ସ୍ତୁତି ଚିନ୍ତାମଣି‌/ତୃତୀୟ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ସ୍ତୁତି ଚିନ୍ତାମଣି‌ ଲେଖକ/କବି: ଭୀମ ଭୋଇ
ତୃତୀୟ ବୋଲି

ତୃତୀୟ ବୋଲି

 
ବିପତ୍ତିଖଣ୍ଡନ ଦୁଃଖୀରଙ୍କଧନ ଅଖିଳ ବ୍ରହ୍ମାଣ୍ଡନାଥ,
ଆଜ୍ଞା ଅନୁସରି କୃପା ହେବ ବୋଲି ପ୍ରସାରିଛି ବେନି ହସ୍ତ ।
ଛପନାକୋଟି ଜୀବଜନ୍ତୁ ଈଶ୍ୱର ତ୍ରିଭୁବନ ଗତି ପତି,
ଦୟା ହେବ ବୋଲି ମନେ ମନେ ଭାଳି ଉଲ୍ଲାସ କରିଛି ଛାତି ।
ଦଗଧରେ ଦେହ ପୋଡ଼ୁଛି ହୃଦୟ ଅଣାକାର ବ୍ରହ୍ମମୟ,
କ୍ଷଣକେ ରୋଦନ କ୍ଷଣେ ଶାନ୍ତିମନ ଅଞ୍ଚଳରେ ପୋଛେ ଲୁହ ।
ଖଳବଳ କରୁଅଛ ଆଦିମୂଳ କେତେ ଦିନେ ସର୍ବସିଦ୍ଧି,
କାଳଦଣ୍ଡ କଷ୍ଟ କେତେ ମୁଁ ସହିବି ପ୍ରାଣକୁ ଗଲାଣି ବାଧି ।
ଅଣବୁଝାମଣା କରି ସେ ଭାବନା ଧରି ମାରୁଅଛି ଦେଖ,
ନିଗୂଢ଼ ମନ୍ଦିରେ ପକାଇ ବନ୍ଦୀରେ ଦେଉଅଛି କେତେ ଦୁଃଖ ।
କ୍ଷୁଧା ତୃଷା ମାରି ଆଧାର ନ କରି ରହିଅଛି ନିରବଳେ,
ଟଳଟଳ ଆତ୍ମା ଟଳି ନ ପଡ଼ୁଛି ଏକା ପରଂବ୍ରହ୍ମ ବଳେ ।
ଜନ୍ମରେ ମୁଁ ଏକା କର୍ମରେ ନିଶାଖା ଅଟଇ ଯେ ନିରିମାକ୍ଷୀ,
ଅଦୋଷରେ ମୋତେ ବିଅର୍ଥେ ଦଣ୍ଡୁଛ ଚନ୍ଦ୍ର ସୂର୍ଯ୍ୟ ଛନ୍ତି ସାକ୍ଷୀ।
ନାହିଁ ବାଡ଼ି ବୃତ୍ତି ବିଶ୍ରାମରେ ସ୍ଥିତି ଜନ୍ମଜନ୍ମାନ୍ତରେ ଦୁଃଖୀ,
ବିବେକ ନ କରି ମାରୁଅଛ ଧରି କି କି ଅପରାଧ ଦେଖି ।
ନୁହଇ ଦାମ୍ଭିକ ନାସ୍ତିକ କପଟୀ ଧର୍ମଆଶ୍ରିତର ପ୍ରାଣୀ,
କର୍ମ ଲେଖା ଯୋଗ ଭୁଞ୍ଜୁଅଛି ଭୋଗ କି କି ଦୋଷ କଲି ପୁଣି।
କି କରିବ କରୁ ଆହୁରି ଏଥିରୁ ଭାବନା ବୁଝିବା ଭଲା,
ଅନାଦି ଈଶ୍ୱର କରିବେ ଉଦ୍ଧାର ଭବେ ବାନ୍ଧିଥିଲେ ଭେଳା ।
ବୁଝି ମାଟି ପୃଥ୍ୱୀ ଜ୍ୟୋତିରୂପ ମୂର୍ତ୍ତି ତେତିଶ କୋଟି ଦେବ ଜାଣ,
ଆପ ତେଜ ବାଇ ଥାଅ ସାକ୍ଷୀ ହୋଇ ନବଲକ୍ଷ ତାରାଗଣ ।
ପୃଥ୍ୱୀକି ଧାରଣ କରୁଛ କାରଣ ଜଳ ବହନି ପବନ,
ଅଗ୍ନି ନେତ୍ରେ ଚାହିଁ ଦେବେ ମହୀପାଇଁ ସାକ୍ଷୀରୂପେ ସର୍ବେ ଶୁଣ।
ଆଦ୍ୟ ନବ ଋଷି ଛାଡ଼ ବ୍ରହ୍ମବାସୀ ଚଉଷଠୀ ସିଦ୍ଧ ଯୋଗୀ,
ଧର୍ମରେ ଧଇର୍ଯ୍ୟ ତୁମ୍ଭେମାନେ ବୁଝ କେତେ କେତେ ଅଛି ଲାଗି ।
ଚାରିଯୁଗ ଦିଶଦିଶ ବେଦଶାସ୍ତ୍ର ଛପନାକୋଟି ଜୀବ ଯେତେ,
ପ୍ରଭୁଙ୍କ ପ୍ରତାପ ଦେଖିବ ପ୍ରତ୍ୟକ୍ଷ ଦୋଷନାହିଁ ଦେବ ମୋତେ ।
ଏ ସତ୍ୟ ସମ୍ଭବ କହୁ କହୁ ହେବ ନିଷ୍ଠା ଭକ୍ତି ପୂର୍ଣ୍ଣ ଫଳ,
ଏ ମୋର ବିକଳ ଦେଖୁଛ ସକଳ ସାକ୍ଷରେ ସର୍ବେ ରହିଲ ।
ମୁଁ ଯାହା ବୋଇଲି ବିନୟ ହୋଇଲି ଗର୍ବ କରିବାକୁ ନାହିଁ,
ପ୍ରଭୁଙ୍କୁ ଜଞ୍ଜାଳ କରୁଛି କଟାଳ ପ୍ରାଣର ଆକୁଳେ ମୁହିଁ ।
ନାମ କୃପାସିନ୍ଧୁ ଭଗତଙ୍କ ବନ୍ଧୁ ଅଣାକାର ବ୍ରହ୍ମରାଶି,
ଅପରାଧ କ୍ଷମା କର ହୋ ମହିମା ଫିଟାଅ ବନ୍ଦୀରୁ ଆସି ।
ସିଦ୍ଧ ବ୍ରହ୍ମବାଣୀ କମ୍ପୁଛି ଧରଣୀ ଚିନ୍ତିଲେ ଖଣ୍ଡୁଛି ପାପ,
ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ବାନା ଉଡ଼ୁଛି ଅଲେଖ ।
ପିଣ୍ଡକୁ କାରଣ ଜୀବଉଦ୍ଧାରଣ ଅମାପ ଅକ୍ଷୌଣୀ ଜପ,
ଭାସୁଅଛି ଜଳେ ସୋହତିର ବଳେ ତ୍ରାହି କର ଶୂନ୍ୟରୂପ ।
ଅମରୀଷ ହେଲି କୋପେ ଗାଳି ଦେଲି ନ ଧରିବା ପ୍ରଭୁ ରୋଷ,
କହେ ଭୀମ ହୀନ ପାମର ଅଜ୍ଞାନ କ୍ଷମାକର ମୋର ଦୋଷ ।