ତାଙ୍କ ମନରେ ଉଚ୍ଚଶିକ୍ଷା ପାଇଁ ପ୍ରବଳ ପିପାସା ଥିଲା । ପୁରୀ ବ୍ୟତୀତ କାକଟପୁରର ପାଖ ଆଖରେ କୌଣସି ହାଇସ୍କୁଲ୍ ନଥିଲା । ପୁରୀରେ ପଢ଼ାଇବା ପାଇଁ ତାଙ୍କ ପିତାଙ୍କର ସମ୍ବଳ ନଥିଲା । ମଧୁଦୂଦନ ନୈରାଶ୍ୟ ଜର୍ଜରିତ ହୋଇ ଶେଷକୁ ବିଭୁକୃପା ଲାଭ କରିବା ପାଇଁ ମନସ୍ଥ କଲେ । ପୁରୀ ଯାଇ ଲୋକନାଥଙ୍କ ମନ୍ଦିରରେ ଅଧ୍ୟା ପଡ଼ିଲେ । ସାତଦିନ ପରେ ତାଙ୍କୁ ସ୍ୱପ୍ନାଦେଶ ହେଲା, "ତୁମେ ଆସନ୍ତା କାଲି ପ୍ରତ୍ୟୁଷରୁ କୂର୍ମ ପୋଖରୀରେ ସ୍ନାନ ସାରି ମୋତେ ଦର୍ଶନ କରି ସିଧା ସଳଖ ବଡ଼ ଦାଣ୍ଡକୁ ଯିବ। ଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଗରେ ଜଣେ ଶୁଶ୍ରୁଧାରୀ ଯୁବକଙ୍କୁ ଭେଟିବ । ସେ ତୁମର ପଢ଼ାଶୁଣାର ସମସ୍ତ ବ୍ୟବସ୍ଥା କରିଦେବେ ।"
ମଧୁସୂଦନ ପ୍ରତ୍ୟୁଷରୁ ଉଠି ତାହାହିଁ କଲେ । ଆଶ୍ଚର୍ଯ୍ୟ କଥା, ଠିକ୍ ଜଗନ୍ନାଥଙ୍କ ସିଂହଦ୍ୱାର ସମ୍ମୁଖରେ ଜଣେ ଶ୍ୱେତ ଖଦଡ଼ ପରିହିତ ଶୁଶ୍ରୁଧାରୀ ଯୁବକଙ୍କୁ ସେ ଦେଖିବାକୁ ପାଇଲେ । ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ସମସ୍ତ କଥା ଜଣାଇଲେ । ସେ ଯୁବକ ସିଂହଦ୍ୱାର ନିକଟରେ ବସିପଡ଼ି ଖଣ୍ଡିଏ ଚିଠି ଲେଖି ମଧୁସୂଦନଙ୍କୁ ଧରାଇଦେଇ ସାକ୍ଷୀଗୋପାଳ ଯିବା ପାଇଁ ନିର୍ଦ୍ଦେଶ ଦେଲେ । ମଧୁସୂଦନ ଚିଠିରୁ ଜାଣିଲେ, ସେ ଯୁବକ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଚିଠିଟି ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନିକଟକୁ ଲେଖା ଯାଇଅଛି । ପ୍ରଗାଢ଼ ବିଶ୍ୱାସ ଥିଲେ କିପରି ଭଗବତ୍ କୃପା ଲାଭ ହୋଇଥାଏ, ଏହା ତାହାର ଏକ ଜ୍ୱଳନ୍ତ ନିଦର୍ଶନ ।
ପଣ୍ଡିତ ନୀଳକଣ୍ଠ ତାଙ୍କ ରହିବା ଖାଇବା ଆଦିର ସୁବନ୍ଦୋବସ୍ତ କରିଥିଲେ । ପ୍ରଥମ ଅବସ୍ଥାରେ ଛାତ୍ରାବାସରୁ ତାଙ୍କୁ ସାହାଯ୍ୟ ଦିଆଯାଇଥିଲା । କିନ୍ତୁ ପରେ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସୂତାକଟା, କୃଷି ଆଦି କର୍ମରେ ସାହାଯ୍ୟ କରି ଯାହା ଆୟ କରିପାରୁଥିଲେ, ସେଇଥିରେ ଚଳିବା ପାଇଁ ଅଭ୍ୟାସ କରିଥିଲେ । ଇଂରାଜୀ ଜାଣି ନଥିବାରୁ ତାଙ୍କୁ ଗୋଟିଏ ବର୍ଷ ଇଂରାଜୀ ପଢ଼ିବା ପରେ ହାଇସ୍କୁଲରେ ନାମଲେଖାଇବାକୁ ପଡ଼ିଥିଲା ।
ଏଠାରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର ଓ ପଣ୍ଡିତ ବାସୁଦେବ ମହାପାତ୍ର ପ୍ରଭୃତି ପ୍ରସିଦ୍ଧ ଜ୍ଞାନୀ, ଦେଶସେବକ ଶିକ୍ଷାବିଦ୍ମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ । ଏମାନଙ୍କର ଜ୍ଞନାନୁସନିତ୍ସା ଦେଶପ୍ରେମ ଓ ଉତ୍ସର୍ଗୀକୃତ ଜୀବନର ପ୍ରଭାବ ତାଙ୍କ ମନରେ ଗଭୀର ରେଖାପାତ କରିଥିଲ।
ଯେଉଁ କୋଣାର୍କ ଯାତ୍ରା ପଣ୍ଡିତ ନୀଳକଣ୍ଠଙ୍କ ମନରେ 'କୋଣାର୍କ' ପରି ଅନୁପମ କାବ୍ୟର ବୀଜ ବପନ କରିଥିଲା, ମଧୁସୂଦନ ସେହି ଯାତ୍ରାରେ ତାଙ୍କର ସହିତ ଯାଇଥିଲେ ।
୧୯୯