ଶ୍ରୀ ନୀଳଗିରିଶିଖରେ ବିଜେ ହରି

ଉଇକିପାଠାଗାର‌ରୁ
Jump to navigation Jump to search

ଶ୍ରୀ ନୀଳଗିରିଶିଖରେ ବିଜେ ହରି
ମଙ୍ଗଳାଚରଣ
ଗୁଣସାଗର ବାଣୀ

 ଶ୍ରୀ ନୀଳଗିରିଶିଖରେ ବିଜେ ହରି ଦ୍ୱାଦଶ ଯାତ୍ରା ବିନୋଦେ
ସ୍ନାନ ଶ୍ରୀଗୁଣ୍ତିଚା ଅୟନ ଶ‌ୟନ ପାରଶ୍ୱ ପାଲଟ ମୋଦେ ।
ଦେବ ଉତ୍ଥାପନ ଓଢ଼ଣ ମକର ଦୋଳ ଦମନ‌କ ଚୋରୀ
ଚନ୍ଦନ ଚମ୍ପକ ଉତ୍ସବ ସ‌ହିତେ ଏ ବିଧି ଲୀଳା ଆଚରି ॥୧॥
ଦ୍ୱାଦଶ ଯାତ୍ରାରୁ ତିନିଯାତ୍ରା ସାର ଦୋଳ ସ୍ନାନ ଶ୍ରୀଗୁଣ୍ତିଚା
ସକଳ ଜୀବର ଅବଲୋକନରେ ପାତକ ସମୂହ ମୁଞ୍ଚା ।
ଶ୍ରୀ ଜଗନ୍ନାଥ ଚଢ଼ିଣ ନନ୍ଦିଘୋଷ ଗୁଣ୍ତିଚାଘରେ ବିଜୟ
ଦେଖି ନାଗ ନର ଗନ୍ଧର୍ବ କିନ୍ନର କରୁଥାନ୍ତି ଜୟ ଜୟ ॥୨॥
ରତ୍ନ‌କୁଣ୍ତଳ ମୁକୁଟ ବ୍ୟାଘ୍ର‌ନ‌ଖ ବୀରଚୂଳ କଣ୍ଠମାଳ
ହୃଦୟ ପୂରି ପଦକ ଘଞ୍ଚ ଘଞ୍ଚି ପଦ୍ମମାଳ ପାଦତଳ ।
ହେମ ଶ୍ରୀପୟରେ ହେମ ଯେ ଭୁଜରେ ଶୋହେ ହେମ ଧନୁର୍ବାଣ
ଯେବଣ ଦକ୍ଷିଣମୂର୍ତ୍ତି ଦର୍ଶ‌ନ‌କୁ ଟାକିଥାନ୍ତି ବିଭୀଷଣ ॥୩॥
ସିଂହଦ୍ୱାରେ ହରି ରଥରୁ ବିଜୟ କରନ୍ତେ କମଳା ଭେଟ
ସେହି ସମୟରେ ଜନସମୂହର ଫିଟିଲା ମୁଦ କବାଟ ।
ଠାକୁର ଠାକୁରାଣୀ ଚନ୍ଦ୍ର ଆଳତି ଦୂର୍ବାକ୍ଷତ ବନ୍ଦାପନା
ଜୟଧ୍ୱନି ଜଗତରେ ଯେ କରନ୍ତି ହୋଇଣ ଆନନ୍ଦମନା ॥୪॥
ଜୟ ବିଜୟ ଦ୍ୱାରେ ହରି ବିଜୟ କବାଟ ପଡ଼ିବା ଲୀଳା
ଅନେକମତେ ପ୍ରବୋଧିଣ ପ୍ରିୟାଙ୍କୁ କ‌ହିଲେ କମଳଡୋଳା ।
ତଦନ୍ତରେ ହରି ପ୍ରିୟାଭେଟ ସାରି ରତ୍ନସିଂହାସନେ ବିଜେ
ଶ୍ରୀ ଦିବ୍ୟସିଂହ ଗଜପତି ଶ୍ରୀ ଜଗନ୍ନାଥ ଶ୍ରୀ ଚରଣେ ଭଜେ ॥୫॥
ଶୁଣ ହେ ସୁଜନେ ଶ୍ରୀରାମ ଚରିତ୍ର ଶତକୋଟି ଗ୍ରନ୍ଥ ସାର
ସୁଧାସାଗରୁ କୁଶଅଗ୍ରେ ଆଣନ୍ତେ ଅଇଲା ସେତେକ ନୀର ।
ବାଲମୀକିମୁନି ରାମାୟଣ କରି କଲେକ ତାହା ରଚନା
ଚବିଶସ‌ହସ୍ର ଗ୍ରନ୍ଥ କଲେ ମୁନି ହୋଇଣ ଆନନ୍ଦମନା ॥୬॥
ସେ ରାମାୟଣ ଶତଭାଗ କରିଣ ଭାଗେ ତ‌ହିଁରୁ ଆଣିଲେ
ବିବିଧ ରାଗରେ ଉତ୍କଳଭାଷାରେ ଗୀତ କରିଣ ଗାଇଲେ ।
ହେ ବୁଧଜନେ! ନ ଘେନ ମୋର ଦୋଷ ଶ୍ରୀରାମ ଭ‌କ‌ତି ଘେନ
କବିର ଦୋଷକୁ ବିଚାର ନ କର ନମାମି ହେ କବିଜନ ॥୭॥
ରାମ ନାମ ମହା ପାତକନାଶନ ଜନ୍ମ ମୃତ୍ୟୁ ବିନାଶନ
ତେଣୁ ଏହି ନାମ ଗାୟନ କରନ୍ତି ଚତୁର୍ଦ୍ଦଶ ଲୋକମାନ ।
ଚତୁରଆନନ ଶିବ ସ‌ନ‌କାଦି ଜପୁଛନ୍ତି ଏହି ନାମ
ନାମ ଆଶ୍ରେ କଲା ଜ‌ନ‌କୁ ଦେଖିଣ ଦୁରୁଁ ଅପସରେ ଯମ ॥୮॥
ଏକା ରାମନାମ ବିଷ୍ଣୁ ସସ୍ରନାମ ଫଳ ଅଟଇ ସମାନ
ଏଣୁକରି ରାମଚରିତ ବଖାଣ କରିବାକୁ ହେଲା ମନ ।
ଶ୍ରୀରାମଚରଣେ ତରୁଣ ଅରୁଣ କମଳରେ ନିରନ୍ତର
ଦୁର୍ବୁଦ୍ଧି ମକରନ୍ଦ ପାନ କରଇ ବିଶିମତି ମଧୁକର ॥୯॥