ଶ୍ରୀ ଜଗନ୍ନାଥ/ଶ୍ରୀମନ୍ଦିରର ନୀତି

ଉଇକିପାଠାଗାର ରୁ
Jump to navigation Jump to search
ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ଶ୍ରୀମନ୍ଦିରର ନୀତି
ShreeJagannath.pdf

ଶ୍ରୀମନ୍ଦିରର ନୀତି

 ଗତର ନାଥ ଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ । ସେ ଦେବାଧିଦେବ ଓ ରାଜାରାଜ । ତାଙ୍କର ପାରମ୍ପରିକ, ଦୈନନ୍ଦିନ ଯାତ୍ରା ବା ପର୍ବପର୍ବାଣିର ରୀତିନୀତି ଓ ସେବା ପୂଜାରେ ରାଜକୀୟ ଠାଣି ପରିଲକ୍ଷିତ ହୁଏ ।
ଦୈନନ୍ଦିନ ନୀତି
 ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିରରେ ପ୍ରଚଳିତ ଦୈନନ୍ଦିନ ନୀତି ସମ୍ପର୍କରେ ଏଠାରେ ସୂଚନା ଦିଆଯାଉଛି ।
ଦ୍ୱାରଫିଟା ଓ ମଙ୍ଗଳ ଆରତି
 ଦ୍ୱାରଫିଟା ନୀତି ପ୍ରତିଦିନ ଭୋର ପାଞ୍ଚଟା ବା ତା' ପୂର୍ବରୁ ହେବା ନିୟମ ବୋଲି ଶ୍ରୀମନ୍ଦିରର ସ୍ୱତ୍ୱଲିପି (Record of rights)ରେ ଉଲ୍ଲେଖ ଅଛି । କେତେକ ବିଶିଷ୍ଟ ପର୍ବଦିନମାନଙ୍କରେ ଯଥା- ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ, ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ମାସରେ) ଦ୍ୱାରଫିଟା ରାତି ୨ଟାରୁ ୩ଟା ଭିତରେ କରାଯାଇଥାଏ । ଦ୍ୱାରଫିଟା ନୀତି ପାଇଁ ପାଞ୍ଚଜଣ ସେବକଙ୍କର ଉପସ୍ଥିତି ନିତାନ୍ତ ଦରକାର । ସେମାନେ ହେଲେଭିତରଚ୍ଛ ମହାପାତ୍ର, ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ ଓ ପାଳିଆ ମେକାପ । ପୂର୍ବରାତ୍ର ଯଦି ପହୁଡ଼ ହୋଇଥାଏ, ତେବେ ମନ୍ଦିରର ଭିତର ଓ ବାହାର ବେଢ଼ା ଶୋଧ ହୋଇ (ଅର୍ଥାତ୍ ଲୋକ ଖାଲି କରାଇ) ବଡ଼ ଦେଉଳର ଛାମୁ ଦୁଆର ଓ ଜୟବିଜୟ ଦୁଆର ବନ୍ଦ ହୋଇ ତାଲା ପଡ଼ିଥାଏ। ଏବଂ ତାଲା ଉପରେ ମାଟିର ମୁଦ ଦିଆଯାଇଥାଏ । ଏହି ମୁଦ ତଳିଚ୍ଛ ମହାପାତ୍ର ଦେଇଥାନ୍ତି । ଉପରୋକ୍ତ ପାଞ୍ଚଜଣ ସେବକ ଜୟବିଜୟ ଦ୍ୱାର ନିକଟକୁ ଯାଇ ତାଲା ଉପରେ ପଡ଼ିଥିବା ମୁଦ ଯାଞ୍ଚ କରନ୍ତି । ତା’ପରେ ଏହି ଦ୍ବାରର ତାଲା ମୁଦୁଲି ଖୋଲେ । ଏମାନେ ଜୟବିଜୟ ଦ୍ୱାର ଦେଇ ଭିତରକୁ ଯାଇ ଛାମୁ ଦ୍ୱାର ବା କଳାହାଟ ଦ୍ୱାରକୁ ଯାଆନ୍ତି । ସେହି ଦ୍ବାରରେ ପୂର୍ବରାତ୍ରରେ ପଡ଼ିଥିବା ତାଲା ଓ ମୁଦ ଯାଞ୍ଚ କରନ୍ତି । ଏହା ପରେ ଉକ୍ତ ଦ୍ୱାର ଖୋଲାଯାଏ ଓ ପରେ ପରେ ଶ୍ରୀମନ୍ଦିରର ଅନ୍ୟାନ୍ୟ ଦ୍ୱାର ସମ୍ପୂର୍ଣ୍ଣ ଖୋଲାଯାଏ । କୌଣସି ଅସୁବିଧାଯୋଗୁଁ ପୂର୍ବରାତ୍ର ଠାକୁରମାନଙ୍କର ପହୁଡ଼ ହୋଇ ପାରିନଥିଲେ ଦ୍ୱାରଫିଟା ନୀତିର ପ୍ରଶ୍ନ ଉଠେ ନାହିଁ । ଉକ୍ତଦିନ କେବଳ ମଙ୍ଗଳ ଆରତି ଠାରୁ ନୀତି ଆରମ୍ଭ ହୋଇଥାଏ । ଭିତରଚ୍ଛ ମହାପାତ୍ର ଶ୍ରୀଜଗନ୍ନାଥଙ୍କର

ଓ ଅନ୍ୟ ଦୁଇଜଣ ପୃଷ୍ଠାଳକ ସେବକ ବଳଭଦ୍ର ଓ ସୁଭଦ୍ରାଙ୍କର ମଙ୍ଗଳ ଆରତି, ସିଂହାସନ ତଳେ ଠିଆହୋଇ କରିଥାନ୍ତି । ମଙ୍ଗଳ ଆରତି ବେଳେ ସର୍ବସାଧାରଣ ଭିତର କାଠ ଅର୍ଗଳି ପାଖରେ ରହି ଦର୍ଶନ କରନ୍ତି । ରତ୍ନବେଦୀ କିମ୍ବା ପେଖରିଆ ନିକଟକୁ ଯାଇ ଦର୍ଶନ କଲେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପରିମାଣିକ ଫି ଦେବାକୁ ପଡ଼େ ।
ମଇଲମ
 ନିର୍ଦ୍ଧାରିତ ସମୟ ସକାଳ ଛଅ । କିନ୍ତୁ ମଙ୍ଗଳ ଆରତି ଶେଷ ହେବା ପରେ ଏହି ନୀତି ହୁଏ । ଏହି ନୀତିରେ ଜଡ଼ିତ ସେବକମାନେ ହେଲେ ପୃଷ୍ଠାଳକ ୩ଜଣ), ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ଧୋବା । ତିନି ଜଣ ପୃଷ୍ଠାଳକ ରତ୍ନସିଂହାସନ ଉପରକୁ ଉଠି ପୂର୍ବରାତ୍ରରେ ଠାକୁରମାନଙ୍କ ଶ୍ରୀଅଙ୍ଗରେ ଥିବା ବେଶ ଫୁଲ, ତୁଳସୀ ଓ ବସ୍ତ୍ରମାନ ମଇଲମ (ବାହାର) କରନ୍ତି । ଠାକୁରମାନଙ୍କ ଅବକାଶ ନୀତିପାଇଁ ତଡ଼ପ ଓ ଉତ୍ତରୀୟ ନାମକ ସୂତା ଗାମୁଛା ପରି ବସ୍ତ୍ର ପୃଷ୍ଠାଳକମାନେ ପିନ୍ଧାନ୍ତି । ଏହି ବସ୍ତ୍ର ପ୍ରତିଦିନ ଧୋବା- ସେବକ ଧୋଇବା ବିଧି ଅଛି । ଏହି ସେବକ ପ୍ରକୃତରେ ଜାତିରେ ଧୋବା ନୁହେଁ; ସେ ବ୍ରାହ୍ମଣ ।
ଅବକାଶ
 ସକାଳ ୬ରୁ ୬ଟା୩୦ ମଧ୍ୟରେ ହେବା କଥା । ଠାକୁରମାନଙ୍କ ଦନ୍ତ ମାର୍ଜନ ଓ ସ୍ନାନକୁ ଅବକାଶ କୁହାଯାଏ । ଏହି ନୀତିରେ ନିମ୍ନଲିଖିତ ସେବକ ସଂପୃକ୍ତ ରହନ୍ତି- ପୁଷ୍ପାଳକ, ସୁଆର ବଡ଼ୁ, ପାଣିଆପଟ, ଖଟୁଳି ସେବକ, ଦର୍ପଣିଆ, ମୁଖ ପଖାଳ ପଢ଼ିଆରୀ, ଅଁଳା ଘଟୁଆରୀ, ମୁଖ ପଖାଳ ପୁଷ୍ପାଳକ, ଭଣ୍ଡାର ମେକାପ, ମହାଭୋଇ ଓ ମନ୍ଦିର ଜ୍ୟୋତିଷ ।
 ସିଂହାସନ ତଳେ ଅବକାଶ ପୂଜା ଠା’ ହୁଏ । ୩ଜଣ ପୁଷ୍ପାଳକ ଏହି ପୂଜାରେ ବସନ୍ତି । ସେମାନେ ତିନି ଠାକୁରଙ୍କୁ ଦାନ୍ତକାଠି ଓ ଜିଭଛେଲା ଦୂରରୁ ଦେଖାଇ ଦାନ୍ତ ଘଷିବା ଓ ଜିଭ ଛେଲିବା ପରି କରନ୍ତି । ତା’ ପରେ କର୍ପୂର, ଦହି, ଅଁଳା ଓ ଚନ୍ଦନ ମିଶ୍ରିତ ଜଳ ତିନିଟି ପିତ୍ତଳ ଦର୍ପଣ ଉପରେ ଢାଳନ୍ତି । ଏହା ହେଲେ ଠାକୁରମାନଙ୍କ ସ୍ନାନ ହୋଇଗଲା ବୋଲି ଧରାଯାଏ । ଏହି ନୀତି ହେବା ସମୟରେ ଜ୍ୟୋତିଷ ବା ଖୁରି ନାୟକ ଠିଆହୋଇ ଦିଅଁମାନଙ୍କର ସେହିଦିନର ନକ୍ଷତ୍ର ବିଚାର ଶୁଣାନ୍ତି । ଯଦି କୌଣସି ଦିଅଁଙ୍କର ସେହିଦିନ ଜନ୍ମ ନକ୍ଷତ୍ର ପଡ଼େ, ତେବେ ଉକ୍ତ ଦିନ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ବନ୍ଦାପନା’ ହୁଏ ।
ମଇଲମ
 ଅବକାଶ ପରେ ପୁଣି ଥରେ ମଇଲମ ହୁଏ । ନିର୍ଦ୍ଧାରିତ ସମୟ ସକାଳ ୬ଟା୪୫ । ଚାଙ୍ଗଡ଼ା ମେକାପ ଠାକୁରମାନଙ୍କପାଇଁ ଯୋଗାଇଥିବା ‘ବାରଲାଗି ଖଣ୍ଡୁଆ’ ପାଟ ତିନି ଠାକୁର ଏବଂ ଶ୍ରୀଦେବୀ, ଭୂଦେବୀ ଓ ନୀଳମାଧବଙ୍କୁ ପୁଷ୍ପାଳକମାନେ ପିନ୍ଧାନ୍ତି । ଏହି ସମୟରେ ଅଖଣ୍ଡ ମେକାପ *ଅଖଣ୍ଡ ବଇଠା ଜଳାନ୍ତି । ଏହା ରାତ୍ର ପହୁଡ଼ଯାଏ ଜଳିବା ବିଧି ଅଛି ।

ସାହାଣମେଲା
 ନିର୍ଦ୍ଧାରିତ ସମୟ ସକାଳ ୭ । ଏହା ଠାକୁରମାନଙ୍କର ନୀତି ଭିତରେ ଗଣ୍ୟ ନୁହେଁ । ସାହାଣମେଲା ସମୟରେ ଜନସାଧାରଣ ବା ଯାତ୍ରୀମାନେ ପରିମାଣିକ ଫି ନଦେଇ ସିଂହାସନ ପର୍ଯ୍ୟନ୍ତ ଯାଇ ଦର୍ଶନ କରିବାର ସୁଯୋଗ ପାଆନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ପ୍ରକାରେ ଦିନକୁ ଦୁଇଥର ସାହାଣମେଲା ହେବା କଥା । କିନ୍ତୁ ସାଧାରଣତଃ ଦିନକୁ ଥରେ ହୁଏ । ଏହା ପ୍ରାୟ ଏକ ଘଣ୍ଟା ହୁଏ । ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସକାଳେ ସାହାଣମେଲା ନହୋଇ ସନ୍ଧ୍ୟାରେ ଦି-ପହର ଧୂପ ପରେ ହୁଏ । ବେଳେବେଳେ ପର୍ବଦିନମାନଙ୍କରେ (ଯଥା- ଗଜ ଉଦ୍ଧାରଣ । ବେଶ ଦିନ) ସନ୍ଧ୍ୟା ଧୂପ ପରେ ସାହାଣମେଲା ହୁଏ । କେତେକ ବିଶିଷ୍ଟ ଦିନରେ ସାହାଣ ମେଲା କରାଯାଏ ନାହିଁ । କେତେକ ଦିନମାନଙ୍କରେ ସକାଳ ଧୂପ ପରେ ସାହାଣମେଲା ହୁଏ । ପୁଷ୍ପାଳକ, ଖୁଣ୍ଟିଆ, ମେକାପ, ତଡ଼ାଉକରଣ, ଗୋଛିକାର, ପ୍ରତିହାରୀ, ସୁଆରବଡ଼ୁ ଆଦି ସେବକମାନଙ୍କ ଦ୍ବାରା ଏହି ସମୟରେ ନୀତି ହୁଏ ।
ବେଶଲାଗି
 ସକାଳ ୮ରୁ ୮ଟା୩୦ ମଧ୍ୟରେ ହେବା ନିୟମ । ଠାକୁରମାନଙ୍କୁ ଭିନ୍ନ ଭିନ୍ନ ଋତୁରେ ଓ ପର୍ବଦିନମାନଙ୍କରେ ଭିନ୍ନ ଭିନ୍ନ ବସ୍ତ୍ର ଓ ଅଳଙ୍କାରରେ ବେଶ କରାଯାଏ । ପୁଷ୍ପାଳକମାନେ ସବୁ ବେଶ କରନ୍ତି ।
ରୋଷହୋମ
 ନିର୍ଦ୍ଧାରିତ ସମୟ ସକାଳ ୮ଟା୩୦ ମଧ୍ୟରେ । ପ୍ରତିଦିନ ଠାକୁରଙ୍କ ରୋଷଘରେ କୋଠଟୁଲି ପାଖରେ ହୋମ ହୁଏ । ଏହି ହୋମ ପୂର୍ବେ ଦେଉଳ ପୁରୋହିତ କରୁଥିଲେ । ଏବେ ପୂଜାପଣ୍ଡା କରୁଛନ୍ତି । ବେଶଲାଗି ଓ ରୋଷହୋମ ଏକ ସମୟରେ କରାଯାଇଥାଏ ।
ସୂର୍ଯ୍ୟପୂଜା
 ନିର୍ଦ୍ଧାରିତ ସମୟ ସକାଳ ୮ଟା୩୦ରୁ ୮ଟା୪୫ ମଧ୍ୟରେ । ମୁକ୍ତିମଣ୍ଡପ ପାର୍ଶ୍ୱରେ ଥିବା ସୂର୍ଯ୍ୟ ମନ୍ଦିରରେ ଜଣେ ପୂଜାପଣ୍ଡା ସୂର୍ଯ୍ୟପୂଜା କରନ୍ତି ।
ଦ୍ବାରପାଳ ପୂଜା
ଜୟବିଜୟ ଦ୍ୱାରରେ ଜୟ ଓ ବିଜୟ ଦ୍ୱାରପାଳଙ୍କୁ ପୂଜାପଣ୍ଡା ପୂଜା କରନ୍ତି ।
ଗୋପାଳବଲ୍ଲଭ ଭୋଗ
 ନିର୍ଦ୍ଧାରିତ ସମୟ ସକାଳ ନଅ । ଏହି ଭୋଗ ଠାକୁରଙ୍କ ପ୍ରାତଃଭୋଜନ ବା ଜଳଖିଆ । ଅଣସର ପିଣ୍ଡିରେ ଏହି ଭୋଗ ବଢ଼ାଯାଏ । ୩ଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ଏହି ଭୋଗ

ପୂଜା କରନ୍ତି । ଏହି ଭୋଗରେ ପାଗ ଖଇ, ନଡ଼ିଆକୋରା, ଦହି, ପାତି ବା ଖୁଦି ନଡ଼ିଆ, ପାଚିଲା କଦଳୀ ଇତ୍ୟାଦି ବଢ଼ାଯାଏ । ଏବେ କେତେବର୍ଷ ହେଲା ନିୟମିତ ଖୁଆମଣ୍ଡା ମଧ୍ୟ ଭୋଗ କରାଯାଉଛି ।
 ଏହି ନୀତିରେ ସଂପୃକ୍ତ ସେବକମାନେ ହେଲେ- ପୂଜାପଣ୍ଡା, ସୁଧ ସୁଆର, ବଲ୍ଲଭ ଯୋଗାଣିଆ, ସୁଆରବଡ଼ୁ, ପତ୍ରିବଡୁ, ଗରାବଡୁ ପାଳିଆ ମହାସୁଆର, ପ୍ରଧାନୀ ଇତ୍ୟାଦି ।
 ଧନୁ ମାସରେ ପହିଲିଭୋଗ ସହିତ ବଲ୍ଲଭ ଭୋଗ ହୁଏ । ଦୋଳପୂର୍ଣ୍ଣମୀ ଓ ସ୍ନାନପୂମୀ ଦିନ ବଲ୍ଲଭ ଓ ସକାଳ ଧୂପ ଏକତ୍ର ହୁଏ ।
ସକାଳ ଧୂପ
 ନିର୍ଦ୍ଧାରିତ ସମୟ ସକାଳ ୧୦ଟା । ସକଳ ଧୂପରେ ହେଉଥିବା କୋଠଭୋଗ ବା ରାଜଭୋଗ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଦବ୍ୟ ଯଥା- ଚାଉଳ, ଗହମ, ଘିଅ, ଚିନି, କାଠ, ପନିପରିବା, କୃତୁଆ ଇତ୍ୟାଦି ମନ୍ଦିର ପ୍ରଶାସନ କପକ୍ଷ ଯୋଗଇ ଦିଅନ୍ତି । କୋଠଭୋଗ ସୂପକାରମାନେ ପ୍ରସ୍ତୁତ କରନ୍ତି । ସିଂହାସନ ତଳେ ପୋଖରିଆରେ ଏହି ଭୋଗ ବଢ଼ାଯାଏ । ତିନିଜଣ ପୂଜାପଣ୍ଡା ଭୋଗ ପୂଜା କରନ୍ତି । ବଳଭଦ୍ରଙ୍କୁ ଜଣେ ପୂଜାପଣ୍ଡା ଓ ସୁଭଦ୍ରାଙ୍କୁ ଜଣେ ପୂଜାପଣ୍ଡା ପୂଜା କରନ୍ତି । ଜଗନ୍ନାଥଙ୍କୁ ପୂଜା କରୁଥିବା ପୂଜାପଣ୍ଡା ସୁଦର୍ଶନ, ଶ୍ରୀଦେବୀ ଓ ଭୂଦେବୀଙ୍କର ପୂଜା କରନ୍ତି । ନୀଳମାଧବଙ୍କର ସ୍ବତନ୍ତ୍ର ପୂଜା ନାହିଁ । ପୂଜାପଣ୍ଡାମାନେ ସିଂହାସନ ଉପରେ ବସି ପୂଜା କରନ୍ତି । ଦିଅଁମାନଙ୍କ ‘ଘୋଡ଼ଲାଗି ଦିନମାନଙ୍କରେ ଅର୍ଥାତ୍ ଓଢ଼ଣ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀଯାଏ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରନ୍ତି । ସକାଳ ଧୂପ ପୂଜା “ଷୋଡ଼ଶ ଉପଚାରରେ ହୋଇଥାଏ । ଧୂପ ପରେ ଠାକୁମାନଙ୍କର ଆରତି ପୂଜାପଣ୍ଡାମାନେ କରନ୍ତି ।
  ସକାଳ ଧୂପରେ ଲାଗୁଥିବା ଭୋଗମାନ ହେଲା- ଖେଚୁଡ଼ି, କାନିକା, ଶାଗ, କାଞ୍ଜି, ଏଣ୍ଡୁରି, ମାଠପୁଳି, ଝିଲି, ପିଠାପୁଳି, ହଂସକେଳି, ଆଳୁ, କଦଳୀଭଜା, ଅଦା ପାଚେଡ଼ି, ବୁନ୍ଦିଆ ଇତ୍ୟାଦି ।
 ସକାଳଧୂପ ନୀତି ସହିତ ସଂପୃକ୍ତ ସେବକମାନେ ହେଲେ- ପୂଜାପଣ୍ଡା, ସୁଆରବଡ଼ୁ, ପ୍ରତିହାରୀ, ପାଣିଆ ପଟ, ପ୍ରଧାନୀ, ପାଳିଆ ମହାସୁଆର, ପନ୍ତି ବଡ଼ୁ, ପତ୍ରୀବନ୍ତୁ, ଗରାବଡ଼ୁ, ମୁଦୁଲି, ରୋଷପାଇକ, ଚାଙ୍ଗଡ଼ା ମେକାପ, ଚନ୍ଦନ ଘଟୁଆରୀ, ପାଳିଆ ମେକାପ, ପାଳିଆ ଖୁଣ୍ଟିଆ, ହଡ଼ପ ନାଏକ, ବିଡ଼ିଆ ଯୋଗାଣିଆ, ଗୋଛିକାର, ଘଣ୍ଟୁଆ, ବଜନ୍ତ୍ରୀ ଇତ୍ୟାଦି ।
ମଇଲମ ଓ ଭୋଗ ମଣ୍ଡପ
 ନିର୍ଦ୍ଧାରିତ ସମୟ ସକାଳ ୧୧ଟା । ସକାଳ ଧୂପ ପରେ ଠାକୁରମାନଙ୍କର ପୁଣି ଥରେ ମଇଲମ ହୁଏ ଓ ବୟ ବଦଳାଯାଏ । ଏହା ପରେ ଗରୁଡ଼ସ୍ତମ୍ଭ ପଛପଟେ ଥିବା ଭୋଗମଣ୍ଡପ ଘରେ ଭୋଗମଣ୍ଡପ ଭୋଗ ପୂଜା ହୁଏ । ଏହି ଭୋଗ ପ୍ରସ୍ତୁତି ପାଇଁ ଯାହା ଦ୍ରବ୍ୟ ଲାଗେ ବା ଖର୍ଚ୍ଚ ହୁଏ, ତାହା ମନ୍ଦିର କର୍ତ୍ତୁପକ୍ଷ ବହନ କରନ୍ତି ନାହିଁ । ମଠବାଡ଼ିମାନଙ୍କର ଭୋଗ ଦେବା ସକାଶେ, ଭୋଗ ବିକ୍ରୀ କରିବା ଲୋକମାନେ ଭୋଗ ତିଆରି କରି ମହାପ୍ରସାଦ କରିବା ସକାଶେ ଏବଂ

ସର୍ବସାଧାରଣଙ୍କର ବରାଦ ଅନୁଯାୟୀ ଭୋଗ ପ୍ରସ୍ତୁତି ଓ ବିକ୍ରୀ କରିବା ସକାଶେ ଭୋଗମଣ୍ଡପ ଭୋଗ ହୁଏ । ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ଏହା ପୂଜା କରନ୍ତି । ଏହି ଧୂପରେ ନିର୍ଦ୍ଦିଷ୍ଟ ଭୋଗ ନାହିଁ । ଯାତ୍ରୀ ସଂଖ୍ୟା ଓ ବରାଦକୁ ଚାହିଁ ସୂପକାରମାନେ ଭୋଗ ପ୍ରସ୍ତୁତ କରନ୍ତି । ଅନ୍ନ, ଡାଲି, ବିଭିନ୍ନ ପ୍ରକାର ତରକାରି ଓ ଶାଗ ଏବଂ ପିଠା ଭୋଗ ଲାଗେ ।
 ସେବକମାନେ ହେଲେ ଏହି ନୀତିରେ ସଂପୃକ୍ତ ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ପାଳିଆ ମେକାପ, ଭୋଗମଣ୍ଡପ ପ୍ରତିହାରୀ, ସୁଆରବଡୁ, ସୁଆର, ମହାସୁଆର, ଖୁଣ୍ଟିଆ, ପତ୍ରୀବନ୍ତୁ, ଗରାବନ୍ତୁ ଓ ପୂଜାପଣ୍ଡା ଇତ୍ୟାଦି ।
 କେତେକ ପର୍ବଦିନମାନଙ୍କରେ ଭୋଗମଣ୍ଡପ ପୂଜା ସକଳ ଧୂପ ପରେ ନହୋଇ ଦ୍ବିପ୍ରହର ଧୂପ ପରେହୁଏ । ବେଳେବେଳେ ସକାଳ ଧୂପ ପରେଓ ଦ୍ବିପ୍ରହରଧୂପ ପରେ ଏହିପରିଦୁଇଥରଭୋଗମଣ୍ଡପ ପୂଜା ହୁଏ । ଥରେ ଥରେ ସନ୍ଧ୍ୟା ଧୂପ ପରେ ଅର୍ଥାତ୍ ଉକ୍ତ ଦିନ ତିନିଥର ଭୋଗମଣ୍ଡପ ପୂଜା ହୁଏ ।
ମଧ୍ୟାହ୍ନ ଧୂପ
 ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ ଟା୩୦ରୁ ୧ଟା ଯାଏ । ଏହି ଧୂପର ଭୋଗ ସିଂହାସନ ତଳେ ଅର୍ଥାତ୍ ଯୋଖରିଆରେ ହୁଏ । ସକାଳ ଧୂପ ପରି ଏହା ପୂଜାପଣ୍ଡାମାନେ ଷୋଡ଼ଶ ଉପଚାରରେ ପୂଜା କରନ୍ତି । ସକାଳ ଧୂପ ନୀତିରେ ଯେଉଁ ଯେଉଁ ଶ୍ରେଣୀର ସେବକ ନିଯୁକ୍ତ ରହନ୍ତି, ମଧ୍ୟାହ୍ନ ଧୂପରେ ମଧ୍ୟ ସେମାନେ ରହିଥାନ୍ତି । ଭୋଗଦ୍ରବ୍ୟମାନ ହେଲା- ପିଠାପୁଳି, ତପୁରି, ଆରିସା, କାକରା, ମାଠପୁଳି, ଝଡ଼େଇଲଦା, ତାଟ ମନୋହର, ଖଇର ଚୂଳ, ମରିଚ ଲଡ଼ୁ, ଫେଣି, ଟାକୁଆ, ଗଜା, ବିରିବଡ଼ି, ଅନ୍ନ, ମୁଗଡାଲି, ପିତିଅନ୍ନ, ଓରିଆ, ମରିଚପାଣି, ପଣା, ଖିରି, ସୁବାସ ପଖାଳ, ସାକରା ଇତ୍ୟାଦି ।
 ଭୋଗ ଶେଷ ହେବା ପରେ ଦିଅଁମାନଙ୍କର ଆରତି ହୁଏ ।
ମଧ୍ୟାହ୍ନ ପହୁଡ
 ଏହି ନୀତି ହେବା ନିୟମ ଥିଲେ ମଧ୍ୟ ପ୍ରାୟ ହୁଏ ନାହିଁ । ବର୍ଷ ଭିତରେ କେବଳ କାର୍ତ୍ତିକମାସ ଓ ଧନୁ (ପହିଲି ଭୋଗ) ମାସରେ ଅଳ୍ପ କେତେଦିନ ହେବା ସମ୍ଭବ ହୁଏ । ଯଥା ସମୟରେ ନୀତି ସମ୍ପନ୍ନ ହୋଇ ନପାରିଲେ ଏବଂ ପର୍ବପର୍ବାଣି ଦିନରେ ଅଧିକା ନୀତି ହେବା ଫଳରେ ଦିବା ପହୁଡ଼ା ହୋଇପାରେ ନାହିଁ ।
 ଦିବା ପହୁଡ଼ ହେଲେ ଜୟବିଜୟ ଦ୍ବାର, କଳାହାଟ ଦ୍ୱାର ଓ ବେହରଣ ଦ୍ବାର ବନ୍ଦ କରାଯାଏ । ଦିବା ପହୁତର ନିର୍ଦ୍ଧାରିତ ସମୟ ଅପରାହ୍ମଣ ୧ରୁ ୧ଟା୩୦ ମଧ୍ୟରେ ।
ସନ୍ଧ୍ୟା ଆରତି
ଦିବା ପହୁଡ଼ ଫିଟିବା ସମୟ ସନ୍ଧ୍ୟା ୬ଘଣ୍ଟା । ଦ୍ୱାରଫିଟ ପରେ ଦିଅଁମାନଙ୍କର ସନ୍ଧ୍ୟା ଆରତି ହୁଏ । ଜଗନ୍ନାଥଙ୍କର ତଳିଚ୍ଛ ମହାପାତ୍ର ଓ ବଳଭଦ୍ର ଏବଂ ସୁଭଦ୍ରାଙ୍କର ଆରତି ଅନ୍ୟ



ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ଠିଆହୋଇ କରିଥାନ୍ତି । ଆରତି ପରେ ସେମାନେ ଠାକୁରମାନଙ୍କର ପାଟପତନି ବେଶ କରନ୍ତି । ଖୁଣ୍ଟିଆ ଫୁଲମାଳ ବଢ଼ାଇ ଦିଅନ୍ତି । ଯଦି ଦିବା ପହୁଡ଼ ହୁଏନାହିଁ, ତେବେ ଦ୍ବିପ୍ରହର ଧୂପ ପରେ ମଇଲମ କରାଯାଇ ବେଶ କାର୍ଯ୍ୟ ଶେଷ ପରେ ସନ୍ଧ୍ୟା ଆରତି ହୁଏ । କିନ୍ତୁ ପହୁଡ଼ ହେଲେ, ସନ୍ଧ୍ୟା ଆରତି ପରେ ବେଶ ହୁଏ । ଏକାଦଶୀ ପଡ଼ିଲେ ଆରତି ପରେ ମଇଲମ ଓ ବେଶ ହୁଏ ।
ସନ୍ଧ୍ୟା ଧୂପ
 ସନ୍ଧ୍ୟାଧୂପର ସମୟ ରାତ୍ର ୭ଟାରୁ ୮ଟା ମଧ୍ୟରେ । ପୂଜା ଉପଚାର ଓ ନୀତି, ସକାଳ ଓ ଦ୍ବିପ୍ରହର ଧୂପ ପରି ହୁଏ । ଧୂପ ପରେ ପୂଜାପଣ୍ଡାମାନେ ଆରତି କରନ୍ତି । ଏହି ଆରତିକୁ 'ଜୟମଙ୍ଗଳ ଆରତି' କୁହାଯାଏ ।
 ସନ୍ଧ୍ୟାଧୂପରେ ଚୁପୁଡ଼ା ପଖାଳ, ପାଣି ପଖାଳ, ସାକରା, କଅଁଳ ପୁଳି, ମାଠପୁଳି ଓ ବିଭିନ୍ନ ପ୍ରକାର ଅମାଲୁ ଭୋଗ ହୁଏ ।
ମଇଲମ ଓ ଚନ୍ଦନଲାଗି
 ସନ୍ଧ୍ୟାଧୂପ ପରେ ସାହାଣମେଲା ହେବା କଥା, ନହୋଇ ପାରିଲେ ଠାକୁରମାନଙ୍କର ମଇଲମ ଓ ଚନ୍ଦନଲାଗି ହୁଏ ।
  ଠାକୁରମାନଙ୍କର ବେଶ ମଇଲମ ହୋଇ ଶାଢି, ଖଣ୍ଡୁଆ ପିନ୍ଧାଯାଏ । ପୁଷ୍ପାଳକମାନେ ଠାକୁରମାନଙ୍କୁ ଚନ୍ଦନ ଲାଗି କରନ୍ତି । ଚନ୍ଦନ ସହିତ କର୍ପୂର, କେଶର, କସ୍ତୁରୀ ଘୋରା ହୋଇଥାଏ । ଏହି ନୀତି ସହିତ ଜଡ଼ିତ ସେବକମାନେ ହେଲେ- ପୃଷ୍ଠାଳକ, ସୁଆର ବଡୁ, ଘଟୁଆରୀ, ପାଳିଆ ମେକାପ, ପଢ଼ିଆରୀ, ଗରାବଡ଼ୁ, ହଡ଼ପ ନାୟକ, ପାଳିଆ ଖୁଣ୍ଟିଆ ଇତ୍ୟାଦି ।
ବଡ଼ସିଂହାର ବେଶ
  ରାତି ୧୦ଟା୩୦ ମଧ୍ୟରେ ହେବା ନିୟମ । ପୁଷ୍ପାଳକମାନେ ଦିଅଁଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ବିଭିନ୍ନ ପ୍ରକାର ମାଳ, ଫୁଲରେ ବେଶ କରନ୍ତି । ଏହି ବେଶ ମୁଖ୍ୟତଃ ଫୁଲ ବେଶ । “ଗୀତଗୋବିନ୍ଦ’ ଶ୍ଳୋକ ବୁଣାଯାଇଥିବା ଖଣ୍ଡୁଆ ପାଟ ଦିଅଁମାନେ ପରିଧାନ କରନ୍ତି ।
ବଡ଼ସିଂହାର ଭୋଗ
 ନିର୍ଦ୍ଧାରିତ ସମୟ ରାତ୍ର ୧୧ଟା ୧୫ମିନିଟ୍ । ଏହି ଭୋଗ ଠାକୁରଙ୍କ ଶେଷ ଭୋଗ । ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ସିଂହାସନ ତଳେ ପୂଜା କରନ୍ତି । ଏହି ଭୋଗ ଶେଷରେ ଆରତି ହୁଏ ନାହିଁ । ସରପୁଳି ପିଠା, ସୁଆର ପିଠା, ବିରିବୁହା ପିଠା, କଦଳୀ ବଢ଼ା, ମିଠା ପଖାଳ, ଖିରି, କାଞ୍ଜି ଇତ୍ୟାଦି ଭୋଗ ହୁଏ ।

ଖଟଶେଯ ଲାଗି ଓ ରାତ୍ରପହୁଡ଼
 ନିର୍ଦ୍ଧାରିତ ସମୟ ରାତି ୧୧ଟା୪୫ରୁ ୧୨ଟା । ଏଠାରେ ଠାକୁରମାନଙ୍କର ଶୟନର ବ୍ୟବସ୍ଥା କରାଯାଏ । ପାଳିଆ ପୁଷ୍ପାଳକ ଭଣ୍ଡାରଘରୁ ଭଣ୍ଡାର ମେକାପଠାରୁ ଶୟନ ଠାକୁରଙ୍କୁ ନେଇ ଜଗନ୍ନାଥଙ୍କଠାରେ ବିଜେ କରାନ୍ତି । ଏହି ଶୟନ ଠାକୁର ସୁନାରେ ତିଆରି ନାରାୟଣ ଓ ଲକ୍ଷ୍ମୀଙ୍କର ମିଳିତ ମୂର୍ତ୍ତି । ଏହା ଅଷ୍ଟଭୁଜବିଶିଷ୍ଟ । ଏହା ପରେ ଦିଅଁମାନଙ୍କର ପଇଡ଼ ଓ ବିଡ଼ିଆ ମଣୋହି ହୁଏ । ପୁଷ୍ପାଳକମାନେ ସିଂହାସନ ତଳେ ଠିଆହୋଇ କର୍ପୂର ଆରତି କରନ୍ତି । ଆରତି ସମୟରେ ଦେବଦାସୀ ( ଭିତର ଗାଆଣୀ) କଳାହାଟ ଦ୍ବାରରେ ରହି ଭଜନ ଗାନ କରନ୍ତି । ଭିତରେ ଗାଆଣୀ ଦେବଦାସୀ ସେବା ଏବେ ବନ୍ଦ ଅଛି । ଏଥି ପୂର୍ବରୁ ୩ଟି ରତ୍ନପଲଙ୍କ ସିଂହାସନ ତଳେ କୁରଙ୍କ ସାମନାରେ ପଡ଼ି ସାରିଥାଏ । ଶୟନ ଠାକୁରଙ୍କୁ ପୁଷ୍ପାଳକ ଓ ଗରାବଡୁ ହାତରେ ବିଜେ କରାଇ ଜୟବିଜୟ ଦ୍ୱାରକୁ ଆଣନ୍ତି ଏବଂ ସେଠାରେ ଏକ ବଡ଼ ଡମ୍ବରୁ ଉପରେ ଏହି ଠାକୁର ବିଜେ କରନ୍ତି । ସେହି ଅବସ୍ଥାରେ ଠାକୁରଙ୍କର ବିଡ଼ିଆ ମଣୋହି ଓ ପଇଡ଼ ମଣୋହି ହୁଏ । ପାଳିଆ ଖୁଣ୍ଟିଆ ଠାକୁରଙ୍କ ଉପରେ ପୁଷ୍ପାଞ୍ଜଳି ପକାନ୍ତି । ଏହା ପରେ ଶୟନ ଠାକୁରଙ୍କୁ ଜୟବିଜୟ ଦ୍ବାରରୁ ବିଜେ କରାଇ ନେଇ ଜଗନ୍ନାଥଙ୍କ ପଲଙ୍କରେ ଶୟନ କରାଯାଏ ଓ ପରେ ପରେ ଭଣ୍ଡାର ଘରକୁ ନିଆଯାଏ । କଳାହାଟ ଦ୍ବାର ବନ୍ଦ କରି ମୁଦୁଲି ତାଲା ପକାନ୍ତି ଏବଂ ତାଲାରେ ମାଟିର ମୁଦ ଦିଅନ୍ତି । ତଳିଚ୍ଛ ମହାପାତ୍ର ସିଲ୍ ପକାନ୍ତି । ତା'ପରେ ଜୟବିଜୟ ଦ୍ୱାର ସେହିପରି ତାଲା ପଡ଼େ ଓ ସିଲ୍ ହୁଏ । ପୂର୍ବରୁ ଭିତର ଦକ୍ଷିଣ ଦ୍ବାର ବନ୍ଦ କରାଯାଇଥାଏ । ଜୟବିଜୟ ଦ୍ବାର ସିଲ୍ ହେବା ପରେ ଦକ୍ଷିଣ ଦ୍ବାର (ବାହାରପଟ)ରେ ତାଲା ପଡ଼େ ଓ ସିଲ୍ ହୁଏ । ମନ୍ଦିରର ଭିତର ଓ ବାହାର ବେଢ଼ା ଶୋଧ ହୁଏ ଅର୍ଥାତ୍ ମନ୍ଦିର ଭିତରେ କୌଣସି ଲୋକଙ୍କୁ ରଖାଯାଏ ନାହିଁ । ମନ୍ଦିର ପୋଲିସ୍‌ ଏହି କାର୍ଯ୍ୟ କରନ୍ତି । ବାହାର ବେଢ଼ାର ଚାରି ଦ୍ବାରରେ ପୋଲିସ୍ ପହରା ଦିଅନ୍ତି ।
 ଏହା ହେଉଛି ସଂକ୍ଷେପରେ ଶ୍ରୀମନ୍ଦିରର ଦୈନନ୍ଦିନ ସାଧାରଣ ଦିନର ନୀତି । ପର୍ବପର୍ବାଣି ଓ ବିଶିଷ୍ଟ ଦିନମାନଙ୍କରେ ଦୈନନ୍ଦିନ ନୀତି ନିର୍ଘଣ୍ଟର ସାମାନ୍ୟ ବ୍ୟତିକ୍ରମ ହୁଏ ଏବଂ କେତେକ ଅଧିକ ନୀତି ହୋଇଥାଏ ।

ବିଶେଷ ବା ସାମୟିକ ନୀତି
ଶ୍ରୀ ମନ୍ଦିରରେ ଦୈନନ୍ଦିନ ନୀତି ବ୍ୟତୀତ ପରମ୍ପରାନୁସାରେ ବାର, ତିଥି ଓ ଅଶୈଜନିତ ବିଶେଷ ନୀତି ପାଳନ କରାଯାଏ । ସୂର୍ତ୍ତଲିପିର ଦ୍ବିତୀୟ ଭାଗରେ ଏହି ସବୁ ନୀତିର ତାଲିକା ତଥା ପାଳନବିଧି ଲିପିବଦ୍ଧ ହୋଇଅଛି । ଏହି ନୀତିମାନ ହେଲା :
୧. ଗୁରୁବାର ନୀତି (ମାଜଣା ଓ ଏକାନ୍ତ)
 ସାଧାରଣତଃ ପ୍ରତ୍ୟେକ ଗୁରୁବାର ଦିନ ସକାଳ ଧୂପ ପରେ ମାଜଣା ନୀତି ହେବାର ନିୟମ । ମାଜଣା ମଣ୍ଡପ ଧୂଆଯାଇ ସେଠି ମଣ୍ଡଣି ଚାନ୍ଦୁଆ ବିନ୍ଧାଯାଏ । ସକାଳ ଧୂପ ପରେ ମହାଜନମାନେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଏବଂ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ମାଜଣା ମଣ୍ଡପରେ ବିଜେ କରାନ୍ତି । ସୁଧସୁଆର ମାଜଣା ଜିନିଷ ଦିଅନ୍ତି । ମହାଜନମାନେ ଦେବଦେବୀଙ୍କୁ ସେଠାରେ ମାଜଣା କରନ୍ତି ଓ ଖଟ ଉପରେ ବସାନ୍ତି । ଭିତରଚ୍ଛ ମହାପାତ୍ର ଚନ୍ଦନ ଲାଗି କରାନ୍ତି । ଆସ୍ଥାନ ପଢ଼ିଆରୀ ଓ ସୁଧ ସୁଆର ପୂଜା ଠା' କରନ୍ତି । ପୂଜାପଣ୍ଡା ଜଣେ ଆସି ଦହି ଓ କୋରା ଭୋଗ କରନ୍ତି । ପୂଜା ଶେଷ ପରେ ଭିତରଚ୍ଛ ମହାପାତ୍ର ଆଳତି କରନ୍ତି ଓ ଅରୁଆ ଚାଉଳ ଅକ୍ଷତ ଦ୍ବାରା ବନ୍ଦାପନା କରନ୍ତି । ଦ୍ବିପ୍ରହର ଧୂପ ଛକ ଆସିଲେ ଦେବଦେବୀମାନେ ସେମାନଙ୍କର ସ୍ୱସ୍ଥାନକୁ ବାହୁଡା଼ ବିଜେ କରନ୍ତି ।
 ଏକାନ୍ତ : ସେହିଦିନ ଅର୍ଥାତ୍ ଗୁରୁବାର ରାତିରେ ଏହା ହେବା ନିୟମ । ସଂଧ୍ୟାଧୂପ ପରେ ମହାଜନମାନେ ମଦନମୋହନଙ୍କୁ ଦକ୍ଷିଣ ଘରୁ ନେଇ ରତ୍ନସିଂହାସନରେ ବିଜେ କରାନ୍ତି । ସେଠାରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଖଣ୍ଡିଏ (ତୁଳସୀମିଶା) ମଦନମୋହନଙ୍କୁ ଓ ଆଉ ଖଣ୍ଡିଏ (ସାଦା) ଶ୍ରୀଦେବୀ (ଲକ୍ଷ୍ମୀଙ୍କୁ ପୂଜାପଣ୍ଡା ଲାଗି କରାନ୍ତି । ଏହା ପରେ ମଦନମୋହନ ଓ ଲକ୍ଷ୍ମୀଙ୍କୁ ଝୁଲଣମଣ୍ଡପ ତଳେ ରହିଥିବା ପାଲିଙ୍କିରେ ବିଜେ କରାଯାଏ । ବିମାନବଡ଼ମାନେ ପାଲିଙ୍କି ବୋହିନେଇ ସରସ୍ବତୀ-ଭୁବନେଶ୍ବରୀ ମନ୍ଦିର ସାମନାରେ ଓହାନ୍ତି । ମହାଜନମାନେ ଘଣ୍ଟ, ଛତା ଦିହୁଡ଼ି ସହ ଦେବଦେବୀଙ୍କୁ ହାତରେ ବିଜେ କରାଇ ନେଇ ସରସ୍ବତୀଙ୍କ ମନ୍ଦିର ଭିତରେ ପଶି ଲକ୍ଷ୍ମୀ ମନ୍ଦିର ଜଗମୋହନକୁ ଯାଇ ସେଠାରେ ପଡ଼ିଥିବା ପଲଙ୍କରେ ବିଜେ କରାନ୍ତି । ଭିତରଚ୍ଛ ପ୍ରସାଦଲାଗି କରନ୍ତି । ସୁଧ ସୁଆର କିମ୍ବା ଆସ୍ଥାନ ପଢ଼ିଆରୀ ପୂଜା ଠା' କରନ୍ତି । ପୂଜାପଣ୍ଡା କୋରାଭୋଗ କରନ୍ତି । ପୂଜା ପରେ ଆଳତି ହୁଏ ଓ ଅକ୍ଷତ ବନ୍ଦାପନା ହୁଏ । ଏହାପରେ ଦୁଇ ଦେବଦେବୀ ପାଲିରେ ବାହୁଡ଼ା ବିଜେ ହୋଇ ସାତପାହାଚ ଦେଇ ଗରୁଡ଼ ସାମନାରେ ଜଗମୋହନରେ ଓହ୍ଲାନ୍ତି । ଦେବଦେବୀ ସ୍ବୟାନକୁ ବିଜେ କରନ୍ତି ।
 ଗୁରୁବାର ଦିନ ଏକାଦଶୀ ପଡ଼ିଲେ, ଏହିପରି କେତୋଟି ଦିନମାନଙ୍କରେ (ସୂର୍ତ୍ତଲିପିରେ ସୂଚିତ) ଏକାନ୍ତ କିମ୍ବା ମାଜଣା ହୁଏ ନାହିଁ । ନିମ୍ନଲିଖିତ ସେବକଙ୍କ ଦ୍ବାରା ମାଜଣା, ଏକାନ୍ତ ନୀତି ହୁଏ

 ୧. ମହାଜନ ୬ ଜଣ, ୨. ସୁଧ ସୁଆର, ୩. ପର୍ବଯାତ୍ରା ଯୋଗାଣିଆ, ୪. ଆସ୍ଥାନ ପଢ଼ିଆରୀ, ୫. ଚନ୍ଦନ ଘଟୁଆରୀ, ୬. ପୂଜାପଣ୍ଡା, ୭. ଭିତରଚ୍ଛ, ୮. ପାଳିଆ ପୁଷ୍ପାଳକ, ୯. ବିମାନବନ୍ତୁ, ୧୦. ଛତାର, ୧୧. ଘଣ୍ଟୁଆ, ୧୨. ଖଟଶେଯ ମେକାପ ।
୨. ନକ୍ଷତ୍ର ବନ୍ଦାପନା
 ଅବକାଶ ସମୟରେ ଜ୍ୟୋତିଷ ସେବକ ପ୍ରତିଦିନ ନକ୍ଷତ, ତିଥି ଇତ୍ୟାଦି ପଢ଼ି ଶୁଣାନ୍ତି । ଯେଉଁ ଦିନ ଠାକୁରଙ୍କର ଜନ୍ମ ନକ୍ଷତ୍ର ପଡ଼େ, ନକ୍ଷତ୍ର ବନ୍ଦାପନା ନୀତି ଦ୍ବିପ୍ରହର ଧୂପ ପରେ ହୁଏ । ତିନି ଦିଅଙ୍କ ନକ୍ଷତ୍ର ଓ ରାଶି ହେଲା :
ଶ୍ରୀ ବଳଭଦ୍ର- ଶ୍ରବଣା,
ମକର ଶ୍ରୀଜଗନ୍ନାଥ- ରୋହିଣୀ, ବୃଷ
ମା’ ସୁଭଦ୍ରା- ଜ୍ୟେଷ୍ଠା, ବିଛା
 ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମନକ୍ଷତ୍ର ଦିନ ତାଙ୍କର ଗୋଟିଏ ଅଧିକ ବନ୍ଦାପନା ହୁଏ । ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମ ନକ୍ଷତ୍ରରେ ତାଙ୍କ ଆଡ଼େ ଗୋଟିଏ ଅଧିକ ବନ୍ଦାପନା ହୁଏ । ଦେବୀ ସୁଭଦ୍ରାଙ୍କ ଜନ୍ମ ନକ୍ଷତ୍ରରେ ତିନିଠାକୁରଙ୍କ ଆଡ଼ରେ ସମାନ ବନ୍ଦାପନା ହୁଏ । ମଧ୍ୟାହ୍ନ ଧୂପ ଉଠିଲେ ମଦନମୋହନଙ୍କୁ ଦକ୍ଷିଣୀଘରୁ ମହାଜନେ ନେଇ ଭିତରକୁ ବିଜେ କରାନ୍ତି । ଧୂପ ସମାପ୍ତ ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କୁ ପତି ମହାପାତ୍ର ଦେବୀ ସୁଭଦ୍ରାଙ୍କୁ ଓ ମୁଦିରସ୍ତ ଶ୍ରୀବଳଭଦ୍ରଙ୍କୁ କର୍ପୂର ଆଳତି ଓ ବନ୍ଦାପନା କରନ୍ତି ।
 ମଦନମୋହନ ଠାକୁରଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ପୂଜାପଣ୍ଡା ଦେବାପରେ, ତାଙ୍କୁ ମହାଜନମାନେ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାନ୍ତି । ବିମାନବଡୁମାନେ ତାହା ଧରି ବେଢ଼ା ବୁଲାନ୍ତି । ଏ ସମୟରେ ଛତାର ଛତା ଧରନ୍ତି ଓ ଘଣ୍ଟୁଆ ଘଣ୍ଟି ବଜାନ୍ତି । ବେଢ଼ା ପରେ ମହାଜନମାନେ ମଦନମୋହନଙ୍କୁ ଜୟବିଜୟ ଦ୍ୱାରକୁ ବିଜେ କରାନ୍ତି । ପ୍ରତିହାରୀ ଜୟବିଜୟ ଦ୍ୱାର ଭିତରପଟୁ ବନ୍ଦ କରନ୍ତି । ଦ୍ୱାର ବାହାରେ ପଡ଼ିଥିବା ଆସନରେ ଦିଅଁ ବିଜେ କରନ୍ତି । ପୂଜାପଣ୍ଡା ଦିଅଁଙ୍କୁ କୋରାଭୋଗ ସର୍ପମଣୋହି କରି ପୂଜା କରନ୍ତି । ବନ୍ଦାପନା, କର୍ପୂର ଆଳତି, ବତି ଆଳତି ପରେ ଜୟବିଜୟ ଦ୍ୱାର ଫିଟେ । ମଦନମୋହନ ଦକ୍ଷିଣୀ ଘରକୁ ଫେରିଯା’ନ୍ତି ।
 ଯଦି ନକ୍ଷତ୍ର ବନ୍ଦାପନା ଦିନ ଏକାଦଶୀ କିମ୍ବା ଅନ୍ୟ ବାହାର ବିଜେ ଥାଏ, ତେବେ ଏହି ବେଢ଼ାବୁଲା ହୁଏ ନାହିଁ । କେବଳ ଦିଅଁ ଜୟ ବିଜୟ ଦ୍ବାରରେ ବନ୍ଦାପନା ହୋଇ ଦକ୍ଷିଣୀ ଘରକୁ ବିଜେ ହୁଅନ୍ତି । ନକ୍ଷତ୍ର, ଅଣସର ଓ ରଥ ଉପରେ ପଡ଼ିଲେ ଏହି ନୀତି ହୁଏ ନାହିଁ । ଗୁଣ୍ଡିଚା ଘରେ ମଧ୍ୟ ଏହି ନୀତି ହୁଏ ନାହିଁ ।
 ନିମ୍ନ ଲିଖିତ ସେବକମାନଙ୍କଦ୍ୱାରା ନକ୍ଷତ୍ର ବନ୍ଦାପନା ନୀତି ହୁଏ
୧. ଜ୍ୟୋତିଷ,
୨. ମୁଦିରସ୍ତ,
୩, ପତି ମହାପାତ୍ର,
୪. ପୂଜାପଣ୍ଡା,
୫. କାହାଳିଆ,
୬. ଆସ୍ଥାନ ପଢ଼ିଆରୀ,
୭. ଛତାର,
୮. ଘଣ୍ଟୁଆ
, ୯. ଖଟଶେଯ ମେକାପ,
୧୦. ମହାଜନ,
୧୧. ବିମାନବଡୁ ।

୩. ଏକାଦଶୀ ନୀତି
 ପ୍ରତ୍ୟେକ ଏକାଦଶୀରେ ମଧ୍ୟାହ୍ନ ଧୂପ, ମଇଲମ ଓ ସନ୍ଧ୍ୟା ଆଳତି ହେବା ପରେ ଦିଅଁମାନଙ୍କର ସର୍ବାଙ୍ଗଚନ୍ଦନଲାଗି ହୁଏ । ପୂର୍ବରୁ ମଦନମୋହନ ଠାକୁର ଭିତରେ ବିଜେ କରିଥାନ୍ତି । ସେ ଆଜ୍ଞାମାଳ ପାଇବା ପରେ ପାଲିରେ ବିଜେ ହୋଇ ବେଢ଼ା ପରିକ୍ରମା କରିଥାନ୍ତି । ତା’ପରେ ଜୟ ବିଜୟ ଦ୍ୱାରଠାରେ ତାଙ୍କର ଆଳତି, ବନ୍ଦାପନା ଓ ଭୋଗ ପୂର୍ବ ବଣ୍ଡିତ ନକ୍ଷତ୍ର ବନ୍ଦାପନା ନୀତି ଅନୁସାରେ ହୁଏ । । ପ୍ରତ୍ୟେକ ଏକାଦଶୀ ରାତିରେ ମହାଦୀପ ଆଳତି ହୁଏ ।
ସଂଧ୍ୟାଧୂପ ପରେ ସିଂହାସନରେ ପୂଜାପଣ୍ଡାମାନେ ମହାଦୀପ ଆଳତି କଲା ପରେ ସିଂହାସନ ଚାରିପଟେ ବେଢ଼ା ବୁଲି ଜୟବିଜୟ ଦ୍ବାର ଦେଇ ମହାଦୀପ କଳସରେ ଧରି ବିମଳା ମନ୍ଦିର ସାମନାକୁ ଯାଆନ୍ତି । ସେଠାରେ ସେମାନେ ଚୂନରା ସେବକଙ୍କୁ ତିନିଟି କଳସ, ତୁଳସୀ ଦେଇ ଚାଲିଯା'ନ୍ତି । ଘଟୁଆରୀ ୧୨ଟି ଚନ୍ଦ୍ର ଉଦିଆ ଦିଅନ୍ତି । କଳସ ରଖି ଦେଇ ମହାଦୀପ ଓ ଚନ୍ଦ୍ର ଉଦିଆ ଧରି ତିନି ଜଣ ଚୂନରା ସେବକ ମନ୍ଦିର ଉପରକୁ ଉଠନ୍ତି । ଦଧି ନଉତି ତଳେ ଠିଆହୋଇ ତୁଳସୀ ଚନ୍ଦନ ନୀଳଚକ୍ରଙ୍କୁ ଲାଗିକରି ଚାରିପଟେ ତିନିଘେରା ବୁଲନ୍ତି ଏବଂ ପ୍ରତ୍ୟେକ ଦିଗରେ ୩ଟି ଲେଖାଏଁ ଚନ୍ଦ୍ର ଉଦିଆ ଜାଳନ୍ତି । ଘେରା ବୁଲିଲା ବେଳେ ମହାପ୍ରଭୁ ପୁରୀ ରାଜାଙ୍କୁ (ନାମ ଧରି “ଶଙ୍ଖ ପୂରାଇ ଚକ୍ର ଆଢୁଆଳ କରନ୍ତୁ ବୋଲି ଡାକ ଦିଅନ୍ତି ଓ ହରିବୋଲ ଡାକ ଦିଅନ୍ତି ।
 ବାର ଅନୁସାରେ ଏକାଦଶୀ ନୀତି : ଏକାଦଶୀ ଗୁରୁବାର ପଡ଼ିଲେ ସଂଧ୍ୟାଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମହାସ୍ନାନ ହୁଏ । ବଡ଼ସିଂହାର ବେଶରେ ୬ ମୃଉଁ ଅଳର କୁଣ୍ଡଳ ୪ ଓ ତଡ଼ଗି ୨) ଦିଅଁଙ୍କୁ ଲାଗି କରାଯାଏ । ବଡ଼ସିଂହାର ଭୋଗ ପରେ ସିଂହାସନ ଉପରେ ‘ଦଣ୍ଡଛତ୍ର ନୀତି ହୁଏ । ଏହା ପରେ ମୁଦିରସ୍ତ ରାଜନୀତି ନାମରେ ଏକ ନୀତି କରନ୍ତି । ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ ।
 ସୋମବାର ଦିନ ଏକାଦଶୀ ପଡ଼ି ଲେ ଏହାକୁ ଶମ୍ଭୁ ଏକାଦଶୀ କୁହାଯାଏ । ସେଦିନ ଶ୍ରୀଲୋକନାଥ ମନ୍ଦିରର କାନ୍ଧିଆ ତାଙ୍କର ପାଲିଙ୍କି ଆଣି ଶ୍ରୀମନ୍ଦିର ଭଣ୍ଡାର ଲୋକନାଥଙ୍କ କୋରାଭୋଗ ହେବା ପରେ ତାଙ୍କୁ ଘଣ୍ଟ ଛତା ସହ ଶ୍ରୀଲୋକନାଥଙ୍କ ମନ୍ଦିରକୁ ନେଇ ଯାଆନ୍ତି । ଦ୍ବିପ୍ରହର ଧୂପ ପରେ ମଦନମୋହନ ଶ୍ରୀଲୋକନାଥ ମନ୍ଦିରକୁ ବିଜେ କରନ୍ତି । ସେଠାରେ ଦୁଇ ଦିଅଁ ବାନାମ୍ବରଙ୍କ ଗମ୍ଭୀରାରେ ରହନ୍ତି । ସେଠାରେ ପନ୍ତି ଭୋଗ ହୁଏ । ଶ୍ରୀମନ୍ଦିରରୁ ସୁଧ ସୁଆର ବା ଆସ୍ଥାନ ପଢ଼ିଆରୀ ସେଠାକୁ ଯାଇ ପୂଜା ’ କରନ୍ତି ଓ ପୂଜାପଣ୍ଡା ସେଠାକୁ ଯାଇ ଭୋଗ କରନ୍ତି । ପରେ ପରେ ଆରତି ବନ୍ଦାପନା ହୁଏ । ପୂଜା ପରେ ଦୁଇ ଦିଅଁ ମଦନମୋହନ ଯାଇଥିବା ପାଲିଙ୍କିରେ ଏକତ୍ର ବିଜେ କରନ୍ତି ଓ ତା’ପରେ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି । ଜୟ ବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ (ଦୁଇ ସରା କୋରା) ହୁଏ । ଠିକ୍ ନକ୍ଷତ୍ର ବନ୍ଦାପନା ପରି ପୂଜା ଓ ଆରତି ହୁଏ । ଜୟ ବିଜୟ ଦ୍ୱାର ଖୋଲା ହେଲେ ଠାକୁରମା ନେ ଯେଝା ଆସ୍ଥାନକୁ ବିଜେ କରନ୍ତି ।

 ଆଷାଢ଼ ମାସ ଶୟନ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ଯାଏଁ ଦିଅଁମାନେ ଏପରି ଶ୍ରୀଲୋକନାଥ ମନ୍ଦିରକୁ ଯାଆନ୍ତି ନାହିଁ । ଉକ୍ତ ଚତୁର୍ମାସ୍ୟାରେ ଲୋକନାଥଙ୍କ ସେବକ ଆସି ଭଣ୍ଡାର ଲୋକନାଥ ଓ ମଦନମୋହନଙ୍କୁ ଜୟ ବିଜୟ ଦ୍ବାରକୁ ଅଣାଇ ଭୋଗ, ବନ୍ଦାପନା ନୀତି କରନ୍ତି । ଚନ୍ଦନ ଯାତ୍ରାରେ ଓ ରୁକ୍ମିଣୀ ହରଣରେ ଶମ୍ଭୁ ଏକାଦଶୀ ପଡ଼ିଲେ ଦିଅଁମାନେ ଶ୍ରୀଲୋକନାଥଙ୍କ ମନ୍ଦିରକୁ ଯାଆନ୍ତି ନାହିଁ ।
 ନିମ୍ନଲିଖିତ ସେବକମାନଙ୍କ ଦ୍ବାରା ଏକାଦଶୀ ନୀତି ସମ୍ପନ୍ନ ହୁଏ
 ଘଟୁଆରୀ, ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ, ପାଳିଆ ପୁଷ୍ପାଳକ, ବିମାନବଡୁ ପାଳିଆ ପ୍ରତିହାରୀ, ଖଟଶେଯ ମେକାପ, ଆସ୍ଥାନ ପଢ଼ିଆରୀ, ସୁଧସୁଆର, ଚୂନରା, ପର୍ବଯାତ୍ରା ଯୋଗାଣିଆ, ଛତାର, ଘଣ୍ଟୁଆ, କାହାଳିଆ, ଦିହୁଡ଼ିଆ, ଭିତରଚ୍ଛ ମହାପାତ୍ର, ପାଳିଆ ମେକାପ, ଅମୁଣିଆ ଛତାର, ପାଳିଆ ଖୁଣ୍ଟିଆ ଓ ଅଖଣ୍ଡ ମେକାପ ।
୪. ଅମାବାସ୍ୟା ନୀତି ବା ସାଗର ବିଜେ
 ଅମାବାସ୍ୟା ପ୍ରତିପଦ ପୂର୍ଶ ହେଲେ ସକାଳ ଧୂପ ପରେ ଏହି ନୀତି ହେବା ନିୟମ । ସକାଳ ଧୂପ ଶେଷ ହେବା ପରେ ଧୋପଖାଳ ହେବା ପରେ ମହାଜନମାନେ ଦକ୍ଷିଣୀ ଘରୁ ଶ୍ରୀନାରାୟଣ ବିଗ୍ରହଙ୍କୁ ଆଣି ସିଂହାସନରେ ବିଜେ କରାନ୍ତି । ଉକ୍ତ ବିଗ୍ରହଙ୍କୁ ଶ୍ରୀଜଗନ୍ନାଥଙ୍କର ଲାଗି ହେଇଥିବା ତୁଳସୀ ମିଶା ଆଜ୍ଞାମାଳ ପୂଜାପଣ୍ଡା ଦିଅନ୍ତି । ଏହା ପରେ ତାଙ୍କୁ ମହାଜନ ନେଇ ଝୁଲଣମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାନ୍ତି । ପାଲିଙ୍କି ବିମାନବଡ଼ମାନେ ବୋହି ସମୁଦ୍ରକୂଳ ସ୍ ର୍ଗଦ୍ବାରକୁ ବିଜେ କରନ୍ତି । ସାଥିରେ ହୋମ ପାଳିଆ ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ, ଗରାବଡ଼, ଘଣ୍ଟୁଆ, ଛତାର, କାହାଳିଆ ଯାଆନ୍ତି । ସେଠାରେ ଗରାବଡୁ ରୁପା ପିଙ୍ଗଣରେ ସମୁଦ୍ରରୁ ଜଳ ଆଣି ପୂଜାପଣ୍ଡାଙ୍କୁ ଦେଲେ ପୂଜାପଣ୍ଡା ତାହା ସଂସ୍କାର କରି ଠାକୁରଙ୍କୁ ଲାଗି କରାନ୍ତି । ସେଠାରେ ସାବତ ନିଯୋଗ ତରଫରୁ ପଣାଭୋଗ ହୁଏ । ଆଳତି, ବନ୍ଦାପନା ପରେ ଠାକୁରଙ୍କୁ ନେଇ ଯମେଶ୍ବର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାରେ ବିଜେ କରାଯାଏ । ସେଠାରେ ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଏ । ପଞ୍ଚପଚାର ପୂଜା ହୁଏ । ଶୀତଳ ଭୋଗ ଓ ବନ୍ଦାପନା ହୁଏ । ଏହାପରେ ଠାକୁରଙ୍କର ବାହୁଡ଼ା ବିଜେ ହୁଏ । ଠାକୁର ଦକ୍ଷିଣୀ ଘରକୁ ବିଜେ କରନ୍ତି । ଆଷାଢ଼ ଅମାବାସ୍ୟାରେ ପ୍ରତିପଦ ସୂର୍ଶ ହେଲେ ମଧ୍ୟ ଏହି ନୀତି ହୁଏ ନାହିଁ ।
 ନିମ୍ନଲିଖିତ ସେବକମାନେ ଏହି ନୀତି ସହ ସଂପୃକ୍ତ -
 ମହାଜନ, ପୂଜାପଣ୍ଡା, ବିମାନବଡୁ, ହୋମ ପାଳିଆ ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ, ବାସି ପାଳିଆ ଗରାବଡ଼ୁ, ଘଣ୍ଟୁଆ, ଛତାର ଓ କାହାଳିଆ ।
୫. ବାର ଅନୁସାରେ ବିଭିନ୍ନ ରଙ୍ଗର ଘୋଡ଼ା (ଶୀତ ବସ୍ତ୍ର)
 ଓଢ଼ଣ ଷଷ୍ଠୀ ଅର୍ଥାତ୍ ମାର୍ଗଶିର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ, ଅର୍ଥାତ୍ ମାଘ ଶୁକ୍ଳ ପଞ୍ଚମୀ । ଯାଏଁ ଦିଅଁମାନେ ନିମ୍ନମତେ ଘୋଡ଼ ପରିଧାନ କରନ୍ତି-

 ରବିବାର- ଲାଲ ରଂଗର ଘୋଡ଼
 ସୋମବାର- କଳାଛିଟମିଶା ଶୁକ୍ଳ ଘୋଡ଼
 ମଙ୍ଗଳବାର- ବାର ପଟିଆ ( ପାଞ୍ଚ ରଂଗ) ମିଶା ଘୋଡ଼
 ବୁଧବାର- ନୀଳଗର ଘୋଡ଼
  ଗୁରୁବାର- ବସନ୍ତ ରଙ୍ଗର ଘୋଡ଼
  ଶୁକ୍ରବାର- ଶୁକ୍ଳ ରଙ୍ଗର ଘୋଡ଼
  ଶନିବାର- କଳାରଙ୍ଗର ଘୋଡ଼
 ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏଁ ଠାକୁରମାନେ ଜାମା ବା ଠିଆଘୋଡ଼ ଲାଗି ହୁଅନ୍ତି । ଏହି ଘୋଡ଼ରେ ଠାକୁରମାନଙ୍କ ଶ୍ରୀଅଙ୍ଗ ସଂପୂର୍ଣ୍ଣ ଘୋଡ଼ାଇ ହୁଏ ନାହିଁ । ଘୋଡ଼ ବସମାନ ସାଧରଣତଃ ମଖମଲ ଓ ସୂତା କପଡ଼ାରେ ତିଆରି ହୋଇଥାଏ । ଓଢ଼ଣ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ଯାଏଁ ଘୋଡ଼ଲାଗିରେ ପୂଜାପଣ୍ଡାମାନେ ମଧ୍ୟାହ୍ନ ଧୂପ ଛଡ଼ା ଅନ୍ୟ ଧୂପମାନଙ୍କରେ ସିଂହାସନରେ ନବସି ତଳେ ବସି ପୂଜା କରନ୍ତି ।
୬. ବନକଲାଗି ବା ଶ୍ରୀମୁଖ ସିଂହାର
  ଏହି କାର୍ଯ୍ୟ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାର ହେବା ନିୟମ । ଦ୍ୱିପ୍ରହର ଧୂପ ଶେଷ ହୋଇ ଭିତର ଧୋପଖାଳ ହେବା ପରେ ମଇଲମ ଓ ତଡ଼ପ ଲାଗି ହୁଏ । ତିନି ବାଡ଼ ରେ ଆଳତି ହୁଏ । ଏହାକୁ ମଧ୍ୟାହ୍ନ ପହୁଡ଼ ଆଳତି କୁହାଯାଏ । ଏହା ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ତିନି ଜଣ ଦତ୍ତ ମହାପାତ୍ର ସେବକ ବନକ ବା ଟି ସାରି ପେଡ଼ାରେ ବନକ ଧରି ବେହରଣ ଦ୍ବାର ଦେଇ ସିଂହାସନ ଉପରକୁ ଉଠନ୍ତି । ଗରାବଡୁଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ କରନ୍ତି । ସେମାନେ ମୁଦୁଲିଠାରୁ କର୍ପୂର, ଜଳ ଓ ଚାଙ୍ଗଡ଼ା ମେକାପଠାରୁ ଶ୍ରୀକପଡ଼ା ନେଇଥାନ୍ତି । ମଝି ବାଡ଼ରେ ବନକଲାଗି ସମୟରେ ପାଳିଆ ମେକାପ ଅଖଣ୍ଡଠାରୁ ବଇଠା ନେଇ ଦେଖାନ୍ତି । ବନକଲାଗି ଶେଷ ହେବା ପରେ ଦତ୍ତ ମହାପାତ୍ରମାନେ ସିଂହାସନରୁ ଓହ୍ଲାଇ ଆସନ୍ତି । ତା' ପରେ ପାଳିଆ ମେକାପ ସିଂହାସନ ଧୁଏ । ତିନିଜଣ ପୂଜାପଣ୍ଡା ସିଂହାସନ ତଳେ ବସି ଠାକୁରମାନଙ୍କୁ ପଞ୍ଚାମୃତରେ ମହାସ୍ନାନ କରାନ୍ତି ।
 ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, କଳାତେଲ ଇତ୍ୟାଦି ଦରକାର ହୁଏ ।
 ନିମ୍ନଲିଖିତ ସେବକମାନଙ୍କଦ୍ୱାରା ଏହି ନୀତି ସମ୍ପନ୍ନ ହୁଏ-
 ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ।

୭. ବେଣ୍ଟ ବା ଶିକାର
 ବସନ୍ତ ପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ଶେଷ ହୋଇ ଚାଚେରୀ ବେଶ ହେଲା ପରେ ଓ ଫାଲଗୁନ ଶୁକ୍ଳପକ୍ଷ ପ୍ରତିପଦ, ଚତୁର୍ଥୀ, ଅଷ୍ଟମୀ ଓ ଦ୍ୱାଦଶୀ ତିଥିରେ ମଙ୍ଗଳ ଆଳତି ସରିବା ପରେ ଠାକୁର ବେଣ୍ଟ ବା ଶିକାରକୁ ବିଜେ କରିବା ନିୟମ ।
 ଉକ୍ତ ଦିନମାନଙ୍କରେ ଦକ୍ଷିଣୀ ଘରୁ ଦୋଳଗୋବିନ୍ଦ ଠାକୁରଙ୍କୁ ମହାଜନ ନେଇ ସିଂହାସନରେ ବିଜେ କରାନ୍ତି । ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଲାଗି ହୋଇଥିବା ଗୋଟିଏ ଆଜ୍ଞାମାଳ ଦୋଳଗୋବିନ୍ଦଙ୍କୁ ଦିଅନ୍ତି । ତା'ପରେ ମହାଜନ ତାଙ୍କୁ ନେଇ ବଟଦ୍ବାର ପାଖରେ ରଖାଯାଇଥିବା ପାଲିରେ ବିଜେ କରାନ୍ତି । ଘଣ୍ଟ, ଛତା, କାହାଳୀ ସହ ବିମାନବଡୁମାନେ ପାଲିଙ୍କି ବୋହି ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି । ସେଠାରେ ଠାକୁରଙ୍କୁ ଶୀତଳ ଭୋଗ ହୁଏ । ଭୋଗ ପରେ ଭିତରଚ୍ଛ ମହାପାତ୍ର ବନ୍ଦାପନା, ଆଳତି କରନ୍ତି । ତାପରେ ମହାଜନ ଠାକୁରଙ୍କୁ ମଠ ହତାରେ ଥିବା ବେଣ୍ଟ ପୋଖରୀ ନିକଟକୁ ନିଅନ୍ତି । ସେଠାରେ ଭିତରଚ୍ଛ ମହାପାତ୍ର କାଣ୍ଡ ହେଙ୍ଗୁଡ଼ି (ପାଞ୍ଚଟି ଲୁହାର ଶର) ମହାପ୍ରଭୁଙ୍କ ପ୍ରତିନିଧି ସ୍ବରୂପ ଠାକୁରଙ୍କ ଶ୍ରୀହସ୍ତରେ ଛୁଆଁଇ ଲେଙ୍କ ସେବକଙ୍କୁ ଦିଅନ୍ତି । ସେଠାରେ ପାଞ୍ଚଟି ପଇଡ଼ ମୃଗଜ୍ଞାନରେ ରଖାଯାଇଥାଏ । ଲେଙ୍କ ଏହି ଶର ନେଇ ପଇଡ଼କୁ ଲାଖ କରେ । ଏହା ପରେ ଦୋଳ ଗୋବିନ୍ଦ ଠାକୁର ବିମାନବଡୁଙ୍କ ଦ୍ବାରା ପାଲିରେ ବାହୁଡ଼ା ବିଜେ ହୋଇ ଶ୍ରୀମନ୍ଦିରର ଦକ୍ଷିଣୀ ଘରକୁ ବିଜେ କରନ୍ତି ।
  ନିମ୍ନଲିଖିତ ସେବକମାନେ ଏହି ନୀତି ସହ ସଂପୃକ୍ତ -
 ମହାଜନ, ହୋମ ପାଳିଆ ପୂଜାପଣ୍ଡା, ଗରାବଡ଼ୁ, ବିମାନବନ୍ତୁ, ଘଣ୍ଟୁଆ, ଛତାର, କାହାଳିଆ, ଭିତରଚ୍ଛ ମହାପାତ୍ର ଓ ଲେଙ୍କ। ।
୮. ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟାପରାଗ ନୀତି
 ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରେ ପାକ ତ୍ୟାଗ ସମୟଠାରୁ ଠାକୁରମାନଙ୍କର କୌଣସି ନୀତି ହୁଏ ନାହିଁ । ପାକତ୍ୟାଗ ପୂର୍ବରୁ ଠାକୁରମାନେ ତଡ଼ପ ଉତ୍ତରୀ ବଲାଗି ହୋଇ ବସନ୍ତି । ରୋଷଘର ଧୋପଖାଳ ହୋଇଥାଏ । ଗ୍ରହଣ ବା ପରାଗ ସ୍ପର୍ଶ ହେଲେ ପୂଜା ପଣ୍ଡା ମାନେ ଠାକୁରମାନଙ୍କର ଗ୍ରହଣ ମହାସ୍ନାନ କରାନ୍ତି । ରୋଷରେ ହୋମ ହୁଏ । ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହୁଏ । ଏହା ପରେ ପୃଷ୍ଠାଳକମାନେ ତିନି ବାଡ଼ରେ ଗ୍ରହଣବେଶ କରନ୍ତି । ଏହି ବେଶ, ଲୁଗା ଫୁଲ ଓ ତୁଳସୀଦ୍ବାରା ହୁଏ । ଏ ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହେ । ବେଶ ଶେଷ ପରେ ଭିତରେ ଟେରା ବନ୍ଧା ହୁଏ । ପାଳିଆ ପ୍ରତି ହାରୀ ଗ୍ରହଣ ଭୋଗ ଡାକି ଯାଏ । ପାଳିଆ ମହାସୁଆର ଭୋଗ ଛେକ ଆଣେ (ଖଇ, କୋ ରା ଆଦି ଶୀତଳ ଭୋଗ) । ଚାରିବାଡ଼ିରେ ପନ୍ତି ହୁଏ । ପୂଜା ପଣ୍ଡା ଭୋଗ କରନ୍ତି । ଗ୍ରହଣ ସମୟ ଦେଖି ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇଥାଏ ।


୯. ଅଶୌଚ ବା ଦୁର୍ଘଟଣାଜନିତ ନୀତି
 ୧. କୁକୁର ମନ୍ଦିରରେ ପ୍ରବେଶ କଲେ କିମ୍ବା ମନ୍ଦିର ହତାରେ ଶିବ ଓ ଅସ୍ଥି ପଡ଼ିଥିବା ଦେଖାଗଲେ ଦେବନୀତି ବନ୍ଦ କରାଯିବ ଏବଂ ନୀତିର ଉପକରଣମାନ ବାହାରକୁ ବାହାର କରାଯିବ । ଦିଅଁମାନଙ୍କୁ ମହାସ୍ନାନ ବ୍ୟବସ୍ଥା କରାଯିବ । ଜୟବିଜୟ ଦ୍ୱାରଠାରୁ ଭିତର ପୋଖରିଆ ପର୍ଯ୍ୟନ୍ତ ଭଲ ଭାବେ ଧୁଆହୋଇ ପାଣି ପଡ଼ିବ । ପାଳିଆ ମେକାପ ରତ୍ନସିଂହାସନରେ ପୋଛା ମାରିବ । ତା'ପରେ ସିଂହାସନ ତଳେ ପୂଜା ଠା' ହୋଇ ମହାସ୍ନାନ ହେବ । ମହାସ୍ନାନ ପୂର୍ବରୁ ରୋଷରେ ଧୋପଖାଳ ହେବ । ରୋଷ ଆଡ଼ର ସମୟ ଭୋଗ, ପାଣି ପଶିଥିବା ସମସ୍ତ ଜିନିଷ, କଟବଟ ଦ୍ରବ୍ୟମାନ, ପାଣି ହାଣ୍ଡି, ଶିକା ବାଉଁଶ ଇତ୍ୟାଦି ବାହାର କରାଯିବ । ପୁନର୍ବାର ରୋଷରେ ହୋମ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହେବ । ଏହା ପରେ ଯେଉଁ ନୀତିଠାରୁ ବନ୍ଦ ହୋଇଥିବା ତାହା ଆରମ୍ଭ ହୋଇ କ୍ରମାନ୍ୱୟରେ ଅନ୍ୟାନ୍ୟ ନୀତି ହେବ ।
 ଭୋଗ ପୂଜା ଚାଲିଥିବା ବେଳେ ଉପରୋକ୍ତ ଦୁର୍ଘଟଣା ଘଟିଲେ, ଅମୁଣିଆ ପରିଚ୍ଛା ଭିତରଚ୍ଛ ମହାପାତ୍ର କହିଲେ ପୂଜାପଣ୍ଡାମାନେ ପୂଜାରୁ ଉଠି ଆସିବେ । ସୁଧ ସୁଆର ମାରା ହୋଇଥିବା ଭୋଗମାନ ଭିତରୁ ବାହାର କରି ଆଣି ବେହରଣ ଜାଗାରେ ଜମା କରିବେ । ପରେ ଧୋପଖାଳ ହୋଇ ମହାସ୍ନାନ ନୀତି ହେବ । ମାରା ହୋଇଥିବା ଭୋଗ ମନ୍ଦିର କର୍ତ୍ତୃପକ୍ଷ ନେଇ ମନ୍ଦିର ବାହାରେ ପୋତାଇ କରନ୍ତି । ପାର୍ଶ୍ୱଦେବଦେବୀମାନଙ୍କର ମଧ୍ୟ ମହାସ୍ନାନ ହୁଏ । ଏ ମହାସ୍ନାନର ସମସ୍ତ ଖର୍ଚ୍ଚ ମନ୍ଦିର କର୍ତ୍ତୃପକ୍ଷ ବହନ କରନ୍ତି ।
 ୨- ଭିତର କାଠ ପଖରୁ ସିଂହାସନ ପର୍ଯ୍ୟନ୍ତ ସ୍ଥାନରେ ଯଦି କେହି ମଳତ୍ୟାଗ କରେ କିମ୍ବା ପରିସ୍ରା କରେ କିମ୍ବା ଛେପ ପକାଏ ,ତା’ହେଲେ ଭିତର ଓ ବାହାର ଉତ୍ତମ ରୂପେ ଧୋପଖାଳ ହୋଇ ଚୂନପାଣି ପଡ଼େ । ତତ୍ପରେ ପୁଷ୍ପାଳକମାନେ ଯାଇ ମଇଲମ କରନ୍ତି । ମଇଲମ ପରେ ସୁଧସୁଆର ମହାସ୍ନାନର ପୂଜା ଠା' କରନ୍ତି । ମହାସ୍ନାନ ପରେ ଅନ୍ୟାନ୍ୟ ନୀତି ହୁଏ ।
 ୩- ଦର୍ଶନ ସମୟରେ ଯଦି କେହି ଶ୍ରୀଜୀଉମାନଙ୍କୁ ହାତବଢ଼ାଇ ଛୁଇଁଦିଏ ତା'ହେଲେ ତା’ଠାରୁ ନିର୍ଦ୍ଧାରିତ ପରିମାଣର ମହାସ୍ନାନ ଖର୍ଚ୍ଚ ଆଦାୟ କରାଯାଏ । ମହାସ୍ନାନ ପରେ ଅନ୍ୟାନ୍ୟ ନୀତି ହୁଏ ।
 ୪- ମନ୍ଦିର ଭିତରକୁ ପରମ୍ପରାନୁସାରେ ବିଧର୍ମୀ ଲୋକମାନଙ୍କୁ ପ୍ରବେଶ କରିବାର ନିଷେଧ ଅଛି । ପଙ୍ଗୁ କୃଷ୍ଠରୋଗୀମାନଙ୍କର ମଧ୍ୟ ପ୍ରବେଶ ନିଷେଧ । କେହି ଜୋତା, ମୋଜା ଗୋଡ଼ରେ ଥାଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । କ୍ୟାମେରା, ମୋବାଇଲ୍, ଚମଡ଼ା ଜିନିଷ ଆଦି ମଧ୍ୟ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ ।