ଶ୍ରୀ ଜଗନ୍ନାଥ/ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

ଉଇକିପାଠାଗାର‌ରୁ
ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ।

କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ ।

ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା-ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ ।

ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ-ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ ।

ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ

କରନ୍ତି । ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇଥିବେ ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇଥିବ, ଏ କଥା ସ୍ୱୀକାର କରିବାକୁ ପଡ଼ିବ । ପ୍ରଫେସର ମହାନ୍ତି ବିଶ୍ୱାସ କରନ୍ତି ଯେ, ଏହି ପ୍ରାଚୀନ ନାମଟି 'ପୁରୀ' । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ । ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ବ୍ୟବହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି । କିନ୍ତୁ ଅନ୍ୟ ଜଣେ ବିଦ୍ୱାନ ଗବେଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ 'ପୁରୁଷୋତ୍ତମ-ପୁରୀ' ବା 'ଜଗନ୍ନାଥ-ପୁରୀ'ର ସଂକ୍ଷିପ୍ତ ରୂପ 'ପୁରୀ' ହୋଇଛି ।

ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ ଉତ୍କଳର ବାଣିଜ୍ୟ ସଂପର୍କ ରହିଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଭାରତୀୟ ସାଧବମାନେ ଏହି ଦ୍ୱୀପରେ ପହଞ୍ଚିଯାଇଥିଲେ । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଇଥିଲେ । ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ବାଲିଦ୍ୱୀପରେ ଲୋକମାନେ ମନ୍ଦିରକୁ 'ପୁର' କହନ୍ତି । ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର 'ପୁରବୈଶାଖୀ' ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି 'ପ୍ରାସାଦ' କୁହାଯାଏ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ 'ପୁର' କୁହାଯାଉଥିଲା । କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳ 'ପୁରୀ' ନାମରେ ବିଖ୍ୟାତ ହେଲା ।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାବ୍ୟରେ ପୁରୀର ଶ୍ରୀମନ୍ଦିରକୁ 'ପ୍ରାସାଦ' କୁହାଯାଇଛି ।

"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।"

ଜୀବଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା 'ଉତ୍ସାହବତୀ ରୂପକ'ରେ ଲେଖିଛନ୍ତି-"ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ।" ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବଙ୍କ ପ୍ରଦତ୍ତ ଏକ ଅଭିଲେଖରେ 'ପ୍ରାସାଦ ପୁରୁଷୋତ୍ତମସ୍ୟ' ବୋଲି ଉଲ୍ଲେଖ ଅଛି ।

ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିବରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା 'ଶ୍ରୀକ୍ଷେତ୍ର' । ଉତ୍କଳର ଉପନିବେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ଦୁଇଶହରେ ଉତ୍କଳୀୟମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । 'ପ୍ରୋମ୍‍' ନାମଟି ହୁଏତ 'ପୁରମ୍‍' (ପୁର) ଶବ୍ଦରୁ ସୃଷ୍ଟି ହୋଇଥିବ ।

ପୁରାଣରେ ଶ୍ରୀକ୍ଷେତ୍ର

କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍‌ଧ ହୋଇ ନାହିଁ। ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ କଷ୍ଟସାଧ୍ୟ ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।

ଅଗ୍ନି ପୁରାଣ (ଖ୍ରୀଷ୍ଟାବ୍ଦ ୭୦୦-୯୦୦)
ବ୍ରହ୍ମ ପୁରାଣ (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
ପଦ୍ମ ପୁରାଣ (ଉତ୍ତର ଖଣ୍ଡ) (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
(ମତାନ୍ତରେ ୯୫୦-୧୪୦୦)
ନାରଦୀୟ ପୁରାଣ (ଖ୍ରୀଷ୍ଟାବ୍ଦ ୬୦୦-୭୦୦)
ମତ୍ସ୍ୟ ପୁରାଣ (ଖ୍ରୀଷ୍ଟାବ୍ଦ ୨୦୦-୪୦୦)
(ମତାନ୍ତରେ ୪୦୦-୧୨୫୦)
ସ୍କନ୍ଦ ପୁରାଣ (ବୈଷ୍ଣବ ଖଣ୍ଡ) (ଖ୍ରୀଷ୍ଟାବ୍ଦ ୮୦୦-୯୦୦)
(ମତାନ୍ତରେ ୮୦୦-୧୩୦୦)
କପିଳ ପୁରାଣ/ କପିଳ ସଂହିତା (ଖ୍ରୀଷ୍ଟାବ୍ଦ ୧୩୦୦)
ବ୍ରହ୍ମାଣ୍ଡ ପୁରାଣ (ଖ୍ରୀଷ୍ଟାବ୍ଦ ୫୦୦-୬୦୦)

ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି।

ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର ବର୍ଣ୍ଣନା ଅଛି। କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁରୁଷୋତ୍ତମ କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର

ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି । ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ । ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି । ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ । ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ ବିଭୀଷଣକୁ ଉପଦେଶ ଦେଇଛନ୍ତି ।

"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ
ଆରାଧୟ ଜଗନ୍ନାଥମିକ୍ଷାକୁ କୁଳଦୈବତମ୍‍ ।"

ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।

ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିଥିବା ଏବଂ ଏକ ପବିତ୍ର ବେଦୀ ରହିଥିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ ବେଦୀ ଆରୋହଣ କରିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀ ଥିବା ଅଞ୍ଚଳ ଏବର ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିଥିବା କଥା ଯାହା ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।

ଋଗ୍‍ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;

"ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍‍ ।
ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍‍ ।।
(୧୦-୧୫୫:୩)


ଅର୍ଥାତ୍‍, ହେ ଦୁର୍ଭିିକ୍ଷରୁ ନିବାରଣ ଚାହୁଁଥିବା ମଣିଷଗଣ । ଏହି ଯେଉଁ କାଷ୍ଠମୟୀ ନୌକା, ସମୁଦ୍ର ବା ନଦୀକୁ ପାରି ହେବାପାଇଁ ବିନା କୌଣସି ମଣିଷଦ୍ୱାରା ଜଳ ଉପରେ ବିଦ୍ୟମାନ ଅଛି, ତାକୁ ଅବଲମ୍ବନ କର । ତା' ମାଧ୍ୟମରେ ଦୂରଦେଶ ବା ଦ୍ୱୀପକୁ ଚାଲିଯାଅ । ଏହାକୁ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- "ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ ଦେବତା ଶରୀର ଜଳ ଉପରେ ଭାସୁଛି । ନିର୍ମାଣ ରହିତ ଯୋଗୁଁ ସେ ଅପୌରୁଷ । ଏହି ଦାରୁମୟ ଦେବତାଙ୍କୁ ଉପାସନା କରିବା ଲୋକ ବୈଷ୍ଣବ ଲୋକକୁ ଗମନ କରନ୍ତି ।" ପରବର୍ତ୍ତୀ କାଳରେ ଉପରୋକ୍ତ ମନ୍ତ୍ରଟି ସ୍କନ୍ଦ ପୁରାଣରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି:

"ଅହୋ ତବାୟଂଖଳୁ ଭାଗ୍ୟରାଶି
ର୍ଯେନା ବିରାସୀଦ୍‍ଭୁ ବି ଦାରୁ ମୂର୍ତ୍ତିି
ଯସ୍ୟାପ୍ୟୁପାସ୍ତିଂ ଶ୍ରୁତିରାହ ମୁକ୍ତି
ପ୍ରଦାନ ମାସ୍ୱଜ୍ଞ ବିମୋହିତ ନାମ
ଯ(ସ) ଏଷ ପ୍ଳବତେ ଦାରୁଃ-ସିନ୍ଧୁପାରେ ହ୍ୟୁ ପୌରୁଷଃ
ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭମ୍‍ ।" (୨୧ ଅଧ୍ୟାୟ)


ଅର୍ଥାତ୍‍ ହେ ନରପତି ! ତୁମର ଭାଗ୍ୟରାଶି ଅତି ଆଶ୍ଚର୍ଯ୍ୟ । ପୁରୁଷୋତ୍ତମ ଭଗବାନ ଜଗତରେ ଦାରୁମୂର୍ତ୍ତିି ଧାରଣ କରି ଆବିର୍ଭୂତ ହୋଇଥିଲେ । ଶ୍ରୁତି (ବେଦ)ରେ କୁହାଯାଇଛି ,ଏହାଙ୍କୁ ଉପାସନା କଲେ ଆତ୍ମଜ୍ଞାନ ବିମୋହିତ ବ୍ୟକ୍ତିମାନଙ୍କର ମଧ୍ୟ ମୋକ୍ଷ ଲାଭ ହୁଏ । (ଶ୍ରୁତି ବର୍ଣ୍ଣିିତ) ସେହି ଅପୌରୁଷେୟ ଦାରୁ ସମୁଦ୍ରତୀରରେ ଭାସମାନ ହେଉଛନ୍ତି । ଏ ଦୁରାରାଧ୍ୟ । ଏହାଙ୍କୁ ଉପାସନା କଲେ ଦୁର୍ଲଭ ମୁକ୍ତି ପ୍ରାପ୍ତ ହୁଏ ।

ଋଗ୍‌ବେଦର ଉଲ୍ଲିଖିତ ମନ୍ତ୍ର ସହିତ ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ସଂପର୍କ ନାହିଁ ବୋଲି କହିଛନ୍ତି ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ନାୟକ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ଉମେଶ ପତ୍ରୀ, ସଚ୍ଚିଦାନନ୍ଦ ମିଶ୍ର ଓ ଟି.ଏନ୍‍ ଧର୍ମାଧିକାରୀ ପ୍ରମୁଖ । ଡକ୍ଟର ରାଜଗୁରୁ ଲେଖିଛନ୍ତି- "ଭୁଲରେ ଏହି ସୂତ୍ରଟି ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ପ୍ରତି ପ୍ରଯୁଜ୍ୟ କରି ନିଜେ ମଧ୍ୟ ତାହା ସନ୍ଦେହ କରିଥିବା ତାଙ୍କ (ସାୟଣାଚାର୍ଯ୍ୟଙ୍କ) ଭାଷ୍ୟରୁ ଜଣାଯାଏ । କାରଣ ଶଂସିତ ବୈଦିକ ସୂତ୍ରଟି ଅନ୍ୟ ପ୍ରସଙ୍ଗର ଅର୍ଥବୋଧ କରୁଛି ।" ଡକ୍ଟର ପତ୍ରୀ କହନ୍ତି- "ପ୍ରକୃତରେ ଋଗ୍‌ବେଦର ସେହି ମନ୍ତ୍ରଟି କ'ଣ ଶ୍ରୀଜଗନ୍ନାଥଙ୍କୁ ପ୍ରତିପାଦନ କରୁଛି ? ଏହି ଅଲକ୍ଷ୍ମୀ ସୂକ୍ତରେ ପାଞ୍ଚଟି ମନ୍ତ୍ର ଅନୁଷ୍ଟୁପ ଛନ୍ଦରେ ପରସ୍ପର ସହିତ ଛନ୍ଦାୟିତ ହୋଇ ସଂରଚିତ ହୋଇଛି । ପୂର୍ବାପର ସଂପର୍କକୁ ନ ଜାଣିଲେ କେବଳ ଗୋଟିଏ

ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ।" 'ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଥଙ୍କ ଦାରୁମୂର୍ତ୍ତିି ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ । ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁଥିବା ଗୋଟିଏ ଦାରୁ ବା କାଷ୍ଠ ଉପରେ ବସି ଅନ୍ୟତ୍ର ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ କରୁଥାନ୍ତି, ତେବେ ସେ ଋଗ୍‍ ବେଦ ଦଶମ ମଣ୍ଡଳର୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ଥର ଜପ କରନ୍ତୁ । ଏହି ଜପ ପୂର୍ବରୁ ଓ ପରେ ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଆବଶ୍ୟକ । (ଯୁଗଶକ୍ତି ଗାୟତ୍ରୀ,ଜାନୁଆରି,୨୦୦୫)

ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ 'ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: 'ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍‍ । ସର୍ବ ବୁଦ୍ଧମୟଂସିଦ୍ଧି ବ୍ୟାପିନଂ ଗଗନୋପମମ୍‍ ।।" (୧/୧)। ଏହି ଗ୍ରନ୍ଥର ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ବଳକ (ଏବର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତଥା ଗବେଷକ ମତ ଦିଅନ୍ତି ଯେ, ଏଥିରେ ପ୍ରଥମଥରପାଇଁ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କୁ ବୁଝାଉ ଅଛି । ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ଯଥାକ୍ରମେ ବୁଦ୍ଧ ଓ ଜୀନନାଥ ମନେକରନ୍ତି ।

ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ଥିବା କଥା ମୁରାରି କବିଙ୍କ 'ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି । କିନ୍ତୁ ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି । ପ୍ରଫେସର ସାହୁ ଆହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ ପୁରୀଠାରେ ପୁରୁଷୋତ୍ତମ ଜଗନ୍ନାଥଙ୍କର ଏକ ମନ୍ଦିର ଥିବା କଥା ପ୍ରାଚୀନ ଗ୍ରନ୍ଥ ଓ ଅଭିଲେଖଗୁଡ଼ିକରୁ ଜଣାଯାଏ । ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ । 'ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶ୍ରଙ୍କ ରଚିତ 'ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ । 'ଭାସ୍ୱତି' ଓ 'କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯଥାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ । 'ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ।

ଓଡ଼ିଆ ସାହିତ୍ୟରେ ଆଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରଥମ କରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପରବର୍ତ୍ତୀ 'ପଞ୍ଚସଖା' ସାହିତ୍ୟରେ ଅର୍ଥାତ୍‍ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚ୍ୟୁତ ଓ ଅନନ୍ତ ଦାସଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ।

ପଣ୍ଡିତ ନୀଳମଣି ମିଶ୍ର ଲେଖିଛନ୍ତି, ଆଦିମ ଯୁଗର 'ଦାରୁ ଦେବତା' ହିଁ ପରବର୍ତ୍ତୀ କାଳରେ

ଶ୍ରୀଜଗନ୍ନାଥ ନାମରେ ରୂପାୟିତ ହୋଇଛନ୍ତି । ଏହି ବିଗ୍ରହଙ୍କ ପ୍ରଶସ୍ତି ଇନ୍ଦ୍ରଭୂତିଙ୍କ ପ୍ରଣୀତ ଜ୍ଞାନସିଦ୍ଧି, ମୁରାରିଙ୍କ ଅନର୍ଘରାଘବ, ଶତାନନ୍ଦଙ୍କ ରତ୍ନମାଳା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ତୋତ୍ର ଆଦି ପ୍ରାଚୀନ ଗ୍ରନ୍ଥ ତଥା ସ୍ତୁତି ସ୍ତୋତ୍ରରେ ଦେଖିବାକୁ ମିଳେ । ତେଣୁ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥ ବିଶ୍ୱବିଶ୍ରୁତ ବିଗ୍ରହ ରୂପେ ପ୍ରତିଷ୍ଠା ଲାଭ କରିସାରିଥିଲେ ।

ଶିଳାଲିପି ଓ ତାମ୍ରପତ୍ର ଲିପିରେ ଶ୍ରୀକ୍ଷେତ୍ର ଓ ପୁରୁଷୋତ୍ତମ-ଜଗନ୍ନାଥ

ନିମ୍ନଲିଖିତ ଅଭିଲେଖମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଊଣା ଅଧିକେ ସୂଚନା ମିଳେ ।

ନାଗପୁର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୧୦୪)
ଗୋବିନ୍ଦପୁର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୧୩୭)
ଲିଙ୍ଗରାଜ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୨୩୦-୩୮)
ଶ୍ରୀକୂର୍ମ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୩୧୦)
ରାଜା ନରସିଂହଦେବଙ୍କ କପିଳାସ ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୨୩୮-୬୪)
ଶୁଭକର ଦେବଙ୍କ ନେଉଳପୁର ଶିଳାଲିପି (ଖ୍ରୀଷ୍ଟାବ୍ଦ ୭୮୦-୮୦୦)
(ମତାନ୍ତରେ ଏକାଦଶ ଶତାବ୍ଦୀ)
ସତାନା (ମଧ୍ୟପ୍ରଦେଶ) ଶିଳାଲିପି (ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ)
(ମତାନ୍ତରେ ଏକାଦଶ ଶତାବ୍ଦୀ)
ବରମଦେବ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୮୪୦-୧୦୮୮)
ସୀମାଚଳ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୩୧୯)
ପୁରୀର ନୃସିଂହ ମନ୍ଦିର, ମାର୍କଣ୍ଡେଶ୍ୱର ଓ
ପାତାଳେଶ୍ୱର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୧୧୩-୧୨୩୮)
ନାଗରୀ ତାମ୍ରପତ୍ର (ରାଜା ଅନଙ୍ଗଭୀମଦେବ-୩ୟ) ଖ୍ରୀଷ୍ଟାବ୍ଦ ୧୨୩୦
ଦ୍ରାକ୍ଷାରାମ ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୨୧୬)
ଦାସଗୋବା ତାମ୍ରପତ୍ର (ଖ୍ରୀଷ୍ଟାବ୍ଦ୧୧୯୨-୧୨୧୧)
ଅସନଖଲି ତାମ୍ରପତ୍ର (ଖ୍ରୀଷ୍ଟାବ୍ଦ ୧୩୩୭)
ପୁରୀର ପଞ୍ଜାବୀ ମଠରେ ଥିବା
୨ୟ ଭାନୁଦେବଙ୍କ ତାମ୍ରପତ୍ର ଅନୁଶାସନ (ଖ୍ରୀଷ୍ଟାବ୍ଦ ୧୩୧୧)
ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ

ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ବିଶ୍ୱାସ କରାଯାଏ । ଏହା ସାଧାରଣ ଭାବେ ସ୍ୱୀକୃତ । କେତେଜଣ ବିଦ୍ୱାନ ମତ ଦିଅନ୍ତି ଯେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ଅନଙ୍ଗଭୀମଦେବ(୩ୟ)ଙ୍କ ସମୟରେ ତାହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଷ୍ଟର୍ଲିିଙ୍ଗ୍‍ ତାଙ୍କର ଓଡ଼ିଶା ଇତିହାସରେ ଲେଖିଛନ୍ତି ଯେ, ଅନଙ୍ଗଭୀମଦେବ (୩ୟ) ଖ୍ରୀଷ୍ଟାବ୍ଦ ୧୧୯୬ରେ ମନ୍ଦିର ନିର୍ମାଣ କରିଥିଲେ । ହଣ୍ଟରଙ୍କ ମତରେ ମନ୍ଦିର ନିର୍ମାଣ ଖ୍ରୀଷ୍ଟାବ୍ଦ ୧୧୭୪ରେ ଆରମ୍ଭ ହୋଇ ୧୧୯୮ରେ ଶେଷ ହେଲା । ଆର୍‍. ଡି. ବାନାର୍ଜିଙ୍କ ମତରେ ଏକାଦଶ ଶତାବ୍ଦୀର ଶେଷ ଭାଗରେ ଚୋଡ଼ଗଙ୍ଗ ଦେବ ମନ୍ଦିର ନିର୍ମାଣ କରିଥିଲେ । ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠ ଲେଖିଛନ୍ତି ଯେ, ଖ୍ରୀଷ୍ଟାବ୍ଦ ୧୧୯୬ରେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କରିଥିଲେ । ମାଦଳାପାଞ୍ଜି (ସଂପାଦନା- ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି)ରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେବ ମନ୍ଦିର ନିର୍ମାଣ କରିଥିଲେ । ଇତିହାସ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କ ମତରେ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇଥିଲା ଓ ସେଥିରେ ବିଗ୍ରହମାନଙ୍କୁ ଖ୍ରୀଷ୍ଟାବ୍ଦ ୧୧୨୪-୨୫ରେ ସ୍ଥାପନା କରାଯାଇଥିଲା ।

ବିଶିଷ୍ଟ ଗବେଷକ ତଥା ଶିଳାଲେଖବିତ୍‍ ଡକ୍ଟରର ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ଯେ ଶ୍ରୀକ୍ଷେତ୍ରର ସମୁଦ୍ରତଟରେ ଏକ ପୁରୁଷୋତ୍ତମ ମନ୍ଦିର ଥିଲା । କୌଣସି କାରଣରୁ ଏହି ମନ୍ଦିର ଭାଙ୍ଗିପଡ଼ିବାରୁ ଏହାର ଦେବତାଙ୍କୁ ରାଜା ଯଯାତି (୨ୟ)ଙ୍କ ଦ୍ୱାରା ନିର୍ମିତ ଏକ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା । ଯଯାତିକେଶରୀଙ୍କ ଉକ୍ତ ମନ୍ଦିରଟି ହେଉଛି ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ଭିତରବେଢ଼ାର ଦକ୍ଷିଣ ପାର୍ଶ୍ୱରେ ଥିବା ନୃସିଂହଦେବଙ୍କ ମନ୍ଦିର । ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମିତ ଏହି ବିଷ୍ଣୁ ମନ୍ଦିରରେ ଚତୁର୍ଭୁଜ ବିଶିଷ୍ଟ ଶ୍ରୀପୁରୁଷୋତ୍ତମଙ୍କର ବିଗ୍ରହ ସ୍ଥାପନ କରାଯାଇଥିବା ସମ୍ଭବ । ଏହି ବିଗ୍ରହ ନୀଳ ପ୍ରସ୍ତରରେ ନିର୍ମିତ ହୋଇଥିଲା ।

ରାଜା ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ମନ୍ଦିର ନିର୍ମାଣ ଯଦିଓ ପ୍ରାଥମିକ ସ୍ତରରେ ଶେଷ ହୋଇସାରିଥିଲା, ବହୁକାଳ ପର୍ଯ୍ୟନ୍ତ ସେଥିରେ କାରୁକାର୍ଯ୍ୟ ଶେଷ ହୋଇ ପାରି ନଥିଲା । ଖ୍ରୀଷ୍ଟାବ୍ଦ ୧୨୩୦ରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ସେଥିରେ ପ୍ରତିଷ୍ଠିତ ବିଗ୍ରହମାନଙ୍କୁ ଅନଙ୍ଗଭୀମଦେବ (୩ୟ) ସମ୍ପନ୍ନ କରିଥିଲେ । ଯାଗଯଜ୍ଞରେ ପ୍ରଥମେ ନୃସିଂହଙ୍କ ପ୍ରତିମା ସ୍ଥାପନ କରି ତାଙ୍କରି ପୂଜା ସମ୍ପନ୍ନ କରିବା ବିଧି ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି । ସେହି ନୃସିଂହଙ୍କ ବିଗ୍ରହକୁ ଯଜ୍ଞ ନୃସିଂହ ନାମରେ ପରିଚିତ କରାଯାଏ । ବୋଧହୁଏ ଶ୍ରୀମନ୍ଦିର ପ୍ରତିଷ୍ଠାପାଇଁ ଯଜ୍ଞ ନୃସିଂହ ପୂଜିତ ହୋଇଥିଲେ; ତାଙ୍କୁ ନୃସିଂହ ମନ୍ଦିରରେ ସ୍ଥାପନ କରିଥିବାରୁ ସେହି ମନ୍ଦିର ପରବର୍ତ୍ତୀ ୧୩ଶ ଶତାବ୍ଦୀ ବେଳକୁ ନୃସିଂହଙ୍କ ନାମରେ ପରିଚିତ ହେଲା । ଏଣୁ ମହାରାଜା ଯଯାତିଙ୍କ ରାଜତ୍ୱ କାଳରେ ଏକାଦଶ ଶତାବ୍ଦୀର

ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ଥାତ୍‍ ପ୍ରାୟ ଦୁଇଶହ ବର୍ଷ ପରେ 'ନୃସିଂହ ମନ୍ଦିର'ରେ ପରିଣତ ହୋଇଥିବା ସୁନିଶ୍ଚିତ ('ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର' ପ୍ରବନ୍ଧ) । ଅନଙ୍ଗଭୀମ ଦେବଙ୍କ ନଗରୀ-ତାମ୍ରଶାସନରୁ ଜଣାଯାଏ ଯେ, କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ଚନ୍ଦ୍ରକର ଶର୍ମାଙ୍କୁ ଏହି ପ୍ରତିଷ୍ଠା କର୍ମରେ ଆଚାର୍ଯ୍ୟ ରୂପେ ବରଣ କରାଯାଇଥିଲା ।

ଡକ୍ଟର ରାଜଗୁରୁ ଅନ୍ୟତ୍ର ଲେଖିଛନ୍ତି, ଚୋଡ଼ଗଙ୍ଗ ଦେବ ବଡ଼ ଦେଉଳ ନିର୍ମାଣ ପୂର୍ବରୁ ନୃସିଂହ ମନ୍ଦିରରେ ତିନି ମୂର୍ତ୍ତିି ଶ୍ରୀ ପୁରୁଷୋତ୍ତମ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପନକରିଥିଲେ । କିନ୍ତୁ ପୂର୍ବରୁ ସେହି କ୍ଷୁଦ୍ର ମନ୍ଦିରଟି ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେଥିର ଆକାର ପ୍ରକାରରୁ ଏହା ହିଁ ଜଣାଯାଇଛି । କିନ୍ତୁ କୌଣସି ଅଜ୍ଞାତ କାରଣରୁ ସେହି ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀପୁରୁଷୋତ୍ତମ ବିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ତତଃ ୧୧୩୭ ଖ୍ରୀଷ୍ଟାବ୍ଦ ଯାଏ ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା । ବଡ଼ ଦେଉଳ ନିର୍ମାଣ ନିମନ୍ତେ କର୍ମକାର କୁଳପୁତ୍ର ପଲ୍ଲ ନାମକ ଉତ୍କଳର ଜଣେ ଶିଳ୍ପୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏତେ ବଡ଼ ବ୍ୟୟବହୁଳ ମନ୍ଦିର ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ପୂର୍ଣ୍ଣ ହୋଇ ପାରି ନଥିବ ବୋଲି ରାଜଗୁରୁ ସନ୍ଦେହ ପ୍ରକାଶ କରିଛନ୍ତି । ('ଶ୍ରୀମନ୍ଦିର ଶିଳ୍ପ କଳାରେ ବୈଷ୍ଣବ ସଂସ୍କୃତି' ପ୍ରବନ୍ଧ)

ବିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁଙ୍କ ମତରେ, ବର୍ତ୍ତମାନର ନୃସିଂହ ମନ୍ଦିର ହେଉଛି ସମ୍ଭବତଃ ଦ୍ୱିତୀୟ ଯଯାତି ମହାଶିବ ଗୁପ୍ତ(ଖ୍ରୀ. ୧୦୨୩-୧୦୪୦) ନିର୍ମାଣ କରିଥିବା ପୁରୁଷୋତ୍ତମ-ନୃସିଂହ ମନ୍ଦିର । ପରବର୍ତ୍ତୀ କାଳରେ ନୃସିଂହ ମନ୍ଦିରର ସଂସ୍କାର ସାଧନ କରାଯାଇଛି ଏବଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ୱର ମନ୍ଦିରର ସଂସ୍କାର ସମୟରେ ବ୍ୟବହାର କରାଯାଇଛି । ପୁରୁଷୋତ୍ତମଙ୍କ ମନ୍ଦିର (ବଡ଼ଦେଉଳ) ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଆଂଶିକ ଭାବେ ନିର୍ମିତ ହୋଇଥିବା ଏବଂ ପରେ ତାହା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପରିସମାପ୍ତ ହେଲା ବୋଲି ଯେଉଁ ଅଭିମତ ପ୍ରକାଶ ପାଏ ତାହା ନିଶ୍ଚିତ ରୂପେ ଭ୍ରମାତ୍ମକ ('ପୁରୁଷୋତ୍ତମ ଉପାସନା' ପ୍ରବନ୍ଧ) ।

ଗବେଷକ ରବି ରାୟ ୧୯୯୩ ଖ୍ରୀଷ୍ଟାବ୍ଦରେ ଚୌଦ୍ୱାର ଅଞ୍ଚଳରୁ ଏକ ତାମ୍ରଲେଖ ଆବିଷ୍କାର କରିଥିଲେ । ଏହି ତାମ୍ରଲେଖ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବଙ୍କ ଦ୍ୱାରା ପ୍ରଦତ୍ତ । ଏହାକୁ ଭିତ୍ତି କରି ଗବେଷକ ରାୟ ଲେଖିଛନ୍ତି ଯେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଚୋଡ଼ଗଙ୍ଗଦେବ ନ ହୋଇ ପାରନ୍ତି । ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ବିଜୟର ବହୁ ପୂର୍ବରୁ ଏହି ଶ୍ରୀଜଗନ୍ନାଥ ମନ୍ଦିର ବିଦ୍ୟମାନ ଥିଲା । କିନ୍ତୁ ଐତିହାସିକ କୈଳାସ ଚନ୍ଦ୍ର ଦାଶ ତାମ୍ରଲେଖରେ ପ୍ରଦତ୍ତ ତଥ୍ୟ ଯଥେଷ୍ଟ ନୁହେଁ ଏବଂ ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର) ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିର୍ମିତ ହୋଇଥିଲା ବୋଲି ବହୁ ବିଶିଷ୍ଟ ଐତିହାସିକ ତଥା ଗବେଷକ ମତ ଦେଇଛନ୍ତି । ଏହି ମନ୍ଦିରର ଚାରିଟି ଭାଗ ରହିଛି ଯଥା- ବିମାନ, ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ । ବିମାନ (ଗର୍ଭଗୃହ) ଓ ମୁଖଶାଳା

ହିଁ ଚୋଡ଼ଗଙ୍ଗଦେବ ନିର୍ମାଣ କରାଇଥିଲେ । ନାଟମନ୍ଦିର ଏବେ ସାଧାରଣତଃ ଜଗମୋହନ ନାମରେ ପରିଚିତ । ନାଟ ମନ୍ଦିର(ଜଗମୋହନ)ଓ ଭୋଗମଣ୍ଡପ ଯଥାକ୍ରମେ ରାଜା ପୁରୁଷୋତ୍ତମ ଦେବ(ଖ୍ରୀଷ୍ଟାଦ୍ଦ ୧୪୬୮-୧୪୯୭) ଏବଂ ରାଜା ପ୍ରତାପରୁଦ୍ର ଦେବ (ଖ୍ରୀଷ୍ଟାଦ୍ଦ ୧୪୯୭-୧୫୩୩)ଙ୍କ ସମୟରେ ନିର୍ମାଣ କରାଯାଇଥିବା କଥା କୁହାଯାଇଛି । କିନ୍ତୁ 'ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି ଯେ,ପୁରୁଷୋତ୍ତମ ଦେବ ତାଙ୍କର ୭ମ ଅଙ୍କରେ ଭୋଗମଣ୍ଡପ ତୋଳାଇଲେ । ସେ ମଧ୍ୟ ନାଟମନ୍ଦିର ନିର୍ମାଣ କରିଥିବେ । ଏହି ରାଜା ଶ୍ରୀମନ୍ଦିରର ଭିତର ବେଢ଼ା (କୁରୁମ ବେଢ଼ା)ଗଢ଼ାଇଥିଲେ । ରାଜା କପିଳେନ୍ଦ୍ର ଦେବଙ୍କ ସମୟ(ଖ୍ରୀ ୧୪୩୫-୧୪୬୮)ରେ ୧୫ ଅଙ୍କରେ ବାହାର ବେଢ଼ା ଗଢ଼ାଯାଇଥିଲା ବୋଲି 'ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି।


ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ ଐତିହାସିକ ପ୍ରମାଣ ନାହିଁ ।