Jump to content

ସ୍ତୁତି ଚିନ୍ତାମଣି‌/ପ୍ରଥମ ବୋଲି

ଉଇକିପାଠାଗାର‌ରୁ
ପ୍ରଥମ ବୋଲି ଲେଖକ/କବି: ଭୀମ ଭୋଇ
ପ୍ରଥମ ବୋଲି

ପ୍ରଥମ ବୋଲି

 
ଜୟ ଜୟ ଜ୍ୟୋତିରୂପରେ ବିଖ୍ୟାତ ଶୂନେଂ ଯା ଉଡ଼ିଛି ବାନା,
କୃପାକଟାକ୍ଷ ତ ଅରୂପେ ବିଦିତ ଭଗତ-ଦୁଃଖ-ଖଣ୍ଡନା ।
ଜଗତ ଆବୋରି ପୂରିଅଛ ହରି ନାମ ବ୍ରହ୍ମମୟ ତେଜ,
ଅଜ୍ଞାନୀକି ମେରୁ ସୁଜ୍ଞାନୀକି ସରୁ ନୁହଇ ଉଶ୍ୱାସ ବୋଝ ।
ଅଭୟ ପୟରୁ ପ୍ରଭୁ ଶ୍ରୀଛାମୁରୁ କିଛି କୃପା ହେଉ ନାହିଁ,
ନିମିଷମାତ୍ରକ ଯୁଗେ ଲେଖୁଅଛି ଦିବସ ଗଣୁଛି ମୁହିଁ ।
ଆହା ତୁ କରତା ବୋଲି ମନେ ଚିନ୍ତା ଲଲାଟରେ ହସ୍ତ ମାରି,
ଉଧର ବା ନ ଉଧର ମହାପ୍ରଭୁ ସନ୍ତାପେ ଗଲିଣି ସରି ।
ମେଲିଛି ପସରା ନିର୍ବେଦରେ ପରା ଅରୂପେ କରିବ ପାରି,
ଘେନ ମୋ ବିନତି ବୁଝ ତୁ ବ୍ୟକତି ଯେବେ ଭକ୍ତହିତକାରୀ ।
ଅବନାମଣ୍ଡଳୁ ଜ୍ଞାନ ଅଖଣ୍ଡଳୁ ଆଣି ଉଡ଼ାଇଛ ବାନା,
ଅନ୍ତର୍ଯ୍ୟାମୀ ହେଲେ ଅବଶ୍ୟ ଜାଣିବ ଭୃତ୍ୟର ମନ କଳ୍ପଣା ।
ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସର୍ବ ତୁମ୍ଭରି ଖଣ୍ଡ,
ନଟ କୂଟ କରି ମାରୁଅଛି ଧରି ବିହୁଅଛ କେତେ ଦଣ୍ଡ ।
ସନ୍ତାପରେ କେତେ ଦହୁଅଛ ମୋତେ ଯେତେ ଦେଉଛ କଷଣ,
ଭଗତରକ୍ଷଣ ବାନା ବହିଅଛ ଧନ୍ୟ ତୁମ୍ଭ ପ୍ରଭୁପଣ ।
ମୁଁ ଯେ ଶ୍ରୀ ଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧୀ ଚୋର,
ଅଛି ଯେବେ ଦୋଷ ମନେ ବହି ରୋଷ ଖଡ଼ଗେ ଛେଦେ ମୋ ଶିର ।
ଏତେ କାଳେ ମୋତେ ବିଅଣଆୟତ୍ତେ ଆସି ପଡ଼ିଲା ବିପତ୍ତି,
ହୃଦର ବେଦନା କର ତୁ ଖଣ୍ଡନା ଅଲେଖ ଅବର୍ଣ୍ଣ ଜ୍ୟୋତି ।
କିବା ରାଜପୁତ୍ର କିବା ସାଧୁ ସନ୍ଥ ସର୍ବେ ହେଲେଣି ଦୁର୍ଜନା,
ଏ ତିନି ବ୍ରହ୍ମାଣ୍ଡ ସାଧିବୁ ତୁ ପରା କିସ ଦେଖୁଛ ଭାବନା ।
ଦେବା ଦେବୀଗଣ ମୃତ୍ତିକା ପାଷାଣ କାହାକୁ ନ ଭଜି ଚିତ୍ତେ,
ମୁକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ ଏକା ଧ୍ୟାୟି ଅଛି ତୋତେ ।
ତୁ ଯେବେ ଅଲେଖ କରିବୁ ନିରେଖ ବିପତ୍ତିରେ ଅପଯଶ ।
ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ କାହିଁ ନୋହିବ ମୋ ବାସ ।
ହୋଇ ଏତେ ସରି ଜିଇଁଛି ନ ମରି ବୋଝର ଉପରେ ଭାର,
ଏଥିରୁ ଅଧିକ ଭୋଗରୁ ଅଲେଖ କି କରିବୁ ଆଉ କର ।
ବଖାଣରେ ଦୁଃଖ ଅଧିକରେ ଶୋକ ହୃଦରୁ ଉଠୁଛି କୋହ,
ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି କ୍ଷଣେ ସୁସ୍ଥ ନାହିଁ ଦେହ ।
ମନେ ମନେ ଗୁଣି ଦିବସ ରଜନୀ ସନ୍ତାପରେ ହୋଇ ଘାରି,
ଆହାରେ ଦାରୁଣ ଦଇବ ବିଧାତା ମୋତେ କଲୁ ଏତେ ସରି ।
ମାୟା ମୋହେ ନିତ୍ୟେ ପକାଉଛୁ ମୋତେ କି ରୂପେ ହୋଇବି ପାରି ।
ଦିବା ନିଶି ମୋତେ ରୋଦନ ମାଡ଼ୁଛି ବେନି ନେତ୍ରୁ ବହେ ବାରି ।
ମୁଁ ହୀନ ପାମର କୀଟ ଜୀବ ଛାର ତୋ ପୟରେ ଅନୁସରି,
କରପତ୍ର ଯୋଡ଼ି ବିନତି କରୁଛି ସୁକୃପା କର ଶ୍ରୀହରି ।
ଜଗତଧାରଣ ମୁକତି କାରଣ ତୁ ଯେ ବ୍ରହ୍ମାଣ୍ଡକରତା,
ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖ ସୁଖ ସର୍ବ ଚିନ୍ତା ।
ତୋ ପାଦେ ଶରଣ ଯାଉ ଏ ପରାଣ ଯୁଗେ ଯୁଗେ ରହୁ କୀର୍ତ୍ତି,
ଝିଙ୍ଗାସ ବଚନ କହେ ଭୀମ ହୀନ ଅଜ୍ଞାନ ପାମର ମତି ।