ରାଧା ଧରି ସଖୀ କର

ଉଇକିପାଠାଗାର‌ରୁ
ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର

ରାଧା ଧରି ସଖୀ କର

ରାଧା ଧରି ସଖୀ କର। ବୋଲନ୍ତି ଆକଟ ଆଉ ନ କର ଗୋ।
ଲାଜ ଭୟ ଛାଡ଼ିଲି ନିକର। ସଜନୀ ଗୋ । ୧ ।

ଘନଶ୍ୟାମ ଗୁଣମାନ। ରଖିଅଛି କି ମୋ ଧୈର୍ଯ୍ୟ ଗୁମାନ ଗୋ।
ମନ ଦହୁଛି ତା ସନମାନ ସଜନୀ ଗୋ । ୨ ।

ତୁଚ୍ଛ ମୋହିବା ମୁନିଙ୍କି। ତାଙ୍କୁ ପ୍ରୀତିପଣେ ଯୋଗ୍ୟ ମୁଁ ନିକି ଗୋ।
ଅଳଙ୍କାର ସେ ତ ଅବନୀକି ସଜନୀ ଗୋ । ୩ ।

ଶୁଣି ତାଙ୍କ କଥା ପଦେ। ରମା ଉମା ପ୍ରାଣ ବିକିବେ ପଦେ ଗୋ।
ଶଚୀ ନ ରସିବେ ଇନ୍ଦ୍ରପଦେ ସଜନୀ ଗୋ । ୪ ।

ଅନାଇଁ ଯାହା ବଦନ। ପବି ହେଲେ ହେବ ମୋହି ବଦନ ଗୋ।
ସୁଖାନନ୍ଦ ଅମୃତ ସଦନ। ସଜନୀ ଗୋ । ୫ ।

ଦେଖିଲେ ପତିବରତୀ । ଦମ୍ଭ ତେଜି ଆଚରିବେ ପୀରତି ଗୋ।
ନାଗନାରୀ ଇଚ୍ଛିବେ ସୁରତି। ସଜନୀ ଗୋ । ୬ ।

ଗତି କରନ୍ତେ ପଥରେ। ଦ୍ରବି ହୋଇ ବହିଯିବେ ପଥରେ ଗୋ।
ନ ଭୁଲିବ କେ ମନମଥରେ। ସଜନୀ ଗୋ । ୭ ।

କେବଳ ନେତ୍ରପଥରେ। ପଡ଼ିଗଲା ବାଙ୍କଚୂଳିଆ ଥରେ ଗୋ।
ଆଜଯାଏ ମୋ ହୃଦୟ ଥରେ। ସଜନୀ ଗୋ । ୮ ।

ଦମ୍ଭ ବଳିଲେ ପବିକି । ଆଣି ରଖିବ କେ ଚାହିଁ ଛବିକି ଗୋ ।
ମୁଁ ତ ସାରିଲିନି ମାନ ବିକି। ସଜନୀ ଗୋ । ୯ ।

ନାହଁ ପୂର୍ବେ ପୁଣ୍ୟ କରି । ସୁମନେ ମନାଇଁ ନାହିଁ ଶଙ୍କରୀ ଗୋ ।
ହେବ କି କରି ତାଙ୍କ କିଙ୍କରୀ । ସଜନୀ ଗୋ । ୧୦ ।

ଚାହିଁ ମୁଖ ଦରପଣେ । ବିଚାରଇ ହେଲେ ମୋ ପରି ପଣେ ଗୋ।
ଶୋଭା ନ ଦିଶିବେ ଦାସୀପଣେ । ସଜନୀ ଗୋ । ୧୧ ।

ମୁରଲୀ ମୁଖ ସୁନ୍ଦର । ଡୋଳା ଖେଳାଇବା ଭଙ୍ଗୀ ହୁନ୍ଦର ଗୋ ।
ଜାତସ୍ଥଳ ସେ ତ ଅନନ୍ଦର । ସଜନୀ ଗୋ । ୧୨ ।

ସ୍ମିତ ରଙ୍ଗିମା ଅଧରେ । ତ୍ରିଭଙ୍ଗୀ ଛନ୍ଦରେ ମୁରଲୀ ଧରେ ଗୋ ।
ନାହିଁ ସେ ଶୋଭା ଅଧ ଊର୍ଦ୍ଧ୍ବରେ। ସଜନୀ ଗୋ । ୧୩ ।

ଅଳକାବୃତ ଲପନ । ବେଳେ ବେଳେ କରିଦିଏ କମ୍ପନ ଗୋ ।
ଦେଖି ନ ଦେଖିବ କେ ସ୍ବପନ । ସଜନୀ ଗୋ । ୧୪ ।

ମକରକୁଣ୍ଡଳ ଗତି । ଶ୍ରୁତିରେ ଆଗମ୍ଯ ଶ୍ରୁତି ସଙ୍ଗତି ଗୋ ।
ଦେଖି ନେତ୍ର ପାଇଯାଏ ଗତି । ସଜନୀ ଗୋ । ୧୫ ।

ଗୁଞ୍ଜ ଗୁଞ୍ଜରା ଖଞ୍ଜିତ। ଗୋଟା ମଲ୍ଲୀବେଢ଼ା ଚୂଡ଼ା ରଞ୍ଜିତ ଗୋ ।
କେକୀପିଚ୍ଛ ତହିଁ ବିରାଜିତ । ସଜନୀ ଗୋ । ୧୬ ।

ଜାମୁଡାଳ ଖୋଷିବାର । କିଅପତ୍ରୀ ବେଢ଼ ତହିଁ ଦେବାର ଗୋ ।
ଦମ୍ଭନାଶନ ସେ ତ ଯୁବାର। ସଜନୀ ଗୋ । ୧୭ ।