"ବାଳକେ ମୋର ବୋଲ କର, ସତ୍ୟ ପାଳିବ ନିରନ୍ତର" । "ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜ୍ଜନ" । ଭକ୍ତକବିଙ୍କର ପ୍ରାର୍ଥନା କବିତାଗୁଡ଼ିକ କିପରି ମର୍ମସ୍ପର୍ଶୀ ଦେଖନ୍ତୁ । "ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି ପ୍ରତିକ୍ଷଣେ," "ମୋ ପାଶେ ଅଛନ୍ତି ଦିବସ ରଜନୀ, ମହାପ୍ରଭୁ ପରାତ୍ପର ଏ କତା ସୁମରି ହୃଦୟେ ତାହାଙ୍କୁ, ପୂଜିବି ମୁଁ ନିରନ୍ତର ।" ଊତୁ ବର୍ଣ୍ଣନା, ଜଗତ ଓ ଜୀବନ ସଂପର୍କୀୟ ଭକ୍ତକବିଙ୍କର କବିତା ଅନନ୍ୟ । ଏମିତିକି ତାଙ୍କର କେତେକ ଇଂରେଜୀ କବିତାର ଅନୁବାଦ ଏକାନ୍ତ ମୌଳିକ ଓ ସାର୍ଥକ । ତାଙ୍କର "ଜୀବନ ଚିନ୍ତା" "ଋଷି ପ୍ରାଣେ ଦେବାବତରଣ", "ଏ ସୃଷ୍ଟି ଅମୃତମୟ ହେ", "ପଦ୍ମ", ଓ "ନିର୍ବାସିତର ବିଳାପ" ଆଦି କବିତାମାନ ଅନୁପମ ଓ ସଦା ସ୍ମରଣୀୟ । ଭକ୍ତକବି ମଧୁସୂଦନଙ୍କ ବ୍ୟକ୍ତିତ୍ୱ ବହୁମୁଖୀ । ସେ ଥିଲେ, ଏକଧାରରେ ଜ୍ଞାନ, ଭକ୍ତି, କର୍ମ ଓ ପ୍ରେମର ଅଫୁରନ୍ତ ଉତ୍ସ, ଆଧୁନିକ ଯୁଗର ଏହି ଭକ୍ତକବି, ଶିଶୁସାହିତ୍ୟର ଜଙ୍କ, ଉତ୍କଳ ସାହିତ୍ୟ ସମାଜର ସ୍ରଷ୍ଟା, ଭକ୍ତମଧୁ ବିଦ୍ୟାପୀଠର ପ୍ରତିଷ୍ଠାତା, ସୁଦକ୍ଷ ଶିକ୍ଷକ, ନୀତିବାଦୀ ସାହିତ୍ୟିକ, ବ୍ରହ୍ମବାଦୀ ଓ ଜାତୀୟ ନବଜାଗୃତିର ଅନ୍ୟତମ ପଥପ୍ରଦର୍ଶକ ଭାବରେ ହୋଇଛନ୍ତି ସୁନାମଧନ୍ୟ । ମାତ୍ର ସର୍ବୋପରି ଜଣେ ଅନନ୍ୟ ଓ ଅଗ୍ରଗଣ୍ୟ ଶିକ୍ଷକ ଓ ଶିକ୍ଷାବିଦ୍ ଭାବରେ ତାଙ୍କର ପ୍ରତିଭା ଓ ପ୍ରତିଷ୍ଠା ଥିଲା ଅସାଧାରଣ । ସେ ଥିଲେ ପ୍ରଥମେ ଶିକ୍ଷକ ଓ ପରେ ଅନ୍ୟକିଛି । ଶିକ୍ଷାକୁ ଜ୍ଞାନାର୍ଜନ, ଚରିତ୍ରଗଠନ,ସାହିତ୍ୟ ସର୍ଜନା ଓ ଆଧ୍ୟାତ୍ମିକ ଜୀବନଚର୍ଯ୍ୟାର ଶ୍ରେଷ୍ଠ ମାଧ୍ୟମ ତଥା ଆୟୁଧ ଭାବରେ ବ୍ୟବହାର କରିବାରେ ସେ ଥିଲେ ସିଦ୍ଧହସ୍ତ ଓ ପ୍ରକୃଷ୍ଟ ପ୍ରବକ୍ତା । ଏହା ଏକ ଉଲ୍ଲେଖଯୋଗ୍ୟ ଘଟଣା ଯେ, ଭକ୍ତକବି ଇହଧାମ ତ୍ୟାଗ କରିବା ବର୍ଷ (୧୯୧୨) ଉତ୍କଳମଣି ଗୋପବନ୍ଧୁଙ୍କ ସନିର୍ବନ୍ଧ ଅନୁରୋଧକ୍ରମେ ସତ୍ୟବାଦୀରେ ଅନୁଷ୍ଠିତ ଶିକ୍ଷାସମ୍ମିଳନୀରେ ଅଧ୍ୟକ୍ଷତା କରି ଏହିପରି ଶିକ୍ଷା ପ୍ରସାର ପାଇଁ ଉଦ୍ୟମ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବ୍ୟାସକବି ଫକୀରମୋହନ ଯଥାର୍ଥରେ ଗାଇଛନ୍ତି - "ଆଦର୍ଶ ମନୁଷ୍ୟ ଯେବେ ଦେଖିବାକୁ ଚାହିଁ, ଧାଇଁ ଆସି ଥରେ ଦେଖି ଯାଅ ମଧୁରାଓ" "ମଧୁରାଓ" ଥିଲେ ପ୍ରକୃତରେ ଆଦର୍ଶ ମାନବ ଏବଂ ତାଙ୍କର ଋଷିପ୍ରାଣରେ ଦେବାବତରଣ ସମ୍ଭବ ହୋଇଥିଲା । ତାଙ୍କ ପାଇଁ ଶିକ୍ଷକତା ଥିଲା "ଅମୃତର ସୋପାନ," ଓ ସମଗ୍ର ସୃଷ୍ଟିକୁ ଅମୃତମୟ କରିବାର ଦୂରନ୍ତ ସ୍ୱପ୍ନ ।
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୨
ଦେଖଣା