ରତ୍ନାକର ଚମ୍ପୂ/ଖେଳାଖଞ୍ଜରୀଟଦୃଶା
ଦେଖଣା
←କୃଷ୍ଣକୁଞ୍ଚିତ ଚାମରକେଶା | ରତ୍ନାକର ଚମ୍ପୂ ଲେଖକ/କବି: ଖେଳାଖଞ୍ଜରୀଟଦୃଶା |
ଗୁଣ ରତ୍ନାକର ହେ→ |
(ରାଗ: ତୋଡ଼ିପରଜ)
ଖେଳାଖଞ୍ଜରୀଟଦୃଶା, ମୋ ବନ୍ଧୁ, ଖଟାଅ ମୋତେ ତା ବେହରଣଫୁଲ ଖଟତଳେ ଦିବାନିଶା । ପଦ ।
ଖିଲାଇ ମାତ୍ରକ ବିନ୍ଦୁମିତ ମଧୁ ବନ୍ଧୁକବନ୍ଧୁଅଧରୁ,
ଖିଆଲରସପ୍ରସଙ୍ଗ ସଙ୍ଗିନୀଙ୍କ ଗଣେ ମୋତେ ଜଣେ କରୁ । ୧ ।
ଖମଣିମଣ୍ଡଳ ଅସ୍ତ ହେବା କାଳ ଜଗି କୋକ ଜାଗରୂକ,
ଖଞ୍ଜୁଥିବି ସୂନସଜଡ଼ା ମଣ୍ଡନ ମଣ୍ଡୁ ମୋ ଅଙ୍କପଲଙ୍କ । ୨ ।
ଖିଲ ଖିଲ କରି ଖୁଆଇବି ଶିରୀମୁଖେ କର୍ପୂର ବିଡ଼ିଆ,
ଖଲି ମୃଗମଦ ଚିତ୍ରିବି ପ୍ରମୋଦଭରେ ଉରଜ ନଡ଼ିଆ । ୩ ।
ଖଞ୍ଜି ସହୋଦର ମଧୁର ତା ଗିର ବରତନ ବୋଲି ଭାବି,
ଖୁଣ ନ ଥିବାର ଅଲକତସାର ଚିତ୍ର ପଦେ ଲେଖୁଥିବି। ୪।
ଖଟା ଲେଶ ଚିତ୍ତେ ନ ରଖି ଲଳିତେ ଘେନାଅ ବାଳାପୂରତେ,
ଖରାପ ନୁହେଁଟି ପରଉପକୃତି କବିରବି ବୋଲି ଗୀତେ ।୫।