ସ୍ତୁତି ଚିନ୍ତାମଣି‌/ସପ୍ତମ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ସ୍ତୁତି ଚିନ୍ତାମଣି‌ ଲେଖକ/କବି: ଭୀମ ଭୋଇ
ସପ୍ତମ ବୋଲି

ସପ୍ତମ ବୋଲି

 
ଯୋଗ ଆରମ୍ଭିଲେ କାଳକୁ କାଟିଲେ ପଦ୍ମପାଦେ କରି ଠଣା,
ଭଗତ ଆରତ ନିବାରନ୍ତେ ନାମ ଅଭୟପଞ୍ଜର ବାନା ।
ଶାସ୍ତ୍ରକୁ ଯେ ପଢ଼ି ବେଦମାର୍ଗେ ବୁଡ଼ି ସାତ୍ତ୍ୱିକେ କଲେ ଭାବନା,
କାଳବିକାଳରୁ ଉଦ୍ଧରନ୍ତେ ନାମ ଭବଭୟ ବଜ୍ରସେହ୍ନା ।
ସତ୍ୟରେ ମଜ୍ଜାଇ ତତ୍ତ୍ୱରେ ଭିଜାଇ ଭବସିନ୍ଧୁ କଲ ପାରି,
ତେଣୁକରି ନାମ ଜଗତେ ପ୍ରକାଶ କୃପାସିନ୍ଧୁ ଦଇତାରି ।
ରୂପକୁ ବର୍ଣ୍ଣିଲେ ଶାସ୍ତ୍ର ବଖାଣିଲେ ଭାବକୁ ହେଲେ ଭଗତ,
ତେଣୁ ନାମ ରୀତି ଅଖଣ୍ଡ ବିଭୂତି ଅରତତାରଣ ନାଥ ।
ରୂପ ଦୂର କରି ଅରୂପକୁ ଧରି ଜ୍ଞାନି-ଜନ ଗଲେ ତରି,
ସିଦ୍ଧ ସାଧୁ ସନ୍ଥେ ନାମ ଦେଲେ ତୋତେ କରୁଣାସାଗର ହରି ।
ସାଧିଲେ ଭଗତ କରୁଣା ବାଞ୍ଛିତ ଯାର ଯେଉଁ ରୂପ ବିଧି,
ଲଭିଲେ ସୁଫଳ ମନୋବାଞ୍ଛା ଫଳ ନାମ ଦେଲେ ଗୁଣନିଧି ।
ଜଗତମାୟାରୁ ଏ ମୃତ୍ୟୁକାୟାରୁ ଉଦ୍ଧାର କରନ୍ତେ ଜୀବ,
ତିମିରି ସୋହତେ ପାରି କରି ନ୍ୟନ୍ତେ ତେଣୁ ନାମ ପଦ୍ମନାଭ ।
ଶ୍ରବଣ କୀର୍ତ୍ତନ କରି ଅନୁଷଣ ଯଶ ଉଚ୍ଚାରିଣ ଯହିଁ,
ଭଗତ ଭାବକୁ ମୋହିତ ହୁଅନ୍ତେ ତେଣୁ ନାମ ଭାବଗ୍ରାହୀ ।
ଗୃହରେ ବିହିତ ଜନ ସାଧୁ ସନ୍ଥ ମନ ଆନନ୍ଦ କେ କହୁ,
ଧ୍ୟାନ ଧାରଣାରେ ନାମ ଦେଲେ ତୋତେ ଧର୍ମଦାନୀ ମହାବାହୁ ।
ସମ୍ପତ୍ତି ସୁଲଭ ଦେବଙ୍କୁ ଦୁର୍ଲ୍ଲଭ ଅଷ୍ଟରତ୍ନ ପରେ ସାର,
ଦୁଷ୍ଟ ନିବାରନ୍ତେ ସନ୍ଥକୁ ପାଳନ୍ତେ ତେଣୁ ନାମ ଚକ୍ରଧର ।
ସୁଜ୍ଞାନୀ ଭରତ ନ ପାଇଲେ ଅନ୍ତ ଅମାପ ଅଗାଧ ସିନ୍ଧୁ,
ମହିମା ଅଶେଷ ଦୁଃଖୀ ଦୁଃଖ ନାଶ ତେଣୁ ନାମ ଦୀନବନ୍ଧୁ ।
ସ୍ୱକାମ ଭଗତି ଆଦି ଫଳଶ୍ରୁତି ଯତିବେଶେ କଲେ ଜପ,
ପ୍ରେମଭାବ ଭୋଳେ ନାମ ଦେଲେ ତୋତେ ନବଘନଶ୍ୟାମ ରୂପ ।
ଏକସ୍ଥାନ ହୋଇ ନ ରହୁ ତୁ କାହିଁ ତ୍ରିପୁର ଜଗତପତି,
ଯଶକୁ ସମ୍ପାଦି ନାମ ଦେଲେ ଭକ୍ତେ ଜାଜୁଲ୍ୟମୟ ତୋ ଜ୍ୟୋତି ।
ଘଟେ ଘଟେ ପୂରି ଘୋଟି ରହିଅଛି ମୁକତିପସରା ତେଜ,
ଅମ୍ରାଧିଭୁବନେ ବିରାଜନ୍ତେ ନାମ ଆଦିକନ୍ଦ ଦେବରାଜ ।
ଉତ୍ପତ୍ତିରୁ ସ୍ଥିତି କରାଉ ତୁ ନିତି ସଂହାରଣପଣେ ଯମ,
ଭଗତ ଭାବକୁ ବହିଅଛ ଯେଣୁ ତେଣୁ ଗଦାପଦ୍ମନାମ ।
ମଣ୍ଡଳରାହାସ କରି ଷଡ଼ରସ ନିରନ୍ତରେ ଥାଇ ରସି,
ଲୀଳାବିନୋଦରେ ବେହାର କରନ୍ତେ ଆଦ୍ୟ ବୃନ୍ଦାବନବାସୀ ।
ଏକପାଦେ ରହି ସର୍ବ କରୁ ତୁହି ଧନ୍ୟ ଧନ୍ୟ କୀର୍ତ୍ତିଯଶ,
ଲାଭ ହାନି ଭଲ ଜାଣୁ ତୁ ସକଳ ନାମ ସର୍ବଜ୍ଞ ପୁରୁଷ ।
କିପାଇଁ କୃପଣ ହେଉଛ ଆପଣ କର କୃପାଜଳଧିରୁ ।
ଗହ ଗହ ଶୋଭା କିସ ଲକ୍ଷ ଦେବା ନାମ ବାଞ୍ଛାକଳ୍ପତରୁ ।
ହୋଇବାକୁ ଉଜ ନ ମିଳୁଛି ସଜ ଘୋଟିଅଛି ମାୟା ମୋହ,
ଦେଖି ନିଜ ରୂପ ଛଡ଼ାବନ୍ତି ପାପ ଦିନେ ହେଁ ଦେଖା ନ ଦିଅ ।
ଧାରଣା ଧିଆନ କରି ମନେ ମନ ଦିବା ନିଶି ଗଲା ବହି,
ଭଣେ ଭୀମ କନ୍ଧ ହୋଇ କାନ୍ଦ କାନ୍ଦ ଅଭୟଚରଣେ ଧ୍ୟାୟି ।