ସ୍ତୁତି ଚିନ୍ତାମଣି‌/ଅଷ୍ଟମ ବୋଲି

ଉଇକିପାଠାଗାର‌ରୁ
Jump to navigation Jump to search
ସ୍ତୁତି ଚିନ୍ତାମଣି‌ ଲେଖକ/କବି: ଭୀମ ଭୋଇ
ଅଷ୍ଟମ ବୋଲି

ଅଷ୍ଟମ ବୋଲି

 
ନିଷ୍କାମ ପଦରେ ଗମି ନିର୍ବେଦରେ ନାନା ପ୍ରାକେ ଭ୍ରମୁଅଛି,
ମଞ୍ଚେ ଜାତ କଲ କବିପଦ ଦେଲ ପଛେ ନ କହିବ ବାଛି ।
ସୁକୃତବଚନ ବିକାଶିଲା ପୁଣ୍ୟ ଏକାକ୍ଷର ଚିତ୍ତେ ଦୃଶ,
ମନରେ ପବନ ମିଶାଇ ପରମ ଯୋଗ ପରେ କଲି ବାସ ।
ବେଦ ବଖାଣିଛି ଶାସ୍ତ୍ରରେ ଲିହିଛି ନିୟତ ପ୍ରମାଣ ସତ,
ନୀଳାଚଳେ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ ।
ଅନୁସରି ବହୁଦୂରୁ ଆଶା କରି ହୃଦୟପଦ୍ମରେ ଚିନ୍ତି,
ମଉନରେ ବସି ନାମ ବୋଲାଇଲ ଦାରୁ ପ୍ରତିମା ମୂରତି ।
ସ୍ନାହାନ ତର୍ପଣ କରି ଦରଶନ ରୂପ ଦେଖି ହେଲ ଭୋଳା,
ଚକାବଇଠିରେ ବିରାଜ କରନ୍ତେ ତେଣୁ ନାମ ଚକାଡୋଳା ।
କୋଟି ଅବତାର ନୁହଇ ଗୋଚର ଭେଦ ନାହିଁ ବର୍ଣ୍ଣ ଚିହ୍ନ,
ବିବିଧ କଳ୍ପଣା ରୂପକୁ ରଚନା ତ୍ରିପଣ୍ଡ କାଳିଆ ନାମ ।
ଝୀନବାସ ପୁଷ୍ପ ଅଙ୍ଗେ ଶୋଭା ସଞ୍ଚ ବଡ଼ସିଂହାସନ ବେଶ,
ରୂପକୁ କୋଟିଏ ସୂର୍ଯ୍ୟ ନୋହେ ସରି ଶ୍ରୀନାମ ବ୍ରହ୍ମ ଅଶେଷ ।
ଖଟିଛି ପୟର ଆଦି ତିନିପୁର ସର୍ବଭୂତେ ତୋର ବାସ,
ସୁଜ୍ଞ ଦ୍ୱିଜବରେ ବେଦାନ୍ତ ଆଚାରେ ନାମ ଦେଲେ ଜଗଦୀଶ ।
କାମିନୀ ଆରତ କାମବଶ୍ୟରତ ଢମାଳିଆ ପଣେ ସମ,
ପ୍ରେମ ଅନୁରାଗେ ପ୍ରିୟାନ୍ତ ସରାଗେ ମଦନମୋହନ ନାମ ।
ତିମିରିକି ଦୂର ସଂସାରସାଗର ତରିବାକୁ କଲେ ଆଶ,
ଝୀନ ପୀତାମ୍ବର ଅଙ୍ଗେ ଆଭରଣ ନାମ ଦେଲେ ପୀତବାସ ।
ପ୍ରକୃତିରୁ ପ୍ରଭୁ ରଚନା କରିଛ ଦ୍ୱିତୀୟ ଯୁଗଳ ଦିନୁ,
ଅନାମରୁ ନାନା ରୂପ ପ୍ରକାଶିଲା କଦମ୍ବମୂଳିଆ କାହ୍ନୁ ।
ଢମାଳିଆପଣେ ନାହିଁ ତ୍ରିଭୁବନେ ପଞ୍ଚୁପ୍ରାଣ ଗୋପୀଙ୍କର,
ବଂଶୀଧୂନି ନାଦ ହୃଦୟରେ ଭେଦ ତେଣୁ ନାମ ବେଣୁଧର ।
ତରୁ ତୃଣ ଆଦି କୀଟପତଙ୍ଗାଦି ଆଜ୍ଞାରେ ସର୍ବେ ପ୍ରଚରି,
ଗୋପ ବୃନ୍ଦାବନେ ବେହାର କରନ୍ତେ ନାମ ନିକୁଞ୍ଜବେହାରୀ ।
ଶିରେ ଚୂଳଗଭା ନାଚନ୍ତେ କି ଶୋଭା ନବରଙ୍ଗେ ଢଳି ଢଳି,
ଆଦ୍ୟ ବୃନ୍ଦାବନେ ବେହାର କରନ୍ତେ ତେଣୁ ନାମ ବନମାଳୀ ।
ଲାଭରେ ଲୋଭିତ ବହି ଗର୍ବଚିତ୍ତ ବାସବ ବିବାଦ କରି,
ତୋଳି ଗିରିବର କଲ ଛତ୍ରାକାର ନାମ ଦେଲେ ଗିରିଧାରୀ ।
ଛନ୍ଦ ମାୟା କରି କପଟ ଆଚରି ପରୀକ୍ଷାରେ ଗଲା ହାରି,
ତେଣୁ ଶକ୍ରାଜିତ ନାମ ଦେଇଗଲା ରାମ ଗୋବିନ୍ଦ ମୁରାରି ।
ଧନ୍ୟ ସେ ପାଦୁକା ଭଗତଙ୍କ ଶାଖା ବହୁଅଛି ଘନ ଘନ,
ସୁଧା ମକରନ୍ଦ ଆପ୍ୟାନ କରନ୍ତେ ମାଧବ ମଧୁସୂଦନ ।
ବ୍ରଜସୁତ ଘେନି ଦିଗକୁ ଭ୍ରମଣି ସଙ୍ଗେ ଭାଇ ବଳରାମ,
କାଳନ୍ଦୀରେ ପଶି କାଳୀକି ଦଳନ୍ତେ କାଳିୟମର୍ଦ୍ଦନ ନାମ ।
ବାଉନକୋଟି ଭଣ୍ଡାର ଅଧିପତି ଦାନୀପଣକୁ ସମାନ,
ସମଚିତ୍ତେ ଦେଖି ଚିଠିପତ୍ର ଲେଖି ନାମ କର୍ତ୍ତା ଜନାର୍ଦ୍ଦନ ।
ବଖାଣନ୍ତେ ଯଶ ନୁହଇ ଯେ ଶେଷ କୋଟିଏ ଅନନ୍ତ ନାମ,
ବର୍ଣ୍ଣିବାକୁ ଇଚ୍ଛି କେ ସାମର୍ଥ ଅଛି କହେ ଅରକ୍ଷିତ ଭୀମ ।