ଅବକାଶଚିନ୍ତା/ରେଳ ଉପରେ ଚିଲିକା ଦର୍ଶନ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ରେଳ ଉପରେ ଚିଲିକା-ଦର୍ଶନ

           
ରହ ରହ କ୍ଷଣେ ବାଷ୍ପୀୟଶକଟ,
ଦେଖିବି ଚିଲିକା ଚାରୁ ଚିତ୍ରପଟ ।
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,
ବାସ୍ତବ ବିଶ୍ଵେ କି ଏ ଛବି ସମ୍ଭବ ?
ନୀଳ ବୀଚିମାଳା ଧୀରେ ଧୀରେ ଯାଏ,
ଲାଗଇ ସ୍ଵପନେ ଦେଖିଲା ପରାଏ ।
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,
ଓଲଟିଣ ତଳେ ଦିଶନ୍ତି ଯୁଗଳ ।
ଘୋର ନାଦେ ଯହୁଁ ଉଠିଲେ ସେ ନଭେ,
ଉଠେ ଶତ ଖଗ ଚିଲିକା-ଗରଭେ ।
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,
ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।
ଦୂରେ ଘେନିଯାଏ ନିଦାରୁଣ ଯାନ,
ଆସେ ପୁଣି ତରୁ ଶିଳା ବ୍ୟବଧାନ ।
ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ଵପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।
କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ,
କାହିଁ ବା ଧୂସର କାହିଁବା ଧବଳ ।
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,
ପ୍ରକାଶି ଚିଲିକା କରୁ କେତେ ମାୟା ।
ଦେବୀ ବୀଣାପାଣି ଶାଶ୍ଵତ ସେବକ
କବି ରାଧାନାଥ ସୁଷମା-ଗ୍ରାହକ,
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ,
ବହୁ ନଦୀ ମରୁ କାନନ ପର୍ବତେ,
ଦେଖିଲେ ପ୍ରକୃତି ବିବିଧ ପ୍ରକାଶ
କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ ।
ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ
ନ ପାଇଲେ ଯଥା ମିଳେ ତୋହଠାରେ ।
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି,
ସାରସ୍ଵତ ନେତ୍ରେ ବାଛି ତହୁଁ ମଣି ।
ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର
ଅର୍ପିଲେ ଉତ୍କଳ ଭାରତୀ ଗଳାର,
ଚିରଦିନ ତାହା ରାଜିବ ରୁଚିର,
ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର ।
ମୁଁ ଅଧମ ମୋର ଭାବୁକତା ନାହିଁ
ତଥାପି ଏ ପ୍ରାଣ କେ ଜାଣେ କିପାଇଁ
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,
ତେଣୁ ଭାବିଥିଲି ଆସି ତୋର କୂଳେ
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,
କର୍ମ-ବନ୍ଧେ ଥିଲା ମନ କଥା ମନେ,
ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ,
ଆହା ସେ ସୁଯୋଗ ହେଲା କାହିଁ ଭୋଗ !
ରହିଣ ଜଞ୍ଜାଳ ବିଷମ ଜଗତେ,
ସଂସାରୀ ସୋଦର ବାନ୍ଧବ ସଙ୍ଗତେ ।
ଇଚ୍ଛାମତେ କାହୁଁ ଚଳିବ ବା ଜନ ?
ସମାଜେ ନିଜର ନୁହେଁ ନିଜ ମନ ।
ବସି କେତେଥର ନୀରବ ବିଜନେ
ଦେଖିଛି ତୋ ରୂପ କଳ୍ପନା-ନୟନେ ।
ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର,
ଅନୁପମ ଦିବ୍ୟ ହିରଣ୍ମୟ କର ।
ଚାରୁ ଶକ୍ରଚାପ ତୋର ବକ୍ଷସ୍ଥଳେ,
ନାଚେ ଶତ ଶତ ମୋ କଳ୍ପନା ବଳେ ।
କଳ୍ପନା ଚିତ୍ରିତ ତୋ ସୁନ୍ଦର ତନୁ,
କାଳେ କାଳେ ଆଉ ନ ଯିବ ମୋ ମନୁ ।
ଆଜି ଲୋ ଚିଲିକା କଳ୍ପନା ପ୍ରଭାବେ
ପୂରଇ ମୋ ମନ ଆହା କେତେ ଭାବେ ।
ଅତୀତର ସୁଖ ସ୍ମୃତି ସମୁଚ୍ଚୟ,
ହର୍ଷ-ଖେଦେ କରେ ଆକୁଳ ହୃଦୟ ।
ତୋ ମଧୁର ନାମେ ରହିଛି ଜଡ଼ିତ,
ଗଉରବାନ୍ଵିତ ଉତ୍କଳ-ଅତୀତ ।
କାହିଁ ଉତ୍କଳର ସେ ସୁକୃତରାଶି ?
ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି,
ନିଜେ ନିରଞ୍ଜନ ଜଗତ-ଈଶ୍ଵର,
ଧରିଣ ସୈନିକ ନର କଳେବର,
ଉତ୍କଳର ଯଶଃ ପ୍ରତିଷ୍ଠା ରକ୍ଷଣେ,
ବିଜେ କଲେ ଘୋର ସମର-ପ୍ରାଙ୍ଗଣେ ।
କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ
ପବିତ୍ର ଉତ୍କଳ ଆଜି କି ବିକୃତ ?
ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ
ହରାଇଛି ସବୁ କର୍ମ-ଧର୍ମ-ବଳ ।
ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି,
ହୃଦୟେ ସ୍ଵର୍ଗୀୟ ଧର୍ମଜାତ ଶାନ୍ତି ।
ଜୀବନେ ପବିତ୍ର ଉତ୍ସାହ ଶକତି,
ଉତ୍କଳର ଆହା କି ଘୋର ଦୁର୍ଗତି !
କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ?
କାହିଁ ସେ ନାବିକ କର୍କଶ ସଙ୍ଗୀତ ?
ଜଳପଥେ କାହିଁ ବିଦେଶ ଗମନ ?
କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?
କଥାରେ ରହିଛି ସବୁ ଆଜିଯାଏ,
ସାଧବାଣୀ ବୋହୂ ବୋଇତ ବନ୍ଦାଏ ।
କଙ୍କରିତ ତୋର ଦୃଢ଼ ରମ୍ୟ ତଟ,
ଦୁର୍ଗମ ଶଇଳ ଅଭେଦ୍ୟ ସଙ୍କଟ ।
ଖେଳାଉଥିଲେ ଯେ ଧରି ନିଜ ଦେହେ,
ଉତ୍କଳର କେତେ ବୀର ଶିଶୁ ସ୍ନେହେ ।
ଅଛି ସେହି ଗିରି ଅଛି ସେ ବିପିନ,
ଅଛି ତୋର ଶିଳା ସୁଦୃଢ଼ ପୁଳିନ ।
କିନ୍ତୁ କାହିଁ ଆହା ଏବେ ସେ ବୀରତା ?
ଓଡ଼ିଆ ଜାତିର ପୂର୍ବ ଜାତୀୟତା ?