ରସକଲ୍ଲୋଳ/କ୍ରମେ ମଧୁଶେଷ ହୋଇଲା ପ୍ରବେଶ

ଉଇକିପାଠାଗାର‌ରୁ

କ୍ରମେ ମଧୁଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ କରମାଳି-କର ମହାଖରତର କମଳ କୁମାର ପରାୟେ ସ୍ଵଜନେ, କି କହିବା ମହିତପଦ କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।

କୁଶଳୀ ନର୍ତ୍ତକି ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ କୁଟୁମ୍ବୀ-ଦିନଜନ ମନ ପରାୟେ ସନ୍ତାପି ହେଲେ ଏକାଦିନେ ସୃଜନେ, କୁଶ ହୋଇଲା ନଦୀ ଜଳ କାନ୍ତ ଘନରସ ବିହନେ ଯେମନ୍ତ ଦିଶନ୍ତି ବିରହିଣୀ କୂଳ |୨|

କୁରଙ୍ଗ ନୟନା ନୟନ -ତରଙ୍ଗବଳି ମୃଗତୃଷ୍ଣା ଦିଶିଲେ କଳା ମେଘ କଳେ ବିଜୁଳି ପରାୟେ ବନେ ବନଅଗ୍ନି ହସିଲେ ସୃଜନେ, କାହିଁ ତୃଣରାଜେ ଫୁଟନ୍ତି କାମିନୀ ସୂରତ କାଳେ ମନ ମନ ଶବଦ ପରାୟେ ଘଟନ୍ତି ।୩।

କୃପଣ ସାମନ୍ତ ସେବକ ପରାୟେ ତାପେ ଜର୍ଜର ସୂର୍ଯ୍ୟକାନ୍ତ କାନ୍ତରହିତ କାନ୍ତ ପ୍ରାୟେ ହୋଇଲେ ସରସୀମାନେ ବେଶଅନ୍ତ ସୁଜନେ, କେବଳ ଭକ୍ତରଙ୍କ ପ୍ରାୟେ କଚ୍ଛପ, ମତ୍ସ୍ୟ,ମଣ୍ଡୁକମାନଙ୍କର ଦୃର୍ବଳ ହୋଇଗଲା କାୟେ ।୪।