ବିଭୀଷଣ ବୋଲେ ଶୁଣିମା ଭୋ ଦେବ ରାବଣର ଏ ନନ୍ଦନ ।
ବହୁତ ତପ କଲାରୁ ବର ଦେଇଅଛନ୍ତି କଞ୍ଜାଅସନ ।
ହେ ବୀର । ସାବଧାନ ହୋଇ ଯୁଦ୍ଧ କର । ଜିଣି ପାରଇ ଏ ତ୍ରୟପୁର ।
ମାରି ପକାଇବ ବନଚର । ଶୁଣି ରାମ ହେଲେ ଅଗ୍ରସର ।
ଶ୍ରୀରାମଙ୍କୁ ପଛ କରିଣ ଲକ୍ଷ୍ମଣ ଓଗାଳିଲେ ତାକୁ ଯାଇଁ ।
ଅସୁର ହସିଣ ବୋଇଲା କୁମର ଅଇଲୁ ମରିବାପାଇଁ ।
ରେ ବାଳ । ମୃତ୍ୟୁଦେବତାର ମୁହିଁ କାଳ । ମୋତେ ଡ଼ରନ୍ତି ଏ ଦିଗପାଳ ।
ତୋତେ ମାଇଲେ ନାହିଁଟି ଫଳ । ପଳା ଧନୁ ଶର ଥୋଇ ତଳ ।
ଲକ୍ଷ୍ମଣ ବୋଲନ୍ତି ଶରଦମେଘଟି ଗର୍ଜି ନ ବରଷେ ଜଳ ।
ତୋର ମୋର ଏହିଠାବରେ ଜାଣିବା କେ ବୃଦ୍ଧ ଯୁବା କେ ବାଳ ।
ରେ ବୀର । ଏତେ କହିଣ କଲେ ସମର । ଡ଼ରି କମ୍ପିଲେ ସକଳ ସୁର ।
କାଣ୍ତ ପ୍ରହାରିଲେ ଦୈତ୍ୟଶିର । ଦେଖି ପ୍ରଶଂସା କଲା ଅସୁର ।
ଦୁହେଁ ମହାକ୍ଷତ୍ରୀ କେହି କାହାକୁହିଁ ନୋହିଲେକ ବଡ଼ ସାନ ।
ଏହା ଦେଖିଣ ମାରୁତି ବିଚାରିଣ କହିଲେ ଲକ୍ଷ୍ମଣ କର୍ଣ୍ଣ
ସେ ବୀର । ବ୍ରହ୍ମଅସ୍ତ୍ର ବେଗେ ଧର କର । ଶୁଣି ବାହାର କଲେକ ଶର ।
ଯାହା ଦେଇଥିଲେ ସୁନାଶୀର । ଗୁଣେ ବସି କଲେ ପ୍ରହାର ।
ବ୍ରହ୍ମଅସ୍ତ୍ର ବାଜି ଅତିକାୟବୀର ଭୂମିରେ ପଡ଼ିଣ ମଲା ।
ତାହା ଦେଖିଣ ଲକ୍ଷ୍ମଣଙ୍କୁ ଆକାଶୁଁ କୁସୁମବୃଷ୍ଟି ହୋଇଲା ।
ସେ ମଲେ । ଷଡ଼ରଥୀ ଆସି କ୍ଷୟ ଗଲେ । ଦେଖି ଅସୁର ବଳ ଭାଜିଲେ ।
ପଳାଇଣ ରଣୁ ଯହୁ ଗଲେ । ବିଶି ବୋଲେ ରାବଣେ କହିଲେ ।
ସାତଚାଳିଶ ଛାନ୍ଦ
ରାଗ- ରସକୋଇଲା ବାଣୀ
ଲକ୍ଷ୍ମଣ ଇନ୍ଦ୍ରଜିତ ଗରୁରଣ । ମହାକ୍ଷେତ୍ରୀ ଅଟନ୍ତି ବେନିଜଣ ।
ଶର ଆତ୍ୟାତେ ନ ଦିଶେ ଭାନୁ । ମଣ୍ତଳାକାର ଦିଶେ ବେନିଧନୁ ସେ ।
ବିନ୍ଧିବା ଭୁଜ ନ ଦିଶେ ଯେ ।
ହନୁକନ୍ଧରେ ଆରୋହି ରାମାନୁଜ ଦ୍ୱିତୀଈନ୍ଦ୍ର ପ୍ରାୟ ଦିଶେ ଯେ ।
ଲକ୍ଷ୍ମଣ ପେଶିଲେ ବାବଲଶର । କାଟିଲେ ଅସୁରର ଧନୁଶର ।
ପୁଣି କୋପେ ବିନ୍ଧିଲେ ପାଞ୍ଚକାଣ୍ତ । କାଟିଲେ ଅଶ୍ୱ ସାରଥିର ମୁଣ୍ତ ସେ ।
ରଥ କଲେ ହନୂ ଭଙ୍ଗ ଯେ ।
ସେହିକ୍ଷଣି ଅନ୍ୟ ରଥେ ଆରୋହିଣ ଯୁଝିଲେ ଲକ୍ଷ୍ମଣ ସଙ୍ଗ ଯେ ।
ବିନ୍ଧନ୍ତେ ଶରେ ଶର ପରିତାଳ । ଜଳଇ ତହୁଁ ନିର୍ଧୂମ ଅନଳ ।
ଦେଖି ତରଳ ହୋଏ ବେନିବଳ । ଉତପାତ ଯାତ ବେଳକୁବେଳ ସେ ।