରକୁ । ଆର୍ତ୍ତସ୍ୱରେ ସେ ଡାକିଲା ତୁମ୍ଭଙ୍କୁ ।
ଡେରି ଶ୍ରବଣ ତାହାର ଶୁଣିଲ । ଚକ୍ର ପେକ୍ଷିଣ ନକ୍ରେ ବକ୍ର ହେଲ ।
ଉଦ୍ଧାରି ଗଜକୁ । ଦେଲ ଦୁଇଜନେ ଦ୍ୱାରସଜକୁ ।
ମୁଁ ଯେ ସ୍ତୁତି ଜପ ହୋମ ଭବନା । କରିବାରେ ଅଟେ ଶକ୍ତିବିହୀନା
ତେଣୁ ତୁମ୍ଭ ପାଦପଦ୍ମେ ଶରଣ । ଯାଉଅଛଇ ଆହେ ନାରାୟଣ ।
ରଖ ବା ନ ରଖ । ଆଉ ଆଶ୍ରୟ ନାହିଁ କଞ୍ଜମୁଖ ।
ଆଦିଷ୍ଟୋନାମରଭୃତା ଗର୍ଜ୍ଜିତୋ ମେଘମାଳା,
ଘୋରେ ନୀରେ ବହତି ମରୁତେ ଖଣ୍ଡିତା ଜାଲମାଳା ।
ସର୍ପାଘାତାନ୍ନରହତିରଭୁତ୍ତ ଶ୍ୱାନୟୋର୍ବଜ୍ରପୀଡ଼ା,
ମନ୍ଦଂ ମନ୍ଦଂ ଚଳତି ହରିଣୀ ସାଧୁ ସାଧୁ ବିଧାତା ।
ଏମନ୍ତେ ଏଣୀସ୍ତୁତି କର୍ଣ୍ଣେ ଶୁଣି । ଆଜ୍ଞା ଦେଲେ ବାସବେ ଚକ୍ରପାଣି ।
ତୁମ୍ଭେ ମେଘ ପେଶି ମୃଗୀ ରଖିବ । ବ୍ୟାଧ ପ୍ରଭୃତିଙ୍କି ତହିଁ ନାଶିବ ।
ଇନ୍ଦ୍ର ଏହା ଶୁଣି । ମେଘେ ଆଦେଶିଲା ଯାଇଁ ତତ୍କ୍ଷଣି ।
ଆଜ୍ଞାପାଇ ସେ କଲା ଘୋରଧ୍ୱନି । କମ୍ପେ ଚରାଚର ସଙ୍ଗେ ମେଦିନୀ ।
ଜଳ ବର୍ଷିଲା ମୂଷଳଧାରରେ । ଅଗ୍ନି ଲିଭିଗଲା ଅବିଳମ୍ବରେ ।
ବାତେ ଜାଲମାଳା । ଛିଡ଼ିଲା ସର୍ପାଘାତେ ବ୍ୟାଧ ମଲା ।
ଶ୍ୱାନ-ଉପରେ ବଜ୍ରପାତ ହେଲା । ତେଣୁ ମୃଗୀ ଚିତ୍ତୁଁ ଭୟ ଛାଡ଼ିଲା ।
ଧୀରେ ଧୀରେ କରଇ ଚାରୁଗତି | ସଙ୍ଗେ ନିଜ ଶିଶୁମାନେ ଅଛନ୍ତି ।
ସାଧୁ ରେ ବିଧାତା । ତୋର ଅଟଇ ବିଚିତ୍ର କ୍ଷମତା ।
ଏବେ ଭବସାଗରମଗ୍ନଜନେ । ଚିନ୍ତା କର ପ୍ରଭୁଙ୍କୁ ନିଜମନେ ।
ଯେହୁ ଅଟନ୍ତି ଜଗତଠାକୁର । ତିନି କାଳର ଅଜର ଅମର ।
ତାଙ୍କ ପାଦ ସ୍ମର । କହେ ଜଗନ୍ନାଥ ଭୂସୁର-ସାର ।