ପୃଷ୍ଠା:Chha mana atha guntha.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଥ ଆଗ ଶରଧା ବାଲିରେ ଭକ୍ତ ଗଡ଼ିଗଲା ପରି ଘୋଡ଼ାଟା ତିନି ଚାରି ଥର ଗଡ଼ିଯାଇ ଠିଆହେଲା । ଘୋଡ଼ାଟା ଧୂଳିରେ ଗଡୁଥିବା ସମୟରେ ସୁଆର ମଧ୍ୟ ଦାନ୍ତନିଷିଡ଼ି ଦେହର ସ୍ଥାନ ଅସ୍ଥାନରେ ଯାଦୁଗୁଡ଼ାକୁ କୁଣ୍ତେଇ ପକାଇଲେ ।

ସେଖ ଇନାତ୍ ହୋସେନ୍ କଟକ ଜିଲ୍ଲାରେ ଜଣେ ଅଉଲ ନମ୍ବର ପୁଲିସ ଦାରୋଗା, ପାର୍ଶି ଇଲମରେ ଭାରି ମଜବୁତ୍ । ଓଡ଼ିଆ ନାଲାଏକ୍ ଇଲମ, ସେଥିସକାଶେ ସେ ଲେଖନ୍ତି ନାହିଁ, ସରକାରୀ କାଗଜରେ ପାର୍ଶି ଦସ୍ତଖତ କରନ୍ତି । ଲାଏକତୀ ହେତୁରୁ ବାର ବରଷ ହେଲା ଏକ କଲମରେ କେନ୍ଦ୍ରାପଡ଼ା ଥାନାରେ ଅଛନ୍ତି । ଗଲା ବରଷ କେବଳ ସଦର କଚେରୀ ସେରସ୍ତାଦାର ଆଉ ପେଷ୍କାରଙ୍କ ପର୍ବଣ ଫରମାସ ପହ୍ଞ୍ଚିବାରେ ବିଳମ୍ବ ହେବାରୁ ଥରେ ବଦଳି ଗୋଳମାଳ ଶୁଣା ଯାଉଥିଲା । ମୁନସି ଚକ୍ରଧର ଦାସ ମଧ୍ୟ ଜଣେ ଓଆକଫକାର ପୁଲିସ ଅମଲା । ଏହାଙ୍କ ରିପୋର୍ଟ ପଢ଼ି ମେଜେଷ୍ଟର ସାହେବ ଭାରି ଖୁସ୍ ଥିବାର ଚୌକିଦାରମାନଙ୍କଠାରୁ ସର୍ବଦା ଶୁଣାଯାଏ ।

ମଙ୍ଗରାଜଙ୍କ କଚେରୀ ମେଲାରେ ପୋଲିସ କଚେରୀ ବସିଅଛି । ଖୋଦ୍ ଦାରୋଗା ସେଖ୍ ଇନାଏତ୍ ହୋସେନ ଖଣ୍ତେ ସତରଞ୍ଜିରେ ଦାଢ଼ି ମେଲାଇ ଦେଇ ବସିଛନ୍ତି । ଆଗ ଡାହାଣପାଖରେ ମୁନସି ଚକ୍ରଧର ଦାସ ହେଁସ ଉପରେ ବିଛା ଘୋଡ଼ା ଚାରଜାମାରେ ବସିଛନ୍ତି । ଆଗରେ କୋଡ଼ିଏ ହାତ ଦୂରରେ ବରକନ୍ଦାଜ ଗୋଲାମ କାଦର ଏବଂ ପାଞ୍ଚଜଣ ଚୌକିଦାର ଛିଡ଼ା ହୋଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଗ୍ରେପ୍ତାର ହୋଏ ସେମାନଙ୍କ ନଜରବନ୍ଦୀରେ ମୁଣ୍ତକୁ ତଳେ ପୋତିହୋଇ ବସିଅଛନ୍ତି । ମଙ୍ଗରାଜଙ୍କ ଘର ଚାରିପିଠି ମହାସଭା ବସିଗଲାଣି, ବାହାର ମନୁଷ୍ୟ ଭିତରକୁ ଯିବାକୁ, ଭିତର ମନୁଷ୍ୟ ବାହାରକୁ ଆସିବାକୁ ହୁକୁମ ନାହିଁ । ପ୍ରଥମେ ସ୍ତ୍ରୀ ଲୋକମାନଙ୍କୁ ଏକ ତରଫ କରିଦିଆଯାଇ ଘର ଖାନତଲାସ ଆରମ୍ଭ ହେଲା । ଘରର ପ୍ରତ୍ୟେକ ସିନ୍ଦୁକ, ପେଟରା ଆଡ଼କୁର ତଲାସ ହେଲା, ଧାନ ଅମାରରେ ଲୁହା ଗଜ ମାରି ତଦାରଖ ହେଲା, ଭାତ ହାଣ୍ତି ଖୋଜାଗଲା, ଦୁଇଚାରି ଜାଗା ଚାଳ ଓଲରାଗଲା, କୌଣସି ସନ୍ଦେହୀ ମାଲ ଠିକଣା ହେଲା ନାହିଁ । କେବଳ ମଙ୍ଗରାଜଙ୍କ ପହଡ଼ଘରୁ ତିନି ଚାରି ହାତ ଲମ୍ବରେକେ ମୋଟ ଗୋଟାଏ ବାଉଁଶ