ମୃଗୁଣୀସ୍ତୁତି (ବଳରାମ ଦାସ)
ମୃଗୁଣୀସ୍ତୁତି
BY BALARAM DAS
ରାମ ଯେ ରାମ ରାମ ନାମ ଶ୍ରୀରାମ ରାମ ।
ଯେଉଁ ନାମ ଧଇଲେ ନ ଦଣ୍ତେ କାଳଯମ ।
ଶ୍ରୀହରି ନାମକୁ ଏକା ଜପୁଥିବୁ ମନ ।
ଅଶେଷ ଦୁରିତମାନ ହୋଇବ ଦହନ ।
ଯୋଗୀଜନମାନଙ୍କର ପରମକାରଣ ।
ସନ୍ଥଜନମାନଙ୍କ ଦୁରିତ-ନିବାରଣ ।
ଏଥୁ ଅନନ୍ତରେ ସର୍ବେ ଶୁଣ ରସସାର ।
ମାଘ କୃଷ୍ଣପକ୍ଷ ଯେ ପଞ୍ଚମୀ ଗୁରୁବାର ।
ଶୁକ ଏ ଦିନରେ ପରୀକ୍ଷିତଙ୍କ ଭବନେ ।
ଆଚମ୍ବିତେ ମିଳିଲେ ତାହାଙ୍କ ସନ୍ନିଧାନେ ।
ଦଣ୍ତକମଣ୍ତଳୁ ହସ୍ତେ ଡୋର କଉପୀନ ।
ରୁଦ୍ରାକ୍ଷର ଜପ-ମାଳା ଭସ୍ମ ବିଲେପନ ।
ହରିମନ୍ଦିରର ଚିତା ନାସା-ଅର୍ଦ୍ଧଯାଏ ।
ତମ୍ବାର କୁଣ୍ତଳ ବେନିକର୍ଣ୍ଣେ ଶୋଭାପାଏ ।
ତପତକାଞ୍ଚନ ଜିଣି ତନୁ ଅନୁପମ ।
କୋଟିଭାନୁ ଜିଣି ଯେ ଅନଳ ନୋହେ ସମ ।
ଦୂରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ ।
ଆସନୁ ଉଠିଣ କଲେ ପାଛୋଟି ଗମନ ।
ପଦ ପଚିଶ ପଚାଶ ଯାଏ ସେହୁ ଗଲେ ।
ମୁନିଙ୍କି ନିମନ୍ତି ରାଜା ମନ୍ଦିରେ ମିଳିଲେ ।
ଧୂପ ଦୀପ ନଇବିଦ୍ୟ ବସନ ଚାମର ।
ନାନା ଯତ୍ନେ ପୂଜାକଲେ ମୁନିଙ୍କ ପୟର ।
ଦିବ୍ୟ ଆସନେ ମୁନିଙ୍କି ବସାଇଲେ ନେଇ ।
ବିନୟ ହୋଇଣ ରାଜା ବଚନ କହଇ ।
ଭୋ ମୁନିପୁଙ୍ଗବ ତୁମ୍ଭେ ସର୍ବତାପହର ।
ପବିତ୍ର କର ହେ ମୁନି ମୋର କଳେବର ।
କହ ବିଷ୍ଣୁ ପୁରାଣର ସେ ପବିତ୍ର କଥା ।
ତବ ମୁଖୁ ଶୁଣିଲେ ଖଣ୍ଡିବ ଭବବ୍ୟଥା ।
କେମନ୍ତ ପ୍ରକାରେ ଯେ ହରିଣୀର ବପତ୍ତି ।
କାହିଁ ଥାଇ ତାହା ଯେ ଜାଣିଲେ ଶିରୀପତି ।
ସେ କଥା ବିସ୍ତାରି ମୋତେ କହିବା ଗୋସାଇଁ ।
ତବ ମୁଖୁଁ ଶୁଣିଲେ ଯେ ପ୍ରତେ ଯିବି ମୁହିଁ ।
ପରୀକ୍ଷିତ-ବଚନେ ଆନନ୍ଦ ଶୁକମୁନି ।
ବୋଇଲେ ହୋ ଧନ୍ୟ ରାଜା ଅଟୁ ବ୍ରହ୍ମଜ୍ଞାନୀ ।
ଯାହା ପଚାରିଲୁ ଭାଗବତର ଚରିତ ।
ସାବଧାନ ହେଇ ତୁମ୍ଭେ ଶୁଣ ନପସୁତ ।
ସୁବାହୁ ବୋଲିଣ ଯେ ଏକଇ ଘୋରବନ ।
ହରପାର୍ବତୀଙ୍କର ସେ ଅଟେ କ୍ରୀଡ଼ାସ୍ଥାନ ।
ତାରାବତୀ ହରିଣୀ ଚରଇ ତହିଁ ନିତି ।
ମହାଦେବ-ପ୍ରସାଦେ ନ ଥାଇଁ ଭୟ ଭ୍ରାନ୍ତି ।
ଗର୍ଭବାସ ହେତୁ ତାର ଅଳସ ଗମନ ।
ସଙ୍ଗତେ ଅଛନ୍ତି ବେନି ବାଳୁତନନ୍ଦନ ।
ଦଇବ ବିପାକ କଥା କେ କରିବ ଆନ ।
ଯାହା ସେ କପାଳେ ଧାତା କରିଛି ଲିଖନ ।
ବିଧି ଅନୁସାରେ ହୁଏ କର୍ମର ଉଦିତ ।
କର୍ମ ଅନୁସାରେ ଜୀବ ହୁଏ ଆତଯାତ ।
ଶୁଭକୁ ଅଶୁଭ ଯେ ଫଳଇ ଦୁଃଖରାଶି ।
ତାହା ନ ଜାଣିଲେ ଜୀବ ନୁହଇ ବଶ୍ୱାସୀ ।
ଫଳଦାତାର କରତା ଅଟନ୍ତି ଈଶ୍ୱର ।
ମାୟାନର ଆତଯାତ କରଇ ସଂସାର ।
ଏକଦିନେ ହରିଣୀ ବନସ୍ତେ ଚରୁଥିଲା ।
ବିରୂପାକ୍ଷ ଶବର ଯେ ସେ ସ୍ଥାନେ ମିଳିଲା ।
ଦେଖିଲା ହରିଣୀ ସଙ୍ଗେ ଛନ୍ତି ପିଲା ବେନି ।
ବିଧାତା ସୁମରି ଯେ ମାଇଲା ମୂରଧ୍ୱନି ।
ତିନିଦିନ ଉପାସକୁ ମିଳିଲା ଆହାର ।
ଏହକ୍ଷଣି ମାରିଣ ମୁଁ ତୋଷିବି ଉଦର ।
ବନ୍ଧୁଭାଇ ସୋଦର କୁଟୁମ୍ବ ସଙ୍ଖୋଳିବି ।
ଉଦରୁ ସଞ୍ଚିଣ ପୁତ୍ର ନୀତିଙ୍କି ଲୋଡ଼ିବି ।
ଏମନ୍ତ ବୋଲି ଶବର ମନରେ ହରଷ ।
ବିଧାତା ସୁମରି ଓଗାଳଇ ଦଶଦିଶ ।
ଚଉପାଶେ ଜାଲବାଡ଼ ପାତିଲା ହରଷେ ।
ପଛରେ ଦୋହରା ଅଗ୍ନି ଲଗାଇଲା ରୋଷେ ।
ନିଜେ ଧନୁ ଧରିଣ ଯେ ଦ୍ୱାର ନିରୋଧିଲା ।
ଧରି ମାର ବୋଲିଣ ଶ୍ୱାନକୁ ପେଶି ଦେଲା ।
ନିଶ୍ଚିନ୍ତ ହୋଇଣ ଯେ ହରିଣୀ ଚରୁଥିଲା ।
ମନୁଷ୍ୟର ରାବ ଶୁଣି ବଦନ ଟେକିଲା ।
ଆଗ ପାଖରେ ଯେ ବ୍ୟାଧ ଦୁଇପାଶେ ଜାଲ ।
ପଛକତିରେ ଅନଳ ଜଳେ ପରଖର ।
ରେ ରେକାର ଶବଦ ଶୁଭଇ ଗୁରୁଟାଣ ।
ଆଗକୁ ଚାହିଁଲା ବ୍ୟାଧ କରେ ଧନୁର୍ବାଣ ।
ଲହଲହ ଜିହ୍ୱା ଶ୍ୱାନ ଆସୁଅଛୁ ଧାଇଁ ।
ମାର ଧର ବୋଲିଣ ସେ ଡାକଇ ତୁହାଇ ।
ଏହା ଦେଖି ତରସ୍ତ ଯେ ହେଇଲା ହରିଣୀ ।
ମୂର୍ଚ୍ଛାଗତ ହୋଇଣ ସେ ପଡ଼ିଲା ଧରଣୀ ।
ସଚେତ ହୋଇଣ ପୁଣ ମନେ ବିଚାରଇ ।
କେମନ୍ତ ପ୍ରକାରେ ଏଥୁଁ ପଳାଇବି ମୁହିଁ ।
ଆଗକୁ ଗଲେ ଶବର ବିନ୍ଧିବ ଯେ ଶର ।
ପଛକୁ ଗଲେଣ ପୋଡି ମତିବି ଅଗ୍ନିର ।
ଆଗ ଦିଗେ ଗଲେ ଯେ ପଡିବି ଜାଲେ ଯାଇ ।
ଏଥି ରହିଥିଲେ ଶ୍ୱାନ ଧରିବ ମୋ ଦେହୀ ।
ଆବର ମରିବେ ମୋର ଗର୍ଭର ତନୟେ ।
ମହାଘୋର ସଙ୍କଟେ ଯେ ପଡିଲା ଜୀବନ ।
ଉଦ୍ଧାରିଣ ରଖ ମୋତେ ପ୍ରଭୁ ଭଗବାନ ।
ମଧୁଦୈତ୍ୟ ନାଶି ନାମ ଶ୍ରୀମଧୁସୂଦନ ।
ଦୁଃଖୀଲୋକବାନ୍ଧବ ଦରଦ୍ର-ଲୋକ-ଧନ ।
ପଥ ନ ଦିଶଇ ମୁଁ କରିବି କିସ ବୁଦ୍ଧି ।
ଆତଙ୍ଗେ ଡ଼ାକୁଛି ମୋତେ ରଖ ଦୟାନିଧି ।
ରଖ ରଖ ଜଗନ୍ନାଥ ଦୁଃଖିର ସଙ୍ଗାତ ।
ତୁମ୍ଭେ ନ ରଖିଲେ ଆଜ ହୋଇଲି ଅନାଥ ।
ଏମନ୍ତେ ପ୍ରଭୁଙ୍କ ପାଦେ ଲଗାଇଲା ଲୟ ।
ଜୟ ଜୟ ଦୀନବନ୍ଧୁ ଜୟ ବଶ୍ୱକାୟ ।
ଜୟ ଜୟ କୃପାନିଧି ଜଗତତାରଣ ।
ମହାଭାରା ନିବାରଣ ପ୍ରଭୁ ନାରାୟଣ ।
ଜୟ ଜୟ ବିପଦଭଞ୍ଜନ ଦାଶରଥି ।
ସାତକାଳରୁ ରଖିଲ ଭରତିଆ ପକ୍ଷୀ ।
ସାବତଜନନୀ ଛଳେ ଧ୍ରୁବ ଚିନ୍ତାକଲା ।
ଚଉଦଭୁବନ ଲୋକେ ଯାଇଣ ବସିଲା ।
ଜୟ ଜୟ ବିଶ୍ୱପତି ଜଗତ କରତା ।
କଂସ ମାରି ତୁମ୍ଭେ ଯେ ରଖିଲ ମାତା ପିତା ।
ରାବଣକୁ ମାରି ତୁମ୍ଭେ ଜାନକୀ ଆଣିଲ ।
ଲଙ୍କାଗଡ଼େ ରାଜା ବିଭୀଷଣକୁ ଯେ କଲ ।
ମନ୍ଦୋଦରୀ ରାଣୀଙ୍କି ଯେ କଲ ମହାସତୀ ।
ବିଭୀଷଣ ରାଜାର ସେ ହେଲା ପ୍ରିୟବତୀ ।
ଅମର କରି ରଖିଲା ତାକୁ ଯୁଗଯୁଗ ।
ଶରଣପଞ୍ଜର ତୁମ୍ଭେ ଅଟ ପଦ୍ମନାଭ ।
ଗୋପୀ ଗୋପାଳ ରଖିଲ କରେ ଗିରି ଧରି ।
ବେଦ ଉଦ୍ଧାରି ରଖିଲ ଶଙ୍ଖାସୁର ମାରି ।
ଅଜାମିଳ ଡାକିଲା ଯେ ରଖ ନାରାୟଣ ।
ତେଡ଼େବଡ଼ ପାପୀକି ବୈକୁଣ୍ଠେ ଦେଲ ସ୍ଥାନ ।
ଜୟ ଜୟ ଜଗନ୍ନାଥ ପ୍ରହ୍ଲାଦ ରଖିଲ ।
ନୃସିଂହ ରୂପେଣ ହିରଣ୍ୟକୁ ବିଦାରିଲ ।
ଜୟ ଜୟ ଜଗନ୍ନାଥ ବଳିକି ଚାପିଲ ।
ପାତାଳପୁରରେ ନେଇ ଗୋପ୍ୟ କରାଇଲ ।
ଶ୍ରୀଚରଣ ଲଦିଲ ଯେ ଅହଲ୍ୟାର ଶିର ।
ପାଷାଣ-ଦେହରୁ ସ୍ତିରୀ ହୋଇଲା ବାହାର ।
ଗଜ ଡାକିଲା ତାକୁ ରଖିଲ ନାରାୟଣ ।
ଚକ୍ରପେଷି ଗ୍ରାହକୁ କରିଲ ନିବାରଣ ।
ତୁମ୍ଭ ଚରଣରେ ମୃଗୀ ଲଗାଇଛି ଲୟ ।
ଗର୍ଭର ଭାରାରେ ମୋତେ କରିବ ସଦୟ ।
ପ୍ରଭୁ ଜଗତ-ତାରଣ ନ କର ହେ ଆନ ।
ତୁମ୍ଭ ଶ୍ରୀଚରଣତଳେ ଲଗାଇଛି ଧ୍ୟାନ ।
ଜୀବନକୁ ଆଶା ଆଜ ନାହିଁ ଯେ ମୋହର ।
ଏ ବେନି ବାଳୁତ ତୁମ୍ଭେ ରଖ ଚକ୍ରଧର ।
ଅରକ୍ଷିତ-ବନ୍ଧୁ ତୁମ୍ଭେ ଦୁଃଖୀଲୋକ-ବିତ୍ତ ।
ବ୍ୟାଧର ସଙ୍କଟୁ ମୋତେ ରଖ ଜଗନ୍ନାଥ ।
ଏମନ୍ତେ ଅନେକ ସ୍ତୁତି କଲା ଯେ ହରିଣୀ ।
ବୈକୁଣ୍ଠେ ଥାଇଣ ତା ଜାଣିଲେ ଚକ୍ରପାଣି ।
ଲକ୍ଷ୍ମୀଙ୍କର କୋଳେ ଯେ ଦେଇଣ ସୀମସ୍ଥାନ ।
ଆନନ୍ଦେ ଯୋଗନିଦ୍ରାରେ ଥିଲେ ଭଗବାନ ।
ସରସ୍ୱତୀ ବୀଣା ଧରି ବଜାଉ ଅଛନ୍ତି ।
ଗାନ୍ଧାର ରାଗେଣ ଗାଇ ଆଳାପ କରନ୍ତି ।
କମଳା ବିମଳା ରହି ଆଲଟ ବିଞ୍ଚନ୍ତି ।
ସତ୍ୟଭାମା କାଳିନ୍ଦୀ ଆବର ଜାମ୍ବବତୀ ।
ରୁକ୍ମିଣୀ ସହିତେ ଯେତେ ଅଷ୍ଟପାଟ ଦେଈ ।
ଯେ ଯାହା ସେବାରେ ଚହିଁ ଚରଣେ ସେବଇ ।
ସୁବାହୁ ବନ ବୈକୁଣ୍ଠ ସହସ୍ର ଯୋଜନ ।
ଏତେଦୂରୁ ଡାକ ତା ଶୁଭଇ ଘନ ଘନ ।
ନିକଟେ ଡାକିଲାପ୍ରାୟେ ଶୁଭେ ଅନୁପମ ।
ସହସ୍ରେକ ବଜ୍ର କି ପଡ଼ିଲା ଏକ ସ୍ଥାନ ।
ଥର ହର ହୋଇଣ ଯେ ବୈକୁଣ୍ଠ କମ୍ପିଲା ।
ଅତି ଆରତରେ ଯହୁଁ ମୃଗୁଣୀ ଡାକିଲା ।
ମୃଗୁଣୀର ଆରତ ଯେ ଫେଡ଼ିବେ ଗୋସାଇଁ ।
ଭକତବତ୍ସଳ ଯେ କମଳାଦେବୀ-ସାଇଁ ।
ବାସବକୁ ରାଇ ଆଜ୍ଞା ଦେଲେ ଦାଶରଥି ।
ଘୋରବନେ ହରିଣୀକି ପଡ଼ିଛି ବିପତ୍ତି ।
ଘୋର ଜଳ ବରଷ ଅନଳ ଲିଭିଯାଉ ।
ବଜ୍ର ମାର ଶ୍ୱାନକୁ ବ୍ୟାଧକୁ ସର୍ପଖାଉ ।
ବାତାଘାତେ ଜାଲବାଡ଼ ହେଉ ନାରଖାର ।
ବାସବରାୟେ ହୋ ତୁମ୍ଭେ ବେଗ ହୋଇ ଚଳ ।
ଆଜ୍ଞା ପାଇ ଇନ୍ଦ୍ର ଯେ ବହନ ଚଳିଗଲେ ।
ଚାରିମେଘକୁ ତକ୍ଷଣେ ଆଜ୍ଞା ସେହୁ ଦେଲେ ।
ପବନକୁ ବୋଇଲେ ତୁ ସଙ୍ଗେ ସଙ୍ଗେ ଥିବୁ ।
ଜଳବୃଷ୍ଟି ସହିତରେ ବତାସ ବହିବୁ ।
ଶ୍ୱାନକୁ ବଜ୍ର ଯେ ଆମ୍ଭେ ମାରିବୁଁ ମରିବ ।
କିଞ୍ଚିତେ ଶବରକୁ ଯେ ଉରଗ ଗିଳିବ ।
ଏମନ୍ତ ଯେ ହରିଣୀର କଷ୍ଟ ହେବ ପାର ।
ସ୍ୱାମୀର କାର୍ଯ୍ୟ ଘେନିଣ ଚଳ ତତପର ।
ଆଜ୍ଞା ପରମାଣେ ତହୁଁ ଚାରିମେଘ ଗଲେ ।
ସୁବାହୁ ବନରେ ଯାଇଁ ପ୍ରବେଶ ହୋଇଲେ ।
ଘଡ଼ଘଡ଼ି ମାରେ ଯେ ବଜୁଳୀ ଘନଘନ ।
ତାହା ଦେଖି ମୟୁର ମଣ୍ତୁକ କରେ ସ୍ୱନ ।
ଦଶଦିଶ ଅନ୍ଧାରରେ କିଛିତ ନ ଦିଶି ।
ସୃଷ୍ଟି ପ୍ରଳୟ ପ୍ରବେଶ ହୋଇଲା କି ଆସି ।
ଅଣଞ୍ଚାଶ ମୂର୍ତ୍ତି ଧରି ବହିଲା ପବନ ।
ଲିଭିଲା ଅନଳ ଯେ ଛିଡିଲା ଜାଲମାନ ।
ଶ୍ୱାନକୁ ବଜ୍ର ଶବରେ ଉରଗ ଗିଳିଲା ।
ଏମନ୍ତ ଯେ ହରିଣୀର କଷ୍ଟ ଦୂର ହେଲା ।
ଏହା ଦେଖି ହରିଣୀ ହରଷଚିତ୍ତ ହୋଇ ।
ସାଧୁ ସାଧୁ ବିଧାତା ଯେ ବୋଲିଣ ବୋଲଇ ।
ନାରାୟଣ ସୁମରି ଚାଲଇ ଧୀର ଧୀର ।
ନବରଙ୍ଗେ ଚାଲୁଛନ୍ତି ବାଳୁତକୁମର ।
ପ୍ରବେଶ ହୋଇଲା ଯାଇଁ ଆପଣା ମନ୍ଦିର ।
ଶୁଣ ପରୀକ୍ଷିତରାଜା ଉତ୍ତରାକୁମର ।
ଏମନ୍ତ ପ୍ରକାରେ ଅଟେ ହରିଣୀ ବିପତ୍ତି ।
ଶୁଣିଲେ ଖଣ୍ଡନ ହେବ ଅଶେଷ-ଦୁର୍ଗତି ।
ଦୁଃସହ ବପତ୍ତି ତାର ନ ଲାଗଇ ଦେହେଁ ।
ଅପୁତ୍ରିକ ଶୁଣିଲେ ଯେ ପୁତ୍ର ଜାତହୁଏ ।
ଦରିଦ୍ରରେ ଧନ ଯେ ଅମୋକ୍ଷେ ମୋକ୍ଷଦାତା ।
ଚିନ୍ତାର୍ଥିମାନେ ପଢ଼ିଲେ ଯିବ ମନୁ ଚିନ୍ତା ।
ସନ୍ଧ୍ୟାକାଳେ ପ୍ରାତଃକାଳେ ସ୍ମରନ୍ତି ଯେ ଜନ ।
ମହାଘୋର ସଙ୍କଟୁ ରଖନ୍ତି ଭଗବାନ ।
ମୃଗୁଣୀର ସ୍ତୁତି ଏ ଅମୃତମୟ ରସ ।
ସମ୍ପୂର୍ଣ୍ଣ କରି ଶୁଣିଲେ ବୈକୁଣ୍ଠରେ ବାସ ।
ବଳରାମ ଦାସ ଗୀତା-ଅନ୍ତରେ ଲିହିଲେ ।
ଧନ୍ୟ ଧନ୍ୟ ମୃଗୁଣୀ ଯେ ବୋଲିଣ ବୋଇଲେ ।
ଜୟ ଜୟ ଜଗନ୍ନାଥ କମଳବିଳାସ ।
ଶ୍ରୀପାଦପଦ୍ମେ ଶରଣ ବଳରାମ ଦାସ ।