ସ୍ତୁତି ଚିନ୍ତାମଣି‌/ଷଷ୍ଠ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ସ୍ତୁତି ଚିନ୍ତାମଣି‌ ଲେଖକ/କବି: ଭୀମ ଭୋଇ
ଷଷ୍ଠ ବୋଲି

ଷଷ୍ଠ ବୋଲି

 
ନ ଥିଲା ଏ ପୃଥ୍ୱୀ ପ୍ରଳୟ ଉତ୍ପତ୍ତି ନ ଥିଲା ଜଳ ପବନ,
ନାହିଁ ରୂପ ରେଖ ଅଜନ୍ମ ଅଜପ ନାମ କହି ମହାଶୂନ୍ୟ ।

ଏକାନ୍ତ ପାଦରୁ ଜନ୍ମିଲା ଶୂନ୍ୟରୁ ଦ୍ୱିତୀୟ ଅକ୍ଷର ଭେଦ,
ସକାମେ ଶକତା ନିଷ୍କାମେ ବକତା ନାମ ପରଂବ୍ରହ୍ମ ପଦ ।

ସ୍ୱାହା ଶବଦରୁ ସହସ୍ରେ ପାଖୁଡ଼ା ଶାଖାରେ ହେଲା ଉଦ୍ୟାନ,
ଅବନା ସଞ୍ଚରି ନାମ ବୋଲାଇଲ ଆଦିବ୍ରହ୍ମ ଭଗବାନ ।

ନ ଉଲଟେ ଜିହ୍ୱା ବନ୍ଦନା ବର୍ଣ୍ଣିବା ଅରୂପ ଅଭେଦ ସମ,
ଅଗୋଚର ଅର୍ଥେ ବୋଲାଇଲ ତେଣୁ ଅନନ୍ତ ମହିମା ନାମ ।

କରିବାକୁ ପାର ଏ ଭବସାଗର ଭକ୍ତ ପ୍ରାଣ ପଞ୍ଚଭୂତ,
ଜଗତେ ବିଖ୍ୟାତ ଦୀକ୍ଷାହିଁ ପ୍ରକାଶ ପରମାନନ୍ଦ ଅଚ୍ୟୁତ ।

ଯେଉଁଠାରେ ସ୍ଥିତି ଜୀବ ମୋକ୍ଷଗତି ଉଦେ ନାହିଁ ରବି ଶଶୀ,
ଜଗତେ ଉଦିତ ନାମ ହିଁ ବିଦିତ ବାସୁଦେବ ବ୍ରହ୍ମରାଶି ।

ଏକାଙ୍ଗ ଭଗତି ଅବର୍ଣ୍ଣ ଅଜ୍ୟୋତି ଦରିଦ୍ର ପ୍ରାଣୀଙ୍କ ଧନ,
ତ୍ରିଭୁବନ ସମ ବିବର୍ଜିତ ନାମ ଆଦିମୂଳ ନାରାୟଣ ।

ପ୍ରଭୁ ଶ୍ରୀପୟରୁ ଅଭୟପଞ୍ଜରୁ ଝରୁଅଛି ସୁଧାଧାର,
ନିରୋପି ଭଗତେ ନାମ ଦେଲେ ତୋତେ ନିରଞ୍ଜନ ନିରାକାର।

କର୍ତ୍ତାରେ ସଂଯୁକ୍ତା ଧାତାପଣେ ହିତା ଲଲାଟରେ ମାତ୍ରା ବସି,
ଅବ୍ୟକତ ନାମ କହିଲ ଆପଣ କ୍ଷୀରୋଦଶୟନବାସୀ ।

ଠୁଳ ଶୂନ୍ୟ ଆଦ୍ୟ ନିର୍ଭା କରି ମୁଦ ଅଷ୍ଟାଙ୍ଗଯୋଗେ ବେହାର,
ଭଗତଙ୍କ ହିତ ନାମ ସାରସ୍ୱତ ଜ୍ୟୋତିର୍ମୟ ନିରାକାର ।

ନବଖଣ୍ଡ ପୃଥ୍ୱୀ ପ୍ରଭୁ ଆଧିପତି ପୂରିଅଛ ଚରାଚର,
ଭଗତଙ୍କୁ ତାରି ଜଗତ ଉଦ୍ଧରି ତେଣୁ ନାମ ବିଶ୍ୱମ୍ଭର ।

ଦୁଃଖୀର ସଙ୍ଖାଳି ଗଳାରତ୍ନମାଳି ନିର୍ବଳ ପ୍ରାଣୀଙ୍କ ହିତା,
ଧର୍ମରୂପ ଧରି କର୍ମରୂପେ ପୂରି ନାମ ହରତା କରତା ।

ଦେହ ଅଦେହରେ ବାହ୍ୟ ଅଭ୍ୟନ୍ତରେ ସର୍ବଜୀବ ପିତାମାତା,
ଦୁଷ୍ଟ ସନ୍ଥ ଜନ ପାଳନ ସମାନ ନାମ ଅନ୍ନଗୁରୁ ଦାତା ।

ଭଜିବାକୁ ନାମ ନୋହେ ସରିସମ ପ୍ରାକର୍ମ ନାହିଁ ନା ମୋର,
ଅକଳନା ବ୍ରହ୍ମ ଅନ୍ତ ନୋହେ ନାମ ଅଜପା ଅଣଅକ୍ଷର ।

ବର୍ଣ୍ଣି ବର୍ଣ୍ଣି ପଦ ନ ପାଇଲି ଭେଦ ଚିହ୍ନି ନ ପାରିଲି ମୁହିଁ,
କାହିଁରେ ନ ମିଶି ନାମେ ଅଛି ବସି ଅରୂପାମଣ୍ଡଳ ବାଇ ।

ନ ଲାଗେ କଳଙ୍କ ଜଳହଦ ପଙ୍କ ସର୍ବଗୁଣେ ପୂର୍ଣ୍ଣକାମ,
ଗମି ନ ପାରନ୍ତେ ଭୟ କରି ଚିତ୍ତେ ନାମ ନିଗମ ଦୁର୍ଗମ ।

ନ ଭେଦଇ କାୟେ ରଚନା ବିଷୟେ ସ୍ୱାହା ଶ୍ରୁତି ଶବ୍ଦ ବର୍ଣ୍ଣ,
ନିଷ୍କାମରେ ନିରାମୟରେ ସଂଯୁକ୍ତ ତେଣୁ ସଦାନନ୍ଦ ନାମ ।

ହାନି ଲାଭ ବେନି ମତରେ ସମାନ ଅଣପଥେ ଶୁଭାଶୁଭ,
ଭଗତଜନଙ୍କୁ ତାରିବା ନିମନ୍ତେ ଅନ୍ତର୍ଯ୍ୟାମୀ ଗୁରୁଦେବ ।

ମାୟାକୂପେ ସାଇଁ ନେଉଛ ଭସାଇ କୃପା ଅଭୟପଞ୍ଜରୁ,
ପୃଥୀକି ଆବୋରି ଧରିଅଛ ହରି ନାମ ପୂର୍ଣ୍ଣଗିରି ମେରୁ ।

ଜନ୍ମ ହୁଁ ମୁରୁଖ ଚିନ୍ତା ମହାଦୁଃଖ ବେଦ ଶାସ୍ତ୍ର ନାହିଁ ଶୁଣା,
ଗୁରୁପାଦେ ଧ୍ୟାୟି ଭଣେ ଭୀମ ଭୋଇ ଅରୂପେ କରି ଭଜନା ।