ଶ୍ରୀ ଜଗନ୍ନାଥ/ଶ୍ରୀଜଗନ୍ନାଥ ତ‌ତ୍ତ୍ୱ

ଉଇକିପାଠାଗାର ରୁ
Jump to navigation Jump to search
ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ଶ୍ରୀଜଗନ୍ନାଥ ତ‌ତ୍ତ୍ୱ
ShreeJagannath.pdf

ଶ୍ରୀଜଗନ୍ନାଥ ତତ୍ତ୍ୱ

ଶ୍ରୀମନ୍ଦିରର ଅଧିଷ୍ଠାତା ଦେବଦେବୀ ହେଉଛନ୍ତି- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଏହି ତିିନି ଦିଅଁ ତ୍ରିମୂର୍ତ୍ତିି ନାମରେ ପରିଚିତ । ଏହି ତ୍ରିମୂର୍ତ୍ତିିଙ୍କ ସହିତ ସୁଦର୍ଶନ ଠାକୁରଙ୍କୁ ମିଶାଇ ଚତୁର୍ଦ୍ଧାମୂର୍ତ୍ତିି କୁହାଯାଏ । ରତ୍ନବେଦୀ ବା ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିିଙ୍କ ସହିତ ଆଉ ତିିନିଟି କ୍ଷୁଦ୍ରକାୟ ମୂର୍ତ୍ତିି ବିରାଜମାନ କରିଛନ୍ତି । ସେମାନେ ହେଲେ- ଭୂଦେବୀ (ବିଶ୍ୱଧାତ୍ରୀ), ଶ୍ରୀଦେବୀ (ଲକ୍ଷ୍ମୀ) ଏବଂ ନୀଳମାଧବ । ଶ୍ରୀଦେବୀ ଓ ଭୂଦେବୀ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ବିଗ୍ରହ ଓ ଜଗନ୍ନାଥ ମହାପ୍ରଭୁଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ବିରାଜିତ । ନୀଳମାଧବ ମଧ୍ୟ ବାମ ପାର୍ଶ୍ୱରେ ବିରାଜିତ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଚାରିମୂର୍ତ୍ତିି ବା ଚତୁର୍ଦ୍ଧାମୂର୍ତ୍ତିି ଓ ନୀଳମାଧବ ହେଉଛନ୍ତି ଦାରୁମୂର୍ତ୍ତିି । ଏହି ସମସ୍ତ ମୂର୍ତ୍ତିିଙ୍କୁ ସପ୍ତମୂର୍ତ୍ତିି ବା 'ସପ୍ତାଭରଣ' କୁହାଯାଏ ।

ନୀଳମାଧବଙ୍କୁ 'ମାଧବ' ଓ 'ଶ୍ରୀବାଳପୁରୁଷୋତ୍ତମ ଦେବ' ମଧ୍ୟ କୁହାଯାଏ । ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ୱଲିପି ବା ରେକର୍ଡ-ଅଫ୍‍-ରାଇଟସ୍‌ରେ ଏପରି ଉଲ୍ଲେଖ ଅଛି (୧) । ବିଶ୍ୱଧାତ୍ରୀଙ୍କୁ ସରସ୍ୱତୀ କୁହାଯାଇଛି । ସ୍ୱତ୍ୱଲିପିରେ ରତ୍ନବେଦୀ (ପ୍ଲଟ୍‍ ନମ୍ୱର-୧) ସମ୍ପର୍କରେ ଉଲ୍ଲେଖ ଅଛି- "ଏହି ବେଦୀ ଉପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀ ବିରାଜମାନ । ଶ୍ରୀଜଗନ୍ନାଥଙ୍କ ବାମରେ ଲକ୍ଷ୍ମୀ, ସୁଦର୍ଶନ, ନୀଳମାଧବ ଓ ଦକ୍ଷିଣରେ ସରସ୍ୱତୀ ଦେବୀ ବିଦ୍ୟମାନ ।" ପ୍ରକୃତରେ 'ସରସ୍ୱତୀ' ନହୋଇ ଭୂଦେବୀ ହେବ । ନୀଳାଦ୍ରି ମହୋଦୟ ଓ ବାମଦେବସଂହିତା ଗ୍ରନ୍ଥରେ ଧରାଦେବୀ ବା ଭୂଦେବୀ କୁହାଯାଇଛି । ସ୍କନ୍ଦ ପୁରାଣରେ ମଧ୍ୟ ଭୂଦେବୀ ବୋଲି ସୂଚିତ । ତାଙ୍କର ଧ୍ୟାନ ଓ ପୂଜା, ସରସ୍ୱତୀଙ୍କ ଧ୍ୟାନ ଓ ପୂଜାଠାରୁ ଭିନ୍ନ । ସେ ଧରାଦେବୀ (ଭୂଦେବୀ) ବା ବିଶ୍ୱଧାତ୍ରୀ ଭାବରେ ବିଶ୍ୱଧାତ୍ରୀ ମନ୍ତ୍ରରେ ପୂଜା ପାଆନ୍ତି ।

ରତ୍ନବେଦୀର ଚତୁର୍ପାର୍ଶ୍ୱ ସ୍ଥାନ 'ଭିତର ପୋଖରିଆ' (ବା ପୋଖରିଆ) ନାମରେ ନାମିତ । ଏହି ଅଞ୍ଚଳ ଶ୍ରୀମନ୍ଦିରର ପ୍ଲଟ୍‍ ନମ୍ୱର-୨ ବୋଲି ସ୍ୱତ୍ୱଲିପିରେ ଲେଖାଅଛି ।

ବିଶ୍ୱାସ କରାଯାଏ ଯେ, ଶ୍ରୀଜଗନ୍ନାଥ କିମ୍ୱା ଚତୁର୍ଦ୍ଧାମୂର୍ତ୍ତିିଙ୍କ ସଂସ୍ଥାପନ ପୂର୍ବରୁ କେବଳ ନୀଳମାଧବ ହିଁ ଅଧିଷ୍ଠାତା ଦେବତା ଥିବାରୁ ଏବେ ମଧ୍ୟ ନୀଳମାଧବ ମୂର୍ତ୍ତିି ରତ୍ନବେଦୀରେ ସ୍ଥାନ ପାଉଛନ୍ତି । (ନୀଳ) ମାଧବ, ଜଗନ୍ନାଥଙ୍କର ଏକ କ୍ଷୁଦ୍ର ଆକୃତିର ମୂର୍ତ୍ତିି । ନୀଳାଦ୍ରି ମହୋଦୟରେ ଲେଖାଅଛି- "ପ୍ରଭୋଃ ସ୍ୱରୂପମ୍‍ ଭଜନ୍ମାଧବୋ ହ୍ରସ୍ୱରୂପକଃ" । (ଅର୍ଥାତ୍‍, ମାଧବ ଖୁବ୍‍ କ୍ଷୁଦ୍ରାକାର ହୋଇ ପ୍ରଭୁଙ୍କର ସ୍ୱରୂପ ଗ୍ରହଣ କରିଛନ୍ତି) । ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ନୀଳଗିରି ଅର୍ଥାତ୍‍


୧. Record of Rights - prepared under the Puri Shri Jagannath Temple (Administration) Act, 1952


ପୁରୁଷୋତ୍ତମ କ୍ଷେତ୍ର ବା ପ୍ରାଚୀନ ପୁରୀରେ ନୀଳମାଧବ ଓ ନୃସିଂହ ଠାକୁର ପୂଜା ପାଉଥିଲେ । ନୃସିଂହ ଠାକୁର ଏବେ ଶ୍ରୀମନ୍ଦିରର ଭିତର ବେଢ଼ାରେ ମୁକ୍ତିମଣ୍ଡପ ସଂଲଗ୍ନ ଏକ ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ । ଏହି ମନ୍ଦିର ଏବର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ପ୍ରାଚୀନ । ସ୍କନ୍ଦ ପୁରାଣ ଅନୁସାରେ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ନୀଳମାଧବ ବିଗ୍ରହ ଥିଲେ ଇନ୍ଦ୍ରୀଳମଣି ପ୍ରସ୍ତରିର୍ମିତ ଓ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ । ବର୍ତ୍ତମାନ ଶ୍ରୀମନ୍ଦିରର ରତ୍ନବେଦୀସ୍ଥିତ ମାଧବ ଅବିକଳ ଶ୍ରୀଜଗନ୍ନାଥଙ୍କ ଆକୃତିର କ୍ଷୁଦ୍ରମୂର୍ତ୍ତିି । ତେଣୁ ସେ ବାଳ ପୁରୁଷୋତ୍ତମ । ଶ୍ରୀଜଗନ୍ନାଥଙ୍କ ଅନ୍ୟ ନାମ ପୁରୁଷୋତ୍ତମ । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର କ୍ଷୁଦ୍ରମୂର୍ତ୍ତିି ରତ୍ନବେଦୀ ଉପରେ ସ୍ଥାପନା କରାଯାଇ ନଥିବାବେଳେ ପ୍ରଭୁ ଜଗନ୍ନାଥଙ୍କର ଏପରି କ୍ଷୁଦ୍ରମୂର୍ତ୍ତିି ସ୍ଥାପନାର ତାତ୍ତ୍ୱିକ ଅର୍ଥ ନିଶ୍ଚୟ ଅଛି । ରତ୍ନବେଦୀସ୍ଥ ଦେବଦେବୀମାନଙ୍କ ମଧ୍ୟରୁ କେବଳ ନୀଳମାଧବଙ୍କର ପୂଜା ନାହିଁ । ଅନ୍ୟ ଛଅଟି ବିଗ୍ରହଙ୍କର ପୂଜା କରାଯାଏ । ଜଣେ ପୂଜାପଣ୍ଡା ଶ୍ରୀବଳଭଦ୍ରଙ୍କୁ, ଜଣେ ଦେବୀ ସୁଭଦ୍ରାଙ୍କୁ ଓ ଆଉ ଜଣେ ଶ୍ରୀଜଗନ୍ନାଥଙ୍କୁ ପୂଜା କରନ୍ତି । ନୀଳମାଧବଙ୍କର ସ୍ୱତନ୍ତ୍ର ପୂଜା ନହେବାର କାରଣ ହେଲା, ସେ ଓ ଶ୍ରୀଜଗନ୍ନାଥ ସର୍ବସମ (identical) ବୋଲି ବିବେଚନା କରାଯାଏ । ଶ୍ରୀମନ୍ଦିରର ଦୁଇଟି ବିଶେଷ ନୀତି, ମା' ବିମଳାଙ୍କ ଷୋଡ଼ଶ ପୂଜାରେ ଦଶହରାରେ ଓ କାର୍ତ୍ତିିକ ପୂର୍ଣ୍ଣିିମାରେ ମାଧବ ସ୍ୱୟଂ ଜଗନ୍ନାଥଙ୍କ ସ୍ୱରୂପ ଅଂଶଗ୍ରହଣ କରନ୍ତି । ରଥଯାତ୍ରାରେ ମାଧବ ଯାଆନ୍ତି ନାହିଁ; ଶ୍ରୀମନ୍ଦିରରେ ରହିଥାନ୍ତି ଶ୍ରୀଜଗନ୍ନାଥଙ୍କ ସତ୍ତା ଭାବରେ ।

ଶ୍ରୀଜଗନ୍ନାଥ ତତ୍ତ୍ୱ ବୁଝିବା ଓ ବୁଝାଇବା ସହଜ ବା ସମ୍ଭବ ନୁହେଁ । ଏ ସମ୍ପର୍କରେ ଯାହା କହିଲେ ବି ସଂପୂର୍ଣ୍ଣ ଠିକ୍‍ ହେବନାହିଁ । ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ତାଙ୍କର ରହସ୍ୟକୁ ଭେଦ କରିପାରି ନାହାନ୍ତି । ତାଙ୍କର ତତ୍ତ୍ୱ ଜାଣିବାକୁ ଅଧ୍ୟୟନ କଲେ ସେ ଅଧିକ ରହସ୍ୟମୟ ମନେହୁଅନ୍ତି । 'ନେତି', 'ନେତି' (not this, not this) ହେଉଛି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଜଗନ୍ନାଥଙ୍କ ତତ୍ତ୍ୱର ସମୁଚିତ ବ୍ୟାଖ୍ୟାନ ।

Not this, not this, is an appropriate description of Brahman in as much as no better description can be given (Bruhadaranyaka Upanishad, 2.6.6)

ଶ୍ରୀଜଗନ୍ନାଥ ପ୍ରଥମେ ନୀଳମାଧବ ନାମରେ ବିଶ୍ୱାବସୁ ନାମକ ଜନୈକ ଶବର ରାଜାଙ୍କ ଦ୍ୱାରା ଗୋପନରେ ଅରଣ୍ୟରେ ପୂଜିତ ହେଉଥିଲେ ବୋଲି କେତେକ ପୁରାଣରେ କୁହାଯାଇଛି । ସେ ଥିଲେ ମୂଳତଃ ଆଦିବାସୀ (ଶବର) ଦେବତା । ଜଗନ୍ନାଥ ସଂସ୍କୃତିର ଜଣେ ପ୍ରସିଦ୍ଧ ଗବେଷକ ଡକ୍ଟରର ବେଣୀମାଧବ ପାଢ଼ୀ ଲେଖିଛନ୍ତି; "ଜଗନ୍ନାଥ ଶବ୍ଦଟି ମଧ୍ୟ ଯେପରି ପାଲି-ମୂଳ ନୁହେଁ ସେହିପରି ସଂସ୍କୃତ-ମୂଳ ବି ନୁହେଁ; ବରଂ ଏହାକୁ ଶାବର-ମୂଳ କହିବାରେ ଅଧିକ ଯୁକ୍ତି ରହିଛି । ମନେହୁଏ, ଏହା ଶାବର ଭାଷାରେ ବ୍ୟବହୃତ 'ଜଗନ୍ତ' ଶବ୍ଦର ସଂସ୍କୃତ ରୂପ । 'ଜଗନ୍ତ' ହେଉଛନ୍ତି ଶବର ଦେବତା । ଶାବର ବା ସୌରା ଭାଷାରେ 'କିତୁଙ୍ଗ' କହିଲେ 'ଦେବତା' । 'କିତୁଙ୍ଗ' ବୋଲି କୌଣସି ନିର୍ଦ୍ଦିଷ୍ଟ ଦେବତାଙ୍କ ନାମ ନାହିଁ । ଦେବତା ଶବ୍ଦ ଯେପରି ସାଧାରଣ ଅର୍ଥ ସୂଚକ 'କିତୁଙ୍ଗ' ମଧ୍ୟ ସେହିପରି ସାଧାରଣ ଅର୍ଥବାଚୀ । .....କିତୁଙ୍ଗ ସମସ୍ତ ଶବର ଜାତିର

ମୂଳ ଦେବତା ଓ ସେ ସମସ୍ତ ଶବର ଗୋଷ୍ଠୀ ସୃଷ୍ଟି କରିଛନ୍ତି ବୋଲି ସୌରାମାନେ କହନ୍ତି । ଯେଉଁ ବୃକ୍ଷକୁ ସେମାନେ 'ଜଗନ୍ତ' (କିତୁଙ୍ଗଙ୍କର ଏକ ବିଶେଷ ନାମ) ବୋଲି କହନ୍ତି, ସେହି ବୃକ୍ଷକୁ ଏପରିକି ସେ ଥିବା ଉଦ୍ୟାନ ଭିତର କୌଣସି ବୃକ୍ଷକୁ ସେମାନେ ଛେଦନ କରନ୍ତି ନାହିଁ । ଏଥିରୁ ମନେହୁଏ, ଯେଉଁ ବୃକ୍ଷ ବା ଦାରୁକୁ ସେମାନେ 'ଜଗନ୍ତ' ଆଖ୍ୟାରେ ପୂଜା କରୁଥିଲେ, ତାହା ପରବର୍ତ୍ତୀ 'ଜଗନ୍ନାଥ' ଶବ୍ଦର ମୂଳ ହୋଇଥାଇପାରେ (୨) ।" ଜଗନ୍ତ ବ୍ୟତୀତ ଶବରମାନେ ସେମାନଙ୍କର ପ୍ରସିଦ୍ଧ ଦେବତାଙ୍କୁ 'ଜଗାବୋଇ' ବୋଲି ଶ୍ରଦ୍ଧାରେ ଡାକିଥାନ୍ତି । 'ବୋଇ' ଶବ୍ଦର ଅର୍ଥ ଦେବତା । ଶବରମାନଙ୍କ ମଧ୍ୟରେ ଜଗନ୍ନାଥଙ୍କର ଆଉ ଏକ ନାମ ଥିଲା 'ଜଗାନାଏଲୋ' । ଅଷ୍ଟ୍ରିକ୍‍ (ଆଦିବାସୀ) ଗୋଷ୍ଠୀର ସଙ୍କେତବାଦ (Totemism)ରୁ ଜଣାଯାଏ ଯେ ସେମାନେ ମୁଖ୍ୟତଃ ବୃକ୍ଷକୁ ଦେବତା ରୂପେ ପୂଜା କରୁଥିଲେ । ପ୍ରଥମେ ଭାରତରେ ପ୍ରବେଶ କରିଥିବା ଅଷ୍ଟ୍ରିକ୍‍ ଗୋଷ୍ଠୀ ନିଗ୍ରିଟୋମାନଙ୍କ ମଧ୍ୟରେ ପିପ୍‍ପଳ ବୃକ୍ଷ ଉପାସନା ପ୍ରଚଳିତ ଥିଲା ।

 ଋଗ୍‌ବେଦରେ "ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋଃ ପାରେ ଅପୌରୁଷମ୍‍" ରେ 'ଦାରୁ'କୁ 'ଅପୌରୁଷମ୍‍' କୁହାଯିବାଦ୍ୱାରା ଏହାକୁ ଅନାର୍ଯ୍ୟ ଦେବତା ବା ଶବର ଦେବତା ଭାବରେ ଗ୍ରହଣ କରାଯାଇଛି ବୋଲି ପଣ୍ଡିତ ନୀଳକଣ୍ଠ ଦାସ ମନେ କରନ୍ତି । ଏଥିରୁ ସମୁଦ୍ରତୀରବର୍ତ୍ତୀ ଆଦିବାସୀଙ୍କ ଦାରୁଦେବତା ପ୍ରତି ବୈଦିକ ଋଷିଙ୍କର ଘୃଣାଭାବ ସୂଚିତ ହେଉଥିବା କୁହାଯାଇଛି । ଗବେଷକ କେଦାରାଥ ମହାପାତ୍ର, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ନବୀନ କୁମାର ସାହୁ, ଗୁରୁଦାସ ସରକାର ପ୍ରମୁଖ ଜଗନ୍ନାଥ ସଂସ୍କୃତିରେ ଶବର ସଂସ୍କୃତିର ପ୍ରଭାବ ସ୍ୱୀକାର କରିଛନ୍ତି । ପ୍ରଭାତ ମୁଖାର୍ଜୀ ଜଗନ୍ନାଥଙ୍କୁ ବ୍ରାହ୍ମଣ୍ୟ ଦେବତା ରୂପେ ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ପ୍ରାଚୀନ କାଳରୁ ଶବରକର୍ତ୍ତୃକ ଦାରୁଦେବତାଙ୍କର ଉପାସନା ପରମ୍ପରାକୁ ଅସ୍ୱୀକାର କରିପାରି ନାହାନ୍ତି । ଡକ୍ଟର ହରେକୃଷ୍ଣ ମହତାବ ଓ ଐତିହାସିକ ମନମୋହନ ଗାଙ୍ଗୁଲି ଜଗନ୍ନାଥଙ୍କୁ ପ୍ରାକ୍‍ ବୌଦ୍ଧକାଳୀନ ଦେବତା କହି ଜଗନ୍ନାଥଙ୍କ ସହିତ ଶାବର ସଂସ୍କୃତିର ସମ୍ପର୍କ ସମ୍ୱନ୍ଧରେ ସଚେତନ ରହିଛନ୍ତି (୩) । ପ୍ରଫେସର ମହାନ୍ତି କହିଛନ୍ତି ଯେ ଓଡ଼ିଆ ସଂସ୍କୃତିର ପରିଚୟରେ ଆଦିବାସୀ ସଂସ୍କୃତି ହିଁ ଆମ୍ଭମାନଙ୍କର ପ୍ରଥମ ଓ ପ୍ରଧାନ ପଥ ପ୍ରଦର୍ଶକ ଏବଂ ଜଗନ୍ନାଥ ଧର୍ମ ମୁଖ୍ୟତଃ ଓ ପ୍ରଥମତଃ ଆଦିବାସୀ ଧର୍ମ ।

 ବିଦ୍ୱାନ ଗବେଷକ ପ୍ରଫେସର ଗୋପୀନାଥ ମହାପାତ୍ର କହନ୍ତି ଯେ, ଜଗନ୍ନାଥଙ୍କ ବିଷ୍ଣୁତ୍ୱକୁ ସ୍ୱୀକାର କରି ମଧ୍ୟ ଅନେକ ଗବେଷକ ଭ୍ରମ ମରୀଚିକାରେ ପଡ଼ି ଜଗନ୍ନାଥଙ୍କୁ ଶବର ଦେବତା ବୋଲି କହିବାକୁ ଚେଷ୍ଟା କରିଛନ୍ତି । ବିଶ୍ୱାବସୁଙ୍କର ନୀଳମାଧବ ଉପାସନା ଓ ଜଗନ୍ନାଥଙ୍କ ରୂପ ସେମାନଙ୍କୁ ଏହି ଭ୍ରାନ୍ତିରେ ପକାଇଛି । କେହି ଭାବି ନାହାନ୍ତି ଯେ, ବିଶ୍ୱାବସୁ କ'ଣ ଏକ ଶବର


୨. ଦାରୁ ଦେବତା- ବେଣୀମାଧବ ପାଢ଼ୀ । କଟକ ଷ୍ଟୁଡେଣ୍ଟସ୍‍ ଷ୍ଟୋର, ୩ୟ ସଂସ୍କରଣ, ୧୯୮୫

୩. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା - ପ୍ରଫେସର ବାସୁଦେବ ସାହୁ, କୋଣାର୍କ ପବ୍ଲିଶର୍ସ, କଟକ-୨, ପ୍ରଥମ ସଂସ୍କରଣ,୧୯୯୧

ନାମ ? ପୁଣି ସେ ଯେଉଁ ନୀଳମାଧବଙ୍କୁ ପୂଜା କରୁଥିଲେ, ତାହା କ'ଣ ସତ୍ୟ ? ଯଦି ସତ୍ୟ, ତେବେ ପଥରିର୍ମିତ ଚତୁର୍ଭୁଜ ବିଷ୍ଣୁ ପ୍ରତିମା କ'ଣ ଶବରଦ୍ୱାରା ନିର୍ମିତ ? କେହି ହେଲେ ଚିନ୍ତା କରିନାହାନ୍ତି ଯେ, ନୀଳମାଧବ ଗୋଟିଏ ହିନ୍ଦୁ ପ୍ରତିମା ଓ କୌଣସି କାରଣରୁ ଏହା ଶବର ହାତରେ ପଡ଼ିଥିବ ଆଉ ଏଡେ ସୁନ୍ଦର ପ୍ରତିମା ପାଇ ସେ ତାକୁ ଗୋପନରେ ପୂଜା କରୁଥିବ । ପରେ ହୁଏତ ଜଣେ ହିନ୍ଦୁରାଜା (ଇନ୍ଦ୍ରଦ୍ୟୁମ୍ନ) ପ୍ରତିମାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବେ । ଫଳରେ ସେମାନେ ତାଙ୍କୁ ଲୁଚାଇ ଦେଇ ଅନ୍ତର୍ଦ୍ଧାନ ହେବାକଥା ପ୍ରଚାର କରିଥିବେ (୪)

ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ)ରୁ ସୂଚନା ମିଳେ ଯେ କେବଳ ବିଶ୍ୱାବସୁ ନୁହେଁ, ସ୍ୱର୍ଗରୁ ଦେବଗଣ ଆସି ନୀଳମାଧବଙ୍କୁ ଅପୂର୍ବ ଦ୍ରବ୍ୟ ନୈବେଦ୍ୟ ପ୍ରଦାନପୂର୍ବକ ପୂଜାର୍ଚ୍ଚନା କରୁଥିଲେ । ଏଣୁ ଏହି ଚତୁର୍ଭୁଜ ବିଷ୍ଣୁମୂର୍ତ୍ତିିଙ୍କୁ କେବଳ ଶାବର ଦେବତା କହିବା ଠିକ୍‍ ନୁହେଁ ।

୧୯୭୦ ମସିହାରେ ଜର୍ମାନୀର ଦୁଇଟି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜଗନ୍ନାଥ ତଥା ଓଡ଼ିଶା ସଂସ୍କୃତି ଉପରେ ଗବେଷଣା ଲାଗି ଏକ ପ୍ରକଳ୍ପ (Orissa Research Project) ଗଢ଼ା ଯାଇଥିଲା । ଏଥିରେ ହରମାନ୍‍ କୁଲ୍‍କେ (H.Kulke), ଏ.ଏସ୍‍ମାନ୍‍ (A.Eschmann), ଷ୍ଟିଟେନ୍‍କ୍ରୋନ୍‍ (H.Stietencron), ଭାରତର ସଂସ୍କୃତ ଅଧ୍ୟାପକ ଗୟାଚରଣ ତ୍ରିପାଠୀ ଏବଂ ଓଡ଼ିଶାର କେତେଜଣ ବିଦ୍ୱାନ ଗବେଷକ କାର୍ଯ୍ୟ କରିଥିଲେ । ଉକ୍ତ ଗବେଷଣା ପ୍ରକଳ୍ପ ତରଫରୁ ଏକ ପୁସ୍ତକ ୧୯୭୮ ମସିହାରେ ପ୍ରକାଶିତ ହୋଇଥିଲା (୫) । ଏହି ପୁସ୍ତକରେ ଶ୍ରୀଜଗନ୍ନାଥ ତତ୍ତ୍ୱର ସ୍ପଷ୍ଟ ଚିତ୍ର ନାହିଁ । ସେମାନଙ୍କର ମୋଟାମୋଟି ବକ୍ତବ୍ୟ ହେଲା, ପୁରୀଠାରେ ତ୍ରିମୂର୍ତ୍ତିି- ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଖ୍ରୀଷ୍ଟାବ୍ଦ ୧୨୩୦ରେ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହେଲେ । ଏହା ପୂର୍ବରୁ ଏହି ତ୍ରିମୂର୍ତ୍ତିି ଦାରୁବିଗ୍ରହ ନଥିଲେ । ପଥର ମୂର୍ତ୍ତିି ଲକ୍ଷ୍ମୀ-ନୃସିଂହ ପୂଜା ପାଉଥିଲେ । ତତ୍‍ପୂର୍ବରୁ ଏ ଦେଶରେ ସ୍ତମ୍ଭେଶ୍ୱରୀ ପୂଜାର ପ୍ରଚଳନ ଥିଲା । ଏହି ପୂଜାର ପ୍ରଭାବରେ ସୁଭଦ୍ରା ତଥା ତ୍ରିମୂର୍ତ୍ତିି ଗଠିତ ହେଲେ । ଅନଙ୍ଗଭୀମଦେବ (୩ୟ)ଙ୍କ ସମୟ (ଖ୍ରୀ. ୧୨୧୧-୧୨୩୮)ରେ ଜଗନ୍ନାଥଙ୍କ ସହିତ ବଳଭଦ୍ର ମୂର୍ତ୍ତିି ଯୁକ୍ତ ହେଲେ । ସୁଦର୍ଶନ ହେଉଛନ୍ତି ନୃସିଂହଙ୍କ ସ୍ୱରୂପ । ଜଗନ୍ନାଥ ହେଉଛନ୍ତି, ନୃସିଂହଙ୍କ ଏକ ରୂପାନ୍ତର । ଏ ସମସ୍ତ ବିଗ୍ରହଙ୍କ ପ୍ରତିଷ୍ଠା ସେହି ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ହୋଇଛି । ଏ ପୁସ୍ତକରେ ଏଣେ କୁହାଯାଇଛି, ସୁଦର୍ଶ ଜଗନ୍ନାଥଙ୍କ ମୂଳରୂପ; ତେଣେ କୁହାଯାଇଛି, ନୃସିଂହ ଜଗନ୍ନାଥଙ୍କ ମୂଳରୂପ । ଆହୁରି କୁହାଯାଇଛି ଯେ, ଜଗନ୍ନାଥ ହେଉଛନ୍ତି ମୂଳତଃ ଆଦିବାସୀ ଦେବତା । ଦଶମ ଶତକ ପୂର୍ବରୁ ଜଗନ୍ନାଥଙ୍କ ସ୍ଥିତି ସମ୍ପର୍କରେ ତଥା ସ୍ୱରୂପ ଉପରେ ଏଥିରେ ସ୍ପଷ୍ଟ ଭାବରେ ଆଲୋକପାତ ହୋଇପାରି ନାହିଁ । ସବୁକିଛି ଅନୁମାନ ଉପରେ ଆଧାରିତ (୬)


୪. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର, ନାଲନ୍ଦା, କଟକ, ପ୍ରଥମ ପ୍ରକାଶ, ୧୯୮୯

୫. The Cult of Jagannath and the Regional Tradition of Orissa- (Ed. by A.Eschmann, H. Kulke, Manohar publications, New Delhi

୬. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

ଡକ୍ଟର ହରେକୃଷ୍ଣ ମହତାବ ମନେ କରନ୍ତି ଯେ ଜଗନ୍ନାଥ ମୂଳରୁ ଶାବର । ତାହା ପରେ ବୌଦ୍ଧ ଦେବତା । ପୁଣି ଦଶମ ଶତାବ୍ଦୀବେଳକୁ ସେ ହେଲେ ହିନ୍ଦୁ ଦେବତା । କାରଣ, ତାଙ୍କ ମତରେ ଏତିକିବେଳେ ବୌଦ୍ଧଧର୍ମରେ ବ୍ରାହ୍ମଣ୍ୟଧର୍ମ ଅନୁପ୍ରବେଶ କରି ବୌଦ୍ଧ ଦେବତାଙ୍କୁ ହିନ୍ଦୁଦେବତା ଭାବରେ ରୂପାନ୍ତରିତ କରିଥିଲା (୭)

କୁହାଯାଇଛି, ନୀଳମାଧବ ପରେ ଜଗନ୍ନାଥ ନାମରେ ପୂଜିତ ହେଲେ ଓ ପ୍ରଥମରେ ଏକା ପୂଜା ପାଉଥିଲେ । ପରେ ପରେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଶୈବ ଓ ଶାକ୍ତଧର୍ମର ପୁନରୁତ୍‍ଥାନ ଫଳରେ ସଂସ୍ଥାପନ କରାଯାଇଥିଲା । ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ପରଠାରୁ ଶକ୍ତିବାଦର ଦ୍ରୁତ ପୁନରୁତ୍‍ଥାନ ହୋଇଥିଲା । ତେଣୁ ଶକ୍ତି ବା ଦୁର୍ଗା ରତ୍ନବେଦୀରେ ସ୍ଥାପିତ ହେଲେ । ଦୁର୍ଗାଙ୍କୁ ମଧ୍ୟ ସୁଭଦ୍ରା/ମଙ୍ଗଳା କୁହାଯାଏ । ଭଦ୍ରା, ସୁଭଦ୍ରା (ଶ୍ରୀକୃଷ୍ଣଙ୍କ ଭଗ୍ନୀ) ଭାବରେ ପୂଜିତା ହେଲେ । ଶିବ ବା ବୀରଭଦ୍ର ମଧ୍ୟ ବଳଭଦ୍ର (ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠଭ୍ରାତା) ଭାବରେ ପୂଜା ପାଇଲେ, ବୈଷ୍ଣବ ଧର୍ମର ପ୍ରାବଲ୍ୟ ପ୍ରଭାବରୁ (୮)

ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି ଯେ, ଏକଦା ଜଗନ୍ନାଥ କେବଳ ଶୂନ୍ୟ (void) ଭାବରେ ବୌଦ୍ଧତନ୍ତ୍ରର କର୍ମକର୍ମାଣିରେ ପୂଜା ପାଉଥିଲେ । ପରବର୍ତ୍ତୀ କାଳରେ ଶଙ୍କରାଚାର୍ଯ୍ୟଙ୍କ ଅନୁପ୍ରେରଣାରେ ରାଜା ଯଯାତିକେଶରୀଙ୍କ ସକ୍ରିୟ ସମର୍ଥ ଯୋଗୁଁ ବଳଭଦ୍ର ଶିବ ଭାବରେ ଓ ସୁଭଦ୍ରା ଭୁବନେଶ୍ୱରୀ ଭାବରେ ଯୁକ୍ତ ହେଲେ ଏବଂ ତ୍ରିମୂର୍ତ୍ତିି (Triad) ବିବେଚିତ ହେଲେ । ଏହି ପ୍ରକାରେ ହିନ୍ଦୁ ଆଧ୍ୟାତ୍ମିକ ସଂସ୍କୃତିର ପ୍ରମୁଖ ଉପାଦାନ- ଶୈବ, ଶାକ୍ତ ଓ ବୈଷ୍ଣବ ମତବାଦ ଏକତ୍ର ଅବସ୍ଥାନ କରିଥିଲେ; ବୈଷ୍ଣବ ମତବାଦର ସାଧାରଣ ବା କୋଠଛତ୍ର ତଳେ (୯)

ତନ୍ତ୍ର ଗବେଷକ ଡକ୍ଟର ସର୍ବେଶ୍ୱର ଶତପଥୀଙ୍କ ମତରେ, ବଳଭଦ୍ରଙ୍କ ମନ୍ତ୍ର "ଓଁ ନମୋ ଭଗବତେ ବାସୁଦେବାୟ" ତାନ୍ତ୍ରିକ ବୀଜମନ୍ତ୍ରକୁ କାଏମ କରୁନଥିବାରୁ ଅନୁମାନ କରାଯାଏ ଯେ ଜଗନ୍ନାଥ ଉପାସନାର ପରବର୍ତ୍ତୀ ସମୟରେ ବଳଭଦ୍ରଙ୍କୁ ସଂସ୍ଥାପନ କରାଯାଇଛି । ସୁଭଦ୍ରାଙ୍କ ବୀଜମନ୍ତ୍ର 'ହ୍ରୀଂ' ଭୁବନେଶ୍ୱରୀଙ୍କ ମନ୍ତ୍ରଠାରୁ ଭିନ୍ନ ନୁହେଁ । ମହାବିଦ୍ୟା ଦେବୀ କ୍ରମରେ ଚତୁର୍ଥ ଦେବୀ ହେଉଛନ୍ତି ଭୁବନେଶ୍ୱରୀ । ସେ ଜ୍ଞାନଶକ୍ତି ବା ସର୍ବଶକ୍ତିମାନ ବ୍ରହ୍ମ । ବିଚିତ୍ର ବିଷୟ ଯେ ସୁଭଦ୍ରା ବା ଭୁବନେଶ୍ୱରୀ ଜଗନ୍ନାଥଙ୍କ ପାଖରେ ବିରାଜିତା ଥିଲେ ବି, ଜଗନ୍ନାଥଙ୍କୁ ବଜ୍ରଯାନରେ ଭୈରବ କୁହାଯାଉଥିଲେ ବି ସୁଭଦ୍ରାଙ୍କୁ ଭୈରବୀ କୁହାଯାଉନାହିଁ; ଅଥଚ ଅନ୍ୟ ଏକ ମନ୍ଦିରରେ ବିରାଜିତା ବିମଳାଙ୍କୁ ଭୈରବୀ କୁହାଯାଉଛି । ତାନ୍ତ୍ରିକ ଧର୍ମର ଏକ ପରବର୍ତ୍ତୀ ଉପାସନାପଦ୍ଧତି


୭. ତତ୍ରୈବ

୮. Jagannath Puri - Published by Puri Shri Jagannath Temple Managing committee.

୯. Lord Jagannath - Surendra Mohanty

ହେଲା ମହାବିଦ୍ୟା ଉପାସନା । ପରିଣାମ ସ୍ୱରୂପ ସୁଭଦ୍ରା ଓ ବଳଭଦ୍ରଙ୍କ ଅବସ୍ଥାପନ ଜଗନ୍ନାଥ ଓ ବିମଳାଙ୍କ ଉପାସନାର ପରବର୍ତ୍ତୀ ସମୟରେ ହୋଇଥିଲା, ହୁଏତ ଗୌଡ଼ୀୟ ବୈଷ୍ଣବଧର୍ମର ପ୍ରଭାବରେ (୧୦)


ବିଶିଷ୍ଟ ଶିଳାଲେଖବିତ୍‍ ତଥା ଗବେଷକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ଯେ ଓଡ଼ିଶାର ସୋମବଂଶର ରାଜା ଯଯାତିଙ୍କ ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପୂଜା ପାଉଥିବା ପ୍ରଧାନ ଦେବଦେବୀମାନଙ୍କୁ ଗୋଟିଏ ସ୍ଥାନରେ ପୂଜା କରାଯିବାପାଇଁ ଉଦ୍ୟମ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ସ୍ତମ୍ଭେଶ୍ୱରୀ ବା ଏକାନଂସା ସୁଭଦ୍ରା, ତୋଷାଳି (ଉତ୍ତର ଓଡ଼ିଶା)ର ବଳଦେବ (ପ୍ରାଚୀନ ନାଗରାଜ) ଏବଂ କଳିଙ୍ଗ-କଙ୍ଗୋଦର ପୁରୁଷୋତ୍ତମ ଜଗନ୍ନାଥ ମିଳିତ ତ୍ରିକଳିଙ୍ଗସାମ୍ରାଜ୍ୟର ରାଷ୍ଟ୍ରଦେବତା ଭାବରେ ପୁରୀଠାରେ ପୂଜା ପାଇଲେ (୧୧)

ଜୈନଧର୍ମ ଓ ଜଗନ୍ନାଥ

ଜେନେରାଲ କନିଂହାମ୍‍, ପ୍ରଫେସର ଉଇଲସନ୍‍, ଜେମସ୍‍ ଫର୍ଗୁସନ୍‍, ଡକ୍ଟର ହରେକୃଷ୍ଣ ମହତାବ ପ୍ରମୁଖ ବିଦ୍ୱାନମାନେ ଜଗନ୍ନାଥଙ୍କୁ ବୌଦ୍ଧଧର୍ମର ପ୍ରତୀକ ରୂପେ ମାନ୍ୟତା ଦେଇଥିବାବେଳେ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ବିନାୟକ ମିଶ୍ର, କେଦାରାଥ ମହାପାତ୍ର ତାଙ୍କୁ ଜୈନଧର୍ମର ପ୍ରତୀକ ମନେ କରନ୍ତି । ପଣ୍ଡିତ ନୀଳକଣ୍ଠ 'ଜଗନ୍ନାଥ' ଶବ୍ଦଟି ମୂଳତଃ ଜୈନଧର୍ମ ସହିତ ଜଡ଼ିତ ଓ ଏହା ଋଷଭନାଥଙ୍କ ସହିତ ସମାନ ମନେ କରନ୍ତି । ଋଷଭନାଥ ହେଉଛନ୍ତି ଆଦି ଜିନ । 'ଜଗନ୍ନାଥ' ଶବ୍ଦ ଜୈନ 'ଜିନ', 'ଜିନନାଥ' ବା 'ଜିନେଶ୍ୱର' ଶବ୍ଦର ନାମାନ୍ତର । ଜଗନ୍ନାଥଙ୍କ ପୁରୁଷୋତ୍ତମ ନାମ ସହିତ ଜୈନ ପୁରୁଷୋତ୍ତମଙ୍କ ସମ୍ପର୍କ ରହିଛି । ଋଷଭନାଥ ହେଉଛନ୍ତି ଜଗତ୍‍‌ନାଥ ଓ ପୁରୁଷୋତ୍ତମ । ପଣ୍ଡିତ ନୀଳକଣ୍ଠ କହନ୍ତି 'ଋଷଭନାଥ' ଅର୍ଥ ସୂର୍ଯ୍ୟନାଥ । ସୂର୍ଯ୍ୟ ଜଗତର ଜୀବନ । ତେଣୁ ଋଷଭନାଥ ହେଉଛନ୍ତି ଜଗତର ଜୀବନ ରୂପୀ 'ପୁରୁଷ'ର ନାଥ ବା ପୁରୁଷୋତ୍ତମ । ଜୈନଧର୍ମ ଭାରତର ଦାର୍ଶନିକ ଧର୍ମର ମୂଳ । ଜୈନ, ଜିନ, ମୁନି, ତ୍ରିରତ୍ନ ପ୍ରଭୃତି ଶବ୍ଦ ସହିତ ଜୈନ ଓ ବୌଦ୍ଧ ଉଭୟ ଧର୍ମର ସମ୍ପର୍କ ରହିଛି । ବୌଦ୍ଧଧର୍ମ ଜୈନଧର୍ମର ପରବର୍ତ୍ତୀ ମାର୍ଜିତ ପ୍ରକାଶ । ଜଗନ୍ନାଥ ମହାପ୍ରଭୁଙ୍କର ମହାପ୍ରସାଦର ଅନ୍ୟ ନାମ କୈବଲ୍ୟ । ଜୈନ ଦର୍ଶନର 'କେବଳୀ' ଭାବ, କେବଳ ଜୀବସତ୍ତା ହେଉଛି କୈବଲ୍ୟ । କୈବଲ୍ୟ ପ୍ରାପ୍ତି ହେଲେ ନିର୍ବାଣ ପ୍ରାପ୍ତି ହୁଏ । ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ହୁଏ; ଏହି ତିଥି ପ୍ରଥମ ତୀର୍ଥଙ୍କର ଋଷଭଙ୍କ ଗର୍ଭସ୍ଥ ହେବା ଦିବସ । ଏହି ତିଥିରେ ଋଷଭଙ୍କ ରଥଯାତ୍ରାର ବିଧାନ ଅଛି । ତାଙ୍କର ବୃକ୍ଷ ହେଉଛି କଳ୍ପବଟ, ଚକ୍ର ହେଉଛି ଧର୍ମଚକ୍ର ।


୧୦. Worship of Lord Jagannath - S. Satapathy, Puri S.C.S. College Bulletin, ୧୯୮୫-୮୬

୧୧. ଶ୍ରୀଜଗନ୍ନାଥଙ୍କ ଐତିହାସିକ ସ୍ୱରୂପ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ, (ପ୍ରବନ୍ଧ)

ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର, ଓ.ସା.ଏ, ୧୯୯୬

 ପଣ୍ଡିତ ନୀଳକଣ୍ଠ ଜଗନ୍ନାଥଙ୍କୁ ଜୈନ ଦେବତା ବୋଲି ବିଚାର କରିବା ସଙ୍ଗେ ସଙ୍ଗେ ପୁଣି ତାଙ୍କୁ ପ୍ରଣବରୂପୀ ଓ ଶବର ଦେବତା ଜ୍ଞାନ କରି ତାଙ୍କର ପ୍ରାଚୀନତା ବେବିଲୋନ୍‍ ସମୟର ବୋଲି ମନେ କରିଛନ୍ତି । ସେ 'ଗୀତା ପ୍ରବେଶ'ରେ କହିଛନ୍ତି ଯେ ବୁଦ୍ଧଯୁଗ ପୂର୍ବରୁ ଏପରିକି ବେବିଲୋନ୍‍ ସଭ୍ୟତା ଆରମ୍ଭରୁ ଜଗନ୍ନାଥଙ୍କ ଅସ୍ତିତ୍ୱ ଥିଲା । ସେତେବେଳେ ଶବରଙ୍କ ବିନା ତାଙ୍କର ଉପାସକ ଆଉ କେହି ନଥିଲେ । ନୀଳକଣ୍ଠ ଓଡ଼ିଶା ବିଧାନସଭାରେ କହିଥିଲେ ଯେ ଶ୍ରୀଜଗନ୍ନାଥ ଏକ ବିଶ୍ୱଦର୍ଶର ସଂକେତ । "ଏହି ସଂକେତଟି ଯଦି କେହି ଅନୁସନ୍ଧାନ କରିବାକୁ ଚାହାନ୍ତି, ସେ ଦେଖିବେ ଏଇଟା ପ୍ରଥମେ ଆରମ୍ଭ ହୋଇଛି ବେବିଲୋନ୍‍ରେ । ଏ ଗୋଟିଏ ବିରାଟ ଅପ୍ରକାଶ ଚତୁର୍ଦ୍ଧା ମୂର୍ତ୍ତିି । ଏହାର ସଂକେତ ପ୍ରଥମେ ମୁଁ ପାଇଲି ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷ, ଅର୍ଥାତ୍‍ ଆଜକୁ ପ୍ରାୟ ୪୦୦୦ବର୍ଷ ତଳେ ବେବିଲୋନ୍‍ରୁ । ବର୍ତ୍ତମାନ ସେହି ସଂସ୍କୃତି ଏଠି ଅଛି (୧୨) ।"

 ବୁଦ୍ଧଦେବଙ୍କ ପରି ଋଷଭଦେବ ହିନ୍ଦୁମାନଙ୍କଦ୍ୱାରା ବିଷ୍ଣୁଙ୍କର ଏକ ଅବତାର ରୂପେ ଗୃହୀତ । ଜଗନ୍ନାଥଙ୍କୁ ଋଷଭାଥ ମନେ କରାଯାଏ । ପାର୍ଶ୍ୱନାଥ (ଖ୍ରୀ:ପୂ: ୮୨୦-୭୫୦)ଙ୍କୁ ଜୈନଧର୍ମର ପ୍ରବର୍ତ୍ତକ କୁହାଯାଏ । ଜୈନ ତୀର୍ଥଙ୍କର ମହାବୀର (ଖ୍ରୀ:ପୂ: ୫୫୭-୫୨୭) ଓ ତାଙ୍କ ପୂର୍ବରୁ ପାର୍ଶ୍ୱନାଥ କଳିଙ୍ଗରେ ଜୈନଧର୍ମ ପ୍ରଚାର କରିଥିଲେ ବୋଲି କେତେଜଣ ଐତିହାସିକ କହିଛନ୍ତି । ଖାରବେଳଙ୍କ ସମୟରେ ଓଡ଼ିଶା ଏକ ପ୍ରସିଦ୍ଧ ଜୈନଭୂମି ଥିଲା । କଳିଙ୍ଗ ସମ୍ରାଟ ଖାରବେଳ ଜଣେ ନୈଷ୍ଠିକ ଜିନ ଥିଲେ । ଗୌତମ ବୁଦ୍ଧଙ୍କ ଆବିର୍ଭାବ ପୂର୍ବରୁ, ଏପରିକି ମହାବୀର ବର୍ଦ୍ଧମାନଙ୍କ ପୂର୍ବରୁ ଏହି ସ୍ଥାନର ପ୍ରାଧାନ୍ୟ ଥିଲା । କଳିଙ୍ଗର ପିହୁଳ ନାମକ ବନ୍ଦର ଜୈମାନଙ୍କର ତୀର୍ଥସ୍ଥଳୀ ଥିଲା । ଖ୍ରୀ:ପୂ: ତୃତୀୟ ଶତାବ୍ଦୀ ବେଳକୁ ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ପରେ ଏଠାରେ ବୌଦ୍ଧଧର୍ମ ପ୍ରସାରିତ ହୋଇଥିଲା । ହୁଏନ୍‍ସାଂ (୭ମ ଶତାବ୍ଦୀ) ଉଡ୍‍ଡ଼ୀୟାନ (ଓଡ଼ିଶା)ରେ ଏକ ଜିନମୂର୍ତ୍ତିି ପୂଜା ପାଉଥିଲା ବୋଲି କହିଛନ୍ତି । ସେପରି ଏକ ଜିନମୂର୍ତ୍ତିି ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ କଳିଙ୍ଗରେ ପୂଜା ପାଉଥିଲା, ଯାହାକି ମଗଧର ରାଜା ମହାପଦ୍ମ ନନ୍ଦ କଳିଙ୍ଗରୁ ବଳପୂର୍ବକ ମଗଧକୁ ନେଇ ଯାଇଥିଲେ । ଜୈନସମ୍ରାଟ ଖାରବେଳ (ଖ୍ରୀ:ପୂ: ୨ୟ ଶତାବ୍ଦୀ) ମଗଧ ଆକ୍ରମଣ କରି ଏହି ଜିନମୂର୍ତ୍ତିକୁ ଫେରାଇ ଆଣିଥିଲେ । ହୁଏନ୍‍ସାଂ ଉଡ଼୍‍ଡ଼ୀୟାନରେ ନବେଫୁଟ ଉଚ୍ଚର ଏକ କାଷ୍ଠ ସ୍ତମ୍ଭ ମୂର୍ତ୍ତିି ପୂଜା ପାଉଥିବା କଥା ଯାହା ଲେଖିଛନ୍ତି, ତାହା ଶବରୀ ନାରାୟଣ ମୂର୍ତ୍ତିି ବୋଲି କେହି କେହି ଅନୁମାନ କରିଛନ୍ତି ।

 ଶବରମାନଙ୍କର ଶବରୀ ନାରାୟଣ ହେଲେ ପରବର୍ତ୍ତୀ କାଳର ଜଗନ୍ନାଥ । ଏହି ବିଗ୍ରହ ନିମ୍ୱକାଠରେ ନିର୍ମିତ ଏକ ମସ୍ତକଯୁକ୍ତ ସ୍ତମ୍ଭ । ପଣ୍ଡିତ ନୀଳକଣ୍ଠ ଲେଖିଛନ୍ତି :

 In this connection it is interesting to note that the Kolarians or Savaras (Suarois or Sabarais of ancient Greek Geographers like Pliny and Ptolemy) who at a time were an important element among the inhabitants of some coastal and up-land area of Kalinga.


୧୨. O.L.A. Procedings, dated ୮.୭.୧୯୫୨

 These Kolarians were mostly Sun-worshippers or the worshippers of the Surajnarayana as they sometimes called it. The Sun is again the Vedic Vishnu which originally meant the Sun. They were worshippers of images of this Sun or Vishnu made of Neem-wood placed on pillars (୧୩).

 ଡକ୍ଟର ବେଣୀମାଧବ ପାଢ଼ୀ ତାଙ୍କର 'ଦାରୁଦେବତା' ପୁସ୍ତକରେ ଲେଖିଛନ୍ତି- "ଶବରମାନଙ୍କର ଉପାସ୍ୟ ଦାରୁଦେବତା ଉପରେ ଜୈନ ପୁରୁଷୋତ୍ତମ ଯେପରି ପ୍ରତିପତ୍ତି ବିସ୍ତାର କରୁଥିଲେ, ସେହିପରି ବୈଦିକ ଆର୍ଯ୍ୟ ସୁଦ୍ଧା ଶବରର ଦାରୁକୁ ନିଜର କରିବା ସଙ୍ଗେ ସଙ୍ଗେ ଜୈନ 'ପୁରୁଷୋତ୍ତମ'ଙ୍କୁ ଆପଣାର ବୋଲି ପ୍ରମାଣିତ କରିବାକୁ ବସିଲା । ସେଥିସକାଶେ ଜୈନପୁରୁଷୋତ୍ତମଙ୍କ ସହିତ ବେଦ ବର୍ଣ୍ଣିିତ 'ସହସ୍ର-ଶୀର୍ଷା ପୁରୁଷ'ର ଅଭେଦ ସମ୍ୱନ୍ଧ କଳ୍ପିତ ହେଲା । ...ତା'ପରେ ନିଜର କରିବାପାଇଁ ଜୈନମାନେ ଯେପରି ମୂଳ 'ଜଗନ୍ତ' ସହିତ ସ୍ୱଧର୍ମର ସର୍ବୋତ୍କର୍ଷ ପ୍ରତିପାଦକ 'ନାଥ' ଶବ୍ଦ ଯୋଗକରି ଦାରୁକୁ ଜଗନ୍ତନାଥ ବା ଜଗନ୍ନାଥ ବୋଲି ଅଭିହିତ କଲେ, ସେହିପରି ଆର୍ଯ୍ୟମାନେ ସୁଦ୍ଧା ମୂଳ 'ଦାରୁ ସହିତ ପରମଭାବ ଦ୍ୟୋତକ' ବ୍ରହ୍ମ ଶବ୍ଦ ଯୋଗକରି 'ଦାରୁବ୍ରହ୍ମ' ବୋଲି ଆଖ୍ୟାଦେଲେ ।"

 ଶବରମାନଙ୍କ ଦାରୁଦେବତା ଭିତରେ ନିଜ ଧର୍ମ ସଂକେତ (ବଦ୍ଧ ମଙ୍ଗଳ ଓ ନନ୍ଦୀପଦ)ର ସାମ୍ୟ ଲକ୍ଷ୍ୟ କରି ତାହାଙ୍କୁ ଜୈନମାନେ ନିଜର କରି ନେଇଛନ୍ତି । ଶବର ଗୋଷ୍ଠୀ (ଅଷ୍ଟ୍ରିକ୍‍ଗୋଷ୍ଠୀ) ପ୍ରଥମେ ଏକ ମୂର୍ତ୍ତିି ପୂଜା କରୁଥିଲେ । ପରେ ଜୈନ ତ୍ରିରତ୍ନ ପ୍ରଭାବରେ ତ୍ରିମୂର୍ତ୍ତିି ପୂଜା କଲେ । ପରବର୍ତ୍ତୀ କାଳରେ ଚତୁର୍ଦ୍ଧା ମୂର୍ତ୍ତିି ପୂଜାର ପ୍ରଚଳନ ହେଲା । ଜୈନ ତ୍ରିରତ୍ନ ହେଲା- ସମ୍ୟକ ଦର୍ଶନ, ସମ୍ୟକ ଜ୍ଞାନ ଓ ସମ୍ୟକ ଚରିତ୍ର । ମୋକ୍ଷ ପ୍ରାପ୍ତିପାଇଁ ଏହି ତ୍ରିରତ୍ନ ଅପରିହାର୍ଯ୍ୟ । ଗବେଷକ କେଦାରନାଥ ମହାପାତ୍ର, ଜଗନ୍ନାଥଙ୍କ ତ୍ରିମୂର୍ତ୍ତିି ତତ୍ତ୍ୱକୁ ଜୈନ ତ୍ରିମୂର୍ତ୍ତିି ସହିତ ସଂପୃକ୍ତ କରିଛନ୍ତି । ତାଙ୍କ ମତରେ ଗାଲମାଧବ ଓ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ପୁରୀ ମନ୍ଦିର ନିର୍ମାଣ ବୃତ୍ତାନ୍ତ ଖାରବେଳଙ୍କ ରାଜତ୍ୱର ବୃତ୍ତାନ୍ତର ଛାୟାମାତ୍ର । କିମ୍ୱଦନ୍ତୀ ବର୍ଣ୍ଣିିତ ନୀଳମାଧବ ମୂର୍ତ୍ତିି ନୀଳପ୍ରସ୍ତର ଖଣ୍ଡରେ ଖୋଦିତ ଜୈନ ତ୍ରିରତ୍ନ ମୂର୍ତ୍ତିି । ଏହାହିଁ କଳିଙ୍ଗର ଜିନାସନ ବା ଜିନ ସିଂହାସନ ଯାହାରି ଉପରେ ଦଣ୍ଡାୟମାନ ଥିଲେ ତ୍ରିମୂର୍ତ୍ତିି । ଏହାକୁ କେବଳ ଜୈନ ମାନେ ନୁହେଁ, ବୌଦ୍ଧ ଓ ଶବରମାନେ ମଧ୍ୟ ପୂଜା କରୁଥିଲେ । ତ୍ରିରତ୍ନର ଅନୁକରଣରେ ଏହି ତ୍ରିମୂର୍ତ୍ତିି ନିର୍ମିତ ହୋଇଥିବାରୁ ଥିଲେ ହସ୍ତପଦ ଶୂନ୍ୟ । ଏମାନଙ୍କର ହସ୍ତପଦ ଶୂନ୍ୟତାପାଇଁ ପୌରାଣିକମାନେ ଓ ସାଧାରଣ ଲୋକମାନେ ବିଚିତ୍ର କଳ୍ପନା କରି ନାନାପ୍ରକାର ଗଳ୍ପ ଉଦ୍ଭାବନ କରିଅଛନ୍ତି । ହିନ୍ଦୁଧର୍ମର ପୁନରୁତ୍‍ଥାନ ଯୁଗରେ ତ୍ରିରତ୍ନ ପାଷାଣ ମୂର୍ତ୍ତିି ପରିବର୍ତ୍ତେ ତିିନିଟି ହସ୍ତପଦ ଶୂନ୍ୟ କାଷ୍ଠମୂର୍ତ୍ତିି ସ୍ଥାପିତ ହୋଇଅଛି (୧୪)

 ଏବର ପରିଦୃଶ୍ୟମାନ ଶ୍ରୀମନ୍ଦିରର ନିର୍ମାତା ଗଙ୍ଗବଂଶର ରାଜା ଚୋଡ଼ଗଙ୍ଗଦେବ (ଦ୍ୱାଦଶ ଶତାବ୍ଦୀ) ହିଁ ପୁରାଣବର୍ଣ୍ଣିିତ ଇନ୍ଦ୍ରଦ୍ୟୁମ୍ନ ଏବଂ ରାମାନୁଜାଚାର୍ଯ୍ୟ ହିଁ ନାରଦ ବୋଲି ପଣ୍ଡିତ ନୀଳକଣ୍ଠଙ୍କ


୧୩. Hints on the Significance and History of Jagannath- Pandit Nilakantha Das (Nikhila Bharata Prabasi Utkal Sammelan souvenir, Calcutta, January, 1959)

୧୪. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା- ଡକ୍ଟରର ବାସୁଦେବ ସାହୁ

ପୂର୍ବୋକ୍ତ ପ୍ରବନ୍ଧରୁ ସୂଚନା ମିଳେ । ତା'ମାନେ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡ, ପଦ୍ମପୁରାଣର ପାତାଳଖଣ୍ଡ ଇତ୍ୟାଦି ଯେଉଁ ରଚନାମାନଙ୍କରେ ଇନ୍ଦ୍ରଦ୍ୟୁମ୍ନ ଓ ପୁରୁଷୋତ୍ତମ କ୍ଷେତ୍ରରେ ମନ୍ଦିର ନିର୍ମାଣ ଉପାଖ୍ୟାନ ରହିଛି, ସେ ସବୁ ରଚନା ଚୋଡ଼ଗଙ୍ଗ ଦେବଙ୍କ ପରବର୍ତ୍ତୀ ସମୟରେ ରଚିତ ବୋଲି ଧରିିନିଆଯାଇପାରେ । ନୀଳକଣ୍ଠ ଲେଖିଛନ୍ତି :

 It seems now certain that Choraganga in the Puranas became Indradyumna and the sage Ramanuja became Narada.

 One thing however, appears to be clear that it is perhaps at this time that instead of one image of a fact at the head of a pillar, named Savarinarayana, four images made of neem-wood replaced the old Nilamadhava. These four images which are said to be four aspects (Chaturdha Murti) of the word Purusha Jagannatha, and was probably derived from the meaning of Nilamadhava, as has been hinted, now represent Vasudeva religion; the Dharmachakra, which was perhaps eternally associated with the Nilamadhava or the old Kalinga Jina, it has been said, became Sudarsana, perhaps according to its Hindu names, Sudarsana Chakra of Vishnu.

 ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବାକୁ ଯିବା ବାଟରେ ଭୁବନେଶ୍ୱର (ଏକାମ୍ର କ୍ଷେତ୍ର)ର ବିନ୍ଦୁସାଗରରେ ସ୍ନାନ ସାରି ଉକ୍ତ ପୁଷ୍କରିଣୀ ତଟର ପୁରୁଷୋତ୍ତମ ବିଗ୍ରହଙ୍କୁ ଦର୍ଶନକରିଥିବା କଥା ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି । ଏହି ପୁରୁଷୋତ୍ତମ ବିଗ୍ରହ ହିଁ ଅନନ୍ତ ବାସୁଦେବ । ଏହାଙ୍କ ମନ୍ଦିର ୧୨୭୮ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ବଳରାମ, କୃଷ୍ଣ ଓ ସୁଭଦ୍ରା ବିରାଜିତ । ସୁତରାଂ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡ ୧୨୭୮ ଖ୍ରୀ:ର ବହୁ ବର୍ଷ ପରେ ରଚିତ ହୋଇଥାଇପାରେ ବୋଲି ପଣ୍ଡିତ ନୀଳକଣ୍ଠ କହିଛନ୍ତି ।

 ନୀଳମାଧବ କହିଲେ ଜଣେ ନୁହେଁ, ତିିନିଜଣ ଦିଅଁଙ୍କୁ ବୁଝାଏ । ନୀଳ (କୃଷ୍ଣ) ଶୂନ୍ୟର ପ୍ରତୀକ- ଜଗନ୍ନାଥ । ସୁଭଦ୍ରା ହେଉଛନ୍ତି 'ମା', ଜନନୀର ପ୍ରତୀକ; ବଳଭଦ୍ର ହେଉଛନ୍ତି 'ଧବ', ଅର୍ଥାତ୍‍ ଶୁଭ୍ର ଦୃଶ୍ୟମାନ ବିଶ୍ୱପ୍ରକାଶର ପ୍ରତୀକ । ନୀଳକଣ୍ଠ କହିଛନ୍ତି, ରାଜା ଚୋଡ଼ଗଙ୍ଗ ଦେବ ଶୈବରୁ ବୈଷ୍ଣବ ହେବା ପରେ ଜୈନପ୍ରତୀକ ନୀଳମାଧବଙ୍କ ନିମନ୍ତେ ଏକ ବୃହତ୍‍ ମନ୍ଦିର ନିର୍ମାଣ କରାଇ ତାହାକୁ ହିନ୍ଦୁଧର୍ମର ପ୍ରଧାନ ପୀଠରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ।

 ପଣ୍ଡିତ ନୀଳକଣ୍ଠ ପୁରୁଷୋତ୍ତମ ଚେତନାକୁ ବିଶ୍ଳେଷଣ କରି କହିଛନ୍ତି, ଯେତେବେଳେ ବ୍ୟକ୍ତି ନିଜ ସୁଖପାଇଁ ନିଜକୁ ନିୟୋଜିତ କରେ, ସେତେବେଳେ ସେ ପୁରୁଷ । କ୍ରମଶଃ ପରିବାର, ଅଞ୍ଚଳ, ଦେଶର ସୁଖଦୁଃଖକୁ ନିଜର ସୁଖଦୁଃଖ ବୋଲି ଭାବିବାଦ୍ୱାରା ସେ ହୋଇଯାଏ ପୁରୁଷୋତ୍ତର । ସେ ଯଦି ସମଗ୍ର ମାନବ ସମାଜ ବା ଜଗତକୁ ନିଜର ଆତ୍ମାପୁରୁଷ ସଙ୍ଗରେ ଏକାକାର କରିପାରେ ଓ ଜଗତପାଇଁ ନିଜକୁ ଉତ୍ସର୍ଗ କରିପାରେ ସେତେବେଳେ ତା'ର 'ପୁରୁଷୋତ୍ତର' ଚେତନା 'ପୁରୁଷୋତ୍ତମ' ଚେତନାରେ ପରିଣତ ହୁଏ । ଜଗନ୍ନାଥ ସଂସ୍କୃତିରେ

ଅଛି ସମଗ୍ର ବିଶ୍ୱର ଅନୁଭବକୁ ନିଜର ଅନୁଭବ ସହିତ ସମୀକୃତ କରିବାର ଉଦାର ଚେତନା । ପୁରୁଷକୁ ଜଗତ ଓ ଜଗତକୁ ପୁରୁଷ ସହ ଅଭେଦ କଳ୍ପନା କରିବା ହେଉଛି ଜୈନଧର୍ମର ନିଜସ୍ୱ । ଏଇଠି ଜଗନ୍ନାଥ ଧର୍ମ ଓ ଜୈନ ଧର୍ମ ମଧ୍ୟରେ ରହିଛି ଅନନ୍ୟ ସାଧାରଣ ସାମ୍ୟ (୧୫)

ଜଗନ୍ନାଥ ଧର୍ମରେ ଅନ୍ୟାନ୍ୟ ଧର୍ମର ପ୍ରଭାବ ପରି ଜୈନଧର୍ମର ମଧ୍ୟ ପ୍ରଭାବ ରହିଛି; କିନ୍ତୁ ତାହା ଯେ ମୁଖ୍ୟତଃ ଜିନଦେବ, ଏହାର ପ୍ରମାଣ ମୂର୍ତ୍ତିିତତ୍ତ୍ୱ ଓ ଇତିହାସ ଦୃଷ୍ଟିରୁ ବିଶେଷ କିଛି ନାହିଁ ବୋଲି ମନେକରାଯାଏ (୧୬) । ପଣ୍ଡିତ ନୀଳକଣ୍ଠ ଦାସ ଜଗନ୍ନାଥ ତତ୍ତ୍ୱକୁ ଅବୈଦିକ ମାନିଥିଲେ ମଧ୍ୟ ଏଥିରେ ଜୈନଙ୍କ ଆତ୍ମବାଦ, ବୈଷ୍ଣବୀୟ ଯୌଗିକ ଶୂନ୍ୟବାଦ, ଶାକ୍ତ, ତାନ୍ତ୍ରିକ, ଶାବର, ଦ୍ରାବିଡ଼ ତତ୍ତ୍ୱ ସହ ଗୀତାର କ୍ଷର, ଅକ୍ଷର ଓ ପୁରୁଷୋତ୍ତମ ତତ୍ତ୍ୱ ଯୋଡ଼ି ଦେଇଛନ୍ତି (୧୭)

ଡକ୍ଟର ବେଣୀମାଧବ ପାଢ଼ୀଙ୍କର ବିଚାରକୁ ବିରୋଧ କରି ପ୍ରଫେସର ଗୋପୀନାଥ ମହାପାତ୍ର କହନ୍ତି ଯେ, ଶାବର ଭାଷାରେ ଜଗନ୍ତର ଅର୍ଥ କ'ଣ ଜଗନ୍ନାଥ ? ଆର୍ଯ୍ୟମାନେ ଏହି ଜଗନ୍ତଦେବଙ୍କୁ ଆଣି ଜଗନ୍ନାଥ ବୋଲି ଡାକିଲେ- ଏପରି ପ୍ରମାଣ କେଉଁ ଆର୍ଯ୍ୟଗ୍ରନ୍ଥରେ ନାହିଁ । ଜୈନମାନେ ଏହି ଜଗନ୍ତଦେବଙ୍କୁ ଜଗନ୍ତନାଥ ବୋଲି ଡାକୁଡାକୁ ଜଗନ୍ନାଥ ବୋଲି ଡାକିଲେ ଏ କଥା ମଧ୍ୟ କୌଣସି ଜୈନଗ୍ରନ୍ଥରେ ନାହିଁ । ତା'ଛଡ଼ା ଜୈନମାନଙ୍କର ପାଲି ଭାଷାରେ ଯେଉଁ ଗ୍ରନ୍ଥ ଓ ଶିଳାଲେଖ ଇତ୍ୟାଦି ଥିଲା, ସେହି ଭାଷାରେ କ'ଣ ଜଗନ୍ତନାଥର ଅର୍ଥ ଜଗତର ନାଥ ହୁଏ ? ପୁ'ଣି ସେ ଭାଷାରେ କ'ଣ ଜଗନ୍ନାଥ ଶବ୍ଦ ଗଠିତ ହୋଇପାରେ ? କେବେ ନୁହେଁ । ଏ ସବୁ ଭାଷାତତ୍ତ୍ୱ ଏଥିରେ କିଛି ଆଲୋଚନା ହୋଇନାହିଁ (୧୮)

(ଏଠାରେ ଏକ ସୂଚନା ପ୍ରଦାନ କରାଯାଉଛି । ଶ୍ରୀମନ୍ଦିର (ବଡ଼ ଦେଉଳ)ର ବେହରଣ ଦ୍ୱାର ବା ଦକ୍ଷିଣ ଦ୍ୱାର ପାର୍ଶ୍ୱରେ କାନ୍ଥରେ ଏକ ପ୍ରସ୍ତର ନିର୍ମିତ ମହାବୀର ଜୈନ ମୂର୍ତ୍ତିି ଶୋଭାପାଉଛନ୍ତି । ଏହି ମୂର୍ତ୍ତିି ପ୍ରଥମେ କୁଆଡେ଼ ରତ୍ନବେଦୀ ପାର୍ଶ୍ୱରେ ଖଞ୍ଜା ଯାଇଥିଲେ ଏବଂ ପରେ ଶ୍ରୀମନ୍ଦିରର ମ୍ୟାନେଜର ସଖୀଚାନ୍ଦଙ୍କ ସମୟ (ଖ୍ରୀ: ୧୯୨୧-୧୯୨୫)ରେ ସେଠାରୁ ଅପସାରଣ କରାଯାଇ ଏହି ଦ୍ୱାର ପାର୍ଶ୍ୱରେ ସ୍ଥାପିତ ହୋଇଥିଲେ ।)

ବୌଦ୍ଧଧର୍ମ ଓ ଜଗନ୍ନାଥ ଜଗନ୍ନାଥ ଉପାସନା ବୌଦ୍ଧଧର୍ମରୁ ଉଦ୍ଭବ ଓ ଜଗନ୍ନାଥ ମୂଳତଃ ବୌଦ୍ଧ ବୋଲି କେତେକ ବିଦ୍ୱାନ ଗବେଷକ ଲେଖିଛନ୍ତି । ସେମାନଙ୍କ ମଧ୍ୟରୁ ଡକ୍ଟରର ହରେକୃଷ୍ଣ ମହତାବ ଅନ୍ୟତମ । ସେମାନଙ୍କର ମୁଖ୍ୟ ଯୁକ୍ତିଗୁଡ଼ିକ ନିମ୍ନରେ ସଂକ୍ଷେପରେ ପ୍ରଦତ୍ତ ହେଲା:


୧୫. ଓଡ଼ିଆ ସାହିତ୍ୟର କ୍ରମ ପରିଣାମ (୨ୟ ଭାଗ)- ପଣ୍ଡିତ ନୀଳକଣ୍ଠ ଦାସ

୧୬. ଓଡ଼ିଆ ସାହିତ୍ୟର ଇତିହାସ (୧ମ ଭାଗ)- ଡକ୍ଟର ବଂଶୀଧର ମହାନ୍ତି

୧୭. ଜଗନ୍ନାଥଙ୍କ ବୈଦିକତା ଅଭ୍ରାନ୍ତ କି ? (ପ୍ରବନ୍ଧ)- ଉମେଶ ପତ୍ରୀ, ଝଙ୍କାର, ଜୁଲାଇ, ୨୦୦୩

୧୮. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

 ୧) ପୁରୀର ତ୍ରିମୂର୍ତ୍ତିି- ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ବୌଦ୍ଧଧର୍ମର ତ୍ରିରତ୍ନ - ବୁଦ୍ଧ, ଧର୍ମ ଓ ସଂଘର ପ୍ରତୀକ । ବୌଦ୍ଧଧର୍ମରେ 'ଧର୍ମ' (ଧମ୍ମ) ନାରୀ ବୋଲି କଳ୍ପିତ ହୁଅନ୍ତି ।'ସଙ୍ଘ' ମଧ୍ୟରେ ଥାଏ ଭ୍ରାତୃ-ଭଗିନୀର ପବିତ୍ର ସମ୍ପର୍କ । ବୌଦ୍ଧଧର୍ମର ପରବର୍ତ୍ତୀ କାଳରେ ଯେତେବେଳେ ମୂର୍ତ୍ତିିପୂଜାର ପ୍ରଚଳନ ହେଲା, ସେତେବେଳେ ଏହି ତ୍ରିରତ୍ନଙ୍କୁ ସ୍ୱତନ୍ତ୍ର ଭାବରେ ରଖାଯାଇ ତ୍ରିମୂର୍ତ୍ତିିଙ୍କର କଳ୍ପନା କରାଗଲା । ଏହି ତ୍ରିମୂର୍ତ୍ତିିଙ୍କର ମୁଖ୍ୟ ହେଲେ ବୁଦ୍ଧ । ଅଶୋକଙ୍କ ସମୟରେ ଓଡ଼ିଶାରେ ଶବରମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । ପୁରୀରେ ବୌଦ୍ଧସ୍ତୂପ ନିର୍ମିତ ହୋଇଥିଲା ଏବଂ ସେଥିରେ ତ୍ରିରତ୍ନ ଅଙ୍କିତ ହୋଇଥିଲେ । ଏ ସ୍ତୂପ ଶବରମାନଙ୍କର ଶ୍ରେଷ୍ଠ ପୂଜାପୀଠ ଥିଲା । ସମୂହ ଭାବରେ ଏହି ଚିହ୍ନ ତ୍ରୟକୁ 'ଜଗନ୍ନାଥ' ବୋଲି କୁହାଯାଉଥିଲା । ମୂର୍ତ୍ତିି ପୂଜାର ପ୍ରଚଳନ ପରେ ସେ ତିିନି ଚିହ୍ନଙ୍କୁ କାଠରେ ମୂର୍ତ୍ତିି ନିର୍ମାଣ କରି ପୂଜା କରାଗଲା । ତାହାକୁ ମନୁଷ୍ୟାକୃତି ଦେବାପାଇଁ, ଆଖି ନାକ ଦେଖାଇବାପାଇଁ ଯେତେଦୂର ସମ୍ଭବ ଚିତ୍ରର ବ୍ୟବସ୍ଥା କରାଗଲା । "ଏହା ଯେ ବୌଦ୍ଧଧର୍ମର ଅବଶେଷ ଏହା ନିଃସନ୍ଦେହ (୧୯)

 ୨) ପୁରୀର ପ୍ରାଚୀନ ନାମ ଥିଲା ଦନ୍ତପୁରୀ । ଏଠାରେ ବୁଦ୍ଧଦେବଙ୍କ ଦନ୍ତ ପୂଜିତ ହେଉଥିଲା । ବୌଦ୍ଧ କ୍ଷେତ୍ରଟି ବୈଷ୍ଣବ କ୍ଷେତ୍ରରେ ପରିଣତ ହେବା ପରେ ବୌଦ୍ଧସ୍ତୂପର ଧ୍ୱଂସାବଶେଷ ଉପରେ ପୁରୀ ମନ୍ଦିର ନିର୍ମିତ ହେଲା । ଏବେ ମଧ୍ୟ ବୁଦ୍ଧଙ୍କ ଦନ୍ତ ଏଠାରେ ଗୁପ୍ତଭାବରେ ପୂଜା ପାଉଛି । ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀଅଙ୍ଗର ଅଭ୍ୟନ୍ତରସ୍ଥ ବ୍ରହ୍ମ ପଦାର୍ଥ ହିଁ ବୁଦ୍ଧଦେବଙ୍କ ଦନ୍ତ ।

 ୩) ବୌଦ୍ଧ ବଜ୍ରଯାନର ଗ୍ରନ୍ଥ 'ଜ୍ଞାନସିଦ୍ଧି'ର ମଙ୍ଗଳାଚରଣରେ ଲେଖା ଅଛି "ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍‍..." । ଏଠାରେ ପ୍ରଥମ କରି 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଅଛି ଏବଂ ସେଥିରେ ପୁରୀର ଜଗନ୍ନାଥଙ୍କୁ ବୁଦ୍ଧ ବୋଲି ଆରାଧନା କରାଯାଇଛି ।

 ୪) ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ବୁଦ୍ଧଦେବଙ୍କ ସ୍ନାନ ଉତ୍ସବ ଓ ଜନ୍ମୋତ୍ସବ ଉପଲକ୍ଷେ ହେଉଥିବା ରଥଯାତ୍ରାର ଅନୁକରଣ । ଜଗନ୍ନାଥଙ୍କର ଅନେକ ପର୍ବପର୍ବାଣି ବୌଦ୍ଧ ଉତ୍ସରୁ ସୃଷ୍ଟ ।

 ୫) ଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଯେଉଁ ଜାତିବର୍ଣ୍ଣର ବିଚାର ନାହିଁ, ତାହା ବୌଦ୍ଧତନ୍ତ୍ରର ପ୍ରଭାବରେ ହୋଇଅଛି । ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମା ତାନ୍ତ୍ରିକ ବୌଦ୍ଧଧର୍ମର ଇଙ୍ଗିତ ଦିଏ । ସୁଦର୍ଶନ ମୂର୍ତ୍ତି ଗୋଟିଏ ସ୍ତମ୍ଭ ବା ଲିଙ୍ଗର ସଂକେତ ଦିଏ । ଏହା 'ବଜ୍ରଯାନ'ର ବଜ୍ର ବା ଲିଙ୍ଗର ପ୍ରତୀକ ।

 ଉଲ୍ଲିଖିତ ଯୁକ୍ତି ସମୂହକୁ ନିମ୍ନମତେ ଖଣ୍ଡନ କରାଯାଇଛି :

 ୧) ପୁରୀ ଶ୍ରୀମନ୍ଦିରର ତ୍ରିମୂର୍ତ୍ତିିଙ୍କୁ ବୁଦ୍ଧ, ଧର୍ମ ଓ ସଂଘର ପ୍ରତୀକ କହିବା ପଛରେ ବଳିଷ୍ଠ ଯୁକ୍ତି ନାହିଁ । କନିଙ୍ଗ୍‌ହାମ୍‍ ତ୍ରିମୂର୍ତ୍ତିିର ଯେଉଁ ଚିତ୍ର ଦେଇଛନ୍ତି, ତାହା ସହିତ ବୁଦ୍ଧ, ଧର୍ମ ଓ ସଂଘ (ତ୍ରିରତ୍ନ) ଚିତ୍ରର ମେଳ ଅଛି ବୋଲି ସେ ଯାହା ଅନୁମାନ କରିଛନ୍ତି, ତାହା ଠିକ୍‍ ନୁହେଁ । ତାଙ୍କ ଦ୍ୱାରା ପ୍ରଦତ୍ତ ଚିତ୍ରରେ ବଳଭଦ୍ର ଓ ଜଗନ୍ନାଥ ଊର୍ଦ୍ଧ୍ୱବାହୁ ଥିବାର ଦେଖାଯାଏ । ତ୍ରିରତ୍ନ ମଧ୍ୟରେ


୧୯. ଓଡ଼ିଶା ଇତିହାସ- ଡକ୍ଟର ହରେକୃଷ୍ଣ ମହତାବ

ସୁଭଦ୍ରାଙ୍କୁ ଧର୍ମ କୁହାଯାଇଛି । ଧର୍ମର ଚିହ୍ନରେ ହାତର ସଂକେତ ଅଛି । ଏହି ଅମେଳ କନିଙ୍ଗ୍‌ହାମ୍‍ ଦେଖାଇ ନାହାନ୍ତି (୨୦)

"ବୌଦ୍ଧଧର୍ମର ପବିତ୍ର ପ୍ରତୀକ' (Sacred Symbols of Buddhism) ପୁସ୍ତକରେ ବୌଦ୍ଧ ତ୍ରିରତ୍ନର ଚିତ୍ର ରହିଛି । ନିମ୍ନରେ ପ୍ରଦତ୍ତ ଉକ୍ତ ଚିତ୍ର ସହିତ ପୁରୀ ତ୍ରିମୂର୍ତ୍ତିିଙ୍କର ଆଦୌ ମେଳ ହେଉନାହିଁ (୨୧)

Tri Ratna : This represents the three jewels of Buddhism- the Buddha, the Dharma and the Sangha. It also symbolizes the sanctuary where one can take refuge from the world. It also signifies the 'Enlightened' or the 'Awakened'.

ShreeJagannath.pdf

 ଜଗନ୍ନାଥଙ୍କୁ ବୁଦ୍ଧଙ୍କର ରୂପାନ୍ତର ବୋଲି ଗ୍ରହଣ କରାଯାଇଛି । କିନ୍ତୁ ଅନ୍ୟାନ୍ୟ ବୁଦ୍ଧମୂର୍ତ୍ତିିଠାରୁ ଜଗନ୍ନାଥ ମୂର୍ତ୍ତିିର କାହିଁକି ବୈସାଦୃଶ୍ୟ ଲକ୍ଷିତ ହୁଏ , ତା'ର କୌଣସି କାରଣ ନିର୍ଦ୍ଦେଶ ହୋଇନାହିଁ । ପୁଣି ମଧ୍ୟ, ଏହି ଚିହ୍ନଗୁଡ଼ିକ କି ଧରଣର କ୍ରମ ବିବର୍ତ୍ତନ ମଧ୍ୟ ଦେଇ ମାନବୀୟ ମୂର୍ତ୍ତିିରେ ପରିଣତ ହୋଇଛନ୍ତି ତା'ର ଧାରାବାହିକ ବିବରଣୀ ଅଦ୍ୟାପି ମିଳିନାହିଁ । ଏ ସମ୍ୱନ୍ଧରେ ଡକ୍ଟର ହରେକୃଷ୍ଣ ମହତାବ ଯେଉଁ ବାଇଶଟି ଚିତ୍ରପ୍ଲେଟ୍‍ର ଅବତାରଣା କରିଛନ୍ତି, ତାହା ବିଶେଷ ସନ୍ତୋଷଜନକ ନୁହେଁ (୨୨)


୨୦. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ପଞ୍ଚମ ସଂସ୍କରଣ: ୨୦୦୨

୨୧. Sacred Symbols of Buddhism- J.R. Santiago, Book Faith India, Delhi- ୩୩, First edition, 1999

୨୨. ଦାରୁ ଦେବତା- ଡକ୍ଟର ବେଣୀମାଧବ ପାଢ଼ୀ

 ବୌଦ୍ଧ ଧର୍ମରେ ଦୀକ୍ଷିତ ଶବରମାନେ ବୌଦ୍ଧ ତ୍ରିରତ୍ନଙ୍କୁ ପୂଜା କରୁଥିବା କୁହାଯାଇଛି । ଏହାର ପ୍ରମାଣ ନାହିଁ । ଯଦି ପୂଜା କରୁଥିବେ ତେବେ ସେମାନଙ୍କଦ୍ୱାରା ସଂସ୍କୃତମୂଳକ ନାମ ରଖାଯାଇଥାନ୍ତା କାହିଁକି ?(୨୩)

 ବୌଦ୍ଧଧର୍ମ ସହିତ ଜଗନ୍ନାଥଙ୍କ ସମ୍ପର୍କର ପ୍ରଧାନ ପ୍ରମାଣ ସ୍ୱରୂପ ବୌଦ୍ଧଯନ୍ତ୍ର ଉପରେ ନିର୍ଭର କରିବାକୁ ହେବ ବୋଲି ଡକ୍ଟର ରାଜେନ୍ଦ୍ରଲାଲ ମିତ୍ର ଲେଖିଛନ୍ତି । ସେ କହିଛନ୍ତି, ଏକମାତ୍ର ବୌଦ୍ଧଧର୍ମର ଚିହ୍ନ (ଯନ୍ତ୍ର)ରେ ଏହି ଜଗନ୍ନାଥ ବୁଦ୍ଧ ସମସ୍ୟାର ସନ୍ତୋଷଜନକ ସମାଧାନ ମିଳିବ । ତାଙ୍କ ମତରେ ସୁଦର୍ଶନ ବୁଦ୍ଧଙ୍କର ଚିହ୍ନ, ବୁଦ୍ଧ ହିଁ ଚକ୍ର । ଏହି ଚକ୍ର ହିଁ ସୁଦର୍ଶନ । ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ବୁଦ୍ଧଙ୍କ ଚକ୍ର ଅନୁକରଣରେ ହୋଇଛି । ଏହି ମତକୁ ଗ୍ରହଣ କରିବାକୁ ହେଲେ କହିବାକୁ ହେବ ଯେ, ଚକ୍ରକୁ ବୁଦ୍ଧ ବୋଲି ବୌଦ୍ଧମାନେ ଗ୍ରହଣ କରିବା ସମୟ ପୂର୍ବରୁ ସୁଦର୍ଶନ ଚକ୍ରର ଅସ୍ତିତ୍ୱ ନଥିଲା ।

 କିନ୍ତୁ ଏହା ଠିକ୍‍ ନୁହେଁ । ବୁଦ୍ଧଦେବଙ୍କ ଆବିର୍ଭାବର ବହୁପୂର୍ବରୁ ବିଷ୍ଣୁଙ୍କର ଏବଂ ତାଙ୍କର ଅସ୍ତ୍ର ସୁଦର୍ଶନ ଚକ୍ରର ଅସ୍ତିତ୍ୱ ଥିଲା । ବିଷ୍ଣୁଙ୍କ ସୁଦର୍ଶନଙ୍କୁ ବୌଦ୍ଧଚକ୍ର ବୋଲି କହିବାର କିଛି ଯୁକ୍ତି ନାହିଁ । ପୂର୍ବକଥା ପରକଥାର ଅନୁକରଣ କଲେ ଯୁକ୍ତିର ଅସାରତା କେବଳ ପ୍ରତିପାଦିତ ହୁଏ । ତା'ଛଡ଼ା ବୌଦ୍ଧଚକ୍ର ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସୁଦର୍ଶନ ଚକ୍ରର କୌଣସି ସାମ୍ୟ ମଧ୍ୟ ଥିବାର ଦେଖାଯାଏ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିରର ସୁଦର୍ଶନ ଗୋଟିଏ କାଠଗଡ଼ ପରି (୨୪) । ଏହାକୁ 'ଗଦାକୃତି' କୁହାଯାଇଛି ।

 ଶ୍ରୀମନ୍ଦିରର ସୁଦର୍ଶନ ଓ ନୀଳଚକ୍ର ସହିତ ବୌଦ୍ଧଚକ୍ରର ଆକୃତିରେ ସାମ୍ୟ ନାହିଁ । ବୌଦ୍ଧଧର୍ମର ଚକ୍ର, ଧର୍ମଚକ୍ର ଓ କାଳଚକ୍ରମାନଙ୍କର ରୂପ ଭିନ୍ନ । 'କାଳଚକ୍ର' ହିନ୍ଦୁଧର୍ମର ଶ୍ରୀଯନ୍ତ୍ର/ଶ୍ରୀଚକ୍ର ସ୍ୱରୂପ ।

 The Buddhist sacred symbols and attributes have not diverged completely, in connotation or meaning, from their counterparts in Hinduism. There is only a slight variation in purpose, but when perceived they reveal their origin in the great past of the Hindu creed. (J.R.Santiago)

 ୨) ପୁରୀର ପ୍ରାଚୀନ ନାମ ଦନ୍ତପୁରୀ ଥିବାର ପ୍ରମାଣ ନାହିଁ । ଏ ନେଇ ନାନା ମୁନିଙ୍କର ନାନା ମତ । ଯେଉଁ ଯେଉଁ ସ୍ଥାନରେ ଏହାର ଅବସ୍ଥିତି ଥବା କୁହାଯାଇଛି ସେ ସବୁ ହେଲା- ଗଞ୍ଜାମ ଜିଲ୍ଲାର ପାଲୁର ଓ ବାରୁଆ, କଟକ ଜିଲ୍ଲାର ରତ୍ନଗିରି ଏବଂ ପୁରୀ ଇତ୍ୟାଦି ।

 ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ବୁଦ୍ଧଦେବଙ୍କ ଦନ୍ତ ସଂରକ୍ଷିତ, ଏହା କେବଳ ଅନୁମାନ ମାତ୍ର । ହିନ୍ଦୁଧର୍ମରେ କୌଣସି ମୃତ ଶରୀରର ଅଂଶ ପୂଜା କରାଯିବା ନିଷେଧ । ଶ୍ରୀଜଗନ୍ନାଥଙ୍କ 'ବ୍ରହ୍ମ ପଦାର୍ଥ' ଅଦ୍ୟାବଧି ଗୋପନୀୟ ହୋଇ ରହିଛି । ପୁଣି ବୌଦ୍ଧସ୍ତୂପର ଭଗ୍ନାବଶେଷ ଉପରେ


୨୩. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

୨୪. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ - ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ

ଶ୍ରୀମନ୍ଦିର ଗଠିତ ବୋଲି କେହି କେହି କହିଛନ୍ତି । ସ୍ୱାମୀ ବିବେକାନନ୍ଦ ମଧ୍ୟ ଏହା କହିଛନ୍ତି । ତେବେ ଏହାର ପ୍ରମାଣ ଅଦ୍ୟାବଧି ମିଳିନାହିଁ ।

 ୩) ବୌଦ୍ଧ-ବଜ୍ରଯାନ 'ଜ୍ଞାନସିଦ୍ଧି' ଗ୍ରନ୍ଥର ପ୍ରଣେତା ହେଉଛନ୍ତି ଖ୍ରୀଷ୍ଟୀୟ ସପ୍ତମ-ଅଷ୍ଟମ ଶତାବ୍ଦୀର ସମ୍ୱଳକ (ଏବର ସମ୍ୱଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣରେ ଥିବା ଶ୍ଳୋକ "ପ୍ରଣିପତ୍ୟ ଜଗନ୍ନାଥଂ..." ପାଠକରି କେହି କେହି ମତ ଦିଅନ୍ତି ଯେ, ଏଥିରେ ଥିବା 'ଜଗନ୍ନାଥ' ହେଉଛନ୍ତି ପୁରୀର ଜଗନ୍ନାଥ; ଯେ କି ବୁଦ୍ଧ । ପ୍ରଥମକରି 'ଜଗନ୍ନାଥ' ଶବ୍ଦ ଏଥିରେ ବ୍ୟବହୃତ ହୋଇଅଛି । ଏଥି ପୂର୍ବରୁ ଅନ୍ୟ କୌଣସି ଗ୍ରନ୍ଥରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇନାହିଁ । ସଂସ୍କୃତ ଭାଷାର ରାମାୟଣ, ମହାଭାରତ, ଭାଗବତ, ବିଷ୍ଣୁପୁରାଣରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଥିଲେ ହେଁ ତାହା ବିଷ୍ଣୁ/କୃଷ୍ଣଙ୍କ ବିଶେଷଣ ଭାବରେ ବ୍ୟବହାର କରାଯାଇଛି । ପ୍ରଶ୍ନ ହେଲା- 'ଜ୍ଞାନସିଦ୍ଧି'ରେ 'ଜଗନ୍ନାଥ' ଶବ୍ଦକୁ ଏକ ନାମବାଚକ ବିଶେଷ୍ୟ ରୂପରେ ଗ୍ରହଣ କରାଯାଇପାରେ କି ? 'ଜ୍ଞାନସିଦ୍ଧି' ବଜ୍ରଯାନର ଏକ ଗ୍ରନ୍ଥ । ବଜ୍ରଯାନର ଆରାଧ୍ୟ ଦେବତା ହେଉଛନ୍ତି ବଜ୍ରସତ୍ତ୍ୱ ବା ବଜ୍ରସତ୍ତ୍ୱ-ବୁଦ୍ଧ । ସେ ବଜ୍ରହସ୍ତ ହୋଇଥିବାରୁ ତାଙ୍କୁ ବଜ୍ରୀ ମଧ୍ୟ କୁହାଯାଏ । ରାଜା ଇନ୍ଦ୍ରଭୂତି ଅନେକ ଅର୍ଥରେ ଜଗନ୍ନାଥ ଶବ୍ଦକୁ ବ୍ୟବହାର କରିଛନ୍ତି । 'ଜ୍ଞାନସିଦ୍ଧି'ରେ ଅନ୍ୟତ୍ର କୁହାଯାଇଛି-

ଦେଶିତଂ ଲୋକନାଥୈସ୍ତୁ ଜ୍ଞାନ ମତ୍ୟଦ୍ଭୁତଂ ପରମ୍‍
ସିଦ୍ଧିଦଂ ଜନ୍ମନୀହୈବ ସର୍ବବୁଦ୍ଧମୟଂ ଶିବମ୍‍ ।

 ଏଠାରେ ଲୋକନାଥ ଶବ୍ଦକୁ ଜଗନ୍ନାଥ ଅର୍ଥରେ ବ୍ୟବହାର କରାଯାଇଛି । 'ଜ୍ଞାନସିଦ୍ଧି'ର 'ଜଗନ୍ନାଥ'ଙ୍କୁ ଯଦି ପୁରୀର ଜଗନ୍ନାଥ ଅର୍ଥରେ ନେବାକୁ ହେବ, ତେବେ ଏଠାରେ ଥିବା 'ଲୋକନାଥ'ଙ୍କୁ ପୁରୀର ଲୋକନାଥ ଅର୍ଥରେ ନେବାକୁ ହେବ । 'ଜ୍ଞାନସିଦ୍ଧି'ରେ ଅନେକଥର 'ଭୁବନେଶ୍ୱର' ଶବ୍ଦ ବ୍ୟବହାର କରାଯାଇଛି । ଏହି 'ଭୁବନେଶ୍ୱର' ଶବ୍ଦକୁ ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁ ଅର୍ଥରେ ନେଇ ହେବ କି ? 'ଜ୍ଞାନସିଦ୍ଧି'ରେ ଜଗନ୍ନାଥ ଓ ଲୋକନାଥ ଏକାର୍ଥବାଚକ ଶବ୍ଦ । ଉଭୟ ଶବ୍ଦର ଅର୍ଥ ବୁଦ୍ଧ । 'ଜ୍ଞାନସିଦ୍ଧି'ର 'ଜଗନ୍ନାଥ'ଙ୍କୁ ଜଗତ୍‍ ସ୍ୱାମୀ, ଜଗତ୍‍ ପତି, ଜଗତ୍‍ ଗୁରୁ ଅର୍ଥରେ ନେବାକୁ ପଡ଼ିବ । ତାନ୍ତ୍ରିକ ପରମ୍ପରାରେ ଗୁରୁ, ଦେବତା ଓ ଶିଷ୍ୟ ଅଭିନ୍ନ (୨୫)

 'ଜ୍ଞାନସିଦ୍ଧି'ରେ 'ଜଗନ୍ନାଥ' ଶବ୍ଦ କେବଳ ବୁଦ୍ଧ ନୁହେଁ, ଜୈନଙ୍କୁ ମଧ୍ୟ ବୁଝାଏ । ପଣ୍ଡିତ ନୀଳକଣ୍ଠ ଦାସ କହିଛନ୍ତି :

 In about the early 8th century, Indravuti a king of Uddian made Jagannath represent both Jain and Buddha, which he says mean the same thing. I bow to Jagannath, who is worshipped by all great Jains and who also represents all Buddha and in perfection is like the all pervading sky.


୨୫. ପ୍ରଣିପତ୍ୟ ଜଗନ୍ନାଥଂ- ପ୍ରଫେସର ପ୍ରହ୍ଲାଦ ପ୍ରଧାନ (ଶ୍ରୀଜଗନ୍ନାଥ - ଓ.ସା.ଏ, ପ୍ରଥମ ସଂସ୍କରଣ, ୧୯୮୨)

 (ନିଖିଳ ଭାରତ ଦର୍ଶନ କଂଗ୍ରେସର କଟକ ଅଧିବେଶନ, ୧୯୫୯ରେ ସଭାପତିତ୍ୱ କରି ନୀଳକଣ୍ଠଙ୍କ ଅଭିଭାଷଣ)

 ଡକ୍ଟର ବେଣୀମାଧବ ପାଢ଼ୀଙ୍କ ମତରେ "କିନ୍ତୁ ଟିକିଏ ସୂକ୍ଷ୍ମ ଭାବରେ ବିଚାର କଲେ ଜଣାପଡେ଼, ଜଗନ୍ନାଥଙ୍କ ନାମ କିମ୍ୱା ରୂପ କୌଣସିଟି ବୁଦ୍ଧ ନୁହେଁ । 'ଜଗନ୍ନାଥ' ଯଦି ବୁଦ୍ଧଙ୍କର ଅପର ନାମ ହୋଇଥାନ୍ତା ତା'ହେଲେ ବୌଦ୍ଧ ଅଭିଧାନକାର ହେମଚନ୍ଦ୍ରଙ୍କ ଅଭିଧାନ ଗ୍ରନ୍ଥରେ କିମ୍ୱା ବୌଦ୍ଧପନ୍ଥୀ ଅମର ସିଂହଙ୍କ କୃତି 'ଅମର କୋଷ'ରେ ତାହା ବୁଦ୍ଧ ପର୍ଯ୍ୟାୟରେ ଅବଶ୍ୟ ଉଲ୍ଲେଖ ଥାନ୍ତା"(୨୬)

 ଡକ୍ଟର ପାଢ଼ୀ କହିଛନ୍ତି, "ବିଷ୍ଣୁପୁରାଣରେ ପ୍ରଥମେ 'ଜଗନ୍ନାଥ' ଶବ୍ଦ ବିଶେଷ୍ୟ ରୂପେ ପ୍ରୟୋଗ ହେବା ଦେଖୁ" (୨୭)। ଡକ୍ଟର ଗୋପୀନାଥ ମହାପାତ୍ର ଲେଖିଛନ୍ତି- "ବୁଦ୍ଧଙ୍କ ନାମ ଯଦି ଜଗନ୍ନାଥ ହୋଇଥାନ୍ତା, ତେବେ ବୌଦ୍ଧଗ୍ରନ୍ଥମାନଙ୍କରେ ଏ ନାମ ଦେଖାଯାଉଥାନ୍ତା । ମାତ୍ର କୌଣସି ପିଟକ ଗ୍ରନ୍ଥରେ ଏ ନାମ ମୁକ୍ତ ଭାବରେ ବୁଦ୍ଧଙ୍କ ପାଇଁ ବ୍ୟବହୃତ ହୋଇନାହିଁ । ତେଣୁ ଇନ୍ଦ୍ରଭୂତିଙ୍କ ଜ୍ଞାନସିଦ୍ଧିରେ ବ୍ୟବହୃତ 'ଜଗନ୍ନାଥ' ପଦଟି ଏକ ବିଶେଷଣାତ୍ମକ ପଦ ଭିନ୍ନ ଅନ୍ୟ କିଛି ନୁହେଁ । ଦ୍ୱିତୀୟ କଥା ହେଉଛି, ଜଗନ୍ନାଥ ବିଷ୍ଣୁଙ୍କର ପର୍ଯ୍ୟାୟବାଚୀ ଶବ୍ଦ କି ନା ? ପ୍ରାଚୀନ ପୁରାଣମାନଙ୍କରେ ତ ଏହାର ବ୍ୟବହାର ନିଶ୍ଚୟ ଅଛି । ପୁଣି ବିଷ୍ଣୁସହସ୍ର ନାମରେ ମଧ୍ୟ ସ୍ଥାନ ପାଇଅଛି" (୨୮)

 ଇନ୍ଦ୍ରଭୂତିଙ୍କ ସମୟ ବେଳକୁ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଏକ ପ୍ରମୁଖ ବୈଷ୍ଣବ ଦେବତା ଭାବରେ ଉପାସିତ ହୋଇସାରିଲେଣି ଏବଂ ବିଷ୍ଣୁଙ୍କର ଏକ ଅବତାର ଭାବରେ ବୁଦ୍ଧଙ୍କୁ ବିବେଚନା କରାଗଲାଣି । ସମାଜରେ ହିନ୍ଦୁ ଓ ବୌଦ୍ଧମାନଙ୍କ ମଧ୍ୟରେ ଭେଦଭାବରେ ତୀବ୍ରତା ନଥିଲା । ଉଭୟ ଧର୍ମାବଲମ୍ୱୀମାନଙ୍କ ମଧ୍ୟରେ ବିବାହ ପ୍ରଚଳିତ ଥିଲା । ସ୍ୱାମୀ ହିନ୍ଦୁ ଓ ସ୍ତ୍ରୀ ବୌଦ୍ଧ ଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଉଭୟେ ଉଭୟଙ୍କ ଗୋଷ୍ଠୀର ଦେବଦେବୀଙ୍କୁ ଉପାସନା କରୁଥିଲେ (୨୯)। ସ୍ୱାମୀ ଅଭେଦାନନ୍ଦ ଖ୍ରୀ: ୧୯୨୨ରେ ତିବ୍‍ବତ ପରିଭ୍ରମଣରେ ଯାଇ ଦେଖିଥିଲେ ଯେ ମୌଲବା ଚମ୍ୱା (Maulaba Chamba) ନାମକ ଏକ ଗ୍ରାମରେ ଗାମଦେବତା ଭାବରେ ଏକ ବିଷ୍ଣୁମୂର୍ତ୍ତିିଙ୍କୁ ବୌଦ୍ଧମାନେ ପୂଜା କରୁଛନ୍ତି, ଯେହେତୁ ବୁଦ୍ଧ ବିଷ୍ଣୁଙ୍କର ଏକ ଅବତାର (୩୦)

 ରାଜା ଇନ୍ଦ୍ରଭୂତି ଆଲୋଚ୍ୟ ଶ୍ଳୋକରେ ଜଗନ୍ନାଥ-ବିଷ୍ଣୁଙ୍କୁ ବୌଦ୍ଧ ଜ୍ଞାନରେ ପ୍ରଣିପାତ କରିଥିବେ । ଜଗନ୍ନାଥ ଯେ ମୂଳତଃ ବୁଦ୍ଧ ଦେବତା, ଏହା ମନେ କରିବାର ଯୁକ୍ତିଯୁକ୍ତ କାରଣ


୨୬. ଦାରୁ ଦେବତା- ଡକ୍ଟର ବେଣୀମାଧବ ପାଢ଼ୀ

୨୭. ତତ୍ରୈବ

୨୮. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

୨୯. ପ୍ରଣିପତ୍ୟ ଜଗନ୍ନାଥଂ...(ପ୍ରବନ୍ଧ)- ମହୀମୋହନ ତ୍ରିପାଠୀ, ଶ୍ରୀମନ୍ଦିର କାର୍ତ୍ତିିକସଂଖ୍ୟା, ୨୦୦୫

୩୦. Swami Abhedananda's journey into Kashmir and Tibet- Ramakrishna Bedanta Matha, Calcutta, May 2001 Edition

ନାହିଁ । ପ୍ରଫେସର ପ୍ରହ୍ଲାଦ ପ୍ରଧାନ ସୁତରାଂ କହିଛନ୍ତି- "ଜଗନ୍ନାଥଙ୍କୁ ବୁଦ୍ଧ ରୂପେ ଗ୍ରହଣ କରିବାକୁ ଅନ୍ୟାନ୍ୟ ଯୁକ୍ତିର ଆଶ୍ରୟ ନେବାକୁ ହେବ । ସେ ସବୁ ଯୁକ୍ତିକୁ ମଧ୍ୟ ବିଚାର କରିବାକୁ ହେବ ।"

 ଏଠାରେ ସୂଚନାଯୋଗ୍ୟ ଯେ ଆସାମର ମଣିକୂଟ ବା ହୋଜୋ ପାହାଡ଼ ଉପରେ ରହିଛି ପ୍ରସିଦ୍ଧ ହୟଗ୍ରୀବ ମନ୍ଦିର । ଏହି ମନ୍ଦିରର ସିଂହାସନରେ ବିଷ୍ଣୁଙ୍କ ଅବତାର ଭାବେ ଅଶ୍ୱମୁଖଧାରୀ ହୟଗ୍ରୀବଙ୍କ ସହ ଯେଉଁ ପାଞ୍ଚଟି ମୂର୍ତ୍ତିି ପୂଜା ପାଉଛନ୍ତି, ତନ୍ମଧ୍ୟରେ ରହିଛନ୍ତିି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିି । ଏହି ମନ୍ଦିରକୁ ଯିବାପାଇଁ ତୀଖ ପାହାଡ଼ ଉପରେ ପ୍ରାୟ ଶହେଟି ପାହାଚ ଚଢ଼ିବାକୁ ହୁଏ । ସେଥିମଧ୍ୟରେ ରହିଛି ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ୯୨ଟି ମୁଖ୍ୟ ପାହାଚ । ଏହି କଷ୍ଟଦାୟକ ଯାତ୍ରାକୁ ଭ୍ରୂକ୍ଷେପ ନକରି ଆସାମର ରାଜ୍ୟପାଳ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ବିପଦପୂର୍ଣ୍ଣ ଗିରିପଥରେ ଚାଲିଚାଲି ଯାଇ ମନ୍ଦିର ଉପରେ ତା. ୨୦.୯.୨୦୧୦ରେ ପହଞ୍ଚିଥିଲେ । ହଜାର ହଜାର ବର୍ଷ ଧରି ସୁଦୂର ଆସାମର ଏକ ପାହାଡ଼ ଉପରେ ଥିବା ହୟଗ୍ରୀବ ମନ୍ଦିରରେ ଶ୍ରୀଜଗନ୍ନାଥ ଯେ ପୂଜା ପାଉଛନ୍ତି, ଓଡ଼ିଶାରେ ଏକଥା ଖୁବ୍‍ କମ୍‍ ଲୋକେ ଜାଣିଥିବେ । ମନ୍ଦିରଟି କେବଳ ହିନ୍ଦୁଙ୍କ ପାଇଁ ନୁହେଁ, ବୌଦ୍ଧମାନଙ୍କ ପାଇଁ ମଧ୍ୟ ଏକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ । ଏଠାରେ ବୁଦ୍ଧ ନିର୍ବାଣ ଲାଭ କରିଥିଲେ ବୋଲି ବୌଦ୍ଧମାନେ ବିଶ୍ୱାସ କରୁଥିବାରୁ ମନ୍ଦିରରେ ପୂଜିତ ହେଉଥିବା ବିଷ୍ଣୁଙ୍କ ଏହି ଅବତାରଙ୍କୁ ସେମାନେ ବୁଦ୍ଧ ଭାବେ ଉପାସନା କରିଥାନ୍ତି (୩୧)

 ୪) ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା କୌଣସି ପର୍ବପର୍ବାଣି କିମ୍ୱା ଦୈନନ୍ଦିନ ନୀତି ଉପରେ ବୌଦ୍ଧଧର୍ମର ପ୍ରଭାବ ପରିଲକ୍ଷିତ ହେଉନାହିଁ । ପୁରୀର ରଥଯାତ୍ରା ବୌଦ୍ଧ ରଥଯାତ୍ରାର ଫଳ ଭାବିବା ଅମୂଳକ ବୋଲି ମଧ୍ୟ ଗବେଷକ ପ୍ରଭାତ ମୁଖାର୍ଜୀ ମତ ଦେଇଛନ୍ତି । ପ୍ରଫେସର ଏ.ଏଲ.ବାସାନ୍‍ଙ୍କ ଯୁକ୍ତି ଦର୍ଶାଇ ଡକ୍ଟର କାହ୍ନୁଚରଣ ମିଶ୍ର କହନ୍ତି ଯେ, ବୌଦ୍ଧଧର୍ମ ହେଉଛି ସନାତନ ଧର୍ମ ବା ହିନ୍ଦୁଧର୍ମର ବାଣୀ ମାତ୍ର । ଜଗନ୍ନାଥ ହେଉଛନ୍ତି ହିନ୍ଦୁଧର୍ମର ଏକ ମୁଖ୍ୟ ଦେବତା । ତାହାଙ୍କ ଉପରେ ବୌଦ୍ଧ ପ୍ରଭାବ ପ୍ରକୃତ ଭାବେ ପଡିଛି ବୋଲି କହିବାରେ କୌଣସି ଯଥାର୍ଥତା ନାହିଁ । ବୌଦ୍ଧଧର୍ମ ଓ ଜୈନଧର୍ମ ଉପରେ ହିନ୍ଦୁଧର୍ମର ଯଥେଷ୍ଟ ପ୍ରଭାବ ପଡ଼ିଛି (୩୨) । ଫାହିୟାନଙ୍କ ପାଟଳୀପୁତ୍ରରେ ହୋଇଥିବା ବୌଦ୍ଧ ରଥଯାତ୍ରାର ବିବରଣୀ ସହିତ ପୁରୀ ରଥଯାତ୍ରାର ମେଳ ହେଉନାହିଁ । ନେପାଳରେ ଅନୁଷ୍ଠିତ ବୌଦ୍ଧ ପର୍ବ ହିନ୍ଦୁପର୍ବରୁ ଗୃହୀତ ।

 In sketches from Nepal by Old-fields, he observes that the Buddhist festival is evidently adopted from the Hindu festival of Jagannath. The Kumari represents their sister Subhadra. In the memories of Haaretta Caraeiolo, she wrote about the car festival at Sicily observing that the


୩୧. ସମ୍ୱାଦ, ତା. ୨୨-୯-୨୦୧୦

୩୨. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା- ଡକ୍ଟର ବାସୁଦେବ ସାହୁ

functions recall to the mind the famed car festival of Jagannath. The description of the car festival at Pataliputra, as given by Fahian in the travels, does not correspond to the Rath Jatra at Puri (୩୩)

 ରାଜେନ୍ଦ୍ରଲାଲ ମିତ୍ର କହିଛନ୍ତି ଯେ ପୁରୀ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତିିଙ୍କ ଅସମ୍ପୂର୍ଣ୍ଣ ଅବସ୍ଥାର କାରଣ ସମ୍ୱନ୍ଧରେ ଯେଉଁ କିମ୍ୱଦନ୍ତୀ ଶୁଣାଯାଏ, ତାହା ସହିତ ବୁଦ୍ଧଗୟାର ବୁଦ୍ଧଙ୍କ ମୂର୍ତ୍ତିର ଅସମ୍ପୂର୍ଣ୍ଣ ଅବସ୍ଥାର କିମ୍ୱଦନ୍ତୀର ମେଳ ରହିଛି । ସପ୍ତମ ଶତାବ୍ଦୀରେ ହୁଏନ୍‍ସାଂ ଏହି କିମ୍ୱଦନ୍ତୀ ସମ୍ପର୍କରେ ଲେଖିଛନ୍ତି । ବୁଦ୍ଧଗୟାରେ ମନ୍ଦିର ନିର୍ମିତ ହୋଇସାରିବା ପରେ ତଥାଗତ(ବୁଦ୍ଧ)ଙ୍କ ବୁଦ୍ଧତ୍ୱ ପ୍ରାପ୍ତି ସମୟର ଅବସ୍ଥାର ଏକ ମୂର୍ତ୍ତିି ଗଠନ କରିବାପାଇଁ କୌଣସି ଶିଳ୍ପୀ ସକ୍ଷମ ହେଲେ ନାହିଁ । ଶେଷରେ ଜଣେ ବ୍ରାହ୍ମଣ ଏହି ମୂର୍ତ୍ତିି ଗଠନପାଇଁ ଆଗଭର ହେଲେ । ତାଙ୍କର ସର୍ତ୍ତ ଥିଲା, ସେ ରୁଦ୍ଧ ବିହାର ମଧ୍ୟରେ ରହି ମୂର୍ତ୍ତିିଗଠନ କରିବେ ଏବଂ ଛଅ ମାସ ପୂର୍ବରୁ ଦ୍ୱାର କବାଟ କେହି ଖୋଲିବେ ନାହିଁ । କିନ୍ତୁ ବୌଦ୍ଧଭିକ୍ଷୁମାନେ ଛଅ ମାସ ପୂର୍ଣ୍ଣ ହେବା ପୂର୍ବରୁ ଦ୍ୱାର ଖୋଲିଦେଲେ ଓ ଦେଖିଲେ ଯେ ବିହାରର ମଧ୍ୟସ୍ଥଳରେ ବୁଦ୍ଧଦେବ ଧ୍ୟାନସ୍ଥ ଅବସ୍ଥାରେ ହାତ ଉପରେ ହାତ ରଖିଛନ୍ତି, କିନ୍ତୁ ତାଙ୍କର ବକ୍ଷସ୍ଥଳର ବାମ ଭାଗଟି ପୂର୍ଣ୍ଣ ଭାବରେ ଗଠିତ ହୋଇନାହିଁ । ବ୍ରାହ୍ମଣ ଶିଳ୍ପୀ ଉଭାନ ହୋଇଯାଇଛନ୍ତି । ରାଜେନ୍ଦ୍ରଲାଲଙ୍କ ମତାନୁସାରେ କିମ୍ୱଦନ୍ତୀର ଏହି ସାମଞ୍ଜସ୍ୟ, ଜଗନ୍ନାଥ ଯେ ବୁଦ୍ଧମୂର୍ତ୍ତିି ଏହାର ଅନ୍ୟତମ ପ୍ରମାଣ । କିନ୍ତୁ ଏହି କିମ୍ୱଦନ୍ତୀ ହିନ୍ଦୁ କିମ୍ୱଦନ୍ତୀର ଅନୁକରଣରେ ହୋଇନଥିବ ଭାବିବା ମଧ୍ୟ ଅଯୌକ୍ତିକ ହେବ । ସମଗ୍ର ବୌଦ୍ଧଶାସ୍ତ୍ରରେ; ହିନ୍ଦୁଶାସ୍ତ୍ରର, ହିନ୍ଦୁ ଦେବଦେବୀଙ୍କର ଅନେକ ଅନୁକରଣ ଦେଖାଯାଏ । ସୁତରାଂ ବୁଦ୍ଧଗୟାର କିମ୍ୱଦନ୍ତୀଟି ପୁରୀ କିମ୍ୱଦନ୍ତୀ ଅନୁକରଣରେ ସୃଷ୍ଟି ହୋଇଥିବା ଅସମ୍ଭବ ନୁହେଁ (୩୪)

 ସ୍ୱାମୀ ଅଭେଦାନନ୍ଦଙ୍କ କାଶ୍ମିର ଓ ତିବ୍ବତ ପରିଭ୍ରମଣ ପୁସ୍ତକରେ ଲେଖାଅଛି ଯେ, ତିବ୍ବତର ଲାସାରେ ଜିଖାଙ୍ଗ (Jekhang) ନାମକ ଏକ ପ୍ରାଚୀନ ମନ୍ଦିରରେ ଏକ ଅଷ୍ଟଧାତୁର ବୁଦ୍ଧମୂର୍ତ୍ତିି ବିରାଜିତ । କିମ୍ୱଦନ୍ତୀ ଅନୁସାରେ ଗୌତମବୁଦ୍ଧଙ୍କ ଜୀବନକାଳରେ ଏହି ବୁଦ୍ଧମୂର୍ତ୍ତିି ମଗଧରେ ନିର୍ମିତ ହୋଇଥିଲା । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ଏହି ମୂର୍ତ୍ତିି ନିର୍ମାଣ କରିଥିଲେ (୩୫) । ଏହି କିମ୍ୱଦନ୍ତୀ ଉପରେ ହିନ୍ଦୁ ପୁରାଣର ପ୍ରଭାବ ଲକ୍ଷ୍ୟ କରାଯାଏ ।

 ୫) ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଜାତି, ବର୍ଣ୍ଣର ଭେଦଭାବ ନାହିଁ । ଏହା ବୌଦ୍ଧତନ୍ତ୍ରର ପ୍ରଭାବ ବୋଲି କୁହାଯାଇଛି । କିନ୍ତୁ ମୂଳ ବୌଦ୍ଧଧର୍ମରେ ମୂର୍ତ୍ତିିପୂଜା ନଥିଲା କି ତନ୍ତ୍ର ପ୍ରବେଶ କରିନଥିଲା । ଖ୍ରୀଷ୍ଟୀୟ ସପ୍ତମ/ଅଷ୍ଟମ ଶତାବ୍ଦୀରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କଲା । ମହାଯାନପନ୍ଥୀ ବୌଦ୍ଧମାନେ ବୌଦ୍ଧଧର୍ମର ମୂଳ ଦର୍ଶନକୁ ଉପେକ୍ଷା କରି ହିନ୍ଦୁଧର୍ମର ତାନ୍ତ୍ରିକ


୩୩. Report of the Special Officer under the Puri Shri Jagannath Temple (Administration) Act.1952

୩୪. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ

୩୫. Swami Abhedananda's journey into Kashmir and Tibet- May 2001 Edition

ପୂଜାପଦ୍ଧତି ବୌଦ୍ଧଧର୍ମରେ ପୂରାଇଲେ (୩୬) । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କାହିଁକି କୁହାଯାଏ, ସେଥିନେଇ ବହୁତ ତାତ୍ତ୍ୱିକ ଅର୍ଥ ଅଛି । ଗୋଟିଏ ଅର୍ଥ ହେଲା ସ୍ୱାମୀ ନିଗମାନନ୍ଦଙ୍କ ଭାଷାରେ-ପରଂବ୍ରହ୍ମଙ୍କପୁ ପୂଜାରେ ବ୍ରହ୍ମାର୍ପିତ ବସ୍ତୁ ମହାପବିତ୍ରକାରୀ ଏବଂ ବ୍ରହ୍ମ ନିବେଦିତ ବସ୍ତ ଭୋଜନକାଳରେ ବ୍ରାହ୍ମଣାଦି ବର୍ଣ୍ଣର ବିଚାର ନାହିଁ, ଉଚ୍ଛିଷ୍ଟ ବିଚାର ମଧ୍ୟ ନାହିଁ । ଏଥିରେ କାଳାକାଳ ବା ଶୌଚାଶୌଚର ବିଚାର ମଧ୍ୟ ନାହିଁ (୩୭) । ସେହିପରି ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମା ସହିତ ତାନ୍ତ୍ରିକ ବୌଦ୍ଧଧର୍ମର ସମ୍ପର୍କ ନାହିଁ । ଶ୍ରୀମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିି ପ୍ରତୀକ ବିଗ୍ରହ । ବିଗ୍ରହ ତତ୍ତ୍ୱ ସମ୍ପର୍କରେ ବହୁତ ପ୍ରକାର ବ୍ୟାଖ୍ୟା କରାଯାଇଛି । ଆଦିବାସୀଙ୍କର ସ୍ତମ୍ଭପୂଜାରୁ ଜଗନ୍ନାଥ ଯଦି କାଳକ୍ରମେ ସୃଷ୍ଟି ହୋଇଛନ୍ତି ବୋଲି ବିଚାର କରାଯାଏ, ତେବେ ସେ ବୈଦିକ ଯୂପ ପୂଜାର କ୍ରମପରିଣତି କାହିଁକି ନହେବେ ବୋଲି ଡକ୍ଟର ଗୋପୀନାଥ ମହାପାତ୍ର ପ୍ରଶ୍ନ କରିଛନ୍ତି । କୃଷ୍ଣ,ବଳରାମ, ଏକାନଂସା ପୂରାପୂରି ବିଗ୍ରହ ମୂର୍ତ୍ତିି ହେଲାବେଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ହେଉଛନ୍ତି ପ୍ରତୀକ ମୂର୍ତ୍ତିି । ଏଥିରେ ରହିଛି ଅରୂପରେ ସରୂପ ଭାବ ବା ବ୍ରହ୍ମଭାବର ଦାର୍ଶନିକ ଚିନ୍ତା । ଏହି ଭାବନାରେ ରୂପାୟିତ ହୋଇ ଏମାନେ ଦାରୁବ୍ରହ୍ମ ହୋଇଛନ୍ତି (୩୮) । ତାମିଲାଡୁରେ କିଛି ଲୋକ, ସାଧାରଣତଃ ବନିୟାରମାନେ, ବିଷ୍ଣୁଙ୍କୁ ପେରୁମଲ ଭାବରେ ଏକ ପ୍ରସ୍ତର ବା କାଷ୍ଠ ନିର୍ମିତ ସ୍ତମ୍ଭ ରୂପରେ ପୂଜା କରିଥାନ୍ତି (୩୯)

 ପ୍ରାଚୀନ କାଳରେ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପୂର୍ବରୁ, ବର୍ମାର ପୁରାତନ ସହର 'ପ୍ରୋମ୍‍'କୁ ଶ୍ରୀକ୍ଷେତ୍ର କୁହାଯାଉଥିଲା । ବୁଦ୍ଧମନ୍ଦିର, ସିଭଜିଗାନ ପାଗୋଡ଼ା (Shwezigon Pagoda)ର ଶିଳାଲେଖରେ ପ୍ରୋମ୍‍କୁ ଶ୍ରୀକ୍ଷେତ୍ର ବୋଲି ଉଲ୍ଲେଖ କରାଯାଇଛି । ଏହି ଶ୍ରୀକ୍ଷେତ୍ରର ବାସିନ୍ଦାମାନେ ପ୍ୟୁ ନାମରେ ପରିଚିତ ଥିଲେ । ଏମାନେ କେଉଁ ଜାତିର ଲୋକ ତାହା ନିଶ୍ଚିତ ରୂପେ ଜଣାପଡ଼ି ନାହିଁ । ସେମାନେ ତିବ୍ବତୀୟ ହୋଇଥିବା ସମ୍ଭବ । ପ୍ୟୁମାନେ ବୌଦ୍ଧଧର୍ମାବଲମ୍ୱୀ ହେଲେହେଁ ସେମାନଙ୍କର ରାଜଧାନୀ ଶ୍ରୀକ୍ଷେତ୍ର ଓଡ଼ିଶାର ସୁପ୍ରସିଦ୍ଧ କ୍ଷେତ୍ର (ପୁରୁଷୋତ୍ତମ ପୁରୀ) ନାମରୁ ହୋଇଥିବା ଅନୁମିତ ହୁଏ । ଉକ୍ତ ପାଗୋଡ଼ାରୁ ମିଳିଥିବା ଏକ ଅଭିଲେଖରୁ ଜଣାଯାଏ ଯେ, ବୁଦ୍ଧ ସେହି ସହରର ପରିଚୟ ଦେବାକୁ ଯାଇ ଶିଷ୍ୟ ଆନନ୍ଦଙ୍କୁ କହିଛନ୍ତି- ତାହା ଏକ ପ୍ରାଚୀନ ସହର ଏବଂ ତାହାକୁ ବିଷ୍ଣୁ ନିଜେ ଦେବରାଜ ଇନ୍ଦ୍ର ଓ ବିଶ୍ୱକର୍ମାଙ୍କ ସାହାଯ୍ୟରେ ନିର୍ମାଣ କରିଥିଲେ । ବିଷ୍ଣୁଙ୍କଦ୍ୱାରା ସ୍ଥାପିତ ଶ୍ରୀକ୍ଷେତ୍ର, ଓଡ଼ିଶାର ସୁପ୍ରସିଦ୍ଧ ଶ୍ରୀକ୍ଷେତ୍ରରୁ ନାମିତ ହୋଇଥିବା ବିଶେଷ ସମ୍ଭାବନା (୪୦)


୩୬. ଓଡ଼ିଶାର ପଶ୍ଚିମାଞ୍ଚଳର ବୌଦ୍ଧ ପରମ୍ପରା- ଭକ୍ତପୂର ସାହୁ, ଝଙ୍କାର, ମାର୍ଚ୍ଚ ୧୯୮୭

୩୭. ତାନ୍ତ୍ରିକ ଗୁରୁ- ସ୍ୱାମୀ ନିଗମାନନ୍ଦ

୩୮. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

୩୯. ଦକ୍ଷିଣ ଭାରତରେ ଦେବଦେବୀ ସଂସ୍କୃତି- ଅଧ୍ୟାପକ ଅରବିନ୍ଦ ଶତପଥୀ । ନିୟତି, ଅକ୍ଟୋବର, ୨୦୦୯

୪୦. ଓଡ଼ିଆ ଜାତିର ଇତିହାସ- ଡକ୍ଟର ନବୀନ କୁମାର ସାହୁ, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୭୪

 ପୁରୀ ସମ ଏକ ସହର ଶ୍ରୀକ୍ଷେତ୍ର, ଭାରତ ବାହାରେ ନିର୍ମାଣ କରାଇବା ଅଭିପ୍ରାୟ ବୁଦ୍ଧଦେବ ଘୋଷଣା କରିିଥିବା ଏହି ଶିଳାଲେଖରୁ ଜଣାଯାଏ । ବୁଦ୍ଧଦେବଙ୍କ ଆବିର୍ଭାବ ପୂର୍ବରୁ ପୁରୀ 'ଶ୍ରୀକ୍ଷେତ୍ର' ନାମରେ ଯଶଲାଭ କରିିଥିବା ଅନୁମାନ କରାଯାଏ (୪୧)

 ଏଭଳି ବହୁ ସପକ୍ଷ ଓ ବିପକ୍ଷ ଯୁକ୍ତି ସତ୍ତ୍ୱେ ଜଗନ୍ନାଥ ଓ ବୁଦ୍ଧଙ୍କୁ ଏକ ଓ ସର୍ବସମ ବିବେଚନା କରାଯାଉଛି । ଦ୍ୱାଦଶ ଶତାବ୍ଦୀର ବିଶ୍ୱବିଖ୍ୟାତ କବି ଜୟଦେବ ତାଙ୍କ ସୁପ୍ରସିଦ୍ଧ ରଚନା 'ଗୀତଗୋବିନ୍ଦ'ରେ ଜଗନ୍ନାଥଙ୍କୁ 'ବୁଦ୍ଧଶରୀର' ରୂପେ ବନ୍ଦନା କରିଛନ୍ତି:

"କେଶବଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ ।"

 ଓଡ଼ିଆ ଭକ୍ତକବି, ଯଥା- ସାରଳା ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଖର ଦାସ, ଯଶୋବନ୍ତ ଦାସ, ଦ୍ୱାରକା ଦାସ ପ୍ରମୁଖ ମଧ୍ୟ ଜଗନ୍ନାଥଙ୍କୁ ବୌଦ୍ଧାବତାର ରୂପେ ବର୍ଣ୍ଣନା କରିଛନ୍ତି ।

ସାରଳା ଦାସ ଲେଖିଛନ୍ତି:

"ପୁରୁଷୋତ୍ତମ ନଗର ମହୋଦଧି ତୀରେ

ନୀଳଗିରି ପରବତ ଅଛି ତା' ସ୍ଥାନରେ ।

ଦେଉଳ ଭିତରେ ସିଂହାସନେ ବିଜେ ହୋଇ

ବୌଦ୍ଧ ରୂପରେ ପ୍ରଭୁ ଶଙ୍ଖ ଚକ୍ର ବହି ।" (ମହାଭାରତ)

"ସେ ଜଗନ୍ନାଥ ଯେ ସଂସାର ଉଦ୍ଧାରଣ

ମ୍ଳେଚ୍ଛଜନ ଉଦ୍ଧାରଣେ ସେ ବଉଦ ରୂପେଣ ।" (ମହାଭାରତ)

ସେହିପରି ଅଚ୍ୟୁତାନନ୍ଦ ଦାସ (୧୬ଶ ଶତାବ୍ଦୀ) ଲେଖିଛନ୍ତି:

"ଶ୍ରୀନୀଳକନ୍ଦରେ ବିଜେ କରିଅଛ ବଉଧ ରୂପ ବହିଛ

ଭକତ ନିମନ୍ତେ ତୁମ୍ଭର ଏ ସବୁ ଭିଆଣ ପ୍ରଭୁ ଶ୍ରୀବତ୍ସ ।" (ଗରୁଡ଼ ଗୀତା)

 ବୌଦ୍ଧରୂପୀ ହେଲେ ମଧ୍ୟ ପୁରୁଷୋତ୍ତମ- ଜଗନ୍ନାଥ ସର୍ବ ଅବତାରର ମୂଳ ବୋଲି ଅଚ୍ୟୁତାନନ୍ଦ କହିଛନ୍ତି :

 "ଅବତାର ଦଶ ଏହି ଦାରୁରୂପ ଏହି ଦାରୁରେ ସେ ଲୀନ,

 ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ ବିଜେ ରତ୍ନ ସିଂହାସନ ।" (ଶୂନ୍ୟ ସଂହିତା)

 ଗରୁଡ଼ ଖମ୍ୱର ଦକ୍ଷିଣପାର୍ଶ୍ୱ ଜଗମୋହନ କାନ୍ଥରେ ଦଶ ଅବତାର ପ୍ରତିମାମାନଙ୍କ ମଧ୍ୟରେ ବୁଦ୍ଧଙ୍କ ସ୍ଥାନ (ନବମ ସ୍ଥାନ)ରେ ଜଗନ୍ନାଥଙ୍କ ପ୍ରତିମା ଶୋଭା ପାଉଅଛି । ସେହିପରି ପୂର୍ବ ଦ୍ୱାର ବା ସିଂହଦ୍ୱାର ଶୀର୍ଷରେ ମଧ୍ୟ ବୁଦ୍ଧଙ୍କ ପରିବର୍ତ୍ତେ ଜଗନ୍ନାଥ ରହିଛନ୍ତି । ଏଥିରୁ ବୁଦ୍ଧ ଓ ଜଗନ୍ନାଥଙ୍କ ଅଭିନ୍ନତା ସୂଚିତ ହେଉଛି ।

 ଋଷଭ ଦେବ ଓ ବୁଦ୍ଧଦେବଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ସମୀକରଣ କରାଯାଇଛି । ଜୈନଧର୍ମ, ବୌଦ୍ଧଧର୍ମ ଓ ଶିଖଧର୍ମକୁ ହିନ୍ଦୁଧର୍ମ ସହିତ ସମାନ ମନେ କରାଯାଇଛି । କେତେକ ସୀମାବଦ୍ଧତା ଥାଇ ଏହି ଧର୍ମାବଲମ୍ୱୀମାନେ ଅବାଧରେ ଶ୍ରୀମନ୍ଦିରକୁ ଦର୍ଶନପାଇଁ ଯାଇ ପାରୁଛନ୍ତି ।


୪୧. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

 ପ୍ରଫେସର ଗୋପୀନାଥ ମହାପାତ୍ର କହନ୍ତି : "ଜଗନ୍ନାଥଙ୍କ ଉପରେ ଯେତେବେଳେ ଯେଉଁ ମତବାଦୀ ଦୃଷ୍ଟି ନିକ୍ଷେପ କରିଛନ୍ତି, ଜଗନ୍ନାଥ ସେମାନଙ୍କର ନିଜର ହୋଇଛନ୍ତି । ସେହି ଦୃଷ୍ଟିରୁ ବିଚାର କଲେ, ଜଗନ୍ନାଥ ବୌଦ୍ଧଧର୍ମର ଗବେଷକଙ୍କପାଇଁ ସେ ବୌଦ୍ଧ ତ ଜୈନ ମତବାଦୀଙ୍କ ପାଇଁ ଜୈନ । ସେହିଭଳି ନୃତତ୍ତ୍ୱ ଗବେଷକଙ୍କପାଇଁ ଆଦିବାସୀ ଦେବତା ତ ଅନ୍ୟ ଧର୍ମର ଗବେଷକଙ୍କପାଇଁ ସେ ସେହି ଧର୍ମମୂଳକ ଦେବତା ଭାବରେ ଦୃଷ୍ଟିଗୋଚର ହୁଅନ୍ତି । ଯିଏ ଦ୍ୱୈତବାଦୀ, ଜଗନ୍ନାଥ ତାଙ୍କ ଦୃଷ୍ଟିରେ ଦ୍ୱୈତ; ପୁଣି ଅଦ୍ୱୈତବାଦୀଙ୍କ ଦୃଷ୍ଟିରେ ସେ ଅଦ୍ୱୈତ । ବିଶିଷ୍ଟ ଦ୍ୱୈତବାଦୀଙ୍କ ମତରେ ସେ ତଦ୍ରୂପ ; ଆଉ ଶାକ୍ତ ମତରେ ସେ ଦକ୍ଷିଣକାଳିକା । ସେ ପୁଣି ଭୈରବ ଆଉ ବିମଳା ତାଙ୍କର ଭୈରବୀ । ଅତଏବ, ଯିଏ ଯେପରି ତାଙ୍କୁ ପ୍ରଥମରୁ ଭାବି ଗବେଷଣା ଚଳାଇଲା, ତାହା ଦୃଷ୍ଟିରେ ସେ ସେପରି ଦେଖାଯାଆନ୍ତି । 'ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସ୍ତୈଥବ ଭଜାମ୍ୟହଂ (ଗୀତା) ।' ତେଣୁ ସେ ପ୍ରକୃତରେ ଗୀତାର ଭଗବାନ ଯୋଗେଶ୍ୱର ଶ୍ରୀକୃଷ୍ଣ ପୁରୁଷୋତ୍ତମ ।"

ଦାରୁବ୍ରହ୍ମ

 ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିି ଓ ମାଧବ ହେଉଛନ୍ତି ଦାରୁ (ନିମ୍ୱକାଷ୍ଠ) ବିଗ୍ରହ । କିନ୍ତୁ ଶ୍ରୀଜଗନ୍ନାଥ ସାଧାରଣତଃ ଦାରୁବ୍ରହ୍ମ ନାମରେ ପରିଚିତ । 'ଦାରୁବ୍ରହ୍ମ'ର ଏକ ଅର୍ଥ ହେଲା, ଦାରୁ ଦେହରେ ବିରାଜିତ ପରମ ଆତ୍ମା । ଶ୍ରୀଜଗନ୍ନାଥ କାହିଁକି ଦାରୁମୂର୍ତ୍ତି ରୂପେ ବିରାଜମାନ କରିଛନ୍ତି,ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ତା'ର କାରଣ ବ୍ରହ୍ମା ଦେବଗଣଙ୍କୁ କହିଛନ୍ତି :

"ପୂର୍ବେ ପରାର୍ଦ୍ଧେ ଭୋ ଦେବାଃ କ୍ଷେତ୍ରଂ ତତ୍‍ ପୁରୁଷୋତ୍ତମମ୍‍ ।
ନୀଳାଶୃବପୁରାସ୍ଥାୟଚ ତତ୍ୟାଜ ଜନାର୍ଦ୍ଦନଃ ।୪୨ା
ସାମ୍ପ୍ରତଂ ମେ ଦ୍ୱିତୀୟନ୍ତୁ ପରାର୍ଦ୍ଧଂ ସମୁପସ୍ଥିତମ୍‍ ।
ମନୁଃ ସ୍ୱାୟମ୍ଭୁବୋ ନାମ ଶ୍ୱେତ ବାରାହକଳ୍ପକେ ।
ପ୍ରବର୍ତତେଽୟଂ ଲୋକେ ବୈ ପ୍ରାତରଦ୍ୟ ଦିନସ୍ୟଚ ।
ଦାରୁମୂର୍ତ୍ତିିରୟଂ ଦେବୋ ଭୁବନାନାଂ ହି ମଧ୍ୟମେ ।୪୩ା"

 (ହେ ଦେବଗଣ ! ଏଥିପୂର୍ବେ ମୋର ଏକ ପରାର୍ଦ୍ଧକାଳ ବ୍ୟାପୀ ସେହି ପୁରୁଷୋତ୍ତମ କ୍ଷେତ୍ରରେ ଭଗବାନ ଜନାର୍ଦ୍ଦନ ନୀଳକାନ୍ତ ମଣିମୟ ଶରୀର ଅବଲମ୍ୱନ ପୂର୍ବକ ଅବସ୍ଥାନ କରୁଥିଲେ । ବର୍ତ୍ତମାନ ମୋର ଦ୍ୱିତୀୟ ପରାର୍ଦ୍ଧ କାଳ ଉପସ୍ଥିତ । ଏହି ଦିବସର ପ୍ରାତଃକାଳରେ ଶ୍ୱେତବରାହ କଳ୍ପେ ସ୍ୱାୟମ୍ଭୁବ ମନୁ ପ୍ରବର୍ତ୍ତିିତ ହୋଇଛି । ପ୍ରଭୁ ଜନାର୍ଦ୍ଦନ ଏହି ପ୍ରାତଃକାଳରୁ ଭୁବନସ୍ଥ ଭୂଲୋକରେ ଦାରୁମୂର୍ତ୍ତିି ହୋଇ ଅଧିଷ୍ଠିତ ହୋଇଅଛନ୍ତି (୪୨)


୪୨. ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ ବା ଶ୍ରୀ ପୁରୁଷୋତ୍ତମ ମାହାତ୍ମ୍ୟମ୍‍) (ତ୍ରୟୋବିଂଶ ଅଧ୍ୟାୟ) ସଂପାଦନା-ବାବା ଚୈତନ୍ୟ ଚରଣ ଦାସ ।

ଏହି 'ଉତ୍କଳଖଣ୍ଡ'ରେ 'ଦାରୁ'ର ବ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି :

 "ଖଣ୍ଡନାତ୍‍ ସର୍ବଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
 ସ୍ୱଭାବାଦ୍‍ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।" (୨୮-୩୯)

'ଦାରୁ' ଶବ୍ଦ ଦୁଇଟି ଧାତୁରୁ ନିଷ୍ପ‌ନ୍ନ, ଯଥା- 'ଦା' ଧାତୁ ଓ 'ଦୋ' ଧାତୁ । ଏହି ଦୁଇଟି ଧାତୁରେ 'ରୁ' ପ୍ରତ୍ୟୟ ଯୋଗହୋଇ 'ଦାରୁ' ଶବ୍ଦ ହୋଇଛି । ଶୀଳ ବା ସ୍ୱଭାବ ଅର୍ଥରେ 'ରୁ' ପ୍ରତ୍ୟୟ ହୁଏ । 'ଦା'ର ଅର୍ଥ ଦାନ କରିବା, ଏଣୁ ଦାରୁର ଅର୍ଥ ଦାନଶୀଳ । 'ଦୋ' ଧାତୁର ଅର୍ଥ ଖଣ୍ଡନ କରିବା । ଏଣୁ ଦାରୁର ଅନ୍ୟ ଏକ ଅର୍ଥ ଖଣ୍ଡନଶୀଳ । ସୁତରାଂ, ଅଖଣ୍ଡ ଆନନ୍ଦ ଦାନ ଓ ସର୍ବଦୁଃଖ ଖଣ୍ଡ ହେଉଛି ଦାରୁବିଗ୍ରହରୂପୀ ପରଂବ୍ରହ୍ମଙ୍କର ବିଶେଷତ୍ୱ (୪୩)

ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଏକ ଗୋପନୀୟ ବ୍ରହ୍ମ -ପଦାର୍ଥ ରହିଥିବା ଜଣାଯାଏ । ନବ କଳେବର ସମୟରେ ଏହି ବ୍ରହ୍ମ-ପଦାର୍ଥ ନୂତନ ବିଗ୍ରହଙ୍କ ଶ୍ରୀଅଙ୍ଗକୁ ସ୍ଥାନାନ୍ତର କରାଯାଏ । ଦାରୁବିଗ୍ରହ ଦେହରେ 'ବ୍ରହ୍ମ-ପଦାର୍ଥ' ଥିବାରୁ ବିଗ୍ରହଙ୍କୁ ଦାରୁବ୍ରହ୍ମ କୁହାଯାଏ ବୋଲି କେହି କେହି କହନ୍ତି । ଜଣାଯାଏ ଯେ, ରତ୍ନବେଦୀସ୍ଥ ଅନ୍ୟାନ୍ୟ ଦାରୁବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ମଧ୍ୟ 'ବ୍ରହ୍ମ ପଦାର୍ଥ' ରହିଅଛି । ବାବା ଚୈତନ୍ୟଚରଣ କହନ୍ତି- "ଏଥିରୁ ଜଣାଯାଉଛି ଯେ, ମୂର୍ତ୍ତିି (ଦାରୁ) ହେଉଛି ଶରୀର ଏବଂ ବ୍ରହ୍ମ ହେଉଛି ଆତ୍ମା । ସାଧାରଣ ଜୀବମାନଙ୍କ ଭଳି ତହିଁରେ ଦେହ-ଦେହୀ ଭେଦ ଅଛି । କିନ୍ତୁ ବ୍ରହ୍ମପୁରାଣ, ପଦ୍ମପୁରାଣ ଓ ସ୍କନ୍ଦପୁରାଣରେ ଏ ପ୍ରଥାର କୌଣସି ସୂଚନା ନାହିଁ । ଯଦି ଦାରୁ ଜଡ଼, ବ୍ରହ୍ମ ଚେତନ, ତା'ହେଲେ ବୃକ୍ଷରେ ଶଙ୍ଖ, ଚକ୍ର ଚିହ୍ନ ଏବଂ ଏତେ ସତ୍‍ ଲକ୍ଷଣ ରହିଲା କିପରି ? ସର୍ବୋପରି ମା' ମଙ୍ଗଳାଙ୍କ ନିର୍ଦ୍ଦେଶର ମହତ୍ତ୍ୱ ରହିଲା କେଉଁଠି ? ଏଣୁ ସ୍କନ୍ଦ ପୁରାଣରେ କୁହାଯାଇଛି- 'ଦାରୁ ଏବ ବ୍ରହ୍ମ' । ଅର୍ଥାତ୍‍ ସେହି ଦାରୁ ହିଁ ବ୍ରହ୍ମ । ଶ୍ରୀମନ୍ଦିର ଭିତରେ କାଳକ୍ରମେ ବହୁ ସନ୍ଥ, ମହାପୁରୁଷ ଓ ରାଜା, ମହାରାଜା ନିଜ ନିଜ ଇଷ୍ଟ ନିଷ୍ଠାର ପରିପ୍ରକାଶ ପାଇଁ ଅନେକ ମତ ଓ ପଥର ସଂଯୋଗ କରିଛନ୍ତି । ଏହି ବ୍ରହ୍ମ ସ୍ଥାପନ ମଧ୍ୟ ପରବର୍ତ୍ତୀ ସଂଯୋଗ ବୋଲି ମନେହୁଏ (୪୪) ।"

 'ନୀଳାଦ୍ରି ମହୋଦୟଃ'ରେ ବ୍ରହ୍ମା କହିଛନ୍ତି :
 ଦାରୁବ୍ରହ୍ମ ନିରାକାରଂ ନିର୍ଗୁଣଂ ନିର୍ବିକାରକମ୍‍ ।
 ନିଶ୍ଚେଷ୍ଟଂ ସର୍ବତୋବ୍ୟାପ୍ତଂ ଭାବାଭାବ ବିବର୍ଜିତମ୍‍ ।। ୬୨ ।।
 ଉପଚାରାଂଶ୍ଚ ତାନ୍‍ ସର୍ବାନ୍‍ ଦାତୁଂ ଚ ତରସା ମୁନେ ।
 ସଗୁଣଂ ବ୍ରହ୍ମଣୋରୂପଂ ଭାବୟିତ୍ୱାତ୍ମଜୋତ୍ତମ ।। ୬୩ ।। (ଷଷ୍ଠ ଅଧ୍ୟାୟ)


୪୩. ଶ୍ରୀପୁରୁଷୋତ୍ତମ ରହସ୍ୟ- ବାବା ଚୈତନ୍ୟ ଚରଣ ଦାସ, ୧ମ ସଂସ୍କରଣ, ୨୦୦୩

୪୪. ତତ୍ରୈବ

 ନିରାକାର, ନିର୍ଗୁଣ, ନିର୍ବିକାର, ନିଶ୍ଚେଷ୍ଟ ଭାବ ଓ ଅଭାବରହିତ ପରବ୍ରହ୍ମଙ୍କୁ ସଗୁଣ କରିବା ଉଦ୍ଦେଶ୍ୟରେ ଦାରୁବ୍ରହ୍ମ ଭାବରେ ଆବାହନ କରି ତାଙ୍କର ନାନା ଉପଚାରମାନ ବ୍ୟବସ୍ଥା କରିଅଛି (୪୫)

 ଦାରୁବିଗ୍ରହ ହେବା ପୂର୍ବରୁ ଶ୍ରୀମନ୍ଦିରରେ ପାଷାଣ ବିଗ୍ରହ ଥିଲେ; ଅର୍ଥାତ୍‍ ପ୍ରଥମେ ଥିଲେ ଶିଳାବ୍ରହ୍ମ, ତା'ପରେ ଦାରୁବ୍ରହ୍ମ ପ୍ରତିଷ୍ଠିତ ହେଲେ ବୋଲି ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟରର ଗୋପୀନାଥ ମହାପାତ୍ର ପ୍ରମୁଖ କହିଛନ୍ତି । ଅବଶ୍ୟ ସ୍କନ୍ଦ ପୁରାଣରୁ ମଧ୍ୟ ଏହା ଜଣାଯାଏ । ରାଜଗୁରୁ ଲେଖିଛନ୍ତି- "ଶ୍ରୀନୃସିଂହ ମନ୍ଦିରରୁ ଆବିଷ୍କୃତ ଏକ ଶିଳାଲେଖରୁ ଜଣାଯାଇଛି ଯେ, ପ୍ରାୟ ୧୧୫୦ ଖ୍ରୀଷ୍ଟାବ୍ଦ କିମ୍ୱା ତତ୍‍ପୂର୍ବରୁ ତଥାକଥିତ ନୃସିଂହ ମନ୍ଦିରରେ ଶ୍ରୀପୁରୁଷୋତ୍ତମ, ବଳଭଦ୍ର ଓ ସୁଭଦ୍ରା ତିନିମୂର୍ତ୍ତିିଙ୍କୁ ସ୍ଥାପନ କରାଯାଇଥିଲା ଓ ସେହି ମୂର୍ତ୍ତିିମାନଙ୍କୁ 'ଶିଳ୍ପଶାସ୍ତ୍ର'ର ପଦ୍ଧତି ଅନୁସାରେ ଗଠନ କରାଯାଇ ଶ୍ରୀମନ୍ଦିରରେ ସ୍ଥାପନ କରାଯାଇଥିଲା । ତେଣୁ ଶ୍ରୀପୁରୁଷୋତ୍ତମଙ୍କର ମୂର୍ତ୍ତିି ଶାସ୍ତ୍ରୀୟ ମାଧବ ମୂର୍ତ୍ତିିଙ୍କ ପରି ଚତୁର୍ଭୁଜସମ୍ପନ୍ନ ପ୍ରସ୍ତରରେ ଗଠିତ ହୋଇଥିବା ସମ୍ଭବ । ବଳଭଦ୍ର ଓ ସୁଭଦ୍ରା ମଧ୍ୟ ହସ୍ତପଦ ଯୁକ୍ତ ପ୍ରସ୍ତରମୂର୍ତ୍ତିି ହୋଇଥିଲେ । ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ କାଳରେ ଯେଉଁ ମୂର୍ତ୍ତିିମାନ ଗଠିତ ହୋଇ ନୃସିଂହ ମନ୍ଦିରରେ ସ୍ଥାପିତ ହୋଇଥିଲେ, ସେପରି ପ୍ରସ୍ତର ମୂର୍ତ୍ତିି ହିଁ ମହାରାଜା ଅନଙ୍ଗ ଭୀମ ଦେବ(୩ୟ) ୧୨୩୦ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର (ବଡ଼ଦେଉଳ) ପ୍ରତିଷ୍ଠାବେଳେ ସେଥିରେ ସ୍ଥାପନ କରିଥିଲେ"(୪୬) । ଅନଙ୍ଗଭୀମ ଦେବଙ୍କ ପୁତ୍ର ନରସିଂହ ଦେବ (୧ମ)ଙ୍କ ସମୟରେ ବଙ୍ଗର ମୁସଲମାନ ସୁଲତାନମାନେ ଓଡ଼ିଶା ଆକ୍ରମଣ କରିବାକୁ ବାରମ୍ୱାର ଚେଷ୍ଟା କରୁଥାନ୍ତି । ସେମାନଙ୍କର ଯୁଦ୍ଧ ନୀତି ଦୃଷ୍ଟିରୁ ଓଡ଼ିଶାର ହିନ୍ଦୁ ଖଣ୍ଡାୟତ ସୈନ୍ୟମାନେ ପ୍ରତିଆକ୍ରମଣ କରିବା ସମ୍ଭବ ହୋଇନଥିଲା । କାରଣ ଆଉରଙ୍ଗଜେବ ଯେପରି ଶିବାଜୀଙ୍କ ବିପକ୍ଷରେ ଯୁଦ୍ଧ କରୁଥିବାବେଳେ ହିନ୍ଦୁ ସୈନ୍ୟମାନଙ୍କୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଗୋରୁପଲକୁ ଆଗରେ ରଖି ମୁସଲମାନ ସୈନ୍ୟଙ୍କ ସହିତ ପଛରେ ଥାଇ ଯୁଦ୍ଧ କରୁଥିଲେ, ଠିକ୍‍ ସେହିପରି ବଙ୍ଗର ମୁସଲମାନମାନେ ଉତ୍କଳ ଜୟ କରିବାକୁ ଗୋରୁପଲ ବ୍ୟବହାର କରିଥିବା ସମ୍ଭବ । ତେଣୁ ଉତ୍କଳର ଧର୍ମଭୀରୁ ଖଣ୍ଡାୟତ ସୈନ୍ୟମାନେ ପଶ୍ଚାତ୍‍ପଦ ହୋଇ ଯୁଦ୍ଧ କ୍ଷେତ୍ରରେ ଅସ୍ତ୍ରତ୍ୟାଗ କରିଥିବା ସମ୍ଭବ । ନରସିଂହ ଦେବ ନିଜ ଗୁରୁଙ୍କ ପରାମର୍ଶ କ୍ରମେ ଶବରମାନଙ୍କୁ ଅଣାଇ ସେମାନଙ୍କୁ ନିଜ ସୈନ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କଲେ । ସେମାନଙ୍କର ଉପସ୍ଥିତି ହେତୁ ମୁସଲମାନଙ୍କ ଯୁଦ୍ଧ କୌଶଳ ହାର ମାନିଲା । ଉତ୍କଳର ସୈନ୍ୟ ସେତେବେଳେ ବଙ୍ଗର ଲକ୍ଷଣାବତୀ ପର୍ଯ୍ୟନ୍ତ ଅସ୍ତ୍ରଚାଳନା କରିବାକୁ ସମର୍ଥ ହୋଇପାରିଥିଲେ । ଶବରମାନଙ୍କ ଦେବତାଙ୍କୁ ଆରାଧନା କରିବାପାଇଁ ସେମାନଙ୍କର ପ୍ରବଳ


୪୫. ନୀଳାଦ୍ରି ମହୋଦୟଃ (ସଂ) ଡକ୍ଟର ବ୍ରଜକିଶୋର ସ୍ୱାଇଁ, ସଦ୍‍ଗ୍ରନ୍ଥ ନିକେତନ, ପୁରୀ, ପ୍ରଥମ ସଂସ୍କରଣ, ୨୦୦୦

୪୬. ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର - ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଓ.ସା.ଏ, ୧୯୯୬

(ପୃଷ୍ଠା-୫୮-୫୯)

ଇଚ୍ଛା ହେତୁ ପ୍ରସ୍ତରମୂର୍ତ୍ତିିଙ୍କୁ ଶ୍ରୀମନ୍ଦିରରୁ ବାହାର କରି ଆଦିବାସୀ ପୂଜିତ ଦେବତାଙ୍କ ସ୍ୱରୂପରେ ଦାରୁ ମୂର୍ତ୍ତିି ସ୍ଥାପନ କରାଗଲା (୪୭)

 ରାଜଗୁରୁଙ୍କ ଏହି ମତ କେତେଦୂର ଯଥାର୍ଥ ତାହା ଗବେଷଣାସାପେକ୍ଷ । ଏଠାରେ ଗୋଟିଏ ସାଦୃଶ୍ୟକୁ ଉପସ୍ଥାପନ କରାଯାଉଛି । ମିଶର ଦେଶର ପ୍ରାଚୀନ ଇତିହାସରୁ ଜଣାଯାଏ ଯେ, ଖ୍ରୀଷ୍ଟପୂର୍ବ ତିିନିହଜାର ବର୍ଷ ବେଳକୁ ମିଶରରେ ପ୍ରଥମ ରାଜବଂଶ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମ ରାଜବଂଶର ପ୍ରଥମ ରାଜାଙ୍କ ନାମ ଥିଲା ମିିନିଜ୍‍ (Menes) ବା ହା (Aha) । ତାଙ୍କର ରାଜଧାନୀ ଥିଲା ମେମ୍‍ଫିସ୍‍ (Memphis) ସହର । ଏହା ଥିଲା ପ୍ରାଚୀନ ମିଶରର ଏକ ପ୍ରମୁଖ ଧର୍ମପୀଠ । ମିଶରରେ ଅନେକ ଦେବଦେବୀଙ୍କ ମଧ୍ୟରୁ ପ୍ରଧାନ ଦେବତା ଥିଲେ ଟାହା (ptah) । ରାଜା ମିିଜ୍‍ ଟାହାଙ୍କ ପାଇଁ ମେମ୍‍ଫିସ୍‍ରେ ଏକ ବିରାଟ ମନ୍ଦିର ନିର୍ମାଣ କରିଥିଲେ; ଯାହାକି ମିଶରର ସର୍ବପ୍ରାଚୀନ ମନ୍ଦିରର ମାନ୍ୟତା ପାଇଥିଲା । ଟାହା ଥିଲେ ବିଶ୍ୱ କାରିଗରୀ, ନ୍ୟାୟ, ଦର୍ଶନ ଓ କଳାର ଦେବତା । ପ୍ରାଚୀନ ମିଶରର ଏହି ପରମ ପିତା ଦେବତା ଥିଲେ ଆଦିବାସୀ ଦେବତା । ପ୍ରାକ୍‍ ରାଜବଂଶ କାଳରେ ଦକ୍ଷିଣ ପାଲେଷ୍ଟାଇନ୍‍ର ଆଦିବାସୀମାନେ ତାଙ୍କୁ ପର୍ବତ ଗୁହାରେ ରଖି ପୂଜା କରୁଥିଲେ । ମେମ୍‍ଫିସ୍‍ର ସୈନ୍ୟମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ଆମନ୍ତ୍ରିତ ହୋଇ ଦକ୍ଷିଣ ପାଲେଷ୍ଟାଇନରୁ ଗୁହାବାସୀ ଆଦିବାସୀମାନେ ସେମାନଙ୍କର ଟାହା ଦେବତାଙ୍କୁ ସଙ୍ଗରେ ଆଣି ମିଶରକୁ ଆସିଥିଲେ । ପରେ ଟାହା ହୋଇଗଲେ ମିଶରର ଇଷ୍ଟ ଦେବତା । କେତେ କାଳ ପରେ ଟାହା ଏକ ମିଶ୍ର ଦେବତା ଭାବରେ ପରିଣତ ହୋଇଗଲେ । ଟାହା, ସୋକର ଓ ଓସିରିସ୍‍ ଭାବରେ ତ୍ରିମୂର୍ତ୍ତିିରେ ପରିଣତ ହୋଇ ମେମ୍‍ଫିସ୍‍ରେ ଉପାସିତ ହେଲେ । ଆଦିବାସୀ ଦେବତା ଟାହାଙ୍କ ଆକୃତି ଥିଲା ଦୁଇହାତ, ଦୁଇଗୋଡ଼ବିଶିଷ୍ଟ ବଳିଷ୍ଠ ମାନବ ପରି । ମିଶର ଦେଶରେ ବିଭିନ୍ନ ଆକୃତିର ଅନେକ ଦେବଦେବୀ ଥିଲେ । ଖ୍ରୀଷ୍ଟପୂର୍ବ ତିିନି ହଜାରଠାରୁ ଖ୍ରୀଷ୍ଟପୂର୍ବ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ କାଠ, ପଥର ଓ ବ୍ରୋଞ୍ଜ ଧାତୁରେ ନିର୍ମିତ ଟାହାଙ୍କର ଅନେକ ମୂର୍ତ୍ତିି ଦେଖିବାକୁ ମିଳେ । ସେଥିରୁ କୌଣସି ମୂର୍ତ୍ତିି ହସ୍ତପଦହୀନ ବା ଖଣ୍ଡିଆ ନଥିଲା । ଶ୍ରୀଜଗନ୍ନାଥ ମୂଳତଃ ଓଡ଼ିଶାର ଆଦିବାସୀ ଶବରଙ୍କଦ୍ୱାରା ପୂଜିତ ଦେବତା ଏବଂ ସେମାନଙ୍କର ଦେବତାଙ୍କ ସ୍ୱରୂପରେ ବିଗ୍ରହ ଗଠିତ ବୋଲି କୁହାଯାଉଛି । ଏହିଭଳି ଅପାଣିପାଦ, ଅସମ୍ପୂର୍ଣ୍ଣ ପ୍ରତୀୟମାନ ହେଉଥିବା ବିଗ୍ରହ ଗଠନ ପଛରେ ଅନ୍ୟ କ'ଣ କାରଣ ଥାଇପାରେ ତାହା ଅଧିକ ଗବେଷଣା ସାପେକ୍ଷ (୪୮)

 ଦାରୁ ବା କାଠରେ ସୁନ୍ଦର ସୁନ୍ଦର ମୂର୍ତ୍ତିି ଗଠନ ଶିଳ୍ପକଳା ଖ୍ରୀଷ୍ଟପୂର୍ବ ବହୁବର୍ଷ ପୂର୍ବରୁ ଗ୍ରୀସ୍‍ ଓ ଇଜିପ୍‍ଟରେ ଉତ୍କର୍ଷ ଲାଭ କରିଥିଲା । ଗ୍ରୀକ୍‍ ମିଥ୍‍ ଅନୁସାରେ ଦାରୁ ବା କାଠ ହେଉଛି


୪୭. ତତ୍ରୈବ (ପୃଷ୍ଠା-୫୬)

୪୮. ମହାପ୍ରଭୁ ଜଗନ୍ନାଥ ଓ ମିଶରର ଦେବତା ଟାହା- ମହୀମୋହନ ତ୍ରିପାଠୀ, ଶ୍ରୀମନ୍ଦିର କାର୍ତ୍ତିକ

ସଂଖ୍ୟା,୨୦୦୭

ପୃଥିବୀର ସର୍ବପ୍ରଥମ ପବିତ୍ର ତଥା ମୌଳିକ ବସ୍ତୁ । ଖ୍ରୀଷ୍ଟପୂର୍ବ ୪୬୦ ବର୍ଷ ବେଳକୁ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗ୍ରୀସ୍‍ରେ ଅଭୂତପୂର୍ବ ଉନ୍ନତି ଘଟିଥିଲା । ଗ୍ରୀସ୍‍ର ମୁଖ୍ୟ ଦେବତା ଜିଅସ୍‍ (Zeus)ଙ୍କ ପାଇଁ ଗ୍ରୀସ୍‍ର ପ୍ରଧାନ ଧର୍ମପୀଠ ଅଲମ୍ପିଆରେ ଓ ଜ୍ଞାନର ଦେବୀ ଏଥେନା (Athena)ଙ୍କ ପାଇଁ ପାର୍ଥିନନ୍‍ ଅଞ୍ଚଳରେ ଦୁଇଟି ବିରାଟ ମୂର୍ତ୍ତିି ନିର୍ମାଣ କରାଯାଇଥିଲା । ଏହା ଥିଲା ଦାରୁବିଗ୍ରହ; ଏହାର ଉଚ୍ଚତା ପ୍ରାୟ ୪୦ଫୁଟ୍‍ ଥିଲା । ଦାରୁ ଉପରେ ହାତୀଦାନ୍ତ ଓ ତା' ଉପରେ ସୁନାର ପ୍ରସ୍ତର ରହିଥିଲା । ହାତୀଦାନ୍ତ ଥିଲା ମାଂସ ଓ ସୁନା ଥିଲା ବସ୍ତ୍ରର ପ୍ରତୀକ (୪୯) । ଶ୍ରୀମନ୍ଦିରର ରତ୍ନବେଦୀରେ ବିରାଜିତ ଦାରୁବିଗ୍ରହଙ୍କର ମଧ୍ୟ ସେହିପରି "ସପ୍ତାବରଣ' ହୋଇଥାଏ । ତାହା ହେଲା- ଦାରୁ, ଚେହେଲି, ଚଉବନ୍ଧ (ଖଣ୍ଡୁଆ ଓ ଛାଚିପାଟ), ବାସୁଙ୍ଗାପାଟ, ଓଷୁଅ, ରକ୍ତବସ୍ତ୍ର ଓ ଶ୍ରୀମୁଖ ଓତା ।

ଚକାଡେ଼ାଳା

 ମହାପ୍ରଭୁ ଜଗନ୍ନାଥଙ୍କର ଏକ ନାମ ହେଲା ଚକାଡେ଼ାଳା । କାରଣ ତାଙ୍କର ଆଖି ଦୁଇଟି ଚକା ପରି, ଅର୍ଥାତ୍‍ ଗୋଲାକାର । ଲକ୍ଷ ଲକ୍ଷ ଭକ୍ତ ତାଙ୍କୁ ଭକ୍ତି ଓ ଶ୍ରଦ୍ଧାରେ ଚକାଡେ଼ାଳା, ଚକାନୟ, ଚକାଆଖିଆ ବୋଲି ଡାକିଥାନ୍ତି । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଆଖି ସମ୍ପୂର୍ଣ୍ଣ ଚକା ବା ଗୋଲାକାର ହୋଇନଥିଲାବେଳେ, କେବଳ ଶ୍ରୀଜଗନ୍ନାଥଙ୍କ ଡେ଼ାଳା ଚକାକାର ହେଲା କାହିଁକି ? ଏହା ଏକ ତାତ୍ତ୍ୱିକ ପ୍ରଶ୍ନ । ଏହାର ଉତ୍ତରରେ ଅନେକ ବ୍ୟାଖ୍ୟା କରାଯାଇଛି ।

 ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ହେଲା ମତ୍ସ୍ୟ ଅବତାର । ବିଷ୍ଣୁଙ୍କ ସହସ୍ରନାମ ମଧ୍ୟରୁ ଦୁଇଟି ନାମ ହେଲା ରୋହିତ ଓ ଅନିମିଷ । 'ରୋହିତ'ମାନେ ରୋହିମାଛ । ଏହା ମତ୍ସ୍ୟାବତାରର ସୂଚକ । 'ଅନିମିଷ'ମାନେ 'ନିମିଷ' (ପଲକପାତ) ଯାହାର ନାହିଁ । ଅର୍ଥାତ୍‍ ଯେ ନିତ୍ୟ ଜାଗ୍ରତ, ଅଥବା ମତ୍ସ୍ୟାବତାର ରୂପେ ପଲକହୀନ । ମତ୍ସ୍ୟର ଆଖି ଗୋଲାକାର ଓ ପଲକହୀନ । ଜଗନ୍ନାଥଙ୍କ ଆଖି ଗୋଲାକାର ଓ ପଲକବିହୀନ । ପଲକହୀନ ବଡ଼ବଡ଼ ଆଖି ସୂଚନା ଦିଏ ଯେ ପ୍ରଭୁ ସର୍ବଦା କର୍ମଚଞ୍ଚଳ ଓ ସତର୍କ । ତାଙ୍କ ପକ୍ଷରେ ଦିରାତି ଓ କ୍ଲାନ୍ତିର କିଛି ଅର୍ଥ ନାହିଁ ।

 ପୁରାଣରେ କୁହାଯାଇଛି ଯେ, ବିଷ୍ଣୁଙ୍କର ଗୋଟିଏ ଆଖି ସୂର୍ଯ୍ୟ ପରି, ଗୋଟିଏ ଚନ୍ଦ୍ର ପରି । ଗୀତାରେ ଉଲ୍ଲେଖ ଅଛି "ଶଶି ସୂର୍ଯ୍ୟ ନେତ୍ରମ୍‍' । ସୁତରାଂ ଦୁଇଟି ଚକ୍ଷୁ ଚନ୍ଦ୍ର ଓ ସୂର୍ଯ୍ୟ ପରି ଦେଖିବାକୁ ଗୋଲାକାର । ଗଙ୍ଗ ରାଜବଂଶର ଏକ ଶିଳାଲେଖରେ ଉଲ୍ଲେଖ ଅଛି :

"ପାଦୌ ଯସ୍ୟ ଧରାନ୍ତରିକ୍ଷମଖିଳଂ ନାଭିସ୍ତୁ ସର୍ବାଦିଶଃ

ଶ୍ରୋତ୍ରେନେତ୍ରଯୁଗମ୍‍ ରବୀନ୍ଦୁଯୁଗଳଂ ମୂର୍ଦ୍ଧାପିଚ ଦ୍ୟୋରସୌ ।" (୫୦)


୪୯. ଭାରତୀୟ ଓ ଗ୍ରୀକ୍‍ ଦେବଦେବୀ- ମହୀମୋହନ ତ୍ରିପାଠୀ, 'ଶ୍ରୀମନ୍ଦିର', ରଥସଂଖ୍ୟା, ୨୦୦୩

୫୦. ଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର  ଜଗନ୍ନାଥଙ୍କ ଚକାଆଖି ପଛରେ ସେହି 'ରବୀନ୍ଦୁ ଯୁଗଳ' ତତ୍ତ୍ୱ ନିହିତ ।

 ଉପନିଷଦରେ ବର୍ଣ୍ଣିିତ ବ୍ରହ୍ମଙ୍କ ସ୍ୱରୂପରେ ଗଠିତ ଏ ପ୍ରକାର ମୂର୍ତ୍ତିି କେବଳ ଭାରତରେ ନୁହେଁ, ବରଂ ବିଶ୍ୱରେ କୁତ୍ରାପି ନାହିଁ । ସେ ମୂର୍ତ୍ତିି ହୋଇ ମଧ୍ୟ ମୂର୍ତ୍ତିି ନୁହଁନ୍ତି । ତାଙ୍କର ଯେଉଁ ବଡ଼ ବଡ଼ ଆଖି, ତାକୁ ଦେଖିଲେ ଋଗ୍‍‌ବେଦର ମନ୍ତ୍ରଟି ମନେ ପଡ଼ିଯାଏ:

"ଦ୍ୱା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ୱଜାତେ

ତୟୋରନ୍ୟଃ ପିପ୍ପଳଂ ସ୍ୱାଦ୍ୱତ୍ତ୍ୟନଶ୍ନ‌ନ୍ନନ୍ୟୋ ଅଭିଚାକଶୀତି । (୧:୧୬୪-୨୦)

 ମନ୍ତ୍ରଟିର ତାତ୍ପର୍ଯ୍ୟ ହେଲା, ଗୋଟିଏ ବୃକ୍ଷରେ ଦୁଇଟି ସୁନ୍ଦର ପକ୍ଷୀ ସମାନ ଗୁଣ କାରଣରୁ ମିତ୍ର ଭାବରେ ପରସ୍ପରକୁ ଆଲିଙ୍ଗନ କରି ରହିଛନ୍ତି । କିନ୍ତୁ ସେ ଦୁହିଁଙ୍କ ମଧ୍ୟରୁ ଗୋଟିଏ ପକ୍ଷୀ ବୃକ୍ଷର ସ୍ୱାଦୁ ଫଳ ଭୋଗରେ ଲିପ୍ତ ଏବଂ ଅନ୍ୟ ପକ୍ଷୀଟି ଭୋଗରୁ ନିର୍ଲିିପ୍ତ ରହି କେବଳ ସାକ୍ଷୀ ରୂପରେ ବିଦ୍ୟମାନ ।

 ଯେଉଁ ପକ୍ଷୀଟି ସାକ୍ଷୀ ରୂପେ ଅପଲକ ଦୃଷ୍ଟିରେ କେବଳ ଦେଖୁଛି, ସେ ହେଉଛନ୍ତି ପରଂବ୍ରହ୍ମ । ଏଠି ଜଗନ୍ନାଥଙ୍କ ଆଖି ଗୋଟିଏ ପକ୍ଷୀର ଆଖି ପରି ଗୋଲାକାର ଓ ଅପଲକ । ଜଗନ୍ନାଥଙ୍କୁ ବ୍ରହ୍ମଙ୍କର ସାଙ୍କେତିକ ରୂପରେ ବର୍ଣ୍ଣନା କରାଯାଇଛି (୫୧)

 ଚକ୍ର ପରି ଗୋଲାକାର ଚକ୍ଷୁ ବୌଦ୍ଧ ନିର୍ବାଣର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଆତ୍ମା ବିଭିନ୍ନ ଜନ୍ମଦେଇ ବୃତ୍ତାକାରରେ ଘୂରିବା ପରେ ମୋକ୍ଷ ବା ନିର୍ବାଣ ପ୍ରାପ୍ତି ହୁଏ । ଗୋଲ ଚକ୍ଷୁ 'ଅନନ୍ତ'ର ପ୍ରତୀକ ।

 ମୂର୍ତ୍ତିିର ଚକ୍ଷୁସୂଚୀ (eye index) ସମ୍ପର୍କରେ ଏକ ସୁଚିନ୍ତିତ ଆଲୋଚନା ଗବେଷକ ରାଇଚରଣ ଦାସ କରିଛନ୍ତି (୫୨) । ସାଧାରଣତଃ ମଣିଷର ମୁଣ୍ଡର ଉଚ୍ଚତା ତୁଳନାରେ ତାର ଆଖିର ବ୍ୟାସ ପ୍ରାୟ ଏକ ଦଶମାଂଶ । କୌଣସି ଏକ ମୂର୍ତ୍ତିିରେ ମୁଣ୍ଡର ମୋଟ ଦୈର୍ଘ୍ୟ ଓ ଆଖିର ଆକାରର ଅନୁପାତକୁ ସେହି ମୂର୍ତ୍ତିିର ଚକ୍ଷୁସୂଚୀ କୁହାଯାଏ । ବିଭିନ୍ନ ମୂର୍ତ୍ତିିରେ ଏହି ଚକ୍ଷୁସୂଚୀ ସାଧାରଣ ସୂଚୀ (ଶତକଡ଼ା ଦଶଭାଗ)ଠାରୁ ପ୍ରାୟ ଅଧିକ ହୋଇଥାଏ । ମୂର୍ତ୍ତିିମାନଙ୍କର ଐତିହାସିକ କ୍ରମବିକାଶ ଓ ଯେଉଁ ସମାଜରେ ଉକ୍ତ ମୂର୍ତ୍ତିିର ବିକାଶ ଘଟିଛି ସେହି ସମାଜର ବିବର୍ତ୍ତନ ଧାରା ଓ ଅବସ୍ଥା ସହ ଏହି ଚକ୍ଷୁସୂଚୀ ଆଧିକ୍ୟର ଏକ ସମ୍ପର୍କ ରହିଛି । ସାଧାରଣତଃ ଦେଖାଯାଇଥାଏ ଯେ ପ୍ରାଚୀନ ମୂର୍ତ୍ତିି ଗୁଡ଼ିକର ଚକ୍ଷୁସୂଚୀ ଅଧିକ । ଜୁଲିଆନ ଜେନସ୍‍ ପୃଥିବୀର ବିଭି୍ନ ପ୍ରାଚୀନ ସଭ୍ୟତାର ଦେବତା ବା ମୂର୍ତ୍ତିି ଗଠନର ସମୀକ୍ଷା କରିଛନ୍ତି । ତହିଁରୁ ନିମ୍ନଲିଖିତ ବିବରଣୀ ମିଳେ ।


୫୧. ଜଗନ୍ନାଥଙ୍କ ବୈଦିକତା ଅଭ୍ରାନ୍ତ କି ?- ଶ୍ରୀ ଉମେଶ ପତ୍ରୀ, ଝଙ୍କାର, ରଥସଂଖ୍ୟା-୨୦୦୩

୫୨. ଶ୍ରୀଜଗନ୍ନାଥ - ଓ.ସା.ଏ, ପ୍ରଥମ ସଂସ୍କରଣ, ୧୯୮୨ରେ ଶ୍ରୀ ରାଇଚରଣ ଦାସଙ୍କ "ସଂକଳନ ସଂପର୍କରେ' ଦ୍ରଷ୍ଟବ୍ୟ

ଦେବତା/ମୂର୍ତ୍ତିି ଚକ୍ଷୁସୂଚୀ କାଳ
କ) ଲା-ଭେଣ୍ଟାର ପିରାମିଡ୍‍(ମେକ୍‍ସିକୋ) ୧୧-୧୯% ଖ୍ରୀ.ପୂ. ୫୦୦
ଖ) ଉରୁକ (ମେସୋପଟାମିଆ)ର ଚୂନପଥର ମୂର୍ତ୍ତିି ୨୦%ରୁ ଅଧିକ ଖ୍ରୀ.ପୂ. ୧୯୦୦
ଗ) ସିନ୍ଧୁ ସଭ୍ୟତାର ମୂର୍ତ୍ତିି ୨୦% ଅଧିକ ଖ୍ରୀ.ପୂ. ୨୦୦୦ରୁ ଖ୍ରୀ.ପୂ. ୧୭୦୦
ଘ) ଲଗାସ୍‍ର ଶାସକ 'ଗୁଡ଼ିଆ'ଙ୍କ ମୂର୍ତ୍ତିି ୧୭-୧୮% ଖ୍ରୀ.ପୂ. ୨୧୦୦
ଙ) ତେଲ୍‍ର ଆବୁ ମନ୍ଦିରର ୧୨ଟି ମୂର୍ତ୍ତିି (ବାଗଦାଦ୍‍ର ଆସମା ନିକଟରେ) ୧୮% ଖ୍ରୀ.ପୂ. ୨୬୦୦
ଚ) ଇଉଫ୍ରେଟିସ୍‍ ଉପତ୍ୟକାର 'ମାରି' ୧୮% ଖ୍ରୀ.ପୂ. ୨୭୦୦
ଛ) ଇଜିପ୍‍ଟର 'ଫାରୋହ'ର ମନ୍ଦିର ପ୍ରାୟ ୨୦% ଖ୍ରୀ.ପୂ. ୩୦୦୦

 ଗବେଷକ ରାଇଚରଣ ଶ୍ରୀଜଗନ୍ନାଥଙ୍କ ଚକ୍ଷୁସୁଚୀ ବିଷୟରେ ଲେଖିଛନ୍ତି ଯେ, "ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ଚକ୍ଷସୁଚୀ ଶତକଡ଼ା ୨୫ରୁ ୩୦ ଭିତ ରେ ଓ ହାରାହାରି ୨୮ ବୋଲି ଦେଖାଯାଏ । ସେହିପରି ବଡ଼ଠାକୁରଙ୍କ ଚକ୍ଷୁସୂଚୀ ଶତକଡ଼ା ୨୦ରୁ ୨୪ ଭିତରେ ଓ ହାରାହାରି ୨୨ବୋଲି ଦେଖାଯାଏ । ସୁଭଦ୍ରାଙ୍କ ଚକ୍ଷୁସୂଚୀ ଶତକଡ଼ା ୧୮ରୁ ୨୨ ଭିତରେ ଓ ହାରାହାରି ୨୦ ବୋଲି ଦେଖାଯାଇଥାଏ ।"

 ଜୁଲିଆନ୍‍ ଜେନ୍‍ସଙ୍କ ମତବାଦ ଅନୁସାରେ ବୃହତ୍‍ ଚକ୍ଷୁସୂଚୀବିଶିଷ୍ଟ ଦେବତା ପ୍ରାଚୀନ ସଭ୍ୟତାମାନଙ୍କରେ ସେହି ସଭ୍ୟତାର କ୍ରମବିକାଶ ଧାରା ଅନୁସାରେ ସାଧାରଣତଃ ଖ୍ରୀଷ୍ଟପୂର୍ବ ୨୦୦୦ରୁ ୧୦୦୦ ବା ସ୍ଥଳ ବିଶେଷରେ ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ମଧ୍ୟରେ ଦେଖାଯାଇଥାନ୍ତି । ଜେନ୍‍ସଙ୍କ ଏହି ମତବାଦ ଅନୁସାରେ ଶ୍ରୀଜଗନ୍ନାଥ ଯେ ଅତି ପ୍ରାଚୀନ କାଳରୁ ବିଦ୍ୟମାନ ଅଛନ୍ତିଏହିପରି ପ୍ରତୀୟମାନ ହେଉଛି । ଏହି ପ୍ରାଚୀନତାର ଯଥାର୍ଥ କାଳ ନିରୂପଣ କରିବାପାଇଁ ଏ କ୍ଷେତ୍ରରେ ଅଧିକ ଗବେଷଣାର ପ୍ରୟୋଜନ ଅଛି ବୋଲି ଗବେଷକ ରାଇଚରଣ କହିଛନ୍ତି ।

 ଉପରେ ପଦ୍ରତ୍ତ ବିବରଣୀରେ ଉଲ୍ଲେଖ ଥିବା ଉରୁକ୍ ସମ୍ପର୍କରେ ଏଠାରେ କିଞ୍ଚିତ ଆଲୋଚନା ଆବଶ୍ୟକ । ପ୍ରାଚୀନ ଉରୁକ୍‌ଋ ଆଧୁନିକ ନାମ ୱ୍ୱାର୍କା । ପତ୍ରତାତ୍ତ୍ୱିକ ଖନନ ପରେ ଉରୁକ ସମ୍ପର୍କରେ ଅନେକ ଚିତ୍ତାକର୍ଷକ ତଥ୍ୟ ମିଳିଛି । ଖ୍ରୀ:ପୂ: ଚତୁର୍ଥ ସହସ୍ରାବ୍ଦୀରେ ମେସୋପଟାମିଆର ଏକ ପ୍ରସିଦ୍ଧ ମନ୍ଦିର ଥିଲା ଉରୁକ୍‍ । ଖ୍ରୀ:ପୂ: ୪୩୦୦ରୁ ଖ୍ରୀ:ପୂ: ୩୧୦୦ ଯାଏଁ ଉରୁକ୍‍ର ପ୍ରଭାବ ମେସୋପଟାମିଆ ତଥା ସୁମେର ଉପରେ ପଡ଼ିଥିଲା ।

 ଉରୁକ୍‍ର ଦୁଇଟି ମୁଖ୍ୟ ଦେବପୀଠରୁ ଗୋଟିଏ ହେଲା ଆକାଶ ଦେବତା ଆନ୍(An ବା Anu) ଓ ଅନ୍ୟଟି ଇଆନାଠାରେ ଦେବୀ ଇନାନା (ପରେ ଇସ୍ତର)ଙ୍କର ପୀଠ । ଏ ଦୁହିଁଙ୍କ ବ୍ୟତୀତ ଆହୁରି ଅନେକ ମନ୍ଦିର ଥିଲା । ଖ୍ରୀ:ପୃ: ୩୫୦ରୁ ଖ୍ରୀ:ପୂ ୩୦୦୦ ମଧ୍ୟରେ ଉରୁକ୍‌ର ମନ୍ଦିର ଓ ମୂର୍ତ୍ତିସବୁ ଯେପରି ବିକଶିତ ହୋଇଥିଲେ ତାହା ବିସ୍ମୟଜନକ । ଖ୍ରୀ: ପୂ: ୩୦୦୦କୁ ଉରୁକ୍ ମନ୍ଦିର ନିର୍ମାଣର ଯୁଗ କୁହାଯାଏ । ଏ ସମୟରେ ଅନେକ ଚମତ୍କାର ମନ୍ଦିର ନିର୍ମିତ ହୋଇଥିଲା । ପଥରର ମୂଳଦୂଆ ଉପରେ ମନ୍ଦିର ସବୁ ଗଢ଼ି ଉଠିଥିଲା । ବିଭିନ୍ନ ରଙ୍ଗରେ ମନ୍ଦିରର ଗାତ୍ରକୁ ରଙ୍ଗିନ୍ କରାଯିବା ସହିତ ପଥରରେ ସୂକ୍ଷ୍ମ କଳା ଫୁଟି ଉଠିଥିଲା । ମିଳିଥିବା ଶହ ଶହ ଲିପିବଦ୍ଧ ମାଟି ଟାଇଲରୁ ଏ ସଂପର୍କରେ ଐତିହାସିକ ତଥ୍ୟ ମିଳେ । ଉରୁକ୍‌ରୁ ଆଦ୍ୟଲିପର ସନ୍ଧାନ ମିଳିଥିଲା । ଉରୁକ୍‌ର ପରାକ୍ରମୀ ରାଜା ଗିଲ୍‌ଗାମେଶଙ୍କୁ କେନ୍ଦ୍ରକରି ବିଶ୍ବର ପ୍ରଥମ ମହାକାବ୍ୟ ରଚିତ । ଆନୁ ମନ୍ଦିରର ଭିତର କାନ୍ଥ ଓ ସ୍ତମ୍ଭକୁ ରଙ୍ଗିନ ଇଟାରେ ଛାଉଣି କରାଯାଇଥିଲା । ଆନୁ ଗୋଟିଏ ମନ୍ଦିର ନୁହେଁ, ଗୋଟିଏ ମନ୍ଦିରମାଳା । ଇନାନଙ୍କ ମନ୍ଦିର ମାର୍ବଲରେ ନିର୍ମିତ ହୋଇଥିଲା ।

 ଆଉ ଏକ ବିସ୍ମୟଜନକ ମନ୍ଦିର ଓ ତାର ପ୍ରତିମା ଥିଲା 'ଆଖି ମନ୍ଦିର' । ଗୋଟିଏ ଉଚ୍ଚା ବେଦୀ ଉପରେ ସ୍ଥାପିତ ଆଖି ପରି ପ୍ରତିମାଯୋଗୁଁ ଏହାର ନାମ ଆଖି ମନ୍ଦିର । ଏହାର ଉଚ୍ଚା ବେଦୀ କାନ୍ଥରେ ଧାଡ଼ିଏ ରଙ୍ଗିନ ପଥରକୁ ଲାଗି ଆଉ ଧଡ଼ିଏ ସୁନାପାତ ଖଞ୍ଜା ହୋଇଥିଲା । ସମୁଦାୟ କାଛି ଏହିପରି ସଜା ହୋଇ ସୁନ୍ଦର ଦିଶୁଥିଲା । ଆଖି ମନ୍ଦିର ଉରୁକ୍‌ରେ ଆରମ୍ଭ ହୋଇ ଉର, ଲାଗାସ୍ ପରି ସୁମେରୀୟ ନଗରରେ ବ୍ୟାପିବା ସହିତ ସୁଦୂର ଟେଲ୍‌ବାର୍କରେ ପହଞ୍ଚିଥିଲା । ଉରୁକ୍‌ଠାରୁ ଆଠଶହ ମାଇଲ ଦୂରରେ ଉତ୍ତର ସିରିୟାରେ ୟୁଫେଟିସ୍ ନଦୀ କୂଳରେ ଟେଲବାର୍କ ଅବସ୍ଥିତ । ଉରୁକ୍‌ର 'ଆଖି ମନ୍ଦିର'ର ଚିତ୍ର ନିମ୍ନରେ ପ୍ରଦତ୍ତ ହେଲା ।

ShreeJagannath.pdf
 ଟେଲବାର୍କର କୁଦ ମନ୍ଦିରରୁ ହଜାର ହଜାର ସଂଖ୍ୟାରେ ଆଖି କଣ୍ଢେଇ ସବୁ ମିଳିଛି । ମନ୍ଦିରକୁ କଣ୍ଢେଇ ଦାନ କଲେ ଶୁଭ ହେବ ମନେକରି ଭକ୍ତମାନେ ଆଖିକଣ୍ଢେଇ ଦାନ କରୁଥିଲେ । କଣ୍ଢେଇଗୁଡ଼ିକ ଧଳା ଆ ଷ୍ଟର ବା ମାଟିନିର୍ମିତ । ଖ୍ରୀ:ପୂ: ଚତୁର୍ଥ ସହସ୍ରାବ୍ଦୀରେ ନିର୍ମିତ ଦୁଇରୁ ଏଗାର ସେଣ୍ଟି ମିଟର ଉଚ୍ଚତାର ଏପରି ପ୍ରାୟ କୋଡ଼ିଏ ହଜାର କଇ ମିଳିଛି (୫୩) । ଆଖିକଣ୍ଢେଇର ଚିତ୍ର ନିମ୍ନରେ ଦର୍ଶାଗଲା ।
ShreeJagannath.pdf

 ଆଖି ମନ୍ଦିରର ‘ଆଖି ଦେବତା’ଙ୍କ ଚିତ୍ର ଶ୍ରୀଜଗନ୍ନାଥଙ୍କ ‘ଚକାଡ଼ୋଳା’ ସହିତ ମେଳ ଖାଉଛି । କିନ୍ତୁ ‘ଆଖି କଣ୍ଢେଇ’ର ଆଖି ଗୋଲାକୃତି ନୁହେଁ ।

 ପ୍ରାଚୀନ ଇଜିପ୍ଟେଷ୍ଟ ମିଶରର ପ୍ରାକୁ ରାଜବଂଶ କାଳର ସୂର୍ଯ୍ୟଦେବତାଙ୍କ ନାମ ଅଟମା (Atum), ଯା’ର ଅର୍ଥ ସ୍ବୟଂସମ୍ପୂର୍ଣ୍ଣ ସତ୍ତା ବା ସ୍ୱୟଂଭୂ । ତାଙ୍କର ମାତ୍ର ଗୋଟିଏ ଆଖି । ଏହି ଆଖିର ନାମ ଓଟ୍ (Udjat),ଯାହାର ମହିମା ଅପାର । ଏହା ରାଜଶକ୍ତିର ରକ୍ଷକ ଓ ପ୍ରତୀକ । ଏହି ଆଖିକୁ ଅଟମ୍ ନିଜ ଲଲାଟରେ ସ୍ଥାନ ଦେଇଥିଲେ (୫୪) |

  ଅନିଷ୍ଟକାରୀ ଶକ୍ତି, ଭୂତପ୍ରେତଙ୍କ ଠାରୁ ରକ୍ଷା ପାଇବାକୁ ମିଶରରେ ବିଭିନ୍ନ ଦେବଦେବୀଙ୍କ କବଚ ଥିଲା । ସବୁଠାରୁ ଅଧିକ ପ୍ରଚଳିତ ଥିଲା ଓଡ଼ଜାଟ ଆଖି । ଏ ଆଖିଟି ଅଟମ୍ ବା ହୋରସ । ଦେବତାଙ୍କର ।


୫୩. ପ୍ରାଚୀନ ସଭ୍ୟତାର କାହାଣୀ (ମେସୋପଟାମିଆ) - ଶରତ କୁମାର ମହାନ୍ତି, ମିତ ବୃକ୍ସ, କଟକ, । ନଭେମ୍ବର, ୨୦୦୪ ୫୪. ପ୍ରାଚୀନ ସଭ୍ୟତାର କାହାଣୀ (ମିଶର)- ଶରତ କୁମାର ମହାନ୍ତି

ShreeJagannath.pdf

(Udjat- The sacred eye of Horus, symbol of protection, when used as amulet) (୫୫)

ଭାରତ ସମେତ ବିଶ୍ୱର ଅନେକ ପ୍ରାଚୀନ ସଭ୍ୟତାର ଦେଶମାନଙ୍କରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା । ସୂର୍ଯ୍ୟଙ୍କୁ ଜଗତର ଚକ୍ଷୁ, ଜଗତର ଆତ୍ମା କୁହାଯାଇଛି ।

ଋଗ୍‍ବେଦରେ ଉଲ୍ଲେଖ ଅଛି : ""ସୂର୍ଯ୍ୟ ଆତ୍ମା ଜଗତଃ ତସ୍ସ୍ଥୁଷଶ୍ଚ । (୧|୧୧୫|୧)

ପ୍ରସିଦ୍ଧ ଗାୟତ୍ରୀ ମନ୍ତ୍ରରେ ସବିତା ବା ସୂର୍ଯ୍ୟଦେବଙ୍କୁ ଆରାଧନା କରାଯାଇଛି । ସୂର୍ଯ୍ୟଙ୍କୁ ସାରା ବିଶ୍ୱର ମୂଳ ଓ ପ୍ରଚୋଦକ ମନେ କରାଯାଇଛି । ଭଗବାନ ବିଷ୍ଣୁଙ୍କର ଗୋଟିଏ ଚକ୍ଷୁ ସୂର୍ଯ୍ୟ ଓ ଅନ୍ୟଟି ଚନ୍ଦ୍ର ("ଶଶି ସୂର୍ଯ୍ୟ ନେତ୍ରମ୍‍') । ସେହିପରି ମିଶରୀୟ ହୋରସ୍‍ ଦେବତାଙ୍କର ମଧ୍ୟ ଗୋଟିଏ ଚକ୍ଷୁ ସୂର୍ଯ୍ୟ ଓ ଅପରଟି ଚନ୍ଦ୍ର କୁହାଯାଇଛି । ଐତରେୟ ଉପନିଷଦର ଏକ ମନ୍ତ୍ରରେ କିପରି ବିଭିନ୍ନ ଦେବତାମାନେ ମାନବ ଶରୀରରେ ପ୍ରବେଶ କଲେ କୁହାଯାଇଛି । ମାନବ ଶରୀର ପବିତ୍ର ଓ ଏହା ଦେବତାଙ୍କ ଆଶ୍ରୟସ୍ଥଳୀ । ଅଗ୍ନି ବାଣୀ ହୋଇ ମୁଖରେ ପ୍ରବେଶ କଲେ; ବାୟୁ ପ୍ରାଣ ହୋଇ ନାସିକାରେ ପ୍ରବେଶ କଲେ; ସୂର୍ଯ୍ୟ ଆଖି ହୋଇ ଦୁଇ ଆଖିରେ ପ୍ରବେଶ କଲେ; ଚନ୍ଦ୍ର ପ୍ରବେଶ କଲେ ମାନସରେ ଇତ୍ୟାଦି ।

ସୁତରାଂ ଚକ୍ଷୁ ସହିତ ସୂର୍ଯ୍ୟଙ୍କର ସମ୍ପର୍କ ରହିଛି । ଆଦିବାସୀ (ଶବର)ମାନେ ସୂର୍ଯ୍ୟଙ୍କୁ ସୌରନାରାୟଣ ଭାବରେ ପୂଜା କରୁଥିଲେ । ସୂର୍ଯ୍ୟ ଉପାସନାରୁ ଜଗନ୍ନାଥ ଉପାସନାର ଉଭ୍ଭବ ଓ ବିକାଶ ହୋଇଥାଇପାରେ । କାଶୀନାଥ ମିଶ ୍ରସଉରା ଭାଷାର ୁମାଧବ ଶବ୍ଦର ମଳୂ ଖୋଜିଛନ୍ତି । ତାଙ୍କ ମତରେ "ମାଉଦ'୍‍ ଅର୍ଥ ଆଖି ଓ "ବୋବ'୍‍ ଅର୍ଥ ମଣ୍ଡୁ । ଆଦିବାସୀମାନେ ଆଖିକ ୁସଯୂ ର୍୍ୟଦେବତା ଓ ମୁଣ୍ଡ ତାଙ୍କର ବାସସ୍ଥାନ ବୋଲି ମନେ କରନ୍ତି । ସେମାନଙ୍କର ପ୍ରଥମ ଦେବତା ମାଉଦ୍‍ବୋବ୍‍ କାଳକ୍ରମେ ମାଧବରେ ପରିଣତ ହୋଇଛନ୍ତି (୫୬)


୫୫. Cairo : The Egyptian Museum Pharaonic Sites- S. Mohamed, Printed in Egypt, 2001

୫୬. ପୁରୀ ବୋଲି- ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର । ୨ୟ ସଂସ୍କରଣ, ଓ.ସା.ଏ, ୨୦୦୬  ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଦିନ ସକାଳେ ସୂର୍ଯ୍ୟପୂଜା ହୁଏ । ଦ୍ୱାରଫିଟା, ମଙ୍ଗଳ ଆରତି, ମଇଲମ, ଅବକାଶ, ପୁଣି ମଇଲମ, ସାହାଣମେଲା, ବେଶଲାଗି, ରୋଷହୋମ ପରେ ସୂର୍ଯ୍ୟପୂଜା ହୁଏ । ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଭୋଗ ଇତ୍ୟାଦି ଅନ୍ୟାନ୍ୟ ନୀତି ହୁଏ । ମୁକ୍ତିମଣ୍ଡପର ପୂର୍ବ ପାର୍ଶ୍ୱରେ ଏକ ଛୋଟିଆ ମନ୍ଦିରରେ ବିରାଜିତ ସୂର୍ଯ୍ୟଙ୍କୁ ପୂଜା କରାଯାଏ । ସୂର୍ଯ୍ୟଙ୍କର ପ୍ରତିମା ଏଠାରେ ନାହିଁ । ତାଙ୍କର ଯନ୍ତ୍ର (ପ୍ରତୀକ)କୁ ହିଁ ପୂଜା କରାଯାଏ । ଚତୁର୍ଦ୍ଧାମୂର୍ତ୍ତି ମଧ୍ୟ ପ୍ରତୀକ ବିଗ୍ରହ ।

 ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ଚକାଡ଼ୋଳା’କୁ ଆଲୋଚନା କରି ଡକ୍ଟର ଶ୍ରୀଶ ପଟେଲ ଲେଖିଛନ୍ତି- "ପରନ୍ତୁ ଆଧୁନିକ ଯୁଗରେ ପରସ୍ପର କଳହ ଓ ଅସାମାଜିକ ବୃତ୍ତିର ବୃଦ୍ଧିଲାଭଜନିତ ଘଟଣାରୁ ସମାଜରେ ନିୟନ୍ତ୍ରଣକାରୀ ଶକ୍ତିର ରୂପରେଖ ନିମିତ୍ତ ଜଗନ୍ନାଥଙ୍କ ଚକାଆଖି ଏକ ଉଦ୍‌ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ...ଆମର କିୟାକଳାପକୁ ଅନ୍ୟ କେହି ନଦେଖୁଥିଲେ ମଧ୍ୟ ସେହି ସର୍ବଶକ୍ତିମାନ ଲକ୍ଷ୍ୟ ରଖିଛନ୍ତି ଅପଲକ ନେତ୍ରରେ (୫୭)

 ଚକାଡ଼ୋଳା ହେଉଛନ୍ତି A pair of eyes that tells of the supreme 'I'.

 ସାଂଖ୍ୟ ଦର୍ଶନରେ ‘ପୁରୁଷ' ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ସ୍ୱରୂପ । ଜଗନ୍ନାଥ ସଚ୍ଚିଦାନନ୍ଦ ବିଗ୍ରହ । ସାଂଖ୍ୟରେ ପୁରୁଷଙ୍କୁ ପଙ୍ଗୁ ସହିତ ତୁଳନା କରାଯାଇଛି । ଜଗନ୍ନାଥ ମଧ୍ୟ ହସ୍ତପଦହୀନ ପଙ୍ଗୁ । ଏଥିରୁ ସେ ନିଜେ କିଛି ନକରି ଅନ୍ୟଦ୍ୱାରା କରାଉଥିବାର ପ୍ରମାଣ ସିଦ୍ଧ ହେଉଛି । ତାଙ୍କର ଚକା ଚକା ବଡ଼ ବଡ଼ ଆଖିରୁ ବୁଝାଯାଏ, ସତେ ଅବା ସେ ସଂସାରର ସବୁକିଛି ଦେଖୁଛନ୍ତି ଓ ନିଜେ ବାସ୍ତବରେ କିଛି ନକଲେ ମଧ୍ୟ ‘ସାକ୍ଷୀ' ହୋଇ ବସିଛନ୍ତି । ସାଂଖ୍ୟରେ ପୁରୁଷଙ୍କୁ ସାକ୍ଷୀ, ନିର୍ବିକାର, ଉଦାସୀନ ଭାବରେ ଚିତ୍ରଣ କରାଯାଇଛି । ଏସବୁ ଦେଖିଲେ ମନେହୁଏ, ଯେପରି ଜଗନ୍ନାଥ ଦର୍ଶନରେ ବହୁ ଭାବରେ ସାଂଖ୍ୟ ଦର୍ଶନ ଜଡ଼ିତ । ପ୍ରାଚୀନ ଭାରତର ଧର୍ମଧାରା, ପୁରାଣ ସାହିତ୍ୟର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଓ ପର୍ଯ୍ୟାଲୋଚନା ଆମକୁ ଯଥାର୍ଥରେ ସୂଚାଇ ଦିଏ ଯେ, ଜଗନ୍ନାଥ ପୂଜା ହେଉଛି ବିଷ୍ଣୁ ଉପାସନାର ଏକ ଚରମ ପରିଣତି (୫୮)

 ସ୍ୱର୍ଗରେ ବିଷ୍ଣୁଙ୍କ ବସତିସ୍ଥଳ ପରମଧାମ ବୈକୁଣ୍ଠପୁରକୁ ଗୋଲୋକ କୁହାଯାଏ । "ଶରୀରରୁ ବାହାରି ଜୀବକୁ ଲୋକ ଲୋକାନ୍ତର ଯିବାକୁ ହୁଏ । ଗୋଟିଏ ଗୋଟିଏ ଲୋକ ଗୋଟିଏ ଗୋଟିଏ ଆକାରବିଶିଷ୍ଟ । ଇନ୍ଦ୍ରପୁରୀ ଶଙ୍ଖାକୃତି । ଏହାର ମୁଖ ଦେଇ ପ୍ରବେଶ ପଥ ଓ ପୁଚ୍ଛ ଦେଇ ପ୍ରସ୍ଥାନ ପଥ । ବିଭିନ୍ନ ଲୋକ ରହିଛି- ଚନ୍ଦ୍ରଲୋକ, ଦେବଲୋକ, ସୂର୍ଯ୍ୟଲୋକ, ଇନ୍ଦ୍ରଲୋକ, ଧ୍ରୁବଲୋକ, ଭୀଷ୍ମଲୋକ, ଯମଲୋକ, ପ୍ରେତଲୋକ, ପିତୃଲୋକ ଇତ୍ୟାଦି । ସର୍ବଲୋକ ଉପରେ ଇନ୍ଦ୍ରପୁରୀ । ପ୍ରତ୍ୟେକ ଲୋକର ଜଣେ ଜଣେ ଅଧିଷ୍ଠାତା ଅଛନ୍ତି । ଇନ୍ଦ୍ରପୁରୀର ଅଧିଷ୍ଠାତା ଲକ୍ଷ୍ମୀ-ନାରାୟଣ । ଇନ୍ଦ୍ରପୁରୀର ଅନ୍ୟ ନାମ ଗୋଲୋକ (୫୯)


୫୭. ପତିତପାବନ (ସ୍ମରଣିକା), ୧୯୮୫, ଛତ୍ରପୁର
୫୮. ଶ୍ରୀଜଗନ୍ନାଥ ତତ୍ତ୍ବ – ଡକ୍ଟର ଗୋପୀନାଥ ମହାପାତ୍ର
୫୯. ଶ୍ରୀଗୁରୁଚରଣ ସରୋଜ ରଜ- ଶ୍ରୀନବକିଶୋର ରାଜ   ଶ୍ରୀକ୍ଷେତ୍ର ବା ଜଗନ୍ନାଥ ପୁରୀ ମଧ୍ୟ ଶଙ୍ଖାକୃତି । ସ୍କନ୍ଦ ପୁରାଣ ପ୍ରକାରେ ଶ୍ରୀକ୍ଷେତ୍ରର ଆୟତନ ଶଙ୍ଖାକୃତି । ଏହି ଶଙ୍ଖ ଦକ୍ଷିଣାବର୍ତ୍ତ ଓ ଏହାର ନାଭିକେନ୍ଦ୍ରରେ (ଶଙ୍ଖନାଭି ମଣ୍ଡଳରେ) ଶ୍ରୀଜଗନ୍ନାଥ ବିରାଜିତ । ତେଣୁ ପୁରୀକୁ ମର୍ତ୍ତ୍ୟବୈକୁଣ୍ଠ, ମର୍ତ୍ତ୍ୟ ଗୋଲୋକ ବୋଲି କୁହାଯାଏ ।  ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜିତ ତ୍ରିମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତି ନିମ୍ନ ପ୍ରକାରେ ପ୍ରତିନିଧିତ୍ବ କରଛି ବୋଲି କେତେଜଣ ବିଦ୍ୱାନ ବ୍ୟାଖ୍ୟା କରିଛନ୍ତି ।

ବଳଭଦ୍ର ସୁଭଦ୍ରା ଜଗନ୍ନାଥ ସୁଦର୍ଶନ
ଶିବ (ରୁଦ୍ର) ବ୍ରହ୍ମା ବିଷ୍ଣୁ -
ପ୍ରଳୟ ସୃଷ୍ଟି ସ୍ଥିତି -
ଶୈବ ଶାକ୍ତ ବୈଷ୍ଣବ ସୌର
ଶ୍ଳୀଂ ହ୍ରୀଂ କ୍ଳୀଂ ଓଁ
ଦ୍ରାବିଡ଼ ଅନାର୍ଯ୍ୟ ଆର୍ଯ୍ୟ -
ଋଗ୍‌ବେଦ ଯଦୁର୍ବେଦ ସାମବେଦ ଅଥର୍ବବେଦ
କର୍ଣ୍ଣ ଓଷ୍ଠ ଚକ୍ଷୁ ନାସିକା
ଲକ୍ଷ୍ମଣ ସୀତା ରାମ -
ଶଙ୍ଖ ପଦ୍ମ ଚକ୍ର ଗଦା
ଦିନ ସନ୍ଧ୍ୟା ରାତି -
ଶଙ୍କର୍ଷଣ ପ୍ରଦ୍ୟୁମ୍ନ ବାସୁଦେବ ଅନିରୁଦ୍ଧ
ସ୍ଥୂଳ ସୂକ୍ଷ୍ମ କାରଣ -
ଶିଷ୍ୟ ଗୁରୁ ଦେବତା -
ହରେ ରାମ କୃଷ୍ଣ ହରେ
ସି ଦ୍ଧି ସ୍ତୁ
ଶୁକ୍ଳ ହରିତ ପୀତ ଲୋହିତ
ରତି ପ୍ରେମ ସ୍ମୃତି -
ରେ କୃ ଷ୍ଣ
ପୁରୁଷ ପ୍ରକୃତି ପୁରୁଷୋତ୍ତମ -
-

 ଏହିପରି ତ୍ରିମୂର୍ତ୍ତି, କନ୍ଧମାନଙ୍କ ଦେବତା- ଜାରୀପେନ୍ତୁ, ତାପେନୁ ଓ ମୁରବି ପେନୁଙ୍କ ପ୍ରତୀକ, ବୌଦ୍ଧ ତ୍ରିରତ୍ନ ଓ ଜୈନ ତ୍ରିରତ୍ନର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି । ପ୍ରଫେସର ବାସୁଦେବ ସାହୁ କହିଛନ୍ତି- “ବିଭିନ୍ନ ଧର୍ମର ମତବାଦ ଜଗନ୍ନାଥଙ୍କର ସାର୍ବଜନୀନ ଉଦାର ମହିମା ଦ୍ୱାରା ଗୋଟିଏ ସୂତ୍ରରେ ଗ୍ରଥିତ ହୋଇ ଜଗନ୍ନାଥ ଧର୍ମରେ ପରିଣତ ହୋଇଛି । ଜଗନ୍ନାଥ ଧର୍ମ ରୂପକ ମହାଦ୍ରୁମର ବିଭିନ୍ନ ଚେର ହେଉଛି- ଶାବର, ଜୈନ, ବୌଦ୍ଧ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ ଇତ୍ୟାଦି । କିନ୍ତୁ ଆଜି ବାହ୍ୟତଃ ଯେଉଁ ଶାଖା ପ୍ରଶାଖା ଫୁଲଫଳସମନ୍ୱିତ ମହାଦ୍ରୁମଟି ପରିଦୃଶ୍ୟମାନ ହେଉଅଛି, ତାହା ବୈଷ୍ଣବ ମହାଦ୍ରୁମ ଭାବରେ ପରିଚିତ । ଜଗନ୍ନାଥଙ୍କ ସମ୍ପର୍କରେ କୌଣସି ସିଦ୍ଧାନ୍ତ ସ୍ୱୟଂସମ୍ପୂର୍ଣ୍ଣ ବା ଅପରିବର୍ତ୍ତନୀୟ ନୁହେଁ । ପ୍ରକୃତରେ ଶ୍ରୀଜଗନ୍ନାଥ ଅତୀବ ରହସ୍ୟମୟ ଓ ଏହି ରହସ୍ୟମୟତାରେ ହିଁ ତାଙ୍କର ଅପରିମେୟ ମହତ୍ତ୍ୱ ନିହିତ ୬୦
 ଜଗନ୍ନାଥ ମହାପ୍ରଭୁ ଯେ ବିଶ୍ବର ଏକ ପ୍ରାଚୀନ ଦେବତା, ଏହାର ପ୍ରମାଣ ମିଳେ । ପଣ୍ଡିତ ନୀଳକଣ୍ଠ ବେବିଲୋନ୍ ସଭ୍ୟତାର ପ୍ରାରମ୍ଭରେ ଜଗନ୍ନାଥଙ୍କ ଅସ୍ତିତ୍ବର ସଙ୍କେତ ସମ୍ପର୍କରେ ଯାହା ସୂଚନା ଦେଇଛନ୍ତି ତାହା ବିଶ୍ବାସଯୋଗ୍ୟ । ଜଗନ୍ନାଥଙ୍କ ଦାରୁବିଗ୍ରହରେ ଦୁଇଟି ଅତି ପୁରାତନ ପ୍ରତୀକ (symbol)ର ସଂଯୋଗ ଦେଖାଯାଏ । ପ୍ରତୀକ ଦ୍ବୟ ହେଲା ସ୍ୱସ୍ତିକ ଓ କ୍ରସ୍ ଚିହ୍ନ ।
 "The symbols of Cross and Swastika are probably the most ancient symbols of god that the earliest men evolved to worship the creator" ୬୧ | ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ହଜାର ହଜାର ବର୍ଷ ପୂର୍ବରୁ କ୍ରସ୍ ଚିହ୍ନ ବିଦ୍ୟମାନ ଥିଲା "Historians tell us further that the cross is thousands of years older than Christ(99} || ।
 ମିଶର, ଗ୍ରୀକ୍ ପ୍ରଭୃତି ପ୍ରାଚୀନ ସଭ୍ୟଦେଶର ଅବଲୁପ୍ତ ଧର୍ମପୀଠମାନଙ୍କର ଓ ଶ୍ରୀମନ୍ଦିରର ଉପାସନା ପଦ୍ଧତି ଓ ଧର୍ମାଚାରର ତୁଳନାତ୍ମକ ଅଧ୍ୟୟନ କଲେ ଅନେକ ଚିତ୍ତାକର୍ଷକ ସାଦୃଶ୍ୟ ପରିଲକ୍ଷିତ ହୁଏ । ଏଥିରୁ ପ୍ରମାଣ ମିଳେ ଯେ, ଶ୍ରୀକ୍ଷେତ୍ର ପୁରୀ ହେଉଛି ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ (୬୩) । ଖ୍ରୀଷ୍ଟ ଜନ୍ମ ଓ ବୃଦ୍ଧ ଜନ୍ମର ଅନେକ ଅନେକ ବର୍ଷ ପୂର୍ବେ ଏହି କ୍ଷେତ୍ର ଏକ ପ୍ରସିଦ୍ଧ ଧର୍ମପୀଠ ଥିଲା; ଏହା ନିଃସନ୍ଦେହରେ କୁହାଯାଇପାରେ (୬୪) । ।
 ମହାବୀର ବଦ୍ଧମାନ କଳିଙ୍ଗକୁ ଧର୍ମପ୍ରଚାର ପାଇଁ ଆସିଥିଲେ ବୋଲି ଐତିହାସିକ ଯଜ୍ଞକୁମାର ସାହୁ ଲେଖିଛନ୍ତି (୬୫) । ଗୌତମବୁଦ୍ଧ ନିଜେ କଳିଙ୍ଗକୁ ଧର୍ମପ୍ରଚାର ପାଇଁ ଆସିଥିବାର କୌଣସି ସୂଚନା ମିଳେନାହିଁ ବୋଲି ଶ୍ରୀ ସାହୁ ଲେଖିଛନ୍ତି । କିନ୍ତୁ ସ୍ୱୟଂବୁଦ୍ଧଦେବ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିବେ ବୋଲି ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଅନୁମାନ କରିଛନ୍ତି । ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ଜଗନ୍ନାଥ ଧାମକୁ ଆସି କିଛିଦିନ ରହିଥିଲେ ଓ ବାହଣମାନଙ୍କଠାରୁ ବେଦଶିକ୍ଷା କରିଥିଲେ ବୋଲି ଯାହା କିଛି



୬୦. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା- ଡକ୍ଟର ବାସୁଦେବ ସାହୁ
୬୧. TANTRA: The erotic cult-Capt. E.D. Colaabavala Orient paper backs, 1983,Delhi.
୬୨. Adventures in religious life - Swami Yatiswarananda.
୬୩. ଶ୍ରୀମନ୍ଦିରରେ ସୂର୍ଯ୍ୟପୂଜା - ମହୀମୋହନ ତ୍ରିପାଠୀ, “ଝଙ୍କାର', ଜୁନ-୨୦୦୯
୬୪. ଶ୍ରୀମନ୍ଦିର ଓ ପ୍ରାଚୀନ ମିଶରୀୟ ମନ୍ଦିରମାନଙ୍କର ନୀତି- ମହୀମୋହନ ତ୍ରିପାଠୀ, ଶ୍ରୀମନ୍ଦିର,ଜୁଲାଇ ୨୦୧୦

୬୫. ଓଡ଼ିଶାର ସାଂସ୍କୃତିକ ଇତିହାସ – ଡକ୍ଟର ଯଜ୍ଞକୁମାର ସାହୁ (୨ୟ ଖଣ୍ଡ, ଓ.ସା.ଏ, ୨୦୦୧)

ଲେଖାଯାଇଛି ତାହା ବିଶ୍ୱାସଯୋଗ୍ୟ । ଯୀଶୁଙ୍କ ସମୟରେ କୃଷ୍ଣବାସୁଦେବ ଓ ଶଙ୍କର୍ଷଣ ଉପାସନା ଭାରତର କେତେକ ଅଞ୍ଚଳରେ ପ୍ରଚଳିତ ଥିବାର ପ୍ରମାଣ ମିଳେ । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏହି ଉପାସନା ପ୍ରସିଦ୍ଧି ଲାଭ କରିଥିବ । ଯୀଶୁ ହିନ୍ଦୁ (ଭାଗବତ) ଧର୍ମ ଓ ବୃଦ୍ଧଧର୍ମ ସମ୍ପର୍କରେ ଶିକ୍ଷାଲାଭ କରିଥିବେ । ଖ୍ରୀ:ପୂ: ତୃତୀୟ ଶତକ ବେଳକୁ ଅର୍ଥାତ୍ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟବେଳେ ଓଡ଼ିଶାରେ ବୌଦ୍ଧଧର୍ମ ସାଙ୍ଗକୁ ବ୍ରାହ୍ମଣ୍ୟ ଧର୍ମ ରହିଥିଲା । ଖାରବେଳଙ୍କ ସମୟ (ଖ୍ରୀ:ପୃ: ପ୍ରଥମଦ୍ବିତୀୟ ଶତାବ୍ଦୀ)ରେ ଓଡ଼ିଶା ବ୍ରାହ୍ମଣ୍ୟଧର୍ମ, ବୌଦ୍ଧ ଓ ଜୈନଧର୍ମର ଉପାସନା ପୀଠ ଥିଲା ।
 ଖ୍ରୀଷ୍ଟଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମର ଉତ୍ପତ୍ତି ପୂର୍ବରୁ ଏହି କ୍ଷେତ୍ରରେ ଉପସିତ ଦେବତାଙ୍କ ବିଗ୍ରହ ସ୍ବରୂପ କ'ଣ ଥିଲା ତାହା ଗବେଷଣାସାପେକ୍ଷ । ସମୟାନୁକ୍ରମେ ବିବର୍ତ୍ତନ ଘଟି ଏହି ଦେବତା ଏକ’ରୁ ‘ବହୁ ରେ ପରିଣତ ହୋଇଛନ୍ତି । ଏବେ ଜଗନ୍ନାଥ- କୃଷ୍ଣବାସୁଦେବ ଭାବରେ ଉପାସିତ ହେଉଛନ୍ତି । ତାଙ୍କର ରୀତିନୀତିରେ ବିଭିନ୍ନ ଧର୍ମ ଓ ମତବାଦର ସମନ୍ବୟ ଦେଖିବାକୁ ମିଳେ ।
 ସ୍ୱାମୀ ହରିହରାନନ୍ଦ ଗିରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଭାରତର ସର୍ବଧର୍ମ ଧାରଣାର ପ୍ରତିନିଧିତ୍ବ କରୁଥିବା ସର୍ବୋତ୍ତମ ଓ ଆଦର୍ଶ ମୂର୍ତ୍ତି ।
 "Surely this is the ideal and best statue of India to all concepts" (୬୬) । ଡକ୍ଟର ହରେକୃଷ୍ଣ ମହତାବଙ୍କ ଭାଷାରେ : It would be unfair to identify this supremely catholic and cosmopolitan cult with any particular school of philosophy(୬୭)। ଏପରି ଉଦାର ସାର୍ବଜନୀନ ଧର୍ମ ପଦ୍ଧତିକୁ କୌଣସି ଏକ ନିର୍ଦ୍ଦିଷ୍ଟ ଦର୍ଶନ ଶୃଙ୍ଖଳା ସହିତ ଚିହ୍ନଟ କରାଯିବା ଯୁକ୍ତିଯୁକ୍ତ ହୋଇନପାରେ ।
 ଏସାଇକ୍ଳୋପେଡ଼ିଆ ଆମେରିକାନାରେ ଉଲ୍ଲେଖ ଅଛି :
 The worship of Jagannath, the god of the people, aims at a catholicity with every-form of Indian devotion and at the incorporation therein of every Indian conception of god.(୬୮)
 ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀଙ୍କ ଆଲୋଚନା ପ୍ରକାରେ ମାନବ ସମାଜରେ ତିନିଟି ଦୃଷ୍ଟିଭଙ୍ଗୀ ଧରି “ଦେବତା’ ଦେଖାଯାନ୍ତି- ଆଧ୍ୟାତ୍ମିକ, ଆବତାରିକ ଓ ସାଂସ୍କୃତିକ । ଯେଉଁ ଦେବତାଙ୍କୁ ମୂଳ କରି ଆଧ୍ୟାତ୍ମିକ ଚିନ୍ତା ବା ଦାର୍ଶନିକତା ଉତ୍ପତ୍ତି ଲାଭ କରେ ଏବଂ ବିଭିନ୍ନ ଦର୍ଶନର ସୂତ୍ରପାତ ହୁଏ, ତାହାଙ୍କୁ ‘ଆଧ୍ୟାତ୍ମିକ ଦେବତା’ କୁହାଯାଏ । *ଆବତାରିକ ଦେବତା’ ହେଲେ, ଯେଉଁମାନେ ମରଶରୀରରେ ରକ୍ତମାଂସଧାରୀମାନବ । ରୂପେ ଅବତୀର୍ଣ୍ଣ ହୋଇ ବିଶ୍ବନିୟନ୍ତାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାଦ୍ୱାରା ଜନସମାଜର ଉପାସ୍ୟ ହୋଇଉଠନ୍ତି । ଏମାନେ ସାଧାରଣ ମାନବ ତୁଲ୍ୟ ପ୍ରତୀୟମାନ ହେଲେ ସୁଦ୍ଧା ଐଶ୍ବରୀୟ ଶକ୍ତିସମ୍ପନ୍ନ । ଅପରଟି ହେଉଛି ‘ସାଂସ୍କୃତିକ ଦେବତା' । ପ୍ରଥମୋକ୍ତ ଦେବତାଙ୍କ ତୁଲ୍ୟ ଏହାଙ୍କୁ


୬୬. The secrets and significance of the idol worship of the Hindus-Swami H. Giri.
୬୭. Orissa History- Dr. H.K. Mahatab
୬୮. The Encyclopaedia Americana (1829)

୫୪ । ଶ୍ରୀଜଗନ୍ନାଥ

କେନ୍ଦ୍ର କରି କୌଣସି ଅଧ୍ୟାତ୍ମବାଦ ପ୍ରତିଷ୍ଠିତ ହୋଇନଥାଏ କିମ୍ବା ଦ୍ୱିତୀୟ ଦେବତା ପରି ଇଏ କୌଣସି ଅବତାର ଗ୍ରହଣ କରିବା କିମ୍ବା ଏହାଙ୍କୁ କେନ୍ଦ୍ରକରି ଧର୍ମ ସଂପ୍ରଦାୟ ସୃଷ୍ଟି ହେବା ବର୍ଣ୍ଣିତ ନଥାଏ । କିନ୍ତୁ ଏହାଙ୍କଠାରେ ମାନବ ସମାଜର ସର୍ବୋତ୍ତମ ସାଂସ୍କୃତିକ ଚିନ୍ତାଧାରା ନିହିତ ଥାଏ । ସର୍ବୋତ୍କୃଷ୍ଟ ମାନବ ରୂପରେ ସଂସାର ମଧ୍ୟରେ ବଞ୍ଚି ରହିବାକୁ ହେଲେ କି ପ୍ରକାର କର୍ତ୍ତବ୍ୟନିଷ୍ଠ ଓ ଆଚାର ବିଚାରଧାରା ଗ୍ରହଣ କରିବା ଉଚିତ, ସେ ସବୁର ଆଦର୍ଶ ଚିନ୍ତା ଏହାଙ୍କଠାରେ ପ୍ରତିଫଳିତ ହୋଇଥାଏ । ଏଣୁ ଏହାଙ୍କୁ ‘ସାଂସ୍କୃତିକ ଦେବତା’ କୁହାଯାଏ । ଉତ୍କଳର ଜଗନ୍ନାଥ ଏହି ଶ୍ରେଣୀର ଦେବତା, ଯାହାଙ୍କ ସହିତ ଉତ୍କଳୀୟ ସଂସ୍କୃତି ଓତପ୍ରୋତ ଭାବରେ ଜଡ଼ିତ । ଜଗନ୍ନାଥଙ୍କର ଆଉ ଏକ ବୈଶିଷ୍ଟ୍ୟ ହେଉଛି, ଅନ୍ୟତ୍ର ପୂଜିତ ଦେବତାଙ୍କ ନାମ ସହିତ ସେହି ଦେଶର ଧର୍ମ ବା ସଂସ୍କୃତି ଜଡ଼ିତ ଥିବା ଦେଖାଯାଏ ନାହିଁ । କିନ୍ତୁ ଉତ୍କଳର ଧର୍ମ କହିଲେ 'ଜଗନ୍ନାଥ ଧର୍ମ', ସଂସ୍କୃତି କହିଲେ 'ଜଗନ୍ନାଥ ସଂସ୍କୃତି', ଇତିହାସ କହିଲେ 'ଜଗନ୍ନାଥଙ୍କ ଇତିହାସ' । ଜଗନ୍ନାଥ ହିଁ ଉତ୍କଳବାସୀଙ୍କ ଧର୍ମ ଓ ବିଶ୍ୱାସର ପ୍ରାଣକେନ୍ଦ୍ର (୬୯) ।

 Since the time of inception of Jagannath worship and over the past many centuries, there have been diverse currents and cross currents moulding the concepts and religious outlook of the people. Attempts have been made by scholars to trace the origin of Jagannath to... Buddhist, Jain, Sabar, Vedic or Brahmanical sources. Visit of great teachers like Sankaracharya, Ramanuja and Chitanya are land-marks in the history of evolution of the religious spirit of people of the land. In course of time the various creed and ideologies merged into a composite religion which absorbed and assimilated the essence of all religions. This religion is Jagannath Dharma or an eternal symbol of a cultural assimilation (90) ।

 ସମୟକ୍ରମେ ବିଭିନ୍ନ ଧର୍ମମତ ଓ ବିଚାରଧାରାର ବିଲୟ ନ ଘଟି ଏକ ମିଶ୍ରଧର୍ମରେ ପରିଣତ ହେଲା, ଯାହାକି ସବୁ ଧର୍ମର ସାରତ‌ତ୍ତ୍ୱକୁ ବିଶୋଷିତ କରି ସମୀକରଣ ବା ନିଜସ୍ୱୀକରଣ କରିଦେଲା । ଏହି ‘ମିଶ୍ରଧର୍ମ' ହିଁ ଜଗନ୍ନାଥ ଧର୍ମ- ଏକ ସାଂସ୍କୃତିକ ସମୀକରଣର ଶାଶ୍ୱତ ପ୍ରତୀକ ।


୬୯, କୃଷ୍ଟି ଓ ଦୃଷ୍ଟି- ଡକ୍ଟର ବେଣୀମାଧବ ପାଢ଼ୀ । ୭୦. Report of the Sri Jagannath Temple Administration Improvement Committee (Published in 1980)