ସ୍ତୁତି ଚିନ୍ତାମଣି/ଦ୍ୱିତୀୟ ବୋଲି
←ପ୍ରଥମ ବୋଲି | ସ୍ତୁତି ଚିନ୍ତାମଣି ଲେଖକ/କବି: ଦ୍ୱିତୀୟ ବୋଲି |
ତୃତୀୟ ବୋଲି→ |
ଦ୍ୱିତୀୟ ବୋଲି
କିପାଁ ନିରାପକ୍ଷ କରୁଅଛ ମୋତେ କେଉଁ ଦୋଷ ମନେ ଧରି,
ନିଷ୍ଠୁର ତୋ ହିୟା ନ ବସେ ତୋ ଦୟା ଭକ୍ତପ୍ରାଣଖିଆ ହରି ।
ହେଉଅଛି ଯାହା ନ ଜାଣୁ କି ତାହା ଅନ୍ତର୍ଯ୍ୟାମୀ ନାମ ବହି,
ମୋତେ କୋପ କରି କି ଯଶ ଅର୍ଜିବୁ ଭଗତ ଜୀବନ ଖାଇ ।
ବୋଲାଇ ଠାକୁର ହେଉଛୁ ଚତୁର କେତେ ଦେଉଛୁ ଗଞ୍ଜଣା,
କୃପାସିନ୍ଧୁ ନାମ ବିଅର୍ଥ ହେଉଛି ନ ଯାଉଛି ବୁଝାମଣା ।
ଛନ୍ଦ କୂଟ ପାଞ୍ଚି ମାୟା ମୋହ ରଚି ପକାଇ ସିନ୍ଧୁ ସୋହତେ,
କୋଟିଏ କୀଟରୁ ଅନ୍ତର କରିଛୁ କିପାଇଁ ଚାହିଁବୁ ମୋତେ ।
ମୋହର କି ଦୋଷ ତୋ ରଚିଲା ଯଶ ବୁଡ଼ାଇ ମାରୁଛୁ ଧରି,
ମାୟାକୁ ପେଷନ୍ତେ ସାଧୁଅଛୁ ମୋତେ ଯେସନେ ଶତ୍ରୁ ଭଗାରି ।
ନାବେ ନ ବସାଇ ଜଳରେ ଭସାଇ କରୁଅଛୁ ଅଣହେଳା,
ଉତ୍ସର୍ଗେ ଉଠାଇ ନିଶୁଣୀ କଟାଇ ଭବେ ବୁଡ଼ାଉଛୁ ଭେଳା ।
ଏ ଦୁର୍ଲ୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ ନ ପାରଇ ପ୍ରଭୁ ସହି,
ପିଣ୍ଡ ପ୍ରାଣ ଆଦି ସମର୍ପଣ କଲି ତୁମ୍ଭ ପାଦତଳେ ନେଇ ।
ନାହିଁ ମୋ ଭରସା ତୋତେ କରି ଆଶା ଦେଖ ତୁ ମୋର ବିକଳ,
ଆପେ ବିଜେ ହୋଇ ଅନ୍ତପୁରେ ନେଇ ଲଗାଅ ବ୍ରହ୍ମ ଅନଳ ।
ଆଜ୍ଞାରେ ବିଦିତ ତ୍ରିପୁର ଜଗତ ସତ୍ୟ ଯେବେ ରବି ଶଶୀ,
ଘେନି ମୋ ଜଣାଣ ପ୍ରଭୁ ନାରାୟଣ ପାରି କର ଭସ୍ମରାଶି ।
ପାଷାଣ ତରଳି ଯାଉ ତେଜ ଗଳି ସ୍ଥାନେ ସ୍ଥାନେ ଦିଅ ଜାଳି,
ନାମ ଯେବେ ସତ୍ୟ ବ୍ରହ୍ମ ଯେବେ ତତ୍ତ୍ୱ ଉଡ଼ିଯାଉ ଧୂଆଁ କାଳି ।
ଅନ୍ତର୍ଯ୍ୟାମୀ ନାଥ ଜଗତର ତାତ ତ୍ରିଭୁବନେ ଧନ୍ୟ ଧନ୍ୟ,
ଭଗତ ନିମନ୍ତେ ପରୀକ୍ଷା ନ ଦେଲେ ତୋତେହେଁ ତୋହରି ରାଣ ।
ତୋହର କୃପାରେ ସତ୍ୟ ନିଷ୍କାମରେ ବେଳହୁଁ ଜାଣିଛି ମୁହିଁ,
ଶୁଭିଲା ଶବଦ ନିର୍ବେଦରୁ ଭେଦ ରୂପଗୁଣେ ଜ୍ଞାନ ନାହିଁ ।
ଲଗାଇଛି ହେଜି ପିଣ୍ଡ ପ୍ରାଣ ତେଜି ଅବନାମଣ୍ଡଳେ ଚିତ୍ତ,
ବୁଝିବୁ ଅବଶ୍ୟ ଭୋ ଧର୍ମ ପୁରୁଷ ଚାରିଯୁଗେ ଯେବେ ସତ୍ୟ ।
ଅନୁଭବେ ଧରି ଅରୂପେ ବିହରି ଶୂନ୍ୟେ ଲାଗିଛି ଭଜନ,
ବେନି ନୟନରୁ ବହି ଯାଉଅଛି ଅଶ୍ରୁଜଳ ଘନଘନ ।
ରକ୍ଷା କରିବାକୁ ଘୋର ଦଶା ଦୁଃଖୁଁ ଶାଖା ସୋଦର ମୋନାହିଁ,
ନାହିଁ ତାତ ମାତ ଇଷ୍ଟ ବନ୍ଧୁଭ୍ରାତ ଅନାଥ ପ୍ରାଣୀ ଅଟଇ ।
ଲେଖିଅଛୁ ଯାହା ଭୁଞ୍ଜୁଅଛି ତାହା ଅଦୃଷ୍ଟ କର୍ମକୁ ମାନି,
ପୋଷୁଛି ଉଦର ଦିବସ ଅନ୍ଧାର ଦୁଃଖ ପଡ଼ି ମୁଠେ ଆଣି ।
କାଳଦଶା ଆସି ଘୋଟିଛି ଆକ୍ରୋଶି ମୃତ୍ୟୁରେ କରି ସଂଯୋଗ,
କଟାକ୍ଷନେତ୍ରରେ କିଞ୍ଚିତେ ଚାହିଁଲେ ରେଣୁ ପ୍ରାୟେ ଉଡ଼ିଯିବ ।
ଏ ନର ଦେବାନ୍ତ ବ୍ରାହ୍ମଣ ପଣ୍ଡିତ କେହି ନୁହନ୍ତି ଭାର୍ଜନ,
ଏ ଘୋର ବିପତ୍ତି ଖଡ଼ଗରେ କାଟି ଏକା ଫେଡ଼ିବ ଆପଣ ।
ଏକାକ୍ଷର ପଦ ହୃଦେ ଗୁଣବାଦ ନିରନ୍ତରେ କରି ଆଶା,
ଅଧିକ ବିଷୟା ନ ପାରଇ ତାହା ନାମ ଭଜନେ ତପସ୍ୟା ।
ଦୁଃଖ ସୁଖ କଥା ମନେ କରି ଚିନ୍ତା ପ୍ରଭୁ ଛାମୁରେ ଜଣାଇ,
ଶରଣ ବିକଳେ ଗୁରୁପାଦତଳେ ଭୀମ ଅରକ୍ଷିତ କହି ।