୧୧୧
ଦୁଃଖ କହିବି କି ସୁଖ କହିବି
କେତେ ଜଣ ଭାଗ୍ୟଶାଳୀ ରାଜନୀତି-ଚର୍ଚ୍ଚେଇତଙ୍କର ପରଦୁଃଖ କାତର, ତ୍ୟାଗୀ, ନିସ୍ୱାର୍ଥପର, ଦେଶପ୍ରେମୀ, ଦେଶସେବକ ଆଜି ସୁନାମ ଅର୍ଜିବାକୁ ମଧ୍ୟ ସୁବିଧା ଥାଏ ।
କିନ୍ତୁ ଯେଉଁମାନେ ଦୁଃଖ ଶୋକ ଛଡ଼ା ଦୁନିଆରେ ଆଉ ଦ୍ୱିତୀୟ ସତ୍ୟ ଥିବାର ଜାଣନ୍ତି ନାଇଁ ଏବଂ ସ୍ୱାସ୍ଥ୍ୟ-ସମ୍ପଦ ପାଇବାକୁ ହେଲେ ଯାହାଙ୍କର ଖାଲି ସ୍ୱର୍ଗକୁ ନ ଯାଇ ଉପାୟ ନାହିଁ, ପୃଥିବୀରେ ସେହି ଅଧିକ ସଂଖ୍ୟକ ଲୋକ ଯଦି ଏକ ସଙ୍ଗରେ ନିଜ ଦୁଃଖ ଦୁର୍ଦ୍ଦଶା ଚର୍ଚ୍ଚା କରନ୍ତି, ତାହାହେଲେ ରାଜନୀତି ରାଜଦ୍ରୋହରେ ପରିଣତ ହୋଇ ପଡ଼ିବାର ଭୟ ଅଛି । ମଣିଷ ସମାଜର ପରିସ୍ଥିତି ଏମିତି ବିଚିତ୍ର ଯେ, ବେଶି ଲୋକଙ୍କର ହିଁ ଦୁଃଖ ଦୁର୍ଦ୍ଦଶା ସବୁଠୁଁ ବେଶି ଏବଂ ତାଙ୍କର ନିଜ ଦୁର୍ଦ୍ଦଶା ବିଚାର କରିବାର ଅର୍ଥ ସହଜେ ଅଳ୍ପ ଲୋକଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଉପରେ ଅବିଚାର କରିବା ହୋଇ ପଡ଼େ । ଏହି କାରଣରୁ ହିଁ ପ୍ରାୟ ସବୁ ଦେଶରେ ସରକାର ଜନସାଧାରଣଙ୍କୁ ଆପଣାର ଦୁଃଖ ଦୁର୍ଦ୍ଦଶା ଆଲୋଚନା କରିବା ପାଇଁ ନାନା ରକମ ଆଇନ କଟକଣା ଭିତରେ ରଖିଥାଏ । କାରଣ ସରକାର ବୋଇଲେ ଏହି ଅଳ୍ପ ଲୋକଙ୍କର ସମ୍ପତ୍ତିକୁ ବା ସୁଖସ୍ୱାଚ୍ଛନ୍ଦ୍ୟକୁ ବିଶେଷ ରୂପେ ବୁଝାଏ ।
ଯାହାହେଉ, ବର୍ତ୍ତମାନର ସୁଖଦୁଃଖପୂର୍ଣ୍ଣ ଘଟଣାରାଶିର ଅର୍ଥ ଯେ ରାଜନୀତି ଏବଂ ଅତୀତ ହେଲେ ତାହାରି ନାମ ଯେ ଇତିହାସ ହୋଇ ପଡ଼େ, ଏ କଥାର ପ୍ରମାଣ ଇତିହାସ ବା ରାଜନୀତିର ଛାତ୍ରକୁ ଅଜଣା ନୁହେ । ଅବଶ୍ୟ ଇତିହାସ ଚର୍ଚ୍ଚା ପାଇଁ ଯେଉଁ ସ୍ୱାଧୀନତା ଥାଏ, ରାଜନୀତି ପାଇଁ ତାହା ନାହିଁ । କାରଣ ବର୍ତ୍ତମାନଠାରୁ ଅତୀତଟା କେବେ ହେଲେ ବଡ଼ ସଂକଟ ନୁହେ ।